Unknown

 

 

 

 

 

 

 

 

 

 

ରାଜସିଂହ

 

ମୂଳ ବଙ୍ଗଳା: ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ

ଅନୁବାଦକ: ପଣ୍ଡିତ ନୀଳମଣି ମିଶ୍ର

 

ପୂର୍ବାଭାସ

 

ବଙ୍ଗଜନନୀଙ୍କର ଗୌରବଶାଳୀ ସନ୍ତାନ, ‘ବନ୍ଦେମାତରମ୍’ ମନ୍ତ୍ରର ମହର୍ଷି ତଥା ବଙ୍ଗଳା ଉପନ୍ୟାସର ଜନକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଖ୍ରୀଷ୍ଟାବ୍ଦ ୧୮୩୮ ମସିହା ଜୁନ୍ ୨୭ ତାରିଖରେ ପଶ୍ଚିମବଙ୍ଗର ଚବିଶପ୍ରଗଣା ଅନ୍ତର୍ଗତ କଣ୍ଟାଲପଡ଼ା ନିବାସୀ ଯାଦବଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ତୃତୀୟପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟଶିକ୍ଷା କଣ୍ଟାଲପଡ଼ାଠାରେ ସମ୍ପନ୍ନ ହୋଇଥିଲା । ପରେ ସେ ପିତାଙ୍କ କାର୍ଯ୍ୟକ୍ଷେତ୍ର ମେଦିନୀପୁରଠାରେ ରହି ଶିକ୍ଷା ଲାଭ କରିଥିଲେ । ପରବର୍ତ୍ତୀ କାଳରେ ତାଙ୍କର ଉଚ୍ଚଶିକ୍ଷା ହୁଗୁଳୀ କଲେଜ ଓ ପ୍ରେସିଡେନ୍‌ସୀ କଲେଜରେ ସମ୍ପନ୍ନ ହୋଇଥିଲା ।

 

ବଙ୍କିମଚନ୍ଦ୍ର ପିଲାଟି ଦିନରୁ ଥିଲେ ବେଶ୍ ବୁଦ୍ଧିମାନ୍, ବିଦ୍ୟାନୁରାଗୀ, କଳାପ୍ରେମୀ ତଥା ପ୍ରତିଭାସମ୍ପନ୍ନ । ପ୍ରତ୍ୟେକ କ୍ଷେତ୍ରରେ ସେ ନିଜ ସୁଗୁଣର ପରିଚୟ ଦେଇ, ମାତ୍ର ଦୁଇମାସ ଅଧ୍ୟବସାୟ କରି, ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

 

ବାଲ୍ୟକାଳରୁ ବଙ୍କିମଚନ୍ଦ୍ର ସ୍ଵଦେଶାନୁରାଗୀ ଥିଲେ । ତେଣୁ ସେ ସରକାରୀ ଚାକିରି; ବିଶେଷତଃ ଇଂରେଜ ସରକାରଙ୍କ ଅଧୀନରେ ଚାକିରି କରିବାକୁ ଆଦୌ ଇଚ୍ଛା କରୁନଥିଲେ; କେବଳ ପିତା ଯାଦବଚନ୍ଦ୍ରଙ୍କ ଇଚ୍ଛାନୁଯାୟୀ ଖ୍ରୀ:ଅ: ୧୮୫୮ ମସିହା ଅଗଷ୍ଟ ୬ ତାରିଖରେ ଡେପୁଟି ମାଜିଷ୍ଟ୍ରେଟ୍ ପଦରେ ଯୋଗଦାନ କରିଥିଲେ । ସେ ଚାକିରି ଜୀବନରେ ନିଷ୍ଠାପର ତଥା ନ୍ୟାୟପ୍ରିୟ ଅଫିସର ରୂପେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ । ସେ ଯେଉଁଠାରେ ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତି ପାଉଥିଲେ, ସେଠାକାର ଲୋକମାନଙ୍କର ସମସ୍ତ ପ୍ରକାର ଦୁଃଖଦୁର୍ଦ୍ଦଶା ଦୂର କରିବାକୁ ଯତ୍ନବାନ୍ ହେଉଥିଲେ । ବିଶେଷତଃ ବଙ୍ଗାଳୀଜାତିର ମାନମର୍ଯ୍ୟାଦା ରକ୍ଷା କରିବା ଥିଲା ତାଙ୍କର ଗୋଟିଏ ବିଶେଷ ଗୁଣ ।

 

ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଇଂରେଜ ଉଚ୍ଚାଧିକାରୀମାନଙ୍କର ବିଶେଷ ପ୍ରିୟପାତ୍ର ହେବା ସଙ୍ଗେ ସଙ୍ଗେ ବହୁ ନୀଚମନା ଇଂରେଜଙ୍କୁ ସମୁଚିତ ଶିକ୍ଷା ଦେଇଥିଲେ । ସେ ତାଙ୍କର ଚାକିରି ଜୀବନ ଯଶୋହର, ଖୁଲନା, ଆଲିପୁର, ମୁର୍ଶିଦାବାଦ, ବାରାସତ୍, ହୁଗୁଳୀ, ହାଓଡ଼ା, କଲିକତା, ମେଦିନୀପୁର ତଥା ଓଡ଼ିଶାର ଯାଜପୁର ଓ ଭଦ୍ରକ ପ୍ରଭୃତି ସ୍ଥାନରେ କଟାଇଥିଲେ ।

 

ବଙ୍କିମଚନ୍ଦ୍ର ମାତ୍ର ଏଗାରବର୍ଷ ବୟସରେ ବିବାହ କରିଥିଲେ । ଯଶୋହରରେ ମାଜିଷ୍ଟ୍ରେଟ୍ ଥିବା ସମୟରେ ଖ୍ରୀଷ୍ଟାବ୍ଦ ୧୮୫୯ରେ ତାଙ୍କର ପତ୍ନୀବିୟୋଗ ଘଟିଥିଲା । ତତ୍‍ପରେ ସେ ଆଉଥରେ ବିବାହ କରିବା ଲାଗି ରାଜି ହୋଇ ନ ଥିଲେ । କିନ୍ତୁ ପରିବାର ତଥା ମିତ୍ରମଣ୍ଡଳୀର ଅନୁରୋଧକ୍ରମେ ସେ ୧୮୬୦ ମସିହା ଜୁନ୍ ମାସରେ ହାଲି ସହରର ବିଖ୍ୟାତ ଚୌଧୁରୀବଂଶର କନ୍ୟା ରାଜଲକ୍ଷ୍ମୀଙ୍କୁ ବିବାହ କରିଥିଲେ । ରାଜଲକ୍ଷ୍ମୀ ଦେବୀ ଥିଲେ ପତିପରାୟଣା, ସୁଗୁଣସମ୍ପନ୍ନା ନାରୀ । ସେ ସର୍ବଦା ସ୍ଵାମୀଙ୍କୁ ଖୁସି କରାଇବା ଲାଗି ଯତ୍ନଶୀଳା ଥିଲେ । ସହଧର୍ମିଣୀ ରାଜଲକ୍ଷ୍ମୀଙ୍କ ସମ୍ବନ୍ଧରେ ବଙ୍କିମଚନ୍ଦ୍ର ଲେଖିଛନ୍ତି–‘‘ମୋ ଜୀବନ ସର୍ବଦା ସଂଗ୍ରାମମୟ । ମୋର କର୍ମକ୍ଳାନ୍ତ ଜୀବନରେ ଜଣକର ଅବଦାନ ପ୍ରକୃତରେ ଅବିସ୍ମରଣୀୟ । ବାସ୍ତବରେ, ସେ ମୋ ଜୀବନ ସହିତ ଯୋଡ଼ିହୋଇ ନଥିଲେ, ମୋର ଜୀବନଧାରା କେଉଁଆଡ଼କୁ ପ୍ରବାହିତ ହୋଇଥାଆନ୍ତା, ତାହା କହିହେବ ନାହିଁ ।’’

 

(ବଙ୍କିମ ରଚନାବଳୀ, ପ୍ରଥମଖଣ୍ଡ ଭୂମିକା)

 

ବାଲ୍ୟକାଳରୁ ବଙ୍ଗଳା ଭାଷା ଓ ସାହିତ୍ୟ ପ୍ରତି ତାଙ୍କ ମନରେ ପ୍ରଗାଢ଼ ଅନୁରାଗ ଥିଲା । ସେ ପ୍ରାୟ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ବିଶେଷତଃ ଖ୍ରୀ:ଅ: ୧୮୫୩ ରୁ ୧୮୫୬ ମଧ୍ୟରେ ସେ ଈଶ୍ଵରଚନ୍ଦ୍ର ଗୁପ୍ତଙ୍କ ଦ୍ଵାରା ସମ୍ପାଦିତ ‘ସମ୍ବାଦ ପ୍ରଭାକର’ ଓ ‘ସମ୍ବାଦ ସାଧୁରଞ୍ଜନ’ରେ ଅନେକଗୁଡ଼ିଏ ଗଦ୍ୟ ତଥା ପଦ୍ୟାତ୍ମକ ରଚନା ପ୍ରକାଶ କରି, ବଙ୍ଗୀୟ ପାଠକପାଠିକାଙ୍କ ମହଲରେ ବେଶ୍ ସୁପରିଚିତ ହୋଇପାରିଥିଲେ ।

 

ସେ କିଛି ଦିନ ଧରି ଇଂରେଜୀ ଭାଷାରେ ଲେଖାଲେଖି ଆରମ୍ଭ କରିଥିଲେ । ଖ୍ରୀ: ଅ: ୧୮୬୮ ରେ କିଶୋରୀକିଙ୍କର ମିତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ‘ଇଣ୍ଡିଆନ୍ ଫିଲଡ୍‍’ ଶୀର୍ଷକ ପତ୍ରିକାରେ ସେ ‘ରାଜମୋହନସ୍ ୱାଇଫ୍’ ନାମକ ଖଣ୍ଡିଏ ଇଂରେଜୀ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶ କରିଥିଲେ । କିନ୍ତୁ ମାତୃଭାଷା ପ୍ରତି ତାଙ୍କର ଅନୁରାଗ ତାଙ୍କୁ ଇଂରେଜୀ ରଚନାରୁ ବଙ୍ଗଳା ରଚନା ଆଡ଼କୁ ଆକର୍ଷିତ କରିଥିଲା । ବିଶେଷତଃ ତତ୍କାଳୀନ ପରିସ୍ଥିତିରେ, ସ୍ଵଦେଶ–ଭାଷାରେ ଲେଖି, ନିଜ ମାତୃଭୂମି ତଥା ମାତୃଭାଷା ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ମନେମନେ ଦୃଢ଼ ନିଶ୍ଚୟ କରିଥିଲେ ।

 

ବଙ୍କିମଚନ୍ଦ୍ର ସେହି ଆକାଙ୍‍କ୍ଷାର ପୂରଣ ଲାଗି ‘ବଙ୍ଗଦର୍ଶନ’ ଶୀର୍ଷକ ଖଣ୍ଡିଏ ଆଲୋଚନାମୂଳକ ଉଚ୍ଚକୋଟୀର ବଙ୍ଗଳା ପତ୍ରିକା ପ୍ରକାଶ କରି ବହୁ ତରୁଣ ଲେଖକଙ୍କୁ ବିଭିନ୍ନ ବିଷୟରେ ଲେଖିବା ପାଇଁ ପ୍ରେରଣା ଦେଇଥିଲେ । ତାଙ୍କରି ପ୍ରେରଣାରେ ଆଇ: ସି: ଏସ୍: ରମେଶଚନ୍ଦ୍ର ଦତ୍ତ, ପ୍ରଖ୍ୟାତ ଗବେଷକ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ପ୍ରଭୃତି ବିଦ୍ଵାନ୍ ଅନୁପ୍ରାଣିତ ହୋଇ ବଙ୍ଗଳାରେ ଲେଖିବା ଆରମ୍ଭ କରିଥିଲେ । ‘ବଙ୍ଗଦର୍ଶନ’ର ଆବିର୍ଭାବ ବଙ୍ଗଳା ସାହିତ୍ୟ ପକ୍ଷରେ ପ୍ରାତଃକାଳୀନ ସୂର୍ଯ୍ୟୋଦୟର ସୂଚନା ଦେଇଥିଲା । ବଙ୍କିମଚନ୍ଦ୍ର ସେହି ପତ୍ରିକା ମାଧ୍ୟମରେ କଳା, ବିଜ୍ଞାନ, ଇତିହାସ, ପ୍ରତ୍ନତତ୍ତ୍ଵ ତଥା ସମାଜର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରୁଥିଲେ ।

 

ବଙ୍ଗଳା ଉପନ୍ୟାସ ରଚନାରେ ପ୍ରବୃତ୍ତ ହୋଇ ବଙ୍କିମଚନ୍ଦ୍ର ୧୮୬୫ ମସିହା ମାର୍ଚ୍ଚ ମାସରେ ‘ଦୁର୍ଗେଶ ନନ୍ଦିନୀ’ ଶୀର୍ଷକ ଖଣ୍ଡିଏ ଉପନ୍ୟାସ ଐତିହାସିକ ଭିତ୍ତିଭୂମି ଉପରେ ପ୍ରକାଶ କରିଥିଲେ । ସେହି ପୁସ୍ତକଟି ହେଉଛି ତାଙ୍କର ପ୍ରଥମ ଉପନ୍ୟାସ । ‘ଦୁର୍ଗେଶ ନନ୍ଦିନୀ’ ପୁସ୍ତକଟି ଏତେ ଲୋକପ୍ରିୟ ହୋଇଥିଲା ଯେ, ବଙ୍କିମବାବୁଙ୍କ ଜୀବିତାବସ୍ଥାରେ ଉପନ୍ୟାସଟିର ତେରଟି ସଂସ୍କରଣ ପ୍ରକାଶ ପାଇଥିଲା । ସେହି ପୁସ୍ତକର ଲୋକପ୍ରିୟତାରେ ଉଦ୍‌ବୁଦ୍ଧ ହୋଇ ବଙ୍କିମଚନ୍ଦ୍ର ଯଥାକ୍ରମେ କପାଳକୁଣ୍ଡଳା (୧୮୬୬), ମୃଣାଳିନୀ (୧୮୬୯),ବିଷବୃକ୍ଷ (୧୮୭୩), ଇନ୍ଦିରା (୧୮୭୩), ଯୁଗଲାଙ୍ଗୁରୀୟ (୧୮୭୪), ଚନ୍ଦ୍ରଶେଖର (୧୮୭୫), ରଜନୀ (୧୮୭୭), କୃଷ୍ଣକାନ୍ତେର୍ ଉଇଲ (୧୮୭୮), ରାଧାରାଣୀ (୧୮୮୧) ପ୍ରମୁଖ ଦଶଖଣ୍ଡି ଉପନ୍ୟାସ ରଚନା କରିବା ପରେ, ‘ରାଜସିଂହ’ ରଚନାରେ ମନ ବଳାଇଥିଲେ । ତେଣୁ ‘ରାଜସିଂହ’ ହେଉଛି ବଙ୍କିମଚନ୍ଦ୍ରଙ୍କର ଏକାଦଶତମ ଉପନ୍ୟାସ । ପ୍ରଥମେ ସେ ‘ରାଜସିଂହ’କୁ ‘ବଙ୍ଗଦର୍ଶନ’ରେ ଧାରାବାହିକ ଭାବରେ ପ୍ରକାଶ କରିଥିଲେ ଏବଂ ତାହା ଖ୍ରୀଷ୍ଟାବ୍ଦ ୧୮୮୨ରେ ଖଣ୍ଡିଏ ଛୋଟ ଉପନ୍ୟାସ ରୂପେ ପ୍ରକାଶ ପାଇଥିଲା । ପ୍ରଥମ ସଂସ୍କରଣରେ ‘ରାଜସିଂହ’ ମାତ୍ର ୮୩ ପୃଷ୍ଠାରେ ସୀମିତ ଥିଲା । ଦ୍ଵିତୀୟ ସଂସ୍କରଣରେ ତାହା ୯୦ ପୃଷ୍ଠାରେ ମଣ୍ଡିତ ହୋଇ ପ୍ରକାଶ ପାଇଲା । କିନ୍ତୁ ୧୮୯୩ ମସିହାରେ ‘ରାଜସିଂହ’ର ଚତୁର୍ଥ ସଂସ୍କରଣ ପ୍ରକାଶିତ ହେଲା । ସେହି ସଂସ୍କରଣରେ ଉପନ୍ୟାସଟିର ପୃଷ୍ଠାସଂଖ୍ୟା ୯୦ ରୁ ୪୩୪ କୁ ବୁଦ୍ଧି ପାଇଲା । ଔପନ୍ୟାସିକ ‘ରାଜସିଂହ’ ପୁସ୍ତକଟିକୁ ଐତିହାସିକ ତଥ୍ୟସମ୍ବଳିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ସଂସ୍କରଣରେ ପରିବର୍ତ୍ତନ ଓ ପରିବର୍ଦ୍ଧନ କରିଥିଲେ । ‘ରାଜସିଂହ’ ସମ୍ବନ୍ଧରେ ମତ ଦେବାକୁ ଯାଇ ସେ ଲେଖିଛନ୍ତି–

 

“ଐତିହାସିକ ଘଟଣାଗୁଡ଼ିକ ମଧ୍ୟରେ କେଉଁଟି ପ୍ରାମାଣିକ ଓ କେଉଁଟି କପୋଳକଳ୍ପିତ ତାହାର ବିଚାର ମୁଁ ଏଠାରେ କରିନାହିଁ । * * * ମୋର ବିଶେଷ ବକ୍ତବ୍ୟ ହେଉଛି–ମୁଁ ପୂର୍ବରୁ କେବେହେଲେ ଐତିହାସିକ ଉପନ୍ୟାସ ଲେଖିନାହିଁ । ଦୁର୍ଗେଶ ନନ୍ଦିନୀ, ଚନ୍ଦ୍ରଶେଖର, ସୀତାରାମ ଓ ଆନନ୍ଦମଠ ପ୍ରଭୃତି କେଇଖଣ୍ଡି ପୁସ୍ତକକୁ ଐତିହାସିକ ଉପନ୍ୟାସ ବୋଲି କୁହାଯାଇ ନ ପାରେ । ଏହା ହେଉଛି–ମୋର ପ୍ରଥମ ଐତିହାସିକ ଉପନ୍ୟାସ । ଐତିହାସିକ–ଉପନ୍ୟାସ ରଚନାରେ କୌଣସି ଔପନ୍ୟାସିକ ପୂର୍ଣ୍ଣତଃ ସଫଳତା ଅର୍ଜନ କରିପାରିନାହାନ୍ତି ଏବଂ ମୁଁ ମଧ୍ୟ ସେହିପରି ଏ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛି ବୋଲି କହିବା ସମୀଚୀନ ହେବ ନାହିଁ । ’’

 

(ବଙ୍କିମ ରଚନାବଳୀ, ପ୍ରଥମଖଣ୍ଡ, ଭୂମିକା)

 

‘ରାଜସିଂହ’ ଉପନ୍ୟାସର ରଚନା ପରେ ପରେ ସୀତାରାମ, ଆନନ୍ଦମଠ ଓ ଦେବୀ ଚୌଧୁରାଣୀ ଶୀର୍ଷକ ତିନିଖଣ୍ଡି ଉପନ୍ୟାସ ପ୍ରକାଶ କରିଥିଲେ । ବିଶେଷତଃ ସେ ଓଡ଼ିଶାର ଯାଜପୁରଠାରେ ମାଜିଷ୍ଟ୍ରେଟ୍ ଥିବା ସମୟରେ ‘ଦେବୀ ଚୌଧୁରାଣୀ’ ଉପନ୍ୟାସ ରଚନାରେ ମନୋନିବେଶ କରିଥିଲେ । ଏ ସମ୍ବନ୍ଧରେ ‘ବଙ୍କିମ ରଚନାବଳୀ’ର ଭୂମିକାରୁ ଜଣାଯାଏ–‘‘ବଙ୍କିମଚନ୍ଦ୍ର ୧୮୮୨ ଅଗଷ୍ଟ ମାସରେ ଯାଜପୁରକୁ ବଦଳି ହୋଇ ଯାଇଥିଲେ । * * * ସେ ଯାଜପୁର (କଟକ) ଠାରେ ‘ଦେବୀ ଚୌଧୁରାଣୀ’ ରଚନା ଆରମ୍ଭ କରିଥିଲେ ।

 

(ବଙ୍କିମ ରଚନାବଳୀ, ପ୍ରଥମଖଣ୍ଡର ଭୂମିକା)

 

ବଙ୍କିମଚନ୍ଦ୍ର କେବଳ ଉପନ୍ୟାସ ରଚନାରେ ସୁଖ୍ୟାତି ଅର୍ଜନ କରିଥିଲେ ତା’ ନୁହେଁ; ସେ ମଧ୍ୟ ଆହୁରି କେତେଖଣ୍ଡି ରମ୍ୟରଚନା ଓ ଆଲୋଚନାତ୍ମକ ପୁସ୍ତକ ରଚନା କରିଥିଲେ । ତାଙ୍କ ରଚିତ ‘ଶ୍ରୀକୃଷ୍ଣଚରିତ’ ଖଣ୍ଡିଏ ବହୁଚର୍ଚ୍ଚିତ ଧର୍ମସମ୍ବନ୍ଧୀୟ ଆଲୋଚନାତ୍ମକ ପୁସ୍ତକ । ଭାରତୀୟ ଜାତୀୟତାକୁ ଆଖି ଆଗରେ ରଖି, ତା’ର ମହତ୍ତ୍ଵ ପ୍ରତିପାଦନ ଲାଗି ସେ ଅନେକଗୁଡ଼ିଏ ରଚନା ବିଭିନ୍ନ ଅବସରରେ ପ୍ରଣୟନ କରିଥିଲେ । ବିଶେଷତଃ ରୂଢ଼ିବାଦୀ ଇଂରେଜମାନଙ୍କର ହିନ୍ଦୁଧର୍ମ ପ୍ରତି ଉପାହାସାତ୍ମକ ଉକ୍ତିର ତୀବ୍ର ପ୍ରତିବାଦ କରି ସେ ବହୁ ପ୍ରବନ୍ଧ ରଚନା କରିଥିଲେ ।

 

ଦେଶମାତୃକାର ମହାନ୍ ସନ୍ତାନ ଋଷିପ୍ରତିମ ବଙ୍କିମଚନ୍ଦ୍ର ଜୀବନଯାତ୍ରାରେ ସର୍ବତ୍ର ଜୟଯୁକ୍ତ ହୋଇ, ୧୮୯୪ ମସିହା ଏପ୍ରିଲ୍ ୮ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

 

ବଙ୍କିମଚନ୍ଦ୍ରଙ୍କ ରଚିତ ସମସ୍ତ ଉପନ୍ୟାସ ପାଠକରିବା ପରେ, ‘ରାଜସିଂହ’ର ଐତିହାସିକ ତଥ୍ୟ ମୋତେ ପ୍ରଲୁବ୍‍ଧ କରିଥିଲା । ପ୍ରକୃତରେ ‘ରାଜସିଂହ’ ଉପନ୍ୟାସରେ ଦେଶମାତୃକାର ପ୍ରୀତି, ଜାତୀୟ ଗୌରବର ମର୍ଯ୍ୟାଦା, ଭାରତୀୟ ବୀରମାନଙ୍କର ଅଦମ୍ୟ ସାହସ ଏବଂ ସର୍ବୋପରି ରାଜପୁତ୍ ବୀରତ୍ଵର ଅମରଗାଥା ବଙ୍କିମଚନ୍ଦ୍ରଙ୍କ ଲେଖନୀରେ ସଜୀବ ହୋଇଉଠିଛି । ପ୍ରାଚୀନ ଓ ମଧ୍ୟଯୁଗୀୟ ଇତିହାସ ପ୍ରତି ମୋ ମନରେ ବିଶେଷ ଆଗ୍ରହ ଥିବାରୁ ମୁଁ ‘ରାଜସିଂହ’ ଉପନ୍ୟାସଟିକୁ ଅନୁବାଦ କରିବାରେ ଆଗ୍ରହୀ ହେଲି ।

 

ମୁଁ ମୋ’ ଅନୁବାଦରେ ‘ରାଜସିଂହ’ ପୁସ୍ତକରେ ଥିବା କେତେକ ପ୍ରାଚୀନ ଶୈଳୀକୁ ପରିବର୍ତ୍ତନ କରି ତା’ ସ୍ଥାନରେ ନୂତନ ପଦ୍ଧତିର ଅନୁସରଣ କରିଛି ଏବଂ ବହୁସ୍ଥଳରେ ଔପନ୍ୟାସିକଙ୍କ ସ୍ଵଗତୋକ୍ତିକୁ ଅନୁବାଦରେ ଉଲ୍ଲେଖ କରିନାହିଁ ଏବଂ ମୂଳ ପୁସ୍ତକରେ ଥିବା ଅଧ୍ୟାୟଗୁଡ଼ିକୁ ଗୋଟିଏ କ୍ରମରେ ସଜାଇ ଦେଇଛି ।

 

ମୋ ଦ୍ଵାରା ଅନୁବାଦିତ ‘ବାମମାର୍ଗ’, ‘ଯଯାତି’, ‘ମଶାଣିର ଦୀପ’, ‘ବୁଢ଼ୀ ମା’ ପ୍ରଭୃତି ପୁସ୍ତକଗୁଡ଼ିକର ପ୍ରକାଶକ ‘ଗ୍ରନ୍ଥମନ୍ଦିର’ର ସୁଯୋଗ୍ୟ ସଞ୍ଚାଳକ ଶ୍ରୀଯୁକ୍ତ ଅଭିରାମ ମହାପାତ୍ରଙ୍କ ପ୍ରୋତ୍ସାହନ ମୋତେ ପ୍ରସ୍ତୁତ ଅନୁବାଦଟିକୁ ଯଥାଶୀଘ୍ର ସମାପ୍ତ କରିବାରେ ସାହାଯ୍ୟ କରିଛି । ତେଣୁ ମୁଁ ଶ୍ରୀ ଅଭିରାମବାବୁଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛି ।

 

ମୋର ବନ୍ଧୁ ଡକ୍ଟର ଭଗବାନ ପଣ୍ଡାଙ୍କ ଅନାବିଳ ଶ୍ରଦ୍ଧା ଓ ପ୍ରେରଣା ମୋତେ ବହୁ ପୁସ୍ତକ ରଚନା ତଥା ଅନୁବାଦ କରିବାରେ ଉତ୍ସାହିତ କରିଛି । ତେଣୁ ‘ରାଜସିଂହ’ର ପ୍ରକାଶନ ଅବସରରେ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ମୋର କନ୍ୟା ମନୋବିଜ୍ଞାନର ଅଧ୍ୟାପିକା ଆୟୁଷ୍ମତୀ ଜୟଶ୍ରୀ ମିଶ୍ର ମୋ’ ବହି ପଢ଼ିବା ପାଇଁ ବରାବର ଚାହିଁ ରହିଥାଏ । ବିଶେଷତଃ କେତେକ ସ୍ଥଳରେ ତା’ର ଦୃଷ୍ଟିକୋଣ ଓ ବିଚାରଧାରା ମୋ’ ଅନୁବାଦଟିକୁ ସରସ ତଥା ସାବଲୀଳ କରିବାରେ ସାହାଯ୍ୟ କରିଛି । ତେଣୁ ଆଜିର ଏହି ଅବସରରେ ସେ ମଧ୍ୟ ପ୍ରଶଂସାର ଅଧିକାରିଣୀ ।

 

ପରିଶେଷରେ, ଓଡ଼ିଶାର ସହୃଦୟ ପାଠକ–ପାଠିକା ମୋ’ ପୁସ୍ତକଗୁଡ଼ିକୁ ଆଗ୍ରହରେ ପାଠକରି ମୋତେ ପରବର୍ତ୍ତୀ ଅନୁବାଦ ଲାଗି ସମୁତ୍ସାହିତ କରିଥିବାରୁ; ମୁଁ ସେଇମାନଙ୍କ ହାତରେ ‘ରାଜସିଂହ’ର ଅନୁବାଦଟିକୁ ଟେକିଦେଉଛି । ସେମାନଙ୍କ ନିରପେକ୍ଷ ଦୃଷ୍ଟିକୋଣ ଓ ମତାମତ ହିଁ ମୋ ଅନୁବାଦର ସାର୍ଥକତା । ସେମାନେ ପ୍ରସ୍ତୁତ ଅନୁବାଦ ‘ରାଜସିଂହ’କୁ ଆଗ୍ରହରେ ପାଠକଲେ ମୋର ଶ୍ରମ ସାର୍ଥକ ହେବ ।

 

ବିନୀତ

ନୀଳମଣି ମିଶ୍ର

Image

 

ଛବିବିକାଳି ବୁଢ଼ୀ

 

ରାଜସ୍ଥାନର ପାର୍ବତ୍ୟ ଅଞ୍ଚଳ ରୂପନଗର ନାମରେ ଥିଲା ଗୋଟିଏ ଛୋଟ ରାଜ୍ୟ । ରାଜ୍ୟ ଛୋଟ ହେଉ ପଛକେ, ସେଠାରେ ଥିଲେ ଜଣେ ରାଜା । ରାଜ୍ୟର ନାଁ ଟି ଯେଡ଼େ ଲୋଭନୀୟ, ରାଜାଙ୍କର ନାମ ଥିଲା ସେତିକି ବୀରତ୍ଵବ୍ୟଞ୍ଜକ । ରୂପନଗର ରାଜାଙ୍କ ନାମ ଥିଲା–ବିକ୍ରମ ସିଂହ । ରାଜ୍ୟଟି ଯେପରି ଛୋଟ, ରାଜଧାନୀଟି ସେହିପରି କ୍ଷୁଦ୍ର ଏବଂ ରାଜଅନ୍ତଃପୁର ମଧ୍ୟ ସେହି ଅନୁପାତରେ ଛୋଟ । ସେହି କ୍ଷୁଦ୍ରପୁରୀ ମଧ୍ୟରେ ରାଜକୀୟ ପରିପାଟୀରେ ଶୋଭା ପାଉଥିଲା ଗୋଟିଏ ସୁରମ୍ୟ କକ୍ଷ । ଗାଲିଚାର ଅନୁକରଣରେ ଶ୍ଵେତକୃଷ୍ଣ–ପ୍ରସ୍ତରମଣ୍ଡିତ ନିମ୍ନ ଭାଗ; ଶ୍ଵେତପ୍ରସ୍ତରନିର୍ମିତ ତଥା ନାନା ବର୍ଣ୍ଣର ରତ୍ନରାଜିରେ ରଞ୍ଜିତ ଗୃହର ପ୍ରାଚୀର, ଠିକ୍ ତାଜମହଲ ଓ ମୟୂରସିଂହାସନର ଅନୁକରଣରେ ଗଠିତ । ସେହି ଶୈଳୀରେ ନିର୍ମିତ ଗୃହର ପ୍ରାଚୀରରେ ଅଙ୍କାଯାଇଛି କେତେ ଜାତିର ବିଚିତ୍ର ବିହଗ । ସେଗୁଡ଼ିକ ଅଦ୍ଭୁତ ଧରଣର ଲତା ଓ ଗୁଳ୍ମ ଉପରେ ବସି, ସପନ–ରାଇଜର ଅକଳ୍ପନୀୟ ଫୁଲ ଉପରେ ପୁଚ୍ଛ ରଖି, କେଉଁ କାଉଁରି ରାଇଜରେ ଫଳ ଆସ୍ଵାଦନରେ ଲାଗିଛନ୍ତି । ସମୁଦାୟ କକ୍ଷଟି ଆହୁରି ମଞ୍ଜୁଳ କରି ତୋଳିଛି ଗାଲିଚାଟିଏ । କକ୍ଷର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଘରଟି ପୂରିଉଠିଛି ଗାଲିଚାର ଶୋଭାରେ । ତା’ ଉପରେ ବସିଛନ୍ତି ଦଳେ ମନୋହାରିଣୀ ନାରୀ ।

 

ସେମାନଙ୍କ ସଂଖ୍ୟା ପ୍ରାୟ ଦଶ କି ପନ୍ଦର ହେବ । ନାନାରଙ୍ଗର ବସ୍ତ୍ର ଓ ନାନାପ୍ରକାର ଅଳଙ୍କାର ପିନ୍ଧି ଭିନ୍ନ ଭିନ୍ନ ରୂପସଜ୍ଜାର କମନୀୟ ଶରୀରଧାରିଣୀ କେଇ ଜଣ ନାରୀ ସେଠାରେ ଉପବିଷ୍ଟା । କାହା ଦେହର ବର୍ଣ୍ଣ ମଲ୍ଲୀଫୁଲପରି ଚହଟ ତୋଫା, କାହାର ପଦ୍ମଫୁଲ ପରି ଆରକ୍ତ, କାହା ଦେହର କାନ୍ତି ଚମ୍ପାଫୁଲ ପରି ଗୌର, କିଏ ସେ ଅବା ନବଦୂର୍ବାଦଳ ପରି ଶ୍ୟାମଳାଙ୍ଗୀ । ସେମାନଙ୍କ ଦେହର ମନମତାଣିଆ ରୂପ ଖନିଜ ରତ୍ନରାଶିକୁ ଉପହାସ କରୁଛି । କେହି ପାନ ଚୋବାଇବାରେ ବ୍ୟସ୍ତ, କିଏ ସେ ଅବା ରାଜକୀୟ ହୁକ୍‌କାରେ ତମାଖୁ ଟାଣିବାରେ ଲାଗିଛି, ଆଉ କିଏ ସେ ଅବା ନାକରେ ଝୁଲୁଥିବା ମୋତିଲଗା ଫାଳିଆ ନଥ ପଟଟିକୁ ଦୋହଲାଇ ଭୀମସିଂହ ଓ ପଦ୍ମିନୀ ରାଣୀଙ୍କ ଉପାଖ୍ୟାନ କହିଚାଲିଛି ଓ ଅନ୍ୟ କେହି ଜଣେ ହୀରାପଥର–ବସା କାନଫୁଲ ଦୁଇଟିକୁ ହଲାଇ ଦୋହଲାଇ ପରନିନ୍ଦାରେ ମଜଲିସ୍‌କୁ ସର୍‌ଗରମ୍ କରି ଦେଉଛି । ଅଧିକାଂଶ ନବଯୁବତୀ; ହାସ–ପରିହାସର ଫୁଆରା ଛୁଟିଛି; ତେଣୁ ବେଶ୍ ରଙ୍ଗରସ ଜମିଉଠିଛି ।

 

ଯୁବତୀମାନଙ୍କର ହସିବାର କାରଣ ହେଉଛି–ଗୋଟିଏ ବୁଢ଼ୀ ଫଟୋ ବିକ୍ରି କରିବାକୁ ଆସି ସେମାନଙ୍କ ହାବୁଡ଼ରେ ପଡ଼ିଥିଲା । ଗଜଦନ୍ତ ଫଳକ ଉପରେ ଅଙ୍କିତ ଛୋଟ ଛୋଟ ଅଥଚ ଅପୂର୍ବ ଚିତ୍ରଗୁଡ଼ିକ ବୁଢ଼ୀ ଲୁଗାକାନି ଉହାଡ଼ରୁ ଗୋଟି ଗୋଟି କରି ବାହାର କରୁଥିଲା ଏବଂ ଯୁବତୀମାନେ ସେଗୁଡ଼ିକର ପରିଚୟ ପଚାରି ବୁଝୁଥିଲେ । ବୁଢ଼ୀ ପ୍ରଥମେ ଗୋଟିଏ ଚିତ୍ର ବାହାର କରନ୍ତେ, ପଚାରିଲା ଜଣେ–“ଆଈ ! ଏ କାହାର ଛବି ?”

 

“ଏ ପରା ଶାହାଜାହାନ୍ ବାଦଶାହଙ୍କ ଛବି !” ଉତ୍ତର ଦେଲା ବୃଦ୍ଧା ।

 

ଯୁବତୀଟି ଟିକିଏ ଫାଜିଲାମି ମିଶା ସ୍ଵରରେ କହିଲା–‘‘ଦୂର୍ ବୁଢ଼ୀ ! ମୁଁ ଠିକ୍ ଚିହିଁଛି ଏ’ ଦାଢ଼ିକୁ ! ଏ ପରା ମୋ’ ବୁଢ଼ାବାପାଙ୍କ ଦାଢ଼ୀ !”

 

ଆଉ ଜଣେ ଖିଲ୍ ଖିଲ୍ କରି ହସର ଫୁଆରା ଛୁଟାଇ କହିଲା–‘‘ମଲା ମର, କିଲୋ–ଜେଜେବାପାଙ୍କ ନାଁ କହି ବାଆଁରେଇ ଦେଉଛୁ କାହିଁକି ମ... ! ସେ ପରା ତୋ’ ବରର ତସ୍‌ବିର୍ !” ସେହି ରସିକା ଯୁବତୀଟି ଅନ୍ୟମାନଙ୍କ ଆଡ଼କୁ ଚାହିଁ, ଆଖିମିଟିକା ମାରି ପୁଣି କହିଲା–“ଆଲୋ ଜାଣିଛ, ଦିନେ ଏ’ ଦାଢ଼ି ଭିତରେ ଗୋଟିଏ ବିଛା ଲୁଚିଥିଲା; ଆମ ସଙ୍ଗାତ ଝାଡ଼ୁ ମାରି ମାରି ସେ ବିଛାଟାକୁ ବାହାରକଲା !”

 

ଏ କଥା ଶୁଣିବାମାତ୍ରେ ପୁଣି ହସର ରୋଳ ଛୁଟିଲା । ବିଚାରୀ ଛବିବିକାଳି ବୁଢ଼ୀ ଲୁଗାକାନିରୁ ଆଉ ଖଣ୍ଡିଏ ଫଟୋ ବାହାର କରି ସମସ୍ତଙ୍କ ଆଡ଼କୁ ବଲ୍ ବଲ୍ କରି ଚାହିଁ କହିଲା–“ଏଇଟି ଜାହାଙ୍ଗୀର ବାଦଶାହଙ୍କ ଛବି !”

 

“ୟା’ ଦାମ୍ କେତେ ?”

 

ଛବିପ୍ରତି ଆଗ୍ରହ ଥିବାର ଲକ୍ଷ୍ୟ କରି ବୁଢ଼ୀ ଆକାଶଛୁଆଁ ଦାମ୍ ହାଙ୍କିବାକୁ ଲାଗିଲା । ତହୁଁ ଆଉ ଜଣେ ଦରହସୀ ଯୁବତୀ କହିଲା–‘‘ଏ ତ ଗଲା ଛବିର ମୂଲ । ଆଚ୍ଛା କହିଲ–ଅସଲ ଲୋକଟାକୁ ନୂରଜାହାନ୍ କେତେ ଦାମ୍ ଦେଇ କିଣିଥିଲା ?”

 

ଏଥର ବୁଢ଼ୀ ମଧ୍ୟ ଟିକିଏ ରସିକତା ପ୍ରକାଶ କରି କହିଲା–‘‘ବିନା ମୂଲ୍ୟରେ ।’’

 

ରସିକା ଯୁବତୀଟି ଆହୁରି ଟିକିଏ ପରିହାସ କରି କହିଲା–‘‘ଯଦି ଅସଲ ଲୋକଟାର ଦଶା ଏଇଆ, ତେବେ ନକଲି ଛବି ଲାଗି ଘରୁ କିଛି ପଇସା–କଉଡ଼ି ଦେଇ ଆମ ହାତରେ ଦେଇଯାଅ ।”

 

ଏ କଥା ଶୁଣିବାମାତ୍ରେ ପୁଣି ଗୋଟିଏ ହସର ସୁଅ ଛୁଟିଲା । ବୁଢ଼ୀ ବିଚାରୀ ମନେମନେ ବିରକ୍ତ ହୋଇ ଛବିଗୁଡ଼ିକ ଲୁଗାକାନିରେ ଲୁଚାଇ ଧରି କହିଲା–‘‘ଖାଲି ହସିଦେଲେ ଛବି କିଣା ହୁଏନାହିଁ । ରାଜଜେମା ଆସନ୍ତୁ, ମୁଁ ମୋର ଛବିତକ ଦେଖାଇବି । ମୁଁ କେବଳ ତାଙ୍କରି ପାଇଁ ଏଗୁଡ଼ିକ ଆଣିଛି ।”

 

ତାହା ଶୁଣି ସାତ ଆଠ ଜଣ ଯୁବତୀ ସମସ୍ଵରରେ କହିଉଠିଲେ–‘‘ଏ...ଆଈବୁଢ଼ୀ ! ମୁଁ ରାଜକୁମାରୀ, ମୁଁ ରାଜକୁମାରୀ... ।’’

 

ବୁଢ଼ୀ ବିଚାରୀ ଆବାକାବା ହୋଇ ଚାରିଆଡ଼କୁ ଚାହିଁରହିଲା । ବୁଢ଼ୀର ନିରୂପାୟ ଅବସ୍ଥା ଦେଖି ପୁଣି ସମସ୍ତେ ଠୋ’ ଠୋ’ ହୋଇ ହସିଉଠିଲେ । ହଠାତ୍ ହାସ୍ୟରୋଳ ଧିମେଇଗଲା; ହୋ–ହୋ ଗଣ୍ଡଗୋଳ ମଧ୍ୟ ଥଣ୍ଡାପଡ଼ିଲା । କେବଳ ପରସ୍ପରକୁ ଚାହାଁଚାହିଁ, ଠରାଠରି ହୋଇ, ବର୍ଷା କମିଯିବା ପରେ ବିଜୁଳି ଯେପରି ଥରେ ଥରେ ଚମକିଉଠେ, ଠିକ୍ ସେହିପରି ମଝିରେ ମଝିରେ ଯୁବତୀମାନଙ୍କ ଓଠଫାଙ୍କରେ ମୃଦୁ ହାସ୍ୟରେଖା ଝଲସିଉଠିଲା । ଛବିବିକାଳି ବୁଢ଼ୀ ବିଚାରୀ ଏହାର କାରଣ ଜାଣିବାଲାଗି ପଛଆଡ଼କୁ ଫେରି ଚାହିଁ ଦେଖିଲା, କିଏ ଯେପରି ତା’ ପଛରେ ଗୋଟିଏ ଦେବୀପ୍ରତିମା ଛିଡ଼ା କରାଇ ଦେଇଛି । ବୃଦ୍ଧା ନିର୍ନିମେଷ ନେତ୍ରରେ ସେହି ଅପୂର୍ବ ଶୋଭାମୟୀ ଶ୍ଵେତମର୍ମର–ନିର୍ମିତ ପ୍ରତିମା ପରି ନାରୀମୂର୍ତ୍ତି ଆଡ଼କୁ ଚାହିଁ ମନେ ମନେ ତାକୁ ନିର୍ଜୀବ ମୂର୍ତ୍ତି ବୋଲି ଭାବି ଅସ୍ଫୁଟ ସ୍ଵରରେ କହିଲା–‘‘ଆଃ...କି ସୁନ୍ଦର !”

 

ବୟସ-ଦୋଷରୁ ବୁଢ଼ୀର ଆଖିକୁ ଭଲଭାବରେ ଦେଖାଯାଉ ନ ଥିଲା; ନଇଲେ ପ୍ରସ୍ତର-ନିର୍ମିତ ପ୍ରତିମାର ରଙ୍ଗ ଏତେ ସଜୀବ ହୋଇ ପାରେନା ବୋଲି ସେ ନିଶ୍ଚୟ ଜାଣି ପାରିଥା’ନ୍ତା । କୋମଳ ପଲ୍ଲବ ତ ଦୂରର କଥା, ପୁଷ୍ପଗୁଚ୍ଛରେ ମଧ୍ୟ ଏପରି ଚାରୁତା ସମ୍ଭବ ନୁହେ ? ବୃଦ୍ଧା ଆହୁରି ନିରୀକ୍ଷଣ କରି ଦେଖିଲା– ମୃଦୁହାସରେ ପ୍ରତିମାଟିର ମୁଖମଣ୍ଡଳ ଝଲସି ଉଠୁଛି । ‘ପଥର ପିତୁଳା କ’ଣ ହସିପାରେ ! ତା’ହେଲେ କ’ଣ ସତରେ ଏ’ ପ୍ରତିମା ନୁହେ ।’ –ଏପରି କେତେ କ’ଣ ବୁଢ଼ୀଟି ମନେ ମନେ ଭାବିବାରେ ଲାଗିଲା–‘ଏଇ, ଆୟତ ନୟନଯୁଗଳ ମୋ’ରି ଆଡ଼କୁ ଚାହିଁ ହସୁଛି ତ !’

 

ବୁଢ଼ୀ ଅବାକ୍ ହୋଇ ସେହି ମୁଖମଣ୍ଡଳ ଆଡ଼ ଚାହିଁ, ମନ ମଧ୍ୟରେ ବିଚାରଧାରାର କୁଳକିନାରା କିଛି ପାଇପାରିଲା ନାହିଁ । ଶେଷକୁ ତା’ର ଭାବନାର ଖିଅ ଛିଡ଼ିଗଲା । ସେ ବ୍ୟାକୁଳ ହୋଇ ସେହି ରସିକା ଯୁବତୀମାନଙ୍କ ଆଡ଼କୁ ଅନୁନୟପୂର୍ଣ୍ଣ ଚାହାଣିରେ ଅନାଇ କହିଲା–‘‘ଏ...ମା’ମାନେ କୁହ ଭଲା... ।’’

 

ବୁଢ଼ୀର ବିକଳ ଦେଖି ସେହି ଯୁବତୀମାନଙ୍କ ମଧ୍ୟରୁ ଜଣେ କୌଣସିମତେ ନିଜର ହସ ରୋକିପାରିଲା ନାହିଁ, ହାସ୍ୟରସର ଉତ୍ସ ଉଛୁଳି ଉଠିଲା; ତେଣୁ ଆପଣାଛାଏଁ ହସର ଫୁଆରା ତା’ ମୁଖମଣ୍ଡଳରୁ ଅବାରିତ ଗତିରେ ଛୁଟିବାରେ ଲାଗିଲା । ସେ ହସି ହସି ସେଇଠି ଭୂଇଁରେ ଲୋଟିଗଲା । ଯୁବତୀମାନଙ୍କର ଏ ପ୍ରକାର ଅସହ୍ୟ ପରିହାସ ଲକ୍ଷ୍ୟ କରି ବୁଢ଼ୀ ଆଉ ସମ୍ଭାଳି ନପାରି ବିସ୍ମିତ ହୋଇ କାନ୍ଦିପକାଇଲା ।

 

ବୃଦ୍ଧାର କ୍ରନ୍ଦନ ଦେଖି ଏଥର ପ୍ରତିମାଟି କହିଲା–‘‘ଆଈ । କାନ୍ଦୁଛ କାହିଁକି ?”

 

ଏଥର ବୁଢ଼ୀ ଠିକ୍ ବୁଝିପାରିଲା–

 

ତା’ର ଧାରଣା ଭୁଲ୍, ସେ ପ୍ରତିମାଟି ପୂତ୍ତଳିକା ନୁହେଁ; ପ୍ରକୃତରେ ଦେହଧାରିଣୀ, ରାଜକୁମାରୀ କିମ୍ବା ରାଜମହିଷୀ । ତହୁଁ ବୃଦ୍ଧା ସଙ୍ଗେ ସଙ୍ଗେ ସାଷ୍ଟାଙ୍ଗ ପ୍ରଣିପାତ କଲା । ପ୍ରକୃତରେ ଏ ପ୍ରଣିପାତ ରାଜପରିବାରକୁ ନୁହେଁ; ବରଂ ଅପରୂପ ସୌନ୍ଦର୍ଯ୍ୟ ଉଦ୍ଦେଶ୍ୟରେ ଏହା ଶ୍ରଦ୍ଧାର ନିବେଦନ । ଏଭଳି ଦେବୀପ୍ରତିମା ଆଗରେ ମୁଣ୍ଡ ଆପେ ଆପେ ଅବନତ ହୋଇଯାଏ ।

Image

 

ଚିତ୍ରର ନାକ ଫାଟିଲା

 

ଛବିବିକାଳି ବୁଢ଼ୀ ଯେଉଁ ଭୁବନମୋହିନୀ ସୁନ୍ଦରୀଙ୍କୁ ଦେଖି ସାଷ୍ଟାଙ୍ଗ ପ୍ରଣିପାତ କରିଥିଲା, ସେ ହେଉଛି–ରୂପନଗରର ରାଜଜେମା ଚଞ୍ଚଲ୍‍କୁମାରୀ । ଯେଉଁ ଯୁବତୀମାନେ ଏପର୍ଯ୍ୟନ୍ତ ବୃଦ୍ଧା ସହିତ ରଙ୍ଗରହସ୍ୟ ଲଗାଇଥିଲେ, ସେମାନେ ତା’ର ସଖୀ ଓ ପରିବାରୀ । ଚଞ୍ଚଲ୍‍କୁମାରୀ ସଖୀମାନଙ୍କ ପରିହାସ ଦେଖି ଧୀରେ ଧୀରେ ହସି ପଚାରିଲେ–‘‘ତୁମେ କିଏ ସେ-?”

 

ସଖୀମାନେ ପରିଚୟ ଦେଇ କହିଲେ–‘‘ସେ ଛବି ବିକିବାକୁ ଆସିଛି ।”

 

“ତାକୁ ଦେଖି ତୁମେମାନେ ଏତେ ହସୁଥିଲ କାହିଁକି ?”

 

ଏ ପ୍ରଶ୍ନରେ କେଇଜଣ ଅପ୍ରତିଭ ହୋଇଗଲେ, କେବଳ ଜଣେମାତ୍ର ଉତ୍ତର ଦେଇ କହିଲା–‘‘ଆମର ଦୋଷ କ’ଣ ? ସେ କେଉଁ କାଳର ବାଦଶାହମାନଙ୍କ ଛବିଗୁଡ଼ିଏ ଆଣି ଦେଖାଉଛି । ସେଇଥିପାଇଁ ଆମର ହସ । ଆମ ରାଜରାଜୁଡ଼ା ଘରେ ବାଦଶାହ ଶାହଜହାଁ, ଜାହାଙ୍ଗୀରଙ୍କର ଫଟୋ କ’ଣ ନାହିଁ ?”

 

“ଥିବ ନାହିଁ କାହିଁକି ? ଖଣ୍ଡେ ଥିଲେ କ’ଣ ଆଉ ଖଣ୍ଡେ ରଖିବାକୁ ମନା ? ଆପଣମାନେ ନେବେ ନାହିଁ ତ, ଆମେ ଗରିବ କାଙ୍ଗାଳୀ ପେଟ ପାଳିବୁ କିପରି ?”

 

ତା’ପରେ ରାଜଜେମା ସବୁତକ ଛବି ଦେଖିବାକୁ ଚାହିଁଲେ । ବୃଦ୍ଧା ଗୋଟି ଗୋଟି କରି ସବୁତକ ଫଟୋ ରାଜକୁମାରୀଙ୍କୁ ଦେଖାଇବାକୁ ଲାଗିଲା । ସେହି ଛବିଗୁଡ଼ିକ ମଧ୍ୟରେ ଥିଲା–ଆକ୍‌ବର୍ ବାଦଶାହ, ଜାହାଙ୍ଗୀର, ଶାହଜହାଁ, ନୂରଜାହାନ୍ ଆଦି ଅନେକ । ରାଜକୁମାରୀ ହସି ହସି ସବୁତକ ଫେରାଇ ଦେଇ କହିଲେ–‘‘ଏମାନେ ସମସ୍ତେ ଆମର କୁଟୁମ୍ବ । ଘରେ ଅନେକ ଛବି ରହିଛି । ହିନ୍ଦୁ ରାଜାମାନଙ୍କ ଛବି ରଖିଛ ?”

 

–‘‘ହଁ, ଅଭାବ କ’ଣ ?” ଏହା କହି ବୃଦ୍ଧା ରାଜା ମାନସିଂହ, ରାଜା ବୀରବଲ୍, ରାଜା ଜୟସିଂହ ଆଦିଙ୍କର କେତୋଟି ଛବି କୁମାରୀଙ୍କ ହାତକୁ ବଢ଼ାଇଦେଲା । କୁମାରୀ ସେଗୁଡ଼ିକୁ ଫେରାଇଦେଇ କହିଲେ–‘‘ନାଃ ଏ ଗୁଡ଼ାକ ନେବିନାହିଁ । ଏମାନେ ହିନ୍ଦୁ ରାଜା ନୁହନ୍ତି, ମୁସଲମାନଙ୍କର ପଦସେବକ ।’’

 

ବୃଦ୍ଧା ଜେମାଙ୍କ କଥାରେ ହସିଦେଇ କହିଲା–‘‘ମୋର କିଏ ଜାଣେ ମା’ ! ଚାକର କିଏ, ରାଜା କିଏ ? ଯାହା ଥିଲା ଛାମୁଙ୍କ ଆଗରେ ଦେଖାଇଦେଲି । ମନଥିଲେ ପସନ୍ଦ କରି ନିଅନ୍ତୁ ।’’

 

ବୁଢ଼ୀ ଆଉ କେଇଖଣ୍ଡି ଚିତ୍ର କୁମାରୀଙ୍କ ହାତକୁ ବଢ଼ାଇଦେଲା । ଚଞ୍ଚଲ୍‍କୁମାରୀ ସେଥିମଧ୍ୟରୁ ରାଣା ପ୍ରତାପ, ରାଣା ଅମର ସିଂହ, ରାଣା କର୍ଣ୍ଣ, ଯଶୋବନ୍ତ ସିଂହ ପ୍ରଭୃତି କେଇଖଣ୍ଡି ଚିତ୍ର କିଣିବାଲାଗି ପସନ୍ଦ କଲେ । କିନ୍ତୁ ବୃଦ୍ଧା ଖଣ୍ଡିଏ ଛବି ଅତି ଯତ୍ନରେ ଲୁଗାକାନି ଢାଙ୍କି ଲୁଚାଇବାକୁ ଚେଷ୍ଟାକଲା । ତାହା ଲକ୍ଷ୍ୟକରି ପଚାରିଲେ ରାଜଜେମା–‘‘ସେ ଖଣ୍ଡିକ ତାଙ୍କ ଲୁଚାଇଦେଉଛ କାହିଁକି ?”

 

ପ୍ରଥମେ ବୃଦ୍ଧା କ’ଣ ଉତ୍ତର ଦେବ କିଛି ସ୍ଥିର କରିପାରିଲା ନାହିଁ । ପୁଣିଥରେ ପ୍ରଶ୍ନ କରନ୍ତେ ସେ ମନେ ମନେ ଖୁବ୍ ଡରିଯାଇ ଦୁଇହାତ ଯୋଡ଼ି କହିଲା–‘‘ଅପରାଧ କ୍ଷମା ହେଉ ମଣିମା, ଭୁଲରେ ଏହା ଘଟିଯାଇଛି । ଅନ୍ୟ ଖଣ୍ଡିଏ ତସବିର ଏହା ସହିତ ଆସିଯାଇଛି ।’’

 

“ଏତେ ଡରିଯାଉଛ କାହିଁକି ? ଏପରି କାହାର ଛବି ଯେ, ଦେଖାଇବାକୁ ଭୟ କରୁଛ-?” କହିଲେ ରାଜକୁମାରୀ ।

 

“ସେ ଚିତ୍ରଟି ଦେଖି ଲାଭ ନାହିଁ ମଣିମା ! ସେ ଛାମୁଙ୍କର ଶତ୍ରୁର ଚିତ୍ର ।”

 

“ଚିତ୍ରଫଳକଟି କାହାର କହୁନାହଁ ।”

 

ବୃଦ୍ଧା ଭୟରେ ଧୀରେ ଉତ୍ତର ଦେଲା–‘‘ରାଜା ରାଜସିଂହଙ୍କ ଛବି ମଣିମା !”

 

ଚଞ୍ଚଲ୍‍କୁମାରୀ ହସି ହସି କହିଲେ–‘‘ବୀର–ପୁରୁଷ କେବେହେଲେ ନାରୀଜାତିର ଶତ୍ରୁ ନୁହେଁ । ମୁଁ ସେହି ଛବିଟି ନେବି ?”

 

ବୃଦ୍ଧା ରାଜସିଂହଙ୍କ ଛବିଟି କୁମାରୀଙ୍କ ହସ୍ତରେ ଅର୍ପଣ କରନ୍ତେ, ସେ କିଛିକ୍ଷଣ ପର୍ଯ୍ୟନ୍ତ ଅନିମେଷ ଚକ୍ଷୁରେ ଚିତ୍ରଟିକୁ ନିରୀକ୍ଷଣ କଲେ । ଧୀରେ ଧୀରେ ତାଙ୍କ ମୁଖମଣ୍ଡଳରେ ପ୍ରଫୁଲ୍ଲତାର ସତେଜ ଆଭା ଫୁଟିଉଠିଲା ଏବଂ ନୟନଯୁଗଳ ଆନନ୍ଦରେ ବିସ୍ଫାରିତ ହୋଇଗଲା । ଏହା ଲକ୍ଷ୍ୟ କରି ଜଣେ ସଖୀ ଚିତ୍ରଟିକୁ ଦେଖିବାଲାଗି ମାଗିଲା । କୁମାରୀ ସଯତ୍ନରେ ସଖୀହାତରେ ଛବିଟିକୁ ଦେଇ କହିଲେ–‘‘ଦେଖ, ପ୍ରକୃତରେ ଦେଖିବାଯୋଗ୍ୟ ଛବି ଖଣ୍ଡିଏ ।’’

 

ହାତକୁହାତ ସେ ଚିତ୍ରଫଳକଟିକୁ ସମସ୍ତେ ଦେଖିବାକୁ ଲାଗିଲେ । ରାଜସିଂହ ଅବଶ୍ୟ ଯୁବାପୁରୁଷ ନଥିଲେ; ତଥାପି ତାଙ୍କର ଚିତ୍ରଫଳକ ଦେଖି ସମସ୍ତେ ପ୍ରଶଂସା କଲେ । ବୃଦ୍ଧା ଏଇ ସୁଯୋଗରେ ଚିତ୍ରଖଣ୍ଡିକରୁ ଦୁଇଗୁଣ ଲାଭ ଉଠାଇନେଲା । ତା’ପରେ ବୃଦ୍ଧା ଅଧିକ ଲାଭ ଆଶାରେ କହିଲା–‘‘ମଣିମା, ଯଦି ବୀରମାନଙ୍କ ଛବି ଆପଣଙ୍କର ପସନ୍ଦ, ତା’ହେଲେ ଆଉ ଖଣ୍ଡିଏ ଛବି ଦେଖନ୍ତୁ । ଏହାଙ୍କ ପରି ବୀରପୁଙ୍ଗବ ଆଉ ଅଛି କିଏ ଏ ପୃଥିବୀରେ ?” ଏହା କହି ବୁଢ଼ୀ ଆଉ ଖଣ୍ଡିଏ ଚିତ୍ର କୁମାରୀଙ୍କ ହାତକୁ ବଢ଼ାଇଦେଲା । କୁମାରୀ ଛବି ଉପରେ ଟିକିଏ ଆଖି ବୁଲାଇ ନେଇ ପଚାରିଲେ–‘‘ଏ କା’ର ଚିତ୍ର ?”

 

“ବାଦଶାହ ଆଲମ୍‌ଗିର୍‍ଙ୍କର ।” ଉତ୍ତର ଦେଲା ବୃଦ୍ଧା ।

 

“ହଁ...କିଣିବି ।” ଟିକିଏ ଗମ୍ଭୀର ହୋଇ ଉତ୍ତର ଦେଇ କୁମାରୀ ।

 

ଚଞ୍ଚଲ୍‍କୁମାରୀ କିଣାଯାଇଥିବା ଚିତ୍ରଗୁଡ଼ିକର ମୂଲ୍ୟ ସଙ୍ଗେ ସଙ୍ଗେ ଦେଇ ବୃଦ୍ଧାକୁ ବିଦାୟ ଦେବା ଲାଗି ଜଣେ ପରିଚାରିକାକୁ ଆଦେଶ ଦେଲେ । ପରିଚାରିକାଟି ଚାଲିଯିବା ପରେ ସଖୀମାନଙ୍କୁ ଡାକି କହିଲେ ରାଜଜେମା–‘‘ଆସ, ଟିକିଏ ଆମୋଦ–ପ୍ରମୋଦ ହୋଇଯାଉ ।”

 

କ୍ରୀଡ଼ାସଙ୍ଗିନୀ ସଖୀମାନେ ଆଗ୍ରହରେ ପଚାରିଲେ–‘‘କି ଆମୋଦପ୍ରମୋଦ କରିବାକୁ ଇଚ୍ଛା କୁହ, ଶୀଘ୍ର କୁହ ?”

 

କୁମାରୀ ଅପେକ୍ଷାକୃତ ଟିକେ ଗମ୍ଭୀରମୁଦ୍ରା ମୁଖମଣ୍ଡଳରେ ପ୍ରକାଶ କରି କହିଲେ–“ଆଲମ୍‌ଗିର୍ ବାଦଶାହର ଛବିଟିକୁ ମୁଁ ଏଇଠାରେ ତଳେ ପକାଇଦେଉଛି; ସମସ୍ତେ ଥରେ ଥରେ ଠିକ୍ ତା’ ମୁହଁରେ ଗୋଇଠା ମାରିଲ; ଦେଖିବା, କା’ର ଗୋଇଠାରେ ତା’ ନାକଟା ଛିଡ଼ିଯିବ-।”

 

ଭୟରେ ସଖୀମାନଙ୍କ ମୁହଁ କଳାକାଠ ପାଲଟିଗଲା । ଜଣେ ସାହସ କରି କହିଲା–‘‘ଏପରି କଥା ମୁହଁରେ ଧରନାହିଁ ଜେମା ! ବାଦଶାହ କୁଆମୁହଁରୁ ଏ କଥା ଶୁଣିବାକୁ ପାଇଲେ ରୂପନଗର ଦୁର୍ଗର ଖଣ୍ଡିଏ ହେଲେ ପଥର ଖୋଜି ପାଇବା ଅସମ୍ଭବ ହୋଇ ପଡ଼ିବ ।”

 

ରାଜକୁମାରୀ କିଛି ନଶୁଣିଲା ପରି ହସିଦେଇ ଚିତ୍ରଖଣ୍ଡିକ ତଳେ ପକାଇଦେଲେ; କହିଲେ–‘‘ମାର, କିଏ ନାତ ମାରିପାରିବ ମାର ।”

 

କେହି ଜଣେ ହେଲେ ଭରସିକରି ଆଗକୁ ଗୋଡ଼ କାଢ଼ିଲେ ନାହିଁ । କେବଳ ନିର୍ମଳକୁମାରୀ ନାମକ ଜଣେ ସମବୟସୀ ସଖୀ ରାଜକୁମାରୀଙ୍କ ମୁହଁ ଚାପିଧରି ଗମ୍ଭୀର ହୋଇ କହିଲା–‘‘ଛି...ଏପରି କଥା ମୁହଁରେ ଧରନ୍ତିନି... ।” ଚଞ୍ଚଲ୍‍କୁମାରୀ ସେଥିପ୍ରତି ଭ୍ରୂକ୍ଷେପ ନକରି ନିଜର ଅଳଙ୍କାରଶୋଭିତ ବାମପାଦଟିକୁ ଆଓରଙ୍ଗଜେବ୍ ଚିତ୍ର ଉପରେ ଥୋଇଦେଲେ । ପ୍ରକୃତରେ ରାଜକୁମାରୀଙ୍କ ଅଲକ୍ତରଞ୍ଜିତ ତଥା ଅଳଙ୍କାରଭୂଷିତ ପାଦ ଲାଗି ଚିତ୍ରଟିର ଶୋଭା ବୃଦ୍ଧି ପାଇଗଲା ପରି ବୋଧହେଲା । କୁମାରୀ ଟିକିଏ ଜୋର୍‌ରେ ଗୋଡ଼ ହଲାଇ ଦେବାମାତ୍ରେ, କଡ଼ମଡ଼ ହୋଇ ମୋଗଲ୍ ବାଦଶାହର ଛବିଟି ରାଜପୁତ୍ କୁମାରୀର ପାଦତଳେ ଭାଙ୍ଗିପଡ଼ିଲା ।

 

“କି ସର୍ବନାଶ ! କ’ଣ କଲ... !” କୁମାରୀଙ୍କ ଆଚରଣରେ ସଖୀମାନେ ଶିହରିଉଠିଲେ ।

 

ରାଜପୁତ୍‍ବାଳା ସଦର୍ପରେ କହିଲେ–‘‘ବୁଝିଲ, ପିଲାମାନେ ଯେପରି କଣ୍ଢେଇଖେଳ ଖେଳି ସାଂସାରିକ ଜୀବନର ସାଧ ମେଣ୍ଟାଇ ନିଅନ୍ତି, ମୁଁ ସେହିପରି ଆଜି ମୋଗଲ୍ ବାଦଶାହର ମୁହଁରେ ଗୋଇଠା ମାରିବାର ମନସାଧ ପୂରଣ କଲି । ତା’ପରେ ସେ ନିର୍ମଳ ଆଡ଼କୁ ମୁହଁବୁଲାଇ କହିଲେ–‘‘ସଖୀ ନିର୍ମଳ ! ପିଲାମାନଙ୍କର ମନସାଧ ସାଂସାରିକ ଜୀବନରେ ମେଣ୍ଟିଯାଏ; କିନ୍ତୁ ମୋର ମନସାଧ କ’ଣ ପୂରଣ ହେବନାହିଁ ? ମୁଁ କ’ଣ ଜୀବନରେ କେବେହେଲେ ଜୀବନ୍ତ ଆଓରଙ୍ଗଜେବ୍‍ ମୁହଁରେ ଠିକ୍ ଏଇପରି...।” ହଠାତ୍ ନିର୍ମଲ୍‍ ରାଜକୁମାରୀଙ୍କ ମୁହଁ ଚାପିଧରିଲା; ତେଣୁ ତାଙ୍କ ମୁହଁରୁ ଆଉ କିଛି କଥା ଶୁଣାଗଲା ନାହିଁ । କିନ୍ତୁ ସମସ୍ତେ ବୀରବାଳାର ମନୋଭାବ ବେଶ୍ ହୃଦୟଙ୍ଗମ କଲେ ।

ରାଜଜେମାଙ୍କର କଥା ଓ ଦୁଃସାହସିକ କର୍ମ ଦେଖି ବୃଦ୍ଧା ଭୟରେ କମ୍ପି ଉଠି ମନେମନେ ଭାବିଲା–‘ଏପରି ଆତ୍ମଘାତୀ କଥାବାର୍ତ୍ତା ଯେଉଁଠି ଚାଲେ, ସେଠାରୁ ମୁଁ କିପରି ନିଷ୍କୃତି ପାଇବି ? ଠିକ୍ ସେଇ ସମୟରେ ଛବିଗୁଡ଼ିକର ମୂଲ୍ୟ ତାକୁ ମିଳିଗଲା । ସେ ସେତକ ପାଇବାମାତ୍ରେ ଅଣନିଃଶ୍ଵାସୀ ହୋଇ ପ୍ରାଣବିକଳରେ ଧାଇଁ ବାହାରକୁ ପଳାଇଗଲା ।

 

ସେ ବାହାରକୁ ଆସିବାମାତ୍ରେ ନିର୍ମଲ୍‍ ପଛରୁ ତୀରବେଗରେ ଛୁଟିଆସି ବୁଢ଼ୀ ହାତରେ ଗୋଟିଏ ଅସରପି ଗୁଞ୍ଜିଦେଇ କାକୁତିମିନତି ହୋଇ କହିଲା–‘‘ଆଈ ! ଦେଖ, ଯାହା ଶୁଣିଲ କେବେହେଲେ କାହାରି ଆଗରେ କହିବ ନାହିଁଟି । ରାଜକୁମାରୀ ମୁହଁରେ ବାଡ଼ବତା ନାହିଁ, ପିଲାଟେ ପରା...।”

 

ବୁଢ଼ୀ ଅସରପିଟିକୁ ଭଲଭାବରେ ଅଣ୍ଟାରେ ଖୋସିଦେଇ କହିଲା–‘‘କି କଥା କହୁଛୁ ଝିଅ-! ଏ କଥା କି କାହାରି ଆଗରେ କହିହୁଏ ? ମୁଁ ତ ତୁମରି ଶ୍ରୀଚରଣଦାସୀ, କେବେ ହେଲେ ମୋ’ ମୁହଁରୁ ଏ କଥା ବାହାରିବ ନାହିଁ... ।”

 

ନିର୍ମଲ୍‍ ବୁଢ଼ୀକୁ ବିଦାୟ ଦେଇ ସେଠାରୁ ଖୁସିମନରେ ପୂର ଭିତରକୁ ପଶିଗଲା ।

Image

 

ଚିତ୍ରବିଚାର

 

ପରଦିନ ଏକୁଟିଆ ବସି ଜେମା କିଣାଯାଇଥିବା ଛବିଗୁଡ଼ିକୁ ମନୋଯୋଗର ସହିତ ଦେଖୁଥିବା ସମୟରେ ହଠାତ୍ ନିର୍ମଲ୍‍ ଆସି ସେଠାରେ ପହଁଞ୍ଚିଗଲା । ରାଜକୁମାରୀ ନିର୍ମଲ୍ ଆଡ଼କୁ ଚାହିଁ ହସି ହସି କହିଲେ–‘‘ୟା ମଧ୍ୟରୁ କାହାକୁ ବିଭା ହେବାଲାଗି ତୋର ମନ ହେଉଛି କହିଲୁ... ?”

 

“ମୋ ମନ ବଳୁଥିଲା ଯାହାକୁ ବିଭା ହେବାଲାଗି, ତା’ ଛବିଟିକୁ ତ ତୁମେ ଗୋଡ଼ରେ ଦଳି ଚକଟି ଭାଙ୍ଗି ଦେଲ ।” ଉତ୍ତର ଦେଲା ନିର୍ମଲ୍‍ ।

 

“ଆଓରଙ୍ଗ୍‌ଜେବ୍‌କୁ ?”

 

“ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?”

 

“ଆଶ୍ଚର୍ଯ୍ୟ ହେବିନି ? ସେ ଗୋଟେ ଅସଲ ବଜ୍ଜାତ୍ । ତା’ଭଳି ପାଷଣ୍ଡ କ’ଣ କେହି ପୃଥିବୀରେ ଜନ୍ମିଛି ?”

 

“ବଜ୍ଜାତ୍‌ଙ୍କୁ କରିବାରେ ମୋର ଭାରି ଆନନ୍ଦ । ତୁମର ମନେ ନାହିଁ–ମୁଁ ଗୋଟେ ବାଘ ପାଳିଥିଲି... । ମୋର ଭାରି ଇଚ୍ଛା..., ଦିନେ ନା ଦିନେ ମୁଁ ଆଓରଙ୍ଗ୍‍ଜେବ୍‍କୁ ବିବାହ କରିବି ।”

 

“ମୁସଲ୍‌ମାନ୍‌ଟାକୁ... ?”

 

“ସେଥିରେ ଟିକିଏ ହେଲେ ଆପତ୍ତି ନାହିଁ । ଆଚ୍ଛା କହିଲ, ଏବେ ତୁମେ କାହାର ଛବିଟିକୁ ବାରମ୍ବାର ଦେଖୁଥିଲ । ସେତକ ଟେର୍ ପାଇଗଲେ ମୋର ମରିବାରେ ଆପତ୍ତି ନାହିଁ ।”

 

ଚଞ୍ଚଲ୍‍କୁମାରୀ ଅନ୍ୟ ପାଞ୍ଚଖଣ୍ଡି ଛବି ସହିତ ହାତରେ ଧରିଥିବା ଛବିଟିକୁ ଶୀଘ୍ର ମିଶାଇ ଦେଇ କହିଲେ–‘‘କେଉଁ ଛବି ବା ମୁଁ ବାରମ୍ବାର ଦେଖୁଥିଲି ? ମଣିଷ ଅନ୍ୟକୁ ଏଣୁତେଣୁ ଗୋଟେ ଦୋଷ ଦେଇପାରିଲେ ତା’କୁ କ’ଣ ମିଳିଯାଏ କହିଲୁ ? କହ ଦେଖି, ମୁଁ କେଉଁ ଛବିଟି ଭଲା ବାରମ୍ବାର ଦେଖୁଥିଲି ?”

 

ଛଳନାମୟୀ ରାଜଜେମାଙ୍କର ଛଳକୋପ ଲକ୍ଷ୍ୟକରି ହସିଦେଇ କହିଲା ନିର୍ମଲ୍‍–‘‘ତୁମେ ଖଣ୍ଡେ ଛବି ଦେଖୁଥିଲ, ଏଥିରେ ପୁଣି ଦୋଷ ବା କଳଙ୍କ କାହିଁକି ହେବ ଯେ ? ଦେଖ ଜେମା, ତୁମେ ମିଛଟାରେ ମୋ’ ଉପରେ ରାଗି ନିଜେ ଧରାପଡ଼ିଗଲଣି । ସତ କୁହ, କା’ର ଏଡ଼େ କପାଳ ସଳଖ ? ଛବିଗୁଡ଼ିକ ଦେଖିଲେ ମୁଁ ବାଛିଦେବି ଯେ... ।”

 

“ହେଉ, ଶୁଣ; ଆକ୍‌ବର ବାଦଶାହ ।”

 

“ଯାଉନ... । ଆକ୍‌ବରଙ୍କ ନାଁ ଶୁଣିଲେ ରାଜପୂତ୍ ରମଣୀ ଝାଡ଼ୁ ନ ମାରି ରହି ପାରିବ ନାହିଁ । ସେ କେଭେ ନୁହନ୍ତି ।’’ ଏହା କହି ଛବିଗୁଡ଼ିକ ଧରି ଖୋଜୁ ଖୋଜୁ କହିଲା ନିର୍ମଲ୍‍–‘‘ତୁମେ ଯେଉଁ ଚିତ୍ରଟି ଦେଖୁଥିଲ, ତା’ର ପଛପଟେ ଗୋଟେ କଳାଦାଗ ଅଛି; ଏଇ ନିଅ... ।” ସେହି ଛବିଟିକୁ ସେ ଚଞ୍ଚଲ୍‍ ହାତରେ ଧରାଇଦେଲା ।

 

ରାଜକୁମାରୀ ଟିକିଏ ଆଡ଼ରୁଷା ହୋଇ ଛବିଟିକୁ ଦୁମ୍‌କରି ତଳେ ଥୋଇ ଦେଇ କହିଲେ–‘‘ତୋର ତ ଆଉ କିଛି ବେଉସା ନାହିଁ, କେବଳ ଲୋକଙ୍କୁ ଜଳେଇ–ପୋଡ଼େଇ ମାରି ଶିଖିଛୁ... ଯାଃ...ଦୂର୍ ହୋଇ ଯା... ।”

 

“ପଳେଇବି କାହିଁକି ରାଜକୁମାରୀ ! କିନ୍ତୁ ଏଇ ବୁଢ଼ାଟାର ଛବିରେ କି ଝରା ଓହଳିଛି ଯେ, ଏତେ ସୁହାଗରେ ଦେଖିବାରେ ଲାଗିଛି ?”

 

“ବୁଢ଼ା... ? ତୋ’ ଆଖି ଫୁଟିଯାଇଛି କି ?” ଚିଡ଼ିଯାଇ କହିଲା ଚଞ୍ଚଲ୍‍କୁମାରୀ ।

 

ନିର୍ମଲ୍‍ ଚଞ୍ଚଲ୍‍କୁ ଚିଡ଼ାଇବାକୁ ଚାହୁଁଥିଲା; ତେଣୁ କୁମାରୀର ମୁହଁ ଫଣଫଣ ହୋଇଥିବାର ଦେଖି ସେ ଓଠଫାଙ୍କରେ ଚେନାଏ ହସ ବିଛାଡ଼ିଦେଇ କହିଲା–‘‘ହେଲା ଏବେ ଛବିରେ ସେ ବୁଢ଼ାପରି ଜଣାଯାଉନାହାନ୍ତି; କିନ୍ତୁ ଲୋକେ କହନ୍ତି–ମହାରାଣା ରାଜସିଂହଙ୍କର ବୟସ ଅନେକ ହେଲାଣି । ତାଙ୍କର ପୁଅ ଦୁଇଟି ବେଶ୍ ଉପଯୁକ୍ତ ହୋଇଗଲେଣି ।”

 

“ଏ କ’ଣ ରାଜସିଂହଙ୍କର ଛବି ? ମୋର ସେ କଥା କିଏ ଜାଣିଛି ?”

 

“କାଲି ବାଛିବୁଛି କିଣିଛ, ଆଜି କିଛି ନ ଜାଣିଲାପରି କଥା କହୁଛ । ଏକେ ଲୋକଟିର ବୟସ ବେଶି ହୋଇଗଲାଣି, ଦ୍ଵିତୀୟରେ ସେ’ତ ସେପରି ଖୁବ୍ ସୁପୁରୁଷ ନୁହନ୍ତି...ତେବେ ଆଉ ଏତେ ମନଲଗାଇ ଦେଖୁଥିଲ କ’ଣ ?”

 

ଚଞ୍ଚଲ୍‍କୁମାରୀ ସିଧାସଳଖ ନିର୍ମଲ୍‍କୁ ଉତ୍ତର ନ ଦେଇ କହିଲେ–

 

“ବିଭୂତିଭୂଷଣ ଦେବାଧିଦେବଙ୍କୁ ରସଇ ଉମାଙ୍କ ମନ ।

ନବରସବତୀ ରାଧିକାସୁନ୍ଦରୀ ଆଦରଇ ଶ୍ୟାମଘନ ॥

 

ସହସ୍ରଲୋଚନ ଇନ୍ଦ୍ର ପୀରତିପାଶେ ବନ୍ଧା ଶଚୀ ରାଣୀ ।

ବୀରବାଳା ନିଜେ ଆଦରି ବରଇ ନବଯୁବା ବୀରମଣି ॥

 

ଜଟାଜୂଟେ ଥାଇ ଗରଜଇ ନିତି ଗଙ୍ଗା ଶିବ ପ୍ରିୟବତୀ ।

ଧରଣୀର ଭାର ବହଇ ବାସୁକି ନକରି ତିଳେହେଁ ଭୀତି ॥

 

ସୁଶୀତଳ ବାଆ ବାଛିନିଏ ସଖା ମହାକାଳ ହୁତାଶନ ।

ବୀରଶିରୋମଣି ହୃଦେ ବିଳସଇ ରସିକା ଯୁବତୀ ମନ ॥”

 

ନିର୍ମଲ୍‍ ରାଜକୁମାରୀ ମନୋଭାବ ବୁଝିପାରି ଟିକିଏ ହସିଦେଇ କହିଲା–‘‘ବୁଝିଲି, ତୁମେ ଏଥର ମରଣର ଫାନ୍ଦ ଭଲକରି ପାତିଲଣି । ଆଚ୍ଛା କୁହ ତ, ରାଜସିଂହଙ୍କ ପ୍ରେମରେ ପାଗିଳିନୀ ହେଲେ ତୁମେ କ’ଣ ତାଙ୍କୁ ପାଇପାରିବ ?”

 

ଚଞ୍ଚଳ୍‍କୁମାରୀ ସଙ୍ଗେ ସଙ୍ଗେ ଉତ୍ତରଦେଇ କହିଲା–‘‘କେବଳ କ’ଣ ପାଇବା ଲାଗି ସମସ୍ତେ ପାଗିଳିନୀ ହୁଅନ୍ତି ? ତୁ ଆଓରଙ୍ଗ୍‍ଜେବ୍‌ଙ୍କୁ ପାଇପାରିବୁ ବୋଲି କ’ଣ ମନେ ମନେ ଭଲପାଇ ବସିଛୁ ?”

 

“ମୁଁ...ମୋ’ କଥା ଛାଡ଼, ବିରାଡ଼ି ମୂଷାକୁ ଭଲପାଇଲା ପରି, ମୁଁ ଆଓରଙ୍ଗ୍‍ଜେବ୍‌କୁ ଭଲପାଉଛି । ତାକୁ ଯଦି ମୁଁ ଏ ଜନ୍ମରେ ପାଇ ନ ପାରିଲି, ତେବେ ମୋ’ ମନର ଅବସାଦଟା ଏ ଜନ୍ମପାଇଁ ଶେଷ ହୋଇଗଲା । ତୁମେ କ’ଣ ମୋ’ରି ପରି ମନୋଭାବ ରଖିଛ ?”

 

“ହଁ...ସେଇଆ ନୁହେଁ ତ ଆଉ କ’ଣ ? ମୋର ସାଂସାରିକ ଖେଳଟା ଏ ଜନ୍ମପାଇଁ ଶେଷ ହୋଇଗଲା ବୋଲି ମନେକର ।” ଟିକିଏ ଗୁମ୍‌ମାରି କହିଲା ରାଜକୁମାରୀ ।

 

“ସତରେ କ’ଣ ଜେମାଦେଇ...ଛବିଟିଏ ଦେଖି ମନରେ ଏତେ ଅନୁରାଗ ଜମାଟ ବାନ୍ଧେ-?”

 

“କାହିଁକି କ’ଣ ହୁଏ...ତା’ ତୁ...ମୁଁ...କହିପାରିବି ନାହିଁ । କ’ଣ ମୋର ହୋଇଛି ଯେ, ମୁଁ ତ କିଛି ଜାଣିପାରୁନାହିଁ ।” ଉତ୍ତର ଦେଲା ଚଞ୍ଚଲ୍‍କୁମାରୀ ।

 

ପ୍ରକୃତରେ ଚଞ୍ଚଲ୍‍କୁମାରୀ ମନର ପ୍ରତିକ୍ରିୟା କ’ଣ, ତା’ କେହି ଜାଣିପାରିଲେ ନାହିଁ । କେବଳ ଛବିଟିଏ ଦେଖି ଏତେ ଦୂର ପ୍ରତିକ୍ରିୟା ମନରେ ପ୍ରକୃତରେ ଜାତହୁଏ ? ହଁ...ମଣିଷ ମଣିଷକୁ ଦେଖିଲେ ତା’ ପ୍ରତି ଅନୁରାଗ ବା ବିରାଗ ଜାତ ହୋଇପାରେ; କିନ୍ତୁ ଛବିଟିଏ ଦେଖିଲେ କ’ଣ ସେହି ପରିମାଣରେ ପ୍ରେମ ମନମଧ୍ୟରେ ଆସନ ପାତିଦିଏ ? ହଁ...ଯଦି ମନମଧ୍ୟରେ ପୂର୍ବରୁ ଅନୁରାଗ ଜମାଟବାନ୍ଧି ରହିଥିବ, ତା’ହେଲେ ଛବିଟିଏ ପରେ ଦେଖିଲେ କିମ୍ବା ସ୍ଵପ୍ନପୁରୁଷକୁ ସ୍ଵପ୍ନରେ ଦେଖିଲେ, ତା’ ପ୍ରତି ପ୍ରଗାଢ଼ ଅନୁରାଗ ଜାତହେବା ଅସମ୍ଭବ ନୁହେଁ । ଅଠର ବର୍ଷ ବଯସର ଏଇ କୁଆଁରୀ ବାଳିକା ଚଞ୍ଚଲ୍‍କୁମାରୀ ମନରେ ସେହି ପ୍ରକାର କିଛି ଗୋଟିଏ ପ୍ରଭାବ ପଡ଼ିଥିବା ଅସମ୍ଭବ ନୁହେଁ । କୁମାରୀର ମନରେ ଯାହା ଥାଉନା କାହିଁକି, ଏଇ ଅସମୟରେ ମନର କେଉଁ ଗଭୀର କୋଣରେ ଛପିରହିଥିବା ନିଆଁକୁ ଫୁଙ୍କିଫୁଙ୍କି ଜଳାଇବା ଠିକ୍ ହୋଇନାହିଁ; କାରଣ ସମ୍ମୁଖରେ ଘନେଇ ଆସୁଥିବା ବିପଦ ବେଳକୁ ବେଳ ଅତି ଉଗ୍ରରୂପ ଧାରଣକରି ଚାଲିଛି । ଦେଖାଯାଉ...କ’ଣ ହେଉଛି ।

Image

 

ଚତୁରୀ ବୁଢ଼ୀ

 

ଛବିବିକାଳି ବୁଢ଼ୀ ତା’ର ବିକ୍ରିବଟା ସାରି ଘର ଆଗ୍ରାକୁ ଫେରିଆସିଲା । ସେଠାରେ ପହଞ୍ଚି ଦେଖିଲା, ଦିଲ୍ଲୀରେ ଦୋକାନ କରିଥିବା ତା’ ପୁଅ ଘରକୁ ଆସିଛି । ଗୋଟେ ନିଉଛୁଣା ସମୟରେ ରୂପନଗର ଯାଇଥିଲା ବୁଢ଼ୀ । ସେଠାରେ ସେ ରାଜକୁମାରୀର ସାହସ ଦେଖି ଚିହିଁକି ଉଠିଲା; କିନ୍ତୁ ସେଇ କଥାଟି କାହା ଆଗରେ ନ କହିବା ପର୍ଯ୍ୟନ୍ତ ତା’ ପେଟରେ ଭାତ ହଜମ ହେଲାନାହିଁ । ବେଳକୁବେଳ ବୁଢ଼ୀର ମନ ଅସ୍ଥିର ହୋଇଉଠିଲା । ବୁଢ଼ୀ ହାତରେ ଅସରପିଟିଏ ଗୁଞ୍ଜିଦେଇ ନିର୍ମଲ୍‍ ତାକୁ ବାରଣ କରିନଥିଲେ, ହୁଏତ ବୁଢ଼ୀ ପେଟରେ ଘଟଣାଟା ଏତେଦୂର ହଟଚମଟ ଲଗାଇ ନ ଥାନ୍ତା । ରାଜକୁମାରୀର ସେଇ କଥା ପଦିକ କାହାରି ଆଗରେ ନ କହିବା ଲାଗି ତାକୁ ଅସରପି ଦିଆଯାଇଥିବାରୁ, ତା’ ପେଟ ଫୁଲି ନାଗରା ହୋଇଯାଇଛି; କିନ୍ତୁ ବୁଢ଼ୀ ବିଚାରୀ କରେ କ’ଣ ? ଅସରପି ନେଇ ସତ୍ୟ କରି ଆସିଛି । କଥାଟା କାନକୁ ପାଞ୍ଚକାନ ହୋଇଗଲେ, ସେ ଯେଉଁ ଦୁଷ୍ଟ ବାଦଶାହ ଘଡ଼ିକେ ପ୍ରଳୟ କରିଦେବ । ତେଣୁ ବୁଢ଼ୀ ହଠାତ୍ ଆଉ କାହାରି ଆଗରେ ସେ କଥା ପ୍ରଘଟ ନକରି ପେଟରେ ଚାପିରଖିଲା । କିନ୍ତୁ ବୁଢ଼ୀ ଯାଏ କୁଆଡ଼େ ? ପାଟିକୁ ଭାତ ରୁଚିଲାନି, କି ଆଖିକୋଣକୁ ନିଦ ଲାଗିଲାନି । ତଥାପି ବୁଢ଼ୀ ନିଜକୁ ନିଜେ ରାଣ ନିୟମ ଖାଇ କାହାରି ଆଗରେ ସେକଥା କହିବ ନାହିଁ ବୋଲି ଅଟଳ ରହିଲା ।

 

କିଛି ସମୟ ପରେ ବୁଢ଼ୀର ପୁଅ ଖାଇବସିଲା । ବୁଢ଼ୀ ପୁଅ ଥାଳିରେ ଟିକିଏ ରସାଳିଆ କବାବ୍ ପରଷିଦେଇ କହିଲା–“ଖାଇନେରେ ପୁଅ, ଖାଇନେ । ଏମିତିଆ କବାବ୍ ରୂପନଗରରୁ ଫେରିବା ପରେ ଥରେ ମାତ୍ର ବନେଇଥିଲି । ଆଉ କେବେ ସେମିତିଆ ହୋଇ ପାରୁନି !”

 

ପୁଅ ଖାଉ ଖାଉ କହିଲା–‘‘ମା’...ତୁ କହିଥିଲୁ ପରା ରୂପନଗର କଥା କ’ଣ କହିବୁ ବୋଲି... । ଏମିତି ଖିଆଲରେ କହିଥିଲୁ ନା, ସତରେ କିଛି କଥା ଅଛି ମ... ?”

 

“ଚୁପ୍...ଚୁପ୍...ପୁଅ ! ମୋ’ ବାପାଟା ପରା, ସେ କଥା ମୁହଁରେ ଧରନା... । ଯାଃ...ଯାଃ...ମୁଁ ତୋତେ କହିଥିଲି ଗୋଟେ କ’ଣ ବା ... । ହଁ...ହଁ...ମୁଁ ତୋତେ ସେମିତିଆ ଖିଆଲରେ କହିଦେଇଥିଲି ।” ଥଙ୍ଗେଇ ଥଙ୍ଗେଇ କହିଲା ବୁଢ଼ୀ ।

 

ରୂପନଗର କଥାଟା ପେଟରେ ବଦହଜମୀ ହେବାରୁ ଦିନେ ସେ ପୁଅ ଆଗରେ ଟିକିଏ ଉଁ...ଆଁ...କରି କ’ଣ କହିଥିଲା । ଏଥର ମା’ର ପାଟିରୁ ଏପରି ଉତ୍ତର ଶୁଣି କହିଲା–‘‘ଚୁପ୍ କାହିଁକି ରହିବି ମା’ ? ଏମିତିଆ କି ମୁଣ୍ଡକଟା କଥା କି... ?”

 

“ନାଁ’ରେ ପୁଅ...ଛାଡ଼ ସେ କଥା । ଶୁଣିଲେ କାନରେ ହାତଦେବୁ ପୁଅ !”

 

“ଛାଡ଼...ସେକଥା, ଆମର କ’ଣ ଯାଏ–ଆସେ !”

 

“ଆଉ କିଛି କଥା ନୁହେଁରେ ପୁଅ...ସେଇ ରୂପନଗରର ରାଜକୁମାରୀ କଥା... ।” ବୁଢ଼ୀ ପେଟରୁ ବାହାରିପଡ଼ିଲା କଥାଟିରୁ କେଇ ପଦ ।

 

“ହଁ...ବା, ସେ ରାଜକୁମାରୀ ଖୁବ୍ ସୁନ୍ଦରୀ, ଏ କେଉଁ ବଡ଼ କଥାଟେ ଯେ ?” କଥା ଏଡ଼ାଇ ଦେବାଲାଗି କହିଲା ପୁଅ ।

 

“ସେ କଥା ନୁହେଁରେ ବାବା ! ସେ ଚାଣ୍ଡାଳୁଣୀର ବଡ଼ ଦିମାକ୍... । ଏ...ଆଲ୍ଲା...ମୋ’ ପାଟିରୁ କ’ଣ ବାହାରିଗଲା...? ଜିଭ କାମୁଡ଼ିଦେଇ କହିଲା ବୁଢ଼ୀ ।

 

‘‘କେଉଁଠି ରୂପନଗରର ରଜାଝିଅ, ତା’ର ପୁଣି ଦିମାକ୍‍...। ଏଥିରୁ ଆମର ଯାଏ–ଆସେ କେତେ ? ସେ କଥାରେ ତୋତେ ମିଳିବ କ’ଣ, ଶୁଣିବି ମୁଁ କାହିଁକି ?”

 

“ମାମୁଲି ଦିମାକ୍ ନୁହେଁରେ ପୁଅ... । ସବାଖାଇ ବାଦଶାହ ଆଲମ୍‌ଙ୍କୁ ବି ପାସଙ୍ଗରେ ପକାଉନାହିଁ ।”

 

“ହଁ...ମ...ବାଦଶାହଙ୍କୁ ଗାଳି ଦେଇଥିବ... ।”

 

“ଗାଳି... ? କ’ଣ କହୁଛୁରେ ପୁଅ ! ତା’ଠାରୁ ଆହୁରି ଖରାପ କଥା... ।”

 

“ଏଁ...ଗାଳିଠାରୁ ଆହୁରି ଖରାପ କଥା । ଆଉ ଗୋଟେ କ’ଣ ହେବ ମଁ... ? ଆଉ କ’ଣ ବାଦଶାହଙ୍କୁ ମାରିପକାଇଲା ।”

 

“ତା’ଠାରୁ ବି ବଡ଼ ଦିମାକ୍‌ର କଥା... ?”

 

‘‘ମାରିବାଠାରୁ ଆହୁରି ଦିମାକ୍‍ର କଥା ।’’

 

“ଥାଉ...ଥା...ଉ, ପୁଅ ! ଆଉ କିଛି ପଚାରନା । ମୁଁ ତା’ର ନମକ୍ ଖାଇଛି ।”

 

“ନମକ୍ ଖାଇଛୁ ? କେମିତି ନମକ୍ ଖାଇଲୁ ଯେ ?”

 

“ମୋତେ ଗୋଟିଏ ଅସରପି ଦେଇଛି... ।”

 

“କାହିଁକି ଯେ... ?” କଥାଟା ବୁଢ଼ୀ ପେଟରୁ ବାହାର କରିବା ଲାଗି ଖୋଳିତାଡ଼ି ପଚାରିଲା ପୁଅ ।

 

“ତା’ ଦିମାକ୍‌ର କଥା କାହା ଆଗରେ କହିବା ଭଳି ନୁହେଁ... । ସେଇଥିପାଇଁ ମୋତେ ଅସରପିଟିଏ ଦେଇଛି ।”

 

“ହେଉ, ମୋତେ ତା’ହେଲେ ଗୋଟିଏ ଅସରପି... । ବକ୍‌ସିସ୍ ଦେ... ।”

 

“କାହିଁକି... ?”

 

“ତା’ ନୋହିଲେ, ମୋତେ ସଫା ସଫା କହିଦେ, କଥାଟା କ’ଣ ? ଏଥର ରୂପନଗର କଥା ଶୁଣିବା ଲାଗି ଆଗ୍ରହୀ ହୋଇ ପଚାରିଲା ପୁଅ ।

 

“କଥା ଆଉ କ’ଣ ...ବାଦଶାହଙ୍କ ଚିତ୍ରଟାକୁ ଦେଖୁ ଦେଖୁ... ହାୟ... ହାୟ... ଆଲ୍ଲା... କଥାଟା ପାଟିରୁ ଖସିଯାଇଥିଲା ରେ ପୁଅ ।” ପୁଣି ଥରେ ଜିଭ କାମୁଡ଼ିଦେଇ ଚୁପ୍ ରହିବାର ଅଭିନୟ କଲା ବୁଢ଼ୀ !

 

“ଚିତ୍ରଟାକୁ ଚିରିପକାଇଲା... ?”

 

“ଆରେ ... ପୁଅ ! କହିବି କଅଣ... ? ଗୋଡ଼ରେ ଦଳିଚକଟି ଭାଙ୍ଗିଦେଲା । ଯାଃ...ଯାଃ...ନିମକ୍‌ହାରାମୀ କରିଦେଲି ।’’

 

‘‘ଏଥିରେ ଗୋଟେ ନିମକ୍‍ହାରାମୀ କ’ଣ ହେଲା ଯେ ? ତୁ ମା’...ମୁଁ ପୁଅ । ମୋ’ ଆଗରେ କହିଦେଲେ ନିମକ୍‍ହାରାମୀ ହୋଇଗଲା ?” ପୂରାପୂରି କଥାଟା ଶୁଣିବା ଲାଗି କହିଲା ପୁଅ ।

 

“ଦେଖ ପୁଅ... । ମୋ’ ବାପଟା ପରା... । ଖବର୍‌ଦାର କାହାରି ଆଗରେ କହିବୁ ନାହିଁଟି... ।”

 

“ମୋତେ ବିଶ୍ଵାସ କର ମା’ ! ତୋ’ ରାଣ, ମୁଁ କେବେ ହେଲେ କାହାରି ଆଗରେ କହିବିନି !”

 

ତା’ପରେ ବୁଢ଼ୀ କେତେ ପ୍ରକାର ବନେଇ–ଚୁନେଇ ଚଞ୍ଚଲ୍‍କୁମାରୀର ଛବିଭଙ୍ଗା ଘଟଣାଟିକୁ ପୁଅ ଆଗରେ କହିଦେଇ ଶାନ୍ତିରେ ନିଃଶ୍ଵାସ ମାରିଲା ।

Image

 

ଦରିୟା ବିବି

 

ବୁଢ଼ୀର ପୁଅ ନାଁ ଥିଲା–ଖିଜିର୍ ଶେଖ୍ । ସେ ଭଲ ଛବି ଆଙ୍କିପାରେ । ଦିଲ୍ଲୀରେ ତା’ର ଗୋଟିଏ ଦୋକାନ ଥିଲା । ମାଆ ପାଖରେ ଦୁଇ ତିନି ଦିନ ରହି ସେ ପୁଣି ଦିଲ୍ଲୀ ଫେରିଗଲା । ଦିଲ୍ଲୀରେ ତା’ର ବିବି ଫତେମା ସେଇ ଦୋକାନରେ ରହୁଥିଲା । ଖିଜିର ମାଆ ପାଖରୁ ରୂପନଗରର ଯେଉଁ କଥା ଶୁଣିଥିଲା, ଆଉ ଟିକିଏ ସେଥିରେ ରଙ୍ଗ ଦେଇ ଫତେମା ଆଗରେ ଶୁଣାଇଦେଲା । ସବୁକଥା କହିସାରି, ଗୋଟିଏ ବଡ଼ଧରଣର ଲାଭ ଆଶାରେ କହିଲା ଖିଜିର–‘‘ତୁ ଏଇଲେ ଦରିୟା ବିବିଙ୍କ ପାଖକୁ ଚାଲି ଯା’ । ଏଇ ଖବରଟା ବେଗମ୍ ସାହିବାଙ୍କ ପାଖରେ ପହଞ୍ଚାଇଦେଲେ ନିଶ୍ଚୟ ଆମକୁ କିଛି ବକ୍‌ସିସ୍ ମିଳିବ ।”

 

ଦରିୟା ବିବି ସେଇ ପାଖ ଘରେ ରହୁଥିଲା । ଘରର ପଛବାଟ ଦେଇ ତା’ ଘରକୁ ବାଟ ଅଛି । ତେଣୁ ଫତେମା ବୁର୍‌କା ନ ପିନ୍ଧି ଦରିୟା ବିବି ଘରେ ଯାଇ ହାଜିର ହୋଇଗଲା । ଫତେମା ବା ଖିଜିରର ପରିଚୟ ସେପରି କିଛି ନ ଥିଲା; କିନ୍ତୁ ଦରିୟା ବିବିର ପରିଚୟ ବିଶେଷ କେହି ଜାଣିନଥିଲେ । ତା’ର ପ୍ରକୃତ ନାମ ଥିଲା–ଦରିର୍ ଉନ୍ନିସା ବା ସେଇ ପ୍ରକାରର ଆଉ ଗୋଟେ କିଛି; କିନ୍ତୁ ସେ ନାଁ ଧରି ତାକୁ କେହି କେବେ ଡାକନ୍ତି ନାହିଁ । ଲୋକସମାଜରେ ସେ ଦରିୟା ବିବି ନାମରେ ପରିଚିତ ଥିଲା । ତା’ର ବାପା ମା ନଥିଲେ; କେବଳ ବଡ଼ଭଉଣୀ, ପିଉସୀ କିମ୍ବା ମାଉସୀ କେହି ଜଣେ ଥିଲେ । ତା’ ଘରେ କେହି ପୁରୁଷ ଲୋକ ବାସ କରୁନଥିଲେ । ଦରିୟାର ବୟସ ସତର ବର୍ଷରୁ ବେଶି ନୁହେଁ; କିନ୍ତୁ ସେ ଦେଖିବାକୁ ବାଙ୍ଗିରୀ ଥିବାରୁ, ତା’ର ବୟସ ପନ୍ଦର ବର୍ଷରୁ ବେଶି ବୋଲି କେହି ଅନ୍ଦାଜ କରି ପାରୁ ନଥିଲେ । ଦରିୟା ବିବି ଥିଲା ଅପୂର୍ବ ସୁନ୍ଦରୀ, ଠିକ୍ ସଜଫୁଟା ଫୁଲପରି ଡଉଲଡ଼ାଉଲ । ମୁହଁରୁ ସବୁବେଳେ ମୃଦୁ ମୃଦୁ ହସର ଝରା ଝରିପଡ଼ୁ ଥାଏ ତା’ର ।

 

ଦରିୟା ବିବିର ବଡ଼ଭଉଣୀ ଖୁବ୍ ଭଲ ସୁରମା ଓ ଅତର ତିଆରି କରିପାରେ । ସେଇଗୁଡ଼ିକ ବିକ୍ରୟକରି ସେ ଗୁଜୁରାଣ ମେଣ୍ଟାଉଥିଲା । ଦି’ ଭଉଣୀ ଏକ୍‌କା ବା ଘୋଡ଼ାରେ ଯାଇ ବଡ଼ ବଡ଼ ଲୋକଙ୍କ ଘରେ ସୁରମା ଓ ଅତର ବିକିଦେଇ ଆସନ୍ତି । ଦୁଃଖୀ ଲୋକ ତ, ବେଳେବେଳେ ରାତିବିକାଳେ ମଧ୍ୟ ଚାଲି ଚାଲି ଯାଆନ୍ତି । ବାଦଶାହଙ୍କ ଅନ୍ତଃପୁର ବେଗମମହଲକୁ ବାହାରର କୌଣସି ସ୍ତ୍ରୀଲୋକ ଯାଇପାରୁନଥିଲେ ମଧ୍ୟ ଦରିୟା ବିବି ସେଠାକୁ ନିଧଡ଼କରେ ଯିବାର ଉପାୟ ଖଞ୍ଜି ରଖିଥିଲା ।

 

ଫତେମା ଆସି ରୂପନଗରର ଜେମା ଚଞ୍ଚଲ୍‍କୁମାରୀର ଦିମାକିଆ କଥା କହିଦେଇ, କିଛି ବକସିସ୍ ପାଇବାର ଆଶା କରି ରହିଲା । ଦରିୟା ବିବି ସବୁ ଶୁଣିସାରି କହିଲା–‘‘ରଙ୍ଗମହଲ ଭିତରକୁ ଯିବାକୁ ପଡ଼ିବ । ପରୱାନା ଖଣ୍ଡିକ କାହିଁ ?”

 

“ତୁମ ପାଖରେ ଅଛି, ଯିବ କୁଆଡ଼େ ?” ଏହା ଶୁଣି ଦରିୟା ବିବି ନିଜ ପେଟରାଟି ଖୋଲି ଖଣ୍ଡିଏ କାଗଜ ବାହାର କରି, ତାକୁ ଏ’ପାଖ ସେପାଖ ଲେଉଟାଇ କହିଲା–‘‘ଏଇଟା ନିଶ୍ଚୟ-।”

 

ତା’ପରେ ଦରିୟା ବିବି ହାତରେ କିଛି ସୁରମା, ପରୱାନା ଖଣ୍ଡିକ ନେଇ ବାହାରିଗଲା ।

Image

 

ଭାଗ୍ୟଗଣନା

 

ଚାନ୍ଦିନୀଧଉଳା ଶ୍ଵେତ ବାଲୁକାରାଶିର ମଧ୍ୟରେ ନୀଳସଲିଳା ଯମୁନାର ଉପକୂଳରେ ମହାନଗରୀ ଦିଲ୍ଲୀ ରତ୍ନରାଜି ମଧ୍ୟରେ ଜକଜକ କରୁଥିବା ମଣିଖଣ୍ଡପରି ଦୀପମାଳାରେ ଝଲସି ଉଠୁଛି । ନଗରୀର ମଧ୍ୟେ ମଧ୍ୟେ ଶଙ୍ଖମଲମଲ ପଥରରେ ତିଆରି ଶହ ଶହ ମିନାର, ଗୁମ୍ବଜ ଓ ବୁରୁଜ ଆକାଶକୁ ମୁଣ୍ଡଟେକି ଚନ୍ଦ୍ରକିରଣରେ ଗୋଟିଏ ଗୋଟିଏ ବିରାଟ ସ୍ତମ୍ଭ ସଦୃଶ ଶୋଭାପାଉଛି-। ଦୂରରେ କୁତୁବ ମିନାରର ଆକାଶଛୁଆଁ ଗମ୍ବୁଜ ଧୂଆଁଳିଆ ସ୍ତମ୍ଭପରି ଦେଖାଯାଉଛି-। ନିକଟରେ ଥିବା ଜୁମା ମସଜିଦ୍‌ର ଚାରିଟିଯାକ ମିନାର ନୀଳ ଆକାଶକୁ ଭେଦକରି ଚନ୍ଦ୍ରାଲୋକରେ ଝଲସିଉଠୁଛି । ରାସ୍ତାର ଦୁଇପାଖରେ ଅସଂଖ୍ୟ ଦୋକାନ । ଦୋକାନଗୁଡ଼ିକରେ ଶତଶତ ଦୀପମାଳା, ଫୁଲ ଦୋକାନରୁ ଭାସିଆସୁଥିବା ସୁଗନ୍ଧ, ନାଗରିକମାନଙ୍କ କଣ୍ଠରେ ଝୁଲୁଥିବା ଫୁଲହାରଗୁଡ଼ିକର ମୃଦୁମନ୍ଦ ଗନ୍ଧ, ଅତର ଓ ଗୋଲାପର ମନମତାଣିଆ ବାସନା, ପ୍ରତ୍ୟେକ ଗୃହରୁ ଭାସିଆସୁଥିବା ବାଦ୍ୟ ଓ ସଙ୍ଗୀତର ମୂର୍ଚ୍ଛନା ତଥା ସୂରସିକା ରମଣୀଙ୍କ ଅଙ୍ଗାଭରଣର ସିଞ୍ଜନ ଏକତ୍ରିତ ହୋଇ ଏଇ ନର୍କପୁରୀରେ ସ୍ଵର୍ଗୀୟ ନନ୍ଦନକାନନର ଅପରୂପ ସୁଷମାର ମୋହ ଜାତକରାଉଛି । ସୁଗନ୍ଧିତ ପୁଷ୍ପମାଳାର ଛଡ଼ାଛଡ଼ି, ଅତର ଗୋଲାପଜଳ ଛଟାଛଟି, ନର୍ତ୍ତକୀର ନୂପୁର ଧ୍ୱନି, ଗାୟିକା କଣ୍ଠର ଆରୋହ–ଅବରୋହ, ବାଦ୍ୟବୃନ୍ଦର ନିକ୍ଵଣ, କମନିୟା କାମିନୀମାନଙ୍କର କରତାଳି, ମଦ୍ୟର ପ୍ରବାହ, ସୂରସିକା ନର୍ତ୍ତକୀର ନୟନ–କଟାକ୍ଷ, ଖିଚୁଡ଼ି ଓ ପଲାଉର ଆମୋଦମୟ ସୁଗନ୍ଧ, ବିକଟ, କପଟ, ମଧୁର ଓ ଚତୁର ହାସ୍ୟ–ପ୍ରବାହର ନିନାଦ, ରାଜପଥରେ ଅଶ୍ଵର ପଦଧ୍ଵନି, ପାଲଙ୍କି ବାହକଙ୍କର ବୀଭତ୍ସ ଡାକ, ହସ୍ତୀର ଘଣ୍ଟାଧ୍ୱନି ତଥା ଏକ୍‌କା ଓ ଶଗଡ଼ର କଡ଼ମଡ଼ ଶବ୍ଦ ବାଟଚଲା ଲୋକର ଦୃଷ୍ଟି ଆକର୍ଷଣ କରୁଛି ।

ନଗରୀ ମଧ୍ୟରେ ଆନନ୍ଦ ଉଲ୍ଲାସମୟ ଚାନ୍ଦିନୀଚୌକର ଶୋଭା ବାସ୍ତବିକ ଅପରୂପ । ସେଠାରେ ରାଜପୂତ୍‍ ଓ ତୁର୍କ ଅଶ୍ଵାରୁଢ଼ ସୈନ୍ୟମାନେ ସତର୍କ ପ୍ରହରୀପରି ସ୍ଥାନେ ସ୍ଥାନେ ଛିଡ଼ାହୋଇ ପରିସ୍ଥିତିର ପର୍ଯ୍ୟବେକ୍ଷଣ କରୁଛନ୍ତି । ଦୁନିଆରେ ସବୁଠାରୁ ଅତି ମୁଲ୍ୟବାନ୍ ଜିନିଷର ଦୋକାନଗୁଡ଼ିକ ବେଶ ଲୋଭାଣିଆ ଭାବରେ ସଜାଯାଇଛି । ସ୍ଥାନେ ସ୍ଥାନେ ବାଟଚଲା ଲୋକମାନଙ୍କୁ କ୍ଷଣକଲାଗି ଅଟକାଇ ଦେଇ ସାରଙ୍ଗିର ତାନରେ ତାଳ ଓ ଲୟର ସହିତ ନାଚଗାନରେ ନର୍ତ୍ତକୀମାନେ ମସ୍‍ଗୁଲ ହୋଇଯାଇଛନ୍ତି । ଆଉ କେଉଁଠି ଅବା ଶହ ଶହ ପଥିକଙ୍କ ଘେର ମଧ୍ୟରେ ବାଜିଗର ତା’ର ଢାଲ–ସୁପାରି ଖେଳ ଦେଖାଉଛି; କିନ୍ତୁ ସବୁଠାରୁ ଅଧିକ ଲୋକ ଜମିଯାଇଛନ୍ତି ଭାଗ୍ୟଗଣନାକାରୀ ଜ୍ୟୋତିଷଙ୍କ ପାଖରେ । ମୋଗଲ ବାଦ୍‌ଶାହଙ୍କ ଅମଳରେ ଏଇ ଜ୍ୟୋତିଷମାନଙ୍କର ଆଦର ଯେପରି ଥିଲା, ବୋଧହୁଏ ଆଉ କେବେହେଲେ ସେପରି ସୁଦିନ ସେମାନଙ୍କ ଭାଗ୍ୟରେ ଜୁଟିନାହିଁ । ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ଜ୍ୟୋତିଷମାନଙ୍କୁ ଖୁବ୍ ଆଦର କରୁଥିଲେ । ମୋଗଲ ବାଦଶାହମାନେ ମଧ୍ୟ ଭାଗ୍ୟଗଣନାକାରୀ ଜ୍ୟୋତିଷଦଳଙ୍କୁ କମ୍ ଆଦର କରୁନଥିଲେ । କେହି କେହି ଜ୍ୟୋତିଷଙ୍କୁ ନ ପଚାରି କୌଣସି ପ୍ରକାର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ହାତ ଦେଉ ନଥିଲେ । ଥରେ ପ୍ରତାପୀ ମୋଗଲ ବାଦଶାହ ଆଓରଙ୍ଗ୍‍ଜେବ୍‍ଙ୍କ କନିଷ୍ଠ ପୁତ୍ର ଆକ୍‍ବର ପିତାଙ୍କ ବିରୁଦ୍ଧରେ ବିଦ୍ରୋହୀ ହୋଇ ଉଠିଥିଲେ । ଅଧିକାଂଶ ସୈନ୍ୟବାହିନୀ ରାଜଦ୍ରୋହୀଦଳରେ ଯୋଗ ଦେଇଥିଲେ । କିନ୍ତୁ ଏଇ ଜ୍ୟୋତିଷଗଣନାକୁ ଅପେକ୍ଷାକରି ଆକ୍‍ବର କୌଣସି କାର୍ଯ୍ୟ କରିବା ପୂର୍ବରୁ, ବାଦ୍‌ଶାହ ଆଓରଙ୍ଗ୍‍ଜେବ୍‍ କୌଶଳକ୍ରମେ ବିଦ୍ରୋହୀମାନଙ୍କୁ କରଗତ କରିନେଲେ ।

ଦିଲ୍ଲୀ ନଗରୀର ଚାନ୍ଦିନୀଚୌକର ରାସ୍ତାକଡ଼ରେ ଆସନ ପକାଇ, ପୋଥି–ପାଞ୍ଜି ଧରି, ମଥାରେ ଠେକା ଭିଡ଼ି ଜ୍ୟୋତିଷମାନେ ଦି’ ପଇସା ହାତପଇଠ କରିବାଲାଗି ବସିଥାଆନ୍ତି ଏବଂ ଭାଗ୍ୟଫେରରେ ଧନ୍ଦିହୋଇ ଅସଂଖ୍ୟ ସ୍ତ୍ରୀ–ପୁରୁଷ ନିଜ ନିଜର ଭାଗ୍ୟଗଣନା ଲାଗି ସେଠାରେ ରୁଣ୍ଡ ହୋଇଯାଆନ୍ତି; ଏପରିକି, ପର୍ଦ୍ଦାସୀନ ଯୁବତୀମାନେ ସେଇ ଧମକ ଧକ୍‌କା ମଧ୍ୟଦେଇ ସେଠାରେ ଉପସ୍ଥିତ ରହିବାଲାଗି ଭୁଲୁ ନଥିଲେ କିମ୍ବା ସଙ୍କୋଚ କରୁନଥିଲେ । ଜଣେ ଜ୍ୟୋତିଷଙ୍କୁ ଘେରି ବହୁ ଲୋକ ରୁଣ୍ଡ ହୋଇଥାଆନ୍ତି । ସେହି ଜନଗହଳିର ବାହାରେ ଜଣେ ଅବଗୁଣ୍ଠନବତୀ ଯୁବତୀ ଘୁରିବୁଲୁଥିଲା ଜ୍ୟୋତିଷଙ୍କ ପାଖକୁ ଯିବାର ପ୍ରବଳ ଇଚ୍ଛାନେଇ କିନ୍ତୁ ସେହି ଜନଗହଳି ଠେଲି ଭିତରକୁ ଯିବାର ସାହସ କରିପାରୁନଥିଲା । ତେଣୁ ଯୁବତୀଟି ଏପାଖ ସେପାଖ ଘୁରିବୁଲୁଥିଲା । ଠିକ୍ ଏହି ସମୟରେ ଜଣେ ଅଶ୍ଵାରୋହୀ ସେହି ମାର୍ଗଦେଇ ଅତିକ୍ରମ କଲେ ।

ଅଶ୍ଵାରୋହୀ ସୁନ୍ଦର ଯୁବକ, ଦେଖିଲେ ବିଦେଶୀ ମୋଗଲବଂଶୀୟ ବୋଲି ବୁଝାପଡ଼ୁଥିଲା; କିନ୍ତୁ ଯେଡ଼େ ସୌମ୍ୟ ତଥା ସୁଠାମ ଯୁବକ, ସେପରି ଯୁବକ ମୋଗଲମାନଙ୍କ ମଧ୍ୟରେ ଦେଖାଯାଉନଥିଲା । ତାଙ୍କର ବେଶଭୂଷା ମଧ୍ୟ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ, ଦେଖିଲେ ଜଣେ ସମ୍ଭ୍ରାନ୍ତବଂଶୀୟ ଯୁବକ ବୋଲି ଜାଣିହୁଏ । ଘୋଡ଼ାଟି ମଧ୍ୟ ତାଙ୍କର ଖୁବ୍ ଜାତିଆପରି ମନେହେଉଥିଲା । ଲୋକଗହଳି ଯୋଗୁ ଅଶ୍ଵାରୋହୀ ଧୀରମନ୍ଥର ଗତିରେ ଅଶ୍ଵଚାଳନା କରୁଥିଲା-। ଛନଛନ ଆଖିରେ ଘୁରୁଥିବା ଯୁବତୀଟି ଝଟ୍‌କରି ଆସି ଘୋଡ଼ାର ଲଗାମ୍ ଧରି କହିଲା–“ଖାଁ ସାହେବ, ମୋବାରକ୍ ! ମୋବାରକ୍ !”

ଅଶ୍ଵାରୋହୀ ମୋବାରକ୍ ଚମକିପଡ଼ିଲାପରି ପଚାରିଲେ–‘‘ତୁମେ କିଏ ସେ ?”

“ହାୟ ଆଲ୍ଲା...ତୁମେ କ’ଣ ମୋତେ ଚିହ୍ନିପାରୁନାହଁ ?”

“ଦରିୟା... ?” ଚିହିଁପାରି କହିଲେ ଯୁବକ ।

“ଜୀ...” ଉତ୍ତରଦେଲା ଦରିୟା ବିବି ।

“ତୁ ଏଠାରେ କିପରି ?”

“କାହିଁକି...ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ମୁଁ ତ ଯେକୌଣସି ସ୍ଥାନକୁ ଯାଇପାରେ...ତୁମେ କେବେହେଲେ ମୋତେ ବାରଣ କରିନାହଁ... ।

“ମୁଁ କାହିଁକି ତୋତେ ବାରଣ କରିବି ? ତୁ ମୋର କିଏସେ ?” ଏତକ କହିଦେଇ ମୋବାରକ୍ ଟିକିଏ ହସିଦେଇ କହିଲେ–“କ’ଣ ତୋର ଦରକାର ଯେ... ?”

“ଦରିୟା କାନରେ ଆଙ୍ଗୁଳିଦେଇ ଶପଥ ଖାଇଲାପରି କହିଲା–‘‘ତୋବା, ତୋବା ।” ତୁମ ଟଙ୍କା ପଇସା ମୋ ପକ୍ଷରେ ହାରାମ୍... । ‘‘ମୁଁ ଅତର ତିଆରି କରି ଜାଣେ ।”

“ତା’ ହେଲେ...ମୋତେ ଅଟକାଇଲୁ କାହିଁକି ?”

 

“ଓହ୍ଲାଇପଡ଼...ତା’ପରେ କହିବି ।” କହିଲା ଦରିୟା ବିବି ।

 

ମୋବାରକ୍ ଘୋଡ଼ାଉପରୁ ଓହ୍ଲାଇ ଆସି କହିଲେ–‘‘ଏଥର କହ... ।”

 

“ହେ...ଇ...ଦେଖ, ଏଇ ଭିଡ଼ ଭିତରେ ଜଣେ ଭଲ ଜ୍ୟୋତିଷ ବସିଛନ୍ତି । ସେ ଏଠାକୁ ନୂଆ ହୋଇ ଆସିଛନ୍ତି । ଲୋକେ କହୁଛନ୍ତି–ୟାଙ୍କ ଭଳି ଜ୍ୟୋତିଷ କେବେ ଦେଖା ନଥିଲେ... । ଚାଲ... ୟା’ ପାଖରେ ତୁମେ ତୁମର ଭାଗ୍ୟଗଣନା କରିବ ।”

 

“କିନ୍ତୁ...ମୋ’ ଭାଗ୍ୟଗଣନାରୁ ତୋତେ ମିଳିବ କ’ଣ ? ବରଂ ତୁ ତୋ’ ଭାଗ୍ୟଗଣନା କରେଇ ବୁଝ... ।”

 

“ମୋ ଭାଗ୍ୟରେ କ’ଣ ଘଟିବ, ସେ କଥା ଜାଣିବାକୁ ମୋର ଇଚ୍ଛା ନାହିଁ । ଜ୍ୟୋତିଷ ଗଣନା ନକରି ମଧ୍ୟ ମୋ ଭାଗ୍ୟରେ କ’ଣ ଅଛି–ମୁଁ ଜାଣିସାରିଛି । ତୁମ ଭାଗ୍ୟ ଜାଣିବା ମୋର ନିହାତି ଦରକାର ।” ଏହା କହି ଦରିୟା ମୋବାରକ୍‌ଙ୍କ ହାତଧରି ଟାଣିବାରେ ଲାଗିଲା ।

 

ମୋବାରକ୍ ଦରିୟା କଥାରେ ଟିକିଏ ଉତ୍ସାହିତ ହୋଇ କହିଲେ–ମୋ ଘୋଡ଼ା ଧରିବ କିଏ ?

 

ସେତିକିବେଳେ ରାସ୍ତାରେ କେତୋଟି ପିଲା ଛିଡ଼ାହୋଇ ଲଡ଼ୁ ଖାଉଥିଲେ । ମୋବାରକ୍ ସେମାନଙ୍କୁ ଡାକି କହିଲେ–“ତୁମ ଭିତରୁ କେହି ଜଣେ ମୋ’ ଘୋଡ଼ାଟିକୁ ଧରିଥାଅ, ମୁଁ ଫେରିଆସି ତୁମକୁ ଆହୁରି ଲଡ଼ୁ ଖାଇବାକୁ ଦେବି ।”

 

ଏହା କହିବାମାତ୍ରେ ଦୁଇ ତିନୋଟି ପିଲା ଆସି ଘୋଡ଼ା ଧରିବା ଲାଗି ପ୍ରସ୍ତୁତ ହୋଇଗଲେ । ତା’ ମଧ୍ୟରୁ ଗୋଟିଏ ଲଙ୍ଗଳା ପିଲା ଘୋଡ଼ା ଉପରେ ବସିପଡ଼ିବାଲାଗି ଚେଷ୍ଟାକଲା-। ଏହା ଦେଖି ମୋବାରକ୍ ତାକୁ ମାରିବାକୁ ଯିବା ପୂର୍ବରୁ ଘୋଡ଼ା ପଛ ଗୋଡ଼ ଦୁଇଟିକୁ ଛାଟିଦେଇ ପିଲାଟାକୁ ପକାଇଦେଲା । ଏହା ଦେଖି ଅନ୍ୟ ପିଲାମାନେ ପଡ଼ିଯାଇଥିବା ପିଲାଟି ହାତରୁ ଲଡ଼ୁ ଛଡ଼ାଇ ନେଇ ଖାଇବାରେ ଲାଗିଗଲେ । ମୋବାରକ୍ ନିଶ୍ଚିନ୍ତ ହୋଇ ଭାଗ୍ୟଗଣନା କରାଇବାକୁ ଚାଲିଗଲେ ।

 

ମୋବାରକ୍‌ଙ୍କୁ ଦେଖିବାମାତ୍ରେ ଅନ୍ୟମାନେ ଆଡ଼ ହୋଇଗଲେ । ଦରିୟା ବିବି ତାଙ୍କ ସହିତ ଆଗେଇଗଲା; ଜ୍ୟୋତିଷ କେତେ ସମୟ ପର୍ଯ୍ୟନ୍ତ ତାଙ୍କ ହସ୍ତରେଖା ଦେଖି ଦେଖି କହିଲେ–‘‘ଆପଣ ଶୀଘ୍ର ବିବାହ କରିପକାନ୍ତୁ ।”

 

ଲୋକଗହଳି ମଧ୍ୟରେ ଲୁଚିରହି ଦରିୟା ବିବି ଜ୍ୟୋତିଷଙ୍କୁ ଶୁଣାଇଲା ପରି କହିଲା–‘‘କରିଛନ୍ତି ।”

 

“ସେ କିଏ ସେ କହୁଛି ?” ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଜ୍ୟୋତିଷ ।

 

“ଏ...ଗୋଟେ ପାଗଳୀ । ଆଚ୍ଛା ଆପଣ କହିଲେ...ମୋର ବିବାହ କେଉଁଠାରେ ହେବା ଭଲ ।”

 

“ଆପଣ କୌଣସି ଗୋଟିଏ ରାଜକୁମାରୀଙ୍କୁ ବିବାହ କରନ୍ତୁ... ।”

 

“ତା’ ଦ୍ଵାରା ଲାଭ କ’ଣ... ?”

 

“ତା’ ଫଳରେ ଶୀଘ୍ର ଆପଣଙ୍କ ପଦବୀର ଉନ୍ନତି ହୋଇଯିବ ।”

 

“ଭିଡ଼ ଭିତରେ ଥାଇ ଦରିୟା ବିବି ଉତ୍ତର ଦେଲା–‘‘ଆଉ ମୃତ୍ୟୁ କେବେ... ?”

 

“ସେଇଟା...କିଏ ସେ ?” ବିରକ୍ତ ହୋଇ ପଚାରିଲେ ଜ୍ୟୋତିଷ ।

 

“ସେଇ ପାଗଳୀଟା ଆଜ୍ଞା... !” କହିଲେ ମୋବାରକ୍ ।

 

“ପାଗଳୀ ନୁହେଁ... ! ସେ ବୋଧହୁଏ ମଣିଷ ବି ନୁହେଁ । ଛାଡ଼ନ୍ତୁ... । ମୁଁ ଆଉ ଆପଣଙ୍କ ହାତ ଦେଖିବି ନାହିଁ ।” ବିରକ୍ତ ହୋଇ କହିଲେ ଜ୍ୟୋତିଷ ।

 

ମୋବାରକ୍ କିଛି ବୁଝିପାରିଲେ ନାହିଁ । ସେ ଜ୍ୟୋତିଷଙ୍କୁ କିଛି ଦେଇ ଭିଡ଼ ମଧ୍ୟରେ ପଶି ଦରିୟା ବିବିକୁ ଖୋଜିବାରେ ଲାଗିଲେ; କିନ୍ତୁ କୌଣସିମତେ ସେ ଆଉ ଦରିୟାକୁ ପାଇପାରିଲେ ନାହିଁ । ତା’ପରେ ଅତି ବିଷଣ୍ଣ ଭାବରେ ଘୋଡ଼ାରେ ଚଢ଼ି ଦୁର୍ଗ ଆଡ଼କୁ ଆଗେଇ ଗଲେ; କିନ୍ତୁ ଯିବାପୂର୍ବରୁ ପିଲାମାନଙ୍କୁ କେତୋଟି ଲଡ଼ୁ ଧରାଇଦେଲେ ।

Image

 

ମୋଗଲ–ସୁନ୍ଦରୀ

 

ଦରିୟା ସେ ସମ୍ବାଦ ନେଇ କାହା ପାଖରେ ପହଞ୍ଚାଇଲା, କେତେ ସେଥିରୁ ଅର୍ଥ ଆଦାୟ କଲା, ସେ ବିଷୟ ଜାଣିବାଲାଗି ମୋଗଲ୍ ସମ୍ରାଟଙ୍କ ଅନ୍ତଃପୁରର ପରିଚୟ ଜାଣିବାକୁ ହେବ । ରାଜ୍ୟଶାସନ କ୍ଷେତ୍ରରେ ଭାରତର ମହିଳାମାନେ ଅତି ଦକ୍ଷତାର ପରିଚୟ ଦେଇଥିବାର ପ୍ରମାଣ ମିଳେ । ପାଶ୍ଚାତ୍ୟ ଦେଶର ଶାସନକ୍ଷେତ୍ରରେ ମହିଳାମାନଙ୍କ ଅବଦାନ ସର୍ମ୍ପକରେ ଜେନୋବିୟା, ଇଶାବେଲା, ଏଲିଜାବେଥ୍‍ ଓ କାଥାରାଇନ୍‌ଙ୍କ ପରି ଅଳ୍ପ କେତେ ଜଣଙ୍କ ନାମ ଶୁଣିବାକୁ ମିଳେ । ଭାରତବର୍ଷର କଥା ନିଆରା; ଏଠାରେ ଅନେକ ରାଜବଂଶର ମହିଳାମାନେ ରାଜ୍ୟଶାସନ କ୍ଷେତ୍ରରେ ଦକ୍ଷତାର ପରିଚୟ ଦେଇଛନ୍ତି; ବିଶେଷତଃ ମୋଗଲ୍ ସମ୍ରାଟଙ୍କ ଅନ୍ତଃପୂରଚାରିଣୀମାନେ ଏ କ୍ଷେତ୍ରରେ ଅନେକ ଉଦାହରଣ ଥୋଇଛନ୍ତି । କିନ୍ତୁ ରାଜନୀତିର ଜଟିଳ ସମସ୍ୟା ମଧ୍ୟରେ ସେମାନେ ଯେତିକି ନିପୁଣା ଥିଲେ, ଭୋଗବିଳାସ ଓ ଇନ୍ଦ୍ରିୟବାସନାର ଚରିତାର୍ଥ କରିବାରେ ସେମାନେ ଆହୁରି ବହୁପରିମାଣରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଯାଇଛନ୍ତି ।

 

ଆଓରଙ୍ଗ୍‌ଜେବ୍‌ଙ୍କର ଜାହାନ୍ନାରା ଓ ରୌଶନାରା ନାମରେ ଦୁଇଟି ଭଉଣୀ ଥିଲେ । ସେ ଦୁହିଁଙ୍କ ମଧ୍ୟରୁ ଜାହାନ୍ନାରା ଥିଲା ବାଦଶାହ ଶାହାଜହାଁଙ୍କର ପରାମର୍ଶଦାତ୍ରୀ । ମୋଗାଲ ସମ୍ରାଟ୍ ଝିଅର ପରାମର୍ଶ ବିନା କୌଣସି କାର୍ଯ୍ୟ କରୁ ନଥିଲେ; ଏପରିକି ଜାହାନ୍ନାରାର ପରାମର୍ଶକ୍ରମେ ସେ ଅନେକ କାର୍ଯ୍ୟରେ ସଫଳ ଓ ଯଶସ୍ଵୀ ହୋଇପାରିଥିଲେ । ଜାହାନ୍ନାରାର ପିତୃଭକ୍ତି ଓ ଶାସନକାର୍ଯ୍ୟରେ ଯେପରି ଦକ୍ଷତା ଥିଲା, ଇନ୍ଦ୍ରିୟବାସନାର ଚରିତାର୍ଥ ଲାଗି ସେ ତା’ଠାରୁ ଅଧିକ କୁତ୍ସିତ କାର୍ଯ୍ୟରେ ଲିପ୍ତଥିଲା । ତା’ ଜୀବନର କଳଙ୍କମୟ ଅଧ୍ୟାୟ ସମ୍ପର୍କରେ ବହୁ ଐତିହାସିକ ନାନାପ୍ରକାର କଦର୍ଯ୍ୟ ବିବରଣୀମାନେ ଉଲ୍ଲେଖ କରିଛନ୍ତି ।

 

ରୌଶନାରା ଥିଲା ପିତା ଶାହାଜହାଁଙ୍କର ବିପକ୍ଷ ଆଓରଙ୍ଗ୍‍ଜେବ୍‍ଙ୍କ ପକ୍ଷପାତିନୀ । ସେ ମଧ୍ୟ ଜାହାନ୍ନାରା ପରି ରାଜକାର୍ଯ୍ୟରେ ସୁଦକ୍ଷା ତଥା ଇନ୍ଦ୍ରିୟ ବିଷୟବାସନାରେ ବିଚାରଶୂନ୍ୟା ଥିଲା-। ଆଓରଙ୍ଗ୍‌ଜେବ୍‍ ପିତୃଦେବ ଶାହାଜହାଁଙ୍କୁ ପଦଚ୍ୟୁତକରି ବାଦଶାହ ପଦରେ ଅଭିଷିକ୍ତ ହେବାଲାଗି ମନସ୍ଥ କରିଥିବାବେଳେ, ରୌଶନାରା ବିଶେଷଭାବରେ ତାଙ୍କୁ ସାହାଯ୍ୟ କରୁଥିଲା । ଆଓରଙ୍ଗ୍‌ଜେବ୍‍ଙ୍କ ରାଜତ୍ଵକାଳରେ ରୌଶନାରା ଦ୍ଵିତୀୟ ବାଦଶାହ ରୂପେ କର୍ତ୍ତୃତ୍ଵ ବିସ୍ତାର କରିଥିବାରୁ, ତାହା ବାଦଶାହ ଆଓରଙ୍ଗ୍‌ଜେବ୍‌ଙ୍କ ପକ୍ଷରେ ଅତ୍ୟନ୍ତ ଅସହ୍ୟ ହୋଇଥିଲା । ଠିକ୍ ସେତିକିବେଳେ ରୌଶନାରାର ଦୁର୍ଭାଗ୍ୟକ୍ରମେ ତା’ର ପ୍ରତିଦ୍ଵନ୍ଦୀନୀରୂପେ ଜନୈକା ମହାଶକ୍ତିମତୀ ମହିଳା ମୁଣ୍ଡ ଟେକିଥିଲା । ଆଓରଙ୍ଗ୍‌ଜେବ୍‌ଙ୍କ ତିନିକନ୍ୟା ମଧ୍ୟରୁ କନିଷ୍ଠା ଦୁଇଜଣ ବନ୍ଦୀଥିବା ନିଜର ଜ୍ୟେଷ୍ଠ ପିତାଙ୍କ ଦୁଇ ପୁତ୍ରଙ୍କୁ ବିବାହ କରିଥିଲେ; କିନ୍ତୁ ଜ୍ୟେଷ୍ଠା ଜେବ୍ଉନ୍ନିସା ନିଜ ପିଉସୀ ଦୁଇଜଣଙ୍କ ପରି ବସନ୍ତକାଳୀନ ପ୍ରଜାପତି ପରି ଉଡ଼ି ଉଡ଼ି ବହୁପୁଷ୍ପରୁ ମଧୁ ଆଘ୍ରାଣ କରିବାକୁ ଲାଗିଲା ।

 

ଥରେ ଥରେ ପିଉସୀ ଓ ଝିଆରୀ ଇନ୍ଦ୍ରିୟବାସନାର ଚରିତାର୍ଥଲାଗି ଗୋଟିଏ ଗୋଟିଏ କ୍ଷେତ୍ରରେ ପରସ୍ପରର ପ୍ରତିଦ୍ଵନ୍ଦିନୀ ହୋଇଉଠୁଥିଲେ । ତେଣୁ ଝିଆରୀ ନିଜର ଦୁଷ୍ଟବୁଦ୍ଧିବଳରେ ପିଉସୀ ଦୁହିଁଙ୍କର ସର୍ବନାଶ ଘଟାଇବାର ଷଡ଼ଯନ୍ତ୍ରରେ ଲାଗିଗଲା । ସେ କୌଶଳକ୍ରମେ ପିଉସୀ ରୌଶନାରାର ଦୁଶ୍ଚରିତ୍ରର ବିବରଣୀ ବାଦଶାହଙ୍କ କର୍ଣ୍ଣଗୋଚର କରାଇଲା । ତେଣୁ ଚିରଦିନ ଲାଗି ରୌଶନାରା ପୃଥିବୀବକ୍ଷରୁ ଅପସାରିତା ହୋଇଗଲା ଏବଂ ଜେବ୍‌ଉନ୍ନିସା ପିଉସୀର ସ୍ଥାନ ଅଧିକାର କରି ପଦମର୍ଯ୍ୟାଦାର ସହିତ ନିଜ ବାସନା ଚରିତାର୍ଥରେ ସଫଳ ହୋଇପାରିଲା ।

 

ବାଦଶାହଙ୍କ ଅନ୍ତଃପୂର ମଧ୍ୟରେ କୁବ୍‌ଜାମାନଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷର ପ୍ରବେଶ ଅଧିକାର ନଥିଲା । ଅନ୍ତଃପୂର ମଧ୍ୟରେ ସତର୍କ ପ୍ରହରୀ ଭାବରେ ଗୋଟିଏ ସ୍ତ୍ରୀସେନା ନିଯୁକ୍ତ ହୋଇଥିଲା । ହିନ୍ଦୁ ରାଜାମାନେ ଯେପରି ନିଜ ନିଜର ଅନ୍ତଃପୂର ମଧ୍ୟରେ ଦୁର୍ଦ୍ଧର୍ଷ ଯବନୀମାନଙ୍କୁ ପ୍ରତିହାରିଣୀ ରୂପେ ନିଯୁକ୍ତ କରିଥିଲେ, ମୋଗଲ୍ ବାଦଶାହମାନେ ଠିକ୍ ସେହିପରି ତାତାର ଜାତୀୟ ରମଣୀମାନଙ୍କୁ ଅନ୍ତଃପୂରର ପ୍ରହରୀରୂପେ ରଖାଇଥିଲେ । ଏଇ ନାରୀସେନାଙ୍କ ଉପରେ ଜଣେ ବୁଦ୍ଧିମତୀ ନାରୀଙ୍କୁ ସେନାପତି ରୂପେ ନିଯୁକ୍ତି ଦିଆଯାଉଥିଲା । ସେ ଅନ୍ୟାନ୍ୟ ନାରୀସେନାଙ୍କ ତୁଳନାରେ ସମ୍ମାନାସ୍ପଦ ତଥା ଉଚ୍ଚ ବେତନଭୋଗୀରୂପେ ଗଣ୍ୟ ହେଉଥିଲେ । ରୌଶନ୍ୱାରା ସେହି ସମ୍ମାନାସ୍ପଦ ଅଧିକାର ଲାଭ କରିଥିଲା; କିନ୍ତୁ ହଠାତ୍ ତା’ର ଅନ୍ତର୍ଦ୍ଧାନରେ ଜେବ୍‌ଉନ୍ନିସା ସେହି ସେନାପତି ଦାୟିତ୍ଵ ପାଇଗଲା । ଏହି ପଦରେ ନିଯୁକ୍ତ ନାରୀ ଅନ୍ତଃପୂରର ସମସ୍ତ ଅଧିକାର ଲାଭ କରୁଥିଲା । ତେଣୁ ଜେବ୍‌ଉନ୍ନିସା ରଙ୍ଗମହଲ ମଧ୍ୟରେ ସର୍ବୋଚ୍ଚ କର୍ତ୍ତ୍ରୀରୂପେ ଶାସନର ଅଧିକାରିଣୀ ହୋଇଥିଲା । ଅନ୍ତଃପୁର ମଧ୍ୟରେ ଥିବା କୁବ୍‌ଜ, ପ୍ରତିହାରିଣୀ, ଦ୍ଵାରୀ, ଶିବିକାବାହକ ଏପରି କି ପୂଝାରୀ ଚାକରମାନେ ମଧ୍ୟ ଜେବ୍‌ଉନ୍ନିସାର ଇଙ୍ଗିତରେ ପରିଚାଳିତ ହେଉଥିଲେ । ତେଣୁ ତା’ର ପ୍ରଣୟୀ ଓ କୌଣସି ଗୁପ୍ତ ସନ୍ଦେଶ ଘେନି ଆସିଥିବା ସ୍ତ୍ରୀ, ଏହି ଦୁଇ ପ୍ରକାର ବାହାରର ଲୋକ ଅନ୍ତଃପୂର ମଧ୍ୟରେ ପ୍ରବେଶ କରିପାରୁଥିଲେ ।

 

ଜେବ୍‌ଉନ୍ନିସା ଅତ୍ୟନ୍ତ ବୁଦ୍ଧିମତୀ, ରାଜନୀତିନିପୂଣା ଥିବାରୁ ସମଗ୍ର ମୋଗଲଶାସନର ନୌକାଦଣ୍ଡ ତାହାରି ହାତରେ ରହିଥିଲା । ତେଣୁ ତାକୁ ମୋଗଲଶାସନର ନିୟନ୍ତ୍ରଣକାରିଣୀ ଭାବରେ ଲୋକେ ଜାଣିଥିଲେ । ରାଜନୀତି କାର୍ଯ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା ଗୁପ୍ତସମ୍ବାଦ ସଂଗ୍ରହ । କେଉଁଠାରେ କ’ଣ ହେଉଛି–ସେ ବିଷୟରେ ଟିକିନଖି ସମ୍ବାଦ ଜାଣିବା ନିତାନ୍ତ ଜରୁରୀ । ରାମାୟଣଯୁଗର ରାମଚନ୍ଦ୍ରଙ୍କଠାରୁ ଆରମ୍ଭକରି ଏ ଯୁଗର ବିସ୍‌ମାର୍କ ପର୍ଯ୍ୟନ୍ତ ସମସ୍ତେ ଏହି ନୀତିର ସମର୍ଥକ ଥିଲେ । ତେଣୁ ଜେବ୍‌ଉନ୍ନିସା ସେହି ପନ୍ଥାର ଅନୁସରଣ କରି ସମ୍ବାଦ ସଂଗ୍ରହ କରିବାଲାଗି କେତେକ ଲୋକଙ୍କୁ ନିଯୁକ୍ତ କରିଥିଲା । ସେଇମାନଙ୍କ ମଧ୍ୟରେ ଚିତ୍ରକର ଖିଜିର୍ ଥିଲା ଅନ୍ୟତମ । କାରଣ ତା’ର ମାଆ ଛବି ବିକ୍ରି କରିବାଲାଗି ବିଭିନ୍ନ ନଗରକୁ ଯାଇ ଯେଉଁ ସମ୍ବାଦ ଆଣି ପୁଅକୁ ଶୁଣାଉଥିଲା, ଖିଜିର ଜେବ୍‌ଉନ୍ନିସାକୁ ସେହି ସମ୍ବାଦ ଯୋଗାଇ ବେଶ୍ ହାତ ଚିକ୍‌ଣ କରିପାରୁଥିଲା । ଅନ୍ୟ ଜଣେ ଥିଲା–ଦରିୟା ବିବିର ଭଉଣୀ ଅତରବାଲୀ । ସେ ଅତର ଓ ସୂର୍‍ମା ବିକ୍ରି କରିବାବେଳେ ଯେଉଁ ସମ୍ବାଦ ସଂଗ୍ରହ କରେ, ଦରିୟା ସେହି ଖବର ଜେବଉନ୍ନିସାକୁ ଯୋଗାଇ ଦେଇ ପୁରସ୍କାର ପାଉଥିଲା । ସେଇଥିଲାଗି ଜେବ୍‌ଉନ୍ନିସା ଦରିୟା ବିବିକୁ ଖଣ୍ଡିଏ ପରୱାନା ଦେଇ ଅନ୍ତଃପୂର ମଧ୍ୟକୁ ଅବାଧରେ ଯା’ଆସ କରିବାଲାଗି ତା’ର ପଥ ପରିଷ୍କାର କରିଥିଲା । ପରୱାନାରେ ଲେଖାଥିଲା–ଦରିୟା ବିବିର ଅତର ଓ ସୂର୍‍ମା ବିକ୍ରୟ କରିବାଲାଗି ଅନ୍ତଃପୂରକୁ ଆସିପାରେ ।

 

ସେହି ପରୱାନା ଧରି ଦରିୟା ବିବି ଅନ୍ତଃପୂରରେ ପ୍ରବେଶ କରିବା ପୂର୍ବରୁ ଦେଖିଲା–ମୋବାରକ୍ ରଙ୍ଗମହଲ ଭିତରେ ପ୍ରବେଶ କରୁଛନ୍ତି । ତେଣୁ ସେ ଟିକିଏ ବିଳମ୍ବ କରି ରଙ୍ଗମହଲ ଭିତରକୁ ଗଲା । ଦରିୟା ଭିତରେ ପ୍ରବେଶ କରି ଦେଖିଲା–ଜେବ୍‌ଉନ୍ନିସାର ବିଳାସକକ୍ଷ ଆଡ଼କୁ ମୋବାରକ୍ ଅଗ୍ରସର ହେଉଛନ୍ତି । ତେଣୁ ସେ ଗୋଟିଏ ଗଛର ଆଢ଼ୁଆଳରେ ଛିଡ଼ାହୋଇ ଲୁଚିଲୁଚି ସେହିଠାରେ କିଛି ସମୟ ଅପେକ୍ଷା କରି ରହିଲା ।

Image

 

କୁବେରପୁରୀର ନରକ

 

ଦିଲ୍ଲୀ ନଗରୀର ସର୍ବଶେଷ୍ଠ ଆକର୍ଷଣୀୟ ଥିଲା ଦୁର୍ଗ । ଦୁର୍ଗମଧ୍ୟରେ ରାଜପ୍ରାସାଦମାଳା ଏବଂ ସେହି ପ୍ରାସାଦଗୁଡ଼ିକରେ ଯେଉଁ ବିଭବ, ରୂପ ତଥା ପାପ ରାଶି ଠୁଳ ହୋଇ ରହିଥିଲା, ତା’ର ତୁଳନା ସମଗ୍ର ଭାରତବର୍ଷରେ ନଥିଲା । ସେହି ରାଜପ୍ରାସାଦମାଳା ମଧ୍ୟରେ ଚକଚକିଆ ରତ୍ନ ସ୍ଵରୂପ ଥିଲା–ରଙ୍ଗମହଲ; ଏଠାରେ ଥିଲା କୁବେର ଓ କନ୍ଦର୍ପଙ୍କର ଅବାଧ ପ୍ରତିପତ୍ତି ଓ ରାଜତ୍ଵ । ତାହା ଭିତରକୁ ଚନ୍ଦ୍ରସୂର୍ଯ୍ୟ ପ୍ରବେଶ କରିପାରନ୍ତି ନାହିଁ, ଅତି ଗୋପନରେ କେବେକେବେ କେବଳମାତ୍ର ଯମଦେବତାଙ୍କର ଆଗମନ ସମ୍ଭବ ହୁଏ । ବାୟୁର ଗତି ସେଠାରେ ସମ୍ପୂର୍ଣ୍ଣ ଭାବରେ ନିଷେଧ । ସେଠାକାର ଘରଗୁଡ଼ିକ ବିଚିତ୍ର । ଗୃହର ସାଜସଜ୍ଜା ବିଚିତ୍ର ଓ ସର୍ବୋପରି ଅନ୍ତଃପୂରଚାରିଣୀ ସୁନ୍ଦରୀମାନେ ମଧ୍ୟ ଅଦ୍ଭୁତ ଚରିତ୍ରର । ମହାମୂଲ୍ୟବାନ୍ ରତ୍ନଖଚିତ ଶ୍ଵେତମର୍ମର–ନିର୍ମିତ କକ୍ଷ ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ; ନନ୍ଦନକାନନଠାରୁ ଆହୁରି ସୁନ୍ଦର ଉଦ୍ୟାନମାଳା ଅନ୍ୟଠାରେ ବିରଳ; ରମ୍ଭା, ଉର୍ବଶୀ, ମେନକାଙ୍କଠାରୁ ବହୁଗୁଣର ସୁନ୍ଦରୀ ବାଦଶାହଙ୍କ ଅନ୍ତଃପୂର ବ୍ୟତୀତ ଆଉ କୌଣସିଠାରେ ନାହାନ୍ତି; ଏତେ ଭୋଗବିଳାସର ସ୍ରୋତ ଅନ୍ୟ କେଉଁଠି ପ୍ରବାହିତ ହୁଏ ନାହିଁ ଏବଂ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏତେ ମହାପାପ ମଧ୍ୟ ଜଗତର ଅନ୍ୟ କୌଣସି ସ୍ଥାନରେ ଅବାଧରେ ଆସ୍ଥାନ ଜମାଇ ରହିପାରିନାହିଁ ।

 

ଏଇ କୁବେରପୁରୀର ନରକ ମଧ୍ୟରେ ଜେବଉନ୍ନିସାର କେଳିମନ୍ଦିର । ଅତି ମନୋହର ସେ କକ୍ଷ । ଶ୍ଵେତ କୃଷ୍ଣମର୍ମର–ନିର୍ମିତ ହର୍ମ୍ୟର ନିମ୍ନଭାଗ, ଶ୍ଵେତମର୍ମରରେ ଗଢ଼ା କକ୍ଷର ପ୍ରାଚୀର; ରତ୍ନରେ ନିର୍ମିତ ଲତା, ପତ୍ର, ପୁଷ୍ପ ଓ ଭ୍ରମରରେ କକ୍ଷଟି ସୁସଜ୍ଜିତ । କାନ୍ଥର ଚାରିଆଡ଼େ ଟିକିଏ ଉପରକୁ ବହୁ ମୂଲ୍ୟବାନ୍ ଦର୍ପଣ ସୁନାର ବୀଟ ଉପରେ ଲଗାଯାଇଛି । ଉପରେ ରୌପ୍ୟନିର୍ମିତ ଚନ୍ଦ୍ରାତପ, ସେଥିରେ ମୋତି ଏବଂ ସଜଫୁଟା ଫୁଲଝାଲର୍ । କକ୍ଷ ମଧ୍ୟରେ ବର୍ଷାର ଆଗମନରେ ସୁକୋମଳ ଦୂର୍ବାଦଳଠାରୁ ଅଧିକ ସୁକୋମଳ ଗାଲିଚା ବିଛାଯାଇଛି; ତା’ଉପରେ ଗଜଦନ୍ତରେ ନିର୍ମିତ ରତ୍ନାଳଙ୍କୃତ ପଲଙ୍କ । ତା’ଉପରେ ସ୍ଵର୍ଣ୍ଣତାରକସି କାମର ମୂଲାୟମ ବିଛଣା ଓ ନାନାପ୍ରକାର କାରୁକାର୍ଯ୍ୟଖଚିତ ମଖମଲ ତକିଆ । ଶେଯର ଚାରିପଟେ ନାନାପ୍ରକାର ରଙ୍ଗବିରଙ୍ଗ ପାତ୍ରରେ ରାଶି ରାଶି ସୁଗନ୍ଧ ପୁଷ୍ପ, ଅତର, କେଶର, ବହୁପ୍ରକାର ମସଲାଦିଆ ପାନ ଓ ସୂବର୍ଣ୍ଣ ଚଷକରେ ପ୍ରସ୍ତୁତ ସୂଗନ୍ଧିତ ସୁରା । ଏ ସମସ୍ତ ପ୍ରକାର ବିଳାସ–ସାମଗ୍ରୀର ମଧ୍ୟଭାଗରେ ଅସଂଖ୍ୟ ରତ୍ନ ଓ ପୂଷ୍ପଗୁଚ୍ଛ–ବିନିନ୍ଦିତ କାନ୍ତି ମୋଗଲ–ସୁନ୍ଦରୀ ଜେବ୍‌ଉନ୍ନିସା ହାତରେ ପାନପାତ୍ର ଧରି ଝରକା ପଥରେ ବହି ଆସୁଥିବା ମୃଦୁମନ୍ଦ ପବନରେ ନିଜର ପୁଷ୍ପମଣ୍ଡିତ କେଶପାଖକୁ ଶୀତଳ କରିବା ସଙ୍ଗେ ସଙ୍ଗେ ନୀରବ ନିଶୀଥର ନକ୍ଷତ୍ରଶୋଭା ଦେଖିବାରେ ତଲ୍ଲୀନ ହୋଇପଡ଼ିଥିଲା । ଠିକ୍ ଏହି ସମୟରେ ପ୍ରବେଶ କଲେ ସୁଠାମ ମୋଗଲଯୁବକ ମୋବାରକ୍ ।

 

ମୋବାରକ୍ ଜେବ୍‌ଉନ୍ନିସାର ପାଖରେ ବସି ତାମ୍ବୂଳ ଓ ସୁଗନ୍ଧିତ ଦ୍ରବ୍ୟଦ୍ଵାରା ସତ୍‌କୃତ ହୋଇ ନିଜକୁ ଧନ୍ୟ ମନେକଲେ । ଜେବ୍‌ଉନ୍ନିସା ମୋବାରକ୍‌କୁ ପ୍ରଫୁଲ୍ଲିତ କରାଇ କହିଲା–“ନ ଖୋଜିଲେ ଯେ ଆସି ଦରକାରବେଳେ ପହଞ୍ଚିଯାଏ,ସେଇ ପ୍ରକୃତରେ ଭଲପାଏ ।”

 

ମୋବାରକ୍ ଟିକିଏ ସଙ୍କୁଚିତ ହେଲାପରି କହିଲେ–“ଡାକରା ନ ପାଇ ଆସିଥିବାରୁ ବେଆଦବ୍ ହୋଇଛି; କିନ୍ତୁ ଭିକ୍ଷୁକକୁ କେହି ନ ଡାକିଲେ ବି ଆପେ ଆପେ ଆସେ ।”

 

“ତୁମର ଭିକ୍ଷା କ’ଣ ପ୍ରିୟତମ ?”

 

“ଭିକ୍ଷା...ମୌଲବୀସାହେବଙ୍କ ହୁକୁମ୍‌ନାମାରେ ଏଇ ଶବ୍ଦ ଶୁଣିବାରେ ମୋର ଅଧିକାର ହେଉ... ।”

 

“ଓଃ...ଏ ସେଇ ପୁରୁଣାକଥା । ବାଦଶାହଙ୍କର ଅଳିଅଳ ଦୁଲାଳୀ କ’ଣ କେବେ ବିବାହ କରିପାରେ ?”

 

“କାହିଁକି... ? ତୁମର ସାନଭଉଣୀ ଦୁହେଁ ତ ବିବାହ କରିଛନ୍ତି ... ।”

 

“ହଁ...ସେ ଦୁହେଁ ଶାହଜାଦାଙ୍କୁ ବିବାହ କରିଛନ୍ତି । ଶାହଜାଦୀମାନେ ଶାହଜାଦାଙ୍କ ବ୍ୟତୀତ ଅନ୍ୟ କାହାରିକୁ ବିବାହ କରନ୍ତିନି । ଜଣେ ଶାହଜାଦୀ କ’ଣ ଗୋଟିଏ ସାମାନ୍ୟ ଦୁଇଶହ ମନ୍‌ସୁବେଦାରକୁ ବିବାହ କରିପାରେ ?” ହସି ହସି କୁଟୀଳ ଭ୍ରୁଇଙ୍ଗିତ କରି କହିଲା ରଙ୍ଗବତୀ ଜେବ୍‌ଉନ୍ନିସା ।

 

“ତୁମେ ସର୍ବଶକ୍ତିମତୀ, ତୁମେ ବାଦଶାହଙ୍କୁ ଯାହା କହିବ, ସେ ତାହା ନିଶ୍ଚୟ ପୂରଣ କରିଦେବେ; ଏକଥା କିଏ ନ ଜାଣେ ?”

 

“କିନ୍ତୁ...ଯାହା ଅନୁଚିତ, ସେ ବିଷୟରେ ମୁଁ କେବେହେଲେ ବାଦଶାହଙ୍କ ଆଗରେ ମୁହଁ ଖୋଲିବି ନାହିଁ ।”

 

“ଆଉ...ଏ କ’ଣ ଉଚିତ ହେଉଛି ଶାହଜାଦୀ ସାହିବା ?”

 

“କ...ଅ...ଣ ?”

 

“ଏଇ ମହାପାପ... ।”

 

“ମହାପାପ କରୁଛି କିଏ ସେ ?” ଟିକିଏ ଚଢ଼ାଗଳାରେ କହିଲା ଜେବ୍‌ଉନ୍ନିସା ।

 

ମୋବାରକ୍ ସାହସ କରି ମୁଣ୍ଡଟେକି କହିଲେ–‘‘ତୁମେ ବୁଝୁନାହଁ... ?”

 

“ଯଦି ଏହା ମହାପାପ ବୋଲି ତୁମର ଧାରଣା; ତେବେ ଆଉ ଆସନାହିଁ ।”

 

ଶାହଜାଦୀର ରୋକ୍‌ଠୋକ୍ ଜବାବରେ ମନେ ମନେ କମ୍ପିଉଠିଲେ ମୋଗଲ ତରୁଣ ମୋବାରକ୍ । ସେ ଗୋଟିଏ କ୍ଷଣ ନୀରବ ରହି ଉତ୍ତର ଦେଲେ–‘‘ଯଦି ସେ ସାଧ୍ୟ ମୋର ଥାଆନ୍ତା, ମୁଁ ଆଉ ଆସନ୍ତି ନାହିଁ । କିନ୍ତୁ ଶାହଜାଦୀଙ୍କ ଅପୂର୍ବ ରୂପଲାବଣ୍ୟ ନିକଟରେ ମୁଁ ନିଜକୁ ବିକ୍ରୟ କରିଦେଇଛି ।”

 

“ବେଶ୍...ତୁମେ ମୋର କ୍ରୀତ... । ତେଣୁ ତୁମେ ନୀରବରେ ମୋ ଆଦେଶ ଅନୁସାରେ କାର୍ଯ୍ୟ କରିଯାଅ ।”

 

“ଯଦି ମୁଁ ଏକାକୀ ଏହି ପାପର ଭାଗୀଦାର ହେଉଥାଆନ୍ତି, ତେବେ ମୋର ଆପତ୍ତି ନଥିଲା; କିନ୍ତୁ ମୁଁ ତୁମକୁ ପ୍ରାଣଠାରୁ ଅଧିକ ଭଲପାଉଛି ।”

 

“ଜେବ୍‌ଉନ୍ନିସା ମୋବାରକ୍‌ର ପାପପୂଣ୍ୟ ଯୁକ୍ତି ଶୁଣି ଠୋ’ ଠୋ’ ହୋଇ ହସିଉଠି କହିଲା–‘‘ବାଦଶାହର ଦୁଲାଳୀ ପକ୍ଷରେ ପୁଣି ପାପ... ?”

 

ଏଥର ଆଉ ଟିକିଏ ସାହସର ସହିତ କହିଲେ ମୋବାରକ୍–‘‘ପାପପୂଣ୍ୟ ଆଲ୍ଲାଙ୍କର ଫରମାନ୍ ।”

 

“ଠିକ୍ କହିଛ ପ୍ରିୟ...କିନ୍ତୁ ମନେରଖ, ଆଲ୍ଲାଙ୍କର ଏ ହୁକୁମ୍ କାଫେରମାନଙ୍କ ପାଇଁ ତ ଅକିଞ୍ଚନ ଦରିଦ୍ର ଲୋକଙ୍କ ପାଇଁ... । ମୁଁ ହିନ୍ଦୁବ୍ରାହ୍ମଣ କିମ୍ବା ରାଜପୂତ୍ କନ୍ୟା ନୁହେଁ...ଆଜୀବନ ଗୋଟିଏ ସ୍ଵାମୀ ନିକଟରେ କ୍ରୀତଦାସୀ ହୋଇ ପରିଶେଷରେ ସତୀତ୍ଵର ଦ୍ଵାହିଦେଇ ନିଆଁରେ ଛଟପଟ ହୋଇ ପ୍ରାଣାହୁତି ଦେବି ? ଆଲ୍ଲା ଯଦି ସେହି ବିଧାନ ମୋ’ ଭାଗ୍ୟରେ ଲିପିବଦ୍ଧ କରିଥାନ୍ତେ, ତା’ହେଲେ ମୁଁ ବାଦଶାହଙ୍କର ଅଲିଅଳ କୁମାରୀ ଭାବରେ ଜନ୍ମଗ୍ରହଣ କରି ନଥାନ୍ତି ।”

 

ମୋବାରକ୍ ଜେବ୍‌ଉନ୍ନିସାର ବିଚିତ୍ର ବ୍ୟାଖ୍ୟା ଶୁଣି ମୁଣ୍ଡରେ ବଜ୍ରପାତ ହେବାପରି ବୋଧ କଲେ । ସେ ଏପରି କଦର୍ଯ୍ୟ କଥା କେବେହେଲେ ଶୁଣି ନଥିଲେ; ଏପରିକି, ଏଇ ନର୍କକୁଣ୍ଡ ଦିଲ୍ଲୀ ନଗରୀରେ ସୁଦ୍ଧା ସେ କାହାରି ମୁହଁରୁ ଏପରି ଜଘନ୍ୟ ମୀମାଂସା ଶୁଣି ନଥିଲେ । ଅନ୍ୟ କେହି ଏ କଥା ତୁଣ୍ଡରେ ଧରିଥିଲେ ନିଶ୍ଚୟ ତାଙ୍କ ମୁହଁରୁ ବାହାରିଯାଇଥାଆନ୍ତା–‘‘ତୋ ମୁଣ୍ଡରେ ବଜ୍ର ପଡ଼ୁ ।” କିନ୍ତୁ ସେ ଜେବ୍‌ଉନ୍ନିସାର ଅପୂର୍ବ ରୂପଲାବଣ୍ୟ ସ୍ରୋତରେ ନିଜକୁ ଅସହାୟ ଭାବରେ ଭସାଇ ଦେଇଥିଲେ; ତେଣୁ କେବଳ ନିର୍ବାକ୍ ହୋଇ ତା’ ମୁହଁକୁ ଚାହିଁ ରହିଲେ । ଜେବ୍‌ଉନ୍ନିସା ପୂର୍ବପରି କେତେକଥା କହିଯାଇ ଶେଷରେ କହିଲା–‘‘ଛାଡ଼ ସେ ବାଜେ କଥା । ଅନ୍ୟ କେତେକଥା ଅଛି । ଆଉ କେବେହେଲେ ଏକଥା ମୁହଁରେ ଧରିବନି । ଯଦି କୁହ... ।”

 

“ମୋତେ ଭୟ ଦେଖାଇ ଲାଭ କ’ଣ ? ମୁଁ ବେଶ୍ ଭଲ ଭାବରେ ଜାଣେ, ତୁମେ ଯାହା ଆଡ଼କୁ ଟିକିଏ ଅପ୍ରସନ୍ନ ଦୃଷ୍ଟିରେ ଚାହିଁବ, କ୍ଷଣକ ମଧ୍ୟରେ ତା’ର ଗଣ୍ଡିରୁ ମୁଣ୍ଡ ଛିନ୍ନ ହୋଇ ଭୂଲୁଣ୍ଠିତ ହେବ । ତଥାପି ୟା ମଧ୍ୟ ବୋଧହୁଏ ତୁମେ ଜାଣିଛ–ମୋବାରକ୍ ମୃତ୍ୟୁକୁ ଭୟ କରେନାହିଁ ।”

 

“ମୃତ୍ୟୁ ଅପେକ୍ଷା କ’ଣ କଠୋର ଦଣ୍ଡ ଆଉ କିଛି ନାହିଁ... ?” ଓଠଫାଙ୍କରେ ଚେନାଏ ହସ ବିଞ୍ଚିଦେଇ କହିଲା ଜେବ୍‌ଉନ୍ନିସା ।

 

“ଅଛି...ତା’ ହେଉଛି–ତୁମର ବିଚ୍ଛେଦ... ।”

 

“ଏପରି ଅସଙ୍ଗତ କଥା ବାରମ୍ବାର କହିଲେ ସେ ଦଣ୍ଡବିଧାନ ମଧ୍ୟ ଅସମ୍ଭବ ନୁହେଁ ।”

 

ମୋବାରକ୍ ବେଶ୍ ଜାଣିଥିଲେ–ପାପିଷ୍ଠା ମନେକରି ଜେବ୍‌ଉନ୍ନିସାକୁ ପରିତ୍ୟାଗ କଲେ ଏକସଙ୍ଗରେ ଦୁଇଟି ଦଣ୍ଡବିଧାନ ନିଶ୍ଚିତ । ତଥାପି ସେ ମୃତ୍ୟୁ ଆଗରେ ଅବନତ ହେବାକୁ ଆଦୌ ଭୟ କରୁନଥିଲେ; କିନ୍ତୁ ବାଦଶାହଜାଦୀର ରୂପଜ୍ଵାଳାରେ ସେ ପତଙ୍ଗ ପରି ଝାସ ଦେଇସାରିଥିଲେ; ତେଣୁ ତାକୁ ପରିତ୍ୟାଗ କରିବା ତାଙ୍କର ସାଧ୍ୟାତୀତ ଥିଲା; ସେହି ପାପପଙ୍କରୁ ଉଦ୍ଧାର ପାଇବାର ତାଙ୍କର ଶକ୍ତି ନ ଥିଲା । ତେଣୁ ମୋବାରକ୍ ବିନୀତ ଭାବରେ ଆଜ୍ଞାକାରୀ ଭୃତ୍ୟପରି କହିଲେ–“ତୁମେ ନିଜ ଇଚ୍ଛାମତେ ଯେତିକି ପ୍ରେମଭିକ୍ଷା ଦେବ, ତାହାହିଁ ହେବ ଏ ପ୍ରେମକାଙ୍ଗାଳର ଜୀବନସର୍ବସ୍ଵ । ତଥାପି ଏ ଅକିଞ୍ଚନ ଖିଦ୍‌ମତ୍‌ଗାର ମନ ମଧ୍ୟରେ କେତେକ ଦୁରାକାଙ୍‌କ୍ଷା ପୋଷଣ କରିଛି । କାଙ୍ଗାଳ ଓ ପଥର ଭିକାରି କ’ଣ ମନେ ମନେ ବାଦଶାହ ହେବାର ଧାରଣା ପୋଷଣ କରେନି କି ?”

 

ମୋବାରକ୍ ମୁହଁରୁ ନିଜର ପ୍ରଶଂସାର ଉତ୍‌ଫୁଲ୍ଲିତା ହୋଇ ଯବନସୁନ୍ଦରୀ ଜେବ୍‌ଉନ୍ନିସା ତାଙ୍କୁ ଆସବ ଓ ସୁବାସିତ ତାମ୍ବୂଳ ଦାନରେ ଆପ୍ୟାୟିତ କରିବା ସଙ୍ଗେ ସଙ୍ଗେ ପ୍ରଣୟସମ୍ଭାଷଣପୂର୍ବକ ବିଦାୟ ଦେଲା । ମୋବାରକ୍ ରହସ୍ୟମୟ ରଙ୍ଗମହଲରୁ ବାହାରି ଅଳ୍ପ କେଇ ପହଣ୍ଡ ଅଗ୍ରସର ହେବାମାତ୍ରେ, ଦରିୟା ବିବି ବୃକ୍ଷର ଘନଚ୍ଛାୟାରୁ ବାହାରିଆସି ତାଙ୍କୁ ଧରିପକାଇ କହିଲା–“ବେଶ୍ ଚମତ୍କାର । ରାଜକୁମାରୀ ସହିତ ବିବାହ ସ୍ଥିର ହୋଇଗଲା ତ ?”

 

“କିଏ ?” ଚମକିପଡ଼ି କହିଲେ ମୋବାରକ୍ ।

 

“ମୁଁ...ସେଇ ଦରିୟା ବିବି... ।”

 

“ଦୁର୍...ହ...ଦୁସ୍ମନ...ଶୟତାନ୍ । ତୁ ଏଠାରେ କିପରି ?”

 

“ତୁମେ କ’ଣ ଜାଣିନାହଁ...ମୁଁ ଗୁପ୍ତଖବର ବିକ୍ରୟ କରେ... ?”

 

ଏ କଥା ଶୁଣି ମୋବାରକ୍‌ଙ୍କ ରୋମମୂଳ ଆତଙ୍କରେ ଟାଙ୍କୁରିଉଠିଲା । ସେଥିପ୍ରତି ଦୃଷ୍ଟି ନଦେଇ ପୁଣି କହିଲା ଦରିୟା ବିବି–“ରାଜକୁମାରୀ ସହିତ ବିବାହ କ’ଣ ନିଶ୍ଚିତ ହୋଇଗଲା ।”

 

“ରାଜକୁମାରୀ କିଏ ସେ ?” ଟିକିଏ ଉତ୍ତେଜିତ ହେବାପରି ଥରିଲା ଗଳାରେ ପଚାରିଲେ ମୋବାରକ୍ ।

 

“ଶାହଜାଦୀ ଜେବ୍‌ଉନ୍ନିସା ବେଗମ୍ ସାହିବା । ଶାହଜାଦୀ କ’ଣ ରାଜକୁମାରୀ ନୁହଁନ୍ତି କି-?”

 

“ମୁଁ ତୋତେ ଏଇଲାଗେ ଖୁନ୍ କରିବି... ।”

 

“ତା’ହେଲେ ମୁଁ ହଲ୍ଲା କରିଦିଏ... ?”

 

“ହେଉ...ଛାଡ଼ । ନାଃ...ମୁଁ ଖୁନ୍ କରିବିନି । ତୁ କାହା ପାଖରେ ସମ୍ବାଦ ବିକିବାକୁ ଆସିଛୁ କହ ।”

 

“ସେଇ କଥା କହିବାଲାଗି ଏଇଠି ଛିଡ଼ାହୋଇଛି । ମୁଁ ଆସିଛି ହଜ୍‌ରତ୍ ଜେବ୍‌ଉନ୍ନିସା ବେଗମ୍‌ଙ୍କ ପାଖକୁ ।”

 

“କି ଗୁପ୍ତସମ୍ବାଦ ବିକ୍ରୟ କରିବୁ ?”

 

“ଏଇଆ...ଆଜି ତୁମେ ଜ୍ୟୋତିଷ ପାଖରେ ଭାଗ୍ୟଗଣନା କରି ଜାଣିପାରିଛ ଯେ, କୌଣସି ଶାହଜାଦୀକୁ ବିବାହକଲେ ତୁମ ଭାଗ୍ୟ ଜଳିଉଠିବ ।”

 

“ଦରିୟା ବିବି, ମୁଁ ତୋର କି ଅପରାଧ କରିଛି ଯେ, ତୁ ମୋ’ ଉପରେ ଏପରି ଦାଉ ସାଧିବାକୁ ବସିଛୁ ?”

 

“କ’ଣ ନ କରିଛ ? ତୁମେ ମୋର ଯାହା ଅନିଷ୍ଟ କରିଛ, ତା’ ଅପେକ୍ଷା ଆଉ କିଛି ବଡ଼ଧରଣର ଅନିଷ୍ଟ ଗୋଟିଏ ସ୍ତ୍ରୀଲୋକର କରାଯାଇପାରେନା ।”

 

“କାହିଁକି ପ୍ରିୟେ ? ମୋ’ ପରି ଆଉରି କେତେ ଲୋକ ଅଛନ୍ତି ।”

 

“ନାଃ...ଏପରି ପାପିଷ୍ଠ ଆଉ କେହି ନାହାନ୍ତି ।”

 

“ମୁଁ ପାପିଷ୍ଠ ନୁହେଁ; କିନ୍ତୁ ଏଠାରେ ଛିଡ଼ାହୋଇ ଏସବୁ କଥାବାର୍ତ୍ତା କରିବା ଠିକ୍ ହେବନାହିଁ । ଅନ୍ୟ ସ୍ଥାନରେ ତୁ ମୋ ସହିତ ସାକ୍ଷାତ କଲେ ମୁଁ ସବୁକଥା ବୁଝାଇଦେବି ।” ଏହା କହି ମୋବାରକ୍ ପୁଣି ଜେବ୍‌ଉନ୍ନିସାର ବିଳାସକକ୍ଷ ମଧ୍ୟକୁ ଫେରିଯାଇ କହିଲା–‘‘ମୁଁ ପୁଣି ଥରେ ଆସି ଭୁଲ କରିଛି, କ୍ଷମାଦେବେ । ଏବେ ତୁମ ହଜୁରରେ ଦରିୟା ବିବି ହାଜିର ହୋଇଛି । ସେ ଗୋଟିଏ ପାଗଳୀ । ସେ ତୁମ ଆଗରେ ମୋ’ ବିରୁଦ୍ଧରେ କେତେ କଥା ଫରିୟାଦ୍ କରିବ । ତେଣୁ ଅନୁରୋଧ, ମୋ ପାଖରୁ ସେକଥାର ଜବାବ୍ ନଶୁଣି ମୋ ଉପରେ କ୍ରୋଧ କରିବ ନାହିଁ ।”

 

ଜେବ୍‌ଉନ୍ନିସା ସବୁ ଶୁଣିସାରି କହିଲା–‘‘ତୁମ ବିରୁଦ୍ଧରେ କିଛି ଶୁଣି ରାଗିବା ଅବସ୍ଥାରେ ମୁଁ ଆଉ ନାହିଁ । ତୁମ ଉପରେ ରାଗିଲେ ମୁଁ ଅଶେଷ ଦୁଃଖ ଭୋଗ କରିବି । ତୁମ ନିନ୍ଦା ଶୁଣିବାକୁ ମୋ କାନ ଆଉ ପ୍ରସ୍ତୁତ ନୁହେଁ ।”

 

“ଏ ଦାସାନୁଦାସ ପ୍ରତି ସେତିକି ଅନୁଗ୍ରହ ଚିରକାଳ ରହୁ, ଏହା ହିଁ ମୋର ପ୍ରାର୍ଥନା ।” ଏହା କହି ମୋବାରକ୍ ପୁଣି ଥରେ ବିଦାୟ ନେଇ ସେଠାରୁ ବାହାରିଗଲେ ।

Image

 

ଗୁପ୍ତସନ୍ଦେଶ

 

ଜେବ୍‌ଉନ୍ନିସାର ବିଳାସକକ୍ଷର ଦ୍ଵାରରେ ଗୋଟିଏ ତାତାର ଯୁବତୀ ଖଡ଼୍‌ଗ ଧାରଣକରି ପ୍ରହରୀକାର୍ଯ୍ୟରେ ନିଯୁକ୍ତ ଥିଲା । ସେ ଦରିୟା ବିବିକୁ ଦେଖି କହିଲା–‘‘ଏତେ ରାତିରେ କାହିଁକି ?”

 

“ସେ ବିଷୟ କ’ଣ ପହାରାବାଲୀକୁ କହିବି ? ତୁ ଖବର ଦେ’ ଆଗ ।”

 

“ତୁ ନିକଲି ଯାଃ...ମୁଁ ଖବର ଦେବି ନାହିଁ ।”

 

“ରାଗନା ମିତ ! ତୁମରି ଚାହାଣିରେ କେତେ କାବୁଲ୍ ଓ ପଞ୍ଜାବ ଫତେ ହୋଇପାରିବ । ତା’ପରେ ପୁଣି ହାତରେ ଧରିଛି ତୀକ୍ଷ୍‌ଣ ତରବାରି । ତୁମେ କ’ଣ ରାଗିଲେ ଚଳିବ ? ଏଇ ଦେଖ ମୋର ପରୱାନା, ଶୀଘ୍ର ଯାଇ ଖବର ଦିଅ ।”

 

ପ୍ରତିହାରିଣୀ ଯୁବତୀର ଓଠ ତଳେ ଗୋଟିଏ ମୃଦୁ ହାସ୍ୟରେଖା ଅଙ୍କିତ ହୋଇଗଲା । ସେ ହସି ହସି କହିଲା–“ତୋତେ ଚିହ୍ନିଛି, ଆଉ ତୋ’ ପରୱାନା ମଧ୍ୟ ଦେଖିଛି । ଏତେ ରାତିରେ ହଜ୍‌ରତ୍ ବେଗମ୍ ସାହିବା କ’ଣ ତୋ’ଠାରୁ ସୂର୍‌ମା କିଣିବେ ? ତୁ କାଲି ସକାଳେ ଆସିବୁ ଯା...ଆ-। ଏବେ ଘରେ ତୋର ଗିରସ୍ତ ଚାହିଁଥିବ, ତା’ ପାଖକୁ ଚାଲିଯା । ଯଦି ନଥାଏ... ।”

 

“ତୋତେ ମରଣବାଡ଼ି ହେଉ । ତୋ’ ଢାଲ ତରବାରି ଗାତଚୁଲିକୁ ଯାଉ । ତୋ ଓଢ଼ଣା ପାଇଜାମାରେ ନିଆଁ ଲାଗୁ । ତୁ କ’ଣ ଭାବିଛୁ–ସେପରି ବିଶେଷ ଜରୁରୀ କାମ ନଥିଲେ ମୁଁ ଏତେ ରାତିରେ ଆସିଥାଆନ୍ତି ?” ଆଖି ନଚାଇ କହିଲା ଦରିୟା ।

 

“ତା’ପରେ ତାତାର ଯୁବତୀ ଦରିୟାର କାନ ପାଖରେ ଫୁସ୍‌ଫୁସ୍ ହୋଇ କହିଲା–‘‘ଜାଣିନୁ ? ଏବେ ହଜ୍‌ରତ୍ ବେଗମ୍ ସାହିବା ମନଫୁରୁଣା ଅଏସରେ ମାତିଥିବେ, ବୁଝିଲୁ-?”

 

“ଆଲୋ...ସେକଥା କ’ଣ ମୁଁ ଜାଣେନି ? ତୁ ଅଏସ୍ କରିବାକୁ ଚାହୁଁଛୁ, ନେଃ...କର ।” ଦରିୟା ଓଢ଼ଣୀ ଭିତରୁ ଗୋଟିଏ ଶିଶି ବାହାରକରି ଠିପି ଖୋଲିଦେଲା । ତାତାର ଯୁବତୀ ଆଁ...କରିଦେବା ମାତ୍ରେ ଦରିଆ ଶିଶିଟିକୁ ତା’ ମୁହଁରେ ଢାଳିଦେଲା । ଶୁଖିଲା ନଈ ପରି ଏକାନିଃଶ୍ଵାସକରେ ତାତାର ତରୁଣୀ ସେତକ ଢକ୍‌ଢକ୍‌ କରି ଶୋଷିନେଇ କହିଲା–‘‘ବିସ୍ ମିଲ୍ଲା... । ବଢ଼ିଆ ମାଲ୍ । ହଉ...ତୁ ଛିଡ଼ା ହୋଇଥା...ମୁଁ ଏତଲା କରୁଛି ।”

 

“ଯୁବତୀଟି ଭିତରକୁ ପଶିଯାଇ ଦେଖିଲା–ଜେବ୍‌ଉନ୍ନିସା ହସି ହସି ଫୁଲରେ ଗୋଟିଏ କୁକୁର ତିଆରି କରୁଛି । ଠିକ୍ ମୋବାରକ୍ ମୁହଁପରି କୁକୁରର ମୁହଁ ଦେଖାଯାଉଛି । ଆଉ ବାଦଶାହମାନଙ୍କର ମାର୍ ପେଞ୍ଚ ନୀତିପରି ତା’ ଲାଙ୍ଗୁଳଟା ବକ୍ର ହୋଇଛି । ଜେବ୍‌ଉନ୍ନିସା ତାତାର ଯୁବତୀକୁ ଦେଖିବାମାତ୍ରେ କହିଲା–‘‘ଯାଃ, ନାଚବାଲୀକୁ ଡାକିଦେ... ।”

 

ରଙ୍ଗମହଲରେ ସବୁ ବେଗମ୍‌ଙ୍କ ମନବିନୋଦନ ଲାଗି ଗୋଟିଏ ଗୋଟିଏ ନାଚଦଳ ରହିଥିଲା । ଘରେ ଘରେ ନୃତ୍ୟଗୀତ ଚାଲିଥିଲା । ସେହିପରି ଗୋଟିଏ ନର୍ତ୍ତକୀଦଳ ଜେବ୍‌ଉନ୍ନିସାର ଆମୋଦପ୍ରମୋଦ ଲାଗି ନିଯୁକ୍ତ ଥିଲେ । ପ୍ରତିହାରିଣୀ କୁର୍ଣିସ୍ କରି ଫେରି ଯାଉଯାଉ କହିଲା–“ଜୋ ହୁକୁମ୍ । ଦରିୟା ବିବି ହାଜିର୍ ହୋଇଛି । ମୁଁ ତାକୁ ବାହାରକରି ଦେଉଥିଲି; କିନ୍ତୁ ସେ ମାନୁନାହିଁ ।”

 

“ନିଶ୍ଚୟ ତୋତେ କିଛି ବକ୍‌ସିସ୍ ଦେଇଛି, ନୁହେଁ ?”

 

ତାତାର ସୁନ୍ଦରୀ ଲାଜରେ ସଢ଼ିଯାଇ ଓଢ଼ଣାଟିକୁ ବେଶ୍ ଢଳେଇ ଆଣିଲା । ତାହା ଭଲଭାବରେ ଲକ୍ଷ୍ୟକରି କହିଲା ଜେବ୍‌ଉନ୍ନିସା–“ଯା ନାଚବାଲୀଙ୍କୁ ଡାକିଆଣ, ଦରିୟାକୁ ପଠାଇ ଦେ...”

 

ଦରିୟା ବିବି ବିଳାସକକ୍ଷକୁ ପଶିଆସି କୁର୍ଣ୍ଣିସ୍ କରି ଫୁଲରେ ତିଆରି କୁକୁରଆଡ଼କୁ ଏକଲୟରେ ଚାହିଁରହିଲା । ତା’ ଦେଖି ପଚାରିଲା ବେଗମ୍–‘‘କହିଲୁ ଦରିୟା, କିପରି ହୋଇଛି ?”

 

“ଠିକ୍ ମନ୍‌ସବ୍‌ଦାର୍ ମୋବାରକ୍‍ ଖାଁ ସାହେବଙ୍କ ପରି ଦେଖାଯାଉଛି ।” କହିଲା ଦରିୟା ବିବି ।

 

“ବେଶ୍ କହିଛୁ । ନେବୁ ?”

 

“କାହାକୁ ନେବାପାଇଁ କହୁଛନ୍ତି ? କୁକୁରଟାକୁ ନା ମଣିଷଟାକୁ ?”

 

ଦରିୟାର କଥା ଶୁଣି ଜେବ୍‌ଉନ୍ନିସାର ମୁହଁ ରାଗରେ ଲାଲ୍ ହୋଇଗଲା । ସଙ୍ଗେ ସଙ୍ଗେ ସେ ନିଜର ମନୋଭାବ ଚାପିଦେଇ କହିଲା–‘‘ଯେଉଁଟା ନେବାପାଇଁ ତୋର ଇଚ୍ଛା... ।”

 

“ତା’ ହେଲେ...ଆଦରର କୁକୁରଟିକୁ ହଜ୍‌ରତ୍ ସାହିବା ରଖନ୍ତୁ; ମୁଁ ମଣିଷଟିକୁ ନେବି ।”

 

“ଏବେ ମୋ ହାତରେ କୁକୁରଟା ରହିଛି, ମଣିଷଟା ତ ହାତପାହାନ୍ତାରେ ନାହିଁ, ଏଇଲେ କୁକୁରଟା ନେଇଯା... ।” ଏହା କହି ମଦନିଶାର ମାତଲାମିରେ ତିଆରି କରିଥିବା ଫୁଲର କୁକୁରଟାକୁ ଭାଙ୍ଗିଦେଇ ଫୁଲଗୁଡ଼ିକୁ ଦରିୟା ଉପରକୁ ଫିଙ୍ଗିଦେଲା । କାଳେ ଅଭଦ୍ରାମୀ ହେବ, ତେଣୁ ଦରିୟା ତଳୁ ଫୁଲଗୁଡ଼ିକ ଗୋଟାଇ ଓଢ଼ଣୀରେ ଧରିରଖି କହିଲା–‘‘ଯାହାହେଉ, ହଜୁର୍‌ଙ୍କ କୃପାରୁ ମୁଁ ମଣିଷ ଓ କୁକୁର ଦୁଇଟିକୁ ପାଇଲି ।”

 

“କିପରି ?” ପ୍ରଶ୍ନସୂଚକ ଚାହାଣିରେ ଦରିୟାକୁ ଚାହିଁ ପଚାରିଲା ଜେବ୍‌ଉନ୍ନିସା।

 

“ମଣିଷଟି ମୋର... ।”

 

“କିପରି... ?”

 

“ମୋ’ ସହିତ ତା’ର ବିବାହ ସରିଛି ।”

 

“ନିକଲି ଯାଃ...ଏଠାରୁ । ଜେବ୍‌ଉନ୍ନିସା ଜୋର୍‌ରେ ମୁଠାମୁଠା ଫୁଲ ଛାଟି ପ୍ରହାରକଲା ଦରିୟାକୁ ।

 

ଦରିୟା ହାତଯୋଡ଼ି ଟିକିଏ ଲଇଁପଡ଼ି କହିଲା–“ହଜୁର, କସୁର୍ ମାଫ୍‌ହେଉ, ଏବେ ବି ସେ ମୁଲ୍ଲା ମୌଲବୀ ଜୀବିତ ଅଛନ୍ତି । ହଜ୍‌ରତ୍ ସାହିବା ତାଙ୍କୁ ପଚାରି ବୁଝନ୍ତୁ ।”

 

“ଜାଣିଛୁ ହାରାମଜାଦୀ, ମୋରି ହୁକୁମରେ ସେମାନଙ୍କୁ ଶୂଳିରେ ବସାଇଦେଇ ପାରିବି-।”

 

ଦରିୟା ବେଶ୍ ଜାଣିଥିଲା । ବାଘୁଣୀପରି ସେହି ମୋଗଲ୍ ତରୁଣୀକୁ ସେ ମନେମନେ କମ୍ପି ଉଠି ବିନୀତଭାବରେ କହିଲା–“ଶାହଜାଦୀ ସାହିବା, ବାଁଦୀ ଖୁବ୍ ଗରିବ । ମୋର ସେସବୁ କଥାରେ ଯାଏ ଆସେ କେତେ ? ହଜୁରଙ୍କ ଇଜ୍‌ଲାସ୍‌ରେ ଗୋଟିଏ ଗୁପ୍ତ ଖବର ଦେବାକୁ ଆସିଛି-।”

 

“କି ଖବରଟେ ଆଣିଛୁ କହ ।” ବିରକ୍ତିମିଶା ସ୍ଵରରେ କହିଲା ଶାହଜାଦୀ ।

 

“ଗୋଟେ ନୁହେ, ଦୁଇଦୁଇଟା ଖବର... । ଗୋଟିଏ ହେଉଛି–ଏଇ ମୋବାରକ୍ ଖାଁଙ୍କ ବିଷୟରେ; କିନ୍ତୁ ହୁକୁମ୍ ନ ମିଳିଲେ କହିବାକୁ ସାହସ ହେଉନି ।”

 

“କହ ।” ପୂର୍ବପରି ଚଢ଼ାଗଳାରେ କହିଲା ନିଶାରେ ଟୁଳଟୁଳ ଜେବ୍‌ଉନ୍ନିସା ।

 

“ଇଏ ଆଜି ରାତିରେ ଚୌକରେ ବସୁଥିବା ଗଣେଶ ଜ୍ୟୋତିଷ ପାଖକୁ ନିଜର ଭାଗ୍ୟଗଣନା କରିବାକୁ ଯାଇଥିଲା ।”

 

“ଜ୍ୟୋତିଷ କଅଣ କହିଲା ?”

 

“ସେ ତା’ର ଭାଗ୍ୟରେଖା ଗଣନାକରି କହିଲା–ଶାହାଜାଦୀଙ୍କୁ ସାଦି କର୍, ତୋର ଉନ୍ନତି ହେବ ।”

 

“ଖଚକହୀ...ମିଛ କହୁଛୁ ମୋ ଆଗରେ ? ମନ୍‌ସବ୍‌ଦାର୍ ଜ୍ୟୋତିଷ ପାଖକୁ ଗଲା କେତେବେଳେ ?”

 

“ଠିକ୍ ଏଠାକୁ ଆସିବା ଆଗରୁ... ।”

 

“କିଏ ଏଠାକୁ ଆସିଥିଲା... ?”

 

ଏକଥା ଶୁଣି ଦରିୟା ମନେମନେ ଡରିଗଲା; କିନ୍ତୁ ପରମୁହୂର୍ତ୍ତରେ ସାହସ ବାନ୍ଧି କହିଲା–‘‘ମୋବାରକ୍ ଖାଁ ସାହେବ ।”

 

“ତୁ...ଜାଣିଲୁ କିପରି ?”

 

“ମୁଁ ଆସିବାବେଳେ ଦେଖିଛି... ।”

 

“ଯେ ଏକଥା ମୁହଁରେ ଧରେ, ଜାଣିଛୁ ତା’ର ଦଶା କ’ଣ ହୁଏ ? ମୁଁ ତାକୁ ଶୂଳିରେ ଚଢ଼ାଇଦିଏ ।”

 

ଦରିୟା ଭୟରେ ଥରିଉଠି କହିଲା–‘‘ବେଗମ୍ ସାହିବାଙ୍କ ହଜୁର୍‌ରେ ଏକଥା କହିଲି ସିନା, ଆଉ କାହାରି ଆଗରେ ମୁଁ ଏକଥା ତୁଣ୍ଡରେ ଧରିନାହିଁ ।”

 

“ମନେରଖ, ଯଦି ଏ କଥା କାହାରି ଆଗରେ କହିବୁ; ତା’ହେଲେ ଜଲ୍ଲାଦ୍ ହାତରେ ତୋ’ ଜିଭ କାଟି କୁକୁର ଆଗରେ ପକାଇ ଦିଆଯିବ । ଆଉ ଗୋଟେ ଖବର କ’ଣ କହ ?”

 

“ଅନ୍ୟ ଖବରଟି ରୂପନଗରର... !” ଏହା କହି ଦରିୟା ଚଞ୍ଚଲ୍‍କୁମାରୀ ଦ୍ଵାରା ଛବି ଭାଙ୍ଗିଦେବା ଘଟଣାଟିକୁ ଖୁବ୍ ଲଗେଇ ଜୁଟେଇ ମୂଳରୁ ଶେଷଯାଏ ବଖାଣିଗଲା ।

 

ତାହା ବେଶ୍ ମନୋଯୋଗର ସହିତ ଶୁଣିସାରି କହିଲା ଜେବ୍‌ଉନ୍ନିସା–“ଆଚ୍ଛା...ଏଇ ଖବର ? ବେଶ୍ ବକସିସ୍ ପାଇବୁ !” ଏହା କହି ରଙ୍ଗମହଲର ଖାଜାଞ୍ଚିକୁ ତଲବ କଲା ଏବଂ ଦରିୟା ବକ୍‌ସିସ୍ ପାଇ ସେଠାରୁ ବାହାରିଗଲା ।

 

ବିଳାସକକ୍ଷରୁ ବାହାରିବାମାତ୍ରେ ତାତାର ଯୁବତୀ ନିଜ ହାତର ତରବାରିଟାକୁ ଦରିୟା କାନ୍ଧରେ ଲଗାଇଦେଇ କହିଲା–“ପଳାଇଯାଉଛୁ କି ମିତ ?”

 

“ହଁ...କାମ ସରିଲା, ଘରକୁ ଯାଉଛି ।”

 

“ଟଙ୍କା ପଇସା ପାଇଲୁ, ମୋତେ କିଛି ଦେବୁନାହିଁ ?”

 

“ଭଉଣୀ, ମୋର ଟଙ୍କା ଖୁବ୍ ଦରକାର, ଗୋଟିଏ ମଜାଗୀତ ଶୁଣାଇ ଦେଉଛି; ଆଣ ସାରଙ୍ଗୀଟା ଆଣ !”

 

ରଙ୍ଗମହଲ ଭିତରେ ଗୀତବାଦ୍ୟର ଧୂମ୍ ଖୁବ୍ ଚାଲେ; ତେଣୁ ତାତାର ସୁନ୍ଦରୀ ନିଜ ପାଖେ ପାଖେ ସାରଙ୍ଗୀଟିଏ ରଖିଥାଏ ଏବଂ ବେଳକାଳ ଦେଖି ଟିକିଏ ବଜାଇ ଆନନ୍ଦ ଅନୁଭବ କରେ ।

 

ଅନ୍ତଃପୁରର ବେଗମ୍‌ମାନେ ନିଜନିଜର ଆମୋଦ–ପ୍ରମୋଦ ଲାଗି ଗୋଟାଏ ଲେଖାଏଁ ନର୍ତ୍ତକୀଦଳ ରଖିଥିଲେ; କିନ୍ତୁ ଅବିବାହିତା ବେଶ୍ୟା ରୂପେ ଗଣିତା ନାରୀମାନେ ନିଜ ନିଜ ମଧ୍ୟରେ ସେ କାମ ତୁଲାଇ ଦେଉଥିଲେ । ରଙ୍ଗମହଲର ପ୍ରତ୍ୟେକ କକ୍ଷ ସାରାରାତି ସ୍ଵରମୂର୍ଚ୍ଛନାରେ ମୁଖରିତ ହୋଇଉଠୁଥିଲା । ଦରିୟା ତାତାର–ସୁନ୍ଦରୀ ହାତରୁ ସାରଙ୍ଗୀଟି ନେଇ ଅତି ମଧୁର ସ୍ଵରରେ ମନମତାଣିଆ ଗୀତଟିଏ ଗାଇବାରେ ଲାଗିଲା । ସେ ଗୀତ ଶୁଣି ଜେବଉନ୍ନିସା ଭିତରୁ ଥାଇ ପଚାରିଲା–‘‘କିଏ ସେ ଗୀତ ଗାଉଛି ?”

 

“ଦରିୟା ବିବି ହଜରତ୍... !”

 

“ତାକୁ ଭିତରକୁ ପଠାଇଦେ... !”

 

ଦରିୟା କକ୍ଷ ଭିତରକୁ ପଶିଯାଇ ପୁଣି ଥରେ କୁର୍ଣିସ୍ କରି ଛିଡ଼ାହେବା ମାତ୍ରେ କହିଲା ଜେବ୍‌ଉନ୍ନିସା–‘‘ଆଉ ଗୋଟେ ଗୀତ ଗାଇଲୁ...ନେ, ବୀଣାଟି ଉଠାଇ ନେ... ।”

 

ଦରିୟା ଅତି ସାବଧାନତାର ସହିତ ତା’ର ବୀଣାନିନ୍ଦିତ କଣ୍ଠରେ ଗୀତଟିଏ ଗାଇ ଶୁଣାଇଦେଲା । ଜେବ୍‌ଉନ୍ନିସା ଜୀବନରେ ଅପ୍‌ସରାଙ୍କୁ ବଳି ଅଧିକ ସୁନ୍ଦରୀଙ୍କ କଣ୍ଠଝରା ମଧୁର ସଙ୍ଗୀତ ଶୁଣିଥିଲା ସତ; କିନ୍ତୁ ଏପରି ମନମତାଣିଆ ଗୀତ କେବେହେଲେ ତା’ର କର୍ଣ୍ଣଗୋଚର ହୋଇନଥିଲା । ଦରିୟାର ଗୀତ ଶେଷ ହେବାମାତ୍ରେ ସେ ପଚାରିଲା–“ତୁ ମୋବାରକ୍ ଆଗରେ କେବେ ଗୀତ ଗାଇଛୁ ?”

 

“ସେ କେବଳ ମୋ’ରି ଗୀତରେ ମୁଗ୍‌ଧ ହୋଇ ମୋତେ ବିବାହ କରିଥିଲେ... ।”

 

ଏହା ଶୁଣି କାଳୀନାଗୁଣୀ ପରି ଫଁ’ କରି ଗର୍ଜିଉଠି ଗୋଟିଏ ଫୁଲଗୋଛା ଧରି ଦରିୟା ଉପରକୁ ଫିଙ୍ଗିଦେଲା ଜେବ୍‌ଉନ୍ନିସା । ଫୁଲଗୋଛାଟିଏ ଦରିୟାର କାନମୂଳରେ ଖୁବ୍ ଜୋରରେ ବାଜି କାନଫଳିରୁ ଝରଝର ହୋଇ ରକ୍ତ ଝରିପଡ଼ିଲା । ତାହା ଲକ୍ଷ୍ୟକରି ଜେବ୍‌ଉନ୍ନିସା ଆଉ କିଛି ଅର୍ଥଦାନ କରି କହିଲା–‘‘ଯାଃ...ବାହାରି ଯାଃ ଡାଆଣୀ ! ଖବରଦାର୍ ଆଉ ଦିନେ ଏଠାକୁ ଆସିବୁନି-!”

 

ଦରିୟା ଜେବ୍‌ଉନ୍ନିସାର ଛାତି ଭିତରେ ଗୋଟିଏ ଅଦିନଝଡ଼ ସୃଷ୍ଟିକରି ମନେମନେ ଭାବିଲା–‘‘ନିଶ୍ଚୟ ଆସିବି ! ଆହୁରି ଆସିବି ! ଆହୁରି ଜଳାଇ ପୋଡ଼ାଇ ମାରିବି, ନିଜେ ମାଡ଼ ଖାଇବି, ଆହୁରି ଟଙ୍କା ବକ୍‌ସିସ୍ ନେବି; କିନ୍ତୁ ଶେଷରେ ତୋର ସର୍ବନାଶ କରିବି ! ’

Image

 

ଉଦୀପୁରୀ ବେଗମ୍

 

ବିଶ୍ଵବିଖ୍ୟାତ ବାଦଶାହ ଆଉରଙ୍ଗ୍‍ଜେବ୍, ଜଗତବିଖ୍ୟାତ ଭାରତ ସାମ୍ରାଜ୍ୟର ଅଧିକାରୀ-। ନିଜେ ବୁଦ୍ଧିମାନ୍, କର୍ମଠ, ପରିଶ୍ରମୀ ତଥା ଅନ୍ୟାନ୍ୟ ରାଜକୀୟ ଗୁଣରେ ଭୂଷିତ ହୋଇଥିବାରୁ ସେ ସମ୍ରାଟ ହୋଇପାରିଥିଲେ । ସମସ୍ତ ଗୁଣରେ ଭୂଷିତ ହୋଇଥିଲେ ମଧ୍ୟ ସେହି ବିଶ୍ଵପ୍ରସିଦ୍ଧ ସମ୍ରାଟ ନିଜ ସାମ୍ରାଜ୍ୟକୁ ଏକପ୍ରକାର ଧ୍ଵଂସମୁଖରେ ପକାଇଦେଇ ମାନବଲୀଳା ସମ୍ବରଣ କରିଥିଲେ । ଏହାର ଏକମାତ୍ର କାରଣ ହେଉଛି–ଆଓରଙ୍ଗ୍‍ଜେବ୍ ଥିଲେ ଅତ୍ୟନ୍ତ ପାପିଷ୍ଠ । ତାଙ୍କପରି ଧୂର୍ତ୍ତ, କପଟାଚାରି, ସଙ୍କୋଚଶୂନ୍ୟ ପାପୀ, ସ୍ଵାର୍ଥପର ଓ ପରପୀଡ଼କ ଇତିହାସରେ ଜଣେ ଦୁଇଜଣ ମାତ୍ର ଦେଖାଯାନ୍ତି । ଏହି କପଟାଚାରୀ ସମ୍ରାଟ ଜିତେନ୍ଦ୍ରୟ ଥିବାର ଛଳନା କରୁଥିଲେ ମଧ୍ୟ ଏହାଙ୍କ ରଙ୍ଗମହଲ ଅସଂଖ୍ୟ ସୁନ୍ଦରୀ ରମଣୀ ସ୍ଵରୂପ ମହୁମାଛିପୂର୍ଣ୍ଣ ଗୋଟିଏ ମଧୁଚକ୍ରପରି ଆନନ୍ଦଧ୍ଵନିରେ ମୁଖରିତ ହୋଇଉଠୁଥିଲା । ତାଙ୍କର ଅସଂଖ୍ୟ ବେଗମ୍ ଥିଲେ । ସେମାନଙ୍କ ବ୍ୟତୀତ ବେତନଭୋଗୀ ଅନେକ ସୁରାସୁନ୍ଦରୀ ଓ ବିଳାସିନୀ ମଧ୍ୟ ରଙ୍ଗମହଲରେ ରହିଥିଲେ । ଏହି ଉପାଖ୍ୟାନ ସହିତ ସେହି ପାପିଷ୍ଠମାନଙ୍କର ବିଶେଷ ସମ୍ବନ୍ଧ ନଥିଲେ ମଧ୍ୟ କେତେଜଣ ବେଗମ୍‌ଙ୍କ କାର୍ଯ୍ୟକଳାପର ବିଶେଷ ସମ୍ପର୍କ ରହିଛି ।

ବାଦଶାହମାନେ ପ୍ରଥମେ ଯେଉଁ ସ୍ତ୍ରୀକୁ ବିବାହ କରନ୍ତି, ସେ ହୁଏ ପ୍ରଧାନ ବେଗମ୍ । ହିନ୍ଦୁଦ୍ଵେଷୀ ଆଉରଙ୍ଗ୍‍ଜେବ୍ ଦୁର୍ଭାଗ୍ୟକ୍ରମେ ପ୍ରଥମେ ଗୋଟିଏ ହିନ୍ଦୁ ରାଜକନ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ପ୍ରପିତାମହ ଆକବର ବାଦଶାହ ପ୍ରଥମେ ରାଜପୁତ୍‍ କନ୍ୟାଙ୍କ ପାଣିଗ୍ରହଣର ପ୍ରଥା ଚଳାଇଥିଲେ । ଆଉରଙ୍ଗ୍‍ଜେବ୍‌ଙ୍କର ପ୍ରଧାନମହିଷୀ ଥିଲେ ଯୋଧପୁରୀ ବେଗମ୍ । ଯୋଧପୁରୀ ବେଗମ୍ ପ୍ରଧାନମହିଷୀ ଥିଲେ ସୁଦ୍ଧା ସମ୍ରାଟଙ୍କର ପ୍ରିୟତମା ନଥିଲେ । ବାଦଶାହଙ୍କ ଅତ୍ୟନ୍ତ ଆଦରଣୀୟ ମହିଷୀ ଥିଲେ ଖ୍ରୀଷ୍ଟିଆନ୍ ମହିଳା ଉଦୀପୁରୀ ବେଗମ୍ । ରାଜପୂତାନାର ଉଦୟପୁର ସହିତ ଏହି ବେଗମ୍‌ଙ୍କର କୌଣସି ସମ୍ପର୍କ ନଥିଲା । ତାଙ୍କର ଜନ୍ମଭୂମି ଥିଲା ଏସିଆର ସୁଦୂର ପଶ୍ଚିମାଞ୍ଚଳ ଜର୍ଜିୟା । ବାଲ୍ୟକାଳରୁ ଜଣେ ଦାସ ବ୍ୟବସାୟୀ ଏହି ଖ୍ରୀଷ୍ଟିଆନ୍ ବାଳିକାକୁ ଶାହଜାଦା ଦାରାଙ୍କୁ ବିକ୍ରୟ କରିଥିଲା । କ୍ରମେ ସେ ଅପୂର୍ବ ସୁନ୍ଦରୀର ପରିଣତା ହୋଇଥିବାରୁ ଶାହଜାଦା ଦାରା ତାକୁ ବିବାହ କରିଥିଲେ । କେତେକ ଐତିହାସିକଙ୍କ ମତରେ ଏହି ଅସାମାନ୍ୟ ରୂପଲାବଣ୍ୟବତୀ ଖ୍ରୀଷ୍ଟିୟାନ୍ ମହିଳାଙ୍କ ପ୍ରେମରେ ପାଗଳ ହୋଇ ଦାରା ନିଜେ ଖ୍ରୀଷ୍ଟିୟାନ୍ ହୋଇଯାଇଥିଲେ ।

ଶାହଜାଦା ଦାରାଙ୍କୁ ଯୁଦ୍ଧରେ ପରାସ୍ତ କରି, ପରେ ଆଉରଙ୍ଗ୍‍ଜେବ୍‍ ତାଙ୍କୁ ବଧ କରିଥିଲେ । ଭ୍ରାତୃବଧ ପରେ ଆଉରଙ୍ଗ୍‍ଜେବ୍‍ ଦାରାଙ୍କର ଦୁଇପତ୍ନୀଙ୍କୁ, କୋରାନ୍‌ର ପ୍ରମାଣ ଉତ୍‍ଥାପିତ କରି ବିବାହ କରିବାର ପ୍ରସ୍ତାବ ଦେଲେ । କିନ୍ତୁ ଦାରାଙ୍କର ହିନ୍ଦୁପତ୍ନୀ ରାଜପୁତ୍‍ କନ୍ୟା ପ୍ରତ୍ୟେକ ହିନ୍ଦୁରମଣୀଙ୍କ ପରି ବିଷପାନ କରି ଇହଲୀଳା ସାଙ୍ଗ କଲେ; କିନ୍ତୁ ରୂପଲାବଣ୍ୟଗର୍ବିତା ଖ୍ରୀଷ୍ଟିୟାନ୍ ରମଣୀ ଏହି ଉଦୀପୁରୀ ଆନନ୍ଦରେ ଆଓରଙ୍ଗଜେବ୍‍ ପ୍ରସ୍ତାବରେ ସମ୍ମତ ହୋଇ ଉଦୀପୁରୀ ବେଗମ୍ ନାମରେ ରଙ୍ଗମହଲରେ ବେଶ୍ ପ୍ରସିଦ୍ଧା ଥିଲେ । ପରବର୍ତ୍ତୀ ଐତିହାସିକଗଣ ପତିପରାୟଣା ସାଧ୍ଵୀ ରାଜପୁତ୍‍କନ୍ୟାଙ୍କୁ ଏକାବେଳକେ ପାଶୋରିଦେଇ, ବାର–ବିଳାସିନୀ ଉଦୀପୁରୀଙ୍କ ଆଖ୍ୟାନରେ ଇତିହାସକୁ କଳଙ୍କିତ କରିବାରେ ଆଦୌ ପଶ୍ଚାତ୍‌ପଦ ହୋଇ ନାହାନ୍ତି ।

ଉଦୀପୁରୀ ଯେପରି ଅସାମାନ୍ୟ ସୁନ୍ଦରୀ, ସେହିପରି ମଦ୍ୟପାନରେ ମଧ୍ୟ ଅଦ୍ଵିତୀୟ ବିଳାସିନୀ ଥିଲା । ଦିଲ୍ଲୀର ବାଦଶାହମାନେ ମୁସଲମାନ ହୋଇ ଜଣେ ଜଣେ ପ୍ରଧାନ ଧର୍ମରକ୍ଷକ ରୂପେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ହେଁ, ନିଜେ ଅତ୍ୟନ୍ତ ମଦ୍ୟପାୟୀ ଥିଲେ ଏବଂ ସେମାନଙ୍କ ପରିବାରବର୍ଗ ବିଶେଷତଃ ରଙ୍ଗମହଲରେ ସୁରାର ଅବାରିତ ଧାରା ପ୍ରବାହିତ ହେଉଥିଲା । ଏହି ନାରକୀୟ ପୁରୀରେ ଉଦୀପୁରୀ ବେଗମ୍ ନିଜକୁ ସୁରାର ସୁଗନ୍ଧିତ ପ୍ରବାହରେ ଭସାଇ ଦେଇ ରଙ୍ଗମହଲର ନାମ ସାର୍ଥକ କରିଥିଲା ।

ଜେବ୍‌ଉନ୍ନିସା ଦରିୟା ବିବିଠାରୁ ରୂପନଗର ଖବରଟି ପାଇ ସଙ୍ଗେସଙ୍ଗେ ଯାଇ ଉଦୀପୁରୀ ବେଗମ୍‌ଙ୍କ କକ୍ଷଦ୍ଵାରରେ ଉପସ୍ଥିତ ହେଲା । କିନ୍ତୁ ସେତେବେଳେ ସମ୍ରାଟଙ୍କ ପ୍ରିୟତମା ଉଦୀପୁରୀ ମଦ୍ୟପାନରେ ଚେତନାଶୂନ୍ୟ ଓ କେଶବାସ ଅସମ୍ଭାଳ ହୋଇ ପଡ଼ିଥିଲା । ଦାସୀମାନେ ମହିଷୀଙ୍କ ବେଶଭୂଷଣ ଠିକ୍ କରିଦେବାପରେ ଜେବ୍‌ଉନ୍ନିସା ଭିତରକୁ ପ୍ରବେଶ କଲେ । ସେ ଭିତରକୁ ପଶିଆସି ଦେଖିଲା–ବେଗମ୍‌ଙ୍କ ବାମହାତରେ ମଦ୍ୟପାତ୍ର, ଚକ୍ଷୁ ଅର୍ଦ୍ଧ ନିମୀଳିତ ଏବଂ ବାତ୍ୟାବିଧ୍ଵସ୍ତ ବୃକ୍ଷ ପରି ସେ ବିଛଣାରେ ପଡ଼ିଥିଲା । ଜେବ୍‌ଉନ୍ନିସା ପ୍ରଥମେ କୁର୍ଣ୍ଣିସ୍ କରି କହିଲା–‘‘ମା’, ଆପଣଙ୍କ ଦେହ ଭଲ ତ ?”

ଉଦୀପୁରୀ ଅର୍ଦ୍ଧଜାଗ୍ରତ ତଥା ତନ୍ଦ୍ରାଜଡ଼ିତ ସ୍ଵରରେ ପଚାରିଲା–‘‘ଏତେ ରାତିରେ କୁଆଡ଼େ ?”

“ଗୋଟିଏ ଜରୁରୀ ଖବର ଅଛି !”

“କ’ଣ...ମରହଟ୍ଟା ଡକାୟତ ଦଳ ମରିଗଲେ କି ?”

“ତା’ ଅପେକ୍ଷା ଆହୁରି ଆନନ୍ଦର ଖବର !” ଏହା କହି ଦରିୟାଠାରୁ ଶୁଣିଥିବା ଚଞ୍ଚଲ୍‍କୁମାରୀ ଔଦ୍ଧତ୍ୟପୂର୍ଣ୍ଣ କାହାଣୀଟିକୁ ନାନାପ୍ରକାର ରଙ୍ଗରେ ରଞ୍ଜିତ କରି ଶୁଣାଇଦେଲା ଜେବ୍‌ଉନ୍ନିସା । ଉଦୀପୁରୀ ସବୁ ଶୁଣିସାରି ପଚାରିଲା–‘‘ଏଟା ଗୋଟେ ଆନନ୍ଦର ଖବର କିପରି ?”

“ମଇଁଷି ପରି କାଳୀଭୂଷୁଣ୍ଡୀ ଦାସୀଗୁଡ଼ାକ ଆପଣଙ୍କ ଲାଗି ତମାଖୁ ସଜାଇ ଦେଉଛନ୍ତି । ମୋତେ ଏହା ଭଲ ଦେଖାଯାଉନାହିଁ । ରୂପନଗରର ସେହି ସୌନ୍ଦର୍ଯ୍ୟଗର୍ବିଣୀ ଚଞ୍ଚଲ୍‍କୁମାରୀ ଆସି ହଜରତ୍ ବେଗମ୍ ସାହିବାଙ୍କ ତମାଖୁ ସଜାଇଦେଉ, ଆଜି ଏହି ପ୍ରତିଶ୍ରୁତି ସମ୍ରାଟଙ୍କଠାରୁ ଆଦାୟ କରିନିଅନ୍ତୁ !”

ଉଦୀପୁରୀ କଥାଟାର ଗୁରୁତ୍ଵ ପ୍ରତି ଆଦୌ ଚିନ୍ତା ନକରି କହିଲା–“ବେଶ୍ ଭଲ ପ୍ରସ୍ତାବ-।”

ଏହା ପରେ ପରେ ରାଜକାର୍ଯ୍ୟରେ କ୍ଳାନ୍ତ–ଶ୍ରାନ୍ତ ଆଉରଙ୍ଗ୍‍ଜେବ୍ ଆସି ଉଦୀପୁରୀର ବିଳାସକକ୍ଷରେ ଉପସ୍ଥିତ ହେଲେ । ଉଦୀପୁରୀ ନିଶାଭୋଳରେ ଚୁର ହୋଇ ଜେବ୍‌ଉନ୍ନିସାଠାରୁ ରୂପନଗରର କାହାଣୀ ଯେପରି ଭାବରେ ଶୁଣିଥିଲା, ଠିକ୍ ସେହିପରି ସମ୍ରାଟଙ୍କ ଆଗରେ ବଖାଣି ଦେଇ କହିଲା–‘‘ସେ ମତ୍ତଗର୍ବିଣୀ ଆସି ମୋର ତମାଖୁ ସଜାଇଦେବ, ଏହା ମୋର ଇଚ୍ଛା !” ଆଉରଙ୍ଗ୍‍ଜେବ୍‍ କ୍ରୋଧରେ ଜର୍ଜ୍ଜରିତ ହୋଇ ପ୍ରିୟତମାଙ୍କ ପ୍ରାର୍ଥନା ପୂରଣ କରିବା ଲାଗି ଶପଥ ଗ୍ରହଣ କଲେ ।

Image

 

ଯୋଧପୁରୀ ବେଗମ୍

 

ପରଦିନ ରାଜାଜ୍ଞା ପ୍ରଚାରିତ ହୋଇଗଲା । ରୂପନଗର ପରି ଏକ କ୍ଷୁଦ୍ର ରାଜ୍ୟ ବିରୁଦ୍ଧରେ ଅଦ୍ଵିତୀୟ କୂଟନୀତିପୂର୍ଣ୍ଣ ଆଦେଶପତ୍ର ଜାହିର ହେଲା । ଯେଉଁ କୂଟନୀତିପୂର୍ଣ୍ଣ ଜାଲକୁ ଭେଦ କରି ନ ପାରି ଜୟସିଂହ, ଯଶୋବନ୍ତ ସିଂହ ପ୍ରଭୃତି ସେନାପତି ଓ ଆଜିମଶାହ ପ୍ରଭୃତି ଚତୁର ଶାହଜାଦାମାନେ ସଦାସର୍ବଦା ଭୀତତ୍ରସ୍ତ, ଯେଉଁ କୁଟିଳତାକୁ ବୁଝି ନ ପାରି ଅତ୍ୟନ୍ତ ବୁଦ୍ଧିମାନ ମହାବୀର ଶିବାଜୀ ଦିଲ୍ଲୀରେ କାରାରୁଦ୍ଧ ହୋଇଥିଲେ, ସେହି କୂଟନୀତିପାଶରେ ଆବଦ୍ଧ ହୋଇଗଲା ରୂପନଗର । ସମ୍ରାଟଙ୍କ ପକ୍ଷରୁ ଅବିଳମ୍ବେ ରୂପନଗରକୁ ଖଣ୍ଡିଏ ପତ୍ର ପ୍ରେରଣ କରାଗଲା । ସେଥିରେ ଲେଖାଗଲା–ବାଦଶାହ ସଲାମତ୍ ରୂପନଗର ରାଜକୁମାରୀର ଅପୂର୍ବ ରୂପଲାବଣ୍ୟ ବୃତ୍ତାନ୍ତ ଶ୍ରବଣକରି ମୁଗ୍‌ଧ ହୋଇଛନ୍ତି ଏବଂ ରୂପନଗର ରାଓସାହେବଙ୍କର ସତ୍‍ସ୍ଵଭାବ ଓ ରାଜଭକ୍ତି ସମ୍ରାଟଙ୍କ ମନରେ ଅପାର ଆନନ୍ଦ ଜାତ କରାଇଛି । ତେଣୁ ବାଦଶାହ ରାଜକୁମାରୀର ପାଣିଗ୍ରହଣ ଓ ରାଓସାହେବଙ୍କୁ ପୁରସ୍କୃତ କରିବାଲାଗି ଚାହାନ୍ତି ଏବଂ ଶୀଘ୍ର ରାଜସେନା ଯାଇ କୁମାରୀଙ୍କୁ ଦିଲ୍ଲୀ ଘେନି ଆସିବେ ।

 

ଏହି ସମ୍ବାଦ ରୂପନଗରରେ ପହଞ୍ଚିବାମାତ୍ରେ ଆନନ୍ଦ-ଉତ୍ସବର ଢେଉ ରୂପନଗରରେ ଖେଳିଗଲା । ଯୋଧପୁର, ଅମ୍ବର ପ୍ରଭୃତି ବଡ଼ ବଡ଼ ରାଜାମାନେ ଦିଲ୍ଲୀଶ୍ଵରଙ୍କୁ କନ୍ୟାଦାନ କରିବା ସୌଭାଗ୍ୟର ବିଷୟ ବୋଲି ବିବେଚନା କରୁଥିଲେ । ସେପରି କ୍ଷେତ୍ରରେ, ରୂପନଗରପରି ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ରାଜା ଏପରି ସୁଯୋଗ ଲାଭ କରିବା ପରମ ଅଦୃଷ୍ଟର ଫଳ । ସମଗ୍ର ଭାରତବର୍ଷର ହଜାର ହଜାର ରାଜା ଓ ବାଦଶାହଙ୍କର ମାଲିକ ଦିଲ୍ଲୀଶ୍ଵର ଖୋଦ୍ ଜାମାତା; ଚଞ୍ଚଲ୍‍କୁମାରୀ ହେବ ଭାରତେଶ୍ଵରୀ, ଏହା ଅପେକ୍ଷା ଆଉ ଅଧିକ ସୌଭାଗ୍ୟର ବିଷୟ କ’ଣ ଥାଇପାରେ ! ରାଜା, ରାଣୀ, ପୁରବାସୀଗଣ ଓ ପ୍ରଜାବୃନ୍ଦ ଆନନ୍ଦ–ଉଲ୍ଲାସରେ ମାତିଗଲେ । ରାଣୀ ଏ ସମ୍ବାଦ ପାଇବାମାତ୍ରେ ଦେବୀମନ୍ଦିରକୁ ପୂଜା ଓ ନୈବେଦ୍ୟ ପଠାଇଦେଲେ ଏବଂ ଏହି ଉତ୍ସବ ସମୟରେ କେଉଁ ଜମିଦାର ଓ ଗ୍ରାମମୁଖ୍ୟ କଅଣ କଅଣ ପୁରସ୍କାର ପାଇବେ ତା’ର ତାଲିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଲେ । କେବଳ ଚଞ୍ଚଲ୍‍କୁମାରୀର ସଖୀମାନେ ଏ ଉଲ୍ଲାସରେ ଉଲ୍ଲସିତା ହୋଇପାରିଲେ ନାହିଁ । ଏ ସମ୍ବାଦରେ ରାଜଜେମା ଆଦୌ ସୁଖୀ ନୁହନ୍ତି ବୋଲି ସେମାନେ ଭଲଭାବରେ ଜାଣିଥିଲେ ।

 

ଏ ସମ୍ବାଦ ଅବିଳମ୍ବେ ବାଦଶାହୀ ମହଲରେ ପ୍ରଚାରିତ ହୋଇଗଲା । ଏହା ଶୁଣି ଯୋଧପୁରୀ ବେଗମ୍‍ ମନେ ମନେ ନିତାନ୍ତ ଦୁଃଖିତା ହେଲେ । ସେ ହିନ୍ଦୁଘରର କନ୍ୟା; ମୁସଲମାନ ହାତରେ ପଡ଼ି ଭାରତେଶ୍ଵରୀ ହୋଇଥିଲେ ମଧ୍ୟ ତାଙ୍କ ମନରେ ଆଦୌ ସୁଖ ନଥିଲା । ଆଉରଙ୍ଗ୍‍ଜେବ୍‍ଙ୍କ ଅନ୍ତଃପୁର ମଧ୍ୟରେ ସେ ହିନ୍ଦୁତ୍ଵ ବଜାୟ ରଖିଥିଲେ । ହିନ୍ଦୁ ପରିଚାରିକା ଦ୍ଵାରା ସେ ସମସ୍ତ କାର୍ଯ୍ୟ କରାଉଥିଲେ ଏବଂ ହିନ୍ଦୁହାତର ପ୍ରସ୍ତୁତ ଖାଦ୍ୟ ବ୍ୟତୀତ ସେ ଭୋଜନ କରୁନଥିଲେ ! ଏପରିକି, ଆଉରଙ୍ଗ୍‍ଜେବ୍‍ଙ୍କ କଠୋର ନୀତି ମଧ୍ୟରେ ସେ ମୂର୍ତ୍ତିପୂଜା କରୁଥିଲେ । ଏଥିରୁ ଜଣାଯାଉଥିଲା ଯେ, ଆଉରଙ୍ଗ୍‍ଜେବ୍‍ ତାଙ୍କ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରିଥିଲେ ।

 

ଯୋଧପୁରୀ ବେଗମ୍ ଏ ସମ୍ବାଦ ଶୁଣିବାପରେ ଥରେ ବାଦଶାହଙ୍କୁ ସାକ୍ଷାତ କରି କହିଲେ–“ଜାହାଁପନା, ଯାହାଙ୍କ ଆଦେଶବଳରେ ପ୍ରତିଦିନ ରାଜାମହାରାଜା ପଦଚ୍ୟୁତ ହୋଇପାରୁଛନ୍ତି, ଗୋଟିଏ ସାମାନ୍ୟ ବାଳିକା କ’ଣ ତାଙ୍କ କ୍ରୋଧର ଯୋଗ୍ୟା ?”

 

ବାଦଶାହ ଶୁଣିଗଲେ ମାତ୍ର, କିଛି ମନ୍ତବ୍ୟ ପ୍ରକାଶ ନକରି କେବଳ ହସିଦେଲେ । ଏହାଦ୍ଵାରା ତାଙ୍କର ଉଦ୍ଦେଶ୍ୟ ସାଧିତ ହେବାର କୌଣସି ଉପାୟ ନ ଦେଖି, ମନେ ମନେ ଭାବିଲେ ଯୋଧପୁରର ରାଜକନ୍ୟା–‘ହେ ପରମାତ୍ମା, ମୋତେ ବିଧବା କରିଦିଅ ! ଏ ନରାଧମ ଆଉ ବେଶି ଦିନ ବଞ୍ଚିରହିଲେ, ପୃଥିବୀରୁ ହିନ୍ଦୁତ୍ଵ ଲୋପପାଇଯିବ !”

 

ଦେବୀ ନାମରେ ଗୋଟିଏ ପରିଚାରିକା ଯୋଧପୁରରୁ ତାଙ୍କ ସହିତ ଆସିଥିଲା । ବହୁଦିନ ଧରି ଯବନପୁରୀରେ ରହିଥିଲେ ସୁଦ୍ଧା ଶେଷ ବୟସରେ ସେ ଆଉ ସେଠାରେ ରହିବାକୁ ଚାହୁଁ ନଥିଲା । ସେ ଅନେକ ଦିନରୁ ବିଦାୟ ନେବାକୁ ଚାହୁଁଥିଲେ ହେଁ, ମହିଷୀ ତାକୁ ଛାଡ଼ିବାକୁ ଚାହୁଁ ନଥିଲେ । କିନ୍ତୁ ସେ ଏଥର ତାକୁ ଡକାଇ ଏକାନ୍ତରେ କହିଲେ–‘‘ତୁ ଅନେକ ଦିନରୁ ଚାଲିଯିବାକୁ ଚାହୁଁଛୁ; ଆଜି ମୁଁ ତୋତେ ଛାଡ଼ିଦେବି । କିନ୍ତୁ ମୋର ଗୋଟିଏ ଉପକାର ତୁ କରିବୁ । କାର୍ଯ୍ୟଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, କଷ୍ଟସାଧ୍ୟ ତଥା ସାହସ କଲେ ହିଁ କରିହେବ ! ବିଶେଷତଃ ଅତ୍ୟନ୍ତ ବିଶ୍ଵାସୀ ଲୋକ ନହେଲେ, ସେ କାମ କେହି ତୁଲାଇ ପାରିବ ନାହିଁ । ଯାହା ଖରଚପତ୍ର ଲାଗିବ ମୁଁ ଦେବି, ଆହୁରି ଅଧିକ ବକ୍‌ସିସ୍ ଦେବି ଏବଂ ଚିରଦିନଲାଗି ତୋତେ ମୁକ୍ତ କରିଦେବି ! ମୋ କାମଟି ତୁଲାଇଦେବୁ କି ?”

 

“ଏହା କ’ଣ ପଚାରିବାର କଥା ମହାରାଣୀ ? ଆଜ୍ଞା କରନ୍ତୁ !”

 

“ତୁ ରୂପନଗର ରାଜକୁମାରୀ ସମ୍ବାଦ ଏଠାରେ ଶୁଣିଛୁ; ତା’ରି ପାଖକୁ ତୋତେ ଯିବାକୁ ପଡ଼ିବ । ମୁଁ କିଛି ଚିଠିପତ୍ର ଦେବିନାହିଁ । ତୁ କେବଳ ମୋ’ରି କଥା ମୁହଁରେ କହିବୁ ଏବଂ ମୋର ପଞ୍ଝା ନେଇ ଦେଖାଇଲେ ସେ ବିଶ୍ଵାସ କରିବ ! ତୁ ଘୋଡ଼ାରେ ଚଢ଼ିପାରୁ; ତେଣୁ ଘୋଡ଼ାଟିଏ କିଣି ସେଥିରେ ଯିବୁ । ସେ ବାବଦ ଟଙ୍କା ମୋ’ଠାରୁ ନେଇଯା !”

 

“ନିଶ୍ଚୟ ! ଏ କ’ଣ କହିବା କଥା !”

 

“ରାଜକୁମାରୀକୁ କହିବୁ, ହିନ୍ଦୁ କନ୍ୟା ହୋଇ ସେ ଯେପରି ମୁସଲମାନ ଘରକୁ ନ ଆସେ । ଆମେ ଆସି ପ୍ରତିଦିନ ମୃତ୍ୟୁ କାମନା କରୁଛୁ । ଆଉ ମଧ୍ୟ କହିବୁ–ଗୋଡ଼ରେ ଚିତ୍ର ଦଳି ଭାଙ୍ଗିଦେବା ସମ୍ବାଦ ବାଦଶାହଙ୍କ କାନକୁ ଆସିଛି । ତେଣୁ ତାକୁ ଦଣ୍ଡଦେବା ଇଚ୍ଛାରେ ଏଠାକୁ ଅଣାଯାଉଛି । ବାଦଶାହ ପ୍ରତିଜ୍ଞା କରିଛନ୍ତି, ତା’ର ସର୍ବନାଶ କରିବେ ଏବଂ ତା’ର ହାତରେ ଉଦୀପୁରୀ ବେଗମ୍‌ର ତମାଖୁ ସଜାଇବେ । କହିବୁ, ବରଂ ବିଷ ଖାଇ ଆତ୍ମହତ୍ୟା କରିବ, କିନ୍ତୁ ଦିଲ୍ଲୀ ଆସିବ ନାହିଁ ।

 

“ଆଉ ମଧ୍ୟ କହିବୁ, ଭୟ କରିବାର ବିଶେଷ କାରଣ ନାହିଁ । ଦିଲ୍ଲୀ ସିଂହାସନ ବର୍ତ୍ତମାନ ଟଳମଳ ଅବସ୍ଥାରେ ଅଛି । ଦକ୍ଷିଣରେ ମରହଟ୍ଟାମାନେ ମୋଗଲଙ୍କୁ ସାବାଡ଼ କରିଦେଲେଣି; ରାଜପୁତ୍‌ମାନେ ଏକଜୁଟ୍ ହୋଇଗଲେଣି । ଜିଜିୟାକର ଦାଉରେ ସମଗ୍ର ରାଜପୁତାନାରେ ପ୍ରତିଶୋଧର ନିଆଁରେ ଜଳିଉଠୁଛି । ରାଜପୁତାନାର ପବିତ୍ର ଭୂମିରେ ଅବାଧରେ ଗୋହତ୍ୟା ଚାଲିଥିବାର ଦେଖି କେଉଁ ହିନ୍ଦୁ ରାଜପୁତ୍ ଏହା ସହିପାରିବ ? ଉଦପୁରର ରାଣା ଅତ୍ୟନ୍ତ ବୀରପୁରୁଷ । ମୋଗଲ ଓ ତାତାରଙ୍କ ମଧ୍ୟରେ ତାଙ୍କ ପରି ଯୋଦ୍ଧା କେହି ଜଣେହେଲେ ନାହିଁ । ଗୋଟିଏ ଦିଗରେ ଶିବାଜୀ ଓ ଅନ୍ୟପଟେ ରାଜପୁତ୍‌ସେନାର ଅଧିନାୟକ ଭାବରେ ରାଜସିଂହ ଯଦି ଅସ୍ତ୍ର ଧାରଣ କରନ୍ତି, ତା’ହେଲେ ଦିଲ୍ଲୀର ଏ ସିଂହାସନ କେଇ ଦିନ ମଧ୍ୟରେ ଭୂଷୁଡ଼ିପଡ଼ିବ ।”

 

“ଏପରି କଥା ମୁହଁରେ ଧରନ୍ତୁ ନାହିଁ ମହାରାଣୀ ଜୀ ! ନିଜ ପୁତ୍ରର ଭାବୀ ସିଂହାସନ ବିରୁଦ୍ଧରେ ଆପଣ କିପରି ପରାମର୍ଶ ଦେଉଛନ୍ତି ?”

 

“ମୋର ସେ ଭରସା ନାହିଁ ଦେବୀ ! ଯେତେଦିନ ଯାଏ ଏ ରାକ୍ଷସୀ ଜେବ୍‌ଉନ୍ନିସା ଓ ଡାକିନୀ ଉଦୀପୁରୀ ବଞ୍ଚିରହିଛନ୍ତି, ସେ ପର୍ଯ୍ୟନ୍ତ ମୋ ପୁଅ ଦିଲ୍ଲୀ ସିଂହାସନରେ ବସିବାର ଭରସା ମୁଁ କରିପାରୁନାହିଁ ! ଥରେ ମାତ୍ର ମନରେ ସାହସ ବାନ୍ଧି ରୌଶନାରା ଆଗରେ ମୁହଁ ଖୋଲି କହିଥିଲି, ସେ ପରାଭବ ଆଜି ସୁଦ୍ଧା ମନରୁ ଭୁଲିନାହିଁ ! ଏବେ ବି ମୋ ମୁହଁ ଓ ନାକରେ ଚିହ୍ନି ରହିଛି !” ଏତକ କହିସାରି ଯୋଧପୁରୀ ବେଗମ୍ କାନ୍ଦିପକାଇଲେ । ତା’ପରେ ସେ ଲୁହ ପୋଛି କହିଲେ–‘‘ଛାଡ଼ ସେକଥାରେ ଲାଭ ନାହିଁ ! ତୁ ମୋର ଦୁଃଖ ବୁଝିପାରିବୁ ନାହିଁ; ବୁଝିଲେ ଅବା କ’ଣ କରିପାରିବୁ ? ତେଣୁ ମୁଁ ଯାହା କହୁଛି ତା’ କର ! ରାଜକୁମାରୀକୁ କହିବୁ–ରାଜସିଂହଙ୍କ ଶରଣ ପଶିବା ବର୍ତ୍ତମାନ ଏକମାତ୍ର ଉପାୟ । ବୀରବର ରାଜସିଂହ କୁମାରୀଙ୍କ ପ୍ରାର୍ଥନା ଅସ୍ଵୀକାର କରିବେ ନାହିଁ । ଆଉ ମଧ୍ୟ କହିବୁ–ମୁଁ ଆଶୀର୍ବାଦ ଦେଉଛି, ରାଜକୁମାରୀ ରାଣାଜୀଙ୍କର ରାଜମହିଷୀ ହେଉ ଏବଂ ସେ ପ୍ରତିଜ୍ଞା କରିବା ଉଚିତ–ଉଦୀପୁରୀ ଯେପରି ତା’ର ତମାଖୁ ସାଜିବା ଏବଂ ଜେବଉନ୍ନିସା ପଙ୍ଖା ଚଳାଇବା କାର୍ଯ୍ୟରେ ନିଯୁକ୍ତି ପାଆନ୍ତି !”

 

“ଏକଥା କେବେହେଲେ କ’ଣ ସମ୍ଭବ ମହାରାଣୀ ଜୀ !”

 

“ସେ ବିଷୟ ତୁ ବିଚାର କରନା । ମୁଁ ଯାହା କହୁଛି–ପାରିବୁ କି ନାହିଁ କହ ?”

 

“ମୁଁ ବେଶ୍ ପାରିବି !”

 

ଯୋଧପୁରୀ ବେଗମ୍ ଆବଶ୍ୟକୀୟ ଅର୍ଥ, ପୁରସ୍କାର ତଥା ନିଜର ପଞ୍ଝା ଦେଇ ଦେବୀକୁ ବିଦାୟ ଦେଲେ ।

Image

 

ହାୟ ବିଧାତା

 

ଜେବ୍‌ଉନ୍ନିସାର ବିଳାସକକ୍ଷରେ ପୁଣି ରାତିରେ ଆସି ହାଜର ହେଲେ ମୋବାରକ୍ । କିନ୍ତୁ ଏଥର ସେ ତଳେ ଗାଲିଚା ଉପରେ ଆଣ୍ଠୁମାଡ଼ି ଯୋଡ଼ହସ୍ତରେ ବସିଥିଲେ । ଜେବ୍‌ଉନ୍ନିସା ରତ୍ନଖଚିତ ଗଜଦନ୍ତ ପଲଙ୍କରେ ମୁକ୍ତାପ୍ରବାଳର ଝାଲରଲଗା ଶଯ୍ୟାରେ ମୁଲାୟମ ତକିଆ ଉପରେ ଆଉଜିପଡ଼ି ସୁନାରେ ତିଆରି ହୁକ୍‌କାରେ ରତ୍ନଖଚିତ ନଳରେ ତମାଖୁ ସେବନ କରୁଥିଲା । ଟିକିଏ ପରେ ମୋବାରକ୍ ଆଡ଼କୁ ଚାହିଁ ପଚାରିଲା ଉନ୍ନିସା–“ଯାହା ପଚାରିବି ସବୁ ସତ ସତ କହିବ ତ ?”

 

“ବନ୍ଦାକୁ ହୁକୁମ୍ ହେଉ ବେଗମ୍ ସାହିବା !” ହାତଯୋଡ଼ି ଉତ୍ତର ଦେଲେ ମୋବାରକ୍ ଖାଁ-

 

“ତୁମେ ଦରିୟାକୁ ବିବାହ କରିଛ ?”

 

“ଦେଶରେ ଥିବାବେଳେ ତାକୁ ବିବାହ କରିଥିଲି ।”

 

“ସେଇଥିଲାଗି ଅନୁଗ୍ରହ କରି ମୋ ସହିତ ‘ନିହାକ’ କରିବାକୁ ଚାହୁଁଥିଲ ନା ?”

 

“ମୁଁ ଅନେକ ଦିନରୁ ତାକୁ ତଲାକ୍ ଦେଇ ପରିତ୍ୟାଗ କରିଛି !”

 

“ତଲାକ୍ ଦେବାର କାରଣ କ’ଣ ?”

 

“ସେ ଗୋଟିଏ ପାଗଳୀ; ଆପଣ ଅବଶ୍ୟ ଏହା ବୁଝିପାରିଥିବେ !”

 

“ପାଗଳୀ ବୋଲି ମୁଁ ତାର କେବେହେଲେ କୌଣସି ଲକ୍ଷଣ ଦେଖିନାହିଁ !”

 

“ସେ ନିଜର ସ୍ଵାର୍ଥସିଦ୍ଧି ଲାଗି ବେଗମ୍‌ଙ୍କ ହଜୁର୍‌ରେ ହାଜିର ହୁଏ । କାର୍ଯ୍ୟ–ସିଦ୍ଧି ସମୟରେ ତାର ପାଗଳାମି ନଥାଏ; କିନ୍ତୁ ଅନ୍ୟ ସମୟରେ ସେ ପାଗଳ ! ଆପଣ ତାକୁ ଥରେ ଅନ୍ୟ ସମୟରେ ଡକାଇ ଆଣି ଦେଖନ୍ତୁ ।”

 

“ତୁମେ ତାକୁ ପଠାଇଦେଇପାରିବ ? କହିବ–ମୋର କିଛି ଭଲ ସୁର୍‍ମା ଦରକାର ଅଛି-।”

 

“କାଲି ପ୍ରଭାତରୁ କିଛିଦିନ ଲାଗି ବାହାରକୁ ଦୂରକୁ ଚାଲିଯାଉଛି ।”

 

“ଦୂରକୁ ଯିବ ?” କାହିଁକି ? ସେ କଥା ତ ମୋତେ ଜଣାଇନାହଁ ?”

 

“ଆଜି ସେ ବିଷୟ ନିବେଦନ କରିବାର ଇଚ୍ଛା ଥିଲା !” କହିଲେ ମୋବାରକ୍ ଖାଁ ।

 

“କୁଆଡ଼େ ଯିବ ?”

 

“ରାଜପୁତାନାରେ ରୂପନଗର ବୋଲି ଗୋଟିଏ ଦୁର୍ଗ ଅଛି; ସେଠାକାର ରାଓସାହେବଙ୍କ କନ୍ୟାକୁ ବେଗମ୍ ସାହିବା କରିବାଲାଗି ହଜରତ୍ ଶାହାନ୍‌ଶାହଙ୍କର ଇଚ୍ଛା । ତାଙ୍କୁ ଆଣିବା ଲାଗି ଗୋଟିଏ ସୈନ୍ୟଦଳ ଏଠାରୁ ରୂପନଗର ଯାଉଛି । ମୋତେ ସେହି ଦଳ ସହିତ ଯିବାଲାଗି ଆଦେଶ ହୋଇଛି ।” କହିଲେ ମୋବାରକ୍ ।

 

“ସେ ବିଷୟରେ ମୋର କେତେ କଥା କହିବାର ଅଛି । ତୁମେ ଆଗେ ଜବାବ୍ ଦିଅ–ତୁମେ ଗଣେଶ ଜ୍ୟୋତିଷ ପାଖକୁ ଭାଗ୍ୟଗଣନା ଲାଗି ଯାଇଥିଲ ?”

 

“ହଁ, ଯାଇଥିଲି !”

 

“କାହିଁକି ଯାଇଥିଲ ?” ଟିକିଏ ରୁକ୍ଷସ୍ୱରରେ ପଚାରିଲା ଜେବ୍‌ଉନ୍ନିସା ।

 

“ସମସ୍ତେ ଯାଆନ୍ତି... । କିନ୍ତୁ ଏହା ବ୍ୟତୀତ ଆହୁରି ଗୋଟିଏ କାରଣ ହେଉଛି–ଦରିୟା ମୋତେ ଜୋର୍ କରି ସେଠାକୁ ନେଇଯାଇଥିଲା ।”

 

“ହୁଁ...ତୁମେ ଗଲ କାହିଁକି ?” ଏହା କହି ଟିକିଏ ଗମ୍ଭୀର ହୋଇଯାଇ କେତେ ସମୟ ପର୍ଯ୍ୟନ୍ତ ଜମାହୋଇଥିବା ଫୁଲଗୁଡ଼ିକ ସହିତ ଜେବ୍‌ଉନ୍ନିସା ଖେଳରେ ମାତିଗଲା । ଏହି ଅବସରରେ ମୋବାରକ୍ ଘଟଣାଟିକୁ ମୂଳରୁ ଶେଷଯାଏ କହିଗଲେ । ସବୁ ଶୁଣିସାରି ପଚାରିଲା ଜେବ୍‌ଉନ୍ନିସା–“ଶାହଜାଦୀକୁ ବିବାହ କଲେ ତୁମ ଭାଗ୍ୟ ଚମକିଉଠିବ ବୋଲି ଜ୍ୟୋତିଷ ତୁମକୁ କହି ନ ଥିଲା କି ?”

 

“ହିନ୍ଦୁମାନେ ଶାହଜାଦୀ ବୋଲି କହନ୍ତି ନାହିଁ; ସେ କହିଥିଲା–ରାଜପୁତ୍ରୀ ।”

 

“ଶାହାଜାଦୀମାନେ କ’ଣ ରାଜପୁତ୍ରୀ ନୁହନ୍ତି କି ?”

 

“ନୁହନ୍ତି କାହିଁକି ?”

 

“ସେଇଥିପାଇଁ ସେଦିନ ତୁମେ ବିବାହ ପ୍ରସ୍ତାବ କରିଥିଲ, ନୁହେଁ କି ?”

 

“ମୁଁ କେବଳ ଧର୍ମଭୟରେ ସେଦିନ କହିଥିଲି; ବେଗମ୍‌ ସାହିବାଙ୍କର ମନେଥିବ, ଏ ଘଟଣାର ପୂର୍ବରୁ ମୁଁ ଏ ପ୍ରସ୍ତାବ ଦେଇଛି !”

 

“କାହିଁ ? ମୋର ସେ କଥା ମନେପଡ଼ୁ ନାହିଁ ! ଛାଡ଼ ସେକଥା ! ମୋର ସେଥିରେ କିଛି ଯାଏ ଆସେ ନାହିଁ । ତୁମକୁ ଏତେ କଥା ଗୁଡ଼େଇ–ତୁଡ଼େଇ ପଚାରିଲି ବୋଲି ତୁମେ ରାଗିବ ନାହିଁ-। ତୁମେ ରାଗିଗଲେ ମୋ ମନରେ ବିଶେଷ ଦୁଃଖ ଜାତ ହେବ । ତୁମେ ମୋର ପ୍ରାଣର ପ୍ରିୟ-। ତୁମକୁ ଯେତିକି ସମୟ ଦେଖେ, ମୋ ମନରେ ଅପାର ଆନନ୍ଦ ଜାତ ହୁଏ । ଆସ, ତୁମେ ପଲଙ୍କ ଉପରକୁ ଉଠିଆସ; ମୁଁ ତୁମ ଦେହରେ ଅତର ବୋଳିଦିଏ ।”

 

“ଜେବ୍‌ଉନ୍ନିସା ମୋବାରକ୍‌କୁ ପଲଙ୍କ ଉପରେ ବସାଇ ନିଜ ହାତରେ ଅତର ଲଗାଇ ଦେଇ କହିଲା–“ଏଥର ମୁଁ ରୂପନଗର କଥାଟା କହେ...ଜାଣେନା. ରୂପନଗରୀର ପିତା ତାକୁ ଛାଡ଼ିବେ କି ନା ? ଛାଡ଼ି ନ ଦେଲେ ତୁମେ ଜୋର୍‌ କରି ତାକୁ ଘେନି ଆସିବ ।”

 

“ଏପରି ଆଦେଶ ବାଦଶାହଙ୍କଠାରୁ ଆମକୁ ମିଳିନାହିଁ ।”

 

“ଏ କ୍ଷେତ୍ରରେ ମୋତେ ହୁଏତ ବାଦଶାହ ବୋଲି ମାନିନିଅ । ବାଦଶାହଙ୍କର ଯଦି ଏହା ଅଭିପ୍ରାୟ ନଥାନ୍ତା; ତା’ ହେଲେ ଫଉଜ ଯାଉଛନ୍ତି କାହିଁକି ?”

 

“ମାର୍ଗର ସୁରକ୍ଷାଲାଗି ହୋଇପାରେ... ।”

 

ଆଲମଗିର୍‌ଙ୍କ ଫଉଜ ଯେଉଁ କାର୍ଯ୍ୟରେ ଅଗ୍ରସର ହେବେ, ସେ କାର୍ଯ୍ୟ ନିଶ୍ଚୟ ସଫଳ ହେବ । ଯେଉଁ ଉପାୟରେ ହେଉ ପଛକେ, ତୁମେ ରୂପନଗରୀକୁ ନେଇ ଆସିବ । ବାଦଶାହ ଯଦି ତୁମ କାର୍ଯ୍ୟରେ ବିରକ୍ତ ହୁଅନ୍ତି, ମୁଁ ସେକଥା ବୁଝିବି ।”

 

“ମୋ ପକ୍ଷରେ ସେହି ହୁକୁମ ଯଥେଷ୍ଟ । ତଥାପି ବେଗମ୍‍ ସାହିବାଙ୍କର ଏ ପ୍ରକାର ଇଚ୍ଛା କାହିଁକି ? ଏତିକି ଜାଣିପାରିଲେ, ମୋ ମନରେ ଅପୂର୍ବ ସାହସ ଜାତ ହେବ ।”

 

“ମୁଁ ସେହି କଥା ତୁମକୁ କହିବାକୁ ଯାଉଛି । ମୁଁ କୌଶଳକ୍ରମେ ଏଇ ରୂପନଗରୀକୁ ଅଣାଉଛି ।”

 

“ଉଦ୍ଦେଶ୍ୟ କ’ଣ ଜାଣିପାରେ କି ?”

 

“ଉଦ୍ଦେଶ୍ୟ... ? ଏଇ ଉଦୀପୁରୀର ସୌନ୍ଦର୍ଯ୍ୟ–ଗର୍ବ ଆଉ ସହ୍ୟ ହେଉନାହିଁ । ଶୁଣିଲି, ରୂପନଗରର ରାଜକୁମାରୀ ଖୁବ୍ ସୁନ୍ଦରୀ । ଯଦି ସତ୍ୟ ହୋଇଥାଏ, ତେବେ ଉଦୀପୁରୀ ବଦଳରେ ସେ ବାଦଶାହଙ୍କ ଉପରେ ପ୍ରଭୁତ୍ଵ ଜାହିର କରିବ । ମୁଁ ତାକୁ ଅଣାଇଛି, ଏକଥା ଜାଣିଲେ ସେ ମୋର ବଶୀଭୂତ ହୋଇ ରହିବ । ବର୍ତ୍ତମାନ ମୋ ଏକାଧିପତ୍ୟରେ ଯେଉଁ କଣ୍ଟକ ରହିଛି, ତାହା ଦୂର ହୋଇଯିବ । ଯାହାହେଉ, ତୁମେ ଯାଉଛ; ଖୁବ୍ ଭଲ ହୋଇଛି । ଯଦି ଦେଖିବ–ସେ ଉଦୀପୁରୀ ଅପେକ୍ଷା ସୁନ୍ଦରୀ... ।”

 

“ମୁଁ ତ ହଜରତ୍ ବେଗମ୍ ସାହିବାଙ୍କୁ କେବେହେଲେ ଦେଖିନାହିଁ... ?”

 

“ତୁମେ ଯଦି ଇଚ୍ଛା କରିବ; ତା’ହେଲେ ଦେଖାଇଦେବି । କିନ୍ତୁ ତୁମକୁ ଏଇ ପରଦା ଆଢ଼ୁଆଳରେ ଲୁଚିରହିବାକୁ ପଡ଼ିବ ।”

 

“ଛି... ।” ହସିଦେଇ କହିଲେ ମୋବାରକ୍ ଖାଁ ।

 

ଜେବ୍‌ଉନ୍ନିସା ଖିଲ୍‌ ଖିଲ୍ ହସିଉଠି କହିଲା–‘‘ଦିଲ୍ଲୀରେ ତୁମପରି କେତୋଟି ମାଙ୍କଡ଼ ଅଛନ୍ତି କହିଲ ? ହେଉ, ଛାଡ଼ ସେକଥା । ମୁଁ ଯାହା କହୁଛି ଶୁଣ । ତୁମେ ଉଦୀପୁରୀକୁ ନ ଦେଖିଛ ନାହିଁ, ମୁଁ ତା’ର ଛବି ତୁମକୁ ଦେଖାଉଛି । କିନ୍ତୁ ରୂପନଗରୀକୁ ଦେଖିବ । ଯଦି ସେ ଖୁବ୍ ସୁନ୍ଦରୀ ହୋଇଥାଏ, ତାକୁ କହିବ–ସେ ମୋ’ରି ଅନୁଗ୍ରହରୁ ବେଗମ୍ ହେବାର ସୌଭାଗ୍ୟ ଲାଭ କରିଛି । ଯଦି ସେ ଖୁବ୍ ସୁନ୍ଦରୀ ହୋଇନଥାଏ..‘‘ଜେବ୍‌ଉନ୍ନିସା କହୁ କହୁ ଅଟକିଯାଇ କ’ଣ ଭାବିବାକୁ ଲାଗିଲା । ଏହା ଲକ୍ଷ୍ୟକରି ପଚାରିଲେ ମୋବାରକ୍–‘‘ଯଦି ଦେଖିବାକୁ ସେପରି ସୁନ୍ଦରୀ ହୋଇ ନଥାଏ; ତା’ହେଲେ କ’ଣ କରିବି ?”

 

“ତୁମେ ତ ବିବାହ କରିବାକୁ ଖୁବ୍ ଭଲପାଅ; ନିଜେ ବିବାହ କରିନେବ । ବାଦଶାହଙ୍କଠାରୁ ଅନୁମତି ମିଳିବା ଦାୟିତ୍ଵ ମୋର ।”

 

“ଏ ଅଧମ ପ୍ରତି ଆପଣଙ୍କ ମନରେ ଟିକିଏ ହେଲେ ସ୍ନେହ ନାହିଁ ?”

 

“ଶାହଜାଦୀ...ଆଉ ପ୍ରେମ... ?”

 

“ତା’ହେଲେ ବିଧାତା ଶାହଜାଦୀମାନଙ୍କୁ ସୃଷ୍ଟି କରିଛନ୍ତି କାହିଁକି ?”

 

“କେବଳ ମଉଜ ଲୁଟିବାଲାଗି । ଭଲପାଇବା କେବଳ ଦୁଃଖ ହିଁ ଦୁଃଖ ।”

 

ମୋବାରକ୍ ଆଉ କିଛି ଶୁଣିବା ଲାଗି ପ୍ରସ୍ତୁତ ନଥିଲେ । ସେ ପ୍ରସଙ୍ଗ ପରିବର୍ତ୍ତନ କରି କହିଲେ–“ଯିଏ ବାଦଶାହଙ୍କର ବେଗମ୍ ହେବ, ମୁଁ ତାଙ୍କୁ ଦେଖିବି କିପରି ?”

 

“କୌଣସି ପ୍ରକାର କଳକୌଶଳରେ ଦେଖିବ ।”

 

“ଏହା ଶୁଣିଲେ ବାଦଶାହ ମୋ ମୁଣ୍ଡ ରଖିବେ ତ ?”

 

“ସେ ଦାୟିତ୍ଵ ମୋ ଉପରେ ଛାଡ଼ିଦିଅ ।” ଜୋର ଦେଇ ଭୂରୁ ନଚାଇ କହିଲା ମୋଗଲ କୁମାରୀ ଜେବ୍‍ଉନ୍ନିସା ।

 

“ଆପଣ ଯାହା କହିବେ, ଅକ୍ଷରେ ଅକ୍ଷରେ ପାଳନ କରିବି; କିନ୍ତୁ ଏ ଗରୀବଟିକୁ ଅନୁଗ୍ରହ କରି ଟିକିଏ ଭଲପାଆନ୍ତୁ ।”

 

“କହିଛି ତ, ତୁମେ ମୋ’ ପ୍ରାଣର ପ୍ରିୟ ।”

 

“ସ୍ନେହ ଓ ପ୍ରେମ ପୂର୍ବକ କହୁଛନ୍ତି ତ ?”

 

“ପୂର୍ବରୁ କହିଛି, ଭଲପାଇବା, ପ୍ରେମ କରିବା ଗରିବ ଦୁଃଖୀଙ୍କର କାମ । ଶାହଜାଦୀମାନେ ସେ ପଙ୍କରେ ପଶନ୍ତି ନାହିଁ ।”

 

ରହସ୍ୟମୟୀ ସୁନ୍ଦରୀ ଜେବ୍‌ଉନ୍ନିସାର ନିଷ୍ଠୁର ବାକ୍ୟରେ ମର୍ମାହତ ହୋଇ ସେଠାରୁ ଚାଲିଗଲେ ମୋବାରକ୍ ଖାଁ ।

Image

 

ବକ ଓ ହଂସୀ ଉପାଖ୍ୟାନ

 

ନିର୍ମଳ ଧୀରେ ଧୀରେ ଅଗ୍ରସର ହୋଇ ରାଜକୁମାରୀ ପାଖରେ ବସିପଡ଼ି ଦେଖିଲା–କୁମାରୀ ଏକାକିନୀ ବସି ଆଖିରୁ ଲୁହଧାର ଗଡ଼ାଇଚାଲିଛି । ସେଦିନ ଯେଉଁ ଚିତ୍ରଗୁଡ଼ିକ କିଣାଯାଇଥିଲା, ସେଥିରୁ ଖଣ୍ଡିଏ ତା’ ହାତରେ ରହିଛି । ନିର୍ମଳକୁ ଦେଖିବାକ୍ଷଣି ସେ ଛବିଟିକୁ ଓଲଟାଇଧରିଲା । ସେ କାହାର ଚିତ୍ର, ଏ ବିଷୟରେ ନିର୍ମଳର ଆଉ ସନ୍ଦେହ ରହିଲା ନାହିଁ । ନିର୍ମଳ ଅତି ଆଦରରେ ପଚାରିଲା–“ଏବେ ଉପାୟ ?”

 

“ଉପାୟ ଯାହା ହେଉନା କାହିଁକି, ମୁଁ କେବେହେଲେ ମୋଗଲର ଦାସୀ ହେବିନାହିଁ ।” ତଳକୁ ମୁହଁ ପୋତି କହିଲା ଚଞ୍ଚଲ୍‍ ।

 

“ତା’ ମୁଁ ଜାଣେ; କିନ୍ତୁ ଆଲାମ୍‌ଗିର ବାଦଶାର ହୁକୁମ ବିରୁଦ୍ଧରେ ରାଜାଜୀଙ୍କର ସାଧ୍ୟ କ’ଣ ଅଛି ଅନ୍ୟଥା କରିବା ? ଉପାୟ ନାହିଁ ସଖୀ ! ତେଣୁ ତୁମକୁ ନିଶ୍ଚୟ ସ୍ଵୀକାର କରିବାକୁ ହିଁ ହେବ । ଆଉ ମଧ୍ୟ ସ୍ୱୀକାର କରିବା ସୌଭାଗ୍ୟର ବିଷୟ । ଯୋଧପୁର କୁହେ, ଅମ୍ବର କୁହେ–ଯେତେ ନବାବ, ରାଜା, ରାଣା ଅଛନ୍ତି, ଏଡ଼େବଡ଼ ଲୋକ ଆଉ କିଏ ଅଛନ୍ତି ଯେ କି ନିଜ କନ୍ୟାକୁ ଦିଲ୍ଲୀର ଅଧୀଶ୍ଵରୀ କରାଇବାକୁ ଚାହୁଁ ନାହାନ୍ତି । ପୃଥିବୀଶ୍ଵରୀ ହେବାକୁ ତୁମର ଅମତ କାହିଁକି ?” କହିଲା ନିର୍ମଳ ।

 

ଚଞ୍ଚଲ୍‍ ରାଗିଯାଇ କହିଲା–“ତୁ ଏଠାରୁ ଚାଲିଯା... ।”

 

ନିର୍ମଳ ଦେଖିଲା, ଏପରି କହିଲେ କିଛି ଫଳ ହେବନାହିଁ । ସେ ଅନ୍ୟ ଉପାୟ ଚିନ୍ତାକରି କହିଲା–‘‘ମନେକର ମୁଁ ଏଠାରୁ ଚାଲିଗଲି; ତୁମେ ଯାହାଦ୍ଵାରା ପ୍ରତିପାଳିତ ହୋଇଛ, ତାଙ୍କ ବିଷୟ ଥରେ ଚିନ୍ତା କରିବ କି ନାହିଁ ? ତୁମେ ଯଦି ଦିଲ୍ଲୀ ନ ଯାଅ, ତୁମ ବାପାଙ୍କର ଦଶା କ’ଣ ହେବ, ଥରେ ଚିନ୍ତା କରିଛ କି ?”

 

“ହଁ ଭାବିଛି । ମୁଁ ଯଦି ନ ଯାଏ, ତେବେ ମୋ ବାପାଙ୍କର ମୁଣ୍ଡ ରହିବ ନାହିଁ ଏବଂ ରୂପନଗରଗଡ଼ରେ ଖଣ୍ଡିଏ ହେଲେ ପଥର ରହିବ ନାହିଁ । ମୁଁ ପିତୃହତ୍ୟାର କାରଣ ହେବିନାହିଁ, ଏହା ମଧ୍ୟ ଭାବିସାରିଛି । ବାଦଶାହୀ ଫଉଜ ଆସିଗଲେ, ମୁଁ ସେମାନଙ୍କ ସହିତ ଦିଲ୍ଲୀ ଚାଲିଯିବି ।”

 

“ମୁଁ ମଧ୍ୟ ସେହି ପରାମର୍ଶ ଦେଉଛି ।” ନିର୍ମଳ ପ୍ରସନ୍ନତାର ଛଳନା କରି କହିଲା ।

 

ରାଜକୁମାରୀ ଭ୍ରୁଭଙ୍ଗ କରି କହିଲା–‘‘ତୁ କ’ଣ ଭାବିଛୁ, ମୁଁ ଦିଲ୍ଲୀ ଯାଇ ମାଙ୍କଡ଼ ମୁସଲମାନର ଶେଯରେ ଅଙ୍କଶାୟିନୀ ହେବି ? ହଂସୀ କେବେହେଲେ କ’ଣ ବକର ସେବା କରିପାରେ ?”

 

“ତେବେ କ’ଣ କରିବ ?” କୁମାରୀର ମନୋଭାବ ଜାଣିବାଲାଗି କହିଲା ନିର୍ମଳ ।

 

ଚଞ୍ଚଲ୍‍କୁମାରୀ ଗୋଟିଏ ମୁଦ୍ରିକା ଦେଖାଇ କହିଲା–‘‘ଦିଲ୍ଲୀ ଯିବାବାଟରେ ଏହାରିଦ୍ଵାରା କାର୍ଯ୍ୟ ହାସଲ କରିବି ।”

 

ନିର୍ମଳ ଜାଣିଥିଲା–ସେ ମୁଦ୍ରିକା ମଧ୍ୟରେ ବିଷ ଭରି ରହିଛି । ତେଣୁ ସେ ପୁଣି ପଚାରିଲା–‘‘ଭାବୁଛୁ, ବିଷ ଖାଇ ଆତ୍ମହତ୍ୟା କରିବୁ । କିନ୍ତୁ ଆଉ କ’ଣ କିଛି ଉପାୟ ନାହିଁ ?”

 

“ଆଉ କ’ଣ ଉପାୟ କହ ସଖୀ ! ପୃଥିବୀରେ ଆଉ କିଏ ସେ ଏଡ଼େବଡ଼ ବୀର ଅଛି ଯେ, ମୋ ପାଇଁ ଦିଲ୍ଲୀଶ୍ଵରଙ୍କ ସହିତ ଶତ୍ରୁତା କରିବାଲାଗି ପ୍ରସ୍ତୁତ ହୋଇଯିବ ? ରାଜପୁତାନାର ସମସ୍ତ ବୀର କୁଳାଙ୍ଗାର, ସମସ୍ତେ ମୋଗଲର ଦାସ । ଆଉ କ’ଣ ସେ ‘ସଂଗ୍ରାମ’ ଅଛନ୍ତି ନା, ‘ପ୍ରତାପ’ ଅଛନ୍ତି ?”

 

“କ’ଣ ପାଗଳୀଙ୍କ ପରି କହୁଛ କୁମାରୀ ! ‘ସଂଗ୍ରାମ’ କିମ୍ବା ‘ପ୍ରତାପ’ ଥିଲେ ସୁଦ୍ଧା ସେମାନେ କାହିଁକି ତୋ’ ପାଇଁ ସର୍ବସ୍ଵ ସ୍ଵାହା କରିଦେଇ ଦିଲ୍ଲୀ ବାଦଶାହ ସହିତ ଶତ୍ରୁତା କରିଥାଆନ୍ତେ ? କେହି କେବେହେଲେ ସାମାନ୍ୟ ବିଷୟ ଲାଗି ନିଜର ସର୍ବନାଶ କରେ ନାହିଁ । ରାଣା ସଂଗ୍ରାମ ସିଂହ, ରାଣା ପ୍ରତାପ ସିଂହ ନାହାନ୍ତି ସତ୍ୟ; କିନ୍ତୁ ରାଜସିଂହ ତ ଅଛନ୍ତି । କିନ୍ତୁ ଏ ତୁଚ୍ଛ କଥାରେ ରାଜସିଂହ କାହିଁକି ଆତ୍ମାହୁତି ଦେବାକୁ ପ୍ରସ୍ତୁତ ହେବେ ? ବିଶେଷତଃ ତୁମେ ମାରୱାଡ଼ ପରିବାରର କନ୍ୟା ।” ଘଟଣାଟିକୁ ସବୁ ଦିଗରୁ ବୁଝାଇ କହିଲା ନିର୍ମଳ୍‍ ।

 

“ବାହୁରେ ଅଦମ୍ୟ ବଳ ଥିଲେ, କେଉଁ ରାଜପୁତ୍ ଶରଣାଗତର ସୁରକ୍ଷା କରେନା ? ମୁଁ ସେହି କଥା ଭାବୁଛି ନିର୍ମଳ ! ଏହି ମହାବିପଦରେ ମୁଁ ଯଦି ରାଣା ସଂଗ୍ରାମ ସିଂହ, ରାଣା ପ୍ରତାପ ସିଂହଙ୍କ କୁଳର ଏକମାତ୍ର ମୁକୁଟମଣିଙ୍କ ପାଖରେ ଶରଣ ପଶେ, ତା’ହେଲେ ସେ ମୋତେ ରକ୍ଷା କରିବେ ନାହିଁ ?” ଏହା କହି ଚଞ୍ଚଲ୍‍ ନିଜ ହାତରେ ଧରିଥିବା ଛବିଟିକୁ ଓଲଟାଇଦେଲା । ନିର୍ମଳ ଦେଖିଲା, ଚଞ୍ଚଳ ହାତରେ ରାଣା ରାଜସିଂହଙ୍କର ଛବି । ତା’ପରେ କହିଲା ରାଜକୁମାରୀ–‘‘ଏ ରାଜକାନ୍ତିଦୀପ୍ତ ଛବିରୁ ତୁ କ’ଣ ଭାବିପାରୁଛୁ ଯେ, ସେ ମୋ’ପରି ଗୋଟିଏ ପତିତାକୁ ଉଦ୍ଧାର କରିବାଲାଗି ଶରଣ ରକ୍ଷକ ବାନା ଉଡ଼ାଇବେ ? ମୁଁ ଯଦି ଏହାଙ୍କ ଶରଣତଳେ ଶରଣ ପଶେ, ତେବେ ମୋତେ ରକ୍ଷା କରିବେ ?”

ନିର୍ମଳ ଥିଲା ଅତ୍ୟନ୍ତ ବୁଦ୍ଧିମତୀ ଏବଂ ଚଞ୍ଚଲ୍‍ର ନିଜ ଭଉଣୀପରି ହିତକାରିଣୀ । ସେ କିଛି ସମୟ ଚିନ୍ତାକରି କହିଲା–‘‘ଯେଉଁ ବୀର ତୁମକୁ ଏଡ଼େବଡ଼ ବିପଦରୁ ରକ୍ଷାକରିବାକୁ ଜୀବନପଣ କରି ବସିବେ, ତୁମେ ତାଙ୍କୁ ପ୍ରତିଦାନରେ ଦେବ କଅଣ ?”

ଚଞ୍ଚଳ ନିର୍ମଳର ଉଦ୍ଦେଶ୍ୟ ବେଶ୍ ବୁଝିପାରିଲା । ସେ କାତର କଣ୍ଠରେ କହିଲା–‘‘ସଖୀ, କ’ଣ ଅବା ଦେଇପାରିବି ? ମୋର କ’ଣ ବା ଅଛି; ମୁଁ ପରା ଅବଳା ।”

“ତୁମର ତୁମେ ହିଁ ଅଛ... ।”

“ଦୂର୍ ହ... ।”

“ନୋହିଲେ ସେମିତି ଜଳିପୋଡ଼ି ରୁହ । ଯଦି ତୁମେ ରୁକ୍ମଣୀ ସାଜିପାର, ତା’ହେଲେ ସ୍ଵୟଂ ଯଦୁପତି ଆସି ତୁମକୁ ରକ୍ଷା କରିବେ ।”

ଏ କଥା ଶୁଣି ଚଞ୍ଚଲ୍‍କୁମାରୀ ମୁହଁ ତଳକୁ ପୋତିଦେଲା । ସୂର୍ଯ୍ୟୋଦୟ ସମୟରେ ମେଘମାଳା ଉପରେ ଉଜ୍ଜ୍ଵଳ ତରଙ୍ଗ ଭାସିଆସି କ୍ଷଣ–କ୍ଷଣକେ ନୂତନ ସୌନ୍ଦର୍ଯ୍ୟ ଉଦ୍‌ଭାସିତ କରେ; ଚଞ୍ଚଲ୍‍କୁମାରୀର ମୁଖମଣ୍ଡଳରେ ଠିକ୍ ସେହିପରି ଲଜ୍ଜା ଅରୁଣାୟିତ ଭାବରେ ନୂତନ ସୌନ୍ଦର୍ଯ୍ୟର ଛଟା ବିସ୍ତାର କଲା । ସେ ମୁହଁପୋତି କହିଲା–‘‘ସତେ କ’ଣ ମୋର ଏଡ଼େବଡ଼ ଭାଗ୍ୟ-? ମୁଁ କ’ଣ ତାଙ୍କୁ ପାଇପାରିବି ? ମୁଁ ତାଙ୍କ ପଦତଳେ ନିଜକୁ ବିକ୍ରୟ କରିବାକୁ ଚାହିଁଲେ ସେ ପ୍ରକୃତରେ ମୋତେ କିଣିନେବାକୁ ଆଗ୍ରହ ପ୍ରକାଶ କରିବେ ?”

“ସେ ବିଚାରର ଦାୟିତ୍ଵ ତାଙ୍କର; ଆମର ନୁହେ । ଶୁଣିଛି, ରାଜସିଂହ ଖୁବ୍ ବଳଶାଳୀ; ଦୂତ ପଠାଇବା କ’ଣ ସମ୍ଭବ ନୁହେ ? ଗୁପ୍ତ ସମ୍ବାଦ ନେଇ କୌଣସି ବ୍ୟକ୍ତି କ’ଣ ତାଙ୍କ ନିକଟକୁ ଯାଉନଥିବ ?”

“ଚଞ୍ଚଲ୍‍ ଟିକିଏ ଚିନ୍ତାକରି କହିଲା–‘‘ତୁ ମୋ ଗୁରୁଦେବଙ୍କୁ ଡକାଇଆଣ; ମୋତେ ଆଉ କିଏ ଏତେ ଭଲପାଏ ଯେ ? କିନ୍ତୁ ଦେଖ, ତାଙ୍କୁ ସବୁକଥା ବୁଝାଇ ଦେଇ ମୋ ପାଖକୁ ଆଣିବୁ ! ନୋହିଲେ ଏସବୁ କଥା ଖୋଲାଖୋଲି ଭାବରେ କହିବାକୁ ମୋତେ ଲାଜମାଡ଼ିବ ।”

ଏହି ସମୟରେ ସଖୀମାନେ ଆସି ଖବର ଦେଲେ–ଜଣେ ସ୍ତ୍ରୀଲୋକ ମୋତି ବିକିବାକୁ ଆସିଛି-। ଏହା ଶୁଣି କହିଲା ଚଞ୍ଚଲ୍‍–“ଏବେ ମୋର ମୋତି କିଣିବାର ସମୟ ନୁହେ; ଫେରାଇଦିଅ-।”

“ଯେତେ ମନାକଲେ ମଧ୍ୟ ସେ ମାନୁନାହିଁ । ଜଣାଯାଉଛି–ଆଉ କିଛି ବିଶେଷ କାରଣ ଲାଗି ସେ ଏପରି ଜିଦ୍ କରୁଛି ।”

ଅନ୍ୟ ଉପାୟ ନ ଦେଖି ଚଞ୍ଚଲ୍‍କୁମାରୀ ତାକୁ ଡକାଇଆଣିଲା । ମୋତିବାଲୀ ଆସି କେତେଗୁଡ଼ିଏ ନକଲି ମୋତି ଦେଖାଇ ସମୟ ଗଡ଼ାଇଚାଲିଲା । ଏହା ଦେଖି ଚଞ୍ଚଲ୍ ଖୁବ୍ ବିରକ୍ତ ହୋଇ କହିଲା–‘‘ଏଇ ନକଲି ମୋତିଗୁଡ଼ିକ ଆଣି ଏପରି ଜିଦ୍ କରୁଥିଲ ?”

“ନା ମା’ ! ଆହୁରି ଦେଖାଇବା ଭଳି ଅନେକ ଜିନିଷ ଅଛି; କିନ୍ତୁ ଟିକିଏ ଏକୁଟିଆ ନ ହେଲେ ସେସବୁ ଦେଖାଇହେବନି ।”

 

“ମୁଁ ତୁମ ସହିତ ଏକୁଟିଆ କଥା କହି ପାରିବି ନାହିଁ । ତେଣୁ ମୋର ଜଣେ ମାତ୍ର ସଖୀ ଏଠାରେ ରହିବ । ହେଉ, ନିର୍ମଳ୍‍ ଥାଉ, ଆଉ ସମସ୍ତେ ବାହାରକୁ ଯାଅ ।”

 

ସମସ୍ତେ ବାହାରକୁ ଚାଲିଯିବାମାତ୍ରେ ଯୋଧପୁରୀ ବେଗମ୍‌ଙ୍କ ଦାସୀ ଦେବୀ ପ୍ରଥମେ ଆଣିଥିବା ପଞ୍ଝାଟି ଦେଖାଇଲା । ସେ ପଞ୍ଝାଟିକୁ ପଢ଼ି ପଚାରିଲା ଚଞ୍ଚଲ୍‍–“କିପରି ତୁମେ ଏଇଟିକୁ ପାଇଲ ଯେ ?”

 

“ଯୋଧପୁରୀ ବେଗମ୍ ମୋତେ ଦେଇଛନ୍ତି ।”

 

“ତୁମେ ତାଙ୍କର କିଏ ସେ ?”

 

“ମୁଁ ତାଙ୍କର ଅତି ବିଶ୍ଵାସର ଦାସୀ ।”

 

“ଏ ପଞ୍ଝା ନେଇ ଆସିବାର କାରଣ କ’ଣ ?”

 

ଦେବୀ ଯୋଧପୁରୀ ବେଗମ୍‍ଙ୍କ ସନ୍ଦେଶ ଆମୂଳଚୂଳ ବର୍ଣ୍ଣନା କରିଗଲା । ଏହା ଶୁଣି ନିର୍ମଳ୍‍ ଓ ଚଞ୍ଚଲ୍‍ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁବାରେ ଲାଗିଲେ । ତା’ପରେ ଚଞ୍ଚଲ୍‍କୁମାରୀ ଦେବୀକୁ ଯଥୋଚିତ ପୁରସ୍କାର ଦେଇ ବିଦାୟ ଦେଲା ।

 

ଦେବୀ ଯିବାବେଳେ ବେଗମ୍‌ଙ୍କ ପଞ୍ଝାଟି ଜାଣିଶୁଣି ଛାଡ଼ିଗଲା । କାରଣ ସେ ମନେମନେ ଭାବିଲା–କୁଆଡ଼େ ନେବି, କାହା ହାତରେ ପଡ଼ିବ; ବରଂ ଏଇଠାରେ ରହିଲେ ହୁଏତ କେବେ କାମରେ ଲାଗିପାରେ । ପଞ୍ଝାଟିକୁ ଦେଖି କହିଲା ଚଞ୍ଚଲ୍–‘‘ନିର୍ମଳ୍‍, ତାକୁ ଡାକି ତା’ ପଞ୍ଝାଟି ଦେଇ ଦେ... ।”

 

“ବୋଧହୁଏ ସେ ଜାଣିଶୁଣି ଏଠାରେ ଛାଡ଼ିଯାଇଛି ।”

 

“ମୋର କି ଦରକାରରେ ଏ ପଞ୍ଝାଟି ଆସିବ ?”

 

“ଏବେ ରଖିଥାଅ; ହୁଏତ ତୁମେ କେବେ ସୁବିଧା ସୁଯୋଗ ପାଇଲେ ଯୋଧପୁରୀ ବେଗମ୍‌ଙ୍କୁ ଫେରାଇଦେବ ।”

 

“କିନ୍ତୁ ଯା’ ହେଉ ନିର୍ମଳ, ବେଗମ୍‌ଙ୍କ କଥାରେ ମୋର ସାହସ ବଢ଼ିଗଲା । ଆମେ ଝିଅ ଦୁଇଟି ଗୋଟିଏ ପ୍ରସ୍ତାବ କରୁଥିଲେ; ତା’ର ଭଲ ମନ୍ଦ ପରିଣାମ ବିଷୟରେ ଆମର ଧାରଣା ନଥିଲା । କିନ୍ତୁ ଏଥର ସାହସ ହେଉଛି–ରାଣା ରାଜସିଂହଙ୍କ ଆଶ୍ରୟ ଗ୍ରହଣ କରିବାରେ ଭଲ ଫଳ ହେବ ନିଶ୍ଚୟ ।”

 

“ସେ କଥା ମୋତେ ଅନେକ ଆଗରୁ ଜଣାଥିଲା ।” ଏହା କହି ନିର୍ମଳ୍‍ ହସିଦେଲା ଏବଂ ଚଞ୍ଚଲ୍‍ ମଧ୍ୟ ମୁହଁ ଉପରକୁ ଉଠାଇ ନିର୍ମଳ ସହିତ ହସରେ ଯୋଗଦେଲା ।

 

“ନିର୍ମଳ୍‍ ସେଠାରୁ ଉଠିଗଲା; କିନ୍ତୁ ତା’ ମନରେ ଏ ପ୍ରକାର ଦୁଃସାହସ ପ୍ରତି କୌଣସି ଆସ୍ଥା ରହିଲା ନାହିଁ; ତେଣୁ କୋହରେ ତା’ର ଆଖିରୁ ଲୁହଧାର ଝରିପଡ଼ିଲା ।

Image

 

ଅନନ୍ତ ମିଶ୍ର

 

ରାଜବଂଶର ସୁଯୋଗ୍ୟ ପୁରୋହିତ ଅନନ୍ତ ମିଶ୍ର ନିଜର କନ୍ୟାପରି ଚଞ୍ଚଲ୍‍କୁମାରୀକୁ ସ୍ନେହ କରୁଥିଲେ । ସେ ଜଣେ ମହାମହୋପାଧ୍ୟାୟ ପଣ୍ଡିତ ଥିବାରୁ ସମସ୍ତେ ତାଙ୍କୁ ଭକ୍ତି କରୁଥିଲେ-। କୁଳପୁରୋହିତଙ୍କ ପ୍ରତି ରାଜପୁରର କୌଣସି କଟକଣା ନ ଥିବାରୁ, ସେ ଚଞ୍ଚଲ୍‍ର ଡାକରା ପାଇ ଅତି ଶୀଘ୍ର ଆସି କନ୍ୟାନ୍ତଃପୁରରେ ପ୍ରବେଶ ହେଲେ । ବାଟରେ ନିର୍ମଳ ତାଙ୍କୁ ସବୁକଥା ବୁଝାଇ କହିଥିଲା ।

ବିଭୂତିଚନ୍ଦନବିଭୂଷିତ, ପ୍ରଶସ୍ତ ଲଲାଟ, ରୁଦ୍ରାକ୍ଷଶୋଭିତ, ସହାସ୍ୟବଦନ ସେହି ସୌମ୍ୟମୂର୍ତ୍ତି ବ୍ରାହ୍ମଣ ଆସି ଚଞ୍ଚଲ୍‍ ନିକଟରେ ପହଞ୍ଚିଗଲେ । ପୂର୍ବରୁ ଚଞ୍ଚଲ୍‍କୁମାରୀ କାନ୍ଦୁଥିଲେ ହେଁ, ଗୁରୁଦେବ ଦେଖୁଥିଲେ ସେ ସ୍ଥିରମୂର୍ତ୍ତି । ସେ କୁମାରୀର ଅବସ୍ଥା ଲକ୍ଷ୍ୟ କରି କହିଲେ–“ମା, ଲକ୍ଷ୍ମୀ ମୋର । ମୋତେ ଡକାଇବାର କାରଣ କ’ଣ ?”

“ମୋତେ ଏହି ମହାସଙ୍କଟରୁ ବଞ୍ଚାଇବାଲାଗି... । ଆପଣଙ୍କ ବ୍ୟତୀତ ଆଉ କେହି ଏ କାର୍ଯ୍ୟଲାଗି ସକ୍ଷମ ନୁହନ୍ତି ।” ତଳକୁ ମୁହଁ ପୋତି ଉତ୍ତର ଦେଲା ରାଜକୁମାରୀ ।

ଟିକିଏ ହସିଦେଇ କହିଲେ ଅନନ୍ତ ମିଶ୍ରେ–“ବୁଝିଲି, ବୁଝିଲି ମା’ ! ରୁକ୍ମିଣୀଙ୍କର ବିବାହ କି ନା, ସେଇଥିଲାଗି ଏ ବୁଢ଼ାଟାକୁ ଦ୍ଵାରିକା ପର୍ଯ୍ୟନ୍ତ ଯିବାକୁ ହେବ । ଦେଖିଲ, ଲକ୍ଷ୍ମୀଭଣ୍ଡାରରେ କିଛି ଅଛି କି ନା । ରାସ୍ତାଖର୍ଚ୍ଚଟି ଜୁଟିଗଲେ ମୁଁ ଯଥାଶୀଘ୍ର ଉଦୟପୁର ଯାତ୍ରା ଆରମ୍ଭ କରିଦେବି ।”

ଚଞ୍ଚଲ୍‍ ଗୋଟିଏ ଜରିକାମ ହୋଇଥିବା ଅସରପି ଭରା ଥଳି ଆଣି ମିଶ୍ରଙ୍କ ହାତରେ ଧରାଇଦେଲା । ପୁରୋହିତ ସେଥିରୁ ପାଞ୍ଚୋଟି ମାତ୍ର ଅସରପି ନେଇ ଥଳିଟି ଫେରାଇ ଦେଇ କହିଲେ–‘‘ବାଟରେ ଅନ୍ନ ଭୋଜନ କରିବି; ଅସରପି ଖାଇ ପାରିବି ନାହିଁ । ହଁ, ଆଉ ଗୋଟିଏ କଥା କହିବି, କରିପାରିବୁ ମା !”

“ମୁଁ ଏ ବିପଦରୁ ରକ୍ଷାପାଇବା ପାଇଁ ନିଆଁରେ ଝାସ ଦେବାପାଇଁ ପ୍ରସ୍ତୁତ । ଆଜ୍ଞା କରନ୍ତୁ-।” ଉତ୍ତର ଦେଲା ଚଞ୍ଚଲ୍‍କୁମାରୀ ।

“ରାଣା ରାଜସିଂହଙ୍କ ନାମରେ ଖଣ୍ଡିଏ ପତ୍ର ଲେଖିଦେଇ ପାରିବୁ ?” ମୁଖମଣ୍ଡଳରେ ହାସ୍ୟରେଖା ଖେଳାଇ କହିଲେ ଅନନ୍ତ ମିଶ୍ର ।

ଚଞ୍ଚଲ୍‍ ଟିକିଏ ଚିନ୍ତାକରି କହିଲା–‘‘ମୁଁ ଅନ୍ତଃପୂରଚାରିଣୀ ଗୋଟିଏ ଅବୋଧ ବାଳିକା; ବିଶେଷତଃ ତାଙ୍କ ନିକଟରେ ଅପରଚିତା । କିପରି ଖଣ୍ଡିଏ ପତ୍ର ଲେଖିବି ? ତଥାପି, ମୁଁ ତାଙ୍କ ଶ୍ରୀଚରଣରେ ଭିକ୍ଷା ମାଗୁଥିବାରୁ ଆଉ ଲଜ୍ଜା କାହିଁକି କରିବି ? ଆପଣଙ୍କ ଆଜ୍ଞାମତେ ଖଣ୍ଡିଏ ପତ୍ର ଲେଖିଦେବି ।”

“ମୁଁ ଲେଖାଇଦେବି ନା ନିଜେ ଲେଖିବୁ ?” ପଚାରିଲେ ମିଶ୍ର ମହାଶୟ ।

“ଆପଣ ଲେଖାଇ ଦିଅନ୍ତୁ... । କିନ୍ତୁ ହଠାତ୍ ନିର୍ମଳ ସେଠାକୁ ପଶିଆସି କହିଲା–‘‘ନାଃ, ତା’ ହୋଇପାରିବ ନାହିଁ । ଆମେ ଲେଖିଦେବୁ, ଆପଣ ପ୍ରସ୍ତୁତ ହୋଇ ଆସନ୍ତୁ ।”

ମିଶ୍ର ମହାଶୟ ସେଠାରୁ ଘରକୁ ନଯାଇ, ରାଜା ବିକ୍ରମ ସିଂହଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ–‘‘ମୁଁ ଆଜି ଦେଶ–ପର୍ଯ୍ୟଟନ ଉଦ୍ଦେଶ୍ୟରେ ବାହାରିଛି । ତେଣୁ ମହାରାଜଙ୍କୁ ଆଶୀର୍ବାଦ କରିବା ଲାଗି ଉପସ୍ଥିତ ହୋଇଛି ।”

ଦେଶପର୍ଯ୍ୟଟନ ସମ୍ବନ୍ଧରେ ରାଜା ବିକ୍ରମସିଂହ ବିଶେଷ ବିବରଣୀ ଜିଜ୍ଞାସା କଲେ; କିନ୍ତୁ ପୁରୋହିତ ମହୋଦୟ କୌଣସିମତେ ସତ୍ୟକଥା ପ୍ରକାଶକଲେ ନାହିଁ । କେବଳ ଉଦୟପୁର ପର୍ଯ୍ୟନ୍ତ ଯିବାର ଇଚ୍ଛା ପ୍ରକାଶ କଲେ ଏବଂ ରାଣା ରାଜସିଂହଙ୍କ ନିକଟରେ ପରିଚିତ ହେବାଲାଗି ଖଣ୍ଡିଏ ପତ୍ର ଲେଖିଦେବାକୁ ଅନୁରୋଧ କଲେ । ପୁରୋହିତଙ୍କ ଅନୁରୋଧମତେ ରାଣା ରାଜସିଂହଙ୍କ ନିକଟକୁ ବିକ୍ରମସିଂହ ଖଣ୍ଡିଏ ପତ୍ର ଲେଖିଦେଲେ ।

ଅନନ୍ତ ମିଶ୍ର ରାଜାଙ୍କ ନିକଟରୁ ପତ୍ର ସଂଗ୍ରହ କରି ଚଞ୍ଚଲ୍‍କୁମାରୀ ନିକଟକୁ ଫେରିଆସିଲେ । ସେତେବେଳକୁ ଚଞ୍ଚଲ୍‍ ଓ ନିର୍ମଳ୍‍ ଦୁଇଜଣ ମିଶି ଖଣ୍ଡିଏ ପତ୍ର ଲେଖି ସାରିଥିଲେ । ପତ୍ରଟିକୁ ଭଲଭାବରେ ବନ୍ଦକରି ମିଶ୍ରଙ୍କ ହାତରେ ଦେବା ସଙ୍ଗେ ସଙ୍ଗେ, ପେଡ଼ିରୁ ଗୋଟିଏ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତାବଳୟ ବାହାର କରି ତାଙ୍କୁ ଅର୍ପଣ କରି କହିଲା ଚଞ୍ଚଲ୍‍–“ରାଣା ପତ୍ରପାଠ କରୁଥିବା ସମୟରେ ଆପଣ ମୋ’ ପକ୍ଷରୁ ତାଙ୍କ ହାତରେ ଏହି ରାକ୍ଷୀଟିକୁ ବାନ୍ଧିଦେବେ । ରାଜପୁତ୍‌ କୁଳଭୂଷଣ ରାଣା କେବେହେଲେ ଗୋଟିଏ ରାଜପୁତ୍ କନ୍ୟାର ରାକ୍ଷୀ ଅଗ୍ରାହ୍ୟ କରିବେ ନାହିଁ ।”

ଅନନ୍ତ ମିଶ୍ର ସହାସ୍ୟବଦନରେ ଚଞ୍ଚଲ୍‍କୁମାରୀର କଥାରେ ସ୍ଵୀକୃତ ହୋଇ ସେଠାରୁ ବିଦାୟ ନେଲେ । ରାଜକୁମାରୀ ପୁରୋହିତ ମହୋଦୟଙ୍କୁ ପ୍ରଣାମ କରି ଆଶାୟିତ ମନରେ ବସିରହିଲା ।

Image

 

Unknown

ମିଶ୍ରଙ୍କ ନାରାୟଣ ସ୍ମରଣ

 

ଆବଶ୍ୟକୀୟ ଦ୍ରବ୍ୟ ଓ ଗୋଟିଏ ବିଶ୍ଵସ୍ତ ଭୃତ୍ୟକୁ ସଙ୍ଗରେ ନେଇ ଅନନ୍ତ ମିଶ୍ର ଗୃହିଣୀଙ୍କଠାରୁ ବିଦାୟ ନେଇ ଉଦୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ । ଗୃହିଣୀ ଖୁବ୍ ଜିଦ୍‌ଧରି ଯିବାର କାରଣ ପଚାରନ୍ତେ, ବାଧ୍ୟହୋଇ କହିଲେ ମିଶ୍ରେ–‘‘ରାଣା ରାଜସିଂହଙ୍କଠାରୁ ବୃତ୍ତି ଆଣିବାଲାଗି ଯାଉଛି ।” ଏକଥା ଶୁଣିବାମାତ୍ରେ ବ୍ରାହ୍ମଣୀ ଶାନ୍ତ ହୋଇଗଲେ । ସ୍ଵାମୀଙ୍କର ଦୀର୍ଘ ଅନୁପସ୍ଥିତିଜନିତ ବିରହ–ଯନ୍ତ୍ରଣା ଆଗାମୀ ପ୍ରଚୁର ଅର୍ଥଲାଭର ଆଶାରେ ସଙ୍ଗେ ସଙ୍ଗେ ଉପଶମ ହୋଇଗଲା । ମିଶ୍ର ମହୋଦୟ କେବଳ ଜଣେ ମାତ୍ର ଭୃତ୍ୟକୁ ସଙ୍ଗରେ ନେଲେ । ଅନେକ ଲୋକଙ୍କୁ ସଙ୍ଗରେ ନେଇଥିଲେ, ହୁଏତ ରାସ୍ତାର ଅସୁବିଧା ଦୂର ହୋଇପାରିଥାନ୍ତା; କିନ୍ତୁ ବେଶି ଲୋକ ଗଲେ କାଳେ କଥାଟା ପାଞ୍ଚକାନ ହୋଇଯିବ, ସେଥିଲାଗି ସେ ଆଉ କାହାରିକୁ ସଙ୍ଗରେ ନେଲେ ନାହିଁ ।

 

ମାର୍ଗ ଅତି ଦୁର୍ଗମ, ବିଶେଷତଃ ପାର୍ବତ୍ୟପଥ ବନ୍ଧୁର ଏବଂ ଅନେକ ସ୍ଥାନରେ ଆଶ୍ରୟ ନେବାର କୌଣସି ବ୍ୟବସ୍ଥା ନଥିଲା । ଏକାହାରୀ ବ୍ରାହ୍ମଣ ଅନନ୍ତ ମିଶ୍ର ଯେଉଁ ସ୍ଥାନରେ ବିଶ୍ରାମ କରୁଥିଲେ, ସେଠାରେ ଆତିଥ୍ୟ ସ୍ଵୀକାର କରୁଥିଲେ । ତଦ୍‌ବ୍ୟତୀତ ସାରଦିନ ମାର୍ଗ ଅତିକ୍ରମ କରି ଚାଲିଥିଲେ । ପଥ ମଧ୍ୟରେ ଦସ୍ୟୁମାନଙ୍କ ଆତଙ୍କ ରହିଥିଲା । ମିଶ୍ରଙ୍କ ନିକଟରେ ରତ୍ନବଳୟ ଥିବାରୁ ସେ କେବେହେଲେ ଏକାକୀ ମାର୍ଗ ଅତିକ୍ରମ କରିବାକୁ ସାହସ କରୁନଥିଲେ । କେବଳ ସଙ୍ଗୀ ଜୁଟିଗଲେ ବାହାରୁଥିଲେ ଏବଂ ସଙ୍ଗବିହୀନ ହୋଇଗଲେ ଆଶ୍ରୟ ଲୋଡ଼ି ରାତ୍ରିଯାପନ କରୁଥିଲେ । ଦିନେ ରାତ୍ରିରେ ମିଶ୍ରଙ୍କୁ ଗୋଟିଏ ଦେବାଳୟରେ ଆଶ୍ରୟ ଗ୍ରହଣ କରିବାକୁ ପଡ଼ିଲା ଏବଂ ପରଦିନ ପ୍ରଭାତରୁ ଆଉ ତାଙ୍କୁ ସଙ୍ଗୀ ଯୋଗାଡ଼ କରିବାକୁ ପଡ଼ିଲା ନାହିଁ । ପୂର୍ବଦିନ ରାତିରୁ ଚାରିଜଣ ବଣିକ୍ ଦେବାଳୟର ଅତିଥିଶାଳାରେ ଆଶ୍ରୟ ନେଇଥିଲେ ଏବଂ ପ୍ରାତଃକାଳରୁ ଉଠି ସେମାନେ ପାର୍ବତ୍ୟମାର୍ଗ ଆରୋହଣ କଲେ । ସଙ୍ଗରେ ବ୍ରାହ୍ମଣଙ୍କୁ ଆସୁଥିବାର ଦେଖି ସେମାନେ ପଚାରିଲେ–‘‘ତୁମେ ଯିବ କୁଆଡ଼େ ?”

 

“ମୁଁ ଉଦୟପୁର ଅଭିମୁଖେ ବାହାରିଛି ।” ଉତ୍ତର ଦେଲେ ମିଶ୍ରେ ।

 

“ଆମେ ମଧ୍ୟ ଉଦୟପୁର ଯିବୁ; ଭଲହେଲା; ଚାଲନ୍ତୁ ସାଙ୍ଗହୋଇ ଯିବା ।” ଉତ୍ତର ଦେଲେ ବଣିକ୍‍ଦଳ ।

 

ବ୍ରାହ୍ମଣ ଆନନ୍ଦିତ ହୋଇ ପଚାରିଲେ–‘‘ଏଠାରୁ ଉଦୟପୁର ଆଉ କେତେ ଦୂର ?”

 

“ଖୁବ୍ ବେଶିଦୂର ନୁହେଁ । ଆଜି ସନ୍ଧ୍ୟା ସୁଦ୍ଧା ଆମ୍ଭେମାନେ ଯାଇ ଉଦୟପୁରରେ ପହଞ୍ଚି ପାରିବା । ଏ ସମସ୍ତ ଅଞ୍ଚଳ ରାଣାଙ୍କର ରାଜ୍ୟ ମଧ୍ୟରେ ଅନ୍ତର୍ଗତ ।” ଉତ୍ତର ଦେଲେ ବଣିକ୍‌ମାନେ ।

 

ଏହିପରି ଭାବରେ କଥୋପକଥନ କରି ସେମାନେ ମାର୍ଗ ଅତିକ୍ରମ କରିବାକୁ ଲାଗିଲେ-। ପାର୍ବତ୍ୟ ଅଞ୍ଚଳ, ଆରୋହଣ ଓ ଅବରୋହଣ ଅତ୍ୟନ୍ତ ବିପଦପୂର୍ଣ୍ଣ; ବିଶେଷତଃ ସେହି ସମଗ୍ର ଅଞ୍ଚଳ ଜନମାନବଶୂନ୍ୟ ହୋଇଥିବାରୁ ଅତ୍ୟନ୍ତ ଭୟପୂର୍ଣ୍ଣ । ଧୀରେ ଧୀରେ ସେହି ଭୟଙ୍କର ଅଞ୍ଚଳ ଶେଷ ହୋଇଆସିଲା; ସମ୍ମୁଖରେ ସମତଳ ଭୂମି । ପଥିକମାନେ ଗୋଟିଏ ଅନିର୍ବାଚନୀୟ ସୁଷମାମୟ ଅଧିତ୍ୟକାରେ ପଦାର୍ପଣ କଲେ । ପଥର ଦୁଇପାର୍ଶ୍ଵରେ ଛୋଟ ଛୋଟ ଦୁଇଟି ପର୍ବତ ସବୁଜ ପତ୍ରଭରା ବୃକ୍ଷରାଜିରେ ପରିପୂର୍ଣ୍ଣ ହୋଇ ପ୍ରାକୃତିକ ଶୋଭାସମ୍ପଦର ଗର୍ବରେ ଆକାଶ ଆଡ଼କୁ ମୁଣ୍ଡଟେକିଛି । ଉଭୟ ଗିରି ମଧ୍ୟରେ ଗୋଟିଏ କଳନାଦିନୀ ଗିରିନଦୀ ଫେନଯୁକ୍ତ ଜଳପ୍ରବାହରେ ପ୍ରସ୍ତରଶ୍ରେଣୀକୁ ବିଧୌତ କରି ଆଗେଇ ଚାଲିଛି । ତଟିନୀର ଧାରେ ଧାରେ ଗୋଟିଏ ଚଲାପଥର ଚିହ୍ନ ସୁସ୍ପଷ୍ଟ । ସେହି କ୍ଷୁଦ୍ର ମାର୍ଗ ଦେଇ ଅଗ୍ରସର ହେଲେ, ପଥିକଙ୍କୁ ପର୍ବତଶିଖରସ୍ଥିତ ଲୋକମାନଙ୍କ ବ୍ୟତୀତ ଆଉ କେହି ଦେଖିପାରିବେ ନାହିଁ ।

 

ସେହି ନିଭୃତ ସ୍ଥାନରେ ପ୍ରବେଶ କରିବାପରେ ବଣିକ୍‌ମାନଙ୍କ ମଧ୍ୟରୁ ଜଣେ କହିଲା ଅନନ୍ତ ମିଶ୍ରଙ୍କୁ–‘‘ତୁମ ନିକଟରେ ଧନରତ୍ନ କ’ଣ ଅଛି ?”

 

ଏ ପ୍ରଶ୍ନ ଶୁଣି ବ୍ରାହ୍ମଣ ଭୀତ ତଥା ଚମତ୍କୃତ ହୋଇ ଭାବିଲେ–‘ବୋଧହୁଏ ଦସ୍ୟୁଭୟ ଥିବାରୁ ବଣିକ୍‌ମାନେ ମୋତେ ସତର୍କ କରାଇବା ଉଦ୍ଦେଶ୍ୟରେ ଏପରି ପଚାରୁଛନ୍ତି !’ ଦୁର୍ବଳର ଏକମାତ୍ର ଅବଲମ୍ବନ ମିଥ୍ୟା; ତେଣୁ ଉତ୍ତର ଦେଲେ–‘‘ମୁଁ ଭିକ୍ଷୁକ ବ୍ରାହ୍ମଣ, ମୋ ପାଖରେ ଧନରତ୍ନ ଆସିବ କୁଆଡ଼ୁ ?”

 

“ଯାହା କିଛି ଅଛି ମୋ ହାତରେ ଦେଇଦିଅ, ନୋହିଲେ ତୁମେ ରକ୍ଷାକରି ପାରିବ ନାହିଁ-।” କହିଲା ଜଣେ ଛଦ୍ମବେଶୀ ବଣିକ୍ ।

 

ଏହା ଶୁଣି ବ୍ରାହ୍ମଣ ମନେମନେ ଚିନ୍ତିତ ହୋଇପଡ଼ିଲେ । ଭାବିଲେ–‘ରତ୍ନବଳୟଟିର ସୁରକ୍ଷା ଲାଗି ଏମାନଙ୍କ ହସ୍ତରେ ଅର୍ପଣ କରିଦେଲେ ଭଲହେବ ।’ କିନ୍ତୁ ପରମୁହୂର୍ତ୍ତରେ ଭାବିଲେ–‘ଏମାନେ ଅପରିଚିତ, ବିଶ୍ଵାସ କ’ଣ ? ତେଣୁ ସେ ଇତସ୍ତତଃ ହୋଇ କହିଲେ–“ନାଃ, ମୋ ପାଖରେ କିଛି ନାହିଁ । ମୁଁ ଭିକ୍ଷୁକ ବ୍ରାହ୍ମଣ, ମୋ ପାଖରେ ଧନରତ୍ନ ଆସିବ କୁଆଡ଼ୁ ?” ବ୍ରାହ୍ମଣଙ୍କୁ ଇତସ୍ତତଃ ହେବାର ଲକ୍ଷ୍ୟକରି ଛଦ୍ମବେଶୀ ଦସ୍ୟୁମାନେ ସ୍ଥିରକଲେ–‘ନିଶ୍ଚୟ ଏ ବ୍ରାହ୍ମଣ ନିକଟରେ କିଛି ନା କିଛି ମୂଲ୍ୟବାନ ବସ୍ତୁ ରହିଛି ।’

 

ସଙ୍ଗେ ସଙ୍ଗେ ଜଣେ ଅନନ୍ତ ମିଶ୍ରଙ୍କ ବେକ ଧରି ତଳେ ପକାଇଦେଇ, ତାଙ୍କ ଛାତିରେ ଆଣ୍ଠୁଭରା ଦେଇ ମାଡ଼ିବସିଲା ଏବଂ କାଳେ ସେ ଚିତ୍କାର କରିବେ ସେଥିଲାଗି ତାଙ୍କ ମୁହଁକୁ ଚାପିଧରିଲା । ଏ ଭୟଙ୍କର ଦୃଶ୍ୟ ଦେଖି ମିଶ୍ର ମହୋଦୟଙ୍କ ଚାକରଟି ପ୍ରାଣ ଘେନି କୁଆଡ଼େ ପଳାଇଗଲା । ଏହି ଅବସରରେ ଅନ୍ୟ ଜଣେ ମିଶ୍ରଙ୍କ ଗଣ୍ଠରାଟି ବାହାର କରିନେଇ ଖୋଲି ପକାଇଲା । ତା’ ଭିତରୁ କେବଳ ଚଞ୍ଚଲ୍‍କୁମାରୀ ବଳୟ, ଦୁଇଖଣ୍ଡି ପତ୍ର ଓ ପାଞ୍ଚୋଟି ଅସରପି ମାତ୍ର ମିଳିଲା । ମିଶ୍ର ମହାଶୟ ଯନ୍ତ୍ରଣାରେ ଛଟପଟ ହୋଇ ମନେମନେ ନାରାୟଣଙ୍କୁ ସ୍ମରଣ କରିବାରେ ଲାଗିଥାଆନ୍ତି । ଦସ୍ୟୁଜଣକ ଗଣ୍ଠରାଟି ଭଲଭାବରେ ଖୋଜାଖୋଜି କରିବାପରେ, ଆଉ କିଛି ମୂଲ୍ୟବାନ୍ ଜିନିଷ ନ ପାଇ ତା’ ସାଙ୍ଗକୁ କହିଲା–‘‘ଆଉ ବ୍ରହ୍ମହତ୍ୟା କରି ଲାଭ କ’ଣ ? ତା’ପାଖରେ ଯାହା କିଛି ଥିଲା, ସବୁ ପାଇଗଲି । ଏଥର ତାକୁ ଛାଡ଼ି ଦେ ।”

 

ଅନ୍ୟ ଜଣେ କହିଲା–‘‘ନାଃ, ତାକୁ ଛଡ଼ାଯିବ ନାହିଁ । ଛାଡ଼ିଦେବାମାତ୍ରେ ଏ ଗୋଟେ ଭୀଷଣ କାଣ୍ଡ ଘଟାଇଦେବ । ଜାଣିନୁ, ରାଣା ରାଜସିଂହର ଆଜିକାଲି କି ଦୌରାତ୍ମ୍ୟ ? ତା’ ଶାସନରେ ବୀରପୁଙ୍ଗବମାନଙ୍କୁ ପେଟକୁ ମୁଠେ ଦାନା ମିଳୁନାହିଁ । ଏହାକୁ ଏଇ ଗଛଡ଼ାଳରେ ବାନ୍ଧିଦେଇ ଯିବା ।”

 

ଦସ୍ୟୁମାନେ ଅନନ୍ତ ମିଶ୍ରଙ୍କ ହାତଗୋଡ଼ ଲୁଗାରେ ଦୃଢ଼ଭାବରେ ବାନ୍ଧି, ପାଟିରେ ଲୁଗାବିଣ୍ଡା ପୁରାଇ ଗୋଟିଏ ଛୋଟ ଗଛର ଡାଳରେ ବାନ୍ଧିଦେଲେ ଏବଂ ଚଞ୍ଚଲ୍‍କୁମାରୀର ପତ୍ର ଓ ରତ୍ନବଳୟ ନେଇ ଗିରିନଦୀର କୂଳେ କୂଳେ ଥିବା ଘନଜଙ୍ଗଲ ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲେ । ଠିକ୍ ସେହି ସମୟରେ ପର୍ବତ ଉପରେ ଛିଡ଼ାହୋଇ ଜଣେ ଅଶ୍ଵାରୋହୀ ଦସ୍ୟୁମାନଙ୍କ କାର୍ଯ୍ୟ ନିରୀକ୍ଷଣ କରୁଥିଲେ; କିନ୍ତୁ ଦସ୍ୟୁଗଣ ଲୁଣ୍ଠନ ଓ ପଳାୟନରେ ବ୍ୟସ୍ତ ଥିବାରୁ ସେହି ଅଶ୍ଵାରୋହୀଙ୍କୁ ଦେଖିପାରିଲେ ନାହିଁ ।

 

ଦସ୍ୟୁମାନେ କ୍ଷୁଦ୍ର ତଟିନୀର ତୀରବର୍ତ୍ତୀ ନିଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ଜନମାନବଶୂନ୍ୟ ମାର୍ଗରେ ଅଗ୍ରସର ହେଲେ । ଏହିପରି ଭାବରେ କିଛିଦୂର ଅଗ୍ରସର ହେବାପରେ ସେମାନେ ଗୋଟିଏ ସଂକୀର୍ଣ୍ଣ ଗିରିଗହ୍ୱର ମଧ୍ୟକୁ ପ୍ରବେଶ କଲେ ।

 

ଗୁହା ମଧ୍ୟରେ ଖାଦ୍ୟ, ଶଯ୍ୟା ଓ ଅନ୍ୟାନ୍ୟ ପ୍ରୟୋଜନୀୟ ସାମଗ୍ରୀ ପ୍ରସ୍ତୁତ ଥିଲା । ସେହି ଗୁହା ହେଉଛି ଦସ୍ୟୁମାନଙ୍କର ଆଶ୍ରୟସ୍ଥଳ । ସେମାନେ ବେଳେବେଳେ ସେଠାରେ ଆଶ୍ରୟ ଗ୍ରହଣ କରୁଥିଲେ । ଏପରିକି, ସେଠାରେ ଜଳପୂର୍ଣ୍ଣ କଳସୀ ମଧ୍ୟ ରହିଥିଲା । ଦସ୍ୟୁମାନେ ସେଠାରେ ପହଞ୍ଚି ଆଶ୍ଵସ୍ତ ହୋଇ ତମାଖୁ ଟାଣିବାରେ ଲାଗିଲେ ଏବଂ ଜଣେ ରୋଷେଇବାସର ଆୟୋଜନରେ ମାନଦେଲା । ହୁକ୍‌କା ଟାଣୁଥିବା ଦସ୍ୟୁମାନଙ୍କ ମଧ୍ୟରୁ ଜଣେ କହିଲା–‘‘ମାଣିକଲାଲ୍, ଥାଉ ମ, ରୋଷେଇ ପରେ ହେବ; ପ୍ରଥମେ ଏହି ମାଲମତାର ମୀମାଂସା ହେବା ଦରକାର ।”

 

“ହେଉ, ପ୍ରଥମେ ସେହି କଥା କରାଯାଉ ।’’ ଉତ୍ତର ଦେଲା ମାଣିକଲାଲ୍‍ ।

 

ସଙ୍ଗେ ସଙ୍ଗେ ଅସରପିଗୁଡ଼ିକୁ କାଟି ଚାରିଭାଗ କରି ପ୍ରତ୍ୟେକ ଗୋଟିଏ ଗୋଟିଏ ଭାଗ ଆଦରି ନେଲେ; କିନ୍ତୁ ରତ୍ନବଳୟ ବିକ୍ରୟ କରାନଗଲେ, ବାଣ୍ଟିହେବ ନାହିଁ ବୋଲି ଜାଣି ତାକୁ ସେହିପରି ରଖିଦେଲେ । ତା’ପରେ ପତ୍ର ଦୁଇଟି ବିଷୟରେ ବିଚାର ଚାଲିଲା । ପତ୍ରଦୁଇଟି ବିଷୟରେ ମତ ଦେଇ ଦଳପତି କହିଲେ–‘‘କାଗଜଗୁଡ଼ାକ ରଖି ଲାଭ କ’ଣ ? ତାକୁ ସଙ୍ଗେ ସଙ୍ଗେ ନିଆଁରେ ପକାଇଦିଅ ।” ଏହା କହି ପତ୍ରଦୁଇଟି ମାଣିକଲାଲ୍‍ ଆଡ଼କୁ ବଢ଼ାଇଦେଲେ ।

 

ମାଣିକଲାଲ୍‍ କିଛି ପାଠଶାଠ ପଢ଼ିଥିଲା । ସେ ପତ୍ର ଦୁଇଟିକୁ ମୂଳରୁ ଶେଷଯାଏ ପଢ଼ି ମନେମନେ ଆନନ୍ଦିତ ହୋଇ କହିଲା–“ଆରେ ଭାଇ, ଏ ପତ୍ର ନଷ୍ଟ କରାଯାଇ ପାରିବ ନାହିଁ । ଏଥିରୁ ବେଶ୍ ଦି’ ପଇସା ରୋଜଗାର ହୋଇପାରିବ ।”

 

ଏହା ଶୁଣିବାମାତ୍ରେ ଅନ୍ୟମାନେ ବ୍ୟଗ୍ର ହୋଇପଡ଼ିଲେ । ମାଣିକଲାଲ୍‍ ଚଞ୍ଚଲକୁମାରୀର ପତ୍ରର ସାରାଂଶ ସମସ୍ତଙ୍କୁ ବୁଝାଇଦେଲା । ପତ୍ରରେ ଲେଖାଥିବା ବିଷୟ ଜାଣି ସମସ୍ତେ ଖୁବ୍ ଖୁସି ହେଲେ । ତା’ପରେ କହିଲା ମାଣିକଲାଲ୍‍–‘‘ଦେଖ, ଏ ପତ୍ର ନେଇ ରାଣାଙ୍କୁ ଦେଲେ ନିଶ୍ଚୟ କିଛି ପୁରସ୍କାର ମିଳିବ ।”

 

ସଙ୍ଗେ ସଙ୍ଗେ ଦଳପତି ପ୍ରତିବାଦ କରି କହିଲା–“ନିର୍ବୋଧ, ରାଣା ଯଦି ପଚାରିବେ–ଏ ପତ୍ର କେଉଁଠୁ ପାଇଲୁ, କ’ଣ କହିବୁ ? ବାଟଚଲା ପଥିକମାନଙ୍କୁ ଲୁଟିକରି ଆଣିଛୁ ବୋଲି କ’ଣ କହିବୁ କିରେ ? ରାଣାଙ୍କଠାରୁ କେବଳ ପୁରସ୍କାର ମିଳିବ ପ୍ରାଣଦଣ୍ଡ । ସେ ବୁଦ୍ଧି ଛାଡ଼ । ଚାଲ ଏ ପତ୍ର ନେଇ ବାଦଶାହଙ୍କୁ ଦେବା । ଏଭଳି ପତ୍ର ଦୁଇଖଣ୍ଡି ପାଇଲେ ବାଦଶାହ ଯଥେଷ୍ଟ ପୁରସ୍କାର ଦେବେ । ଆଉ ମଧ୍ୟ ଏହାଦ୍ଵାରା... ’’

 

ସେ ବାକ୍ୟ ସମ୍ପୂର୍ଣ୍ଣ କରିବା ପୂର୍ବରୁ ତା’ର ଗଣ୍ଡିରୁ ମୁଣ୍ଡ ଛିନ୍ନ ହୋଇ ତଳେ ପଡ଼ିଗଲା । ସେ ତା’ର ବକ୍ତବ୍ୟ ଶେଷ କରିବାର ଅବକାଶ ପାଇଲା ନାହିଁ ।

Image

 

ମାଣିକଲାଲ୍‍

 

ଚାରିଜଣ ଲୋକ ଜଣେ ଲୋକକୁ ଗଛରେ ବାନ୍ଧୁଥିବାର ଅଶ୍ଵାରୋହୀ ପର୍ବତ ଉପରୁ ଦେଖିପାରିଲେ । ପୂର୍ବରୁ କ’ଣ ହୋଇଛି ତାହା ସେ ଦେଖି ନଥିଲେ । ତେଣୁ ସେ ଭଲ ଭାବରେ ନିରୀକ୍ଷଣ କଲେ, ସେହି ଚାରିଜଣ ଗଲେ କୁଆଡ଼େ ? ସେମାନେ ନଦୀର ବାଙ୍କଦେଇ ଅଦୃଶ୍ୟ ହୋଇଯାଆନ୍ତେ, ଅଶ୍ଵାରୋହୀ ଅଶ୍ଵରୁ ଓହ୍ଲାଇପଡ଼ିଲେ । ପରେ ସେ ଅଶ୍ଵପିଠିରେ ହାତ ବୁଲାଇ କହିଲେ–‘‘ବିଜୟ, ଏଇଠାରେ ଥାଅ, ମୁଁ ଆସୁଛି । କିଛିହେଲେ ଶବ୍ଦ କରିବୁ ନାହିଁ ।”

 

ଅଶ୍ଵ ସ୍ଥିର ଓ ନିଃଶବ୍ଦରେ ସେଠାରେ ଛିଡ଼ାହୋଇ ରହିଲା । ଅଶ୍ଵାରୋହୀ ଦ୍ରୁତବେଗରେ ଚାଲି ଚାଲି ପର୍ବତ ତଳକୁ ଓହ୍ଲାଇଆସିଲେ । ପର୍ବତଶିଖର ଖୁବ୍ ଉଚ୍ଚ ନଥିଲା ।

 

ଅଶ୍ଵାରୋହୀ ଅନନ୍ତ ମିଶ୍ରଙ୍କ ପାଖରେ ପହଞ୍ଚି ତାଙ୍କୁ ବନ୍ଧନରୁ ମୁକ୍ତ କରିଦେଲେ । ତା’ପରେ ପଚାରିଲେ–‘‘କ’ଣ ଘଟିଛି, ତୁମେ ସଂକ୍ଷେପରେ କହିଯାଅ ।”

 

ମିଶ୍ରେ ଅଳ୍ପ କଥାରେ ସବୁଘଟଣା ବର୍ଣ୍ଣନା କରି କହିଗଲେ ।

 

“କ’ଣ ତୁମର ଜିନିଷ ନେଇଗଲେ ?” ପଚାରିଲେ ଅଶ୍ଵାରୋହୀ ।

 

“ଗୋଟିଏ ମୁକ୍ତାର ବଳୟ, ପାଞ୍ଚୋଟି ଅସରପି ଓ ଦୁଇଟି ପତ୍ର...” ଉତ୍ତର ଦେଲେ ମିଶ୍ର ମହାଶୟ ।

 

“ଆପଣ ଏଇଠାରେ ଥାଆନ୍ତୁ । ସେମାନେ କୁଆଡ଼େ ଗଲେ, ମୁଁ ଦେଖିଆସେ ।

 

“ଆପଣ କିପରି ଏତେ ସାହସ କରୁଛନ୍ତି ? ସେମାନେ ଚାରିଜଣ, ଆପଣ ଏକାକୀ... ।”

 

“ଆପଣ ଲକ୍ଷ୍ୟ କରୁନାହାନ୍ତି ? ମୁଁ ଜାଣେ ରାଜପୁତ୍ ସୈନିକ ।

 

ଅନନ୍ତ ମିଶ୍ର ଲକ୍ଷ୍ୟକଲେ–ପ୍ରକୃତରେ ସେ ଜଣେ ଯୋଦ୍ଧା । କମରରେ ତରବାରି ଏବଂ ପିସ୍ତଲ ଓ ହାତରେ ବର୍ଚ୍ଛା । ତେଣୁ ସେ ଭୟରେ ଆଉ ତୁଣ୍ଡରୁ କଥା ବାହାର କଲେ ନାହିଁ ।

 

ଦସ୍ୟୁମାନେ ଯେଉଁ ମାର୍ଗଦେଇ ବନ ମଧ୍ୟରେ ପ୍ରବେଶ କରିଥିଲେ, ଅଶ୍ଵାରୋହୀ ସେହି ପଥ ଅନୁସରଣ କରି ଅତି ସାବଧାନତାର ସହିତ କିଛିଦୂର ଅଗ୍ରସର ହେଲେ । କିନ୍ତୁ ସେହି ଘନ ଅରଣ୍ୟ ମଧ୍ୟରେ ସେ ମାର୍ଗ ନିର୍ଣ୍ଣୟ କରିପାରିଲେ ନାହିଁ କିମ୍ବା ଦସ୍ୟୁଦଳର କୌଣସି ସନ୍ଧାନ ପାଇଲେ ନାହିଁ ।

 

ତହୁଁ ନିରାଶ ହୋଇ ସେ ପୁଣି ପର୍ବତ ଉପରକୁ ଉଠିଯାଇ ଚାରିଆଡ଼କୁ ନିରୀକ୍ଷଣ କଲେ-। କେତେ ସମୟ ପରେ ସେ ଦେଖିପାରିଲେ–ବନମଧ୍ୟରେ ଅତି ସାବଧାନତାର ସହିତ ଚାରିଜଣ ବ୍ୟକ୍ତି ଚାଲିଛନ୍ତି । ବୀରପୁରୁଷ ସେହିଠାରେ ଆଉ କିଛି ସମୟ ଛିଡ଼ାହୋଇ ସେମାନଙ୍କ ଗତିବିଧି ନିରୀକ୍ଷଣ କଲେ । କେତେ ସମୟପରେ ସେହି ଦସ୍ୟୁମାନେ ଗୋଟିଏ ପାହାଡ଼ର ନିମ୍ନଦେଶକୁ ଯାଉଥିବାର ସେ ସ୍ପଷ୍ଟ ଦେଖିପାରିଲେ । ତା’ପରେ ସେମାନେ ଆଉ ଦେଖାଗଲେ ନାହିଁ । ତେଣୁ ରାଜପୁତ୍ ବୀର ସିଦ୍ଧାନ୍ତ କଲେ–‘ନିଶ୍ଚୟ ଦସ୍ୟୁମାନେ ସେଇଠାରେ କେଉଁଠି ବୃକ୍ଷମୂଳରେ ବସି ବିଶ୍ରାମ କରୁଛନ୍ତି ଏବଂ ଗଛପତ୍ରର ଆଢ଼ୁଆଳ ଯୋଗୁଁ ମୁଁ ସେମାନଙ୍କୁ ଦେଖିପାରୁନାହିଁ । କିମ୍ବା ପର୍ବତରେ ଗୋଟିଏ ଗୁହା ରହିଛି; ଦସ୍ୟୁମାନେ ତାହାରି ମଧ୍ୟରେ ଆଶ୍ରୟ ନେଇଛନ୍ତି ।’

 

ରାଜପୁତ୍ ବୀର ଦୂରରୁ ଗଛପତ୍ରକୁ ଚିହ୍ନରୂପେ ମନେମନେ ସ୍ଥିରକରି ସେହି ଆଡ଼କୁ ଦ୍ରୁତବେଗରେ ଅଗ୍ରସର ହେଲେ । ସେ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସି ଗୋଟିଏ ଗିରିଗହ୍ଵର ଦେଖିବାକୁ ପାଇଲେ । ନିଃଶବ୍ଦରେ ଗୁହା ନିକଟକୁ ଯାଇ ଭିତରେ ଚାରିଜଣଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଶୁଣିପାରିଲେ ।

 

ରାଜପୁତ୍ ସେହିଠାରେ ଛିଡ଼ାହୋଇ ଭାବିଲେ–‘ଏକାକୀ ଗୁହାମଧ୍ୟକୁ ପ୍ରବେଶ କରିବା ଉଚିତ ହେବ କି ? ସେମାନେ ଚାରିଜଣ । ଯଦି ଗୁହାଦ୍ଵାର ରୋଧକରି ସେମାନେ ମୋ ସହିତ ଯୁଦ୍ଧ କରନ୍ତି, ତା’ହେଲେ ଉଦ୍ଧାର ପାଇବାର ଆଶା ଅତି କ୍ଷୀଣ ।’ କିନ୍ତୁ ରାଜପୁତ୍ ଯୋଦ୍ଧାଙ୍କ ମନରେ ଏ ପ୍ରକାର ଚିନ୍ତା ଅଧିକ ସମୟ ସ୍ଥାନ ପାଇ ପାରିଲା ନାହିଁ । ମୃତ୍ୟୁଭୟ ରାଜପୁତ୍ ବୀରଙ୍କୁ ବିଚଳିତ କରିପାରେନାହିଁ । କିନ୍ତୁ ପରମୁହୂର୍ତ୍ତରେ ସେ ଭାବିଲେ–‘ଗୁହା ମଧ୍ୟକୁ ପ୍ରବେଶ କଲେ, ନିଶ୍ଚୟ ଜଣେ ଦୁଇଜଣଙ୍କର ମୃତ୍ୟୁ ହେବ । ଯଦି ସେମାନେ ପ୍ରକୃତରେ ଅପରାଧୀ ହୋଇ ନଥାନ୍ତି, ତା’ହେଲେ ନିରପରାଧଙ୍କୁ ହତ୍ୟା କରାଯିବ !’

 

ତେଣୁ ସେ ଗୁହାଦ୍ଵାରରେ କାନ ଡେରି ଦସ୍ୟୁମାନଙ୍କ ଆଲୋଚନା ଶୁଣି, ସେମାନଙ୍କୁ କୌଣସି ଉପାୟରେ ଆୟତ୍ତ କରିବା ଲାଗି ସ୍ଥିରକଲେ । ରାଜପୁତ୍ ବୀର ବନମଧ୍ୟରେ ନିଜ ବର୍ଚ୍ଛାଟିକୁ ଲୁଚାଇ ଦେଇ ଦକ୍ଷିଣ ହସ୍ତରେ ଖଡ଼୍‌ଗ ଓ ବାମହସ୍ତରେ ପିସ୍ତଲ ଧରି ଗୁହା ମଧ୍ୟକୁ ଅତି ସାବଧାନତାର ସହିତ ପ୍ରବେଶ କଲେ । ଦସ୍ୟୁମାନେ ଚଞ୍ଚଲ୍‍କୁମାରୀର ପତ୍ର ଦୁଇଟିରୁ ପ୍ରଚୁର ଅର୍ଥ ଉପାର୍ଜନ ହେବାର ଆଲୋଚନା କରୁଥିବା ସମୟରେ, ସେମାନଙ୍କୁ ଅନ୍ୟମନସ୍କ ଥିବାର ଲକ୍ଷ୍ୟ କରି, ରାଜପୁତ୍ ଯୋଦ୍ଧା ସେମାନଙ୍କ ନିକଟରେ ପହଞ୍ଚିଗଲେ । ଦଳପତି ଗୁହାଦ୍ଵାରକୁ ପଛକରି ବସିଥିଲେ । ତେଣୁ ବୀର ଯୋଦ୍ଧା ସଙ୍ଗେ ସଙ୍ଗେ ଦୃଢ଼ଭାବରେ ଖଡ଼୍‍ଗଦ୍ଵାରା ତା’ର ମସ୍ତକକୁ ଆଘାତକଲେ । ଏକାଥରକେ ଦଳପତିର ମୁଣ୍ଡ ଗଣ୍ଡିରୁ ଛିଡ଼ିଯାଇ ଭୂମିରେ ଲୋଟିଗଲା । ଗୋଟିଏ ମୁହୂର୍ତ୍ତ ସୁଦ୍ଧା ଅପେକ୍ଷା ନକରି ବୀରପୁରୁଷ ଦଳପତିର ନିକଟରେ ବସିଥିବା ଅନ୍ୟ ଏକ ଦସ୍ୟୁକୁ ପଦାଘାତରେ ମୂର୍ଚ୍ଛିତ କରାଇଦେଲେ । ଏହି ସମୟରେ ସେ ଲକ୍ଷ୍ୟକଲେ–ଅନ୍ୟ ଜଣେ ଦସ୍ୟୁ ଗୁହାର ଗୋଟିଏ କୋଣରୁ ଖଣ୍ଡିଏ ପଥର ଉଠାଇ ତାଙ୍କ ଉପରକୁ ଫିଙ୍ଗିବା ଲାଗି ପ୍ରସ୍ତୁତ ହେଉଛି । ସେ ଆଉ କ୍ଷଣେମାତ୍ର ବିଳମ୍ବ ନକରି ପିସ୍ତଲ ଚଳାଇଦେଲେ । ଦସ୍ୟୁଜଣକ ପିସ୍ତଲର ଆଘାତରେ ତଳେ ପଡ଼ିଯାଇ ପ୍ରାଣ ହରାଇଲା । ନିଜ ତିନିଜଣ ସାଥୀଙ୍କର ଅବସ୍ଥା ଲକ୍ଷ୍ୟକରି ମାଣିକଲାଲ୍‍ ପ୍ରାଣ ଘେନି ଗୁହାଦ୍ଵାର ଦେଇ ବନମଧ୍ୟକୁ ପଳାଇଗଲା । ରାଜପୁତ୍ ବୀର ତାହାର ପଛେ ପଛେ ଦ୍ରୁତ ବେଗରେ ଧାଇଁବାକୁ ଲାଗିଲେ । ଦସ୍ୟୁ ମାଣିକଲାଲ୍ କିଛି ଦୂର ଦୌଡ଼ିବାପରେ ରାଜପୁତ୍ ବୀରଙ୍କ ବର୍ଚ୍ଛାଟିକୁ ଦେଖିପାରିଲା । ତତକ୍ଷଣାତ୍ ସେ ବର୍ଚ୍ଛାଟି ଉଠାଇ ନେଇ ସଦର୍ପରେ ରାଜପୁତ୍ ବୀରଙ୍କ ଆଡ଼କୁ ମୁହଁ ବୁଲାଇ କହିଲା–‘‘ମହାରାଜ । ମୁଁ ଆପଣଙ୍କୁ ଚିହ୍ନିଛି । ଆପଣ କ୍ଷାନ୍ତ ହୁଅନ୍ତୁ, ଅନ୍ୟଥା ଏହି ବର୍ଚ୍ଛାଦ୍ଵାରା ମୁଁ ଆପଣଙ୍କୁ ବଧ କରିବି ।”

 

ରାଜପୁତ୍ ବୀର ହସି ହସି କହିଲେ–‘‘ଦସ୍ୟୁ, ତୁମେ ମୋ ଉପରକୁ ବର୍ଚ୍ଛା ଚଳାଇ ପାରିବନାହିଁ । ଯଦିବା ସେ ଦୁଃସାହସ କର, ମୁଁ ଅକ୍ଳେଶରେ ତାହାକୁ ବାମ ହସ୍ତରେ ଧରିନେବି । ଏଇ ଦେଖ... ।” ଏହା କହି ରାଜପୁତ୍ ବୀର ଗୁଳି ନ ଥିବା ଖାଲି ପିସ୍ତଲଟିକୁ ଡାହାଣ ହାତରେ ଧରି ଖୁବ୍ ଜୋରରେ ଦସ୍ୟୁକୁ ଲକ୍ଷ୍ୟକରି ଫିଙ୍ଗିଦେଲେ । ପିସ୍ତଲର ଆଘାତରେ ଦସ୍ୟୁ ହାତରୁ ବର୍ଚ୍ଛାଟି ଖସିପଡ଼ିଲା । ରାଜପୁତ୍ ବୀର ଆଖିପିଛୁଳାକେ ବର୍ଚ୍ଛାଟିକୁ ଆୟତ୍ତ କରିନେଇ, ମାଣିକଲାଲ୍‌ର ମୁଣ୍ଡବାଳ ଧରି ତାକୁ ବଧ କରିବା ନିମିତ୍ତ ଖଡ଼୍‌ଗ ଉଠାଇଲେ ।

 

ନିଜର ମୃତ୍ୟୁ ନିଶ୍ଚିତ ବୋଲି ଜାଣିପାରି କାତରସ୍ଵରରେ ପ୍ରାଣଭିକ୍ଷା କରି କହିଲା ଦସ୍ୟୁ ମାଣିକଲାଲ୍‍–‘‘ମହାରାଜାଧିରାଜ ! ମୋର ପ୍ରାଣରକ୍ଷା କରନ୍ତୁ । ମୁଁ ପ୍ରାଣଭିକ୍ଷା ମାଗୁଛି ! ମୁଁ ଶରଣାଗତ ।”

 

ରାଜପୁତ୍ ଖଡ଼୍‌ଗ ତଳକୁ କରି ଦସ୍ୟୁର କେଶ ଛାଡ଼ିଦେଇ କହିଲେ–‘‘ତୁମେ ମରିବାକୁ ଏତେ ଭୀତ କାହିଁକି ?”

 

“ମୁଁ ମୃତ୍ୟୁକୁ ଆଦୌ ଭୟ କରୁନାହିଁ । ମୋର ଗୋଟିଏ ସାତବରଷର ମାତୃହୀନା କନ୍ୟା ଅଛି; ତା’ର ରକ୍ଷକ କେବଳ ମୁଁ । ସକାଳେ ତାକୁ ଖୁଆଇ ପିଆଇ ଛାଡ଼ିଦେଇ ଆସିଛି; ସନ୍ଧ୍ୟାବେଳେ ପୁଣି ଘରକୁ ଯାଇ ତାକୁ ଖାଇବାକୁ ଦେବି । ତାହାରି ଚିନ୍ତାରେ ମୁଁ ମୃତ୍ୟୁକୁ ଭୟ କରୁଛି । ଆପଣ ମୋତେ ବଧ କରିବା ପୂର୍ବରୁ ସେହି ଅନାଥା ବାଳିକାଟିକୁ ହତ୍ୟା କରନ୍ତୁ ।”

 

ଦସ୍ୟୁ ଏତକ କହିଦେଇ କରୁଣ ସ୍ଵରରେ କାନ୍ଦିବାକୁ ଲାଗିଲା । କିଛିକ୍ଷଣ ପରେ ଆଖିରୁ ଲୁହ ପୋଛିଦେଇ କହିଲା–“ମହାରାଜାଧିରାଜ ! ମୁଁ ଆପଣଙ୍କ ପବିତ୍ର ପାଦ ସ୍ପର୍ଶକରି ଶପଥପୂର୍ବକ କହୁଛି–ଜୀବନରେ ମୁଁ ଆଉ ଦସ୍ୟୁବୃତ୍ତି କରିବି ନାହିଁ । କେବଳ ଆପଣଙ୍କ ପାଦସେବାରେ ଜୀବନ ଅତିବାହିତ କରିବି । ଯଦି ବଞ୍ଚିରହେ, ତେବେ ଦିନେ ନା ଦିନେ ଏଇ ନୀଚ ଦାସଠାରୁ ଆପଣ ନିଶ୍ଚୟ ବିଶେଷ ଉପକାର ପାଇପାରିବେ ।”

 

ରାଜପୁତ୍ ବୀର ସହାସ୍ୟବଦନରେ ପଚାରିଲେ–‘‘ତୁମେ ମୋତେ ଚିହ୍ନିଛ ?”

 

“ମହାରାଜାଧିରାଜ ରାଜସିଂହଙ୍କୁ କିଏ ବା ନ ଚିହ୍ନେ ?” ଉତ୍ତର ଦେଲା ମାଣିକଲାଲ୍‍ ।

 

ରାଜସିଂହ ଟିକିଏ ଗମ୍ଭୀର ହୋଇ କହିଲେ–‘‘ହେଉ, ମୁଁ ତୁମକୁ ଜୀବନଦାନ ଦେଲି । କିନ୍ତୁ ତୁମେ ବ୍ରହ୍ମସ୍ଵ ଅପହରଣ କରି ଯେଉଁ ମହାପାପ ଅର୍ଜନ କରିଛ, ସେଥିଲାଗି ଯଦି ମୁଁ କିଛି ହେଲେ ଦଣ୍ଡବିଧାନ ନକରେ; ତା’ହେଲେ ମୁଁ ନୀତିବିଚ୍ୟୁତ ହେବି ।”

 

ମାଣିକଲାଲ୍‍ ରାଜସିଂହଙ୍କ କଥାରେ ମହତ୍ତ୍ଵ ହୃଦୟଙ୍ଗମ କରି ବିନୀତ ଭାବରେ କହିଲା–‘‘ମହାରାଜାଧିରାଜ ! ଏ ଭଳି ପାପକାର୍ଯ୍ୟରେ ମୁଁ ସମ୍ପୂର୍ଣ୍ଣ ନୂତନ ଭାବରେ ଦୀକ୍ଷିତ ହୋଇଛି-। ତେଣୁ ଅନୁଗ୍ରହ କରି ମୋ ପ୍ରତି ସାମାନ୍ୟ ଦଣ୍ଡବ୍ୟବସ୍ଥା କରନ୍ତୁ । ଆପଣଙ୍କ ସମ୍ମୁଖରେ ମୋ ପାପର ପ୍ରାୟଶ୍ଚିତ୍ତ ସ୍ଵରୂପ ଶାସ୍ତି ବାଛିନେଉଛି ।”

 

ଏହା କହି ଦସ୍ୟୁ ଅଣ୍ଟାରୁ ଗୋଟିଏ ତୀକ୍ଷ୍‌ଣ ଛୁରୀ ବାହାର କରି ନିଜ ହାତର ତର୍ଜନୀ ଅଙ୍ଗୁଳିଟିକୁ କାଟିବାକୁ ଉଦ୍ୟତ ହେଲା । କିନ୍ତୁ ଛୁରୀରେ ଅଙ୍ଗୁଳିରୁ କେବଳ ମାଂସତକ କଟିଗଲା; ମାତ୍ର ଅସ୍ଥି ଅଂଶ କାଟିହେଲା ନାହିଁ । ତହୁଁ ମାଣିକଲାଲ୍‍ ନିର୍ଭୀକ ଭାବରେ ଖଣ୍ଡିଏ ପଥର ଗୋଟାଇ ଆଣି ଛୁରିକା ଉପରେ ଆଘାତ କରନ୍ତେ ସଙ୍ଗେ ସଙ୍ଗେ ଆଙ୍ଗୁଳିଟି କଟିଯାଇ ତଳେ ପଡ଼ିଗଲା । ତା’ପରେ ଅବିଚଳିତ ଭାବରେ କହିଲା ମାଣିକଲାଲ୍‍–‘‘ମହାରାଜ ! ଏହି ଦଣ୍ଡଭୋଗକୁ ଆପଣ ସ୍ଵୀକାର କରନ୍ତୁ ।”

 

ଦସ୍ୟୁର ନିର୍ଭୀକତା ତଥା ସ୍ଵକୃତ ପାପର କଠୋର ଶାସ୍ତିପରେ ତା’ ମୁଖମଣ୍ଡଳର ପ୍ରସନ୍ନତା ଲକ୍ଷ୍ୟକରି ରାଜସିଂହ ବିସ୍ମିତ ହୋଇ ପଚାରିଲେ–“ତୁମ ନାମ କ’ଣ ?”

 

“ଏ ଅଧମର ନାମ ମାଣିକଲାଲ୍‍ । ସିଂହ ମୁଁ ରାଜପୁତ୍‌ କୁଳର କଳଙ୍କ । ପୂର୍ବପରି ପଶ୍ଚାତ୍ତାପଭରା କଣ୍ଠରେ ଉତ୍ତର ଦେଲା ମାଣିକଲାଲ୍‍ ।

 

“ମାଣିକଲାଲ୍‍ ! ଆଜିଠାରୁ ତୁମେ ଅଶ୍ଵାରୋହୀ ସୈନ୍ୟ ଭାବରେ ମୋ ସେବାରେ ନିଯୁକ୍ତ ହେଲ । ଯେତେଶୀଘ୍ର ସମ୍ଭବ ତୁମେ ନିଜ କନ୍ୟାସହ ଉଦୟପୁର ଚାଲିଯାଅ । ସେଠାରେ ତୁମର ଆବଶ୍ୟକ ଅନୁଯାୟୀ ଭୂମି ଏବଂ ରହିବା ଲାଗି ସମସ୍ତ ବ୍ୟବସ୍ଥା କରାଇଦେବି ।”

 

ମାଣିକଲାଲ୍‍ ରାଣାଙ୍କ ପଦଧୂଳି ଗ୍ରହଣକରି ସଙ୍ଗେ ସଙ୍ଗେ ଗୁହା ଆଡ଼କୁ ଦୌଡ଼ିଗଲା । ବ୍ରାହ୍ମଣଙ୍କଠାରୁ ଅପହୃତ ରତ୍ନବଳୟ, ଅସରପି ଓ ପତ୍ରଦୁଇଖଣ୍ଡ ଧରି ଫେରିଆସି, ରାଜସିଂହଙ୍କ ଚରଣତଳେ ଅର୍ପଣ କରିଦେଇ କହିଲା–‘‘ମହାରାଜ ! ବ୍ରାହ୍ମଣଙ୍କଠାରୁ ଅପହରଣ କରି ଆଣିଥିବା ଜିନିଷତକ ଶ୍ରୀଚରଣତଳେ ଅର୍ପଣ କରୁଛି । ଏ ପତ୍ର ଦୁଇଖଣ୍ଡି ଆପଣଙ୍କ ଉଦ୍ଦେଶ୍ୟରେ ଲିଖିତ; କିନ୍ତୁ ଏ ଅଧମ ଦାସ ତାହା ପାଠ କରିଛି । ସେ ଅପରାଧ ମାର୍ଜନା ହେଉ ।”

 

ପତ୍ର ଉପରେ ନିଜ ନାମ ଲେଖା ହୋଇଥିବାର ଦେଖି କହିଲେ ରାଜସିଂହ–‘‘ମାଣିକଲାଲ୍‍, ପତ୍ର ପାଠ କରିବାରେ ସମୟ ଏ ନୁହେ । ତୁମେ ମୋ ସହିତ ଆସ, ମୋତେ ବାଟ ଦେଖାଇ ଦିଅ ।”

 

ମାଣିକଲାଲ୍‍ ବାଟ ଦେଖାଇ ଆଗେ ଆଗେ ଚାଲିଲା; କିନ୍ତୁ ହାତର ଆଙ୍ଗୁଳିଟିଏ କଟି ଯାଇଥିଲେ ହେଁ ସେ ପ୍ରତି ତା’ର ତିଳେହେଲେ ଭ୍ରୂକ୍ଷେପ ନଥିଲା କିମ୍ବା ଥରେହେଲେ କ୍ଷତ ଆଙ୍ଗଳି ଆଡ଼କୁ ସେ ଚାହୁଁ ନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ–ଏଡ଼େବଡ଼ ଆଘାତ ପାଇଥିଲେ ହେଁ, ମାଣିକଲାଲ୍‍ର ମୁହଁ ଥରେହେଲେ ଯନ୍ତ୍ରଣାରେ ବିକୃତ ହୋଇ ନଥିଲା । ରାଣା ରାଜସିଂହ ଏହା ଲକ୍ଷ୍ୟକରି ମନେମନେ ମାଣିକଲାଲ୍‍ ପ୍ରଶଂସା ନକରି ରହିପାରିଲେ ନାହିଁ । ରାଣା ଖୁବ୍ ଶୀଘ୍ର ଘଞ୍ଚ ଅରଣ୍ୟ ମଧ୍ୟରୁ ବାହାରି ଆସି ବେଗବତୀ ତଟିନୀର ତୀରବର୍ତ୍ତୀ ଏକ ସୁରମ୍ୟ ନିଭୃତ ସ୍ଥାନରେ ଉପନୀତ ହେଲେ ।

Image

 

ଚଞ୍ଚଲ୍‍କୁମାରୀର ପତ୍ର

 

ପର୍ବତଶିଖର ଉପରୁ କଳକଳ ନାଦରେ ନିର୍ଝରିଣୀ ବହିଆସୁଛି । ସେହି କଳନାଦରେ ସ୍ଵର ମିଶାଇ ବନଗହନର ଲତାକୁଞ୍ଜରୁ ବିହଙ୍ଗମାନଙ୍କର ମନୋହର କାକଳି ବାତାବରଣକୁ ମୁଖରିତ କରି ତୋଳିଛି । ବିଭିନ୍ନ କୁସୁମିତ ବୃକ୍ଷର ପୁଷ୍ପରାଶି ପାର୍ବତୀୟ ପ୍ରଦେଶକୁ ଆଲୋକମୟ କରିଦେଇଛି । ସେଠାରେ ସୌନ୍ଦର୍ଯ୍ୟ ଉଛୁଳି ଉଠୁଛି, ଶବ୍ଦ ତରଙ୍ଗାୟିତ ହୋଇଛି, ସୁଗନ୍ଧ ମନମତାଣିଆ ହୋଇପାରିଛି ଏବଂ ମନ ପ୍ରକୃତିର ବଶୀଭୂତ ହୋଇପାରିଛି । ଏହି ପ୍ରାକୃତିକ ପରିବେଶ ମଧ୍ୟରେ ରାଜସିଂହ ଖଣ୍ଡିଏ ପ୍ରସ୍ତର ଉପରେ ବସି ପତ୍ର ଦୁଇଖଣ୍ଡି ପାଠ କରିବାକୁ ଲାଗିଲେ ।

ପ୍ରଥମେ ସେ ରାଜା ବିକ୍ରମ ସିଂହଙ୍କ ପତ୍ର ପାଠକଲେ । ପତ୍ରଟି ପଢ଼ିସାରି ଛିଣ୍ଡାଇ ଫିଙ୍ଗିଦେବା ସଙ୍ଗେ ସଙ୍ଗେ ଭାବିଲେ–“ବ୍ରାହ୍ମଣଙ୍କୁ କିଛି ଦାନ କରିଦେଲେ ପତ୍ରର ଉଦ୍ଦେଶ୍ୟ ସଫଳ ହେବ ।’’ ତା’ପରେ ସେ ଚଞ୍ଚଲ୍‍କୁମାରୀର ପତ୍ରଟି ପଢ଼ିବାକୁ ଆରମ୍ଭ କଲେ ।

 

“ରାଜନ୍ !’’

 

ଆପଣ ରାଜପୁତ୍‌କୁଳର ମୁକୁଟମଣି ଓ ହିନ୍ଦୁ ଜାତିର ଶିରୋଭୂଷଣ । ମୁଁ ଆପଣଙ୍କର ଅପରିଚିତା ଗୋଟିଏ ହୀନମତି ବାଳିକା । ନିତାନ୍ତ ବିପନ୍ନ ଅବସ୍ଥାରେ ପଡ଼ିନଥିଲେ ଆପଣଙ୍କୁ ପତ୍ର ଲେଖିବା ଲାଗି ସାହସ କରିନଥାନ୍ତି । ତେଣୁ ଆପଣ ମୋର ଦୁଃସାହସ ମାର୍ଜନା କରିବେ ।

 

“ଯେଉଁ ବ୍ୟକ୍ତି ଏ ପତ୍ର ନେଇ ଯାଉଛନ୍ତି, ସେ ମୋର ଗୁରୁଦେବ । ତାଙ୍କୁ ପଚାରିଲେ ଜାଣିପାରିବେ ମୋର ଦୁରବସ୍ଥା ! ରୂପନଗର ଗୋଟିଏ କ୍ଷୁଦ୍ର ରାଜ୍ୟ; ତଥାପି ରାଜା ବିକ୍ରମ ସୋଲାଙ୍କି ରାଜପୁତ୍ । ଗୋଟିଏ କ୍ଷୁଦ୍ର ରାଜ୍ୟର ରାଜକନ୍ୟା ହୋଇଥିବାରୁ ମୁଁ ଆପଣଙ୍କ ପକ୍ଷେ ଅଯୋଗ୍ୟା ଏବଂ ନଗଣ୍ୟା ହୋଇପାରେ; କିନ୍ତୁ ରାଜପୁତ୍ କନ୍ୟା ହିସାବରେ ମୁଁ ଆପଣଙ୍କର ଦୟାର ପାତ୍ରୀ, କାରଣ ଆପଣ ରାଜପୁତ୍‌ମାନଙ୍କ ଅଧୀଶ୍ଵର ଏବଂ ରାଜପୁତ୍‌କୁଳତିଳକ ।’’

 

“ଆପଣ ଅନୁଗ୍ରହପୂର୍ବକ ମୋର ନିବେଦନ ଶ୍ରବଣ କରନ୍ତୁ । ମୋର ମନ୍ଦଭାଗ୍ୟ ଦୃଷ୍ଟିରୁ ଦିଲ୍ଲୀର ବାଦଶାହ ମୋତେ ବିବାହ କରିବାକୁ ଜିଦ୍ ଧରି ବସିଛନ୍ତି । ଖୁବ୍ ଶୀଘ୍ର ବାଦଶାହଙ୍କ ପ୍ରେରିତ ସୈନ୍ୟମାନେ ମୋତେ ଦିଲ୍ଲୀ ନେଇଯିବା ଲାଗି ଆସିବେ । ମୁଁ ରାଜପୁତ୍ କନ୍ୟା, କ୍ଷତ୍ରିୟବଂଶରୁ ଜନ୍ମ, କିପରି ଭାବରେ ବଂଶମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇ ଯବନର ଦାସୀ ହୋଇପାରିବି ? ରାଜହଂସୀ ହୋଇ ବକର ସହଚରୀ ହେବି ? ହିମଗିରିନନ୍ଦିନୀ ହୋଇ କିପରି ଭାବରେ ନିଜକୁ ପଙ୍କିଳ କ୍ଷୁଦ୍ର ପୁଷ୍କରିଣୀ ମଧ୍ୟରେ ଲୀନ କରାଇବି ? ରାଜକୁମାରୀ ହୋଇ କିପରି ଭାବେ ବର୍ବର ତୁର୍କର ଆଜ୍ଞାକାରିଣୀ ହେବି ? ତେଣୁ ମୁଁ ସ୍ଥିର କରିଛି–ଏପରି ବିବାହ ପୂର୍ବରୁ ମୁଁ ବିଷପାନ କରି ଆତ୍ମହତ୍ୟା କରିବି ।

 

“ମହାରାଜାଧିରାଜ ! ମୋତେ ଅହଂକାରିଣୀ ବୋଲି ମନେକରିବେ ନାହିଁ । ମୁଁ ଜଣେ, ଗୋଟିଏ ସାମାନ୍ୟ ଭୂମ୍ୟଧିକାରୀର କନ୍ୟା । ଯୋଧପୁର, ଅମ୍ବର ପ୍ରଭୃତି ପ୍ରତାପଶାଳୀ ରାଜମାନେ ଦିଲ୍ଲୀ ବାଦଶାହଙ୍କୁ କନ୍ୟାଦାନ କରିବା କଳଙ୍କ ବୋଲି ମନେକରୁନାହାନ୍ତି; ବରଂ ସେ ପ୍ରକାର ସୁଯୋଗକୁ ଗୌରବ ବୋଲି ମନେକରୁଛନ୍ତି । ସେହି ରାଜବଂଶ ତୁଳନାରେ ମୁଁ ଅବା କି ଛାର ? ତଥାପି ଆପଣ ପଚାରିପାରନ୍ତି–ମୋର ଏ ଅହଙ୍କାର କାହିଁକି ? କିନ୍ତୁ ମହାରାଜ, ସୂର୍ଯ୍ୟ ଅସ୍ତମିତ ହୋଇଗଲେ ସାମାନ୍ୟ ଖଦ୍ୟୋତ କ’ଣ କିରଣ ବିକିରଣ କରେ ନାହିଁ କି ? ଶିଶିରର ପ୍ରକୋପରେ ପଦ୍ମିନୀ ମୁଦ୍ରିତ ହୋଇଗଲେ, କ୍ଷୁଦ୍ର କୁନ୍ଦପୁଷ୍ପ ବିକଶିତ ହୁଏ ନାହିଁ କି ? ଯୋଧପୁର ଓ ଅମ୍ବର ପ୍ରଭୃତି କୁଳ ଧ୍ଵଂସ କରିଥିଲେ ହେଁ, ରୂପନଗର କୁଳରକ୍ଷା ଲାଗି ପ୍ରବୃତ୍ତ ହୋଇ ନ ପାରେ କି ? ମହାରାଜ, ଚାରଣ ମୁଖରୁ ଶୁଣିଛି–ବନବାସୀ ରାଜା ରାଣା ପ୍ରତାପଙ୍କ ସହିତ ମହାରାଜ ମାନସିଂହ ଭୋଜନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ ରାଣା ପ୍ରତ୍ୟାଖ୍ୟାନ କରି କହିଥିଲେ–‘ଯେ ଯବନକୁ ନିଜର ଭଗ୍ନୀ ବିବାହ ଦେଇଛି, ତା’ ସହିତ ମୁଁ ଏକାସନରେ ବସି ଭୋଜନ କରିବି ନାହିଁ । ସେହି ମହାପ୍ରତାପୀ ବୀରଙ୍କ ବଂଶଧରଙ୍କୁ ମୁଁ ଅବା ବୁଝାଇବି କ’ଣ ? ତେବେ ଏତିକି ନିଶ୍ଚିତ ଯେ, ଏପ୍ରକାର ସମ୍ବନ୍ଧ ରାଜପୁତ୍ କୁଳକାମିନୀଙ୍କ ପକ୍ଷରେ ଇହଲୋକ ତଥା ପରଲୋକରେ ମଧ୍ୟ ଅତ୍ୟନ୍ତ ଘୃଣାସ୍ପଦ । ମହାରାଜ, ଅଦ୍ୟାପି ଆପଣଙ୍କ ବଂଶରୁ କେହି ତୁର୍କଙ୍କୁ ବିବାହ କଲେ ନାହିଁ କାହିଁକି ? କେବଳ ପ୍ରବଳ ପରାକ୍ରମଶାଳୀ ବଂଶ ବୋଲି କ’ଣ ଆପଣ ଏହା କରି ନାହାନ୍ତି ? ନା ତା’ ନୁହେ । ପ୍ରବଳ ଶକ୍ତିଶାଳୀ ରୋମ୍ ଓ ପାରସ୍ୟର ବାଦଶାହମାନେ ଦିଲ୍ଲୀ ବାଦଶାହଙ୍କୁ କନ୍ୟାଦାନ କରିବା ଗୌରବ ମନେକରନ୍ତି । ତା’ ହେଲେ କେବଳ ଉଦୟପୁର ତାଙ୍କୁ କନ୍ୟାଦାନ କରିନାହାନ୍ତି କାହିଁକି ? ସେ କେବଳ ସଚ୍ଚାରାଜପୁତ୍‍ ବୋଲି ଏହି ପଙ୍କିଳ ମାର୍ଗକୁ ଅଗ୍ରସର ହୋଇନାହାନ୍ତି । ମୁଁ ସେହି ପବିତ୍ର ରାଜପୁତ୍‌କୁଳରେ ଜନ୍ମ ଗ୍ରହଣ କରିଛି । ଆତ୍ମହତ୍ୟା କରିବି ପଛକେ, କୁଳକଳଙ୍କିନୀ ନ ହେବାକୁ ମୁଁ ପ୍ରତିଜ୍ଞା କରିଛି ।

 

“ମୁଁ ଆତ୍ମହତ୍ୟା କରିବାକୁ ପ୍ରତିଜ୍ଞା କରିସାରିଛି ସତ୍ୟ, କିନ୍ତୁ ଅଠରଟି ବସନ୍ତ ଅତିବାହିତ ହେଉଥିବା ଏହି ଅଭିନବ ଜୀବନର ସୁରକ୍ଷାଲାଗି ଖୁବ୍ ଲୋଭ ହେଉଛି । କିନ୍ତୁ ଏହି ବିପଦସାଗରରୁ ମୋର ଜୀର୍ଣ୍ଣ ଜୀବନତରୀଟିକୁ କିଏ ଅବା ରକ୍ଷା କରିବ ? ମୋର ପିତାଙ୍କର ସେ ଶକ୍ତି କାହିଁ; ସେ ଆଲ୍‌ମ୍‌ଗିର୍‌ଙ୍କ ସହିତ ବିବାଦ ମୁଣ୍ଡାଇନେବେ ? ଆଉ ଛୋଟ ବଡ଼ ସମସ୍ତ ରାଜପୁତ୍ ବୀର ମୋଗଲମାନଙ୍କ ଦାସତ୍ୱ ସ୍ଵୀକାର କରିଛନ୍ତି ଏବଂ ମୋଗଲ ବାଦଶାହଙ୍କ ଭୟରେ ସେମାନଙ୍କର ହୃତ୍‌କମ୍ପ ଜାତ ହୋଇଛି । କେବଳ ଆପଣ ଏକମାତ୍ର ରାଜପୁତ୍‌କୁଳର ଉଜ୍ଜ୍ଵଳ ପ୍ରଦୀପ, କେବଳ ଆପଣ ସ୍ଵାଧୀନ ବୀର; ତେଣୁ ଏକମାତ୍ର ଉଦୟପୁର ହଁ ବାଦଶାହଙ୍କର ସମକକ୍ଷ । ଏହି ଅସହାୟ ବିପନ୍ନ ବାଳିକାଟିକୁ ରକ୍ଷାକରିବା ଲାଗି ଆଉ କେହି ନାହାନ୍ତି । ମୁଁ ଆପଣଙ୍କଠାରେ ଶରଣ ପଶୁଛି, ଆପଣ କ’ଣ ମୋତେ ରକ୍ଷାକରିବେ ନାହିଁ ?

 

“କେଡ଼େ ବଡ଼ ଗୁରୁତର କାର୍ଯ୍ୟରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ତା’ର ପରିଣାମ ସମ୍ବନ୍ଧରେ ମୋର ଧାରଣା ନାହିଁ, ତା’ନୁହେଁ ! ମୁଁ କେବଳ ଗୋଟିଏ ସାଧାରଣ ବାଳିକାର ବୁଦ୍ଧିରେ ଏପରି ଲେଖିଛି ବୋଲି ଆପଣ ଧାରଣା କରିବେ ନାହିଁ ଏବଂ ଦିଲ୍ଲୀଶ୍ଵରଙ୍କ ସହ ବିବାଦ ସହଜ ନୁହେଁ, ଏ ଧାରଣା ମୋର ରହିଛି । ଏ ପୃଥିବୀରେ ଆଲମଗିର୍‌ଙ୍କ ସହିତ ବିବାଦ କରି ଆଉ କେହି ତିଷ୍ଠି ନ ପାରେ ! କିନ୍ତୁ ମହାରାଜ ! ଥରେ ଚିନ୍ତାକରି ଦେଖନ୍ତୁ, ମହାରାଜ ସଂଗ୍ରାମ ସିଂହ ବାବର ଶାହଙ୍କୁ ପ୍ରାୟ ପଦଚ୍ୟୁତ କରାଇଥିଲେ ଏବଂ ମହାରାଣା ପ୍ରତାପ ସିଂହ ମଧ୍ୟ ଆକ୍‌ବର ଶାହଙ୍କୁ ଦେଶରୁ ବହିଷ୍କୃତ କରାଇପାରିଥିଲେ । ଆପଣ ସେହି ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି, ଆପଣ ସେହି ବୀରବର ସଂଗ୍ରାମ ସିଂହ ଓ ପରାକ୍ରମଶାଳୀ ରାଣା ପ୍ରତାପଙ୍କର ଦାୟାଦ ! ଆପଣ କ’ଣ ସେମାନଙ୍କ ଅପେକ୍ଷା ହୀନବୀର୍ଯ୍ୟ ? ଶୁଣିଛି, ମହାରାଷ୍ଟ୍ରର ଜନୈକ ପାର୍ବତ୍ୟଦସ୍ୟୁ ଆଲମଗିର୍‌ଙ୍କ ଗର୍ବ ଚୂର୍ଣ୍ଣ କରିପାରିଛି, ସେହି ଆଲମଗିର୍ କ’ଣ ରାଜସ୍ଥାନର ରାଜେନ୍ଦ୍ରଙ୍କ ସହ ସମକକ୍ଷ ?

 

“ଆପଣ କହିପାରନ୍ତି–ମୋ ବାହୁରେ ଯଥେଷ୍ଟ ଶକ୍ତି ଥିଲେ ସୁଦ୍ଧା ମୁଁ ଜଣେ ଅପରିଚିତା ମୁଖରା ଯୁବତୀ ପାଇଁ କାହିଁକି ଏଡ଼େବଡ଼ ଭୟଙ୍କର ଯୁଦ୍ଧରେ ପଶିବାକୁ ଯିବି ? ମହାରାଜ...... ! ସର୍ବସ୍ଵ ଅର୍ପଣ କରି ଶରଣାଗତକୁ ରକ୍ଷା କରିବା କ’ଣ ରାଜଧର୍ମ ନୁହେ ? ନିଜର ସର୍ବଶକ୍ତି ବିନିମୟରେ କୁଳକାମିନୀର ମାନରକ୍ଷା କରିବା କ’ଣ ରାଜପୁତ୍‌ର କର୍ତ୍ତବ୍ୟ ନୁହେଁ ?”

 

ଏହି ପର୍ଯ୍ୟନ୍ତ ପତ୍ରଟି ଲେଖିଥିଲା ରାଜକୁମାରୀ ଚଞ୍ଚଲ୍‍ ଏବଂ ଅନ୍ୟ କେଇଧାଡ଼ି ସେ ନିଜ ହାତରେ ଲେଖିନଥିଲା । କୁମାରୀର ମନୋଗତ ଭାବନା ନିର୍ମଳ ନିଜ ହସ୍ତାକ୍ଷରରେ ଲେଖିଥିଲା–“ମହାରାଜ, ଆଉ ଗୋଟିଏ କଥା କହିବାକୁ ମୁଁ ଲଜ୍ଜାବୋଧ କରୁଛି; କିନ୍ତୁ ନ କହିଲେ ନ ଚଳେ ! ମୁଁ ଏହି ବିପଦରେ ପଡ଼ି ପ୍ରତିଜ୍ଞା କରିଛି–ଯେ ମୋତେ ମୋଗଲ କବଳରୁ ରକ୍ଷାକରିବେ, ସେ ଯଦି ରାଜପୁତ୍ ହୋଇଥାଆନ୍ତି ଏବଂ ମୋତେ ଶାସ୍ତ୍ରୋକ୍ତ ବିଧିରେ ଗ୍ରହଣ କରିବା ଲାଗି ପ୍ରସ୍ତୁତ ଥାଆନ୍ତି, ତା’ହେଲେ ମୁଁ ତାଙ୍କର ଶ୍ରୀଚରଣ ତଳେ ଦାସୀ ହୋଇ ରହିବି । ହେ ଯଶସ୍ଵୀ ବୀର କୁଳଭୂଷଣ, ଯୁଦ୍ଧରେ ସ୍ତ୍ରୀଲାଭ ବୀରର ଧର୍ମ ! ସମଗ୍ର କ୍ଷତ୍ରିକୂଳ ସହିତ ଯୁଦ୍ଧକରି ପାଣ୍ଡବମାନେ ଦ୍ରୌପଦୀଙ୍କୁ ଲାଭ କରିଥିଲେ । କାଶୀରାଜାଙ୍କ ସଭାରେ ସମବେତ ରାଜନ୍ୟମଣ୍ଡଳୀର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରି ମହାବୀର ଭୀଷ୍ମ ରାଜକନ୍ୟାମାନଙ୍କୁ ଲାଭ କରିଥିଲେ । ହେ ରାଜନ୍, ରୁକ୍ମିଣୀଙ୍କର ବିବାହ କ’ଣ ମନେପଡ଼େନାହିଁ । ଆପଣ ଏହି ପୃଥିବୀର ଅଦ୍ଵିତୀୟ ବୀର, ଆପଣ କ’ଣ ବୀରଧର୍ମ ପାଳନରେ ପରାଙ୍ମୁଖ ହେବେ ?

 

“ତେବେ ମୁଁ ଯେ ଆପଣଙ୍କର ମହିଷୀ ହେବାର ଆଶା କରିଛି, ଏହା ମୋର ଏକ ଦୁରାକାଙ୍‍କ୍ଷା । ଯଦି ମୁଁ ଆପଣଙ୍କର ଗ୍ରହଣଯୋଗ୍ୟା ନ ହୁଏ, ତା’ ହେଲେ ମଧ୍ୟ ଆପଣଙ୍କ ସହିତ ଅନ୍ୟ ପ୍ରକାର ସମ୍ବନ୍ଧ ସ୍ଥାପନ କରିବାର ଭରସା କ’ଣ ପାରିପାରିବି ନାହିଁ ? ଯେଉଁ ସମ୍ପର୍କ ସ୍ଥାପନ କଲେ ମୁଁ ଆପଣଙ୍କ ଅନୁଗ୍ରହପ୍ରାପ୍ତିରୁ ବଞ୍ଚିତ ନ ହେବି, ସେ ପ୍ରକାର ସମ୍ପର୍କ ସ୍ଥାପନର କାମନା କରି ଗୁରୁଦେବଙ୍କ ହସ୍ତରେ ଗୋଟିଏ ‘ରାକ୍ଷୀ’ ପଠାଇଛି । ସେ ରାକ୍ଷୀଟିକୁ ଆପଣଙ୍କ ହସ୍ତରେ ବାନ୍ଧିଦେବେ । ତା’ପରେ ରାଜଧର୍ମ ପାଳନ କରିବା ଆପଣଙ୍କର ଇଚ୍ଛା ଓ କର୍ତ୍ତବ୍ୟ ଉପରେ ନିର୍ଭର କରେ । ପରିଶେଷରେ ମୋର ଜୀବନ ଆପଣଙ୍କ ହସ୍ତରେ ଅର୍ପଣ କଲି; ଯଦି ଦିଲ୍ଲୀ ଯିବାକୁ ପଡ଼େ ତା’ହେଲେ ମାର୍ଗ ମଧ୍ୟରେ ବିଷପାନ କରି ଆତ୍ମବିସର୍ଜନ କରିବି ।”

 

ପତ୍ରପାଠ ଶେଷ କରି ରାଜସିଂହ କିଛିକ୍ଷଣ ଚିନ୍ତାମଗ୍ନ ହୋଇପଡ଼ିଲେ; ପରେ ମାଣିକଲାଲ୍‍ ଆଡ଼କୁ ଚାହିଁ କହିଲେ–‘‘ମାଣିକଲାଲ୍‍, ଏ ପତ୍ରର ବିଷୟ ତୁମ ବ୍ୟତୀତ ଆଉ କିଏ ଜାଣେ ?”

 

“ଯେଉଁମାନେ ଜାଣିଥିଲେ, ମହାରାଜ ସେମାନଙ୍କୁ ଗୁହା ମଧ୍ୟରେ ବଧ କରି ସାରିଛନ୍ତି ।” ଉତ୍ତରଦେଲା ମାଣିକଲାଲ୍‍ ।

 

“ବେଶ୍, ଭଲକଥା, ତୁମେ ଘରକୁ ଯାଅ । ଉଦୟପୁର ଆସି ମୋତେ ସାକ୍ଷାତ କରିବ ଏବଂ ଏ ପତ୍ରର ବିଷୟ କାହାରି ଆଗରେ ପ୍ରକାଶ କରିବନାହିଁ ।” ଏହା କହି ରାଜସିଂହ ମାଣିକଲାଲ୍‍ ହାତରେ କେତୋଟି ସ୍ଵର୍ଣ୍ଣମୁଦ୍ରା ଧରାଇଦେଲେ । ମାଣିକଲାଲ୍‍ କୃତକୃତ୍ୟ ହୋଇ ପ୍ରଣାମ ନିବେଦନପୂର୍ବକ ସେଠାରୁ ବିଦାୟ ନେଲା ।

Image

 

ମାତାଜୀ କୀ ଜୟ

 

କିଛି ସମୟ ଅପେକ୍ଷା କରିବାଲାଗି ଅନନ୍ତ ମିଶ୍ରଙ୍କୁ କହି ରାଣା ସେଠାରୁ ଚାଲିଗଲେ । ମିଶ୍ରେ ସେଠାରେ କିଛିସମୟ ଅପେକ୍ଷା କଲେ; ମାତ୍ର ତାଙ୍କ ମନ ସ୍ଥିର ହୋଇ ରହିଲାନାହିଁ । ଅଶ୍ଵାରୋହୀଙ୍କର ଯୋଦ୍ଧୃବେଶ ଓ ତୀବ୍ର ଦୃଷ୍ଟି ଲକ୍ଷ୍ୟକରି ସେ ବ୍ୟାକୁଳ ହୋଇଉଠିଥିଲେ । ସେ ମହାସଙ୍କଟରେ ପଡ଼ି ସୌଭାଗ୍ୟକ୍ରମେ ପ୍ରାଣ ପାଇଥିବାରୁ, ମନେମନେ ଭୀତତ୍ରସ୍ତ ହୋଇ ଉଠିଥିଲେ । କିନ୍ତୁ ସବୁକିଛି ହରାଇଥିବା ଦୃଷ୍ଟିରୁ କେଉଁ ମୁହଁରେ ଯାଇ ଚଞ୍ଚଲ୍‍କୁମାରୀ ଆଗରେ ଠିଆହେବେ, ତାହାହିଁ ଚିନ୍ତାକରି ସେ ମନେମନେ ବଡ଼ ଉଦ୍‌ବିଗ୍ନ ହୋଇଉଠିଲେ । ଏହି ସମୟରେ ସେ ଲକ୍ଷ୍ୟକଲେ–ପର୍ବତ ଉପରେ ଦୁଇତିନିଜଣ ବ୍ୟକ୍ତି ଛିଡ଼ାହୋଇ ପରାମର୍ଶ କରୁଛନ୍ତି । ତା’ ଦେଖି ବ୍ରାହ୍ମଣ ପୁଣି ଭୀତ ହୋଇଉଠିଲେ–କାଳେ ପୁଣି କେହି ନୂଆ ଦସ୍ୟୁଦଳ ଆସିଲେ କି ? ସେଥର ଅବଶ୍ୟ ତାଙ୍କ ନିକଟରେ କିଛି ଥିଲା; ସେତକ ପାଇ ଦସ୍ୟୁଦଳ ତାଙ୍କୁ ପ୍ରାଣରେ ନ ମାରି ଛାଡ଼ି ଦେଇଥିଲେ । ଏଥର ଯଦି ପୁଣି ଥରେ ଦସ୍ୟୁମାନେ ତାଙ୍କୁ ଧରନ୍ତି, ତା’ହେଲେ କ’ଣ ଦେଇ ପ୍ରାଣରକ୍ଷା କରିବେ ? ଏହା ଭାବି ଚିନ୍ତା କରୁଥିବା ସମୟରେ ସେ ଲକ୍ଷ୍ୟକଲେ–ପର୍ବତ ଉପରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତାଙ୍କରି ଆଡ଼କୁ ହାତ ଦେଖାଇ ଅନ୍ୟମାନଙ୍କ ସହିତ କ’ଣ କଥାବାର୍ତ୍ତା ହେଉଛନ୍ତି । ଏହା ଦେଖି ଅନନ୍ତ ମିଶ୍ର ସାହସ ହରାଇ ସେଠାରୁ ପଳାଇଯିବାର ଉଦ୍ୟମ କଲେ । ଏହି ସମୟରେ ପର୍ବତାରୋହୀଙ୍କ ମଧ୍ୟରୁ ଜଣେ ଓହ୍ଲାଇ ଆସିବାର ଜାଣିପାରି, ଅନନ୍ତ ମିଶ୍ର ଏକାନିଃଶ୍ଵାସକେ ସେଠାରୁ ପଳାଇଯିବା ଉଦ୍ଦେଶ୍ୟରେ ଧାଇଁବାକୁ ଲାଗିଲେ ।

 

ସେହି ସମୟରେ ତାଙ୍କ ପଛଆଡ଼ୁ ‘ଧର’ ‘ଧର’ ଶବ୍ଦ ଶୁଭିଲା । ଏହି ଶବ୍ଦ ଶୁଣିବା ମାତ୍ରେ ସେ କେଶବାସ ଅସମ୍ଭାଳ ହୋଇ ‘ନାରାୟଣ’ ‘ନାରାୟଣ’ ସ୍ମରଣପୂର୍ବକ ପ୍ରାଣଭୟରେ ଧାଇଁବାକୁ ଲାଗିଲେ । ଅନୁସରଣକାରୀମାନେ ବ୍ରାହ୍ମଣଙ୍କୁ ସେଠାରେ ନ ପାଇ ଅନୁଧାବନରୁ ନିବୃତ୍ତ ହେଲେ । ଯେଉଁମାନେ ବ୍ରାହ୍ମଣଙ୍କ ଅନୁସରଣ କରୁଥିଲେ, ସେମାନେ ଥିଲେ ମହାରାଜ ରାଜସିଂହଙ୍କ ଅନୁଚରବର୍ଗ ।

 

ହଠାତ୍ ରାଜସିଂହଙ୍କର ଗହନ ବନମଧ୍ୟକୁ ଆସିବାର କାରଣ ସ୍ୱରୂପ ଏତିକି ଜଣାଯାଏ ଯେ, ସେ ଶତାଧିକ ସୈନ୍ୟଙ୍କ ସହିତ ଘୋର ଜଙ୍ଗଲ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଆସିଥିଲେ । କାରଣ ରାଜପୁତ୍‌ମାନେ ଅତ୍ୟନ୍ତ ଶିକାରପ୍ରିୟ । ସେମାନେ ଶିକାର ଶେଷରେ ଉଦୟପୁର ଫେରିଯାଉଥିଲେ । ରାଜସିଂହ ସର୍ବଦା ସୈନ୍ୟସାମନ୍ତଙ୍କ ଗହଣରେ ରହିବାକୁ ଆଦୌ ଭଲ ପାଉ ନ ଥିଲେ । ସେ ଅନେକ ସମୟରେ ସୈନ୍ୟବାହିନୀଠାରୁ ଦୂରରେ ରହି ଛଦ୍ମବେଶରେ ପ୍ରଜାବର୍ଗଙ୍କ ଅବସ୍ଥା ନିରୀକ୍ଷଣ କରୁଥିଲେ । ସେଇଥିପାଇଁ ତାଙ୍କ ରାଜ୍ୟର ପ୍ରଜାମାନେ ଅତ୍ୟନ୍ତ ସୁଖୀ ଥିଲେ । କାରଣ ରାଜା ନିଜ ଆଖିରେ ପ୍ରଜାମାନଙ୍କ ଅବସ୍ଥା ନିରୀକ୍ଷଣ କରି, ତାହା ଦୂର କରିବାର ଉପାୟ ଚିନ୍ତା କରୁଥିଲେ ।

 

ସେ ସମୟରେ ରାଜସିଂହ ସୈନ୍ୟବାହିନୀକୁ ପଛରେ ଆସିବାଲାଗି ନିର୍ଦ୍ଦେଶ ଦେଇ ‘ବିଜୟ’ ନାମକ ଅଶ୍ଵପୃଷ୍ଠରେ ଆରୋହଣ କରି ଏକାକୀ ଅଗ୍ରସର ହୋଇଥିଲେ । ରାଜା ଦସ୍ୟୁମାନଙ୍କ ଅତ୍ୟାଚାରର କାହାଣୀ ଅନନ୍ତ ମିଶ୍ରଙ୍କଠାରୁ ଶୁଣି, ବ୍ରହ୍ମସ୍ଵ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଦସ୍ୟୁମାନଙ୍କ ଅନୁସନ୍ଧାନରେ ବାହାରିପଡ଼ିଲା । ଦୁଃସାଧ୍ୟ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟରେ ଅଗ୍ରସର ହେବା ଥିଲା ରାଜସିଂହଙ୍କର ଗୋଟିଏ ପ୍ରକାର ଅମୋଦପ୍ରମୋଦପୂର୍ଣ୍ଣ କାର୍ଯ୍ୟ ।

 

ଅନେକ ସମୟ ପର୍ଯ୍ୟନ୍ତ ମହାରାଜା ନ ଫେରିବାରୁ ସୈନ୍ୟମାନେ ମନେମନେ ପ୍ରମାଦ ଗଣିବାକୁ ଲାଗିଲେ । ଏହି ସମୟରେ ରାଜାଙ୍କର ଅଶ୍ଵଟିକୁ ଦେଖିପାରି ସେମାନେ ଧାରଣା କରିନେଲେ ଯେ, ରାଜା ନିଶ୍ଚୟ କୌଣସି ବିପଦର ସମ୍ମୁଖୀନ ହୋଇଛନ୍ତି । ହଠାତ୍ ଖଣ୍ଡିଏ ପ୍ରସ୍ତର ଉପରେ ବସିଥିବା ଅନନ୍ତ ମିଶ୍ରଙ୍କୁ ଦେଖିପାରି ସେମାନେ ଭାବିଲେ–ବୋଧହୁଏ ଏହି ବ୍ୟକ୍ତି ମହାରାଜାଙ୍କ ସମ୍ବନ୍ଧରେ କେତେକ ଖବର ଦେଇପାରେ । ତେଣୁ ସେମାନଙ୍କ ମଧ୍ୟରୁ ଜନୈକ ବ୍ୟକ୍ତି ଅନନ୍ତ ମିଶ୍ରଙ୍କ ଆଡ଼କୁ ହାତ ଦେଖାଇ, ଅନ୍ୟମାନଙ୍କ ସହିତ ଆଲୋଚନା କରି ତଳକୁ ଓହ୍ଲାଇବାର ଉପକ୍ରମ କଲେ; କିନ୍ତୁ ଅନନ୍ତ ମିଶ୍ରଙ୍କୁ ପଳାଇଯିବାର ଦେଖି ସେମାନେ ସ୍ପଷ୍ଟ ବୁଝିପାରିଲେ ଯେ, ଏହି ବ୍ୟକ୍ତି ମହାରାଜାଙ୍କର ଅନିଷ୍ଟ ଘଟାଇଛି । ତେଣୁ ସୈନ୍ୟମାନେ ମିଶ୍ରଙ୍କ ପଛେପଛେ ଧାଇଁବାକୁ ଲାଗିଲେ । ମିଶ୍ରେ ପ୍ରାଣବିକଳରେ ଧାଇଁ ଧାଇଁ ଗୋଟିଏ ପର୍ବତ ଗୁମ୍ଫା ମଧ୍ୟରେ ଆତ୍ମଗୋପନ କରି ରହିଲେ ।

 

ମହାରାଣା ଚଞ୍ଚଲ୍‍କୁମାରୀର ପତ୍ରପାଠ କରିସାରି ମାଣିକଲାଲ୍‍କୁ ବିଦାୟଦେବା ପରେ ଅନନ୍ତ ମିଶ୍ରଙ୍କ ସନ୍ଧାନରେ ବାହାରିଲେ । ସେ ବ୍ରାହ୍ମଣଙ୍କୁ ଛାଡ଼ିଯାଇଥିବା ସ୍ଥାନରେ ପହଞ୍ଚି ଦେଖିଲେ–ସେଠାରେ ବ୍ରାହ୍ମଣ ନାହାନ୍ତି, କେବଳ ନିଜର ଅନୁଚରବର୍ଗ ବିକ୍ଷିପ୍ତ ଅବସ୍ଥାରେ ବୁଲୁଛନ୍ତି । ସୈନ୍ୟମାନେ ରାଣାଙ୍କୁ ଦେଖିପାରି ଜୟଧ୍ଵନି କରିଉଠିଲେ । ବିଜୟ ମଧ୍ୟ ପ୍ରଭୁଙ୍କୁ ଦେଖିପାରି ଦୁଇ ଚାରିଥର ଡେଇଁ, କୁଦି ରାଜସିଂହଙ୍କ ନିକଟରେ ହାଜର ହୋଇଗଲା । ରାଣା ସଙ୍ଗେ ସଙ୍ଗେ ଅଶ୍ଵପୃଷ୍ଠରେ ଆରୋହଣ କଲେ । ରାଜସିଂହଙ୍କ ବସ୍ତ୍ରରେ ରକ୍ତର ଦାଗ ଲକ୍ଷ୍ୟ କରିଥିଲେ ହେଁ, କେହି କିଛି ପ୍ରଶ୍ନ କଲେନାହିଁ । ରାଣା ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ପଚାରିଲେ–“ଏଠାରେ ଜଣେ ବ୍ରାହ୍ମଣ ବସିଥିଲେ, ସେ ଗଲେ କୁଆଡ଼େ, କେହି ଦେଖିଛ କି ?”

 

“ସେ ବ୍ୟକ୍ତି ଏଠାରୁ ପଳାଇଯାଇଛି ମହାରାଜ !” ଉତ୍ତରଦେଲେ ବ୍ରାହ୍ମଣଙ୍କ ପଛରେ ଅନୁଧାବନକାରୀ ସୈନ୍ୟମାନେ ।

 

“ଶୀଘ୍ର ତାକୁ ଖୋଜିଆଣ !”

 

ରାଣାଙ୍କର ଏ ପ୍ରଶ୍ନର ଉତ୍ତରରେ ସୈନ୍ୟମାନେ ତାଙ୍କୁ ସବୁକଥା ବୁଝାଇ କହିଲେ, “ଆମ୍ଭେମାନେ ଅନେକ ସନ୍ଧାନ ନେଇଛୁ; ମାତ୍ର ତାଙ୍କୁ ଖୋଜି ପାଇଲୁ ନାହିଁ ।”

 

ଅଶ୍ଵାରୋହୀମାନଙ୍କ ମଧ୍ୟରେ ରାଜସିଂହଙ୍କର ଦୁଇ ପୁତ୍ର ଓ କେତେକ ଆତ୍ମୀୟ ପରିବାରବର୍ଗ ରହିଥିଲେ । ରାଜା ପୁତ୍ର ଓ ପରିବାରବର୍ଗଙ୍କୁ ଗୋଟିଏ ନିଭୃତ ସ୍ଥାନକୁ ନେଇଯାଇ ସେମାନଙ୍କ ସହିତ ଆବଶ୍ୟକୀୟ ପରାମର୍ଶ କରିବା ପରେ, ସୈନ୍ୟମାନଙ୍କ ନିକଟକୁ ଫେରିଆସି କହିଲେ–“ମୋର ପ୍ରିୟ ସାଥୀମାନେ ! ଆଜି ସମୟ ଖୁବ୍ ବିଳମ୍ବ ହୋଇଗଲାଣି । ତୁମେମାନେ କ୍ଷୁଧାତୃଷାରେ ବ୍ୟାକୁଳ ହୋଇଯିବଣି, ସନ୍ଦେହ ନାହିଁ; କିନ୍ତୁ ଆଜି ଉଦୟପୁର ଫେରିଯାଇ କ୍ଷୁଧାତୃଷା ନିବାରଣ କରିବା ଆମ ଭାଗ୍ୟରେ ନାହିଁ । ଏହି ଦୁର୍ଗମ ପାର୍ବତ୍ୟପଥ ଦେଇ ଆମକୁ ପୁଣି ଫେରିଯିବାକୁ ପଡ଼ିବ । ହଠାତ୍ ଗୋଟିଏ କ୍ଷୁଦ୍ର ଯୁଦ୍ଧ ଆସି ଜୁଟିଯାଇଛି । ଏହି ଆକସ୍ମିକ ଯୁଦ୍ଧରେ ଯୋଗଦେବାଲାଗି ଯାହାର ଇଚ୍ଛା ଅଛି, ସେମାନେ ଆମ ସାଥିରେ ଆସନ୍ତୁ; ଯେଉଁମାନେ ଅନିଚ୍ଛୁକ ସେମାନେ ଉଦୟପୁର ଫେରିଯା’ନ୍ତୁ । ଆମେ ଏହି ପର୍ବତକୁ ପୁଣି ଥରେ ଆରୋହଣ କରିବା ।”

 

ଏହା କହି ରାଜସିଂହ ପର୍ବତାରୋହଣ ଲାଗି ଉପକ୍ରମ କଲେ ଏବଂ ସୈନ୍ୟମାନେ ଜୟ ମହାରାଣାଙ୍କର ଜୟ...ଜୟ ମାତାଜୀ କୀ ଜୟ ! ନାଦକରି ରାଣାଙ୍କ ପଛେ ପଛେ ଅଶ୍ଵାରୋହୀଗଣ ଅନୁଗମନ କରିବାକୁ ଲାଗିଲେ । ପର୍ବତ ଉପରେ ପହଞ୍ଚିବା ମାତ୍ରେ ‘ହର’ ‘ହର’ ଶବ୍ଦରେ ଗଗନପବନ ମୁଖରିତ ହୋଇଉଠିଲା । ଅଶ୍ଵମାନଙ୍କ ଖୁରାଘାତ ଓ ଜୟନାଦରେ ଅଧିତ୍ୟକା କମ୍ପି ଉଠିଲା । ରାଣା ରାଜସିଂହ ଓ ଅଶ୍ଵାରୋହୀଗଣ ରୂପନଗର ଅଭିମୁଖରେ ଯାତ୍ରା ଆରମ୍ଭ କରିଦେଲେ ।

Image

 

ନିରାଶା

 

ଉଦୟପୁରକୁ ଅନନ୍ତ ମିଶ୍ରଙ୍କ ଯାତ୍ରାର ଠିକ୍ ପରେ ପରେ ରୂପନଗରରେ ହଇଚଇ ମଚିଗଲା । ମୋଗଲ ଦରବାରରୁ ଦୁଇହଜାର ଅଶ୍ଵାରୋହୀ ଚଞ୍ଚଲ୍‍କୁମାରୀଙ୍କୁ ନେବା ଉଦ୍ଦେଶ୍ୟରେ ଆସି ରୂପନଗରରେ ପହଞ୍ଚିଗଲେ । ଏହାଦେଖି ନିର୍ମଲ୍‍କୁମାରୀର ମୁହଁ ଶୁଖି କଳାକାଠ ପଡ଼ିଗଲା । ସେ ଚଞ୍ଚଲ୍‍କୁମାରୀ ନିକଟରେ ପହଞ୍ଚି କହିଲା–“ଏବେ କ’ଣ ହେବ ?”

 

ଚଞ୍ଚଲ୍‍କୁମାରୀ ଓଠ ଫାଙ୍କରେ ଚେନାଏ ହସ ବିଞ୍ଚିଦେଇ କହିଲା–‘‘କାହାର କ’ଣ ହେବ ଯେ... ?”

 

“ତୁମକୁ ନେବାଲାଗି ମୋଗଲସେନା ଆସି ପହଞ୍ଚିଗଲେଣି; କିନ୍ତୁ ମିଶ୍ର ଠାକୁରେ ଏପର୍ଯ୍ୟନ୍ତ ଉଦୟପୁରରେ ପହଞ୍ଚି ନଥିବେ ! ରାଜସିଂହଙ୍କ ଉତ୍ତର ଆସି ପହଞ୍ଚିବା ପୂର୍ବରୁ ଏମାନେ ତୋତେ ନେଇଯାଇଥିବେ ! ଶେଷରେ ହେବ କ’ଣ ଯେ ?” ଆଶଙ୍କା ପ୍ରକାଶକରି କହିଲା ନିର୍ମଳ୍‍ ।

 

ଚଞ୍ଚଲ୍‍ର ମୁଖମଣ୍ଡଳରେ ଉଦ୍‌ବେଗର କୌଣସି ଲକ୍ଷଣ ଦେଖାଗଲା ନାହିଁ । ସେ ସ୍ଥିରଦୃଷ୍ଟିରେ ନିର୍ମଳ୍‍କୁ ଚାହିଁ କହିଲା–‘‘ଆଉ ତ କିଛି ଉପାୟ ନାହିଁ...କେବଳ ମୋର ସେହି ଶେଷ ଉପାୟ... । ଦିଲ୍ଲୀ ଯିବାବାଟରେ ବିଷ ଖାଇ ମୁଁ ଆତ୍ମବିସର୍ଜନ କରିବି ! ମୁଁ ଏହା ବହୁପୂର୍ବରୁ ନିଶ୍ଚୟ କରିଛି; ତେଣୁ ମୋ ମନରେ ତିଳେହେଲେ ଉଦ୍‌ବେଗ ନାହିଁ । କେବଳ ସାତଦିନ ସମୟ ନେବାପାଇଁ ବାପାଙ୍କୁ ଅନୁରୋଧ କରିବି; ଯଦି ମୋଗଲ୍ ସେନାପତି ସେତକ ସମୟ ଦିଅନ୍ତି... !”

 

ଚଞ୍ଚଲ୍‍କୁମାରୀ ସୁବିଧା ଦେଖି ପିତାଙ୍କ ପାଖରେ ଅନୁରୋଧ ଜଣାଇ କହିଲା–‘‘ମୁଁ ସବୁଦିନ ଲାଗି ରୂପନଗରରୁ ବିଦାୟ ନେବାକୁ ଯାଉଛି । ଆଉ ଜୀବନରେ କେବେ ଆପଣମାନଙ୍କ ଶ୍ରୀଚରଣ ଦର୍ଶନ କରିବି ଓ ସାଙ୍ଗସାଥୀମାନଙ୍କ ସହିତ ଅମୋଦପ୍ରମୋଦ କରିବି, ସେ ସମ୍ଭାବନା ଆଦୌ ନାହିଁ । ତେଣୁ ସାତୋଟି ଦିନ ମୋତେ ସମୟ ଦିଅନ୍ତୁ; ମାତ୍ର ସାତଦିନ ମୋଗଲସେନା ଏହିଠାରେ ରହନ୍ତୁ ! ଏହା ମଧ୍ୟରେ ମୁଁ ଆପଣମାନଙ୍କ ସହିତ ହସଖେଳରେ ସାତୋଟି ଦିନ କଟାଇଦେଇ ଏ ଜନ୍ମଲାଗି ଆପଣମାନଙ୍କ ନିକଟରୁ ବିଦାୟ ନେବି !”

 

ରାଜା ଚଞ୍ଚଲ୍‍ର ଅନୁନୟ ଶୁଣି ଆଖିରୁ ଦୁଇଧାର ଲୁହାଗଡ଼ାଇଦେଇ କହିଲେ–‘‘ଥରେ ମୋଗଲ ସେନାପତିଙ୍କୁ ଅନୁରୋଧ କରି ଦେଖେ; କିନ୍ତୁ ସେ ଅପେକ୍ଷା କରିବେ କି ନା, ସେ କଥା କହିପାରିବି ନାହିଁ ।”

 

ରାଜା ସଙ୍ଗେ ସଙ୍ଗେ ଯାଇ ମୋଗଲ ସେନାପତିଙ୍କଠାରେ ନିବେଦନ କଲେ । ସେନାପତି ରାଜାଙ୍କ ଅନୁରୋଧ ଶୁଣି ମନେମନେ ଭାବିଲେ–ମୋଗଲବାହିନୀ ରୂପନଗରରୁ ଫେରିଯିବାଲାଗି ବାଦଶାହା କୌଣସି ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରିନାହାନ୍ତି । ସେ ସାତଦିନ ବିଳମ୍ବ କରିବାକୁ ସାହସ କଲେନାହିଁ ସତ; କିନ୍ତୁ ଭାବୀ ବେଗମ୍‌ଙ୍କ ଅନୁରୋଧ ଟାଳିଦେବାକୁ ତାଙ୍କ ବିବେକ ବାଧାଦେଲା । ତେଣୁ ସେ ଦୋ’ଦୋ’ ପାଞ୍ଚହୋଇ ପାଞ୍ଚଦିନ ସମୟ ଦେବାକୁ ସ୍ଵୀକୃତ ହେଲେ । ଏହା ଶୁଣି ଚଞ୍ଚଲ୍‍କୁମାରୀ ମନେମନେ ଖୁବ୍ ବେଶି ଆଶ୍ଵସ୍ତ ହେଲାନାହିଁ ।

 

ଦିନପରେ ଦିନ ବିତିଚାଲିଲା, ଉଦୟପୁରରୁ କୌଣସି ସମ୍ବାଦ ଆସିଲା ନାହିଁ କିମ୍ବା ମିଶ୍ର ମହାଶୟ ଫେରିଆସିଲେ ନାହିଁ । ତହୁଁ ଚଞ୍ଚଲ୍‍କୁମାରୀ ଦୀର୍ଘନିଃଶ୍ଵାସ ତ୍ୟାଗକରି ହାତଯୋଡ଼ି କହିଲା–‘‘ହେ ଅନାଥନାଥ ଦେବାଧିଦେବ, ଏ ଅବଳାଟିକୁ ବଧ କରନାହିଁ !”

 

ରାତ୍ରିରେ ନିର୍ମଳ ଆସି ଚଞ୍ଚଲ୍‍ ପାଖରେ ଶୋଇଲା । ସାରାରାତି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ଖୁବ୍ କାନ୍ଦିଲେ । ଶେଷରେ ନିର୍ମଳ କହିଲା–“ମୁଁ ତୁମ ସାଙ୍ଗରେ ଯିବି ।” କେତେଦିନ ଧରି ସେହିକଥା କହିବ କହିବ ବୋଲି ସେ ମନେମନେ ଭାବୁଥିଲା ।

 

ଚଞ୍ଚଲ୍‍ ତା’ କଥା ଶୁଣି ଅବାକ୍‌ହୋଇ କହିଲା–“ତୁ ମୋ ସହିତ କୁଆଡ଼େ ଯିବୁ ? ମୁଁ ତ ମୃତ୍ୟୁମୁଖକୁ ଯାଉଛି ।”

 

“ମୁଁ ମଧ୍ୟ ମରିବି ! ତୁମେ ମୋତେ ଏଠାରେ ଛାଡ଼ିଦେଇ ଗଲେ ମୁଁ କ’ଣ ବଞ୍ଚିପାରିବି ?” ବିନା ଦ୍ଵିଧାରେ ଉତ୍ତରଦେଲା ନିର୍ମଳ୍‍ ।

 

“ଛି... ! ଏପରି କଥା ମୁହଁରେ ଧରନା... । ମୋ ବୋଝ ଉପରେ ନଳିତାବିଡ଼ା ହେବାକୁ ଚେଷ୍ଟାକରୁଛୁ କାହିଁକି ?”

 

“ତୁମେ ମୋତେ ନିଅ ବା ନ ନିଅ, ମୁଁ ନିଶ୍ଚୟ ତୁମ ସହିତ ଯିବି ! ମୋତେ କେହି ବାଧାଦେଇ ପାରିବେ ନାହିଁ !

 

ଦୁହେଁଯାକ ସାରାରାତି କାନ୍ଦି କାନ୍ଦି ବିତାଇଦେଲେ ।

Image

 

ମେହେରଜାନ୍

 

ମୋଗଲସେନାମାନେ ଯେତେଦିନ ରୂପନଗରରେ ଶିବିର ପକାଇ ରହିଲେ, ସେଇଦିନ କେତୋଟି ଖୁବ୍ ଆମୋଦପ୍ରମୋଦରେ କଟିଗଲା । ମୋଗଲ ସୈନ୍ୟଦଳ ସହିତ ଗୋଟିଏ ନୃତ୍ୟଦଳ ଯାଇଥାଏ । ଯେତେବେଳେ ଯୁଦ୍ଧ ନଥାଏ, ସେଇ ଦିନଗୁଡ଼ିକ ବେଶ୍ ନାଚ–ତାମସାରେ କଟିଯାଏ । ସୈନ୍ୟମାନେ କେବଳ ଆମୋଦପ୍ରମୋଦରେ କଟାଇବାଲାଗି ରୂପନଗର ଆସିଥିଲେ; ତେଣୁ ରାତ୍ରିରେ ଶିବିର ମଧ୍ୟରେ ନୃତ୍ୟଗୀତର ସୁଅ ଛୁଟିବାରେ ଲାଗିଲା ।

 

ନର୍ତ୍ତକୀମାନଙ୍କ ମଧ୍ୟରେ ଜଣକର ନାମରେ ଖୁବ୍ ପ୍ରଶଂସା ଶୁଣାଗଲା । ହୁଏତ ଦିଲ୍ଲୀରେ ସେ ନର୍ତ୍ତକୀର ନାମ କେହି ହେଲେ ଶୁଣି ନଥିଲେ । ଯେଉଁମାନେ ନିଜର ନୃତ୍ୟ ଲାଗି ଦିଲ୍ଲୀ ଦରବାରରେ ପ୍ରସିଦ୍ଧି ଅର୍ଜନ କରିଥିଲେ, ସେମାନେ ରୂପନଗରରେ ମେହେରଜାନ୍ ପରି କେହି ପ୍ରଶଂସା ଅର୍ଜନ କରିପାରିଲେ ନାହିଁ । ସବୁଠାରୁ ବିଚିତ୍ର କଥା ହେଉଛି–ମେହେର୍‌ଜାନ୍ ନର୍ତ୍ତକୀ ହୋଇଥିଲେ ମଧ୍ୟ ଚରିତ୍ରବତୀ । ସେଇଥିପାଇଁ ସେ ଆହୁରି ଯଶସ୍ଵିନୀ ହୋଇଉଠିଲା ।

 

ମୋଗଲ ସେନାପତି ସୈୟଦ୍ ହାସାନ୍ ଅଲି ଦିନେ ମେହେର୍‌ଜାନ୍‌ର ଗୀତ ଶୁଣିବାକୁ ଇଚ୍ଛା ପ୍ରକାଶକଲେ; କିନ୍ତୁ ସେନାପତିଙ୍କ ପ୍ରସ୍ତାବ ଶୁଣି ପ୍ରଥମେ ମେହେରଜାନ୍ ରାଜି ହେଲାନାହିଁ । ସେ ଉତ୍ତରଦେଇ କହିଲା–“ମୁଁ ବହୁଲୋକଙ୍କ ମେଳରେ ନୃତ୍ୟଗୀତରେ ଆପ୍ୟାୟିତ କରିପାରିବି ନାହିଁ । ସେନାପତି ନର୍ତ୍ତକୀର ସର୍ତ୍ତ ମଞ୍ଜୁର କଲେ । ସଙ୍ଗୀତ ଆସର ସମୟରେ ସେନାପତିଙ୍କ ତମ୍ବୁରେ ଆଉ କେହି ବନ୍ଧୁବର୍ଗ ରହିଲେ ନାହିଁ । ନର୍ତ୍ତକୀ ମେହେରଜାନ୍ ସେନାପତି ସୈୟଦ୍ ହୁସେନ୍ ଅଲିଙ୍କୁ ନୃତ୍ୟଗୀତରେ ମୁଗ୍‌ଧ କରାଇ ଦିଅନ୍ତେ, ସେନାପତି ଯଥୋଚିତ ପୁରସ୍କାର ଦେବାଲାଗି ପ୍ରସ୍ତାବ ଦେଲେ; କିନ୍ତୁ ନର୍ତ୍ତକୀ କୌଣସି ପ୍ରକାର ପୁରସ୍କାର ନେବାଲାଗି ଆଦୌ ରାଜି ହେଲାନାହିଁ । ସେ ସେନାପତିଙ୍କ ଆଗ୍ରହ ପ୍ରତି ବିନୟ ପ୍ରଦର୍ଶନ କରି କହିଲା–‘‘ଯଦି ପ୍ରକୃତରେ ଆପଣ ମୋ ନୃତ୍ୟଗୀତରେ ମୁଗ୍‌ଧ ହୋଇଥାନ୍ତି, ତା’ ହେଲେ ମୁଁ ଯାହା ମାଗିବି ମୋତେ ଦିଅନ୍ତୁ । ମୁଁ କୌଣସି ପୁରସ୍କାର ଗ୍ରହଣ କରିବି ନାହିଁ ।”

 

ସୈୟଦ ହାସାନ୍ ଅଲ୍ଲି ନର୍ତ୍ତକୀର ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘ତୁମେ କି ପୁରସ୍କାର ଚାହୁଁଛ ନର୍ତ୍ତକୀ ?”

 

ମେହେରଜାନ୍ ଦୁଇହାତ ଯୋଡ଼ି ବିନୀତ ଭାବରେ ଉତ୍ତରଦେଲା–‘‘ମୁଁ ଆପଣଙ୍କ ଘୋଡ଼ାସବାର ବାହିନୀରେ ଯୋଗଦେବାକୁ ଚାହେଁ ।”

 

ସେନାପତି ହାସାନ ଅଲି ନର୍ତ୍ତକୀର ଅଦ୍ଭୁତ ପ୍ରସ୍ତାବରେ ହତବାକ୍ ହୋଇଗଲେ । ତାଙ୍କ ମୁହଁରୁ ପଦେ ହେଲେ କଥା ବାହାରିଲା ନାହିଁ । ସେ କେବଳ ନର୍ତ୍ତକୀକୁ ଏକଲୟରେ ଚାହିଁରହିଲେ-। ତାହା ଲକ୍ଷ୍ୟକରି କହିଲା ମେହେରଜାନ୍–‘‘ମୁଁ ଆପଣଙ୍କର ଘୋଡ଼ା, ପୋଷାକପତ୍ର ଓ ହାତହତିଆରର ଉପଯୁକ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ।

 

ହାସାନ ଅଲି ଆହୁରି ଆଶ୍ଚର୍ଯ୍ୟ ହୋଇଯାଇ କହିଲେ–‘‘ସ୍ତ୍ରୀଲୋକ ପୁଣି ଅଶ୍ଵାରୋହୀ ସୈନିକ... ?”

 

ମେହେରଜାନ୍ ମୃଦୁହାସ୍ୟର ଛଟା ଅଧରରେ ଖେଳାଇଦେଇ କହିଲା–‘‘କ୍ଷତି କ’ଣ ? ଯୁଦ୍ଧ ତ ହେଉ ନାହିଁ । ପୁଣି ଯୁଦ୍ଧ ଯଦି ବା ହୁଏ, ମୁଁ କେବେହେଲେ ପଳାଇଯିବି ନାହିଁ ।”

 

‘‘କିନ୍ତୁ ଲୋକେ କ’ଣ କହିବେ... ?”–ମନେ ମନେ ଦ୍ଵିଧା ବୋଧ କରି କହିଲେ ହାସାନ୍ ଅଲି ।

 

“ଆମ ଦୁଇଜଣଙ୍କ ବ୍ୟତୀତ ଏ ରହସ୍ୟ ଆଉ କେହି ଜାଣିପାରିବେ ନାହିଁ ।”–ଧୀର ଓ ନମ୍ର ଭାବରେ ଉତ୍ତରଦେଲା ମେହେରଜାନ୍ ।

 

ମେହେରଜାନ୍‌ର ଜିଦ୍‌ ପ୍ରତି ସନ୍ଦିଗ୍‌ଧ ଦୃଷ୍ଟିରେ ଚାହିଁ ପଚାରିଲେ ସେନାପତି–‘‘ତୁମେ ଏ ପ୍ରକାର ଅବାସ୍ତବ ପ୍ରସ୍ତାବ କାହିଁକି କରୁଛ ଯେ... ?”

 

“ଯେଉଁଥିପାଇଁ ହେଉ ପଛକେ, ଏଥିରେ ବାଦଶାହ ସଲାମତ୍‌ଙ୍କର କ୍ଷତି ହେବ ନାହିଁ ।” ମେହେରଜାନ୍‌ର ଉତ୍ତରରେ ସନ୍ତୁଷ୍ଟ ନହୋଇ ହାସାନ୍ ଅଲି ନର୍ତ୍ତକୀକୁ ଅଶ୍ଵାରୋହୀଦଳରେ ଗ୍ରହଣ କରିବାକୁ ଆଦୌ ସମ୍ମତ ହେଲେନାହିଁ; କିନ୍ତୁ ମେହେର୍‌ଜାନ ମଧ୍ୟ ନିଜ ପ୍ରସ୍ତାବରେ ଅଟଳ ରହିଲା । ପରିଶେଷରେ ମେହେରଜାନ୍‌ର ପ୍ରାର୍ଥନା ମଞ୍ଜୁର ହେଲା ।

 

ନର୍ତ୍ତକୀ ମେହେରଜାନ୍ ହେଉଛି–ସେଇ ଦରିୟା ବିବି !

Image

 

ପ୍ରଭୁଭକ୍ତି

 

ଦସ୍ୟୁ ମାଣିକଲାଲ୍ ରାଣାଙ୍କ ନିକଟରୁ ବିଦାୟ ନେଇ ପ୍ରଥମେ ଗୁମ୍ଫା ଆଡ଼କୁ ଅଗ୍ରସର ହେଲା । ଦସ୍ୟୁତା ପ୍ରତି ତା’ ମନରେ ଆଉ ତିଳେ ହେଲେ ଆଗ୍ରହ ନଥିଲା; କେବଳ ଗୁମ୍ଫା ମଧ୍ୟରେ ତା’ର ବନ୍ଧୁମାନେ ବଞ୍ଚିଛନ୍ତି କି ନା, ତା’ ଦେଖିବାଲାଗି ସେ ଗୁମ୍ଫା ମଧ୍ୟରେ ପ୍ରବେଶ କଲା । ଯଦି ତାଙ୍କ ମଧ୍ୟରୁ କେହି ବଞ୍ଚିଥାଆନ୍ତି; ତା’ହେଲେ ତାଙ୍କର ସେବାଶୁଶ୍ରୂଷା କରିବା ଲାଗି ତା’ ମନରେ ପ୍ରବଳ ଇଚ୍ଛା ଜାଗିଉଠିଲା ।

 

ସେ ଲକ୍ଷ୍ୟ କଲା–ଦୁଇଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇ କେଉଁଆଡ଼େ ପଳାଇଯାଇଛି । ମାଣିକଲାଲ୍‍ ବିଷଣ୍ଣମନରେ ବନ ମଧ୍ୟରୁ କିଛି କାଠ ସଂଗ୍ରହ କରି ଆଣି ଦୁଇଟା ଚିତା ପ୍ରସ୍ତୁତ କଲା ଏବଂ ଗୁହା ମଧ୍ୟରୁ ଝକ୍‌ମକି ଆଣି ପଥର ଓ ଲୁହା ଘଷି, ନିଆଁ ଜଳାଇଲା । ଶବ ଦୁଇଟିକୁ ଚିତା ଉପରେ ଶୁଆଇ ବନ୍ଧୁମାନଙ୍କ ଦାହ ସଂସ୍କାର ଶେଷ କରି ସେ ସ୍ଥାନ ଛାଡ଼ି ଆଗେଇଗଲା । ହଠାତ୍ ତା’ର ମନେପଡ଼ିଲା–“ଯେଉଁ ବ୍ରାହ୍ମଣଙ୍କୁ ବାନ୍ଧିଦେଇ ଆସିଥିଲି, ତାଙ୍କର ଅବସ୍ଥା କ’ଣ ?” ତେଣୁ ସେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ଦେଖିଲା–ବ୍ରାହ୍ମଣ ସେଠାରେ ନାହାନ୍ତି । ସେ ସେହିଠାରେ ଛିଡ଼ାହୋଇ ଲକ୍ଷ୍ୟ କଲା–ସ୍ୱଚ୍ଛସଲିଳା ଗିରିନଦୀର ଜଳ ସ୍ଥାନେ ସ୍ଥାନେ ପଙ୍କିଳ ଦେଖାଯାଉଛି ଏବଂ ଅନେକ ସ୍ଥାନରେ ବୃକ୍ଷଲତାଗୁଡ଼ିକରୁ ପତ୍ର ଛିନ୍ନଭିନ୍ନ ହୋଇ ତଳେ ପଡ଼ିଛି । ଏହି ସବୁ ଚିହ୍ନ ଦେଖି ସେ ମନେମନେ ସ୍ଥିର କରିନେଲା–ନିଶ୍ଚୟ ଏହି ସ୍ଥାନକୁ ଅନେକ ଲୋକ ଆସିଥିଲେ । ତା’ପରେ ସେ ଆହୁରି ନିରୀକ୍ଷଣ କରି ଦେଖିଲା–ପର୍ବତର କଙ୍କରିଳ ଭୂମିରେ ଅଶ୍ଵମାନଙ୍କର ପଦଚିହ୍ନ ସୁସ୍ପଷ୍ଟ ଦେଖାଯାଉଛି । ସେ ଅନେକ ସମୟ ପର୍ଯ୍ୟନ୍ତ ଅଶ୍ଵମାନଙ୍କର ଖୁରାଚିହ୍ନଗୁଡ଼ିକୁ ନିରୀକ୍ଷଣ କରିବା ପରେ ଶେଷରେ ନିଶ୍ଚିତ ଭାବରେ ଜାଣିଲା ଯେ, କିଛି ସମୟ ପୂର୍ବରୁ ଅନେକ ଅଶ୍ଵାରୋହୀ ଏହି ମାର୍ଗରେ ଅତିକ୍ରମ କରିଛନ୍ତି !

 

ତା’ପରେ ଚତୁର ମାଣିକଲାଲ୍‍ ଆହୁରି ମଧ୍ୟ ଲକ୍ଷ୍ୟକଲା ଯେ, କେତେକ ଅଶ୍ଵାରୋହୀ ଦକ୍ଷିଣ ଆଡ଼କୁ ଓ ଆଉ କେତେକ ଉତ୍ତର ଆଡ଼କୁ ଅଗ୍ରସର ହୋଇଛନ୍ତି । ସେ ଆଉ ମଧ୍ୟ ଦେଖିପାରିଲା–ଦକ୍ଷିଣାଭିମୁଖୀ ଅଶ୍ଵାରୋହୀ କିଛିଦୂର ଅଗ୍ରସର ହେବା ପରେ ପୁଣି ଉତ୍ତରଆଡ଼କୁ ଫେରିଆସିଛନ୍ତି ।

ଏହି ସବୁ ବିଷୟ ଭଲଭାବରେ ହୃଦୟଙ୍ଗମ କରି ମାଣିକଲାଲ୍ ଦୁଇ ତିନିକୋଶ ଦୂରରେ ଥିବା ତା’ ଘରେ ଯାଇ ପହଞ୍ଚିଲା । ସେଠାରେ ଭୋଜନ ପ୍ରସ୍ତୁତ କରି କନ୍ୟାଟିକୁ ଖୁଆଇ ନିଜେ ମଧ୍ୟ ଭୋଜନ ଶେଷକଲା । ତା’ପରେ ଘରେ ଚାବିଦେଇ କନ୍ୟାଟିକୁ କାଖରେ ଧରି ଆଗେଇଚାଲିଲା ।

 

ମାଣିକଲାଲ୍‌ର ଆତ୍ମୀୟ ବୋଲି କେହି ନଥିଲେ, କେବଳ ଗୋଟିଏ ପିଉସୀ ନଣନ୍ଦର ଖଡ଼ୁତା ଝିଅ ଥିଲା । ସୌଜନ୍ୟବଶତଃ ହେଉ କିମ୍ବା ଆତ୍ମୀୟତାର ସଉକ ମେଣ୍ଟାଇବା ପାଇଁ ହେଉ, ମାଣିକଲାଲ୍‍ ସେହି ସ୍ତ୍ରୀଲୋକଟିକୁ ପିଉସୀ ବୋଲି ଡାକୁଥିଲା । ସେ କନ୍ୟାଟିକୁ ଧରି ସେହି ପିଉସୀଙ୍କ ଘରେ ପହଞ୍ଚି ଦୁଆରେ ହାତମାରି ଡାକିଲା–‘‘ପିଉସୀ ମା !”

 

ପିଉସୀ ବୁଢ଼ୀ ପୁତୁରାର ପାଟି ବାରିପାରି ଧାଇଁଆସିବା ସଙ୍ଗେ ସଙ୍ଗେ କହିଲା–‘‘କିଏରେ, ମାଣିକଲାଲ୍‍ ?”

 

“ମୋ ଝିଅଟିକୁ ତୋ ପାଖରେ ରଖିପାରିବୁ ମା’ ?”

 

“କେତେଦିନ ଲାଗିରେ ପୁଅ ?”

 

“ଏଇ ଚାରି ଛ’ ମାସ ଲାଗି... । “

 

“ଏ କି କଥା କହୁଛୁ ପୁଅ ? ମୁଁ ରାଣ୍ଡୀଖଣ୍ଡି ଲୋକ, ତୋ’ ଝିଅକୁ ଖୁଆଇବି କ’ଣ ?”

 

“କ’ଣ କହୁଛୁ ପିଉସୀ ମା’ ! ତୁ ଗୋଟେ ଗରିବ କାହିଁକି ହେବୁ ଯେ ? ଏଇ ଟିକି ନାତୁଣୀଟିକୁ ଦି’ମାସ ଖାଇବାକୁ ଦେଇପାରିବୁନି ?”

 

“ଦି’ ଦି’ ମାସ କ’ଣ ମାଗଣାରେ କଟିଯିବ କିରେ ? ଅତି କମ୍‌ରେ ବାପା ଗୋଟେ ମୋହର ନ ହେଲେ ନ ଚଳେ ।”

 

“ହେଉ ଠିକ୍ ଅଛି; ମୁଁ ତୋତେ ଦୁଇଟି ମୋହର ଦେଉଛି, ତୁ ମୋ ଝିଅଟିକୁ ଦୁଇମାସ ପାଖରେ ରଖ । ମୁଁ ଉଦୟପୁର ରାଣାଙ୍କ ପାଖରେ ଗୋଟିଏ ବଡ଼ ଚାକିରି ପାଇଛି; ଶୀଘ୍ର ଯିବାକୁ ହେବ ।” ଏହା କହି ମାଣିକଲାଲ୍ ରାଣାଙ୍କଠାରୁ ପାଇଥିବା ମୋହର ମଧ୍ୟରୁ ଗୋଟିଏ ପିଉସୀମାଆ ହାତରେ ଧରାଇଦେଲା । ତା’ପରେ ଝିଅଟିକୁ ନେଇ ବୁଢ଼ୀ କୋଳରେ ବସାଇ କହିଲା–

 

“ଯା’ରେ ମା, ନାନୀମାଆ କୋଳରେ ବସ ।”

 

ପିଉସୀ ବୁଢ଼ୀ ମନକୁ ଲୋଭ ଘାରିବସିଲା । ସେ ମନେମନେ ଭାବିଲା–‘ଏଇ ମୋହର ଗୋଟିକରେ ପିଲାଟାର ବର୍ଷେ ଲାଗି ଖୋରାକ–ପୋଷାକ ହୋଇଯିବ । ମାଣିକଲାଲ୍‍ ମାତ୍ର ଦୁଇମାସ ଲାଗି କହୁଛି । ନିଶ୍ଚିତ ଭାବରେ ମୋର କିଛି ଲାଭ ହେଉଛି । ତା’ପରେ ମାଣିକଲାଲ୍‍ ଗୋଟେ ବଡ଼ ଚାକିରି ପାଇଲେ ବଡ଼ଲୋକ ହୋଇଯିବ । ସେତେବେଳେ କ’ଣ ମୋତେ କିଛି ଦେବନାହିଁ କି ? ଯା’ ହେଉ, ଲୋକଟା ହାତରେ ଥିବା ଭଲ । ‘

 

ବୁଢ଼ୀ ମୋହରଟିକୁ ପିନ୍ଧାକାନିରେ ସାତଗଣ୍ଠିଦେଇ ବାନ୍ଧି ସାରି କହିଲା–‘‘ତୁ ବେଫିକର ହୋଇ ଯା’ ପୁଅ, ତୋ ଛୁଆଟିକୁ ମାସ ଦି’ଟା ରଖି ମଣିଷକରିବା କି ବଡ଼ ଭାରି କାମଟେ ଯେ ? ଆଃ... ଆ’ ଲୋ ଝିଅ, ଆଃ...ମୋ ସୁନାଟା ପରା ।” ଏହା କହି ପିଉସୀ ବୁଢ଼ୀ ଆଦରରେ ଝିଅଟିକୁ କାଖେଇନେଲା ।

 

ନିଜ ଝିଅ ସମ୍ବନ୍ଧରେ ସୁବନ୍ଦୋବସ୍ତ କରିଦେଇ ନିଶ୍ଚିନ୍ତ ମନରେ ମାଣିକଲାଲ୍‍ ଗ୍ରାମରୁ ବାହାରି ରୂପନଗର ଯିବା ଇଚ୍ଛାରେ ପାର୍ବତ୍ୟମାର୍ଗ ଅନୁସରଣ କଲା ।

 

ମାଣିକଲାଲ୍‍ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପୁଣି ଥରେ ଅଶ୍ଵମାନଙ୍କ ଖୁରାଚିହ୍ନ ନିରୀକ୍ଷଣ କରି ମନେ ମନେ ବିଚାର କଲା–‘ଏଠାକୁ ଏତେଗୁଡ଼ିଏ ଅଶ୍ଵ ଆସିବାର କାରଣ କ’ଣ ? ମୁଁ ରାଣାଙ୍କୁ ଏଠାରେ ଏକୁଟିଆ ଥିବାର ଦେଖିଥିଲି; କିନ୍ତୁ ଉଦୟପୁରରୁ ଏକାକୀ ଏତେ ଦୂର ରାଣାଙ୍କର ଆଗମନ ସମ୍ଭବ ନୁହେଁ । ତେଣୁ ସେମାନେ ନିଶ୍ଚୟ ରାଣାଙ୍କ ଦଳର ଅଶ୍ଵାରୋହୀ । ବୋଧହୁଏ ସେମାନେ ଶିକାର ଉଦ୍ଦେଶ୍ୟରେ ରାଣାଙ୍କ ସହିତ ଆସିଥିବେ; କିନ୍ତୁ ସେମାନେ ଆଉ ଉଦୟପୁର ଫେରିଯାଇନାହାନ୍ତି । ସେମାନଙ୍କର ଗତି ଉତ୍ତର ଆଡ଼କୁ ଖୁବ୍ ସମ୍ଭବତଃ ଚଞ୍ଚଲ୍‍କୁମାରୀର ପତ୍ର ପାଇବା ପରେ ରାଣା ରୂପନଗର ଯାଇ କୁମାରୀକୁ ରକ୍ଷା କରିବାର ଦାୟିତ୍ଵ ଗ୍ରହଣ କଲେ । ଯଦି ସେ ଏହା କରିନଥା’ନ୍ତି ତା’ହେଲେ ଆଉ ସେ ରାଜପୁତ୍‌ କୁଳଶ୍ରେଷ୍ଠ ହେବେ କାହିଁକି ? ମୁଁ ତାଙ୍କ ଶ୍ରୀଚରଣତଳ ଭୃତ୍ୟ ହେବାର ଶପଥ ନେଇଛି; ତେଣୁ ତାଙ୍କର ଅନୁଗମନ କରିବା ମୋର ଧର୍ମ । କିନ୍ତୁ ସେ ଅଶ୍ଵାରୋହଣ କରି ଯାଇଛନ୍ତି; ମୁଁ ପାଦରେ ଚାଲି ଚାଲି ଯିବି କିପରି ? ତଥାପି ପାର୍ବତ୍ୟ ମାର୍ଗରେ ଅଶ୍ଵମାନେ ଦ୍ରୁତବେଗରେ ଯାଇପାରନ୍ତି ନାହିଁ; ମୁଁ ପଦବ୍ରଜରେ ଚାଲିବାରେ ବେଶ୍ ଦକ୍ଷ । ’

 

ମାଣିକଲାଲ୍‍ ଦିନରାତି ଦ୍ରୁତବେଗରେ ଚାଲି ଚାଲି ରୂପନଗରରେ ଉପସ୍ଥିତ ହେଲା । ସେଠାରେ ପହଞ୍ଚି ଦେଖିଲା, ଦୁଇ ହଜାର ମୋଗଲ୍ ସୈନ୍ୟ ଶିବିର ପକାଇ ରହିଛନ୍ତି ଏବଂ ପରଦିନ ସେମାନେ ରାଜକୁମାରୀକୁ ନେଇ ଦିଲ୍ଲୀ ଫେରିଯିବେ; କିନ୍ତୁ ସେଠାରେ ରାଜପୁତ୍ ସୈନ୍ୟଙ୍କର ସନ୍ଧାନ ସେ ପାଇପାରିଲାନାହିଁ ।

 

ମାଣିକଲାଲ୍‍ ଥିଲା ଦସ୍ୟୁଦଳର ଜଣେ ସୁଚତୁର ସେନାପତି । ତେଣୁ ରାଜପୁତ୍ ସୈନ୍ୟ ସନ୍ଧାନ ନପାଇ ସେ ଆଦୌ ଦୁଃଖିତ ହେଲାନାହିଁ; ବରଂ ମନେ ମନେ ଭାବିଲା–ମୋଗଲମାନେ କୌଣସିମତେ ଜୟଯୁକ୍ତ ହୋଇପାରିବେ ନାହିଁ । ତେଣୁ ସେ ରାଣାଙ୍କର ସନ୍ଧାନ ନେବା ଲାଗି ରୂପନଗରରୁ ବାହାରିପଡ଼ିଲା । କିଛିଦୂର ଅଗ୍ରସର ହେବାପରେ ସେ ଜଣେ ନଗରବାସୀଙ୍କୁ କହିଲା–‘‘ଭାଇ, ମୋତେ ଦିଲ୍ଲୀ ଯିବା ମାର୍ଗ ଦେଖାଇଦେବ ? ମୁଁ ତୁମକୁ ମନଲାଖି ପୁରସ୍କାର ଦେବି ।”

 

ନାଗରିକ ମାଣିକଲାଲ୍‍ କଥାରେ ସମ୍ମତ ହୋଇ କିଛିଦୂର ଅଗ୍ରସର ହୋଇ ଦିଲ୍ଲୀ ଯିବା ବାଟ ଦେଖାଇଦେଇ ଫେରିଆସିଲା । ମାଣିକଲାଲ୍‍ ସେ ଲୋକଟିକୁ ସମୁଚିତ ପୁରସ୍କାର ଦେଇ, ମାର୍ଗରେ ପ୍ରତ୍ୟେକ ସ୍ଥଳକୁ ସତର୍କତାର ସହିତ ନିରୀକ୍ଷଣ କରି ଅଗ୍ରସର ହେଲା । ରାଜପୁତ୍ ସୈନ୍ୟମାନେ ଦିଲ୍ଲୀମାର୍ଗରେ ନିଶ୍ଚୟ କୌଣସି ସ୍ଥାନରେ ଲୁଚିଛପି ରହିଥିବେ ବୋଲି ମାଣିକଲାଲ୍‍ର ଧାରଣା ହୋଇଥିଲା; କିନ୍ତୁ ଅନେକ ଦୂର ଅତିକ୍ରମ କଲା ପରେ ମଧ୍ୟ ସେ ରାଜପୁତ୍‌ଦଳର କୌଣସି ସନ୍ଧାନ ପାଇଲା ନାହିଁ । ତଥାପି ସେ ନିରାଶ ନ ହୋଇ କେତେ ଦୂର ମାର୍ଗ ସତର୍କତାର ସହିତ ଅତିକ୍ରମ କଲା । ହଠାତ୍ ଗୋଟିଏ ସ୍ଥାନରେ ଆସି ମାଣିକଲାଲ୍‍ ପହଞ୍ଚିଗଲା । ମାର୍ଗ ଅତି ସଂକୀର୍ଣ୍ଣ, ଦୁଇପାଖରେ ଦୁଇଟି ପାହାଡ଼ ପ୍ରାୟ ଅଧକୋଶେ ହେବ ସମାନ୍ତରାଳ ଭାବରେ ମୁଣ୍ଡଟେକି ଛିଡ଼ାହୋଇଛି । ଦକ୍ଷିଣ ପାଖର ପାହାଡ଼ଟି ଅତି ଉଚ୍ଚ ଏବଂ ଆଦୌ ଆରୋହଣଯୋଗ୍ୟ ନୁହେ । ପାହାଡ଼ର ଶିଖରଦେଶ ସଂକୀର୍ଣ୍ଣ ମାର୍ଗ ଉପରେ ଝୁଲି ପଡ଼ିଥିବା ପରି ଦେଖାଯାଉଛି; କିନ୍ତୁ ବାମପାଖର ପାହାଡ଼ଟି ଧୀରେ ଧୀରେ ଉପରକୁ ଉଠିଲା ପରି ଦେଖାଯାଉଛି । ତେଣୁ ଉପରକୁ ଉଠିବାର ଅସୁବିଧା ନାହିଁ ଏବଂ ପର୍ବତଟି ମଧ୍ୟ ବେଶି ଉଚ୍ଚ ନୁହେଁ । ବାମପଟ ପାହାଡ଼ରେ ଗୋଟିଏ ସୁଡ଼ଙ୍ଗ ମାର୍ଗ ରହିଥିବାର ସ୍ପଷ୍ଟ ଦେଖାଯାଉଛି ।

 

ଉଭୟ ପାହାଡ଼ର ସଂକୀର୍ଣ୍ଣ ମାର୍ଗ ଦେଖି ମାଣିକଲାଲ୍‍ ମନେ ମନେ ଭାବିଲେ–‘ଯଦି ମହାରାଣା ଆସିଥାଆନ୍ତି, ତା’ହେଲେ ନିଶ୍ଚୟ ଏହି ସ୍ଥାନରେ ଥିବେ । ମୋଗଲମାନେ ଏହି ମାର୍ଗ ଦେଇ ଯିବାବେଳେ ରାଜପୁତ୍‌ମାନେ ପାହାଡ଼ ଉପରୁ ପ୍ରଚଣ୍ଡବେଗରେ ଆକ୍ରମଣ କରିବେ । ଦକ୍ଷିଣପଟ ପାହାଡ଼ଟି ଚଢ଼ିବା ଓ ଓହ୍ଲାଇବାରେ ନିତାନ୍ତ ଅନୁପଯୁକ୍ତ ହୋଇଥିବାରୁ ରାଜପୁତ୍‍ମାନେ ସେଠାରେ କେବେହେଲେ ନଥିବେ । ତେଣୁ ବାମପଟ ପାହାଡ଼ରେ ସେମାନଙ୍କ ସନ୍ଧାନ ନିଶ୍ଚୟ ମିଳିବ । ସେତେବେଳକୁ ସନ୍ଧ୍ୟା ଆଗତ ପ୍ରାୟ । ମାଣିକଲାଲ୍‍ ନିଜ ଚିନ୍ତା ଅନୁସାରେ ବାମପଟ ପାହାଡ଼ ଉପରକୁ ଉଠିଗଲା ।

 

କେତେଦୂର ଅତିକ୍ରମ କଲାପରେ ମଧ୍ୟ ସେ କାହାରି ସନ୍ଧାନ ପାଇଲାନାହିଁ । ତା’ପରେ ସେ ଖୁବ୍ ସତର୍କତାର ସହିତ ନିରୀକ୍ଷଣ କରି ଆଉ କେତେଦୂର ଅଗ୍ରସର ହେଲା । ହଠାତ୍ ତାର ମନରେ ଗୋଟିଏ ସନ୍ଦେହ ଉଙ୍କିମାରିଲା । ସେ ମନେ ମନେ ଭାବିଲା–ରାଣାଙ୍କ ବ୍ୟତୀତ ମୋତେ ଆଉ କେହି ଚିହ୍ନିନାହାନ୍ତି । ମୋଗଲଙ୍କ ଗୁପ୍ତଚର ବୋଲି ମନେକରି ଲୁଚିଥିବା କୌଣସି ସୈନ୍ୟ ମୋତେ ମାରିଦେଇପାରେ । ତେଣୁ ସେ ପହଣ୍ଡଟିଏ ସୁଦ୍ଧା ଅଗ୍ରସର ନ ହୋଇ ସେହିଠାରେ ଛିଡ଼ାହୋଇ “ମହାରାଣାଙ୍କର ଜୟ” ଘୋଷଣା କଲା ।

 

ଜୟଘୋଷଣା ଶୁଣିବାମାତ୍ରେ ଚାରିପାଞ୍ଚଜଣ ଅସ୍ତ୍ରଧାରୀ ରାଜପୁତ୍ ଅଦୃଶ୍ୟ ସ୍ଥାନରୁ ହଠାତ୍ ବାହାରି ଆସି ମାଣିକଲାଲ୍‍କୁ ହତ୍ୟା କରିବା ଲାଗି ଉଦ୍ୟତ ହୋଇଗଲେ; କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ କହିଲା–‘‘ମାର ନାହିଁ... ।”

 

ମାଣିକଲାଲ୍‍ ଦେଖିଲା, ନିଜେ ରାଣା ଅନ୍ୟମାନଙ୍କୁ ନିଷେଧ କରି କହୁଛନ୍ତି–‘‘ ମାରନାହିଁ, ସେ ଆମର ନିଜ ପକ୍ଷର ଲୋକ ।”

 

ରାଣା ମାଣିକଲାଲ୍‍ ଗୋଟିଏ ନିଭୃତ ସ୍ଥାନରେ ବସାଇ ତା’ ପାଖରେ ବସିପଡ଼ି ପଚାରିଲେ–“ତୁମେ ଏଠାକୁ ଆସିଲ କାହିଁକି ?”

 

ମାଣିକଲାଲ୍‍ ହଠାତ୍ ଉତ୍ତର ଦେଲା–“ପ୍ରଭୁ ଯେଉଁଠି, ଭୃତ୍ୟ ସେଇଠାରେ ହିଁ ରହିବ । ବିଶେଷତଃ ଆପଣ ଗୋଟିଏ ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତ ହୋଇଥିବାରୁ, କାଳେ ଭୃତ୍ୟ କିଛି ଟିକିଏ ସାହାଯ୍ୟ କରିପାରିବ, ସେଇ ଭରସାରେ ମୁଁ ଧାଇଁଆସିଛି । ମୋଗଲମାନେ ଦୁଇହଜାର, ମହାରାଜାଙ୍କ ସଙ୍ଗରେ ମାତ୍ର ଶହେ ଜଣ ରାଜପୁତ୍ । ସେପରି ଅବସ୍ଥାରେ ମୁଁ କିପରି ନିଶ୍ଚିନ୍ତ ରହିପାରିବି ? ଆପଣ ମୋତେ ଜୀବନଦାନ କରିଛନ୍ତି; ଦିନକ ମଧ୍ୟରେ ମୁଁ କ’ଣ ତାହା ଭୁଲିଯିବି-?”

 

ରାଣା କୌତୂହଳୀ ହୋଇ ପ୍ରଶ୍ନ କଲେ–“ମୁଁ ଏଠାକୁ ଆସିଛି ବୋଲି ତୁମେ କିପରି ଜାଣିଲ ?

 

ତହୁଁ ମାଣିକଲାଲ୍‍ ମୂଳରୁ ଶେଷଯାଏ ସମସ୍ତ ଘଟଣା ରାଜସିଂହଙ୍କ ଆଗରେ ବର୍ଣ୍ଣନା କରିଗଲା । ରାଣା ମାଣିକଲାଲ୍‍ ବୁଦ୍ଧିମତ୍ତାର ପ୍ରଶଂସାକରି କହିଲେ–“ବେଶ୍ ଭଲ କରିଛ । ତୁମପରି ଜଣେ ସୁଚତୁର ଲୋକକୁ ମୁଁ ଖୋଜୁଥିଲି । ମୁଁ ଯାହା କହିବି, କରିପାରିବ ?”

 

“ମନୁଷ୍ୟପକ୍ଷରେ ଯାହା ସମ୍ଭବ, ମୁଁ ତାହା ନିଶ୍ଚୟ କରିପାରିବି ।” ଉତ୍ତର ଦେଲା–ମାଣିକଲାଲ୍‍ ।

 

ରାଣା ଟିକିଏ ଚିନ୍ତା କରି କହିଲେ–“ଆମେ ମାତ୍ର ଶହେ ଜଣ ଯୋଦ୍ଧା; କିନ୍ତୁ ମୋଗଲମାନଙ୍କ ସଂଖ୍ୟା ଦୁଇହଜାର । ଆମେମାନେ ଯୁଦ୍ଧ କରି ପ୍ରାଣବଳି ଦେଇପାରୁ; ମାତ୍ର ବିଜୟ ହାସଲ କରିପାରିବୁ ନାହିଁ । ଯୁଦ୍ଧଦ୍ୱାରା ରାଜକନ୍ୟାର ଉଦ୍ଧାର ସମ୍ଭବ ନୁହେ । ପ୍ରଥମେ ରାଜକନ୍ୟାଙ୍କୁ ବଞ୍ଚାଇ, ପରେ ଯୁଦ୍ଧ କରିବା ଉଚିତ ହେବ । ଯୁଦ୍ଧକ୍ଷେତ୍ରରେ ରାଜକନ୍ୟା ରହିଲେ ସେ ଆହତ ହୋଇପାରନ୍ତି । ତେଣୁ ତାଙ୍କର ସୁରକ୍ଷା ପ୍ରଥମେ ଆବଶ୍ୟକ ।”

 

ରାଣାଙ୍କ ଆଲୋଚନାର ସାରମର୍ମ ଜାଣିବା ଲାଗି ମାଣିକଲାଲ୍‍ ବ୍ୟଗ୍ର ହୋଇ ପଚାରିଲା–“ମୁଁ ଅତ୍ୟନ୍ତ କ୍ଷୁଦ୍ର, ଆପଣଙ୍କ ଆଲୋଚନାରୁ ମୁଁ କିଛିହେଲେ ଧାର ଧାରୁନାହିଁ । ମୋତେ କ’ଣ କରିବାକୁ ହେବ, ଆପଣ ସେଇତକ ଆଜ୍ଞା କରନ୍ତୁ ।”

 

ରାଣା ଆଉ ଟିକିଏ ଚିନ୍ତା କରି କହିଲେ–“ମୋଗଲସୈନ୍ୟଙ୍କ ବେଶରେ ତୁମେ କାଲି ସେମାନଙ୍କ ସଙ୍ଗରେ ଆସ । ହଁ, ଦେଖ ତୁମକୁ ରାଜକୁମାରୀଙ୍କ ଶିବିକାର ପାଖେ ପାଖେ ରହିବାକୁ ହେବ ଏବଂ ମୁଁ ଯାହା ଯାହା କହୁଛି ସେହି ଅନୁସାରେ ତମକୁ କାର୍ଯ୍ୟ କରିବାକୁ ହେବ ।” ଏହା କହି ମାଣିକଲାଲ୍‍ର କାନପାଖକୁ ମୁହଁ ନେଇ ରାଣା କେତେକ ଉପଦେଶ ଦେଲେ । ସବୁ ଶୁଣିସାରି କହିଲା ମାଣିକଲାଲ୍‍–“ମହାରାଜାଙ୍କର ଜୟ ହେଉ ! ମୁଁ ନିଶ୍ଚୟ କାର୍ଯ୍ୟସିଦ୍ଧି କରିପାରିବି । ତେଣୁ ଅନୁଗ୍ରହ କରି ମୋତେ ଗୋଟିଏ ଘୋଡ଼ା ମିଳିବାକୁ ଆଜ୍ଞାହେଉ ।”

 

ଦେଖ ମାଣିକଲାଲ୍‍, ଆମେମାନେ ଶହେଜଣ ଯୋଦ୍ଧା ଏବଂ ଆମ ପାଖରେ ଠିକ୍ ଶହେଟି ଘୋଡ଼ା ରହିଛି । ଅଧିକ ଘୋଡ଼ା ଥିଲେ ସିନା ମୁଁ ତୁମକୁ ଦେଇ ପାରିବି ! ଆଉ କାହାକୁ ବା’ କହିବି ଘୋଡ଼ା ଦେବାକୁ ? ଯଦି ତୁମର ଘୋଡ଼ା ନିମନ୍ତେ ପ୍ରୟୋଜନ, ତା’ ହେଲେ ମୋ ଘୋଡ଼ାଟିକୁ ନେଇପାର !”

 

“ଅସମ୍ଭବ ! ପ୍ରାଣ ଥିବାଯାଏ ଏହା କରିପାରିବି ନାହିଁ । ହେଉ, ମୋତେ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଦିଅନ୍ତୁ ।”

 

“ଏ ଘୋର ଜଙ୍ଗଲ ମଧ୍ୟରେ ଅସ୍ତ୍ରଶସ୍ତ୍ର ଆଣିବି କେଉଁଠୁ ? ଯେତିକି ଅସ୍ତ୍ରଶସ୍ତ୍ର ଆମ ପାଖରେ ଅଛି, ତାହା ଆମ ପକ୍ଷରେ ଯଥେଷ୍ଟ ନୁହେ ! କେଉଁ ଯୋଦ୍ଧାକୁ ନିରସ୍ତ୍ର କରି ତୁମକୁ ଅସ୍ତ୍ର ଦେବି କୁହ ! କେବଳ ମୁଁ ମୋର ଅସ୍ତ୍ରଶସ୍ତ୍ର ତୁମକୁ ଦେଇପାରେ ।”

 

“ତାହା କେବେହେଲେ ହୋଇପାରିବ ନାହିଁ । ଅନ୍ତତଃ ପକ୍ଷେ ମୋତେ ସୈନ୍ୟର ପୋଷାକ ଗୋଟିଏ ଦିଅନ୍ତୁ ।”

 

“ତାହା ମଧ୍ୟ ଅସମ୍ଭବ ! ଆମ୍ଭେମାନେ ଯେତିକି ପିନ୍ଧିଛୁ, ସେତିକି ପୋଷାକ ଆମ ପାଖରେ ଅଛି ! ପ୍ରକୃତରେ ମୁଁ ତୁମକୁ କିଛି ଦେଇପାରିବି ନାହିଁ ।” –ନାସ୍ତି ବାଣୀ ଶୁଣାଇ କହିଲେ ରାଜସିଂହ ।

 

ଠିକ୍ ଅଛି ମହାରାଜ ! ମୋତେ କେବଳ ଅନୁମତି ଦିଅନ୍ତୁ; ମୁଁ ଯେକୌଣସିମତେ ସବୁକିଛି ସଂଗ୍ରହ କରିନେବି ।”

 

ରାଣା ରାଜସିଂହ ଟିକିଏ ହସିଦେଇ କହିଲେ–‘‘ତା’ହେଲେ କ’ଣ ପୁଣି ଚୋରି କରିବ ?”

 

ମାଣିକଲାଲ୍‍ ଜିଭ କାମୁଡ଼ି ପକାଇ ତଳକୁ ମୁହଁ ପୋତି କହିଲା–‘‘ମୁଁ ଶପଥ କରିଛି, ଆଉ ସେ ହୀନ କାର୍ଯ୍ୟ କରିବିନାହିଁ ।”

 

“ତା’ହେଲେ... ?” ପ୍ରଶ୍ନସୂଚକ ଦୃଷ୍ଟିରେ ଚାହିଁଲେ ରାଜସିଂହ ।

 

“ଚାଲାଖି କରି ସବୁକିଛି ସଂଗ୍ରହ କରିନେବି ।”

 

ରାଣାଙ୍କ ମୁଖମଣ୍ଡଳରେ ହାସ୍ୟର ଛଟା ଖେଳିଗଲା । ସେ ଦୃଢ଼ସ୍ଵରରେ କହିଲେ, “ଏହି ଯୁଦ୍ଧ ଅବସରରେ ଆମ୍ଭେମାନେ ସମସ୍ତେ ଚୋର, ସମସ୍ତେ ଠକ ! ମୁଁ ମଧ୍ୟ ବାଦଶାହଙ୍କ ବେଗମଙ୍କୁ ଚୋରି କରିବା ଲାଗି ଆସିଛି; ଚୋରଙ୍କ ପରି ଲୁଚିଛପି ରହିଛି ! ତୁମେ ଯେମିତି ପାରୁଛ, ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରିନିଅ ।”

 

ମାଣିକଲାଲ୍‍ ପ୍ରଭୁଙ୍କ ଆଜ୍ଞା ପାଇ ପ୍ରଣାମ ଜଣାଇ ହସହସ ମୁହଁରେ ସେଠାରୁ ପ୍ରସ୍ଥାନ କରିଗଲା ।

Image

 

ରସିକା ପାନବାଲୀ

 

ମାଣିକଲାଲ୍‍ ସଙ୍ଗେ ସଙ୍ଗେ ରୂପନଗର ଫେରିଆସିଲା । ସେତେବେଳକୁ ସଞ୍ଜବେଳ ଗଡ଼ିଗଲାଣି । ରୂପନଗରର ସୌନ୍ଦର୍ଯ୍ୟପୂର୍ଣ୍ଣ ବଜାର ଦେଖି ମାଣିକଲାଲ୍‍ ମନେମନେ ଆନନ୍ଦିତ ହେଲା । ବଜାରର ଆଲୋକମାଳା ସାଜସଜ୍ଜାକୁ ଦ୍ଵିଗୁଣ ବଢ଼ାଇଦେଇଥାଏ । ନାନାପ୍ରକାର ସୁମିଷ୍ଟ ଖାଦ୍ୟଦ୍ରବ୍ୟର ସୁଗନ୍ଧରେ ମାଣିକଲାଲ୍‍ର ପାଟିରୁ ଲାଳ ଗଡ଼ିପଡ଼ିଲା ଏବଂ ଫୁଲ ଓ ଫୁଲମାଳାର ସୁଗନ୍ଧ ତା’ର ଘ୍ରାଣେନ୍ଦ୍ରିୟକୁ ଅମାନିଆ କରିଦେଲା । କେବଳ ଅଶ୍ଵ, ଅସ୍ତ୍ରଶସ୍ତ୍ର ଓ ପୋଷାକ–ପରିଚ୍ଛଦ ସଂଗ୍ରହ କରିବା ମାଣିକଲାଲ୍‍ର ଏକମାତ୍ର ଅଭିପ୍ରାୟ ଥିଲେ ମଧ୍ୟ ସେ ନିଜର ଉଦରକୁ ଅଧିକ ପୀଡ଼ାଦେବାକୁ ଚାହୁଁ ନଥିଲା; ତେଣୁ ସେ ପ୍ରଥମେ ଯାଇ କିଛି ମିଠାଇ କିଣିଆଣି ଖାଇବାକୁ ଆରମ୍ଭ କଲା । ପ୍ରାୟ ପାଞ୍ଚ ଛଅ ସେର ମିଠାଇ ଖାଇଦେଇ ମାଣିକଲାଲ୍‍ ସେରେ ଦୁଇ ସେର ପାଣି ଢକଢ଼କ କରି ପିଇଦେଲା । ଶେଷରେ ଦୋକାନୀକୁ ମିଠାଇର ମୂଲ୍ୟ ଦେଇ ସେ ପାନଦୋକାନ ଆଡ଼କୁ ଅଗ୍ରସର ହେଲା ।

 

ଗୋଟିଏ ପାନଦୋକାନ ପାଖରେ ବେଶ୍ ଭିଡ଼ ଜମିଥାଏ, ଦୋକାନର ସାଜସଜ୍ଜା ବିଶେଷତଃ ଝାଡ଼ବତିର ଆଲୋକମାଳା ଦେଖି ମାଣିକଲାଲ୍‍ର ଗୋଡ଼ ଆପଣାଛାଏଁ ସେଇ ଆଡ଼କୁ ଟାଣି ହୋଇଗଲା । ସେ ଦୋକାନ ପାଖରେ ପହଞ୍ଚି ଦେଖିଲା–ଦୋକାନରେ ନାନାରଙ୍ଗର ବିଭିନ୍ନ ଚିତ୍ର ଝୁଲାଯାଇଛି । ସେଥିମଧ୍ୟରେ ବିଶେଷ କରି ଅଶ୍ଳୀଳ ଚିତ୍ରର ସଂଖ୍ୟା ବେଶି । ଠିକ୍ ଦୋକାନର ମଧ୍ୟଭାଗରେ ଗୋଟିଏ ନରମ ଗାଲିଚା ଉପରେ ବସିଛି ଦୋକାନର ମାଲିକାଣୀ ପାନବାଲୀ । ବୟସ ଖୁବ୍ କମ୍ ହୋଇ ନଥିଲେ ମଧ୍ୟ ତିରିଶ ବର୍ଷରୁ ବେଶି ହେବ ନାହିଁ । ବୟସ ସହିତ ତାଳଦେଇ ଚେହେରା ଖୁବ୍ ଆକର୍ଷଣ ହୋଇ ନଥିଲେ ବି, ଦେଖିବାକୁ ପାନବାଲୀ ଅସୁନ୍ଦରୀ ନୁହେଁ-। ଦେହର ବର୍ଣ୍ଣ ଚମ୍ପାଫୁଲପରି ତୋଫା ଗୋରା, ଆଖିଯୋଡ଼ିକ ଟିକିଏ ବଡ଼ ବଡ଼, ଚାହାଣି ଚଞ୍ଚଳ, ହସରୁ ଅମୀୟଧାର ଝରଝର ହୋଇ ଝରିପଡ଼ୁଛି । ସୁନ୍ଦର ଦାନ୍ତଗୁଡ଼ିକ ମଲ୍ଲୀକଢ଼ ପରି କଥା ମଝିରେ ବାରମ୍ବାର ଗ୍ରାହକଙ୍କ ମନ ଓଟାରି ନେଉଛି । ଦେହରେ ପିନ୍ଧିଥିବା ଅଳଙ୍କାରଗୁଡ଼ିକ ମଧ୍ୟରୁ ସବୁତକ ସୁନାରେ ତିଆରି ନ ହେଲେ ମଧ୍ୟ ଗଢ଼ଣ ବେଶ୍ ମନୋମୁଗ୍‌ଧକର । ମାଣିକଲାଲ୍‍ ପାନବାଲୀ ଓ ଦୋକାନକୁ ଭଲଭାବରେ ନିରୀକ୍ଷଣ କରି ପାନ ଲାଗି ବରାଦଦେଲା ।

 

ପାନବାଲୀ ନିଜେ ପାନ ତିଆରି କରେନାହିଁ; କେବଳ ପଇସା ଗୋଟାଇ ରଖେ; କିନ୍ତୁ ପାନ ସଜାଇ ଗ୍ରାହକଙ୍କ ଆଡ଼କୁ ବଢ଼ାଇଦିଏ ଗୋଟାଏ ଦାସୀ । ପାନବାଲୀ ରଙ୍ଗରସିଆ ହସମିଶା କଥା କେଇପଦ କହି ଗ୍ରାହକର ମନକୁ ରସାଇଦେଉଥାଏ ।

 

ମାଣିକଲାଲ୍‍ର ବରାଦ ଅନୁସାରେ ଦାସୀ ପାନଖିଲଟାଏ ବଢ଼ାଇଦେଲା । ମାଣିକଲାଲ୍‍ ପାନଖିଲର ଦୁଇଗୁଣ ଦାମ ପାନବାଲୀ ହାତକୁ ବଢ଼ାଇଦେବା ସଙ୍ଗେ ସଙ୍ଗେ ପୁଣି ପାନଖିଲ ପାଇଁ ବରାଦ ଦେଲା । ଦାସୀ ପାନତିଆରି କରିବା ମଧ୍ୟରେ ମାଣିକଲାଲ୍‍ ପାନବାଲୀ ସହିତ ହସିହସି ଦି’ଚାରିପଦ ରସରସିଆ କଥା ଯୋଡ଼ିଦେଲା । ହୁଏତ ପାନବାଲୀର ଚେହେରାକୁ ପ୍ରଥମେ ପ୍ରଶଂସା କଲେ ସେ ଖରାପ ଭାବିପାରେ; ତେଣୁ ସେ ତା’ର ଦୋକାନ, ଆଲୋକସଜ୍ଜା ଓ ପାନତିଆରିର ପ୍ରଶଂସା କରି କେଇପଦ କଥା ଛୁଟାଇଦେଲା । ମାଣିକଲାଲ୍‍ର ରସରସିଆ କଥାରେ ପାନବାଲୀର ମନ ଚହଲିଗଲା । ସେ ମିଠା ପାନଖିଲ ସହିତ ମନଚହଲା କଥା କେଇପଦର ବେପାର ଆରମ୍ଭ କରିଦେଲା । ମାଣିକଲାଲ୍‍ ଟିକିଏ ପରେ ଦୋକାନ ଉପରକୁ ଉଠିଯାଇ ପାନବାଲୀର ହୁକାଟିକୁ ଉଠାଇ ନେଇ ଟାଣିବାରେ ଲାଗିଲା । ମାଣିକଲାଲ୍‍ର ବରାଦମତେ ପାନଖିଲ ତିଆରି କରୁ କରୁ ଦୋକାନର ମସଲା ଶେଷ ହୋଇଗଲା । ଦାସୀ ସଙ୍ଗେ ସଙ୍ଗେ ଅନ୍ୟ ଦୋକାନରୁ ମସଲା ଆଣିବା ଲାଗି ଉଠିଗଲା । ସେଇ ଅବସରରେ ମାଣିକଲାଲ୍‍ ପାନବାଲୀକୁ ଆଉ ଟିକିଏ ତାରିଫ୍ କରି କହିଲା–“ତୁମେ ଯେପରି ସୁନ୍ଦରୀ, ଠିକ୍ ସେଇପରି ବୁଦ୍ଧିମତୀ । ମୁଁ ଠିକ୍ ତୁମରି ପରି ଗୋଟିଏ ଚତୁରୀ ସ୍ତ୍ରୀଲୋକକୁ ଅନେକଦିନ ହେଲା ଖୋଜୁଥିଲି । ଆଜି ସୌଭାଗ୍ୟକୁ ତୁମର ଭେଟ ହୋଇଗଲା । ହଁ ଶୁଣ, ମୋର ଗୋଟେ ଶତ୍ରୁ ଅଛି, ତାକୁ ଜବଦ୍ କରିବା ଲାଗି ମୁଁ ଆଜି ତୁମ ପାଖରେ ଅଳି କରୁଛି । ତୁମେ ଯଦି ମୋତେ ସାହାଯ୍ୟ କରିବ, ତୁମର ବକ୍‌ସିସ ହେଉଛି–ଗୋଟିଏ ଅସରପି । ଆଉ ଦେଖ; ତୁମକୁ ଯାହା ଯାହା କରିବାକୁ ହେବ ମୁଁ ବୁଝାଇଦେଉଛି ।”

 

ପାନବାଲୀ ପ୍ରଥମରୁ ଟିକିଏ ଚହଲିଯାଇଥିଲା । ସେ ମାଣିକଲାଲ୍‌ର ଅନୁରୋଧ ଶୁଣି ହସି ହସି କହିଲା–“ମୁଁ...ଏ’ ଗୋଟେ କଥା ? କୁହ, କ’ଣ କରିବାକୁ ହେବ... ?”

 

ମାଣିକଲାଲ୍‍ ପାନବାଲୀ ଆଡ଼କୁ ଟିକିଏ ଘୁଞ୍ଚିଯାଇ ଧୀରେ ଧୀରେ ସବୁକଥା ବୁଝାଇଦେଲା ।

 

ପାନବାଲୀ କମ୍ ରସିକା ନଥିଲା; ସେ ମାଣିକଲାଲ୍‍ କଥାରେ ସଙ୍ଗେ ସଙ୍ଗେ ରାଜି ହୋଇଯାଇ କହିଲା–“ମୋର ଅସରପି ଦରକାର ନାହିଁ; ରସରସିଆ କଥା କେଇପଦ ହିଁ ମୋର ପୁରସ୍କାର ।”

 

ମାଣିକଲାଲ୍‍ ଦୁଆତ କଲମ ଓ କାଗଜ ଦାସୀ ହାତରେ ମଗାଇ ଆଣି ପାନବାଲୀ ସହିତ ପରାମର୍ଶ କରି ଖଣ୍ଡିଏ ପତ୍ର ଲେଖିଲା–

 

“ହେ ମୋର ପ୍ରାଣପ୍ରିୟ !”

 

ତୁମେ ନଗର ଭ୍ରମଣରେ ଆସିଥିବାବେଳେ ମୁଁ ତୁମକୁ ଦେଖି ଅତିଶୟ ମୁଗ୍‌ଧ ହୋଇଯାଇଛି । ତୁମକୁ ଆଉ ଥରେ ନ ଦେଖିଲେ, ମୁଁ ଜୀବନଧାରଣ କରିପାରିବି ନାହିଁ । ଶୁଣୁଛି, ତୁମେମାନେ କାଲି ଚାଲିଯିବ । ତେଣୁ ଆଜି ନିଶ୍ଚୟ ଥରେ ମାତ୍ର ମୋତେ ଦର୍ଶନ ଦେବାକୁ ଅନୁଗ୍ରହ କରିବ; ନୋହିଲେ ମୁଁ ତଣ୍ଟିରେ ଛୁରୀ ଚଳାଇ ଆତ୍ମହତ୍ୟା କରିବି । ଯେଉଁ ବ୍ୟକ୍ତି ଏ ପତ୍ର ନେଇ ଯାଉଛି, ତାହାରି ସଙ୍ଗରେ ଆସିବ; ସେ ତୁମକୁ ବାଟ ଦେଖାଇ ମୋ ପୁରକୁ ଘେନି ଆସିବ ।”

 

ପତ୍ର ଉପରେ ଲେଖାଗଲା ‘ମହମ୍ମଦ ଖାଁ । ’ ପାନବାଲୀ ହସି ହସି ପଚାରିଲା–“ଏ’ ବ୍ୟକ୍ତି କିଏ ସେ ?”

 

“ଜଣେ ମୋଗଲ ଅଶ୍ଵାରୋହୀ ।’’ ଉତ୍ତରଦେଲା ମାଣିକଲାଲ୍‍ ।

 

ପ୍ରକୃତରେ ମାଣିକଲାଲ୍‍ ଜଣେ ହେଲେ ମୋଗଲ ସୈନ୍ୟଙ୍କୁ ଚିହ୍ନି ନଥିଲା । ସେ ମନେ ମନେ ଭାବିଲା–ଦୁଇ ହଜାର ମୋଗଲ ସୈନ୍ୟଙ୍କ ମଧ୍ୟରେ ‘ମହମ୍ମଦ’ ନାମଧାରୀ ଜଣେ ବ୍ୟକ୍ତି ନିଶ୍ଚୟ ଥିବ ! ଲେଖା ଶେଷକରି ମାଣିକଲାଲ୍‍ ପଚାରିଲା–‘‘ତାକୁ ଏଇଠିକି ନେଇଆସିବି ତ ?”

 

“ନା, ନା ! ଏ ଘରେ ଚଳିବ ନାହିଁ । ଆଉ ଗୋଟିଏ ଘର ସଜିଲ କରିବାକୁ ପଡ଼ିବ । ତହୁଁ ଦୁହେଁ ମିଶି ବଜାର ମଧ୍ୟରେ ଆଉ ଗୋଟିଏ ଘର ଭଡ଼ାରେ ଠିକ୍ କରିନେଲେ । ପାନବାଲୀ ମୋଗଲ୍ ସିପାହୀକୁ ଅଭ୍ୟର୍ଥନା କରିବା ଲାଗି ଘରଟିକୁ ସଜାସଜି କରିବାରେ ଲାଗିପଡ଼ିଲା ଏବଂ ମାଣିକଲାଲ୍‍ ମୋଗଲ ଶିବିର ଆଡ଼କୁ ଅଗ୍ରସର ହେଲା ।

 

ଶିବିର ମଧ୍ୟରେ ହଟ୍ଟଗୋଳର ସୀମା ନାହିଁ । ହୋ–ହଲ୍ଲା, ପାଟିତୁଣ୍ଡ, ଧା–ଦଉଡ଼ ଲାଗିଛି-। ଶାନ୍ତି ନାହିଁ, ଶୃଙ୍ଖଳା ନାହିଁ । ମଉଜ ମଜଲିସ ରଙ୍ଗରସର ଧୁମ୍ ଉଡ଼ୁଛି । ମାଣିକଲାଲ୍‍ ଜଣ ଜଣଙ୍କୁ ଭେଟି ମହମଦ ଖାଁଙ୍କ ନାମ ପଚାରେ; ମାତ୍ର ତା’ ପ୍ରଶ୍ନ ଶୁଣି କେହି ଆଦୌ କିଛି ଉତ୍ତର ନ ଦେଇ ମୁହଁ ମୋଡ଼ି ଚାଲିଯାଏ, ଆଉ କେହି ବା ଗାଳିଦେଇ ଆଗେଇଯାଏ । ଆଉ କେହି କହେ–“ଯାଃ ଯାଃ, ଖୋଜି ବାହାର କର, ଆମେ ଚିହ୍ନି ନାହୁଁ । ଶେଷକୁ ଗୋଟିଏ ମୋଗଲ କହିଲା–‘‘ମୁଁ ମହମଦ୍ ଖାଁକୁ ଚିହ୍ନେ ନାହିଁ, କିନ୍ତୁ ମୋ ନାମ ନୁର୍ ମହମ୍ମଦ ଖାଁ । ଦେଖି, ଚିଠି ଦେଖିଲେ ବୁଝିପାରିବି, ପତ୍ର ମୋର କି ନୁହେଁ ।”

 

ମାଣିକଲାଲ୍‍ ଆନନ୍ଦ ମନରେ ତା’ ହାତକୁ ପତ୍ରଟି ବଢ଼ାଇ ଦେଇ ମନେ ମନେ ଭାବିଲା–‘ଯେ ପାରି ସେ ହେଉ, ପାଲରେ ନିଶ୍ଚୟ ସେ ପଡ଼ିବ । ’

 

ମୋଗଲ ସିପାହୀ ପତ୍ର ପାଠକରି ମନେ ମନେ ଖୁସ୍ ହୋଇ ଭାବିଲା–‘ପତ୍ର ଯାହାର ହେଉନା କାହିଁକି, ମୁଁ ଏ ମଉକାଟା ଛାଡ଼ିବି କାହିଁକି ? ଏଇ ବାହାନାରେ ବିବିଜାନ୍‌କୁ ଥରେ ଦେଖିଆସିବି ! ପ୍ରକାଶ୍ୟରେ କହିଲା–“ହଁ, ପତ୍ରଟି ମୋର । ଚାଲ, ମୁଁ ତମ ସାଙ୍ଗରେ ଯାଉଛି ।” ଏହା କହି ତମ୍ବୁ ଭିତରକୁ ପଶିଯାଇ, ମୁଣ୍ଡ କୁଣ୍ଡାଇ, ଅତର ମାଖି, ପୋଷାକ ପିନ୍ଧି ବାହାରିଆସି କହିଲା–“ଏ’ ଚାକର, ସେ ଏଠାରୁ କେତେ ଦୂର !”

 

ମାଣିକଲାଲ୍‍ ବିନୀତ ଭାବରେ ମୁଣ୍ଡନୁଆଁଇ କହିଲା–“ହଜୁର, ବାଟ ଅନେକ; ଘୋଡ଼ାରେ ଗଲେ ଭଲ ହୁଅନ୍ତା ।”

 

“ଠିକ୍ ଅଛି”...କହି ନୁର ମହମ୍ମଦ ଘୋଡ଼ା ବାହାର କରି ବସିବାକୁ ଯିବାବେଳେ ପୁଣି ମାଣିକଲାଲ୍‍ ହାତଯୋଡ଼ି ନିବେଦନ କଲା–‘‘ହଜୁର, ବଡ଼ଘରେ ବଡ଼ ଗୁମରି କଥା, ହାତହତିଆର ନେଇ ଯିବା ଭଲ... ।”

 

ଅଶ୍ଵାରୋହୀ ମୋଗଲ ସୈନ୍ୟ ଆଖିଆଗରେ ଝଲସି ଉଠିଲା ଗୋଟିଏ ଅବଗୁଣ୍ଠନବତୀ ନାରୀର ମୋହିନୀ ମୂର୍ତ୍ତି । ମନେ ମନେ ସେ ପ୍ରେମରସରେ ଉବେଇ–ଟୁବେଇ ହୋଇ ଯାଇଥିଲା; ତେଣୁ ମାଣିକଲାଲ୍‍ର ପରାମର୍ଶ ଗ୍ରହଣ କରି, କମରରେ ହତିଆର ଝୁଲାଇ ଘୋଡ଼ା ଉପରେ ବସିପଡ଼ିଲା ।

 

ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାମାତ୍ରେ ମାଣିକଲାଲ୍‍ ପୁଣି ନମ୍ରସ୍ଵରରେ ହାତଯୋଡ଼ି କହିଲା–‘‘ହଜୁରଙ୍କୁ ଏଇଠି ଓହ୍ଲାଇବାକୁ ପଡ଼ିବ । ମୁଁ ଘୋଡ଼ାଟିକୁ ଧରି ଛିଡ଼ା ହୋଇଛି; ହଜୁର ଭିତରକୁ ବିଜେ କରନ୍ତୁ ।”

 

ନୂଆ ନାଗର ଖାଁ ସାହେବ ଘୋଡ଼ାରୁ ଓହ୍ଲାଇପଡ଼ି ମାଣିକଲାଲ୍‍ ହାତରେ ଲଗାମଟାକୁ ଧରାଇଦେଲା । ସେ ତରବର ହୋଇ ଘର ଭିତରକୁ ପଶି ଯାଉଁ ଯାଉଁ ହଠାତ୍ ଛିଡ଼ାହୋଇ ଭାବିଲା–‘ହାତହତିଆର କମରରେ ଝୁଲାଇ ବିବିଜାନ ସହିତ ପ୍ରେମାଳାପ କରିବା ଭଲ ନୁହେଁ । ତେଣୁ ଫେରିପଡ଼ି କମରରୁ ତରବାରି ଓ ଛୁରିକା ଖୋଲି ମାଣିକଲାଲ୍‍ ହାତରେ ଧରାଇଦେଲା । ଘୋଡ଼ା ଓ ଅସ୍ତ୍ରଶସ୍ତ୍ର ପାଇ ମାଣିକଲାଲ୍‍ ମନେ ମନେ ଖୁବ୍ ଆନନ୍ଦିତ ହୋଇଗଲା ।

 

ଘର ଭିତରକୁ ପଶିଯାଇ ନୁର ମହମ୍ମଦ ଦେଖିଲା–ଘରଟି ବେଶ୍ ସଜାସଜି ହୋଇଛି ଏବଂ ଅତର ଗୋଲାପର ବାସ୍ନାରେ ଘର ମହକିଉଠୁଛି । ଘରର ଗୋଟିଏ ପାଖକୁ ଗୋଟିଏ ପଲଙ୍କ, ତା’ଉପରେ ବେଶ୍ ମୁଲାୟମ ବିଛଣା । ପଲଙ୍କର ଠିକ୍ ମଝାମଝିରେ ବସିଛି ରୂପସୀ ପାନବାଲୀ । ପଲଙ୍କ ଉପରେ ସୁଗନ୍ଧିତ ଫୁଲ ବିଞ୍ଚି ହୋଇ ପଡ଼ିଛି, ପାଖରେ ଗୋଟିଏ ଆଲ୍‌ବୋଲା (ମୋଗଲକାଳୀନ ହୁକା)ରେ ସୁଗନ୍ଧିତ ତମାଖୁ ସଜାଯାଇଛି । ଖାଁ ସାହେବ ପ୍ରେମରେ ସୁଡ଼ୁବୁଡ଼ୁ ହୋଇ ଜୋତା ଓ ଜଙ୍ଗୀ ପୋଷାକ ଖୋଲି ଦେଇ, ରସିକ ନାଗର ବେଶରେ ପଲଙ୍କ ଉପରେ ବସିପଡ଼ି ବିବିଜାନ ଆଡ଼କୁ ପ୍ରେମ ମତୁଆଲା ଆଖିରେ ଇଶାରା ଦେଇ ରସରସିଆ କଥା କେଇପଦ ହାଙ୍କିଦେଲା । ରୂପଜୀବୀ ପାନବାଲୀ ଆରକ ସିହାଣୀ । ସେ ମୁଣ୍ଡରୁ ଓଢ଼ଣାଟିକୁ ଟିକିଏ ଉଠାଇଦେଇ, ଗୋଲାପୀ ଅଧରରୁ ଚେନାଏ ହସ ବିଞ୍ଚିଦେଇ, ଖାଁ ସାହେବଙ୍କ କଥାର ଜବାବ ବେଶ୍ ଦୁଇ ଚାରିପଦ ପ୍ରେମବୋଳା କଥାରେ ଦେଇ, ବେକୁବ୍ ନାଗରର ମିଜାଜ ଖୁସ୍ କରିଦେଲା ।

 

ଖାଁ ସାହେବ ବିବିଜାନ୍‌ର ହାବଭାବ ଓ ପ୍ରେମସମ୍ଭାଷଣରୁ ହେମତ୍ ପାଇ ବେଶ୍ ଆଦବ୍ କାଇଦାରେ ବସିପଡ଼ି ତମାଖୁ ଟାଣିବାକୁ ଲାଗିଲା । ସେ ଗୋଟିଏ ଦୁଇଟି ଦମ୍ ଟାଣିଛି କି ନାହିଁ, ମାଣିକଲାଲ୍‍ ଆସି କବାଟ ଖଟ୍‌ଖଟ୍ କଲା । ପାନବାଲୀ ଚମକିପଡ଼ିବାର ଅଭିନୟ କରି ପଚାରିଲା–‘‘କିଏ ସେ ?”

 

ମାଣିକଲାଲ୍‍ ନିଜର କଣ୍ଠସ୍ଵର ବିକୃତ କରି ଉତ୍ତର ଦେଲା–“ମୁଁ... ।”

 

ଚତୁରୀ ପାନବାଲୀ ଭୟରେ ଥରଥର କମ୍ପିବାର ଛଳନା କରି କହିଲା–“ସର୍ବନାଶ, କ’ଣ କରିବି ? ମୋ’ ସ୍ଵାମୀ ଆସିଗଲେ । ଭାବିଥିଲି–ସେ ଆଜି ଆଉ ଆସିବେ ନାହିଁ । କ’ଣ କରିବି ? ତୁମେ ଟିକିଏ ଅନୁଗ୍ରହ କରି ଏଇ ପଲଙ୍କ ତଳକୁ ପଶିଯାଅ, ମୁଁ ତାଙ୍କୁ ବିଦାୟ କରିଦେଇ ଏଇଲେ ଆସୁଛି ।”

 

ମୋଗଲ ସିପାହୀ ହକ୍‌କାବକ୍‌କା ହୋଇ କହିଲା–“ଏ’ କି କଥା ? ମୁଁ ମରଦପିଲା ହୋଇ ଖଟତଳେ ଲୁଚିବି ? ଯେ ପାରି ସେ ଆସୁନା କାହିଁକି, ଏକାଚୋଟକେ ସାଫ୍... ।”

 

ପାନବାଲୀ ଜିଭକାମୁଡ଼ି ପକାଇ କହିଲା–“ଲୋ ମା’...ଏ’ କି ସତ୍ୟାନାଶିଆ କଥା କହୁଛ-? ମୋ’ ସ୍ଵାମୀକୁ ମାରିଦେଲେ ମୋତେ ଜୀବନସାରା ପୋଷିବ କିଏ ? ତୁମକୁ ଭଲପାଇବାର ଏଇଆ କ’ଣ ଫଳ ? ଟିକିଏ ଜଲଦି ଖଟତଳକୁ ପଶିଯାଅ, ମୁଁ ଆଖି ପିଛୁଳାକେ ତାକୁ ବିଦାୟ କରିଦେଇ ଆସୁଛି ।”

 

ମାଣିକଲାଲ୍‍ ତୁହାକୁ ତୁହା ଡାକପକାଇ କବାଟ ବାଡ଼େଇବାରେ ଲାଗିଲା, ଶେଷକୁ ଅଗତ୍ୟା ଖାଁ ସାହେବ ଖଟତଳକୁ ପଶିଗଲେ । ମୋଟାସୋଟା ଚେହେରା, ସହଜରେ ଭିତରକୁ ପଶିପାରିଲା ନାହିଁ, ଗୋଟେ ଦୁଇଟି ଜାଗାରେ ପିଠିର ଚମଡ଼ା ଘଷିଯାଇ ଛିଡ଼ିଗଲା । ଉପାୟ କ’ଣ...ପ୍ରେମ ପାଇଁ କେତେ କ’ଣ ସହିବାକୁ ପଡ଼େ । ସେ କୌଣସିମତେ ନିଜର ମୋଟା ଶରୀରଟିକୁ ଖଟ ତଳକୁ ନେଇଗଲା; ଏଣେ ପାନବାଲୀ ତରବର ହୋଇ ଆସି ଦୁଆର ଖୋଲିଦେଲା ।

 

ମାଣିକଲାଲ୍‍ ଘରକୁ ପଶିଲାକ୍ଷଣି, ପୂର୍ବଯୋଜନା ଅନୁସାରେ ପାନବାଲୀ ପଚାରିଲା–“ତୁମେ ପୁଣି ଆସିଲ ଯେ ?” ଆଜି ଆଉ ଆସିବ ନାହିଁ ବୋଲି କହିଯାଇଥିଲ ପରା ?”

 

ମାଣିକଲାଲ୍‍ ପୂର୍ବପରି ସ୍ଵର ବିକୃତ କରି କହିଲା–‘‘ଚାବିଟା ଛାଡ଼ିଦେଇ ଗଲି ଯେ... ।”

 

ପାନବାଲୀ ଚାବି ଖୋଜିବା ଛଳନାରେ ଖାଁ ସାହେବର ପୋଷାକପତ୍ର ହାତରେ ଧରିଲା, ତା’ପରେ ଦୁହେଁଯାକ ବାହାରକୁ ଚାଲିଯାଇ, ବାହାରୁ ବେଶ୍ ଭଲଭାବରେ ଶିକୁଳି ଲଗାଇଦେଇ ଚାବି ଠୁଙ୍କିଦେଲେ । ବିଚରା ପ୍ରେମପାଗଳ ଖାଁ ସାହେବ ଖଟତଳେ ପଶି ମଶା ଓ ମୂଷାଙ୍କ ଯନ୍ତ୍ରଣା ନୀରବରେ ସହିବାରେ ଲାଗିଲା ।

 

ମୋଗଲ ସିପାହୀକୁ ପିଞ୍ଜରାରେ ପକାଇ ଦେଇ ମାଣିକଲାଲ୍‍ ତା’ର ପୋଷାକଟିକୁ ପିନ୍ଧି, ତା’ରି ହାତହତିଆରରେ ସଜ୍ଜିତ ହୋଇ ଘୋଡ଼ାରେ ବସି ମୋଗଲ ଶିବିରଆଡ଼କୁ ଚାଲିଗଲା ।

Image

 

ଝିଅ ବିଦା

 

ମୁହଁଅନ୍ଧାରୁ ମୋଗଲ ସୈନ୍ୟ ସଜିଲ ହୋଇଗଲେ । ରୂପନଗର ସିଂହଦ୍ୱାରଠାରୁ ଚକଚକିଆ ପାଗବନ୍ଧା, ହାତହତିଆର ଓ ସାଞ୍ଜୁପିନ୍ଧା ଦାଢ଼ିଆ ମୋଗଲମାନେ ଧାଡ଼ିବାନ୍ଧି ଛିଡ଼ାହୋଇଗଲେ । ପାଞ୍ଚଜଣ ଲେଖାଏଁ ସୈନ୍ୟ ଗୋଟିଏ ଗୋଟିଏ ଧାଡ଼ିରେ ଛିଡ଼ାହେଲେ । ପଛକୁ ପଛ ଅଶ୍ଵାରୋହୀମାନେ ଧାଡ଼ିବାନ୍ଧି ଆଗେଇ ଚାଲିଲେ । ଫୁଟିଲା ପଦ୍ମ ଉପରେ ଭ୍ରମରଶ୍ରେଣୀ ବସିଥିବା ପରି, ସେମାନଙ୍କ ମୁହଁଗୁଡ଼ିକ ଶୋଭାପାଉଥିଲା । ସେମାନଙ୍କ ଘୋଡ଼ାଗୁଡ଼ିକ ବେକ ଭାଙ୍ଗି ଧୀରେ ଧୀରେ ମନଖୁସିରେ ଯାଇଥିଲା ପରି ବେଶ୍ ହଲି–ଦୋହଲି ଚାଲିଲେ । ଜଣାପଡ଼ୁଥିଲା–ସତେ ଯେପରି ସେମାନେ ମନମଉଜରେ ନାଚି ନାଚି ଆଗେଇ ଚାଲିଛନ୍ତି ।

 

ଚଞ୍ଚଲ୍‍କୁମାରୀ ବଡ଼ିଭୋରୁ ଉଠି ଗାଧୁଆପାଧୁଆ ସାରି ସୁନାଗହଣାରେ ଲଦି ହୋଇ ପଡ଼ିଲା । ନିର୍ମଳ ଗୋଟି ଗୋଟି କରି ଅଳଙ୍କାର ଯଥାସ୍ଥାନରେ ଖଞ୍ଜିଦେଲାରୁ କହିଲା ଚଞ୍ଚଲ୍‍–“ମୋତେ ଫୁଲମାଳା ପିନ୍ଧାଇ ଦେ ନିର୍ମଳ୍‍, ମୁଁ ପରା ଚିତାରୋହଣ ପାଇଁ ଯାଉଛି !”

 

ଅମାନିଆ ଆଖିର ଲୁହଧାରକୁ କୌଣସିମତେ ଚାପିରଖି କହିଲା ନିର୍ମଳ୍‍–“ରତ୍ନାଳଙ୍କାର ପିନ୍ଧାଇଦିଏ ସଖି, ତୁମେ ଉଦୟପୁରର ରାଜରାଜେଶ୍ଵରୀ ହେବାକୁ ଯାଉଛ ଯେ ।”

 

ନିର୍ମଳ୍‍କୁ ଆହୁରି ଉତ୍ସାହିତ କରାଇ କହିଲା ଚଞ୍ଚଲ୍‍–“ହେଉ, ତୋ’ ମନର ଆରିମାନ ମେଣ୍ଟାଇନେ ନିର୍ମଳ ! ମରିବି ତ ନିଶ୍ଚୟ; କିନ୍ତୁ କୁତ୍ସିତା ହୋଇ ମରିବି କାହିଁକି ? ରାଜଜେମା ମୁଁ, ରାଜକୁମାରୀ ହୋଇ ମରିବି । ସୌନ୍ଦର୍ଯ୍ୟ ବିନା ରାଜ୍ୟ କ’ଣ ? ବିନା ସୌନ୍ଦର୍ଯ୍ୟରେ ରାଜତ୍ଵ କ’ଣ ଶୋଭା ପାଏ ? ପିନ୍ଧାଇ ଦେ’...ଯେତେ ପାରୁଛୁ ପିନ୍ଧାଇ ଦେ ।” ନିର୍ମଳ୍‍ ଅଳଙ୍କାର ପିନ୍ଧାଇ ଦେଇ, ଚଞ୍ଚଲ୍‍ର କୁସୁମିତ ଲତା ପରି ଅପୂର୍ବ ସୌନ୍ଦର୍ଯ୍ୟପୂର୍ଣ୍ଣ ଶରୀରକୁ ଚାହିଁ ଆଉ ନିଜକୁ ସମ୍ଭାଳି ପାରିଲାନାହିଁ, ସେ କଇଁକଇଁ ହୋଇ କାନ୍ଦିଉଠିଲା । ସେ ଆଉ କିଛି କହିପାରିଲା ନାହିଁ । ଚଞ୍ଚଲ୍‍ ମଧ୍ୟ ନିର୍ମଳର ଗଳା ଧରି କାନ୍ଦିଉଠିଲା ।

 

ନିର୍ମଳ୍‍ ନିଜ ଆଖିର ଲୁହଧାର ପୋଛିଦେଇ କହିଲା–“ମୋତେ ପୁଣି ଦେଖି ପାରିବ । ତୁମେ ଯେଉଁଠି ଥାଅ ପଛକେ, ମୋତେ ଆଉ ଥରେ ନିଶ୍ଚୟ ଦେଖିପାରିବ । ମୋତେ ନ ଦେଖିଲେ ତୁମେ ସହଜରେ ମରିପାରିବ ନାହିଁ କିମ୍ବା ତୁମକୁ ଆଉ ଥରେ ନ ଦେଖିଲେ ମୁଁ ମଧ୍ୟ ମରିପାରିବି ନାହିଁ ।”

 

“ମୁଁ ଦିଲ୍ଲୀ ଯିବା ବାଟରେ ମରିବି ।” କହିଲା ଚଞ୍ଚଲ୍‍କୁମାରୀ ।

 

“ତା’ ହେଲେ ମୋତେ ଦିଲ୍ଲୀ ଯିବା ବାଟରେ ଦେଖିବ ।”

 

“ତା’ କିପରି ସମ୍ଭବ ? ତୁ ଯିବୁ ବା କିପରି ?”

 

ଚଞ୍ଚଲ୍‍ର କଥା ଶୁଣି ନିର୍ମଳ କିଛି ଉତ୍ତର ନଦେଇ ପ୍ରାଣରୁ ପ୍ରତିମାକୁ କେବଳ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲା ।

 

ଚଞ୍ଚଲ ବେଶଭୁଷା ଶେଷକରି ମହାଦେବଙ୍କ ମନ୍ଦିରକୁ ଯାଇ ନିତିଦିନ ପରି ଭକ୍ତିସହକାରେ ପୂଜା ଶେଷକଲା; ପୂଜା ଶେଷରେ ହାତଯୋଡ଼ି କହିଲା–“ହେ ଦେବାଧିଦେବ ମହାଦେବ, ମରିବାକୁ ଯାଉଛି । କିନ୍ତୁ ମୁଁ ପଚାରେ, ଗୋଟିଏ ସରଳା ବାଳିକାର ମରଣରେ ଆପଣ ସନ୍ତୁଷ୍ଟ କାହିଁକି ? ପ୍ରଭୁ, ମୁଁ ବଞ୍ଚିରହିଲେ କ’ଣ ଆପଣଙ୍କ ସୃଷ୍ଟି ଅଚଳ ହୋଇଯିବ ? ଯଦି ଆପଣଙ୍କ ମନରେ ଏଇଆ ଥିଲା, ତା’ହେଲେ ରାଜଜେମାରୂପେ ମୋତେ ସଂସାରକୁ ପଠାଇଲେ କାହିଁକି ?”

 

ମହାଦେବଙ୍କ ଅର୍ଚ୍ଚନା ଶେଷ କରି ଚଞ୍ଚଲ୍‍କୁମାରୀ ମା’ଙ୍କର ଚରଣବନ୍ଦନା କରିବାକୁ ଗଲା । ମା’ଙ୍କୁ ପ୍ରଣାମ କରି ସେ କେତେ ବୁକୁଫଟା କାନ୍ଦ କାନ୍ଦିଲା । ପିତାଙ୍କୁ ପ୍ରଣାମ କରି ସେ ମଧ୍ୟ ମନଖୋଲି କାନ୍ଦିଲା । ତା’ ପରେ ଚଞ୍ଚଲ ଗୋଟି ଗୋଟି କରି ସାଙ୍ଗସାଥୀଙ୍କଠାରୁ ବିଦାୟ ନେଲା । ସମସ୍ତେ ପ୍ରିୟ ସଖୀ ରାଜଜେମାର ବିଦାୟରେ କାନ୍ଦି କାନ୍ଦି ପୁର କମ୍ପାଇଦେଲେ । ଚଞ୍ଚଲ୍‍କୁମାରୀ ସମସ୍ତଙ୍କୁ ଅଳଙ୍କାର, ଖେଳନା ଓ ଅର୍ଥ ପୁରସ୍କାର ଦେଇ ବିଦାୟ ନେଲା । ଆଉ କେଉଁ ସାଥୀଙ୍କୁ କୁଣ୍ଢାଇ ଧରି କହିଲା–“କାନ୍ଦନା, ମୁଁ ପୁଣି ଆସିବି !” ଆଉ କାହାକୁ ଜାବୁଡ଼ି ଧରି କହିଲା–“ଛି, କାନ୍ଦନା, ତୁ କ’ଣ ଜାଣିନାହୁଁ–ମୁଁ ପୃଥୀବିଶ୍ଵରୀ ହେବାକୁ ଯାଉଛି ।” ଆଉ କେଉଁ ଅନ୍ତରଙ୍ଗ ସଖୀକୁ ସ୍ନେହପାଶରେ ଆଲିଙ୍ଗନ କରି କହିଲା–“କାନ୍ଦନା ମୋ ସୁନାଟା ପରା ! ଯଦି କାନ୍ଦିଲେ ଦୁଃଖ ଘୁଞ୍ଚିଥାଆନ୍ତା, ମୁଁ କାନ୍ଦି କାନ୍ଦି ରୂପନଗରର ବଣ–ପାହାଡ଼କୁ ଭସାଇ ଦିଅନ୍ତି !”

 

ସମସ୍ତଙ୍କଠାରୁ ବିଦାୟ ନେଇ ଚଞ୍ଚଲ୍‍ ଦୋଳା ଉପରେ ବସିବାକୁ ଆଗେଇଗଲା । ରାଜକୁମାରୀର ଦୋଳା ଆଗରେ ଏକ ହଜାର ଅଶ୍ଵାରୋହୀ ଧାଡ଼ିକରି ଛିଡ଼ା ହୋଇଥିଲେ । ରତ୍ନଖଚିତ ରୂପାର ପାଲିଙ୍କି ବିଭିନ୍ନ ରଙ୍ଗବସ୍ତ୍ର ସାଜସଜ୍ଜାରେ ଝଲସିଉଠୁଥିଲା । କୌତୁକିଆ ବେଶପୋଷାକରେ ସଜ୍ଜିତ ଚୋପଦାର ଆଶାବାଡ଼ି ଧରି ଦର୍ଶକମାନଙ୍କୁ ଆନନ୍ଦିତ କରାଉଥିଲା । ଚଞ୍ଚଲ୍‍କୁମାରୀ ପାଲିଙ୍କିରେ ବସିବାକ୍ଷଣି ଶଙ୍ଖଧ୍ଵନିରେ ବାତାବରଣ ନିନାଦିତ ହୋଇଉଠିଲା ଏବଂ ପୁଷ୍ପ ଓ ଖଇ ବୃଷ୍ଟିରେ ଶିବିକା ପୂର୍ଣ୍ଣ ହୋଇଗଲା । ସବୁପ୍ରକାର ମାଙ୍ଗଳିକ ବିଧିବିଧାନ ପରେ ଅଶ୍ଵାରୋହୀଙ୍କୁ ଅଗ୍ରସର ହେବାଲାଗି ସେନାପତି ନିର୍ଦ୍ଦେଶ ଦେଲେ । ସେନାପତିଙ୍କ ଆଜ୍ଞା ପାଇ, ବନ୍ଧ ଭାଙ୍ଗି ପାଣି ବହିଗଲା ପରି ଅଶ୍ଵାରୋହୀମାନେ ଧୀରମନ୍ଥର ଗତିରେ ଅଗ୍ରସର ହେଲେ । ଲଗାମ୍‌କୁ ମୁହଁରେ ଚୋବାଇ ଘୋଡ଼ାମାନେ ହଲି ଦୋହଲି ଆଗେଇ ଚାଲିଲେ ଏବଂ ବୀରମାନଙ୍କ ଅସ୍ତ୍ରଶସ୍ତ୍ରର ଝଣଝଣ୍ ଶବ୍ଦରେ ଦିଗବିଦିଗ ଝଙ୍କୃତ ହୋଇଉଠିଲା ।

 

ସକାଳ–ସକାଳର ମନଉଲୁସା ପବନରେ କୁରୁଳିଉଠି କେହି କେହି ଅଶ୍ଵାରୋହୀ ସ୍ଵର ତାଳର ସହିତ ମନପୁଲାଣିଆ ଗୀତର–ଲହର ଛୁଟାଇଦେଲେ । ପାଲିଙ୍କିର ପଛରେ ଥିବା ଅଶ୍ଵାରୋହୀଙ୍କ ମଧ୍ୟରେ ଜଣେ କେହି ଟିକିଏ ଅନେଇଯାଇ ଗାଇଉଠିଲା–

 

“ଲୁହଝରା ଆଖି ଲାଜେ ସୁଡ଼ୁବୁଡ଼ୁ

ସୁମରେ ବଂଶୀଧାରୀ, ସେ ଗୋପକୁମାରୀ,

ଜାଣେନି ସରଳା ତା’ରେ ଝୁରି ଝୁରି

ଘାଟ ଜଗିଅଛି ମୋହନ ମୂରଲୀଧାରୀ,

ସେ ଗୋପକୁମାରୀ !”

 

ସେହି ଭୀଷଣ କୋଳାହଳ ମଧ୍ୟରେ ଅଶ୍ଵାରୋହୀର ମନଲାଖି ଗୀତ ଚଞ୍ଚଲ୍‍କୁମାରୀକୁ ଆମୃତଧାର ପରି ବୋଧ ହେଲା । ସେ ମନେମନେ ଭାବିଲା–‘ହାୟ, ସିପାହୀର ଗୀତ ଅଭାଗିନୀର ଫଟାକପାଳକୁ ସତ ହୁଅନ୍ତା କି !’ ସେତେବେଳେ ରାଜକୁମାରୀ ଏକାଗ୍ରତାର ସହିତ ରାଜସିଂହଙ୍କ ପ୍ରଶାନ୍ତ ମୂର୍ତ୍ତିକୁ ମନମନ୍ଦିରରେ ଚିନ୍ତା କରୁଥାଏ । ସେ ଜାଣିନି–ରାଜସିଂହଙ୍କ ବିଶ୍ଵସ୍ତ ଅନୁଚର ପାଲିଙ୍କି ପଛରୁ ସେ ଗୀତଟି ତୁହାଇ ତୁହାଇ ଗାଉଛି । ମାଣିକଲାଲ୍‍ ବହୁଚେଷ୍ଟା କରି ଠିକ୍ ପାଲିଙ୍କିର ପଛରେ ନିଜର ଆସ୍ଥାନ ଜମାଇପାରିଥିଲା ।

 

ଏଣେ ଚଞ୍ଚଲ୍‍କୁମାରୀକୁ ବିଦାୟ ଦେବା ପରେ ନିର୍ମଳର ମନ ଆଉ ଥୟ ହେଲା ନାହିଁ । ରତ୍ନଖଚିତ ଶିବିକା ଆରୋହଣ କରି ଚଞ୍ଚଲ୍‍ ଚାଲିଗଲା, ମୋଗଲସୈନ୍ୟଙ୍କ ‘ଆଲ୍ଲା ହୋ ଆକବର’ ଧ୍ଵନିରେ ରୂପନଗର ବଣ–ପାହାଡ଼ ଉଛୁଳିଉଠିଲା; କିନ୍ତୁ ନିର୍ମଳର ବୁକୁଫଟା ରୋଦନ କୌଣସିମତେ କମିଲା ନାହିଁ । ତାକୁ ବିଶାଳ ରାଜପୁରୀଟା ଶୂନଶାନ ବୋଧ ହେଲା । ସେ ଚଞ୍ଚଲ୍‍ର ଅଭାବରେ ନିଜକୁ ବଡ଼ ଅସହାୟ ବୋଲି ମନେକଲା । ସେ ହଠାତ୍ ପ୍ରାସାଦର ଶିଖରରେ ଆରୋହଣ କରି ଏକଲୟରେ ଅଶ୍ଵାରୋହୀଙ୍କ ଗତିପଥକୁ ଚାହିଁରହିଲା । ଦେଖିଲା କେଇକୋଶ ଦୂରରେ ମୋଗଲ ବାହିନୀ ପାର୍ବତ୍ୟ ପଥ ଦେଇ ସର୍ପିଳ ଗତିରେ ଆଗେଇ ଚାଲିଛି । ପ୍ରଭାତସୂର୍ଯ୍ୟର ସୁନେଲି କିରଣରେ ସୈନ୍ୟମାନଙ୍କ ଚକଚକିଆ ପୋଷାକ ଓ ବର୍ଚ୍ଛାର ଫଳକ ଝଲସି ଉଠୁଛି । ସେ ଅନେକ ସମୟ ପର୍ଯ୍ୟନ୍ତ ଏକଦୃଷ୍ଟିରେ ସେଇ ଆଡ଼କୁ ଚାହିଁରହିଲା । ଶେଷରେ ତା’ ଆଖି ବୁଜିହୋଇଗଲା । ସେ ଆଉ ଅଧିକ ସମୟ ଚାହିଁପାରିଲା ନାହିଁ । କ’ଣ କେଜାଣି ଚିନ୍ତା କରି ପ୍ରାସାଦର ଶିଖର ଉପରୁ ତଳକୁ ଓହ୍ଲାଇଆସିଲା । ସେ ପ୍ରଥମେ ନିଜ ଦେହରୁ ଅଳଙ୍କାରତକ ଖୋଲିପକାଇ କେଉଁଠି ଲୁଚାଇ ରଖିଲା ଏବଂ ପୂର୍ବରୁ ସାଇତି ରଖିଥିବା କେତୋଟି ସ୍ଵର୍ଣ୍ଣମୁଦ୍ରା ଯତ୍ନର ସହିତ ଅଣ୍ଟିରେ ଖୋସିଦେଲା । କେବଳ ସେଇତକ ନେଇ ନିର୍ମଳ ଅଶ୍ଵାରୋହୀଙ୍କ ପଛେ ପଛେ ଦ୍ରୁତ ପଦକ୍ଷେପରେ ଆଗେଇଚାଲିଲା ।

Image

 

ରଣକୌଶଳୀ ମୁବାରକ୍

 

ବିଶାଳ ଅଜଗର ସାପ ପରି ବଣ–ପାହାଡ଼, ବୁଲି ବୁଲି ମୋଗଲବାହିନୀ ଶେଷରେ ଆସି ସଂକୀର୍ଣ୍ଣ ଗିରିପଥ ନିକଟରେ ପହଞ୍ଚିଲେ । ଯେଉଁ ସଂକୀର୍ଣ୍ଣ ପଥଦେଇ ମାଣିକଲାଲ୍‍ ରାଜସିଂହଙ୍କୁ ସାକ୍ଷାତ କରିଥିଲା, ସେହି ମାର୍ଗ ମଧ୍ୟରେ ଅଜଗର ସର୍ପ ପରି ମୋଗଲ ବାହିନୀ ପ୍ରବେଶ କଲା । ଅଶ୍ଵମାନଙ୍କ ଖୁରାଶବ୍ଦ ଓ ହେଷା ଫଳରେ ସେହି ନିଃଶବ୍ଦ ଜନଶୂନ୍ୟ ଅରଣ୍ୟପ୍ରଦେଶ କମ୍ପି ଉଠିଲା ଏବଂ ସଙ୍ଗେ ସଙ୍ଗେ ପର୍ବତ ଗହ୍ଵର ମଧ୍ୟରୁ ସେହି ଶବ୍ଦ ପ୍ରତିଧ୍ୱନିତ ହେବାକୁ ଲାଗିଲା । ସେହି ନିନାଦକୁ ଦ୍ଵିଗୁଣିତ କରିଦେଲା ସୈନ୍ୟମାନଙ୍କ ଅସ୍ତ୍ରଶସ୍ତ୍ରର ଝଙ୍କାର ତଥା ସେମାନଙ୍କ ମୁଖରାବ । ଏହି ଲୋମହର୍ଷଣକାରୀ ଶବ୍ଦରେ ଅରଣ୍ୟପ୍ରଦେଶର ଲତାଗୁଳ୍ମ କମ୍ପିଉଠିଲା ଏବଂ ପର୍ବତର ନିମ୍ନଦେଶରେ ବାସକରୁଥିବା ଜୀବଜନ୍ତୁମାନେ ପ୍ରାଣଭୟରେ କିଏ କୁଆଡ଼େ ପଳାୟନ କରିବାକୁ ଲାଗିଲେ । ସମୁଦାୟ ଅଶ୍ଵାରୋହୀ ସେହି ସଂକୀର୍ଣ୍ଣ ଗିରିମାର୍ଗରେ ପ୍ରବେଶ କରିବା ମାତ୍ରେ, ହଠାତ ‘ଢୁମ୍’ କରି ଗୋଟିଏ ବିକଟ ଶବ୍ଦ ହେଲା । ଯେଉଁ ସ୍ଥାନରେ ଏ ଶବ୍ଦ ହେଲା, ସେଠାକାର ଅଶ୍ଵାରୋହୀମାନେ ଗୋଟିଏ ମୁହୂର୍ତ୍ତ ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇଗଲେ । ସେମାନେ ଲକ୍ଷ୍ୟକଲେ–ବିଶାଳ ଶିଳାଖଣ୍ଡମାନ ପର୍ବତର ଶିଖରଦେଶରୁ ସୈନ୍ୟମାନଙ୍କ ଉପରକୁ ଗଡ଼ି ଗଡ଼ି ଆସୁଛି । ପ୍ରଥମ ଶିଳାଖଣ୍ଡର ପ୍ରହାର ଫଳରେ ଜଣେ ଅଶ୍ଵାରୋହୀର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଗଲା ଏବଂ ଆଉ ଜଣେ ସେହିଠାରେ ଆହତ ହୋଇ ପଡ଼ିଗଲେ ।

 

କ’ଣ ଘଟିଲା ବୋଲି କେହି କିଛି ଧାରଣା କରିବା ପୂର୍ବରୁ ପାଞ୍ଚ, ଦଶ, ପଚାଶ, ଏପରିକି ଶହ ଶହ ଛୋଟ ବଡ଼ ପଥରଖଣ୍ଡମାନ ସୈନ୍ୟମାନଙ୍କ ଉପରେ ବୃଷ୍ଟି ହେବାକୁ ଲାଗିଲା । କେହି ମୃତ, କେହି ଆହତ, କେହି କେହି ଅବା ଦଳାଚକଟାରେ ପେଷିହୋଇଗଲେ । ତା’ ଫଳରେ ଉଭୟ ପଟରୁ ମାର୍ଗ ରୁଦ୍ଧ ହୋଇଗଲା । ଅଶ୍ଵମାନେ ଆରୋହୀଙ୍କୁ ନେଇ ପ୍ରାଣବିକଳରେ ପଳାଇଯିବାକୁ ବ୍ୟଗ୍ର ହୋଇଉଠିଲେ । ତା’ଫଳରେ ଅଶ୍ଵ ଉପରେ ଅଶ୍ଵ, ଆରୋହୀ ଉପରେ ଆରୋହୀ, ଆଗପଛ ସବୁଆଡ଼େ ଠେଲାଠେଲି ହୋଇ ପ୍ରାଣ ହରାଇଲେ କିମ୍ବା ଆହତ ହୋଇ ବିକଟ ଚିତ୍କାର କରିବାକୁ ଲାଗିଲେ । କେତେକ ସୈନ୍ୟ ଅସ୍ତ୍ର ଚଳାଇ ନିଜର ସାଥୀମାନଙ୍କୁ ସଂହାର କରି ପଥ ପରିଷ୍କାର କରି ପଳାଇଗଲେ । ସୈନ୍ୟବାହିନୀର ଶୃଙ୍ଖଳା କ୍ଷଣକ ମଧ୍ୟରେ ଛିନ୍ନଭିନ୍ନ ହୋଇ ଗିରିପଥଟି ମହାକୋଳାହଳରେ ପ୍ରକମ୍ପିତ ହେଲା ।

 

“ବାହକମାନେ ସାବଧାନ ହୋଇଯାଅ, ବାଁ ପଟ ରାସ୍ତାରେ ଆଗେଇ ଚାଲ ।” ଚିତ୍କାର କରି କହିଲା ମାଣିକଲାଲ୍‍ । ରାଜକୁମାରୀର ଶିବିକା ସମ୍ମୁଖରେ ମହାଗୋଳଯୋଗ ଉପସ୍ଥିତ । ତେଣୁ ବାହକମାନେ ପ୍ରାଣ ଘେନି ପଳାଇବା ଲାଗି ବ୍ୟସ୍ତ ହୋଇ ଉଠିଲେ; କାରଣ ଆଗପଛର ଅଶ୍ଵମାନେ ସେମାନଙ୍କୁ ମାଡ଼ିଦଳି ଆଗେଇଯିବାଲାଗି ଉହୁଁକି ଆସିଲେ । ଏହି ପାର୍ବତ୍ୟ ମାର୍ଗର ବାମ ପାଖରେ ଗୋଟିଏ ଅତି ସଂକୀର୍ଣ୍ଣ ରନ୍ଧ୍ରପଥ ଥିଲା । ସେଥିରେ ଏକାବେଳକେ ଗୋଟିଏ ମାତ୍ର ଅଶ୍ଵ ଯାଇପାରେ । ରାଜକୁମାରୀର ଶିବିକା ଠିକ୍ ସେହି ସ୍ଥାନରେ ପହଞ୍ଚିବାକ୍ଷଣି ଗୋଳଯୋଗ ଆରମ୍ଭ ହୋଇଥିଲା । ତାହାହିଁ ଥିଲା ରାଣା ରାଜସିଂହଙ୍କର ସୁକଳ୍ପିତ ଯୋଜନା । ଚତୁର ମାଣିକଲାଲ୍‍ ଭୀତତ୍ରସ୍ତ ବାହକମାନଙ୍କୁ ସେହି ରନ୍ଧ୍ରମାର୍ଗ ଦେଖାଇଦେଲା । ମାଣିକଲାଲ୍‍ର ଆଦେଶ ଶୁଣିବାମାତ୍ରେ ବାହକମାନେ ସେହି ମାର୍ଗରେ ଆଗେଇଗଲେ ଏବଂ ମାଣିକଲାଲ୍‍ ମଧ୍ୟ ଘୋଡ଼ାରେ ବସି ସେହି ରନ୍ଧ୍ରମାର୍ଗରେ ପ୍ରବେଶ କଲା । ମାଣିକଲାଲ୍‍କୁ ଦେଖି ଆଉ ଜଣେ ସୈନିକ ତାକୁ ଅନୁସରଣ କରିବାମାତ୍ରେ ଖଣ୍ଡିଏ ବିଶାଳ ପ୍ରସ୍ତର ହଠାତ୍ ଖସିଆସି ସେହି ଅଶ୍ଵାରୋହୀକୁ ଚାପିଦେବା ସଙ୍ଗେ ସଙ୍ଗେ ରନ୍ଧ୍ରମାର୍ଗର ଦ୍ଵାର ବନ୍ଦ କରିଦେଲା; ତେଣୁ ଏକମାତ୍ର ମାଣିକଲାଲ୍‍ ରାଜକୁମାରୀର ଶିବିକା ସହିତ ସେହି ମାର୍ଗରେ ଅଗ୍ରସର ହେଲା ।

 

ସେନାପତି ହାସାନ୍ ଅଲି ଖାଁ ମନ୍‌ସୁବେଦାର ଭାବରେ ସୈନ୍ୟବାହିନୀର ପଛରେ ରହି ସଂକୀର୍ଣ୍ଣ ଗିରିପଥରେ ସୈନ୍ୟମାନଙ୍କ ଅଗ୍ରଗତିକୁ ଶୃଙ୍ଗଳିତ କରୁଥିଲେ । ସଂକୀର୍ଣ୍ଣ ମାର୍ଗ ମଧ୍ୟରେ ସମସ୍ତ ଅଶ୍ଵାରୋହୀ ପ୍ରବେଶ କରିସାରିବା ପରେ ସେ ଶେଷରେ ଆସୁଥିଲେ । ହଠାତ୍ ହଟ୍ଟଗୋଳ ଉପସ୍ଥିତ ହେବାରୁ ସେ କିଛି କାରଣ ଜାଣିପାରିଲେ ନାହିଁ କିମ୍ବା କେହି ତାଙ୍କୁ ସଠିକ ଉତ୍ତର ଦେଇପାରିଲା ନାହିଁ । ତେଣୁ ଫେରିପଡ଼ୁଥିବା ଅଶ୍ଵାରୋହୀମାନଙ୍କୁ ଭର୍ତ୍ସନା କରି ନିଜେ ଅଗ୍ରସର ହେବାକୁ ଲାଗିଲେ; କିନ୍ତୁ ତାଙ୍କ କଥାର କୌଣସି ପ୍ରଭାବ ପଡ଼ିଲା ନାହିଁ ।

 

ଦକ୍ଷିଣପଟ ପର୍ବତଟି ନିତାନ୍ତ ସଳଖ ଥିବାରୁ ତା’ଉପରକୁ ଚଢ଼ିବା ଅତ୍ୟନ୍ତ କଷ୍ଟସାଧ୍ୟ; କିନ୍ତୁ ରାଜପୁତ୍‌ମାନେ ବହୁ ଅନ୍ୱେଷଣ ପରେ ପର୍ବତ ଉପରକୁ ଚଢ଼ି ତା’ଉପରେ ପଚାଶ ଜଣ ଲୁଚିଛପି ରହିଥିଲେ । ପ୍ରାୟ ଚାଳିଶ ପଚାଶ ହାତ ଦୂରରେ ଜଣେ–ଜଣେ ରହିଥିଲେ । ସାରା ରାତି ଛୋଟ ବଡ଼ ପଥରଖଣ୍ଡ ଗୋଟାଇ ଆଣି ନିଜ ଆଗରେ ଗୋଟିଏ ଗୋଟିଏ ଢିପ କରି ରଖିଥିଲେ । ଏକସଙ୍ଗରେ ମୋଗଲବାହିନୀ ଉପରେ ପଚାଶଖଣ୍ଡ ପଥର ପଡ଼ୁଥିଲା; ତା’ଫଳରେ ଥରକେ ପ୍ରାୟ ପଚାଶଜଣ ମୋଗଲ ମୃତ ଆହତ ଅବସ୍ଥାରେ ଧରାଶାୟୀ ହୋଇଯାଉଥିଲେ । ପଥରଖଣ୍ଡ କେଉଁଠାରୁ ଆସୁଛି କିମ୍ବା କିଏ ପକାଉଛି, ଜାଣିବାର କିଛି ଉପାୟ ନଥିଲା । ଯଦିଓ ପର୍ବତ ଉପରୁ ପଥର ପଡ଼ୁଥିବାର ସେମାନେ ଜାଣିପାରିଲେ, ତଥାପି ପର୍ବତଟି ଅତି ତୀଖ ଥିବାରୁ ତା’ଉପରକୁ ଚଢ଼ି ଶତ୍ରୁକୁ ଖୋଜି ବାହାର କରିବା ଆଦୌ ସହଜ ନଥିଲା ଏବଂ ପର୍ବତ ଉପରେ ଥିବା ଶତ୍ରୁର କୌଣସି ଅନିଷ୍ଟ କରିବା ଏକାବେଳକେ ଅସମ୍ଭବ ଥିଲା । ତେଣୁ ପଳାୟନ ବ୍ୟତୀତ ଅନ୍ୟ କୌଣସି ଉପାୟ ସେମାନଙ୍କୁ ଦେଖାଗଲା ନାହିଁ । ଶିବିକାର ଆଗରେ ଚାଲୁଥିବା ଏକ ହଜାର ଅଶ୍ଵାରୋହୀଙ୍କ ମଧ୍ୟରୁ ମୃତାହତଙ୍କ ବ୍ୟତୀତ ଅବଶିଷ୍ଟ କେତେଜଣ କୌଣସିମତେ ପଳାୟନ କରି ସଂକୀର୍ଣ୍ଣ ଗିରିମାର୍ଗର ବାହାରକୁ ଚାଲିଗଲେ ।

 

ପଚାଶ ଜଣ ରାଜପୁତ୍ ଦକ୍ଷିଣପଟୁ ଶିଳାବୃଷ୍ଟି କରୁଥିବା ସମୟରେ ଆଉ ପଚାଶ ଜଣ ବାମପଟ ପର୍ବତରେ ଲୁଚି ରହିଥିଲେ । ସେମାନେ ଚୁପ୍‌ଚାପ୍ ଅବସ୍ଥା ନିରୀକ୍ଷଣ କରୁଥିଲେ । ହଠାତ୍ ସେମାନେ ତତ୍ପର ହୋଇଉଠିଲେ ।

 

ପଥରମାଡ଼ରେ ଘୋରତର ବିପର୍ଯ୍ୟୟ ହୋଇଥିବା ସ୍ଥାନରେ ମୋବାରକ୍‍ ଉପସ୍ଥିତ ଥିଲେ । ସେ ଗିରିମାର୍ଗରୁ ସୈନ୍ୟମାନଙ୍କୁ ଶୃଙ୍ଖଳାର ସହିତ ବାହାର କରାଇ ନେବାର ତତ୍ତ୍ଵ ନେଉଥିଲେ; କିନ୍ତୁ ଗଣ୍ଡଗୋଳ ମଧ୍ୟରେ ସେ ଲକ୍ଷ୍ୟ କଲେ, ଗୁପ୍ତ ରନ୍ଧ୍ରମାର୍ଗରେ ରାଜକୁମାରୀଙ୍କ ଶିବିକା ଚାଲିଗଲା ଏବଂ ଜଣେ ମାତ୍ର ଅଶ୍ଵାରୋହୀ ତା’ ସହିତ ଯିବାପରେ ରନ୍ଧ୍ରମାର୍ଗର ଦ୍ଵାର ବନ୍ଦ ହୋଇଗଲା । ତେଣୁ ଏହା ଏକ ଷଡ଼ଯନ୍ତ୍ରମୂଳକ କାର୍ଯ୍ୟ ବୋଲି ତାଙ୍କର ଧାରଣା ହୋଇଗଲା ଏବଂ ରାଜକୁମାରୀଙ୍କୁ ଅପହରଣ କରିନେବାଲାଗି କେହି ଏ କୌଶଳ କରିଛି ବୋଲି ତାଙ୍କ ମନରେ ଦୃଢ଼ଧାରଣା ଜାତ ହେଲା । ତେଣୁ ସେ ନିକଟସ୍ଥ କେତେଜଣ ସୈନିକଙ୍କୁ ଡାକି କହିଲେ–‘‘ପ୍ରାଣ ପଛକେ ଯାଉ, କିନ୍ତୁ ଶହେଜଣ ସୈନ୍ୟ ଏହି ଶିବିକାର ଅନୁସରଣ କର; ଚାଲ, ମୁଁ ପ୍ରଥମେ ଯାଉଛି-।” ଏହା କହି ଦ୍ଵାରରୁଦ୍ଧ କରିଥିବା ପଥର ଉପରେ ଚଢ଼ି ରନ୍ଧ୍ର ମଧ୍ୟକୁ ଡେଇଁପଡ଼ିଲେ ମୋବାରକ୍‍ ଏବଂ ତାଙ୍କୁ ଅନୁସରଣ କରି ଆହୁରି ଶହେଜଣ ଯାଏ ଅଶ୍ଵାରୋହୀ ଘୋଡ଼ାରୁ ଓହ୍ଲାଇପଡ଼ି ରନ୍ଧ୍ର ଭିତରକୁ ପଶିଗଲେ ।

 

ରାଜସିଂହ ପର୍ବତ ଉପରୁ ଥାଇ ଏହା ଲକ୍ଷ୍ୟ କରୁଥିଲେ । ମୋଗଲ ସୈନ୍ୟମାନେ ଅତି ସଂକୀର୍ଣ୍ଣ ଗିରିଗହ୍ୱର ମଧ୍ୟରେ ପଶିଯିବା ପରେ, ସେ ପ୍ରାୟ ପଚାଶଜଣ ସୈନ୍ୟଙ୍କ ସହିତ ସେଠାରେ ପହଞ୍ଚି ମୋଗଲ ସୈନ୍ୟଙ୍କୁ ନିପାତ କରିବାକୁ ଲାଗିଲେ । ହଠାତ୍ ଆକ୍ରମଣର ସମ୍ମୁଖୀନ ହୋଇ ମୋଗଲମାନେ ବିଶୃଙ୍ଖଳ ହୋଇଗଲେ ଏବଂ ଆକସ୍ମିକ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଣ ହରାଇଲେ । ଜୀବନ ପାଇଥିବା ମାତ୍ର ପାଞ୍ଚ ଦଶ ଜଣ ସୈନ୍ୟଙ୍କୁ ଧରି ମୋବାରକ୍ ପ୍ରାଣବିକଳରେ ଫେରିଆସିଲେ । ରାଜପୁତ୍‌ମାନେ ସେମାନଙ୍କୁ ପଛରୁ ଗୋଡ଼ାଇ ଆକ୍ରମଣ କଲେ ନାହିଁ ।

 

ମୋବାରକ୍ ସହିତ ମୋଗଲ ବେଶଧାରୀ ମାଣିକଲାଲ୍‍ ମଧ୍ୟ ଗହ୍ଵର ମାର୍ଗରୁ ବାହାରକୁ ଆସିଗଲେ ଏବଂ କୌଣସି ଏକ ମୃତ ସୈନିକର ଘୋଡ଼ାରେ ବସି ବିପର୍ଯ୍ୟସ୍ତ ମୋଗଲ ସେନାଙ୍କ ସହିତ ଧାଁ–ଦଉଡ଼ କରି କେଉଁଆଡ଼େ ଲୁଚିଗଲା । ସେ ବାହାରିବା ସମୟରେ ମୋଗଲମାନେ ତାଙ୍କୁ ଭୀତତ୍ରସ୍ତ ମୋଗଲ ସୈନ୍ୟ ବୋଲି ଭାବିଲେ; ତେଣୁ ସେ ବିନା ବାଧାରେ ଘୋଡ଼ାରେ ବସି ରୂପନଗର ଅଭିମୁଖେ ଛୁଟିଚାଲିଲା ।

 

ମୋବାରକ୍ ଗହ୍ୱର ମଧ୍ୟରୁ ବାହାରିଆସି ଆଦେଶ ଦେଲେ–“ଏ ପାହାଡ଼ ଉପରକୁ ଉଠିବା କଷ୍ଟକର ନୁହେଁ; ତେଣୁ କାଳବିଲମ୍ବ ନକରି ପାହାଡ଼ ଉପରକୁ ମାଡ଼ିଚାଲ । ଦସ୍ୟୁମାନଙ୍କ ସଂଖ୍ୟା ଅତି ନଗଣ୍ୟ; ତେଣୁ ଆମ୍ଭେମାନେ ସହଜରେ ସେମାନଙ୍କୁ ନିପାତ କରିପାରିବା ।” ତହୁଁ ମୋବାରକ୍‌ଙ୍କ ଅଧିନାୟକତ୍ଵରେ ମୋଗଲମାନେ “ଆଲ୍ଲା ହୋ ଅକ୍‌ବର” ଧ୍ୱନି କରି ପର୍ବତ ଉପରକୁ ଉଠିଲେ । ସେମାନଙ୍କ ନିକଟରେ ଥିବା ଦୁଇଟି ତୋପ ମଧ୍ୟରୁ ଗୋଟିଏ ଗହ୍ଵରମାର୍ଗର ଦ୍ଵାରଦେଶରେ ରଖି, ଅନ୍ୟ ବଡ଼ ତୋପଟିକୁ ହାତୀ ସାହାଯ୍ୟରେ ପାହାଡ଼ ଉପରକୁ ଉଠାଇନେଲେ-

Image

 

ରାଜକୁମାରୀର କୌଶଳ

 

କାଳାନ୍ତକ ଯମ ସଦୃଶ ପାଞ୍ଚଶହ ଅଶ୍ଵାରୋହୀ “ଆଲ୍ଲା ହୋ ଅକ୍‌ବର” ଧ୍ୱନି କରି ପର୍ବତ ଉପରକୁ ଚଢ଼ିବାକୁ ଲାଗିଲେ । ପର୍ବତର ଉଚ୍ଚତା ଖୁବ୍ ବେଶି ନଥିବାରୁ ଶିଖର ଉପରେ ପହଞ୍ଚିବାକୁ ବିଳମ୍ବ ହେଲାନାହିଁ । ସେମାନେ ପର୍ବତଶିଖର ଉପରେ କାହାରିକୁ ଦେଖିପାରିଲେ ନାହିଁ । ମୁବାରକ୍ ଏଥରକ ଠିକ୍ ଭାବରେ ବୁଝିପାଇଲେ ଯେ, ଦସ୍ୟୁଦଳର ଲୋକମାନେ ରାଜପୁତ୍ ଏବଂ ସେମାନେ ସେହି ରନ୍ଧ୍ରପଥ ଦେଇ ପଳାଇ ଯାଉଛନ୍ତି କିମ୍ବା ସେହିଠାରେ ଆତ୍ମଗୋପନ କରିଛନ୍ତି । ସେମାନେ ରନ୍ଧ୍ରମାର୍ଗର ଦ୍ଵିତୀୟ ଦ୍ଵାରଟି ବନ୍ଦ କରିଦେଇ ରାଜପୁତ୍‌ମାନଙ୍କୁ ନିପାତ କରିବା ଲାଗି ଯୋଜନା କଲେ । ଗୋଟିଏ ଦ୍ଵାରରେ ହାସାନ୍ ଅଲି କମାଣ ପ୍ରସ୍ତୁତ କରି ବସିଥିବାର ସ୍ଥିର କରି, ସେ ସୈନ୍ୟମାନଙ୍କ ସହିତ ସେହି ଆଡ଼କୁ ଅଗ୍ରସର ହେଲେ । କ୍ରମେ ଗିରିରନ୍ଧ୍ର ମାର୍ଗଟି ପ୍ରଶସ୍ତ ହୋଇଗଲା; ସେ ହଠାତ୍ ଦେଖିବାକୁ ପାଇଲେ–ପ୍ରାୟ ଚାଳିଶ ପଚାଶଜଣ ରାଜପୁତ୍ ରକ୍ତାକ୍ତ ଶରୀରରେ ଶିବିକା ସଙ୍ଗରେ ଚାଲିଛନ୍ତି । ତେଣୁ ମୁବାରକ୍ ଭାବିଲେ–ଏମାନେ ନିଶ୍ଚିତ ଭାବରେ ରନ୍ଧ୍ରମାର୍ଗରୁ ବାହାରିଯିବାର ଉପାୟ ଜାଣନ୍ତି । ତହୁଁ ସେ ସେମାନଙ୍କ ଉପରେ ଦୃଷ୍ଟି ରଖି ଅଗ୍ରସର ହେଲେ । କିଛିଦୂର ଅଗ୍ରସର ହେବାପରେ ସେ ଲକ୍ଷ୍ୟ କଲେ–କ୍ରମେ ପାହାଡ଼ ଢାଲୁ ହୋଇ ଆସିଛି ଏବଂ ସମ୍ମୁଖରେ ବାହାରକୁ ବାହାରିଯିବାର ମାର୍ଗ ରହିଛି ।

 

ମୋବାରକ୍ ସୈନ୍ୟମାନଙ୍କ ସହିତ ତୀରବେଗରେ ଛୁଟି ଯାଇ ରନ୍ଧ୍ରର ଅନ୍ୟ ଦ୍ଵାର ବନ୍ଦ କରିଦେଲେ; କିନ୍ତୁ ରାଜପୁତ୍‍ମାନେ ପ୍ରଶସ୍ତ ମାର୍ଗ ଦେଇ ବୁଲିବୁଲି ଆସୁଥିବାରୁ ସେମାନେ ପ୍ରଥମେ ରନ୍ଧ୍ରମାର୍ଗର ଦ୍ଵାରଦେଶରେ ପହଞ୍ଚି ପାରିଲେ ନାହିଁ-। ମୋଗଲମାନେ ଦ୍ଵାର ରୁଦ୍ଧ କରି କମାଣ ଚଳାଇବା ଲାଗି ପ୍ରସ୍ତୁତ ହୋଇଗଲେ ଏବଂ ରାଜପୁତ୍‌ମାନଙ୍କୁ ଭୟଭୀତ କରାଇବା ଲାଗି ତୁମୁଳ ଜୟନାଦ କଲେ । ଏହି ଶବ୍ଦ ପର୍ବତର ରନ୍ଧ୍ରେ ରନ୍ଧ୍ରେ ପ୍ରତିଧ୍ଵନିତ ହେବାକୁ ଲାଗିଲା । ଏହା ଶୁଣିପାରି ଅପର ଦ୍ଵାରରେ ଥିବା ହାସାନ ଅଲି ମଧ୍ୟ କମାଣ ଦାଗିଦେଇ ନିଜ ପକ୍ଷରେ ସୈନ୍ୟମାନଙ୍କୁ ଉତ୍ତର ଦେଲା । ଏହି ଧ୍ୱନି ଶୁଣିପାରି ରାଜପୁତ୍‍ମାନେ କମ୍ପିଉଠିଲେ; କାରଣ ସେମାନଙ୍କ ନିକଟରେ କମାଣ ନଥିଲା ।

 

ରାଜସିଂହ ଏଥର ବେଶ୍ ଜାଣିପାରିଲେ ଯେ, ଆଉ କୌଣସିମତେ ରକ୍ଷା ନାହିଁ । ତାଙ୍କଠାରୁ ପ୍ରାୟ ଦଶଗୁଣ ସୈନ୍ୟ ମାର୍ଗ ରୋଧକରି ଛିଡ଼ାହୋଇଛନ୍ତି । ଯମମନ୍ଦିରର ଦ୍ଵାର ବ୍ୟତୀତ ଆଉ କୌଣସି ଦ୍ଵାର ସେମାନଙ୍କ ଲାଗି ଉନ୍ମୁକ୍ତ ନାହିଁ । ରାଜସିଂହ ମନେ ମନେ ମୃତ୍ୟୁପଥର ଯାତ୍ରୀ ହେବାଲାଗି ସ୍ଥିର କରି ନେଇ, ନିଜ ସହଯାତ୍ରୀମାନଙ୍କୁ ସମ୍ବୋଧନ କରି କହିଲେ–‘‘ବନ୍ଧୁଗଣ, ଯେଉଁମାନେ ମୋ ସହିତ ରହିଛ, ମୁଁ ଆଜି ସମସ୍ତଙ୍କଠାରୁ କ୍ଷମା ମାଗିନେଉଛି । ଆମ ନିଜ ଦୋଷରୁ ଆମେ ମୃତ୍ୟୁମୁଖରୁ ପଡ଼ିଛୁଁ; କାରଣ ପର୍ବତ ଉପରୁ ଓହ୍ଲାଇ ଆସି ଭୁଲ କରିଥାଇଁ । ବର୍ତ୍ତମାନ ଏହି ସଂକୀର୍ଣ୍ଣ ଗିରିପଥର ଦୁଇ ଦିଗରେ କମାଣ ଶୁଣାଯାଉଛି ଏବଂ ଦୁଇ ଦ୍ଵାରରେ ଆମଠାରୁ ଦଶ ଗୁଣରୁ ଅଧିକ ସୈନ୍ୟ ନିଶ୍ଚୟ ଛିଡ଼ା ହୋଇଛନ୍ତି; ତେଣୁ ବଞ୍ଚିବାର କୌଣସି ଉପାୟ ନାହିଁ । କିନ୍ତୁ କ୍ଷତି କ’ଣ ? ରାଜପୁତ୍ କେବେହେଲେ ମୃତ୍ୟୁକୁ ଭୟ କରେ ନାହିଁ । ସମସ୍ତେ ମରିବା, କେହି ଜଣେ ହେଲେ ରକ୍ଷା ପାଇପାରିବା ନାହିଁ; କିନ୍ତୁ ପ୍ରଥମେ ମୋଗଲ ସଂହାର କରି ତା’ ପରେ ମରିବା । ମୃତ୍ୟୁ ପୂର୍ବରୁ ଯେ ଦୁଇ ଜଣ ମୋଗଲକୁ ମାରି ନ ପାରିବ, ସେ ରାଜପୁତ୍ ନୁହେଁ । ବନ୍ଧୁଗଣ, ଏ ମାର୍ଗରେ ଘୋଡ଼ା ଛୁଟାଇ ଯାଇହେବ ନାହିଁ । ତେଣୁ ସମସ୍ତେ ଘୋଡ଼ା ଉପରୁ ଓହ୍ଲାଇ ଆସ; ସମସ୍ତେ ହାତରେ ତରବାରି ଧରି ଏକସଙ୍ଗରେ ଅଗ୍ରସର ହୋଇ ତୋପ ଉପରେ ଝାମ୍ପିପଡ଼ିବା । କେତେଜଣଙ୍କର ଆତ୍ମବଳି ଫଳରେ ଢୋପ ଆମର ହସ୍ତଗତ ହୋଇ ପାରିବ । ତା’ପରେ ଦେଖାଯିବ ଆମେ କେତେ ମୋଗଲ ମାରୁଥାଇଁ ।”

 

ରାଜସିଂହଙ୍କର ଏ କଥା ଶୁଣି ରାଜପୁତ୍‌ମାନେ ଅଶ୍ଵ ଉପରୁ ଫକ୍‌ଫାକ୍ ଡେଇଁପଡ଼ି ଏକସଙ୍ଗରେ କମର୍‌ରୁ ତରବାରି ଖୋଲି “ମହାରାଣାଙ୍କର ଜୟ” ନାଦରେ ବନସ୍ଥଳୀ ପ୍ରକମ୍ପିତ କରି ଦୃଢ଼ଭାବରେ ଛିଡ଼ା ହୋଇ ରହିଲେ । ସେମାନଙ୍କ ମୁଖମଣ୍ଡଳର ଦୃଢ଼ତା ଲକ୍ଷ୍ୟ କରି ଭାବିଲେ ରାଜସିଂହ–‘ପ୍ରାଣରକ୍ଷା ହୋଇ ନ ପାରେ; କିନ୍ତୁ ଗୋଟିଏ ହେଲେ ରାଜପୁତ୍ ପଛଘୁଞ୍ଚା ଦେବେ ନାହିଁ’-। ତହୁଁ ଆତ୍ମସନ୍ତୋଷରେ କହିଲେ ମହାରାଣା–‘‘ଦୁଇ ଦୁଇଜଣ କରି ଧାଡ଼ିରେ ଛିଡ଼ାହୋଇ ଯାଅ ।” ଘୋଡ଼ାରେ ଚଢ଼ି ଜଣଙ୍କ ପଛରେ ଜଣେ ଚାଲୁଥିଲେ; କିନ୍ତୁ ପଦବ୍ରଜରେ ସେମାନେ ଦୁଇ ଦୁଇ ଜଣ ଧାଡ଼ି ଧରି ଚାଲିଲେ; ସମସ୍ତଙ୍କ ଆଗରେ ରାଣା ରାଜସିଂହ । ଆଜି ଆସନ୍ନ ମୃତ୍ୟୁମୁଖରେ ପଡ଼ି ସେ ଅତ୍ୟନ୍ତ ଆନନ୍ଦିତ ହୋଇଉଠିଲେ ।

 

ଏହି ସମୟରେ ହଠାତ୍ ପର୍ବତଗୁହାରେ ପ୍ରକମ୍ପିତ କରି ରାଜପୁତ୍ ସେନାର ବଜ୍ର ନିର୍ଘୋଷ ଶୁଣାଗଲା–‘‘ଜୟ, ଜନନୀ ଜନ୍ମଭୂମିର ଜୟ ! ଜୟ, ମହାକାଳୀଙ୍କର ଜୟ !”

 

ଅତ୍ୟନ୍ତ ହର୍ଷସୂଚକ ଜୟଘୋଷ ଶୁଣି ରାଜସିଂହ ପଛକୁ ଫେରିପଡ଼ି ଚାହିଁଲେ–ବ୍ୟାପାର କ’ଣ ? ଦେଖିଲେ–ରାଜପୁତ୍ ସୈନ୍ୟମାନେ ଦୁଇ ଧାଡ଼ିରେ ଏବଂ ମଧ୍ୟରେ ହାସ୍ୟମୁଖୀ କୌଣସି ଦେବୀ ଚାଲିଛନ୍ତି । ହୁଏତ ସ୍ଵୟଂ ଭଗବତୀ ମନୁଷ୍ୟରୂପରେ ଅବତୀର୍ଣ୍ଣା ହୋଇଛନ୍ତି କିମ୍ବା ବିଧାତା କୌଣସି ମାନବୀଙ୍କୁ ଦେବୀଙ୍କର ଅପରୂପ ସୌନ୍ଦର୍ଯ୍ୟ ପ୍ରଦାନ କରି ସୃଷ୍ଟି କରିଛନ୍ତି । ରାଜପୁତ୍ ସୈନ୍ୟମାନେ ମନେ ମନେ ଭାବିଲେ–ଚିତୋରର ଅଧିଷ୍ଠାତ୍ରୀ, ରାଜପୁତ୍‍କୁଳ ସଂରକ୍ଷିଣୀ ଦେବୀ ଭଗବତୀ ଏହି ସଙ୍କଟରୁ ରାଜପୁତ୍‍ମାନଙ୍କୁ ରକ୍ଷା କରିବା ଲାଗି ସ୍ଵୟଂ ଆବିର୍ଭାବ ହୋଇଛନ୍ତି ।

 

ରାଜସିଂହ ଲକ୍ଷ୍ୟ କଲେ–ଏ’ତ ସାମାନ୍ୟ ମାନବୀ ନୁହନ୍ତି । ତେଣୁ ସେ ଡାକି ପଚାରିଲେ–‘‘ଦେଖ, ସବାରି କୁଆଡ଼େ ?”

 

ପଛପଟରୁ ଉତ୍ତର ମିଳିଲା–“ସବାରି ଏଇଠି ଅଛି !”

 

ରାଣା ପୁଣି ପ୍ରଶ୍ନ କଲେ–‘‘ଦେଖ, ସବାରି ଖାଲି କି ନୁହେଁ !”

 

“ସବାରି ଖାଲି... ! ଉତ୍ତର ଦେଲା ଜଣେ ସୈନିକ–“ରାଜକୁମାରୀ ମହାରାଜଙ୍କ ସମ୍ମୁଖରେ !”

 

ଚଞ୍ଚଲ୍‍କୁମାରୀ ରାଜସିଂହଙ୍କୁ ପ୍ରଣାମ ଜଣାଇଲା । ରାଣା ବିସ୍ମୟଭରା ସ୍ଵରରେ ପଚାରିଲେ “କୁମାରୀ ! ତୁମେ ଏଠାରେ କାହିଁକି... ?”

 

“ମହାରାଜଙ୍କୁ ପ୍ରଣାମ ନିବେଦନ କରିବାକୁ ଆସିଛି ! ପ୍ରଣାମ କରିସାରିଛି–ଏଥର ଗୋଟିଏ ଭିକ୍ଷା ପ୍ରାର୍ଥନା କରୁଛି; ନିରାଶ ନ କରିବାକୁ ଅନୁରୋଧ ! ମୁଁ ଗୋଟିଏ ମୁଖରା; ନାରୀର ଭୂଷଣ ଲଜ୍ଜା ମଧ୍ୟ ମୋଠାରେ ନାହିଁ । ମୋତେ କ୍ଷମା କରିବେ ମହାରାଜ !” ରାଜକୁମାରୀ ଗମ୍ଭୀର ଭାବରେ ଯୋଡ଼ହସ୍ତରେ ଛିଡ଼ା ହୋଇ ରହିଲା ।

 

“ତୁମରି ପାଇଁ ଏତେ ଦୂରପଥ ଅତିକ୍ରମ କରି ଆସିଛି; ତୁମକୁ ଅଦେୟ ମୋର କିଛି ନାହିଁ, ରୂପନଗରର ରାଜଜେମା ! ତୁମେ କ’ଣ ଚାହୁଁଛ କୁହ ?”

 

ଚଞ୍ଚଲ୍‍ କୁମାରୀ ପୂର୍ବପରି ହାତଯୋଡ଼ି କହିଲା–“ମୋର ବୁଦ୍ଧିର ଚଞ୍ଚଳତା ହେତୁରୁ ମୁଁ ଆପଣଙ୍କୁ ଆସିବା ଲାଗି ଲେଖିଥିଲି; କିନ୍ତୁ ମୁଁ ମୋର ମନକୁ ଆୟତ୍ତ କରି ପାରିନାହିଁ । ମୋଗଲ ସମ୍ରାଟଙ୍କର ଐଶ୍ଵର୍ଯ୍ୟ ବିଷୟରେ ଶୁଣି ମୁଗ୍‍ଧ ହୋଇଯାଇଛି; ତେଣୁ ଆପଣ ଅନୁମତି ପ୍ରଦାନ କରନ୍ତୁ, ମୁଁ ଦିଲ୍ଲୀ ଚାଲିଯିବି ।”

 

ରାଜସିଂହ ପ୍ରଥମେ ବିସ୍ମିତ ଓ ପରେ ଅତ୍ୟନ୍ତ ପ୍ରୀତ ହୋଇ କହିଲେ–“ତୁମେ ଯଦି ଦିଲ୍ଲୀ ଯିବାକୁ ଚାହୁଁଛ, ଯାଇପାର; ସେଥିରେ ମୋର ଆପତ୍ତି ନାହିଁ । କିନ୍ତୁ ବର୍ତ୍ତମାନ ତୁମକୁ ଛାଡ଼ିଦେଲେ, ମୁଁ ପ୍ରାଣଭୟରେ ଶରଣ ପଶିଲି ବୋଲି ମୋଗଲମାନଙ୍କର ଧାରଣା ହେବ । ଏ ଯୁଦ୍ଧ ପ୍ରଥମେ ଶେଷ ହୋଇଯାଉ, ତା’ପରେ ତୁମେ ଯାଇପାରିବ । ତୁମର ମନକଥା ମୁଁ ବୁଝିନାହିଁ ବୋଲି ତୁମେ ମନେକରନାହିଁ । ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମେ ଦିଲ୍ଲୀ ଯାଇପାରିବ ନାହିଁ । ସୈନ୍ୟଗଣ, ଆଗେଇ ଚାଲ ।”

 

ଚଞ୍ଚଲ୍‍କୁମାରୀ ମୁଖମଣ୍ଡଳରେ ମୃଦୁହାସ୍ୟରେଖାର କଟାକ୍ଷଛଟା ଫୁଟାଇ ଦକ୍ଷିଣ ହସ୍ତର କନିଷ୍ଠାଙ୍ଗୁଳିରେ ଥିବା ମୁଦ୍ରିକାଟିକୁ ବାମହସ୍ତରେ ପିନ୍ଧି କହିଲା–“ମହାରାଜ ! ଏହି ମୁଦ୍ରିକାରେ ବିଷ ରହିଛି । ଆପଣ ମୋତେ ଦିଲ୍ଲୀ ଯିବାରେ ବାଧା ଦେଲେ ମୁଁ ବିଷ ଖାଇଦେବି ।”

 

ରାଜସିଂହ ଟିକିଏ ହସିଦେଇ କହିଲେ–“ମୁଁ ବୁଝିସାରିଲିଣି । ତୁମେ ରମଣୀକୁଳର ଧନ୍ୟା, କୁମାରୀ ! ତୁମେ ଯାହା ଭାବିଛ ତାହା ହୋଇପାରିବ ନାହିଁ । ଆଜି ଏଠାରୁ ରାଜପୁତ୍‌ମାନଙ୍କୁ କୌଣସିମତେ ବଞ୍ଚାଇ ହେବ ନାହିଁ । ଆଜି ରାଜପୁତ୍‌ମାନଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ; ଅନ୍ୟଥା ରାଜପୁତ୍‌କୁଳରେ କଳଙ୍କ–କାଳିମା ଚିରଦିନ ଲେପିହୋଇଯିବ । ଆମେମାନେ ଯେ ପର୍ଯ୍ୟନ୍ତ ମୃତ୍ୟୁବରଣ କରିନାହୁଁ, ତୁମେ ବନ୍ଦିନୀ । ଆମ ମୃତ୍ୟୁ ପରେ, ତୁମେ ମନଇଚ୍ଛାରେ କୁଆଡ଼େ ଯାଇପାର ।”

 

ରାଜକୁମାରୀ ଚଞ୍ଚଲ୍‍ର ମୁଖମଣ୍ଡଳରେ ପ୍ରଣୟ–ପ୍ରଫୁଲ୍ଲ ତଥା ଭକ୍ତିପ୍ରଣୋଦିତ ହାସ୍ୟଛଟା ଉକୁଟିଉଠିଲା । ସାକ୍ଷାତ୍ ଶିବଙ୍କ ପରି ସୌମ୍ୟ ମୂର୍ତ୍ତି ରାଜସିଂହଙ୍କ ଉପରେ କଟାକ୍ଷ ଦୃଷ୍ଟି କରି ସେ ମନେ ମନେ ଭାବିଲା–ବୀରଚୂଡ଼ାମଣି, ଆଜିଠାରୁ ମୁଁ ଆପଣଙ୍କର ଶ୍ରୀଚରଣରେ ଦାସୀ ହୋଇ ରହିଲି । ଯଦି ଦାସୀ ହୋଇ ନ ପାରେ, ତା’ହେଲେ ଏ ପ୍ରାଣ ରଖିବି ନାହିଁ; କିନ୍ତୁ ପ୍ରକାଶ୍ୟରେ କହିଲା–ମହାରାଜ ! ଦିଲ୍ଲୀଶ୍ଵର ଯାହାକୁ ମହିଷୀ କରିବାକୁ ଅଭିଳାଷ କରିଛନ୍ତି, ସେ କାହାରି ବନ୍ଦିନୀ ହୋଇ ନ ପାରେ । ଏଇ ମୁଁ ମୋଗଲମାନଙ୍କ ନିକଟକୁ ଚାଲିଲି; କାହାର ସାଧ୍ୟ ମୋତେ ବାଧାଦେଉ ଦେଖି... ।”

 

ଏହା କହି ଚଞ୍ଚଲ୍‍କୁମାରୀ ଜୀବନ୍ତ ଦେବମୂର୍ତ୍ତିପରି ରାଜସିଂହଙ୍କ ପାଖଦେଇ ଗହ୍ୱରର ପ୍ରବେଶଦ୍ୱାର ଆଡ଼କୁ ଅଗ୍ରସର ହେଲା ।

 

ଚଞ୍ଚଲ୍‍କୁମାରୀ କ୍ରୋଧରେ ଅଗ୍ନିଶର୍ମା ହୋଇଥିବା ପାଞ୍ଚଶହ ମୋଗଲ ସୈନ୍ୟଙ୍କ ସମ୍ମୁଖରେ ଛିଡ଼ା ହୋଇଗଲା । ସେଠାରେ ପଥରୋଧକାରୀ, ମନୁଷ୍ୟ–ନିର୍ମିତ ବଜ୍ର ସମସ୍ତଙ୍କୁ ଏକାଥରରେ ଆତ୍ମସାତ୍ କରିବା ଭଳି ଆଁ କରି ରହିଛି । ସେହି କମାଣ ସମ୍ମୁଖରେ ରତ୍ନବିଭୂଷିତା ଅନିନ୍ଦ୍ୟସୁନ୍ଦରୀ ରାଜକୁମାରୀ ଛିଡ଼ା ହୋଇ ରହିଲା । ମୋଗଲ ସୈନ୍ୟମାନେ ଭାବିଲେ ପର୍ବତବାସିନୀ ସାକ୍ଷାତ୍ ବନଦେବୀ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ; କିନ୍ତୁ ସେମାନଙ୍କ ଭ୍ରମ ଦୂର କରାଇ ସ୍ପଷ୍ଟ ସ୍ଵରରେ ପଚାରିଲା ଚଞ୍ଚଲ୍‍କୁମାରୀ–‘‘ଏ ଦଳର ସେନାପତି କିଏ... ?”

 

ମୋବାରକ୍ ଗହ୍ଵରର ଦ୍ଵାରଦେଶରେ ରହି ରାଜପୁତ୍‍ମାନଙ୍କ ଆଗମନକୁ ଅପେକ୍ଷା କରିଥିଲେ । ସେ ଉତ୍ତର ଦେଲେ–“ବର୍ତ୍ତମାନ ପାଇଁ ଦଳର ଅଧିନାୟକ ଏଇ ଅଧମ ।”

 

ଚଞ୍ଚଲ୍‍କୁମାରୀ ପୂର୍ବପରି ପଚାରିଲେ–“ମୁଁ ଜଣେ ସାମାନ୍ୟ ସ୍ତ୍ରୀ । ଆପଣଙ୍କ ନିକଟରେ ଭିକ୍ଷାପ୍ରାର୍ଥିନୀ; ମୁଁ ମୋର ଅଭିପ୍ରାୟ ଏକାନ୍ତରେ ପ୍ରକାଶ କରିବି ।”

 

“ତା’ ହେଲେ ଦେବୀ ଗୁହା ଭିତରକୁ ଚାଲନ୍ତୁ !”

 

ଚଞ୍ଚଲ ଆଗେ ଆଗେ ଅଗ୍ରସର ହେଲା ଏବଂ ମୋବାରକ୍ ତାକୁ ଅନୁସରଣ କଲେ ।

 

ଗୋଟିଏ ଏକାନ୍ତ ସ୍ଥାନକୁ ଯାଇ କହିଲା ଚଞ୍ଚଲ୍‍–“ମୁଁ ରୂପନଗରର ରାଜକନ୍ୟା; ମୋତେ ବିବାହ କରିବା ଅଭିଳାଷରେ ବାଦଶାହ ଏହି ସୈନ୍ୟଦଳ ପଠାଇଥିଲେ । ତୁମେ ଏହା ବିଶ୍ଵାସ କରୁଛ କି ?”

 

“ଆପଣଙ୍କୁ ଦେଖିବା ପରେ ସେ ବିଶ୍ଵାସ ହେଉଛି !”

 

ତେବେ ଶୁଣ, ଧର୍ମଭ୍ରଷ୍ଟ ଭୟରେ ମୁଁ ମୋଗଲକୁ ବିବାହ କରିବାଲାଗି ଅନିଚ୍ଛୁକ; କିନ୍ତୁ ମୋର ପିତା ମୋଗଲ ବାଦ୍‌ଶାହଙ୍କ ଆଗରେ ନିତାନ୍ତ ନଗଣ୍ୟ; ତେଣୁ ସେ ମୋତେ ତୁମ ସହିତ ପଠାଇଦେଲେ । ନିଜକୁ ରକ୍ଷାକରିବାଲାଗି ମୁଁ ରାଜସିଂହଙ୍କ ନିକଟକୁ ଦୂତ ପ୍ରେରଣ କରିଥିଲି; ସେ ମାତ୍ର ପଚାଶ ଜଣ ସୈନ୍ୟ ଧରି ପହଞ୍ଚିଛନ୍ତି । ସେମାନଙ୍କ ବଳବୀର୍ଯ୍ୟ ଦେଖିଲେ ତ ?”

 

“କି ଆଶ୍ଚର୍ଯ୍ୟର କଥା ! ମାତ୍ର ପଚାଶ ଜଣ ରାଜପୁତ୍ ଏତେ ମୋଗଲ ସୈନ୍ୟ ନିପାତ କରିଦେଲେ......... ?” ଚମକିଉଠି କହିଲେ ମୋବାରକ୍ ।

 

“ଆଦୌ ବିଚିତ୍ର ନୁହେଁ ! ଶୁଣିଛି, ହଳଦୀଘାଟ ଯୁଦ୍ଧରେ ଏହିପରି ହୋଇଥିଲା । ସେ ଯାହା ହେଉ, ରାଜସିଂହ ବର୍ତ୍ତମାନ ଆପଣଙ୍କଠାରେ ପରାସ୍ତ । ତାଙ୍କ ପରାଜୟ ଲକ୍ଷ୍ୟ କରି ମୁଁ ନିଜେ ଆସି ଧରାଦେଇଛି । ମୋତେ ଦିଲ୍ଲୀ ନେଇ ଚାଲନ୍ତୁ, ଆଉ ଯୁଦ୍ଧରେ ପ୍ରୟୋଜନ ନାହିଁ ।” କହିଲା ଚଞ୍ଚଲ୍‍କୁମାରୀ ।

 

“ବୁଝିଲି, ନିଜର ସୁଖ ପରତ୍ୟାଗ କରି ଆପଣ ରାଜପୁତ୍‌ମାନଙ୍କ ପ୍ରାଣରକ୍ଷା କରିବାକୁ ଚାହୁଁଛନ୍ତି । ସେମାନେ କ’ଣ ସେଇଆ ଚାହାନ୍ତି ?” ସନ୍ଦିଗ୍‌ଧ ମନରେ ପଚାରିଲେ ମୋବାରକ୍ । “ତା’ କ’ଣ କେବେ ସମ୍ଭବ ? ମୋତେ ନେଇ ଆପଣମାନେ ଚାଲିଗଲେ ସୁଦ୍ଧା ସେମାନେ ଯୁଦ୍ଧ ତ୍ୟାଗ କରିବେ ନାହିଁ । ମୋର ଅନୁରୋଧ, ମୋ କଥାରେ ଏକମତ ହୋଇ ଆପଣ ସେମାନଙ୍କର ପ୍ରାଣରକ୍ଷା କରନ୍ତୁ !”

 

“ହଁ, ଅନୁରୋଧ ମୁଁ ରକ୍ଷାକରିବାକୁ ପ୍ରସ୍ତୁତ ! କିନ୍ତୁ ଦସ୍ୟୁଙ୍କୁ ନିଶ୍ଚୟ ଦଣ୍ଡ ଦିଆଯିବ । ମୁଁ ସେମାନଙ୍କୁ ବନ୍ଦୀ କରିବି !” ଦୃଢ଼ଭାବରେ କହିଲେ ମୋବାରକ୍ ।

 

“ଆପଣ ସବୁ କିଛି କରିପାରିବେ; କିନ୍ତୁ ତାହା କରିପାରିବେ ନାହିଁ । ରାଜପୁତ୍‍ମାନଙ୍କୁ ପ୍ରାଣରେ ବଧ କରିପାରିବେ; କିନ୍ତୁ ବନ୍ଦୀ କରି ପାରିବେ ନାହିଁ ! ସେମାନେ ମରିବା ଲାଗି ଦୃଢ଼ପ୍ରତିଜ୍ଞ ହୋଇଛନ୍ତି; ମରିବେ ନିଶ୍ଚୟ !”

 

“ମୋର ସେଇ ଧାରଣା ଜାତ ହୋଇଛି; କିନ୍ତୁ ଆପଣ ଆମ ସହିତ ଦିଲ୍ଲୀ ଯିବା ନିଶ୍ଚିତ ତ ?” ରାଜପୁତ୍‍ ରମଣୀ ପ୍ରତି ମନରେ ଅବିଶ୍ଵାସ କରି ପଚାରିଲେ ମୋବାରକ୍ ।

 

“ଆପାତତଃ ଆପଣମାନଙ୍କ ସହିତ ଯିବା ନିଶ୍ଚିତ; କିନ୍ତୁ ଦିଲ୍ଲୀରେ ପହଞ୍ଚିବି କି ନା, ସନ୍ଦେହ !”

 

“ସେ କି କଥା... ?”

 

“ଆପଣମାନେ ଯୁଦ୍ଧ କରି ମରିଜାଣନ୍ତି; ଆମେମାନେ ଅବଳା, ତା’ହେଲେ କ’ଣ ଆମେ ସେହିପରି ଖାଲି ଖାଲି ମରିପାରିବୁ ନାହିଁ ?”

 

ଚଞ୍ଚଲ୍‍ର କଥାରେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମୋବାରକ୍–‘‘ଆମେ ଆମ ଶତ୍ରୁଙ୍କୁ ନିପାତ କରୁ; ଆପଣଙ୍କର କ’ଣ କେହି ଶତ୍ରୁ ଅଛନ୍ତି ?”

 

“ମୁଁ ନିଜେ... ।”

 

“ଆମ ଶତ୍ରୁଙ୍କ ହାତରେ ଅନେକ ପ୍ରକାର ଅସ୍ତ୍ରଶସ୍ତ୍ର ଅଛି ! କିନ୍ତୁ ଆପଣଙ୍କର... ?”

 

ବିନା ଦ୍ଵିଧାରେ ଉତ୍ତର ଦେଲା ଚଞ୍ଚଲ୍‍–‘‘ବିଷ... !”

 

“କେଉଁଠି ଅଛି ?” ଏହା କହି ଏକଧ୍ୟାନରେ ମୋବାରକ୍ ଚଞ୍ଚଲ୍‍କୁ ଚାହିଁରହିଲେ ।

 

ଅନ୍ୟ କେହି ହୋଇଥିଲେ ହୁଏତ ଭାବିଥାନ୍ତା, ନାରୀର କଟାକ୍ଷ ବ୍ୟତୀତ ଅନ୍ୟ କେଉଁଠାରେ କ’ଣ ବିଷ ଥିବା ସମ୍ଭବ ? କିନ୍ତୁ ମୋବାରକ୍ ଜଣେ ସାଧାରଣ ମନୁଷ୍ୟ ନ ଥିଲେ । ସେ ଥିଲେ ରାଜସିଂହଙ୍କ ପରି ଜଣେ ବୀର ଯୋଦ୍ଧା ! ସେ ଚଞ୍ଚଲ୍‍ ଆଡ଼କୁ କରୁଣ ଚାହାଣିରେ ନିରୀକ୍ଷଣ କରି କହିଲେ–‘‘ମା, ଆପଣ ଆତ୍ମଘାତିନୀ ହେବେ କାହିଁକି ? ଆପଣ ଯଦି ଯିବାକୁ ନ ଚାହାନ୍ତି, ତେବେ ବଳପୂର୍ବକ ନେବା କ’ଣ ମୋ ପକ୍ଷରେ ସମ୍ଭବ ? ନିଜେ ଦିଲ୍ଲୀଶ୍ଵର ହେଲେ ସୁଦ୍ଧା ଆପଣଙ୍କୁ ବଳପୂର୍ବକ ନେଇପାରିବେ ନାହିଁ; ମୁଁ ଅବା କି ଛାର ? ଆପଣ ନିଶ୍ଚିନ୍ତ ରହନ୍ତୁ, ଏହି ରାଜପୁତ୍‍ମାନେ ବାଦଶାହୀ ସେନାଙ୍କୁ ଆକ୍ରମଣ କରିଛନ୍ତି; କିନ୍ତୁ ମୁଁ ଜଣେ ସେନାପତି ହୋଇ କିପରି ସେମାନଙ୍କୁ କ୍ଷମା କରିବି ?”

 

“କ୍ଷମା କରିବା ଦରକାର ନାହିଁ, ବେଶ୍ ଯୁଦ୍ଧ କରନ୍ତୁ !”

 

ସେହି ସମୟରେ ରାଜପୁତ୍‍ମାନଙ୍କ ସହିତ ରାଜସିଂହ ସେଠାରେ ଉପସ୍ଥିତ ହୋଇଗଲେ-। ଚଞ୍ଚଲ୍‍କୁମାରୀ ପୂର୍ବପରି କହିଚାଲିଲା–“ଯୁଦ୍ଧ କରନ୍ତ, ଆପତ୍ତି ନାହିଁ, କିନ୍ତୁ ରାଜପୁତ୍‍ ରମଣୀମାନେ ମଧ୍ୟ ମରିବାର ଉପାୟ ଜାଣନ୍ତି ।”

 

ମୋଗଲ ସେନାପତି ସହିତ ଲଜ୍ଜାହୀନ ଭାବରେ ଚଞ୍ଚଲ୍‍କୁମାରୀ କ’ଣ କଥାବାର୍ତ୍ତା କରୁଛି, ତାହା ଜାଣିବା ଲାଗି ରାଜସିଂହ ସେଠାରେ ଉପସ୍ଥିତ ହୋଇଗଲେ । ଚଞ୍ଚଲ୍‍ ମହାରାଜାଙ୍କ ଆଡ଼କୁ ହାତପାତି କହିଲା–‘‘ମହରାଜଧିରାଜ ! ଦୟାକରି ଆପଣଙ୍କ କମରରେ ଝୁଲୁଥିବା ଏହି ଖଡ଼୍‌ଗଟିକୁ ରାଜପ୍ରସାଦ ସ୍ୱରୂପ ଦାସୀକୁ ଦେବାଲାଗି ଆଜ୍ଞା ହେଉ !”

 

ରାଜସିଂହ ହସି ହସି ଖଡ଼୍‍ଗଟି ବଢ଼ାଇଦେଇ କହିଲେ–“ବୁଝିଲି, ପ୍ରକୃତରେ ତୁମେ ଭୈରବୀ !”

 

ଏହା ଦେଖି ମୋଗଲ ସେନାପତି ଚଞ୍ଚଲ୍‍କୁମାରୀକୁ କିଛି ଉତ୍ତର ନଦେଇ, ରାଜସିଂହଙ୍କ ଆଡ଼କୁ ଚାହିଁ କହିଲେ–‘‘ଉଦୟପୁର ବୀରମାନେ କେବେଠାରୁ ସ୍ତ୍ରୀମାନଙ୍କ ବାହୁବଳ ଉପରେ ଭରସା ରଖି ଶିଖିଲେଣି ?”

 

ରାଜସିଂହଙ୍କ ଦୀପ୍ତ ଚକ୍ଷୁରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେବାକୁ ଲାଗିଲା, ସେ ଗୁରୁଗମ୍ଭୀର ସ୍ଵରରେ କହିଲେ–‘‘ମୋଗଲମାନେ ନାରୀ ଜାତି ଉପରେ ଅତ୍ୟାଚାର ଆରମ୍ଭ କରିବା ଦିନରୁ ରାଜପୁତ୍‍ ରମଣୀମାନଙ୍କ ଭୁଜରେ ଅମିତ ବିକ୍ରମ ଆରମ୍ଭ ହୋଇଛି ।” ସେ ଏତିକି କହିସାରି ସିଂହବିକ୍ରମରେ ନିଜ ସୈନ୍ୟମାନଙ୍କୁ ଲକ୍ଷ୍ୟ କରି କହିଲେ “ରାଜପୁତ୍‍ମାନେ ବୃଥା ବାକ୍ୟ ବ୍ୟୟରେ ସମୟ ନଷ୍ଟ କରନ୍ତି ନାହିଁ । ଆଉ ବୃଥା ସମୟ ନଷ୍ଟକରି ଲାଭ ନାହିଁ, ପିମ୍ପୁଡ଼ି ପରି ଏହି ମୋଗଲମାନଙ୍କୁ ଦଳି ଚକଟି ଦିଅ ।”

 

ଏ ପର୍ଯ୍ୟନ୍ତ ଉଭୟପକ୍ଷ ସୈନ୍ୟ ମୁହାଁ ମୁହିଁ ହୋଇ ରହିଥିଲେ । ରାଜପୁତ୍‌ମାନେ ରାଣାଜୀଙ୍କର ଆଜ୍ଞା ପାଇବା ମାତ୍ରେ ‘ମାତାଜୀଙ୍କର ଜୟ’ ନାଦରେ ପ୍ରଚଣ୍ଡତାର ସହିତ ମୋଗଲମାନଙ୍କ ଆଡ଼କୁ ମାଡ଼ିଚାଲିଲେ ଏବଂ ମୋବାରକ୍‌ଙ୍କ ଆଜ୍ଞା ପାଇ ମୋଗଲ ସୈନ୍ୟମାନେ ଆଲ୍ଲା ହୋ ଆକ୍‌ବର, ଧ୍ଵନିକରି ରାଜପୁତ୍‌ମାନଙ୍କ ପ୍ରତିରୋଧ କରିବାକୁ ଆଗେଇ ଆସିଲେ । ଉଭୟ ପକ୍ଷରେ ସୈନ୍ୟମାନେ ଉତ୍ସାହର ସହିତ ଆଗେଇ ଆସିଲେ ସତ; କିନ୍ତୁ ସ୍ତମ୍ଭୀଭୂତ ହୋଇ ରହିଗଲେ; କାରଣ ଠିକ୍ ଉଭୟ ସୈନ୍ୟଙ୍କ ମଧ୍ୟଭାଗରେ ଅସି ଉତ୍ତୋଳନ କରି ନୀରବ ତଥା ନିଷ୍ପନ୍ଦ ଭାବରେ ଛିଡ଼ାହୋଇଥିଲା ଚଞ୍ଚଲ୍‍କୁମାରୀ ।

 

ଚଞ୍ଚଲ୍‍ ଉଭୟପକ୍ଷଙ୍କୁ ସମ୍ବୋଧନ କରି କହିଲା–‘‘ଗୋଟିଏ ପକ୍ଷ ଯୁଦ୍ଧରୁ ନିବୃତ୍ତ ନ ହେବା ପର୍ଯ୍ୟନ୍ତ ମୁଁ ଏଠାରୁ ପାଦେହେଲେ ଘୁଞ୍ଚିବି ନାହିଁ । ପ୍ରଥମେ ମୋତେ ବଧ ନ କରି କେହି ଅସ୍ତ୍ର ଚାଳନା କରିପାରିବେ ନାହିଁ ।”

 

ଚଞ୍ଚଲ୍‍କୁମାରୀର କାର୍ଯ୍ୟରେ ରୁଷ୍ଟ ହୋଇ କହିଲେ ରାଜସିଂହ–‘‘ଏହା ତୁମର ପ୍ରକୃତ କର୍ତ୍ତବ୍ୟ ନୁହେଁ; ତୁମେ ନିଜ ହସ୍ତରେ ସମଗ୍ର ରାଜପୁତ୍ କୁଳରେ କଳଙ୍କ ଲେପନ କରୁଛ କାହିଁକି ? ଲୋକେ କହିବେ, ଏହି ଯୁଦ୍ଧରେ ଗୋଟିଏ ସ୍ତ୍ରୀର ସାହାଯ୍ୟ ନେଇ ରାଜସିଂହ ପ୍ରାଣରକ୍ଷା କଲେ ।”

 

“ମହାରାଜ, ଆପଣଙ୍କୁ ମରିବା ଲାଗି କିଏ ବାରଣ କରୁଛି କି ? ମୁଁ କେବଳ ପ୍ରଥମେ ମରିବାକୁ ଚାହୁଁଛି । ଯେ ସମସ୍ତ ଅନର୍ଥର ମୂଳ, ତା’ର ପ୍ରଥମେ ମରିବା ଉଚିତ ନୁହେଁ କି ?” ଉତ୍ତର ଦେଲା ଚଞ୍ଚଲ୍‍କୁମାରୀ ।

 

ଚଞ୍ଚଲ୍‍ ଟିକିଏ ହେଲେ ଘୁଞ୍ଚିଲା ନାହିଁ, ମୋଗଲମାନେ ବାଧ୍ୟ ହୋଇ ବନ୍ଧୁକ ତଳମୁହାଁ କରିଦେଲେ । ମୋବାରକ ଚଞ୍ଚଲ୍‍କୁମାରୀର ସାହସିକ ପଦକ୍ଷେପ ଦେଖି ମୁଗ୍‌ଧ ହୋଇଗଲେ । ସେ ଉଭୟପକ୍ଷର ସୈନ୍ୟମାନଙ୍କୁ ସମ୍ବୋଧନ କରି କହିଲେ–‘‘ମୋଗଲ ବାଦଶାହ ସ୍ତ୍ରୀମାନଙ୍କ ସହିତ ଯୁଦ୍ଧ କରନ୍ତି ନାହିଁ । ତେଣୁ ଆମେମାନେ ଏହି ସୁନ୍ଦରୀଙ୍କ ନିକଟରୁ ପରାଜୟ ସ୍ଵୀକାର କରି ଯୁଦ୍ଧ କରନ୍ତି ନାହିଁ । ତେଣୁ ଆମେମାନେ ଏହି ସୁନ୍ଦରୀଙ୍କ ନିକଟରୁ ପରାଜୟ ସ୍ଵୀକାର କରି ଯୁଦ୍ଧ ତ୍ୟାଗକରି ଚାଲିଯିବା । ରାଣା ରାଜସିଂହଙ୍କ ସହିତ ଜୟ ପରାଜୟର ମୀମାଂସା ଅନ୍ୟ ସ୍ଥାନରେ ହୋଇପାରିବ । ମୁଁ ଆଜି ରାଣାଙ୍କୁ ଅନୁରୋଧ କରୁଛି, ସେଥର ଯେପରି ସ୍ତ୍ରୀଲୋକ ସଙ୍ଗରେ ଧରି ନ ଆସନ୍ତି ।”

 

ଚଞ୍ଚଲ୍‍କୁମାରୀ ମୋବାରକ୍ ଲାଗି ଚିନ୍ତିତ ହୋଇ ଉଠିଲା । ଯୁଦ୍ଧ ବନ୍ଦ କରି ମୋବାରକ୍ ଘୋଡ଼ା ଉପରେ ବସିବା ଲାଗି ଉପକ୍ରମ କରିବା ମାତ୍ରେ ଚଞ୍ଚଲ୍‍ କହିଲା–‘‘ସାହେବ ! ମୋତେ ଏଠାରେ ଛାଡ଼ିଦେଇ ଯାଉଛନ୍ତି କୁଆଡ଼େ ? କେବଳ ମୋ’ରି ପାଇଁ ବାଦ୍‌ଶାହ ଆପଣଙ୍କୁ ପଠାଇଥିଲେ; କିନ୍ତୁ ମୋତେ ସଙ୍ଗରେ ନେଇ ନଗଲେ ବାଦ୍‌ଶାହ ତୁମମାନଙ୍କୁ କ’ଣ କହିବେ ?”

 

ମୋବାରକ୍ ଉପରକୁ ହାତ ଦେଖାଇ କହିଲେ–‘‘ବାଦଶାହଙ୍କ ଉପରେ ଆଉ ଜଣେ ମାଲିକ ଅଛନ୍ତି, ଆମେ ତାଙ୍କରିଠାରେ ଏହାର ଜବାବ୍ ଦେବୁ !”

 

“ସେ ତ ପରଲୋକର ବିଷୟ; କିନ୍ତୁ ଇହ ଲୋକରେ... ?”

 

‘‘ମୋବାରକ୍ ଅଲି ଇହଲୋକରେ କାହାରିକୁ ଭୟ କରେନା ! ପରମାତ୍ମା ଆପଣଙ୍କୁ ମଙ୍ଗଳରେ ରଖନ୍ତୁ, ଆମେ ଚାଲିଲୁ !” ଏହା କହି ମୋବାରକ୍ ଅଶ୍ଵ ଆରୋହଣ କରି ସୈନ୍ୟମାନଙ୍କୁ ଫେରିଯିବା ଲାଗି ଆଦେଶ ଦେଲେ । ଠିକ୍ ଏହି ସମୟରେ ପଛଆଡ଼ୁ ଶହଶହ ବନ୍ଧୁକର ଶବ୍ଦ ଶୁଣାଗଲା ଏବଂ ତା’ଫଳରେ ଶହ ଶହ ମୋଗଲ ସୈନ୍ୟ ଧରାଶାୟୀ ହୋଇଗଲେ । ମୋବାରକ୍ ଲକ୍ଷ୍ୟକଲେ, ସେମାନେ ଘୋର ବିପଦର ସମ୍ମୁଖୀନ ହୋଇଛନ୍ତି ।

Image

 

ସୁଦକ୍ଷ ମାଣିକଲାଲ୍‍

 

ମାଣିକଲାଲ୍‍ ପାର୍ବତ୍ୟ ପଥରୁ ବାହାରି ଘୋଡ଼ା ଛୁଟାଇ ରୂପନଗରଆଡ଼କୁ ତୀବ୍ରବେଗରେ ଧାଇଁଗଲେ । ରୂପନଗର ରାଜାଙ୍କର କେତେକ ଜାଗିରଭୋଗୀ ସୈନ୍ୟଥିଲେ; ଆବଶ୍ୟକ ସମୟରେ ସେମାନେ ଢାଲ, ତରବାରି, ଲାଠି, ବର୍ଚ୍ଛା ଧରି ଉପସ୍ଥିତ ହେଉଥିଲେ । ସେମାନଙ୍କର ଗୋଟିଏ ଲେଖାଏଁ ନିଜ ନିଜର ଘୋଡ଼ା ଥିଲା । ମୋଗଲ ସୈନ୍ୟଙ୍କ ଆସିବାର ଖବର ପାଇ ରାଜା ସେମାନଙ୍କୁ ଡକାଇଥିଲେ; କାରଣ ମୋଗଲ ସେନାଙ୍କ ପରିଚର୍ଯ୍ୟା ଲାଗି ଯୋଗ୍ୟଲୋକ ଦରକାର; କିମ୍ବା ଯଦି ସେମାନେ କିଛି ଉପଦ୍ରବ କରନ୍ତି, ଆପାତତଃ ଶାନ୍ତିରକ୍ଷା କରାଯାଇପାରିବ । ରାଜାଙ୍କ ଡାକରା ପାଇବା ମାତ୍ରେ ସେମାନେ ଘୋଡ଼ା, ଢାଲ–ତରବାରି ସହିତ ଆସି ହାଜର ହୋଇଗଲେ ଏବଂ ରାଜା ମଧ୍ୟ ନିଜ ଅସ୍ତ୍ରାଗାରରୁ କିଛି ଅସ୍ତ୍ରଶସ୍ତ୍ର ଦେଇ ସେମାନଙ୍କୁ ସୁସଜ୍ଜିତ କଲେ । ସେମାନେ ମୋଗଲ ସେନାଙ୍କ ପରିଚର୍ଯ୍ୟାରେ ନିଯୁକ୍ତ ରହି କେତୋଟି ଦିନ ହସଖୁସିରେ କଟାଇଦେଲେ । ସେଦିନ ସକାଳେ ମୋଗଲ ସେନା ଶିବିର ଭଙ୍ଗକରି ରାଜକୁମାରୀକୁ ନେଇ ଚାଲିଯାଆନ୍ତେ, ରୂପନଗର ସୈନ୍ୟମାନେ ନିଜ–ନିଜର ଘରକୁ ଫେରିଯିବା ଲାଗି ପ୍ରସ୍ତୁତ ହେଲେ ଏବଂ ରାଜାଙ୍କର ଅସ୍ତ୍ରଶସ୍ତ୍ର ଫେରାଇଦେବା ଲାଗି ଅସ୍ତ୍ରାଗାରଠାରେ ଏକତ୍ରିତ ହେଲେ । ସେମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ରାଜା କେତେକ ସ୍ନେହପୂର୍ଣ୍ଣ କଥା କହୁଥିବା ସମୟରେ ମାଣିକଲାଲ୍‍ ଧଇଁସଇଁ ହୋଇ ସେଠାରେ ପହଞ୍ଚିଗଲା ।

 

ମୋଗଲ ପୋଷାକଧାରୀ ମାଣିକଲାଲ୍‍କୁ ଫେରିଆସିବାର ଦେଖି ରାଜା ବିସ୍ମିତ ହୋଇ ପଚାରିଲେ–“କି ଖବର ?”

 

ମାଣିକଲାଲ୍‍ ଅଭିବାଦନ ଜଣାଇ କହିଲା–“ମହାରାଜ, ବଡ଼ ଦୁଃସମ୍ବାଦ ! ପ୍ରାୟ ପାଞ୍ଚହଜାର ଦସ୍ୟୁ ଆସି ରାଜକୁମାରୀଙ୍କୁ ଘେରିଯାଇଛନ୍ତି । ଜନାବ୍ ହାସାନ୍ ଅଲି ଖାଁ ବାହାଦୁର ମୋତେ ଆପଣଙ୍କ ନିକଟକୁ ପଠାଇଲେ । ସେ ପ୍ରାଣମୂର୍ଚ୍ଛା ଯୁଦ୍ଧକରି ଦସ୍ୟୁଦଳର ସମ୍ମୁଖୀନ ହୋଇଛନ୍ତି; କିନ୍ତୁ ଆଉ କିଛି ସୈନ୍ୟ ନ ପହଞ୍ଚିଲେ ରକ୍ଷାପାଇବା ସମ୍ଭବ ନୁହେଁ । ତେଣୁ ଆପଣଙ୍କଠାରୁ ସୈନ୍ୟ ସାହାଯ୍ୟ ପାଇବାଲାଗି ମୋତେ ପଠାଯାଇଛି ।

 

ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ି କହିଲେ–“ସୌଭାଗ୍ୟକ୍ରମେ ମୋ ସୈନ୍ୟମାନେ ପ୍ରସ୍ତୁତ ଅଛନ୍ତି ।” ସେ ସୈନ୍ୟମାନଙ୍କୁ ଲକ୍ଷ୍ୟକରି କହିଲେ–“ତୁମେମାନେ ଅଶ୍ଵଆରୋହଣ କରି ଯୁଦ୍ଧସ୍ଥଳକୁ ଆଗେଇ ଚାଲ । ମୁଁ ନିଜେ ତୁମମାନଙ୍କ ସହିତ ଯାଉଛି ।”

 

ମାଣିକଲାଲ୍‍ ଆହୁରି ବ୍ୟସ୍ତତାର ଅଭିନୟ କରି କହିଲା–“ଯଦି ଏ ଦାସାନୁଦାସର ଅପରାଧ କ୍ଷମାକରନ୍ତି; ତା’ହେଲେ ଗୋଟିଏ ଅନୁରୋଧ... । ମୁଁ ଏହି ସୈନ୍ୟମାନଙ୍କୁ ନେଇ ଅଗ୍ରସର ହେଉଛି, ଆପଣ ଆଉ କିଛି ସୈନ୍ୟ ସଂଗ୍ରହକରି ପଛରେ ଆସନ୍ତୁ । ଦସ୍ୟୁମାନଙ୍କ ସଂଖ୍ୟା ପାଞ୍ଚହଜାର । ଆଉ କିଛି ସୈନ୍ୟ ନ ହେଲେ ମଙ୍ଗଳ ହେବାର ସମ୍ଭାବନା ନାହିଁ !”

 

ସ୍ଥୂଳବୁଦ୍ଧି ରାଜା ବିକ୍ରମ ସିଂହ, ମାଣିକଲାଲ୍‍ କଥାରେ ସମ୍ମତ ହୋଇଗଲେ । ସେ ବ୍ୟସ୍ତ ହୋଇ ସୈନ୍ୟ ସଂଗ୍ରହ ଲାଗି ଦୁର୍ଗରେ ରହିଲେ ଏବଂ ମାଣିକଲାଲ୍‍ ରୂପନଗର ସୈନ୍ୟମାନଙ୍କୁ ସଙ୍ଗରେ ଧରି ଅଗ୍ରସର ହେଲା ।

 

ବାଟରେ ଯାଉଁ ଯାଉଁ ମାଣିକଲାଲ୍‍ର ଆଉ ଗୋଟିଏ ଲାଭ ହେଲା । ରାସ୍ତାକଡ଼ର ଗୋଟିଏ ଗଛମୂଳରେ ଗୋଟିଏ ସ୍ତ୍ରୀଲୋକ ପଡ଼ିଥିଲା । ସେ ରୋଗରେ ପୀଡ଼ିତା ଥିବାପରି ଜଣାପଡ଼ୁଥିଲା । ସେଇବାଟ ଦେଇ ଅଶ୍ଵାରୋହୀମାନେ ଆସୁଥିବାର ଦେଖି ସେ ଉଠି ବସିପଡ଼ିଲା ସତ; କିନ୍ତୁ ଛିଡ଼ାହୋଇ ପଳାଇବାକୁ ଇଚ୍ଛାକଲେ ମଧ୍ୟ ଦୁର୍ବଳତାବଶତଃ ଯାଇପାରିଲା ନାହିଁ । ସେହି ଦୁର୍ବଳ ସ୍ତ୍ରୀଟିକୁ ଦେଖି ମାଣିକଲାଲ୍‍ ଘୋଡ଼ାରୁ ଓହ୍ଲାଇପଡ଼ି ତା’ ପାଖକୁ ଯାଇ ଲକ୍ଷ୍ୟକଲା ଯେ, ସ୍ତ୍ରୀ ଲୋକଟି ଅତ୍ୟନ୍ତ ସୁନ୍ଦରୀ ଓ ଯୁବତୀ । ତା’ପରେ ସେ କୌତୂହଳବଶତଃ ପଚାରିଲା–“ତୁମେ କିଏ ସେ ? ଏଠାରେ ଏପରି ପଡ଼ିଛ କାହିଁକି ?”

 

ଉତ୍ତରରେ ଯୁବତୀ ପଚାରିଲା–“ତୁମେ କେଉଁ ଦଳର ଫଉଜ ?”

 

“ମୁଁ ରାଣା ରାଜସିଂହଙ୍କ ଭୃତ୍ୟ !”

 

“ମୁଁ ରୂପନଗର ରାଜକୁମାରୀଙ୍କ ଦାସୀ !”

 

“ତା’ ହେଲେ, ଏଠାରେ ଏ ଅବସ୍ଥାରେ କାହିଁକି ?”

 

ଯୁବତୀ ଗୋଟିଏ ଦୀର୍ଘ ନିଃଶ୍ଵାସ ତ୍ୟାଗକରି କହିଲା–“ରାଜକୁମାରୀଙ୍କୁ ଦିଲ୍ଲୀ ନିଆ ଯାଉଛି; ମୁଁ ତାଙ୍କ ସହିତ ଯିବାକୁ ଚାହୁଁଥିଲି; କିନ୍ତୁ ସେ ମୋତେ ସଙ୍ଗରେ ନେବାପାଇଁ ରାଜି ହେଲେନାହିଁ । ତେଣୁ ମୁଁ ଚାଲି ଚାଲି ତାଙ୍କ ପାଖକୁ ଯିବାଲାଗି ବାହାରି ଆସିଛି !”

 

“ଓ... ସେଇଥି ଲାଗି ପଥ କ୍ଳାନ୍ତିରେ ଏଇଠି ପଡ଼ିଛ, ନୁହେଁ ?” ପଚାରିଲା ମାଣିକଲାଲ୍‍-

 

“ଅନେକ ବାଟ ଚାଲିଲିଣି, ଆଉ ଚାଲିପାରିବି ନାହିଁ !” ବାଟ ସେତେ ବେଶି ହୋଇନଥିଲେ ହେଁ, ନିର୍ମଳର ଅଭ୍ୟାସ ନ ଥିବାରୁ ତାକୁ ବହୁଦୂର ପଥ ଅତିକ୍ରମ କଲାପରି ଜଣାପଡ଼ୁଥିଲା । ତା’ର ଅବସ୍ଥା ଦେଖି ପଚାରିଲା ମାଣିକଲାଲ୍‍–“ଏବେ କ’ଣ କରିବ ?”

 

“ଆଉ କରିବି କ’ଣ, ଏଇଠି ପଡ଼ି ମରିବି !”

 

“ଛି... ଛି... ମରିବ କାହିଁକି, ରାଜକୁମାରୀଙ୍କ ପାଖକୁ ଚାଲୁନାହଁ ?”

 

“ଦେଖୁଛ ପରା ଆଉ ଚାଲିବାର ଶକ୍ତି ନାହିଁ, ଯିବି କିପରି ?”

 

“କାହିଁକି, ଅସୁବିଧା କ’ଣ ? ଘୋଡ଼ାରେ ବସି ଚାଲ !”

 

ମାଣିକଲାଲ୍‍ର କଥାରେ ହସି ଦେଇ କହିଲା ନିର୍ମଳ–“ଘୋଡ଼ାରେ...?”

 

“ହଁ... ଘୋଡ଼ାରେ ! କ୍ଷତି କ’ଣ ?”

 

“ମୁଁ କ’ଣ ଘୋଡ଼ ସବାର କି ?”

 

“ହୋଇଗଲେ ଖରାପ କ’ଣ ?”

 

“ହଁ... ସେପରି କିଛି ଆପତ୍ତି ନାହିଁ ଯେ... କିନ୍ତୁ ଚଢ଼ିବା ଜାଣିଥିଲେ ତ ?”

 

“ସେଥିଲାଗି କ’ଣ କାମ ଅଚଳ ହେବ ? ମୋ’ ଘୋଡ଼ାରେ ବସ... !”

 

“ତୁମ ଘୋଡ଼ା କ’ଣ ମାଟି ଘୋଡ଼ା ନା କଳଘୋଡ଼ା ?”

 

“କାହିଁକି, ମୁଁ ତୁମକୁ ଧରିବି... !”

 

ମାଣିକଲାଲ୍‍ର କଥାରେ ଲାଜରେ ସୁଡ଼ୁବୁଡ଼ୁ ହୋଇଗଲା ନିର୍ମଳ, ତଥାପି ସେ ରସିକତା କରୁଥିଲା । ହଠାତ୍ ସେ ଅନ୍ୟ ଆଡ଼କୁ ମୁହଁ ଫେରାଇନେଇ ଛଳ–କୋପ ପ୍ରକାଶକରିବା ସଙ୍ଗେ ସଙ୍ଗେ ଭୂରୁ କୁଟୀଳ କରି କହିଲା–“ତୁମେ ତୁମ ବାଟରେ ଯାଅ, ମୁଁ ଏଇଠି ଗଛ ମୂଳରେ ପଡ଼ି ରହିବି ! ରାଜକୁମାରୀ ସହିତ ସାକ୍ଷାତ୍ କରିବା ମୋର ଆଉ ଦରକାର ନାହିଁ !”

 

ମାଣିକଲାଲ୍‍ ନିର୍ମଳ ପରି ସୁନ୍ଦରୀ ଯୁବତୀର ଆକର୍ଷଣ ଏଡ଼ିପାରିଲା ନାହିଁ । ସେ ପୁଣି ଆରମ୍ଭ କଲା–“ହେଉ... ଆଚ୍ଛା କହିଲ... ତୁମେ ବିବାହ କରିଛ ?”

 

ସାରାଜୀବନ ହସାଇବାରେ ଅଭ୍ୟସ୍ତା ନିର୍ମଳ ମାଣିକଲାଲ୍‍ର ପ୍ରଶ୍ନ ଶୁଣି ନ ହସି ରହିପାରିଲା ନାହିଁ । ସେ ହସି ହସି ଉତ୍ତର ଦେଲା–“ନା... !”

 

“ତୁମ ଜାତି କ’ଣ ?”

 

“ମୁଁ ରାଜପୁତ୍ ଘର ଝିଅ !”

 

“ମୁଁ ମଧ୍ୟ ରାଜପୁତ୍, ମୋର ସ୍ତ୍ରୀ ନାହିଁ, କେବଳ ଗୋଟିଏ ଛୋଟିଆ ଝିଅ ଅଛି । ତା’ ପାଇଁ ମୁଁ ମାଆଟିଏ ଖୋଜୁଛି । ତୁମେ ତା’ର ମାଆ ହେବା ପାଇଁ ରାଜି କି ? ମୁଁ ତୁମକୁ ବିବାହ କରିବା ଲାଗି ପ୍ରସ୍ତୁତ । ସେଥିପାଇଁ ରାଜିଥିଲେ, ଘୋଡ଼ାରେ ଚଢ଼ିବାରେ ଆଉ ବୋଧହୁଏ ଆପତ୍ତି ରହିବ ନାହିଁ ।”

 

“ମୁଁ ପ୍ରସ୍ତୁତ, କିନ୍ତୁ ଶପଥ କର ।”

 

“କି ଶପଥ କରିବି କୁହ ?”

 

“ନିଜ ତରବାରି ଛୁଇଁ ଶପଥ କରି କୁହ–ମୋତେ ନିଶ୍ଚୟ ବିବାହ କରିବ !”

 

ମାଣିକଲାଲ୍‍ ଆନନ୍ଦରେ ଗଦଗଦ ହୋଇ ନିଜ ତରବାରି ଛୁଇଁ ଶପଥ କଲା–“ଯଦି ଆଜି ଯୁଦ୍ଧରେ ବଞ୍ଚିଯାଏ, ତେବେ ତୁମକୁ ନିଶ୍ଚୟ ବିବାହ କରିବି ।”

 

ଏଥର ନିର୍ମଳ ଘୋଡ଼ାରେ ବସିବା ଲାଗି ଆପତ୍ତି ନ କରି କହିଲା–“ଚାଲ, ମୋତେ ଘୋଡ଼ାରେ ଚଢ଼ାଇ ଦିଅ !”

 

ମାଣିକଲାଲ୍‍ ଅତ୍ୟନ୍ତ ଆନନ୍ଦିତ ହୋଇ ନିର୍ମଳକୁ ସାବଧାନତାର ସହିତ ଘୋଡ଼ାରେ ବସାଇଦେଲା ଏବଂ ନିଜେ ତାକୁ ଧରି ଘୋଡ଼ା ଚଳାଇ ଆଗେଇଗଲା ।

Image

 

ବିଜୟୀ ରାଣା

 

ଯୁଦ୍ଧ କ୍ଷେତ୍ରରେ ଅଳ୍ପ ଦୂରରେ ଗୋଟିଏ ଗୋପନୀୟ ସ୍ଥାନରେ ନିର୍ମଳକୁମାରୀକୁ ଓହ୍ଲାଇ, ତାକୁ ସେଇଠାରେ ଅପେକ୍ଷା କରିବା ଲାଗି ଉପଦେଶ ଦେଇ ମାଣିକଲାଲ୍‍ ମୋଗଲ ସୈନ୍ୟଙ୍କ ପଶ୍ଚାତ୍ ଭାଗରେ ଉପସ୍ଥିତ ହୋଇଗଲା ।

 

ସେଠାରୁ ମାଣିକଲାଲ୍‍ ଯିବାବେଳେ ଯୁଦ୍ଧ ହୋଇନଥିଲା; କିନ୍ତୁ ରାଜସିଂହ ଗିରିରନ୍ଧ୍ର ଭିତରକୁ ପଶିବାର ଦେଖି ସେ ମନେ ମନେ ଆତଙ୍କିତ ହୋଇପଡ଼ିଲା; କାରଣ ଗିରିମାର୍ଗର ଦ୍ଵାରଦେଶକୁ ମୋଗଲମାନେ ବନ୍ଦ କରିଦେଇଥିବାରୁ ରାଜସିଂହ ଭୀଷଣ ଅସୁବିଧାର ସମ୍ମୁଖୀନ ହେବେ । ସେଇଥିପାଇଁ ସେ ସୈନ୍ୟ ଆଣିବା ଲାଗି ରୂପନଗର ଆଡ଼କୁ ଧାଇଁଯାଇଥିଲା ଏବଂ ସୈନ୍ୟମାନଙ୍କୁ ସଙ୍ଗରେ ଆଣି ସେଇଠାରେ ଉପସ୍ଥିତ ହୋଇଗଲା । ସେ ଆସିବାମାତ୍ରେ ବେଶ୍ ବୁଝିପାରିଲା ଯେ, ରାଜପୁତ୍‌ମାନେ ନିରାଶ ହୋଇପଡ଼ିଲେଣି ଏବଂ କରାଳ ମୃତ୍ୟୁମୁଖରେ ପଡ଼ିବାଲାଗି ଆଉ ସମୟ ନାହିଁ । ତେଣୁ ମାଣିକଲାଲ୍‍ ମୋବାରକଙ୍କ ସୈନ୍ୟମାନଙ୍କ ଆଡ଼କୁ ହାତ ଦେଖାଇ କହିଲା–“ଏଇ ଗୁଡ଼ାକ ଦସ୍ୟୁଦଳ, ମାର ଯେତେ ପାର ମାରିଯାଅ ।”

 

ସୈନ୍ୟମାନଙ୍କ ମଧ୍ୟରୁ ଜଣେ ସନ୍ଦେହ କରି ପଚାରିଲା–“ସେମାନେ ତ ମୁସଲମାନ ?”

 

“କି ବୁଦ୍ଧି ତୁମର... ! ମୁସଲମାନ୍‌ମାନଙ୍କ ମଧ୍ୟରେ କ’ଣ ଦସ୍ୟୁ ନାହାନ୍ତି ? କେବଳ ହିନ୍ଦୁମାନେ ହିଁ ଦସ୍ୟୁ ? ମାର... ! ମାରିଯାଅ !”

 

ମାଣିକଲାଲ୍‍ ଆଦେଶ ଦେବାମାତ୍ରେ ହଜାରେ ବନ୍ଧୁକ ଏକ ସଙ୍ଗରେ ଗର୍ଜି ଉଠିଲା । ଏହି ଭୟଙ୍କର ଶବ୍ଦ ଶୁଣି ମୋବାରକ୍ ପଛକୁ ଫେରି ଚାହିଁ ଅବାକ୍ ହୋଇଗଲା । ପଛଆଡ଼ୁ ପ୍ରାୟ ହଜାର ସୈନ୍ୟ ସେମାନଙ୍କୁ ଆକ୍ରମଣ କରୁଛନ୍ତି । ମୋଗଲମାନେ ଭୀତତ୍ରସ୍ତ ହୋଇ ଯେ ଯୁଆଡ଼େ ପାଇଲେ, ପ୍ରାଣବିକଳରେ ପଳାଇଗଲେ । ମୋବାରକ୍ ବହୁ ଚେଷ୍ଟାକରି ମଧ୍ୟ ସେମାନଙ୍କୁ ଶୃଙ୍ଖଳିତ କରିପାରିଲେ ନାହିଁ । ଏହା ଦେଖି ‘ଜୟ ମା’ କାଳୀ’ ଧ୍ଵନିକରି ରାଜପୁତ୍‌ମାନେ ମୋଗଲମାନଙ୍କୁ ଗୋଡ଼ାଇବାରେ ଲାଗିଲେ । ସୈନ୍ୟବାହିନୀ ଛିନ୍ନଚ୍ଛତ୍ର ହୋଇଯିବାର ଲକ୍ଷ୍ୟ କରି ମୋବାରକ୍ ଘୋଡ଼ାରେ ଚଢ଼ି ପର୍ବତ ଆରୋହଣପୂର୍ବକ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ରୂପନଗର ସୈନ୍ୟମାନେ ପର୍ବତ ଚଢ଼ି ସେମାନଙ୍କୁ ଗୋଡ଼ାଇବାକୁ ଲାଗିଲେ ।

 

ଏହି ଅବସରରେ ମାଣିକଲାଲ୍‍ ରାଜସିଂହଙ୍କ ନିକଟରେ ପହଞ୍ଚି ଅଭିବାଦନ ଜଣାଇଲା-। ରାଣା ବିସ୍ମିତ ହୋଇ ପଚାରିଲେ–“ଏ କି ଆଶ୍ଚର୍ଯ୍ୟ ଘଟଣା ମାଣିକଲାଲ୍‍ ? ମୁଁ କିଛି ବୁଝିପାରୁ ନାହିଁ । ତୁମେ କ’ଣ କିଛି ଜାଣିଛ ?”

 

ରାଣାଙ୍କ ପ୍ରଶ୍ନ ଶୁଣି ହସିଦେଇ କହିଲା ମାଣିକଲାଲ୍‍–“ପର୍ବତରୁ ଓହ୍ଲାଇ ଗିରିଗହ୍ଵର ମାର୍ଗରେ ମହାରାଜ ପ୍ରବେଶ କରିବା ମାତ୍ରେ ମୁଁ ବୁଝିପାରିଲି ଯେ, ସର୍ବନାଶ ଅତି ଆସନ୍ନ । ପ୍ରଭୁଙ୍କର ସୁରକ୍ଷା ଲାଗି ଅଧୀନ ଭୃତ୍ୟ ଗୋଟିଏ ନୂତନ ଜାଲ–ଜୁଆଚୋରିର ମାର୍ଗ ଗ୍ରହଣ କରିବାକୁ ବାଧ୍ୟ ହୋଇଛି ।” ଏହା କହି ମାଣିକଲାଲ୍‍ ସମସ୍ତ ଘଟଣା ଆଦ୍ୟପ୍ରାନ୍ତ ବର୍ଣ୍ଣନା କରିଗଲା-। ରାଣା ସମସ୍ତ ଘଟଣା ଶୁଣିସାରି ମାଣିକଲାଲ୍‍କୁ ଆଲିଙ୍ଗନ କରି କହିଲେ–“ମାଣିକଲାଲ୍‍, ତୁମେ ପ୍ରକୃତରେ ପ୍ରଭୁଭକ୍ତ ! ଉଦୟପୁର ଫେରିଯିବା ମାତ୍ରେ ତୁମକୁ ସମୁଚିତ ପୁରସ୍କାର ଦେବି; କିନ୍ତୁ ତୁମେ ମୋତେ ଗୋଟିଏ ମନସାଧ ପୂରଣରୁ ବଞ୍ଚିତ କଲ । ମୁଁ ଆଜି ମୋଗଲମାନଙ୍କୁ ଦେଖାଇ ଦେଇଥାନ୍ତି–ରାଜପୁତ୍‌ମାନେ କିପରି ମରିବା ଜାଣନ୍ତି... ।”

 

ରାଣାଙ୍କ କଥାରେ ବାଧା ଦେଇ କହିଲା ମାଣିକଲାଲ୍‍–“ମୋଗଲମାନଙ୍କୁ ସେ ଶିକ୍ଷା ଦେବାଲାଗି ମହାରାଜଙ୍କର ଅନେକ ଭୃତ୍ୟ ଅଛନ୍ତି । ତାହା ମହାରାଜଙ୍କର କାର୍ଯ୍ୟ ନୁହେଁ । ହେଉ, ବର୍ତ୍ତମାନ ଉଦୟପୁରର ମାର୍ଗ ସମ୍ପୂର୍ଣ୍ଣ ବିପଦମୁକ୍ତ । କେତେଦିନ ହେବ ଆପଣ ଉଦୟପୁର ଛାଡ଼ିଲେଣି, ଆଉ ଅଧିକ ସମୟ ଏହି ପର୍ବତରେ ନ ରହି, ରାଜକୁମାରୀଙ୍କୁ ନେଇ ରାଜଧାନୀକୁ ଶୀଘ୍ର ଫେରିଯାଆନ୍ତୁ ।”

 

“ଆମର ଆଉ କେତେଜଣ ଯୋଦ୍ଧା ଆର ପର୍ବତରେ ଅଛନ୍ତି, ସେମାନଙ୍କୁ ଓହ୍ଲାଇ ଆଣିବା ଉଚିତ ।” କହିଲେ ରାଜସିଂହ ।

 

“ସେ ଦାୟିତ୍ଵ ମୋର, ଆପଣ ଶୀଘ୍ର ପ୍ରସ୍ଥାନ କରନ୍ତୁ, ମୁଁ ସେମାନଙ୍କୁ ନେଇ ଆପଣଙ୍କ ପଛେ ପଛେ ଯାଉଛି । ହୁଏତ ମାର୍ଗ ମଧ୍ୟରେ ଆପଣଙ୍କ ସହିତ ସାକ୍ଷାତ ହୋଇପାରେ !

 

ମାଣିକଲାଲ୍‍ କଥାରେ ସମ୍ମତ ହୋଇ ଚଞ୍ଚଲ୍‍କୁମାରୀଙ୍କୁ ନେଇ ରାଣା ଉଦୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ ।

Image

 

Unknown

ପିଉସୀ ମା’

 

ରାଣାଙ୍କୁ ବିଦାୟ ଦେଇ ମାଣିକଲାଲ୍‍ ରୂପନଗର ସୈନ୍ୟମାନଙ୍କ ପଛେ ପଛେ ପର୍ବତ ଉପରକୁ ଚଢ଼ିଗଲା । ସେମାନଙ୍କ ଆକ୍ରମଣରେ ମୋଗଲମାନେ ପ୍ରାଣଘେନି କୁଆଡ଼େ ପଳାଇଗଲେ । ମାଣିକଲାଲ୍‍ ରୂପନଗର ସୈନ୍ୟମାନଙ୍କୁ ସମ୍ବୋଧନ କରି କହିଲା–“ଆଉ ବୃଥା ପରିଶ୍ରମ କରି ଲାଭ ନାହିଁ, ଶତ୍ରୁମାନେ କିଏ କୁଆଡ଼େ ପଳାଇଗଲେଣି । ଆମ କାର୍ଯ୍ୟ ସିଦ୍ଧ ହୋଇଛି; ଏଥର ତୁମେମାନେ ରୂପନଗର ଫେରିଯାଅ ।”

 

ରୂପନଗର ସୈନ୍ୟମାନେ ସମ୍ମୁଖରେ ଆଉ କାହାରିକୁ ନ ଦେଖି ରୂପନଗରକୁ ଫେରିବାକୁ ସ୍ଥିରକଲେ; କିନ୍ତୁ ମାଣିକଲାଲ୍‍ର ଚାଲାଖି ସମ୍ବନ୍ଧରେ ସେମାନଙ୍କ ମନରେ ସନ୍ଦେହ ରହିଲା । ଆଉ କିଛି ଉପାୟ ନ ଦେଖି ସେମାନେ ମୃତସୈନ୍ୟମାନଙ୍କଠାରୁ ଲୁଟ୍‌ପାଟ୍ ଆରମ୍ଭ କରିଦେଲେ ଏବଂ ମନ ଇଚ୍ଛା ଧନରତ୍ନ ସଂଗ୍ରହ କରି ମନଖୁସିରେ ବାଦ୍‌ଶାହଙ୍କର ଜୟଗାନ କରି ବିଜୟୀବୀରଙ୍କ ପରି ରୂପନଗର ଫେରିଗଲେ । କ୍ଷଣକମଧ୍ୟରେ ସେହି ପାର୍ବତ୍ୟ ଅଞ୍ଚଳଟି ଜନଶୂନ୍ୟ ହୋଇଗଲା; କେବଳ ମୃତ ସୈନିକ ଓ ଘୋଡ଼ା ସେଇଠାରେ ପଡ଼ିରହିଲେ । ଏହା ଦେଖି ପଥର ଫିଙ୍ଗୁଥିବା ରାଜପୁତ୍‌ମାନେ ଆର ପର୍ବତରୁ ଓହ୍ଲାଇ ଆସିଲେ । ସେଠାରେ ଅନ୍ୟ ରାଜପୁତ୍‌ମାନଙ୍କୁ ନ ଦେଖି, ରାଣା ଉଦୟପୁର ଅଭିମୁଖେ ଯାତ୍ରା କରିଦେଇଛନ୍ତି ବୋଲି ମନେ ମନେ ସ୍ଥିରକରି, ସେମାନେ ଗନ୍ତବ୍ୟ ପଥରେ ଅଗ୍ରସର ହେଲେ । ଅବଶ୍ୟ ପଥ ମଧ୍ୟରେ ରାଣାଙ୍କ ସହିତ ସେମାନଙ୍କର ସାକ୍ଷାତ୍ ହୋଇଗଲା ।

 

ସମସ୍ତେ ଏକାଠି ମିଶି ଉଦୟପୁର ଅଭିମୁଖେ ଯାତ୍ରାକଲେ; ମାତ୍ର ମାଣିକଲାଲ୍‍ ସେମାନଙ୍କ ସହିତ ନ ଥିଲା । ସେ ନିର୍ମଳ ଲାଗି ଚିନ୍ତିତ ହୋଇପଡ଼ିଲା । ସେ ସମସ୍ତଙ୍କୁ ଏକାଠି କରି ପଠାଇଦେବା ପରେ, ନିର୍ମଳ ନିକଟରେ ଆସି ପହଞ୍ଚିଗଲା । ତାକୁ କିଛି ଖୁଆଇ ପିଆଇ, ନିକଟସ୍ଥ ଗ୍ରାମରୁ ସବାରି ଗଉଡ଼ ଯୋଗାଡ଼ କରି ଘେନିଆସିଲା । ନିର୍ମଳକୁ ସବାରିରେ ବସାଇ ରାଣା ରାଜସିଂହଙ୍କ ମାର୍ଗରେ ନ ଯାଇ ଅନ୍ୟ ମାର୍ଗରେ ନିଜ ଗ୍ରାମ ଅଭିମୁଖେ ଯାତ୍ରାକଲା ।

 

ମାଣିକଲାଲ୍‍ ନିର୍ମଳକୁ ନେଇ ପିଉସୀମା’ଙ୍କ ଘରେ ପହଞ୍ଚିଲା । ସେ ପିଉସୀଙ୍କୁ ଡାକି କହିଲା–“ନାନୀ, ତୋ ପାଇଁ ଗୋଟିଏ ବୋହୂ ଆଣିଛି ।”

 

ନିର୍ମଳକୁ ଦେଖି ପିଉସୀ ବୁଢ଼ୀ ମନେ ମନେ ପ୍ରମାଦ ଗଣିଲା । ସେ ମନେ ମନେ ଭାବିଲା–ମୁଁ ଯାହା ଭାବିଥିଲି ଲାଭକରିବି ବୋଲି, ଏ ବୋହୂଟା ସେଥିରେ ଗଳଗ୍ରହ ହେବ । ବୁଢ଼ୀର କିଛି ଉପାୟ ନଥିଲା; ଆଗରୁ ଦୁଇଟି ଅସରପି ପାଇଛି, ଏବେ ବୋହୂଟିକୁ ଗୋଟିଏ ଦିନ ଖାଇବାକୁ ନ ଦେଇ ତଡ଼ିଦେଇ ପାରିବ ନାହିଁ । ତେଣୁ ପ୍ରକାଶ୍ୟରେ କହିଲା–“ବାଃ... ବେଶ୍ ବୋହୂ ।”

 

ମାଣିକଲାଲ୍‍ କହିଲା–“ନାନୀ, ବୋହୂ ସହିତ ମୋର ବିବାହ ହୋଇନାହିଁ !”

 

ପିଉସୀ ବୁଢ଼ୀ ବୁଝିପାରିଲା–ଏଇଟା ଉପପତ୍ନୀ । ତେଣୁ ବୁଢ଼ୀ ଟିକିଏ ବହପପାଇ କହିଲା–“ତା’ ହେଲେ, ଏଇଠି ମୋ’ ଘରେ... ।”

 

“ତା’ ହେଲେ ଆଉ ଚିନ୍ତା କ’ଣ ? ଆଜି ବିବାହ ଉତ୍ସବ ବଢ଼ିଯାଉ !” ମାଣିକଲାଲ୍‍ର ରସିକାମି ଶୁଣି ନିର୍ମଳ ଲଜ୍ଜାରେ ଲାଲ ହୋଇଗଲା ।

 

ପିଉସୀ ବୁଢ଼ୀ ବିଚାରୀ ନିରୂପାୟ ହୋଇ କହିଲା–“ବଡ଼ ଭାଗ୍ୟର କଥା ! ତୋ’ ବିଭାଘର ମୁଁ କରାଇବି ନାହିଁ ତ, ଆଉ କରିବ କିଏ ସେ ? କିନ୍ତୁ ବିବାହ ପାଇଁ କିଛି ଖର୍ଚ୍ଚ ଦରକାର-।”

 

“ସେଥିଲାଗି ଭାବନା କରୁଛୁ କାହିଁକି ନାନୀ !” କହିଲା ମାଣିକଲାଲ୍‍ ।

 

ଯୁଦ୍ଧ ସମୟରେ ଲୁଟ୍‌ପାଟ୍ ହୁଏ ଏବଂ ମାଣିକଲାଲ୍‍ କିଛି ଲୁଟ୍‌ପାଟ୍ ମାଲ ସଂଗ୍ରହ କରିଥିଲା । ତେଣୁ ଝଣଝଣ୍ କରି କେଇଟା ଅସରପି ପିଉସୀ ବୁଢ଼ୀ ଆଗରେ ପକାଇଦେଲା । ବୁଢ଼ୀ ଅସରପି ଦେଖି ଆନନ୍ଦରେ ଗଦଗଦ ହୋଇ ସେଗୁଡ଼ିକୁ ଗୋଟାଇ ନେଇ ନିଜ ପେଡ଼ିରେ ସାଇତିଦେଲା । ଅସରପିଗୁଡ଼ିକୁ ବୁଢ଼ୀ ଆଉ ପେଡ଼ିରୁ ବାହାର କଲାନାହିଁ । ସେହିଦିନ ଶାସ୍ତ୍ର–ବିଧିବିଧାନରେ ମାଣିକଲାଲ୍‍ର ବିବାହ ହୋଇଗଲା । ଏହା ପରେ ପରେ ମାଣିକଲାଲ୍‍ ରାଣା ରାଜସିଂହଙ୍କ ଫଉଜ ମଧ୍ୟରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ହୋଇଗଲା ଏବଂ ନିଜର ବୁଦ୍ଧିବଳରେ ସେ ସର୍ବତ୍ର ସମ୍ମାନ ପାଇବାରେ ଲାଗିଲା ।

Image

 

ପ୍ରକୃତ ପ୍ରେମ

 

ମୋବାରକ୍ ରଣକ୍ଷେତ୍ରରୁ ପର୍ବତଉପର ଦେଇ ପଳାୟନ କରୁଥିବା ସମୟରେ ହଠାତ୍ ଅଦୃଶ୍ୟ ହୋଇଗଲା । ସେ ଯୁଦ୍ଧର ଜଟିଳ ପରିସ୍ଥିତି ଲକ୍ଷ୍ୟ କରି ଘୋଡ଼ା ଛୁଟାଇ ଦ୍ରୁତବେଗରେ ପର୍ବତ ଉପରଦେଇ ପ୍ରାଣବିକଳରେ ପଳାଇଯାଉଥିଲା । ମାର୍ଗ ମଧ୍ୟରେ ଘନ ଲତାପତ୍ର ଆଚ୍ଛାଦିତ ଗୋଟିଏ ଗଭୀର କୂଅ ଥିଲା । ପର୍ବତ ଉପରେ ବାସକରୁଥିବା ସମୟରେ କେହି ଜଣେ ଲୋକ ସେଇ କୂଅଟି ଖୋଳିଥିଲା; କିନ୍ତୁ ପରେ ପରେ ଆଉ କାରବାର ନ ହେବାରୁ କୂଅଟି ଲତା–ଗୁଳ୍ମ ଗହଳରେ ଉପରକୁ ସ୍ପଷ୍ଟ ଦିଶୁ ନ ଥିଲା । ମୋବାରକ୍ କୂଅଟିକୁ ଦେଖି ନପାରି ସେହି ବାଟଦେଇ ଘୋଡ଼ା ଛୁଟାଇଦିଅନ୍ତେ, ଘୋଡ଼ା ସହିତ କୂଅ ମଧ୍ୟରେ ଗଳିପଡ଼ିଲା । କୂଅ ମଧ୍ୟରେ ଆଦୌ ପାଣି ନଥିଲା । ଦୌଡ଼ୁଥିବା ଅବସ୍ଥାରେ ଘୋଡ଼ାଟି କୂଅ ଭିତରେ ପଡ଼ିଯିବାରୁ, ତା’ରି ଆଘାତରେ ସଙ୍ଗେ ସଙ୍ଗେ ମରିଗଲା; କିନ୍ତୁ ପଡ଼ିବା ସମୟରେ ମୋବାରକ୍ ଖୁବ୍ ସାବଧାନ ହୋଇଥିବାରୁ ତା’ର ବିଶେଷ କିଛି କ୍ଷତି ହେଲାନାହିଁ । କୂଅଟି ଖୁବ୍ ଗଭୀର ହୋଇଥିବାରୁ, ସେ ତା’ ମଧ୍ୟରୁ ବାହାରିବାର କୌଣସି ଉପାୟ ପାଇଲା ନାହିଁ । କାଳେ କେହି ତା’ର ପାଟି ଶୁଣି ତାକୁ ଉଦ୍ଧାର କରିପାରେ, ସେହି ଦୃଷ୍ଟିରୁ ସେ ଜୋର୍‌ରେ ପାଟିକରି ଡାକପକାଇଲା; କିନ୍ତୁ ସେହି ନିର୍ଜନ ପ୍ରଦେଶ ମଧ୍ୟରେ ସେ ହଠାତ୍ କାହାରିଠାରୁ ଉତ୍ତର ଶୁଣିପାରିଲା ନାହିଁ । କିଛି ସମୟ ପରେ ଦୂରରୁ ଗୋଟିଏ ଆଶ୍ଵାସନାପୂର୍ଣ୍ଣ ସ୍ଵର ଭାସିଆସିଲା–“ସ୍ଥିରହୋଇ ରୁହ, ମୁଁ ଯାଉଛି–ବାହାର କରିଦେବି !”

 

ଯୁଦ୍ଧକ୍ଷେତ୍ର ଛାଡ଼ି କିଏ କୁଆଡ଼େ ପଳାଇଗଲେ । ଚାରିଆଡ଼ ଶୂନ୍‌ଶାନ୍; ଏହି ସମୟରେ ହଠାତ୍ କେହି ଜଣେ କୂଅ ଉପରୁ ପାଟିକରି କହିଲା–“ନିରାପଦରେ ଅଛ ତ ?”

 

“ହଁ, ବଞ୍ଚିଛି ! କିନ୍ତୁ ତୁମେ କିଏ ସେ ?” ଉତ୍ତରଦେଲେ ସେନାପତି ମୋବାରକ୍ ।

 

“ମୁଁ ଯେ ପାରି ସେ ହୁଏଁ; ତୁମେ ବେଶି ଆଘାତ ପାଇନାହଁ ତ ?”

 

“ନା...; ସାମାନ୍ୟ ଆଘାତ ଲାଗିଛି !”

 

“ବ୍ୟସ୍ତ ହୁଅନାହିଁ ! ମୁଁ ଖଣ୍ଡିଏ କାଠରେ ଦୁଇ ଚାରିଖଣ୍ଡି ଲୁଗାକୁ ଦଉଡ଼ିପରି ବଳି ପ୍ରସ୍ତୁତ କରୁଛି । ତାକୁ ପକାଇଦେବାମାତ୍ରେ ତୁମେ କାଠର ଦୁଇପାଖକୁ ଦୁଇ ହାତରେ ଧରିବ, ମୁଁ ଉପରକୁ ଭିଡ଼ି ଭିଡ଼ି ଘେନି ଆସିବି !”

 

ମୋବାରକ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–“ଏ’ତ ସ୍ତ୍ରୀଲୋକର କଣ୍ଠସ୍ଵର ? ତୁମେ କିଏ ସେ...?”

 

“ତୁମେ କ’ଣ ଏ କଣ୍ଠସ୍ଵର ଚିହ୍ନିପାରୁନ ?” ପଚାରିଲା ସ୍ତ୍ରୀଲୋକଟି ।

 

“ହଁ... ବେଶ୍ ଚିହ୍ନିପାରୁଛି ! ଦରିୟା, ତୁମେ ଏଠାରେ କିପରି ?”

 

“କେବଳ ତୁମରି ପାଇଁ ପ୍ରିୟ ! ବେଶ୍, ମୁଁ ଏଥର ଟାଣୁଛି, ତୁମେ ଉଠିବାକୁ ଚେଷ୍ଟାକର-!”

 

ଦରିୟା କୂଅମୁହଁରେ ଥିବା ବୃକ୍ଷଲତା ତରବାରିରେ କାଟି ସଫା କରିଦେଲା । ମୋବାରକ୍ କାଠର ଦୁଇପାଖକୁ ଜୋର୍‌ରେ ଧରି ଉଠିବାକୁ ଚେଷ୍ଟାକଲା । ଦରିୟା ଲୁଗାରେ ବନ୍ଧାଯାଇଥିବା ଆଉ ଖଣ୍ଡିଏ କାଠକୁ ଧରି ନିଜର ସମସ୍ତ ବଳ ଖଟାଇ ଉପରକୁ ଟାଣିବାକୁ ଲାଗିଲା; କିନ୍ତୁ କୌଣସିମତେ ସେ ମୋବାରକ୍‌କୁ ଟାଣିଆଣି ପାରିଲାନାହିଁ । ନିଜର ନିରୂପାୟ ଅବସ୍ଥା ଦେଖି ତାକୁ କାନ୍ଦ ଲାଗିଲା । ନିକଟରେ ଲଇଁଆସିଥିବା ଗୋଟିଏ ଗଛଡ଼ାଳରେ ଲୁଗାରେ ବଳା ଦଉଡ଼ିଟିକୁ ଲଗାଇଦେଇ ଶୋଇପଡ଼ି ଟାଣିବାରେ ଲାଗିଲା । ବହୁ କଷ୍ଟ କରି ପ୍ରାଣମୂର୍ଚ୍ଛା । ଉଦ୍ୟମରେ ଦରିୟା ମୋବାରକଙ୍କୁ ଉପରକୁ ଟାଣିଆଣିଲା । ମୋବାରକ ଉପରକୁ ଉଠିଆସି ଦରିୟାର ପ୍ରାଣମୂର୍ଚ୍ଛା ଉଦ୍ୟମ ଦେଖି ବିସ୍ମିତହୋଇ କହିଲା–“ଏ କ’ଣ ? ଏ ବେଶ କାହିଁକି ?”

 

ବହୁକଷ୍ଟ ସତ୍ତ୍ୱେ ଦରିୟା ମୋବାରକ୍‌କୁ ଦେଖି ଟିକିଏ ହସିଦେଇ କହିଲା–“ମୁଁ ବାଦଶାହୀ ଫଉଜ୍ !”

 

“କାହିଁକି ?”

 

“କେବଳ ତୁମରି ପାଇଁ !”

 

“କାହିଁକି ?”

 

“ନଇଲେ ଆଜି ତୁମକୁ ବଞ୍ଚାଇଥା’ନ୍ତା କିଏ ସେ ?”

 

“ତା’ହେଲେ, ତୁ କ’ଣ ସେଇଥିପାଇଁ ଦିଲ୍ଲୀରୁ ଏତେ ବାଟ ଧାଇଁଆସିଛୁ ? ମୋ’ରି ପାଇଁ କ’ଣ ସୈନିକବେଶ ସାଜି ଆମ ଦଳରେ ରହିଥିଲୁ ? ଆରେ... ! ଏ ଯେ ରକ୍ତ ! ! ତୁ କ’ଣ ଜଖମ୍ ହୋଇଛୁ ? ଏତେ କଷ୍ଟ କଲୁ କାହିଁକି ଦରିୟା ?”

 

“ତୁମରିପାଇଁ ସବୁକିଛି କରିଛି ପ୍ରିୟ ! ମୁଁ ୟା’ କରି ନଥିଲେ ତୁମେ ବଞ୍ଚିଥାଆନ୍ତ କିପରି-? ଶାହଜାଦୀ କ’ଣ ଏପରି ଭଲପାଇବା ଜାଣେ ?” ମୋବାରକ୍‌ର ଅତୀତ ଦୁବ୍ୟବହାରକୁ ସ୍ମରଣ କରାଇଦେଇ କହିଲା ଦରିୟା ।

 

ମୋବାରକ୍‌ର ମୁହଁ ଲଜ୍ଜାରେ ଲାଲପଡ଼ିଗଲା । ସେ ମୁଣ୍ଡକୁ ତଳକୁ କରି କହିଲା–“ଶାହଜାଦୀ ଭଲପାଇବା ଜାଣିନାହାନ୍ତି !”

 

ଦରିୟା ନରମ ସ୍ଵରରେ କହିଲା–“ଆମେ ଗରିବ, ସେଇଥିପାଇଁ ଆମେ ଭଲପାଇବା ଶିଖିଛୁ । ହେଉ, ତୁମେ ଏଇଠି ବସିପଡ଼; ମୁଁ ତୁମପାଇଁ ଗୋଟିଏ ପାଲଙ୍କି ସଜିଲ୍ କରି ରଖିଛି, ଘେନିଆସେ । ତୁମ ଦେହରେ ଆଘାତ ଲାଗିଛି; ତେଣୁ ଘୋଡ଼ାରେ ବସିବା ଠିକ୍ ହେବ ନାହିଁ ।”

 

ଘୋଡ଼ସବାରଙ୍କ ସହିତ ଅନେକଗୁଡ଼ିଏ ପାଲିଙ୍କି ଆସିଥିଲା । ହଠାତ୍ ଯୁଦ୍ଧ ଲାଗିଯିବାରୁ କେତେକ କାନ୍ଧୁଆ ପାଲିଙ୍କି ନେଇ ପ୍ରାଣ ଘେନି ପଳାଇଯାଇଥିଲେ । ମୋବାରକ୍ କୂଅରେ ପଡ଼ିଯିବାର ଲକ୍ଷ୍ୟ କରି, ଦରିୟା ଦୁଇଟି ପାଲିଙ୍କି କୌଣସିମତେ ଯୋଗାଡ଼କରି ରଖିଆସିଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ଯାଇ ସେଇ ପାଲିଙ୍କିବାଲାଙ୍କୁ ଡାକିଆଣିଲା । ଗୋଟିଏ ପାଲିଙ୍କିରେ ମୋବାରକ୍‌କୁ ବସାଇ, ନିଜେ ଗୋଟିକରେ ବସି ଦରିୟା ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭକଲା । ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୋବାରକ୍ ଦରିୟାର ଗୋଲାପୀ ଗାଲରେ ବିହ୍ଵଳତାର ସହିତ ଚୁମ୍ବନ ଆଙ୍କିଦେଇ କହିଲା–“ଆଉ କେବେହେଲେ ତୋତେ ପରିତ୍ୟାଗ କରିବି ନାହିଁ !”

 

ଦିଲ୍ଲୀରେ ପହଞ୍ଚି ଦରିୟା ମୋବାରକ୍‌ର ସେବାଶୁଶ୍ରୂଷା କରିବାରେ ଲାଗିଲା ଏବଂ ତା’ରି ସେବା ଓ ଯତ୍ନ ଫଳରେ ମୋବରକ୍ ଶୀଘ୍ର ଆରୋଗ୍ୟ ହୋଇଗଲା ।

 

ଆରୋଗ୍ୟ ହୋଇଯିବା ପରେ ମୋବାରକ୍ ଦରିୟାକୁ ନେଇ ନିଜ ବାସଗୃହରେ ଯତ୍ନର ସହିତ ରଖାଇଲା । ଦୁହେଁ ଅତି ଆନନ୍ଦରେ କିଛିଦିନ କାଳଯାପନ କଲେ । କିନ୍ତୁ ତା’ପରେ ଜେବ୍‌ଉନ୍ନିସା, ମୋବାରକ୍, ଦରିୟା ବିବି, ଏପରିକି ବାଦ୍‌ଶାହ ଆଓରଙ୍ଗଜେବ୍‌ଙ୍କ ପକ୍ଷରେ ଏକ ଭୟଙ୍କର ପରିସ୍ଥିତି ଆସି ଉପସ୍ଥିତ ହୋଇଗଲା ।

Image

 

ରାଜସିଂହଙ୍କ ପରାଜୟ

 

ଯୁଦ୍ଧରେ ଜୟକରି ରାଜସିଂହ ଚଞ୍ଚଲ୍‍କୁମାରୀକୁ ଆଣି ନିଜ ଅନ୍ତଃପୁରରେ ରଖାଇଲେ; କିନ୍ତୁ ତାକୁ ଉଦୟପୁରରେ ରଖାଇବେ କିମ୍ବା ରୂପନଗରକୁ ପଠାଇଦେବେ, ସେ ବିଷୟରେ କିଛି ମୀମାଂସା କରିପାରିଲେ ନାହିଁ । ସେ କୌଣସି ଏକ ନିଷ୍ପତ୍ତିରେ ପହଞ୍ଚିବା ପର୍ଯ୍ୟନ୍ତ ଚଞ୍ଚଲକୁମାରୀ ସହିତ ସାକ୍ଷାତ କଲେ ନାହିଁ ।

 

ଚଞ୍ଚଲ୍‍କୁମାରୀ ଏଇ କେତେଦିନର ରାଜସିଂହଙ୍କ ମନୋଭାବ ଲକ୍ଷ୍ୟ କରି ମନେମନେ ଭାବିଲା–ମୋତେ ବିବାହ କରି ରାଜା ଗ୍ରହଣ କରିବା ପରି ମନେହେଉନାହିଁ ! ଯଦି ସେ ମୋତେ ଗ୍ରହଣ ନ କରନ୍ତି, ତେବେ ମୁଁ ତାଙ୍କର ଅନ୍ତଃପୁରରେ ବାସକରିବି କାହିଁକି ? ତା’ ନହେଲେ ଆଉ ଯିବି ବା କୁଆଡ଼େ ?

 

ରାଜସିଂହ ମନମଧ୍ୟରେ କିଛି ନିଷ୍ପତ୍ତି କରି ନପାରି କିଛିଦିନ ପରେ ଚଞ୍ଚଲ୍‍କୁମାରୀର ମନୋଭାବ ଜାଣିବା ଲାଗି ଅନ୍ତଃପୁରରେ ଯାଇ ପ୍ରବେଶ ହେଲେ । ସେ ଯିବା ସମୟରେ ମାଣିକଲାଲ୍‍ଠାରୁ ପାଇଥିବା ଚଞ୍ଚଲ୍‍କୁମାରୀର ପତ୍ର ସାଥିରେ ନେଇଥିଲେ ।

 

ରାଣା ଆସନ ଗ୍ରହଣ କରିବା ପରେ, ଚଞ୍ଚଲ୍‍କୁମାରୀ ତାଙ୍କୁ ପ୍ରଣାମ କରିସାରି ବିନମ୍ର ତଥା ଲଜ୍ଜାଶୀଳା ରମଣୀପରି ତାଙ୍କ ନିକଟରେ ଛିଡ଼ା ହୋଇ ରହିଲା । ରାଜସିଂହ ଚଞ୍ଚଲ୍‍ର ଅପୂର୍ବ ମନୋମୋହିନୀ ରୂପରାଶି ଦେଖି ବିସ୍ମିତ ତଥା ବିମୁଗ୍‌ଧ ହୋଇଗଲେ; କିନ୍ତୁ ନିଜର ମନୋଭାବକୁ ଆୟତ୍ତ କରି କହିଲେ–“ରାଜକୁମାରୀ ! ତୁମ ମନର ଅଭିଳାଷ ଜାଣିବାଲାଗି ମୁ ଆଜି ଆସିଛି ! ତୁମେ ଏଠାରେ ରହିବାକୁ ଚାହୁଁଛ କିମ୍ବା ରୂପନଗର ଯିବା ଅଭିଳାଷ ରଖିଛ ?”

 

ରାଜସିଂହଙ୍କର ହୃଦୟବିଦାରକ ପ୍ରଶ୍ନ ଶୁଣି ଚଞ୍ଚଲ୍‍କୁମାରୀ ମନେ ମନେ ଭାଙ୍ଗି ପଡ଼ିଲା । ସେ ରାଣାଙ୍କ ପ୍ରଶ୍ନର କିଛି ଉତ୍ତର ନଦେଇ, କେବଳ ତଳକୁ ମୁହଁ ପୋତି ନୀରବରେ ଛିଡ଼ା ହୋଇ ରହିଲା ।

 

ତା’ପରେ ରାଜସିଂହ ମାଣିକଲାଲ୍‌ଠାରୁ ପାଇଥିବା ପତ୍ର ଖଣ୍ଡିକ ରାଜଜେମାକୁ ଦେଖାଇ ପଚାରିଲେ–“ଏହା କ’ଣ ତୁମରି ପତ୍ର ?”

 

“ଆଜ୍ଞା... !”

 

“କିନ୍ତୁ ସମୁଦାୟ ପତ୍ରଟି ଗୋଟିଏ ଲୋକର ହାତଲେଖା ନୁହେଁ । ଦୁଇଜଣ ଏହାକୁ ଲେଖିଛନ୍ତି । ଏଥିମଧ୍ୟରେ ତୁମର ହାତଲେଖା ଅଛି କି ?”

 

“ପ୍ରଥମ ଲେଖାଗୁଡ଼ିକ ମୋ’ ହାତ ଅକ୍ଷର !”

 

“ତା’ହେଲେ, ଶେଷ ଭାଗର ଲେଖା ତୁମର ନୁହେଁ ?”

 

“ନା, ମହାରାଜ ! ଶେଷ ଭାଗରେ ଚଞ୍ଚଲ୍‍କୁମାରୀ ସହିତ ରାଜସିଂହଙ୍କର ବିବାହ ପ୍ରସ୍ତାବ ଲେଖାଥିଲା ।”

 

ରାଜସିଂହ ନିଜର କୌତୂହଳ ପ୍ରକାଶ କରି କହିଲେ–“ତା’ହେଲେ କ’ଣ ତୁମର ସମ୍ମତିକ୍ରମେ ଏଇ ଅଂଶ ଲେଖାଯାଇଛି ?”

 

ରାଜସିଂହଙ୍କର ନିର୍ଦ୍ଦୟ ପ୍ରଶ୍ନ ଶୁଣି ଚଞ୍ଚଲ୍‍କୁମାରୀ ଉପଯୁକ୍ତ ଚାତୁରୀପୂର୍ଣ୍ଣ ଉତ୍ତର ଦେଇ କହିଲା–“ମହାରାଜ ! କ୍ଷତ୍ରିୟମାନେ ବିବାହ ନିମିତ୍ତ କନ୍ୟାହରଣ କରନ୍ତି । ଅନ୍ୟ କୌଣସି କାରଣରେ କନ୍ୟାହରଣ ମହାପାପ ! ମୁଁ ମହାରାଜଙ୍କୁ ମହାପାପ କରିବା ଲାଗି କିପରି ଅନୁରୋଧ କରିବି ?”

 

“ମୁଁ ତୁମକୁ ଅପହରଣ କରିନାହିଁ । ତୁମର ଜାତି କୁଳ ତଥା ସମ୍ମାନ ରକ୍ଷାଲାଗି ତୁମକୁ ମୁସଲମାନ ହାତରୁ ରକ୍ଷାକରିଛି । ବର୍ତ୍ତମାନ ତୁମକୁ ତୁମ ପିତାଙ୍କ ନିକଟକୁ ପଠାଇଦେବା ରାଜଧର୍ମ ବୋଲି ମୋର ଧାରଣା !”

 

ରାଜକୁମାରୀ ରାଣାଙ୍କ ସହିତ କେଇପଦ କଥା କହିବାପରେ ନିଜର ନାରୀସୁଲଭ ଲଜ୍ଜାକୁ ଆୟତ୍ତ କରିଥିଲା । ତେଣୁ ସେ ରାଜସିଂହଙ୍କ ବୀରଦୃପ୍ତ ପ୍ରଶାନ୍ତ ମୁଖମଣ୍ଡଳକୁ ଚାହିଁ କହିଲା–“ମହାରାଜ ! ଆପଣଙ୍କର ରାଜଧର୍ମ ଆପଣ ଜାଣନ୍ତି । ମୋର ନାରୀସୁଲଭ ଧର୍ମ ମୋତେ ବେଶ୍ ଜଣା । ଆପଣଙ୍କ ଶ୍ରୀଚରଣରେ ନିଜକୁ ଅର୍ପଣ କରିବାଦିନଠାରୁ ଧର୍ମତଃ ମୁଁ ଆପଣଙ୍କର ପତ୍ନୀ । ଆପଣ ମୋତେ ଗ୍ରହଣ କରନ୍ତୁ ବା ନ କରନ୍ତୁ, ସତୀଧର୍ମ ଅନୁସାରେ ମୁଁ ଆଉ କାହାରିକୁ ପତିରୂପେ ଗ୍ରହଣ କରିପାରିବି ନାହିଁ । ଆପଣ ମୋର ସ୍ଵାମୀ ହୋଇଥିବାରୁ ଆପଣଙ୍କର ଆଜ୍ଞାକୁ ମୁଁ ବିଧାତାଙ୍କ ନିର୍ଦ୍ଦେଶଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ମନେକରି ପାଳନ କରିବି । ରୂପନଗରକୁ ମୋତେ ପଠାଇଦେଲେ, ମୁଁ ନିଶ୍ଚୟ ଆଦେଶ ପାଳନ କରିବି; କିନ୍ତୁ ସେଠାରେ ପହଞ୍ଚିବାମାତ୍ରେ ପିତା ମୋତେ ବାଦ୍‌ଶାହାଙ୍କ ନିକଟକୁ ପଠାଇବା ଲାଗି ବାଧ୍ୟ ହେବେ । କାରଣ ମୋତେ ମୋଗଲଙ୍କ କବଳରୁ ରକ୍ଷାକରିବାର ଶକ୍ତି ଓ ସାମର୍ଥ୍ୟ ତାଙ୍କର ନାହିଁ । ଯଦି ତାହା ହିଁ ଆପଣଙ୍କର ଏକାନ୍ତ ଇଚ୍ଛା; ତା’ହେଲେ ଯୁଦ୍ଧକ୍ଷେତ୍ରରେ ମୁଁ ଯେତେବେଳେ ଦିଲ୍ଲୀ ଯିବାଲାଗି ଇଚ୍ଛା ପ୍ରକାଶ କଲି, ଆପଣ ଯିବାଲାଗି ଆଦେଶ ଦେଲେ ନାହିଁ କାହିଁକି ?”

 

“ମୁଁ ଆତ୍ମସମ୍ମାନ ରକ୍ଷାଲାଗି ସେପରି ଆଦେଶ ଦେଇ ନ ଥିଲି !”

 

“ତା’ହେଲେ, ଯେ ଆପଣଙ୍କ ନିକଟରେ ଶରଣ ନେଇଛି, ତାକୁ ପୁଣି ଦିଲ୍ଲୀ ପଠାଇବାର ମାର୍ଗ ପରିଷ୍କାର କରୁଛନ୍ତି କିପରି ?”

 

“ନାଃ... ତା’ ହୋଇପାରିବ ନାହିଁ । ତା’ହେଲେ... ତୁମେ ଏଇଠି ଥାଅ... !”

 

“ଅତିଥି ରୂପେ ରହିବି ନା, ଦାସୀ ଭାବରେ ରହିବି ? କିନ୍ତୁ ରୂପନଗରର ରାଜକନ୍ୟା ଏଠାରେ ରାଜମହିଷୀ ବ୍ୟତୀତ ଅନ୍ୟ କୌଣସି ସର୍ତ୍ତରେ ରହିବାକୁ ପ୍ରସ୍ତୁତ ନୁହେଁ !”

 

“ତୁମପରି ଅଲୌକିକ ରୂପଲାବଣ୍ୟମୟୀ ପତ୍ନୀ ଯେଉଁ ରାଜ୍ୟରେ ଭାଗ୍ୟରେ ଘଟିବ, ଲୋକେ ତାକୁ ସୌଭାଗ୍ୟଶାଳୀ ବୋଲି ଈର୍ଷା କରିବେ । ତୁମେ ଅସାମାନ୍ୟା ରୂପବତୀ ହୋଇଥିବାରୁ ତୁମକୁ ମୁଁ ପତ୍ନୀରୂପେ ଗ୍ରହଣ କରିବାକୁ ସଙ୍କୋଚ ବୋଧ କରୁଛି ! ଶାସ୍ତ୍ରରେ ରୂପବତୀ ପତ୍ନୀକୁ ଶତ୍ରୁରୂପେ ବ୍ୟାଖ୍ୟା କରାଯାଇଛି ।”

 

ରାଜସିଂହଙ୍କ କଥା ଶୁଣି ଚଞ୍ଚଲ୍‍କୁମାରୀ ଟିକିଏ ହସିଦେଇ କହିଲା–“କ୍ଷମା କରିବେ, ମହାରାଜ ! ତା’ହେଲେ କ’ଣ ଉଦୟପୁରର ରାଜମହିଷୀଗଣ ସମସ୍ତେ କୁରୂପା ?”

 

“ନା... ତା’ ନୁହେଁ; କିନ୍ତୁ ତୁମପରି କେହି ସୁନ୍ଦରୀ ନୁହନ୍ତି ।”

 

ଚଞ୍ଚଲ୍‍କୁମାରୀ ମନେମନେ ଆନନ୍ଦିତା ହୋଇ କହିଲା–“ମହାରାଜ, ମୋର ବିନୀତ ଅନୁରୋଧ, ଆପଣ ରାଜଅନ୍ତଃପୁରରେ ଏ କଥା ପ୍ରକାଶ କରିବେ ନାହିଁ ! ମହାରାଜ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଆପଣଙ୍କର ଭୟର ସ୍ଥାନ ରହିଛି !”

 

ଚଞ୍ଚଲ୍‍କୁମାରୀର ଉତ୍ତରରେ ରାଜସିଂହ ଠୋ’ ଠୋ’ ହୋଇ ହସିବାକୁ ଲାଗିଲେ । ଏ ପର୍ଯ୍ୟନ୍ତ ଚଞ୍ଚଲ୍‍କୁମାରୀ ସେଇଠାରେ ଛିଡ଼ା ହୋଇଥିଲା; କିନ୍ତୁ ଏଥର ସେ ମନେମନେ ଭାବିଲା–ରାଜସିଂହ ମୋ ନିକଟରେ ମହାରାଜା ନୁହନ୍ତି, ମୋର ପ୍ରେମିକ, ସ୍ଵାମୀ; ତେଣୁ ତାଙ୍କ ଆଦେଶ ବିନା ବସିପଡ଼ିଲେ ଅସୌଜନ୍ୟ ହେବ କାହିଁକି ? ଏହା ଭାବି ସେଇଠି ତଳେ ବସିପଡ଼ି କହିଲା–“ମହାରାଜା, ଆପଣଙ୍କ ବିନାନୁମତିରେ ବସିଥିବାରୁ ଆପଣ ନିଶ୍ଚୟ ସେ ଅପରାଧ ମାର୍ଜନା କରିବେ; କାରଣ ଆପଣଙ୍କଠାରୁ ଜ୍ଞାନ ଆହରଣ କରିବା ଅଭିଳାଷରେ କେବଳ ଜଣେ ଶିଷ୍ୟା ଭାବରେ ମୁଁ ବସିପଡ଼ିଛି । ଗୁରୁଙ୍କ ସମ୍ମୁଖରେ ଆସନ ଗ୍ରହଣ କରିବାର ଅଧିକାର ଶିଷ୍ୟର ରହିଛି ! ହଁ... ମହାରାଜ, ରୂପବତୀ ସ୍ତ୍ରୀ କିପରି ଶତ୍ରୁ, ତାହା ଅଦ୍ୟାପି ଏ ଅବୋଧ ବାଳିକା ବୁଝିପାରିନାହିଁ !”

 

“ଏହା ବୁଝିବା ବେଶ୍ ସହଜ । ସ୍ତ୍ରୀ ରୂପବତୀ ହେଲେ, ତା’ ପାଇଁ ଅନେକ ବାଦ–ବିବାଦ ଉପସ୍ଥିତ ହୁଏ । ଏଇ ଦେଖ, ବର୍ତ୍ତମାନ ସୁଦ୍ଧା ତୁମେ ମୋର ପତ୍ନୀ ହୋଇନାହଁ; ତଥାପି ତୁମପାଇଁ ଆଓରଙ୍ଗଜେବ୍ ସହିତ ମୋର ଶତ୍ରୁତା ଆରମ୍ଭ ହୋଇଗଲା । ତୁମେ ଆମ ବଂଶର ମହାରାଣୀ ପଦ୍ମିନୀଙ୍କ ଘଟଣା ନିଶ୍ଚୟ ଶୁଣିଥିବ !”

 

“ମହାରାଜ, ଶାସ୍ତ୍ରକାରଙ୍କ ମତକୁ ମୁଁ ସମ୍ମାନ ଦେଇପାରୁନାହିଁ । ସୁନ୍ଦରୀ ମହିଷୀ ନଥିଲେ କ’ଣ ରାଜାମାନେ ବିବାଦରୁ ମୁକ୍ତି ପାଇପାରନ୍ତି ? ତା’ ବ୍ୟତୀତ, ଏଇ ତୁଚ୍ଛ ରାଜକନ୍ୟାର ସୁରକ୍ଷାଲାଗି ଯାହା ହେବାର ହୋଇଗଲାଣି । ମୁଁ ସୁରୂପା ହୁଏ କିମ୍ବା କୁରୂପା ହୁଏ, ମୋ ଲାଗି ଯେଉଁ ବିବାଦ ଉପୁଜିଲାଣି, ମୋତେ ରୂପନଗର ପଠାଇଦେଲେ ମହାରାଜ ସେଥିରୁ ନିଷ୍କୃତି ପାଇବେ ନାହିଁ !”

 

ରାଜସିଂହ ଚଞ୍ଚଲ୍‍କୁମାରୀର ଯୁକ୍ତିରେ ମନେମନେ ମୁଗ୍‌ଧ ହୋଇ ପ୍ରକାଶ୍ୟରେ କହିଲେ–“ଆହୁରି ଅନେକ କାରଣ ରହିଛି । ରୂପବତୀ ସ୍ତ୍ରୀ ନିକଟରେ ପୁରୁଷ ଅତ୍ୟନ୍ତ ଆସକ୍ତ ହୋଇପଡ଼େ । ଏହା ରାଜା ପକ୍ଷରେ ଅତ୍ୟନ୍ତ ନିନ୍ଦନୀୟ; ଏହା ଫଳରେ ରାଜକାର୍ଯ୍ୟରେ ଅସ୍ଵାଭାବିକ ବ୍ୟାଘାତ ଅଟେ !”

 

“ବହୁ ରୂପବତୀ ମହିଷୀ ଥିଲେ ମଧ୍ୟ ରାଜାମାନେ ରାଜକାର୍ଯ୍ୟରୁ ବିମୁଖ ହୋଇ ନଥିବାର ବହୁ ପ୍ରମାଣ ରହିଛି । ମୋ’ ପରି ଗୋଟିଏ ତୁଚ୍ଛ ବାଳିକାକୁ ବିବାହ କଲେ ଉଦୟପୁରର ମହାଶକ୍ତିଶାଳୀ ମହାରାଣାଙ୍କର ରାଜକାର୍ଯ୍ୟରେ ବ୍ୟାଘାତ ଘଟିବ, ଏହା ନିତାନ୍ତ ନିନ୍ଦା ତଥା ଅପମାନର ବିଷୟ !”

 

“କଥାଟାକୁ ସେପରି ଯୁକ୍ତିବଳରେ ଉଡ଼ାଇଦେଲେ ଚଳିବ ନାହିଁ । ଶାସ୍ତ୍ରରେ ଆହୁରି ମଧ୍ୟ ରହିଛି–ବୃଦ୍ଧ ପତି ପକ୍ଷରେ ତରୁଣୀ ପତ୍ନୀ ବିଷ ସଦୃଶ !”

 

“ମହାରାଜ କ’ଣ ବୃଦ୍ଧ ?”

 

“ଯୁବକ ନୁହେଁ ତ... !”

 

“ଯାହାଙ୍କର ଭୁଜରେ ଅମିତ ବଳ ରହିଛି, ରାଜପୁତ୍ କନ୍ୟା ପକ୍ଷରେ ସେ ଯୁବକ । ଦୁର୍ବଳ ଯୁବକକୁ ରାଜପୁତ୍ ରମଣୀ ବୃଦ୍ଧ ବ୍ୟତୀତ ଅନ୍ୟ କିଛି ଜ୍ଞାନ କରେନାହିଁ ।”

 

“ମୁଁ ଆଦୌ ସୁନ୍ଦର ନୁହେଁ !”

 

“ସୁବିସ୍ତୃତ କୀର୍ତ୍ତି ହେଉଛି ରାଜାଙ୍କର ସୌନ୍ଦର୍ଯ୍ୟ !”

 

“ଦେଖ ରାଜକନ୍ୟେ, ଆମ ରାଜପୁତ୍‌କୁଳରେ ରୂପବାନ୍, ବଳବାନ୍ ଯୁବାପୁରୁଷଙ୍କର ଅଭାବ ନାହିଁ !”

 

“ମୁଁ ଆପଣଙ୍କ ଶ୍ରୀଚରଣରେ ଆତ୍ମସମର୍ପଣ କରିସାରିଛି । ଏପରି ସ୍ଥଳେ ଅନ୍ୟର ପତ୍ନୀ ହେଲେ ଦୋଚାରିଣୀ ହେବି । ମୁଁ ନିତାନ୍ତ ଲଜ୍ଜାହୀନପରି ଆପଣଙ୍କ ଆଗରେ ଉତ୍ତର ଦେଉଛି; କିନ୍ତୁ ଶକୁନ୍ତଳା ଦୁଷ୍ମନ୍ତଙ୍କ ଆଗରେ ଲଜ୍ଜାତ୍ୟାଗ କରିବାକୁ ବାଧ୍ୟହୋଇ ନଥିଲେ କି ? ଆଜି ମୋର ସେଇ ଦଶା ଉପସ୍ଥିତ ! ଆପଣ ମୋତେ ପରିତ୍ୟାଗ କଲେ ମୁଁ ‘ରାଜସରୋବର’ରେ ବୁଡ଼ି ଆତ୍ମହତ୍ୟା କରିଦେବି !”

 

ରାଜସିଂହ ରାଜକୁମାରୀ ସହିତ ବାକ୍‌ଯୁଦ୍ଧରେ ସମ୍ପୂର୍ଣ୍ଣ ପରାଜିତ ହୋଇ ମଧ୍ୟ ମନେମନେ ଚଞ୍ଚଲ୍‍କୁମାରୀର ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ । ତା’ପରେ ସେ ପ୍ରକାଶ୍ୟରେ କହିଲେ–“ରାଜକୁମାରୀ ! ତୁମେ ହେଉଛ ପ୍ରକୃତରେ ମୋର ହୃଦୟର ରାଣୀ ! ତୁମେ ବିପଦରେ ପଡ଼ି ମୋର ସାହାଯ୍ୟ ଲୋଡ଼ିଥିଲ । ବର୍ତ୍ତମାନ ବିପଦମୁକ୍ତ ହେବାପରେ ପ୍ରକୃତରେ ମୋ’ପରି ବୃଦ୍ଧ ସ୍ଵାମୀ ପ୍ରତି ଅନୁରାଗିଣୀ ହେବ କି ନାହିଁ, ସେ ସମ୍ବନ୍ଧରେ ମୋ ମନରେ ସନ୍ଦେହ ଥିଲା । ସେହି ସଂଶୟ କେବଳ ଆଜିର କଥାବାର୍ତ୍ତାରୁ ଦୂର ହୋଇଗଲା । ତୁମେ ପ୍ରକୃତରେ ମୋର ମହିଷୀ ହେବାର ଯୋଗ୍ୟା ! କିନ୍ତୁ ଗୋଟିଏ କଥା, ତୁମ ପିତାଙ୍କ ବିନାନୁମତିରେ ତୁମକୁ ବିବାହ କରିବାକୁ ଚାହେଁନାହିଁ ! ତା’ର କାରଣ ହେଉଛି–ତୁମ ପିତାଙ୍କର ରାଜ୍ୟ ଖୁବ୍ ଛୋଟ ହୋଇଥିଲେ ସୁଦ୍ଧା ସେ ଅତ୍ୟନ୍ତ ବୀରପୁରୁଷ । ବିକ୍ରମ ସୋଲାଙ୍କି ଜଣେ ଯୋଗ୍ୟ ସେନାନାୟକ ଭାବରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ମୋଗଲମାନଙ୍କ ସହିତ ମୋର ନିଶ୍ଚୟ ଯୁଦ୍ଧ ହେବ; ସେତିକିବେଳେ ତୁମ ପିତାଙ୍କର ସାହାଯ୍ୟ ମୋ ପକ୍ଷରେ ମଙ୍ଗଳଜନକ ହେବ । ତାଙ୍କ ଅନୁମତି ନ ନେଇ ବିବାହ ସମ୍ପନ୍ନ ହୋଇଗଲେ, ସେ ମୋତେ କେବେହେଲେ ସାହାଯ୍ୟ କରିବେ ନାହିଁ; ବରଂ ମୋଗଲମାନଙ୍କ ସାହାଯ୍ୟରେ ମୋର ଶତ୍ରୁ ହୋଇଉଠିବେ । ଏହା ଆଦୌ ବାଞ୍ଛନୀୟ ନୁହେଁ । ତେଣୁ ତାଙ୍କୁ ପ୍ରତି ଲେଖି, ତାଙ୍କଠାରୁ ଅନୁମତି ପାଇବା ପରେ ମୁଁ ତୁମକୁ ବିବାହ କରିବି । ସେ କ’ଣ ସମ୍ମତ ହେବେ-?”

 

“ସମ୍ମତ ନ ହେବାର କୌଣସି କାରଣ ମୁଁ ଦେଖିପାରୁନାହିଁ । ମୋର ମଧ୍ୟ ଇଚ୍ଛା, ପିତାମାତାଙ୍କ ଆଶୀର୍ବାଦ ଗ୍ରହଣ କରି, ମୁଁ ଆପଣଙ୍କ ଚରଣସେବାର ବ୍ରତ ଗ୍ରହଣ କରିବି । ଲୋକ ପଠାନ୍ତୁ, ଏହା ହିଁ ମୋର ଇଚ୍ଛା ।”

 

ତା’ପରେ ରାଜସିଂହ ଖଣ୍ଡିଏ ବିନୟପୂର୍ଣ୍ଣ ପତ୍ର ଲେଖି ଦୂତହସ୍ତରେ ପ୍ରେରଣକଲେ ଏବଂ ଚଞ୍ଚଲ୍‍କୁମାରୀ ମଧ୍ୟ ମାତାଙ୍କର ଆଶୀର୍ବାଦ କାମନା କରି ଖଣ୍ଡିଏ ପତ୍ର ଲେଖି ସେହି ଦୂତହସ୍ତରେ ଅର୍ପଣ କଲା ।

Image

 

ବିପଦର ସୂଚନା

 

ରୂପନଗର ରାଜାଙ୍କଠାରୁ ଠିକ୍ ସମୟରେ ଉତ୍ତର ଆସି ପହଞ୍ଚିଲା; କିନ୍ତୁ ରାଜା ବିକ୍ରମ ସୋଲାଙ୍କିଙ୍କ ଉତ୍ତର ଥିଲା ଅତ୍ୟନ୍ତ ମର୍ମନ୍ତୁଦ । ସେ ରାଜସିଂହଙ୍କୁ ଲେଖିଥିଲେ:

 

“ଆପଣ ରାଜପୁତ୍‌ମାନଙ୍କ ମଧ୍ୟରେ ସର୍ବପ୍ରଧାନ ଓ ମୁକୁଟମଣି ସ୍ୱରୂପ; କିନ୍ତୁ ଆପଣ ବର୍ତ୍ତମାନ ରାଜପୁତ୍ ନାମରେ କଳଙ୍କ ବୋଳିବାକୁ ବସିଛନ୍ତି । ଆପଣ ବଳପୂର୍ବକ ମୋର କନ୍ୟାକୁ ଅପହରଣ କରି ମୋତେ ଅପମାନିତ କରିଛନ୍ତି । ମୋର ରାଜଜେମା ଭାରତେଶ୍ଵରୀ ହୋଇଥାଆନ୍ତା; କିନ୍ତୁ ଆପଣ ସେଥିରେ ବାଧକ ହୋଇ ଦାଉ ସାଧିଛନ୍ତି । ସେହି ଦୃଷ୍ଟିରୁ ମୁଁ ଏ ବିବାହଲାଗି ସମ୍ମତ ପ୍ରଦାନ ନକରି ଆପଣଙ୍କ ସହିତ ଶତ୍ରୁତା କରିବାକୁ ମନସ୍ଥ କରିଛି ।

 

“ଆପଣ କହିପାରନ୍ତି–ପ୍ରାଚୀନ କାଳରେ କ୍ଷତ୍ରିୟ ବୀରମାନେ କନ୍ୟାହରଣ କରି ବିବାହ କରୁଥିଲେ । ଭୀଷ୍ମ, ଅର୍ଜୁନ ଏବଂ ସ୍ଵୟଂ ଶ୍ରୀକୃଷ୍ଣ ମଧ୍ୟ କନ୍ୟାହରଣ କରିଥିଲେ; କିନ୍ତୁ ଆପଣଙ୍କର ସେପରି ବଳବୀର୍ଯ୍ୟ କାହିଁ ? ଆପଣଙ୍କ ଭୁଜର ଦଣ୍ଡରେ ଯଦି ସେହିପରି ଅମିତ ପରାକ୍ରମ ରହିଛି, ତେବେ ଭାରତଭୂମିରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠିତ ହେଲା କିପରି ? ନିଜେ ଶୃଗାଳ ହୋଇ ସିଂହର ଅନୁକରଣ କରିବା ଉଚିତ ନୁହେଁ । ମୁଁ ମଧ୍ୟ ରାଜପୁତ୍; ମୁସଲମାନକୁ କନ୍ୟା ପ୍ରଦାନ କଲେ ମୋର ଗୌରବ ବୃଦ୍ଧି ପାଇବ ନାହିଁ; ଏକଥା ମୁଁ ଭଲ ଭାବରେ ଜାଣେ । କିନ୍ତୁ କନ୍ୟା ନଦେଲେ ମୋଗଲ ରୂପନଗରର ପାହାଡ଼ରେ ସୁଦ୍ଧା ଖଣ୍ଡିଏ ଶିଳା ରଖିବେ ନାହିଁ । ଯଦି ମୁଁ ନିଜେ ଆତ୍ମରକ୍ଷା କରିବାରେ ସକ୍ଷମ ହୋଇଥା’ନ୍ତି କିମ୍ବା କିଏ ମୋତେ ଏ ବିପଦରୁ ରକ୍ଷାକରିବ, ଏହା ଜାଣିଥା’ନ୍ତି; ତା’ହେଲେ କେବେହେଲେ ଏଥିରେ ସମ୍ମତ ହୋଇ ନଥାନ୍ତି । ମୁଁ ଯେତେବେଳେ ଜାଣିପାରିବି ଯେ, ଆପଣ ସେହି କ୍ଷମତାର ଅଧିକାରୀ, ହୁଏତ ସେତେବେଳେ ମୁଁ ଆପଣଙ୍କୁ କନ୍ୟାଦାନ କରିବି ।

 

“ପ୍ରକୃତରେ, ପୂର୍ବକାଳରେ କ୍ଷତ୍ରିୟମାନେ କନ୍ୟାହରଣ କରି ବିବାହ କରୁଥିଲେ; କିନ୍ତୁ ଏଭଳି ପ୍ରବଞ୍ଚନା କରିବାର ଦେଖାଯାଉ ନଥିଲା । ଆପଣ ମୋ ପାଖକୁ ଲୋକ ପଠାଇ, ମିଥ୍ୟା କଥା କହି ମୋ’ରି ସୈନ୍ୟଙ୍କ ସାହାଯ୍ୟରେ ମୋ’ରି କନ୍ୟାକୁ ଅପହରଣ କଲେ; ଅନ୍ୟଥା ଆପଣଙ୍କର ସେପରି ସାଧ୍ୟ ନଥିଲା । ତାହା ଫଳରେ ଆପଣ ମୋର କେତେଦୂର ଅନିଷ୍ଟ ସାଧନ କରିଛନ୍ତି, ଥରେ ଚିନ୍ତାକରି ଦେଖନ୍ତୁ । ମୋ ସୈନ୍ୟମାନେ ଯୁଦ୍ଧରେ ଭାଗ ନେଇ ଥିବାରୁ ମୋଗଲ ସମ୍ରାଟ୍ ବେଶ୍ ବୁଝିପାରିବେ ଯେ ମୋ’ରି ଚକ୍ରାନ୍ତ ଫଳରେ ଏପରି ଦୁର୍ଘଟଣା ସମ୍ଭବ ହୋଇଛି । ତେଣୁ ପ୍ରଥମେ ମୋଗଲ ରୂପନଗରକୁ ଧ୍ଵଂସସ୍ତୂପରେ ପରିଣତ କରି, ପରେ ଆପଣଙ୍କୁ ସମୁଚିତ ଦଣ୍ଡବିଧାନ କରିବେ । ମୁଁ ମଧ୍ୟ ଯୁଦ୍ଧ କରିବା ଜାଣିଛି; କିନ୍ତୁ ମୋଗଲମାନଙ୍କର ଲକ୍ଷ ଲକ୍ଷ ଫଉଜ ଆଗରେ କାହାର ସାଧ୍ୟ ଅଛି, କିଏ ଯୁଦ୍ଧ କରିବ ? ସେଇଥିପାଇଁ ସମଗ୍ର ରାଜପୁତ୍ ଜାତି ମୋଗଲ ବାଦଶାହଙ୍କର ପଦାନତ ହୋଇଛି; ମୁଁ କି ଅବା ଛାର୍ !

 

“ମୁଁ ଜାଣେନା, ମୋଗଲ ବାଦଶାହଙ୍କ ଆଗରେ ସତ୍ୟକଥା କହି ଉଦ୍ଧାର ପାଇପାରିବି କି ନା ! ଯଦି ୟା’ ମଧ୍ୟରେ ଆପଣ ମୋ’ କନ୍ୟାର ପାଣିଗ୍ରହଣ କରନ୍ତି, ତା’ ହେଲେ ଆଉ ସେ କନ୍ୟାକୁ ମୋଗଲ୍ ଦରବାରକୁ ପଠାଇ ହେବନାହିଁ । ତେଣୁ ମୋର ଓ ମୋ’ କନ୍ୟାର ନିଷ୍କୃତିଲାଗି ଆଉ କୌଣସି ଉପାୟ ରହିବ ନାହିଁ !

 

“ଆପଣ ମୋ’ କନ୍ୟାର ପାଣିଗ୍ରହଣ କରିବେ ନାହିଁ । ମୋ’ ଆଦେଶ ନ ମାନି ଆପଣ ବିବାହ କଲେ ଉଭୟଙ୍କୁ ଅଭିଶାପଗ୍ରସ୍ତ ହେବାକୁ ପଡ଼ିବ । ମୁଁ ଅଭିଶାପ ଦେଉଛି–ଯଦି ଆପଣ ମୋ’ କନ୍ୟାର ପାଣିଗ୍ରହଣ କରନ୍ତି, ସେ କନ୍ୟା ବିଧବା ହୋଇ ସହମରଣରୁ ବଞ୍ଚିତା ହେବା ସଙ୍ଗେ ସଙ୍ଗେ ମୃତବତ୍ସା ଓ ଚିରଦୁଃଖିନୀ ହୋଇ କାଳଯାପନ କରିବ ଏବଂ ଆପଣଙ୍କର ରାଜଧାନୀ ଶ୍ଵାନଶୃଗାଳର ବାସଭୂମିରେ ପରିଣତ ହେବ ।”

 

ବିକ୍ରମ ସୋଲାଙ୍କି ଏପରି ଭୀଷଣ ଅଭିଶାପ ଦେଇ ପତ୍ର ଲେଖିସାରିବା ପରେ ଶେଷକୁ ଗୋଟିଏ ଧାଡ଼ି ଲେଖିଥିଲେ :

 

“ଯଦି କେବେ ମୁଁ ଆପଣଙ୍କୁ ଉପଯୁକ୍ତ ପାତ୍ର ବୋଲି ବିବେଚନା କରେ, ତେବେ ମୁଁ ସ୍ଵେଚ୍ଛାପୂର୍ବକ ଆପଣଙ୍କ ହସ୍ତରେ ମୋର କନ୍ୟା ଅର୍ପଣ କରିବି !”

 

“ଚଞ୍ଚଲ୍‍କୁମାରୀର ମାତା କନ୍ୟାର ପତ୍ରପାଠ କରି କୌଣସି ଉତ୍ତର ଦେଇ ନଥିଲେ । ରାଜସିଂହ ସେହି ପତ୍ରଟିକୁ ପାଠକରି ରାଜଜେମାଙ୍କୁ ଶୁଣାଇଦେଲେ । ଏହା ଶୁଣିବାମାତ୍ରେ ଚଞ୍ଚଲ୍‍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା ।

 

ଚଞ୍ଚଲ୍‍ ଅନେକ ସମୟ ପର୍ଯ୍ୟନ୍ତ ନୀରବ ରହିବାପରେ ପଚାରିଲେ ରାଜସିଂହ–“ବର୍ତ୍ତମାନ କ’ଣ କରାଯିବ ? ଏପରି ପରିସ୍ଥିତିରେ ପରିଣୟ ଉଚିତ ହେବ କି ନାହିଁ ?”

 

ଚଞ୍ଚଲ୍‍କୁମାରୀ ଆଖିର ଲୁହଧାର ଲୁଗାକାନିରେ ପୋଛିଦେଇ କହିଲା–“ପିତାଙ୍କର ଏ ଦାରୁଣ ଅଭିଶାପକୁ ମୁଣ୍ଡରେ ମୁଣ୍ଡାଇ କେଉଁ ଝିଅ ବିବାହ କରିବାକୁ ସାହସ କରିବ ?”

 

“ତା’ହେଲେ ତୁମେ ଯଦି ବାପଘରକୁ ଯିବାକୁ ଚାହୁଁଛ, ତେବେ ମୁଁ ପଠାଇବାର ବନ୍ଦୋବସ୍ତ କରିଦେବି !”

 

“ହଁ... !” ଦୀର୍ଘ ନିଶ୍ଵାସ ପକାଇ କହିଲା ଚଞ୍ଚଲ୍‍କୁମାରୀ–“ପିତୃଗୃହକୁ ଯିବା ଯାହା, ଦିଲ୍ଲୀ ଯିବା ମଧ୍ୟ ସେଇଆ ! ତା’ ଅପେକ୍ଷା ବିଷପାନ କରି ଜୀବନକୁ ଶେଷ କରିଦେବା ମନ୍ଦ କ’ଣ ?”

 

ରାଜସିଂହ ରାଜକୁମାରୀର ଦୃଢ଼ତା ନିରୀକ୍ଷଣ କରି ଅନେକ ଚିନ୍ତା କରିବାପରେ କହିଲେ, “ବର୍ତ୍ତମାନ ଲାଗି ମୋର ଗୋଟିଏ ପରାମର୍ଶ ଗ୍ରହଣ କର ! ତୁମେ ମୋର ଉପଯୁକ୍ତ ମହିଷୀ; ତେଣୁ ମୁଁ ତୁମକୁ ହଠାତ୍ ଏଇ ସାମାନ୍ୟ କଥାରେ ତ୍ୟାଗ କରିପାରିବି ନାହିଁ ଏବଂ ତୁମ ପିତାଙ୍କର ଆଶୀର୍ବାଦ ବ୍ୟତିରେକେ ତୁମକୁ ମଧ୍ୟ ବିବାହ କରିବି ନାହିଁ । ତୁମ ପିତାଙ୍କର ଆଶୀର୍ବାଦ ଲାଭ କରିବାର ଭରସା ମୁଁ ମନରୁ ତ୍ୟାଗ କରୁନାହିଁ । ମୋଗଲମାନଙ୍କ ସହିତ ଯୁଦ୍ଧ ଅନିବାର୍ଯ୍ୟ; ଭଗବାନ ଏକଲିଙ୍ଗ ଜୀ ମୋର ପରମ ସହାୟ । ହଏତ ଯୁଦ୍ଧରେ ମୁଁ ଆତ୍ମାହୁତି ଦେବି କିମ୍ବା ମୋଗଲଙ୍କୁ ପରାଜିତ କରିବି !”

 

“ମୋର ଦୃଢ଼ବିଶ୍ଵାସ, ଆପଣ ନିଶ୍ଚୟ ଯୁଦ୍ଧରେ ଜୟୀ ହେବେ !”

 

“ତାହା ଅତ୍ୟନ୍ତ ଦୁଃସାଧ୍ୟ କାର୍ଯ୍ୟ ! ଯଦି ସଫଳ ହୁଏ, ତେବେ ତୁମ ପିତାଙ୍କର ଆଶୀର୍ବାଦ ଅବଶ୍ୟ ପାଇପାରିବି !”

 

“ସେତେଦିନ ଯାଏ... ?” ଗୋଟିଏ ଦୀର୍ଘ ପ୍ରଶ୍ନବାଚୀ ଚାହାଣିରେ ରାଜସିଂହଙ୍କୁ ଚାହିଁ କହିଲା ରାଜଜେମା ।

 

“ସେ ପର୍ଯ୍ୟନ୍ତ ତୁମେ ମୋର ଅନ୍ତଃପୁରରେ ଅନ୍ୟାନ୍ୟ ମହିଷୀଙ୍କ ପରି ସ୍ଵତନ୍ତ୍ର ଅବରୋଧରେ ବାସ କରିବ ! ଅନ୍ୟାନ୍ୟ ମହିଷୀମାନଙ୍କ ପରି ତୁମର ସ୍ଵତନ୍ତ୍ର ଦାସଦାସୀ ରହିବେ । ମୁଁ ସମସ୍ତଙ୍କ ମଧ୍ୟରେ ପ୍ରଚାର କରିଦେଉଛି–ଅଳ୍ପଦିନ ମଧ୍ୟରେ ତୁମ ସହିତ ମୋର ବିବାହ ହୋଇଯିବ । ତେଣୁ ସମସ୍ତେ ତୁମକୁ ମହିଷୀର ସମ୍ମାନ ପ୍ରଦାନ କରିବେ । କିନ୍ତୁ ଯେତେଦିନ ଯାଏ ତୁମ ସହିତ ମୋର ଶାସ୍ତ୍ରସମ୍ମତ ବିବାହ ନ ହୋଇଛି, ସେ ପର୍ଯ୍ୟନ୍ତ ତୁମ ସହିତ ମୋର ସାକ୍ଷାତ ହେବ ନାହିଁ । କୁହ କ’ଣ କହୁଛ ?”

 

ରାଜସିଂହଙ୍କ କଥାରେ ସମ୍ମତ ହୋଇ ଚଞ୍ଚଲ୍‍ ସେଥିରେ ସ୍ୱୀକୃତ ଜଣାଇଲା ଏବଂ ରାଜା ନିଜର ପ୍ରତିଶ୍ରୁତି ଅନୁଯାୟୀ ସମସ୍ତ ବନ୍ଦୋବସ୍ତ କରାଇଦେଲେ ।

Image

 

ବିପଦ ଘନେଇ ଆସିଲା

 

ଚଞ୍ଚଲ୍‍କୁମାରୀ ରାଜମହିଷୀ ହୋଇଥିବାର ସମ୍ବାଦ ନିର୍ମଳ ମାଣିକଲାଲ୍‍ଠାରୁ ଶୁଣିପାରିଲା; କିନ୍ତୁ ବିବାହ କେବେ ହେଲା–ସେ ସମ୍ବନ୍ଧରେ ମାଣିକଲାଲ୍‍ ସମ୍ପୂର୍ଣ୍ଣ ବିବରଣୀ ଦେଇ ପାରିଲାନାହିଁ । ତେଣୁ ନିର୍ମଳକୁମାରୀ ନିଜେ ଚଞ୍ଚଲ୍‍କୁ ଦେଖିବାଲାଗି ଆସି ପହଞ୍ଚିଗଲା ।

 

ଅନେକ ଦିନ ପରେ ନିର୍ମଳକୁ ଦେଖି ଚଞ୍ଚଲ୍‍କୁମାରୀ ଆନନ୍ଦରେ ଅଧୀର ହୋଇ ଉଠିଲା-। ସେଦିନ ଚଞ୍ଚଲ୍‍ ନିର୍ମଳକୁ ନ ଛାଡ଼ି ନିଜ ପାଖରେ ରଖାଇଲା ଏବଂ ରୂପନଗର ଛାଡ଼ିବାପରେ ଯାହା ଯାହା ଘଟିଥିଲା, ଦୁହେଁ ନିଜ ନିଜର ଅନୁଭୂତି ଅନ୍ୟ ପାଖରେ ବର୍ଣ୍ଣନା କରିଥିଲେ । ନିର୍ମଳର ସୌଭାଗ୍ୟ ସମ୍ପର୍କରେ ଜାଣି ଚଞ୍ଚଲ୍‍ ଖୁବ୍ ଖୁସି ହୋଇପଡ଼ିଲା । ବିଶେଷ ଖୁସି ହେବାର ପ୍ରଧାନ କାରଣ ଥିଲା–ମାଣିକଲାଲ୍‍ ନିଜର ଦକ୍ଷତାବଳରେ ରାଜସିଂହଙ୍କଠାରୁ ପ୍ରଚୁର ପୁରସ୍କାର ପାଉଥିଲା-। ୟା’ ମଧ୍ୟରେ ମାଣିକଲାଲ୍‍ ସୈନ୍ୟବାହିନୀରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ହୋଇଥିଲା । ବିଶାଳ ଅଟ୍ଟାଳିକା, ବିପୁଳ ଧନସମ୍ପତ୍ତି, ଅନେକ ଦାସଦାସୀରେ ପରିବୃତା ହୋଇ ନିର୍ମଳ ସ୍ଵାମୀ ମାଣିକଲାଲ୍‍ର ପ୍ରିୟବତୀ ହୋଇପାରିଥିଲା । ତେଣୁ ସେ ମହାସୁଖରେ କାଳାତିପାତ କରୁଥିଲା । ନିର୍ମଳ ଚଞ୍ଚଲ୍‍କୁମାରୀର ଦୁଃଖଭରା କାହାଣୀ ଶୁଣି ଅତ୍ୟନ୍ତ ବ୍ୟଥିତା ହୋଇଉଠିଲା । ସେ ପ୍ରକାଶ୍ୟରେ ରୂପନଗରର ରାଜା, ରାଣୀ, ରାଜସିଂହ ଏପରିକି ଚଞ୍ଚଲ୍‍କୁମାରୀ ଉପରେ ବିରକ୍ତ ହେଲା ଏବଂ ନିଜର ପ୍ରାଣପ୍ରିୟା ସଖୀକୁ ମହାରାଣୀ ବୋଲି ସମ୍ବୋଧନ କରିବାକୁ ସ୍ଵୀକାର କଲାନାହିଁ । ମହାରାଜା ରାଜସିଂହଙ୍କୁ ଦେଖିଲେ ଭଲକରି ଦୁଇପଦ ଶୁଣାଇଦେବାଲାଗି ସେ ମନେମନେ ପ୍ରତିଜ୍ଞା କଲା । ପ୍ରିୟସଖୀ ନିର୍ମଳର ଆନ୍ତରିକତା ଅନୁଭବ କରି କହିଲା ନିର୍ମଳ–“ସେସବୁ କଥା ଏବେ ଛାଡ଼ ! ମୋ ପାଖରେ ଜଣେ ହେଲେ କେହି ଆପଣାର ଲୋକ ନାହାନ୍ତି । ମୁଁ ଏହିପରି ଭାବରେ ଏଠାରେ ବହୁ କଷ୍ଟରେ କାଳଯାପନ କରୁଛି । ଭଗବାନ୍ ତୋତେ ଆଣି ମୋ ସହିତ ମିଳାଇଛନ୍ତି; ତେଣୁ ମୁଁ ତୋତେ ଛାଡ଼ିବି ନାହିଁ । ତୋତେ ମୋ ପାଖରେ ରହିବାକୁ ପଡ଼ିବ !”

 

ଏ’ କଥା ଶୁଣି ମୁଣ୍ଡରେ ଚଡ଼କ ପଡ଼ିଲାପରି ନିର୍ମଳକୁ ବୋଧ ହେଲା । ଏଇ ସେଦିନ ସେ ସ୍ଵାମୀଟିଏ ପାଇଛି, ନୂଆ ପ୍ରେମ, ନୂତନ ସୁଖ, ନବୀନ ଆନନ୍ଦ; ଏସବୁ ଛାଡ଼ି ଚଞ୍ଚଲ୍‍କୁମାରୀ ପାଖରେ ରହିବା କ’ଣ ସହଜ ବ୍ୟାପାର ? ତେଣୁ ନିର୍ମଳ କଥା–କଥାକେ ଚଞ୍ଚଲର ଅନୁରୋଧ ରକ୍ଷାକରିବାକୁ ରାଜିହେଲାନାହିଁ; ମିଛରେ ଏଣୁତେଣୁ ଛଳନା କରି ପ୍ରିୟସଖୀକୁ ଠକିବାକୁ ମଧ୍ୟ ତା’ର ବିବେକ ଅନୁମତି ଦେଲାନାହିଁ । ସତ କଥାକୁ ଟିକିଏ ବାଆଁରେଇ କହିବାକୁ ମଧ୍ୟ ସେ ଲଜ୍ଜା ବୋଧକଲା । ତେଣୁ ସେ ବାଧ୍ୟ ହୋଇ କହିଲା–“ହେଉ, ଠିକ୍ ଅଛି, ମୁଁ ଆରଓଳି କହିବି !”

 

ଏହା ଶୁଣିବାମାତ୍ରେ ଚଞ୍ଚଲ୍‍ର ଆଖିକୋଣରେ ଲୁହ ଜକେଇଆସିଲା । ସେ ମନେ ମନେ ଭାବିଲା–“ସତେ କ’ଣ ପ୍ରିୟସଖୀ ନିର୍ମଳ ମୋତେ ତ୍ୟାଗକଲା ! ହେ ଭଗବାନ୍ ! ତୁମେ ମୋର କେବଳ ଭରସା ! ପ୍ରଭୁ ହିଁ ତୁମେ ଯେପରି ମୋତେ ତ୍ୟାଗ ନକର । ଚଞ୍ଚଲ୍‍ ପ୍ରକାଶ୍ୟରେ ଟିକିଏ ହସିଦେଇ କହିଲା–“ନିର୍ମଳ, ତୁ ମୋ’ରି ପାଇଁ ରୂପନଗରରୁ ବାହାରି ଚାଲି ଚାଲି ମରିବାକୁ ବସିଥିଲୁ; ଆଉ ଆଜି ! ଓଃ, ଆଜି ତୁ ନୂଆକରି ସ୍ଵାମୀ ପାଇଛୁ ନା ?”

 

ଚଞ୍ଚଲ୍‍ର କଥା ଶୁଣି ନିର୍ମଳ ମନେ ମନେ ଲଜ୍ଜିତା ହୋଇ ମୁଣ୍ଡପୋତି କିଛି ସମୟ ବସିରହିଲା । ୟା’ ମଧ୍ୟରେ ସେ ମନେ ମନେ ନିଜକୁ ଶତ ଧିକ୍‌କାର କଲା । ଶେଷରେ ମୁହଁ ଖୋଲି କହିଲା–“ମୁଁ ଆରଓଳି ଆସିବି । ଯାହାଙ୍କ ହାତଧରି ସ୍ଵାମୀ ବୋଲି ମାନିଛି, ତାଙ୍କୁ ପଦଟିଏ ପଚାରିବା ଉଚିତ ହେବ । ଆଉ ମଧ୍ୟ ଗୋଟିଏ ଝିଅ ମୋ ବେକରେ ବନ୍ଧା । ତା’ ଲାଗି କିଛି ଗୋଟିଏ ବ୍ୟବସ୍ଥା ମଧ୍ୟ କରିବାକୁ ହେବ ।”

“ଝିଅଟିକୁ ଏଠାକୁ ନେଇଆସିଲେ କ୍ଷତି ବା କ’ଣ ?” ପ୍ରଶ୍ନ କଲା ଚଞ୍ଚଲ୍‍କୁମାରୀ ।

“ନା ନାଃ... ତାକୁ ମିଛଟାରେ ଏଠାକୁ ଆଣିବି କାହିଁକି ? ଜଣେ ଦୂରସମ୍ପର୍କୀୟ ପିଉସୀ ଅଛନ୍ତି; ତାଙ୍କୁ ହିଁ ଅଣାଇ ଘରେ ଛାଡ଼ି ଆସିବି !” ଏହିପରି କେତେ କ’ଣ ପ୍ରବୋଧନା ଦେଇ ନିର୍ମଳ ଅନ୍ତଃପୁରରୁ ବିଦାୟ ଘେନି ଆସିଲା । ଘରକୁ ଆସି ସେ ମାଣିକଲାଲ୍‍ ସହିତ ସମସ୍ତ ବିଷୟରେ ପରାମର୍ଶ କଲା । ମାଣିକଲାଲ୍‍ ମଧ୍ୟ ନିର୍ମଳକୁ ବିଦାୟ ଦେବାଲାଗି ଆନ୍ତରିକତାର ସହିତ ଚାହୁଁ ନ ଥିଲା; କିନ୍ତୁ ସେ ଅତ୍ୟନ୍ତ ପ୍ରଭୁଭକ୍ତ ହୋଇଥିବାରୁ ନିର୍ମଳକୁ ଅନ୍ତଃପୁରକୁ ଶୀଘ୍ର ଯିବାଲାଗି ଉତ୍ସାହିତ କଲା । ମାଣିକଲାଲ୍‍ର ପିଉସୀ ଆସି ଝିଅଟିର ଦାୟିତ୍ଵ ଗ୍ରହଣ କଲା ।

ନିର୍ମଳ ସବାରିରେ ବସି ଦାସଦାସୀଙ୍କ ଗହଣରେ ଅନ୍ତଃପୁର ଅଭିମୁଖେ ଅଗ୍ରସର ହେଲା । ବାଟରେ ଦେଖିଲା ଗୋଟିଏ ଚାରିଛକ ରାସ୍ତାରେ ଲୋକଭିଡ଼ ଯୋଗୁଁ ଯିବାପାଇଁ ମଧ୍ୟ ସ୍ଥାନ ନାହିଁ । ନିର୍ମଳର ସବାରି ବହୁମୂଲ୍ୟ ପରଦାରେ ଆବୃତ ହୋଇଥିଲା । ସେ ଏତେ ଲୋକ ଜମାହୋଇଥିବାର ଦେଖି, ପରଦା ଟେକି ବାହାରକୁ ଚାହିଁ ଗୋଟିଏ ଦାସୀକୁ ପଚାରିଲା–“ଏଠି ଏତେ ଭିଡ଼ କାହିଁକି ?” ଦାସୀଠାରୁ ଜଣାଗଲା, ଜଣେ ବିଖ୍ୟାତ ଜ୍ୟୋତିଷ ଏହି ଘରେ ରହନ୍ତି । ବହୁସଂଖ୍ୟକ ଲୋକ ନିଜ ନିଜର ଭାଗ୍ୟଗଣନା ଲାଗି ଏଠାରେ ଭିଡ଼ କରନ୍ତି ପ୍ରତିଦିନ । ନିର୍ମଳ ଆହୁରି ମଧ୍ୟ ଶୁଣିଲା ଯେ, ଜ୍ୟୋତିଷ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଦେଇପାରନ୍ତି । ସେ ଯାହାକୁ ଯାହା ଗଣନାକରି କହନ୍ତି, ତାହା ଅକ୍ଷରେ ଅକ୍ଷରେ ସତ୍ୟ ହୋଇଥାଏ । ତହୁଁ ନିର୍ମଳ ଦାସୀକୁ କହିଲା–“ଆମ ପାଇକମାନଙ୍କୁ କହ–ବାଟରୁ ଲୋକମାନଙ୍କୁ ଆଡ଼େଇ ଦିଅନ୍ତୁ, ମୁଁ ଭିତରକୁ ଯାଇ ଗଣନା କରାଇବି । ଦେଖ, ମୋ ପରିଚୟ ଦେବା ଦରକାର ନାହିଁ ।”

ପାଇକମାନଙ୍କ ବଲମ ଦେଖି ଲୋକମାନେ ଆପଣାଛାଏଁ ବାଟ ଛାଡ଼ି ଆଡ଼େଇଗଲେ ଏବଂ ନିର୍ମଳର ସୁଆରି ଯାଇ ଜ୍ୟୋତିଷଙ୍କ ଘରେ ପହଞ୍ଚିଲା । ଗଣନା କରିବାକୁ ବସିଥିବା ଲୋକଟି ଆସନ ଛାଡ଼ି ଉଠିଗଲାରୁ, ନିର୍ମଳ ଯାଇ ସେହିଠାରେ ବସି ଜ୍ୟୋତିଷ ମହାଶୟଙ୍କୁ ପ୍ରଣାମକରି–“ମା, ତୁମେ କ’ଣ ଗଣନା କରିବ ?”

“ମୁଁ ଯାହା ପଚାରୁଛି, ଆପଣ ତାହା ଗଣନା କରିଦିଅନ୍ତୁ !”

“ପ୍ରଶ୍ନ କରିବ ? ବେଶ୍, ଭଲ କଥା... ପଚାର !”

“ମୋର ଗୋଟିଏ ପ୍ରିୟସଖୀ ଅଛି ।”

“ବେଶ୍, ତା’ପରେ ?” ଜ୍ୟୋତିଷ କ’ଣ ଲେଖିଦେଇ ପଚାରିଲେ ।

“ତା’ର ବିବାହ କେବେ ହେବ ?” ଚଞ୍ଚଲ୍‍ର ବିବାହ ବିଷୟ ମନରେ ରଖି ପଚାରିଲା ନିର୍ମଳ ।

ଜ୍ୟୋତିଷ ପୁଣି କ’ଣ ଲେଖିଦେଇ ତଳେ ଖଡ଼ି ରଖି ଲଗ୍ନ ବିଚାରକଲେ । ଶୁଭ ଶକୁନ ଦେଖିଲେ, ନିର୍ମଳକୁ କେତେଗୁଡ଼ିଏ ପ୍ରଶ୍ନ କଲେ, କେତେ କ’ଣ ଅଙ୍କ କଷିଲେ, ପୋଥି ଖୋଲି ପଢ଼ିଲେ ଏବଂ ଶେଷକୁ ନିର୍ମଳକୁ ଚାହିଁ ମୁଣ୍ଡ ହଲାଇ ନାସ୍ତିସୂଚକ ଇଙ୍ଗିତ ଦେଲେ ।

“କ’ଣ... ବିବାହ ହେବନି ?” ଆଶ୍ଚର୍ଯ୍ୟ ହୋଇ ପଚାରିଲା ନିର୍ମଳ ।

“ପ୍ରାୟ ସେଇ ଧରଣର ଉତ୍ତର ଶାସ୍ତ୍ର ଲେଖୁଛି ।” ଉତ୍ତର ଦେଲେ ଜ୍ୟୋତିଷ ।

“ପ୍ରାୟ... ପୁଣି କଅଣ ?”

“ଯଦି ପୃଥିବୀଶ୍ଵରୀ ନିଜେ ଆସି ତୁମ ସଖୀଙ୍କର ପରିଚର୍ଯ୍ୟା କରନ୍ତି, ତେବେ ଯାଇ ତାଙ୍କର ବିବାହ ସମ୍ଭବ ହେବ ! ନୋହିଲେ କେବେହେଲେ ସମ୍ଭବ ନୁହେ । ତେଣୁ ମୁଁ କହୁଛି ଏହା ଅସମ୍ଭବ, ଅତଏବ ବିବାହ ହୋଇ ପାରିବ ନାହିଁ ।” କହିଲେ ଜ୍ୟୋତିଷ ମହୋଦୟ ।

“ଅସମ୍ଭବ... ।” ଗୋଟିଏ ଦୀର୍ଘନିଃଶ୍ଵାସ ତ୍ୟାଗକରି ଜ୍ୟୋତିଷଙ୍କୁ ଆଉ କିଛି ଅର୍ଥଦାନ କରି ନିର୍ମଳ ସେଠାରୁ ଚାଲିଗଲା ।

Image

 

ନିଆଁ ଜଳିବ

 

ଚଞ୍ଚଲ୍‍କୁମାରୀର ଅପହରଣ ଫଳରେ ଯେଉଁ ନିଆଁ ଜଳିଉଠିଲା, ହୁଏତ ସେହି ହୁତାଶନରେ ମୋଗଲ ସାମ୍ରାଜ୍ୟ କିମ୍ବା ରାଜପୁତାନା ଧ୍ଵଂସ ପାଇଯାଇଥାନ୍ତା ! କେବଳ ମହାରାଜା ରାଜସିଂହଙ୍କର ଦୟା–ଦାକ୍ଷିଣ୍ୟ ଫଳରେ ଅବସ୍ଥା ସେତେ ଗୁରୁତର ହୋଇ ନଥିଲା । ସେହି ଆଶ୍ଚର୍ଯ୍ୟଜନକ ଘଟଣାବଳୀ ପ୍ରତ୍ୟେକ ଭାରତୀୟ ମନରେ ଅଶେଷ ଉଦ୍ଦୀପନା ସୃଷ୍ଟି କରେ ।

 

ରୂପନଗରର ରାଜକୁମାରୀଙ୍କ ଅପହରଣ ସମ୍ବାଦ ଦିଲ୍ଲୀରେ ଆସି ପହଞ୍ଚିବାକ୍ଷଣି ସମଗ୍ର ନଗର ମଧ୍ୟରେ କୋଳାହଳ ପୂର୍ଣ୍ଣ ହୋଇଗଲା । ବାଦଶାହ ଆଓରଙ୍ଗଜେବ୍ କ୍ରୋଧରେ ଜର୍ଜ୍ଜରିତ ହୋଇ ସୈନ୍ୟବାହିନୀର ପଦସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରୁ କାହାକୁ ପଦଚ୍ୟୁତ, କାହାକୁ କାରାବାସଦଣ୍ଡ ଏବଂ କେତେକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ । କିନ୍ତୁ ପ୍ରଧାନ ଅପରାଧୀ ରାଜସିଂହ ଓ ଚଞ୍ଚଲ୍‍କୁମାରୀଙ୍କୁ ଏତେ ଶୀଘ୍ର କିଛି ଦଣ୍ଡବିଧାନ କରିପାରିଲେ ନାହିଁ; କାରଣ, ମେବାର ଗୋଟିଏ କ୍ଷୁଦ୍ର ରାଜ୍ୟ ହୋଇଥିଲେ ମଧ୍ୟ ସେଠାକୁ ପ୍ରବେଶ କରିବା ଅତ୍ୟନ୍ତ ଦୁଃସାଧ୍ୟ । ସେହି ରାଜ୍ୟର ଚତୁର୍ଦ୍ଦିଗରେ ଦୁର୍ଲ୍ଲଙ୍ଘ୍ୟ ପର୍ବତଶ୍ରେଣୀ ପ୍ରାଚୀର ସଦୃଶ ରହିଛି ଏବଂ ପ୍ରତ୍ୟେକ ରାଜପୁତ୍ ଜଣେ ଜଣେ ମହାବୀର । ସର୍ବୋପରି ରାଜା ରାଜସିଂହ ହିନ୍ଦୁଜଗତର ବୀରଚୂଡ଼ାମଣି ରୂପେ ପ୍ରଖ୍ୟାତ ଥିଲେ । ରାଜପୁତ୍‌ମାନେ କ’ଣ କରିପାରନ୍ତି, ତାହା ରାଣା ପ୍ରତାପ ସିଂହ ଆକ୍‌ବର ବାଦଶାହଙ୍କୁ ଶିଖାଇଥିଲେ-। ଜଗଦୀଶ୍ଵର ପଦବୀଧାରୀ ଦିଲ୍ଲୀଶ୍ଵରଙ୍କୁ କିଛିଦିନ ଲାଗି ସାଂଘାତିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

 

କିନ୍ତୁ ବାଦଶାହ ଆଓରଙ୍ଗଜେବ୍ କାହାରି ବଡ଼ପଣ ବରଦାସ୍ତ କରିପାରୁନଥିଲେ । ସେ ହିନ୍ଦୁମାନଙ୍କର ଅନିଷ୍ଟ ସାଧନଲାଗି ଜନ୍ମଗ୍ରହଣ କରିଥିଲେ; ତେଣୁ ହିନ୍ଦୁର ଅପରାଧ ତାଙ୍କ ପକ୍ଷରେ ଏକାନ୍ତ ଅସହ୍ୟ ହୋଇଉଠିଲା । ଜଣେ ହିନ୍ଦୁ ମହାରାଷ୍ଟ୍ରୀ ଥରକୁ ଥର ଅପମାନିତ କରୁଥିବାବେଳେ, ଆଉ ଜଣେ ରାଜପୁତ୍ ମୁଣ୍ଡଟେକିବାକୁ ସାହସ କରିବା ସାମାନ୍ୟ କଥା ନଥିଲା । ସେ ସମସ୍ତ ଚେଷ୍ଟାକରି ସୁଦ୍ଧା ମହାରାଷ୍ଟ୍ରୀଙ୍କର କିଛି କରିପାରିନଥିଲେ; ତେଣୁ ହଠାତ୍ ରାଜପୁତ୍‌ମାନଙ୍କ ବିରୁଦ୍ଧରେ କିଛି କରିପାରିଲେ ନାହିଁ । କେବଳ କ୍ରୋଧରେ ଜର୍ଜ୍ଜରିତ ହୋଇ, ବିଷ ଉଦ୍‌ଗାର କରିବା ସଙ୍ଗେ ସଙ୍ଗେ ରାଜସିଂହଙ୍କ ଅପରାଧ ଲାଗି ସମୁଦାୟ ହିନ୍ଦୁଜାତିର ଉତ୍ପୀଡ଼ନ ଲାଗି ବଦ୍ଧପରିକର ହୋଇଉଠିଲେ ।

 

ସେତେବେଳେ ମୋଗଲ ଶାସକଙ୍କ କରଭାର ଅତ୍ୟନ୍ତ ଉତ୍କଟ ଥିଲା; ବିଶେଷତଃ ହିନ୍ଦୁମାନଙ୍କ ପ୍ରତି ଜିଜିୟାକର ପୁଣି ଲାଗୁ କରାଇ ଆଓରଙ୍ଗଜେବ୍ ବେଶ୍ ପ୍ରତିଶୋଧ ନେଇଥିଲେ । ‘ଜିଜିୟାକର’ର ଅପକାରିତା ଲକ୍ଷ୍ୟକରି ବାଦଶାହ ଆକ୍‌ବର ଏହାକୁ ଉଠାଇ ଦେଇଥିଲେ । ସେହି ଅପମାନଜନକ ‘କର’କୁ ପୁଣି ଲାଗୁ କରାଇ ଆଓରଙ୍ଗଜେବ୍ ହିନ୍ଦୁମାନଙ୍କର ମାନସିକ ଯନ୍ତ୍ରଣା ବଢ଼ାଇଥିଲେ ।

 

ବହୁପୁର୍ବରୂ ଜିଜିୟାକର ଆଦାୟ କରିବା ଲାଗି ବାଦଶାହ ଆଦେଶନାମା ଜାରି କରିଥିଲେ; ବର୍ତ୍ତମାନ ରାଜସିଂହଙ୍କ ପ୍ରତି ପ୍ରତିଶୋଧ ନେବା ଇଚ୍ଛାରେ, ସେହି ନିନ୍ଦିତ ‘କର’ ଆଦାୟଲାଗି କଠୋର ବ୍ୟବସ୍ଥା ଗ୍ରହଣକଲେ । ସମଗ୍ର ହିନ୍ଦୁ ଜନତା ଏଥିଲାଗି ଆତଙ୍କିତ ହୋଇ ତ୍ରାହି ତ୍ରାହି ଡାକ ଛାଡ଼ିଲେ; ଏପରିକି, ସହସ୍ର ସହସ୍ର ହିନ୍ଦୁ ଜନତା ଯୋଡ଼ହସ୍ତରେ ବାଦଶାହଙ୍କଠାରେ କ୍ଷମାଭିକ୍ଷା କରିଥିଲେ ହେଁ, ସେ ସେଥିପ୍ରତି ତିଳେହେଲେ ଭ୍ରୁକ୍ଷେପ କଲେ ନାହିଁ । ଶୁକ୍ରବାର ଦିନ ବାଦଶାହ ସମବେତ ପ୍ରାର୍ଥନାରେ ଯୋଗଦେବା ଲାଗି ଜୁମା ମସ୍‌ଜିଦକୁ ଯିବା ସମୟରେ ବହୁ ସଂଖ୍ୟକ ହିନ୍ଦୁଜନତା ରାସ୍ତାର ଦୁଇପାର୍ଶ୍ଵରେ ଛିଡ଼ାହୋଇ ଜିଜିୟାକର ଉଠାଇଦେବା ଲାଗି କ୍ରନ୍ଦନ କରିଥିଲେ; କିନ୍ତୁ ନିଷ୍ଠୁର ଜାହାଁପନା ହରିଣ୍ୟକଶିପୁ ପରି ସେହି ନିରୀହ ଜନତା ଉପରେ ହାତୀ ଚଳାଇଦେଇ ସେହି ଜନମତକୁ ଦଳିଦେଇଥିଲେ ।

 

ଆଓରଙ୍ଗଜେବ୍‌ଙ୍କ ଅଧୀନରେ ସମଗ୍ର ଭାରତର ହିନ୍ଦୁଜନତା ଜିଜିୟାକର ଦେବାକୁ ବାଧ୍ୟ ହେଲା । ବ୍ରହ୍ମପୁତ୍ରଠାରୁ ସିନ୍ଧୁନଦୀ ପର୍ଯ୍ୟନ୍ତ ସମଗ୍ର ଦେଶରେ ବହୁକାଳରୁ ନିର୍ମିତ ଗଗନଚୁମ୍ବୀ ହିନ୍ଦୁ ମନ୍ଦିର ତଥା ଦେବମୂର୍ତ୍ତିଗୁଡ଼ିକ ଧ୍ଵସ୍ତ–ବିଧ୍ଵସ୍ତ ହୋଇ ସେ ସବୁ ସ୍ଥାନରେ ବିରାଟ ମସଜିଦ୍‌ମାନ ନିର୍ମିତ ହୋଇଗଲା । ସେହି ଧ୍ଵଂସର ତାଣ୍ଡବଲୀଳା ମଧ୍ୟରେ କାଶୀର ବିଶ୍ଵେଶ୍ଵର ମନ୍ଦିର, ମଥୁରାର କେଶବ ମନ୍ଦିର ତଥା ବଙ୍ଗଦେଶରେ ଯାହା ସ୍ଥାପତ୍ୟ କୀର୍ତ୍ତି ଥିଲା, ସବୁ ବିଲୁପ୍ତ ହୋଇ ଚିରକାଳ ଲାଗି ବିସ୍ମୃତିର ଗର୍ଭରେ ଲୀନ ହୋଇଗଲା ।

 

ତା’ପରେ ଆଓରଙ୍ଗଜେବ୍ ରାଜପୁତାନାର ରାଜପୁତ୍‌ମାନଙ୍କୁ ଜିଜିୟାକର ଦେବାକୁ ଆଦେଶନାମା ଘୋଷଣା କଲେ । ରାଜପୁତାନାର ପ୍ରଜାମାନେ ପ୍ରତ୍ୟକ୍ଷଭାବରେ ମୋଗଲ ଶାସନଧୀନରେ ନଥିଲେ ହେଁ, କେବଳ ହିନ୍ଦୁ ହୋଇଥିବାରୁ, ସେମାନଙ୍କ ଉପରେ ଏହି ଦଣ୍ଡାଜ୍ଞା ପ୍ରଚାରିତ ହୋଇଥିଲା । ରାଜପୁତ୍‌ମାନେ ପ୍ରଥମେ ଜିଜିୟା ଦେବାକୁ ଅନିଚ୍ଛା ପ୍ରକାଶକଲେ; କିନ୍ତୁ ସେତେବେଳେ କେବଳ ଉଦୟପୁର ବ୍ୟତୀତ ଅନ୍ୟାନ୍ୟମାନେ କର୍ଣ୍ଣଧାରବିହୀନ ନୌକାସଦୃଶ ଦୋଦୁଲ୍ୟମାନ ଅବସ୍ଥାରେ ରହିଥିଲେ । ଯେଉଁ ଜୟପୁରର ଅଧୀଶ୍ଵର ଜୟସିଂହ ମୋଗଲ ସାମ୍ରାଜ୍ୟର ପ୍ରଧାନ ଅବଲମ୍ବନସ୍ଵରୂପ ଥିଲେ; ବିଶ୍ଵାସଘାତକ, ବନ୍ଧୁହନ୍ତା ଆଓରଙ୍ଗଜେବ୍‌ଙ୍କ କୌଶଳରେ ସେ ଇହଧାମ ତ୍ୟାଗ କରିଥିଲେ ଏବଂ ତାଙ୍କର ପୁତ୍ର ମଧ୍ୟ ଦିଲ୍ଲୀଠାରେ ବନ୍ଦୀ ଜୀବନ ଅତିବାହିତ କରୁଥିଲେ । ତେଣୁ ଜୟପୁର ବାଧ୍ୟହୋଇ ଜିଜିୟା ଦେବାକୁ ସ୍ଵୀକୃତ ହୋଇଗଲା ।

 

ଯୋଧପୁରର ଯଶୋବନ୍ତ ସିଂହ ମଧ୍ୟ ମୋଗଲ ଚକ୍ରାନ୍ତରେ ଇହଲୋକରୁ ବିଦାୟ ନେଇଥିଲେ । ତାଙ୍କ ପତ୍ନୀ ପ୍ରଥମେ ମୋଗଲ କର୍ମଚାରୀମାନଙ୍କୁ ପ୍ରତ୍ୟାଖ୍ୟାନ କଲେ; କିନ୍ତୁ ଆଓରଙ୍ଗଜେବ୍‌ଙ୍କ ପକ୍ଷରୁ ଯୁଦ୍ଧର ଧମକ ଦିଆଯିବାରୁ ସେ ବାଧ୍ୟହୋଇ ଜିଜିୟା କର ପ୍ରତିବଦଳରେ ରାଜ୍ୟରୁ କିୟଦଂଶ ଛାଡ଼ିଦେଲେ ।

 

ରାଜସିଂହ କୌଣସିମତେ ଜିଜିୟା ଦେବେନାହିଁ ବୋଲି ମୋଗଲ ବାଦଶାହଙ୍କ ଆଦେଶକୁ ତାଚ୍ଛଲ୍ୟ ଭାବରେ ପ୍ରତ୍ୟାଖ୍ୟାନ କଲେ । ସେ ଜିଜିୟା ପ୍ରତ୍ୟାଖ୍ୟାନ କରି ଆଓରଙ୍ଗଜେବ୍‌ଙ୍କୁ ଯେଉଁ ପତ୍ର ଲେଖିଥିଲେ, ତାହା ଆଓରଙ୍ଗଜେବ୍‌ଙ୍କ କ୍ରୋଧକୁ ହୋମକୁଣ୍ଡରେ ଘୃତଧାର ପରି ଆହୁରି ତୀବ୍ର କରାଇଦେଲା । *

 

ଏ ପତ୍ର ପାଇବାପରେ ବାଦଶାହ ପୁଣି ଆଦେଶନାମାରେ ଜଣାଇଦେଲେ–ଜିଜିୟା ଦେବାକୁ ହିଁ ପଡ଼ିବ, ରାଜ୍ୟରେ ଗୋହତ୍ୟା କରିବାରେ ବାଧା ଦିଆଯିବ ନାହିଁ ଏବଂ ସର୍ବୋପରି ରାଜ୍ୟରୁ ସମସ୍ତ ଦେବାଳୟ ଭାଙ୍ଗି ଦେବାକୁ ପଡ଼ିବ । ରାଜସିଂହ ଏହି ଧମକ ପ୍ରତି ତିଳେ ହେଲେ ଭ୍ରୁକ୍ଷେପ ନକରି ଯୁଦ୍ଧ କରିବାଲାଗି ସମସ୍ତ ଆୟୋଜନରେ ଲାଗିପଡ଼ିଲେ ।

 

ଆଓରଙ୍ଗଜେବ୍ ମଧ୍ୟ ଯୁଦ୍ଧର ଆୟୋଜନ କଲେ; ପ୍ରକୃତରେ ଏପରି ଭୀଷଣ ଆୟୋଜନ ସେ କେବେହେଲେ ଜୀବନରେ କରିନଥିଲେ । ଏହି କ୍ଷୁଦ୍ର ରାଜ୍ୟ ବିରୁଦ୍ଧରେ ସେ ଯୁଦ୍ଧର ଯେଉଁ ବିପୁଳ ଆୟୋଜନ କରିଥିଲେ; ଖୁବ୍ ସମ୍ଭବତଃ ଚୀନ୍ କିମ୍ବା ପାରସ୍ୟର ସମ୍ରାଟ୍ ତାଙ୍କର ପ୍ରତିଦ୍ଵନ୍ଦୀ ହୋଇଥିଲେ ସେ ଅନୁରୂପ ଆୟୋଜନ କରିନଥାନ୍ତେ ।

 

* ଏହି ପତ୍ର ସମ୍ବନ୍ଧରେ Rajasthan by Todରେ ଲେଖାଅଛି–“The Rana remonstrated by letter, in the name of the nation of which he was the head, in a style of such uncompromising dignity, such lofty yet temperate resolve, so much of soulstiring rebuke mingled with a boundless and tolerating benevolence, such elevating excess of the divinity with such pure philanthropy, that it may challenge competition with any epistolary production of any age, clime or condition”. Vol. I, page–381.

 

** ଔପନ୍ୟାସିକ ବଙ୍କିମଚନ୍ଦ୍ର ଏହି ଯୁଦ୍ଧ–ଆୟୋଜନକୁ ଗ୍ରୀସ୍ ବିରୁଦ୍ଧରେ ଆସିରିଆର ଅଧିପତିଙ୍କ ଯୁଦ୍ଧ-ଅଭିମାନ ସହିତ ତୁଳନା କରି କହିଛନ୍ତି–ଏହି ଦୁଇ ଘଟଣା ପରସ୍ପର ତୁଳନୀୟ, ଆଉ ତୃତୀୟ ଘଟଣା ନାହିଁ । ଆମେ ଗ୍ରୀକ୍ ଇତିହାସ ମୁଖସ୍ଥ କରି ମରୁଥାଇଁ; କିନ୍ତୁ ରାଜସିଂହଙ୍କ ଇତିହାସ କିଛି ହେଲେ ଜାଣୁ ନଥାଇଁ । ଆଧୁନିକ ଶିକ୍ଷାର ଏହା ହିଁ ସୁଫଳ !

Image

 

ଚଞ୍ଚଲ୍‍ର ଚାତୁରୀ

 

ରାଜସିଂହ ଯେଉଁ ମର୍ମଭେଦୀ ପତ୍ର ଦିଲ୍ଲୀ ବାଦଶାହଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ସେଇଥିରୁ ହିଁ ଅଗ୍ନ୍ୟୁତ୍ପାତର ସମ୍ଭାବନା ଥିଲା । ତେଣୁ ସେହି ପତ୍ର ନେଇ ଯିବ କିଏ ସେ, ଏହା ଏକ ସମସ୍ୟା ହୋଇଉଠିଲା । ସେ ଯୁଗରେ ଦୂତ ଅବଧ୍ୟ ହୋଇଥିଲେ ହେଁ, ମହାପାପୀ ଆଓରଙ୍ଗଜେବ୍ ପକ୍ଷରେ ତାହା ଅସମ୍ଭବ ନଥିଲା । ସେ ଏଥିପୂର୍ବରୁ ଅନେକ ରାଜଦୂତଙ୍କୁ ବଧ କରିଥିଲେ । ଯେଉଁ ବ୍ୟକ୍ତି ନିଜର ଚାଲାକିଦ୍ଵାରା ପ୍ରାଣରକ୍ଷା କରି ନ ପାରିବ, ଏପରି ଲୋକକୁ ରାଣା ପଠାଇବାଲାଗି ଆଦୌ ପ୍ରସ୍ତୁତ ହେଲେ ନାହିଁ । ଠିକ୍ ସେହି ସମୟରେ ମାଣିକଲାଲ୍‍ ସେଠାରେ ପହଞ୍ଚି ରାଜଦୂତ ହେବାର ଏକାନ୍ତ ଆଗ୍ରହ ପ୍ରକାଶ କଲା । ରାଜସିଂହ ଉପଯୁକ୍ତ ବ୍ୟକ୍ତି ପାଇ ତାହାରି ହସ୍ତରେ ସମସ୍ତ ଭାର ଅର୍ପଣ କଲେ ।

 

ଏ ସମ୍ବାଦ ଶୁଣିବାମାତ୍ରେ ଚଞ୍ଚଲ୍‍କୁମାରୀ ନିର୍ମଳକୁ ଡକାଇ ଆଣି କହିଲା–“ତୁ ତୋ’ ସ୍ଵାମୀ ସହିତ ଯାଉନାହୁଁ କାହିଁକି ?”

 

ନିର୍ମଳ ବିସ୍ମିତ ହୋଇ କହିଲା–“କୁଆଡ଼େ ଯିବି ? ଦିଲ୍ଲୀ ?? କାହିଁକି ??”

 

“ଥରେ ହେଲେ ବାଦଶାହର ରଙ୍ଗମହଲଟିକୁ ଦେଖିଆସିବୁ !”

 

“ଶୁଣିଛି, ସେଇଟା କାଳେ ଗୋଟାଏ ନର୍କର ଆଡ଼୍‌ଡ଼ା !”

 

“ତୁ କ’ଣ ନରକକୁ କେବେହେଲେ ଯିବୁନାହିଁ କି ? ବିଚରା ମାଣିକଲାଲ୍‍ ଉପରେ ତୁ ଯେଉଁ ଅତ୍ୟାଚାର କରିଚାଲିଛୁ, ସେଥିରେ ତୋତେ ନରକ ବ୍ୟତୀତ ଆଉ କେଉଁଠି ବାସ ମିଳିବ କି-?”

 

“ବେଶ୍ ଭଲ ହୋଇଛି; ସୁନ୍ଦରୀ ଦେଖି ବାହାହେବାକୁ କିଏ କହୁଥିଲା କି ?”

 

“ଗଛତଳେ ପଡ଼ି ଗଡ଼ିଯାଇ ମରୁଥିଲି, ବିଚରା ବଞ୍ଚାଇଲାରୁ ଏବେ ପାଟିରୁ ବାଟୁଳି ବାଜୁନି... ।” ହସି ହସି କହିଲା ଚଞ୍ଚଲ୍‍ ।

 

“ହଁ... ମ... ମୁଁ କ’ଣ ତାଙ୍କୁ ଖୋସାମତ୍ କରି ଡାକିଥିଲି କି ? ହଉ, ଛାଡ଼ ସେକଥା । ବର୍ତ୍ତମାନ ଭୂତବୋଝ କାନ୍ଧେଇ ଦିଲ୍ଲୀ ଗଲେ କରିବ କ’ଣ କୁହ ।”

 

“ଉଦୀପୁରୀ ବେଗମ୍‌କୁ ନିମନ୍ତ୍ରଣ ଦେଇ ଆସିବୁ !”

 

“କାହିଁକି ?” ବିସ୍ମିତ ହୋଇ ପଚାରିଲା ନିର୍ମଳ ।

 

“ବାଃ... ତମାଖୁ ଚିଲମ୍ ସଜାଇଦେବ, ମନେ ନାହିଁ କି ?”

 

“ସତ...ସତ... ! କଥାଟା ମୋଟେ ମୋର ମନେ ନ ଥିଲା ! ଓଃ... ସତେ ତ ! ପୃଥିବୀଶ୍ଵରୀ ତୋର ପରିଚାଳନା ନ ହେଲେ ତୋତେ ପରା ଭୂତବୋଝ ମିଳିବ ନାହିଁ ।”

 

“ଦୂର୍‌ହ...ପାପିଷ୍ଠା ! ମୁଁ ତ ଏବେ ଭୂତବୋଝ ହୋଇ ଏଠି ପଡ଼ିରହିଛି । ହୁଏତ ବାଦଶାହଙ୍କ ବେଗମ୍ ମୋର ଦାସୀ ହେବ, ନଇଲେ ମୋତେ ବିଷ ଖାଇବାକୁ ପଡ଼ିବ । ଗଣକ ଏଇଆ ଗଣନା କରି କହିଛନ୍ତି ପରା !”

 

“ଖାଲି ପତ୍ର ପଠାଇ ନିମନ୍ତ୍ରଣ କରିଦେଲେ କ’ଣ ବେଗମ୍ ଆସିବେ ?”

 

“ତା’ ତ କେବେ ନୁହେଁ ! କିନ୍ତୁ ମୋର ଉଦ୍ଦେଶ୍ୟ ଏ ବିବାଦ ତେଜିଉଠୁ ! ମୋର ବିଶ୍ଵାସ, ଏ ଯୁଦ୍ଧରେ ମହାରାଣାଙ୍କର ବିଜୟ ଥୁଆ ! ତା’ହେଲେ ଯାଇ ବେଗମ୍ ମୋ ଦାସୀ ହୋଇପାରିବ ! ଆଉ ମୋର କ’ଣ ଉଦ୍ଦେଶ୍ୟ ଜାଣୁ ? ତୁ ବେଗମ୍‌ମାନଙ୍କୁ ଭଲ କରି ଚିହ୍ନି ଆସିବୁ-!”

 

“ସେ କାମ କିପରି ସମ୍ଭବ ହେବ, ମୋତେ ବୁଝାଇଦେ !”

 

“ମୁଁ କହିଦେଉଛି ଶୁଣ ! ତୁ ତ ଜାଣିଛୁ, ମୋ’ ପାଖରେ ଯୋଧପୁରୀ ବେଗମ୍‌ଙ୍କ ପଞ୍ଝାଟି ରହିଛି ! ତୁ ସେଇ ପଞ୍ଝାଟିକୁ ନେଇଯିବୁ ! ତା’ରି ଫଳରେ ତୁ ରଙ୍ଗମହଲକୁ ପଶିଯାଇ ଯୋଧପୁରୀ ବେଗମ୍‌ଙ୍କ ସହିତ ଆଳାପ–ଆଲୋଚନା କରିପାରିବୁ ! ତାଙ୍କ ନିକଟରେ ମୋର ସବୁତକ ଘଟଣା କହିବୁ । ମୁଁ ଉଦୀପୁରୀ ବେଗମ୍ ନାଆଁରେ ଖଣ୍ଡିଏ ପତ୍ର ଲେଖି ଦେଉଛି, ତାହା ତାଙ୍କୁ ଦେଖାଇବୁ । ସେ କୌଣସିମତେ ପତ୍ରଟିକୁ ଉଦୀପୁରୀ ପାଖକୁ ପଠାଇ ଦେବେ । ଯେଉଁଠି ନିଜ ବୁଦ୍ଧି ହଜିଯିବ, ସେଇଠି ମାଣିକଲାଲ୍‍ଠାରୁ କାଣିଚାଏ ଧାର ନେବୁ !”

 

“ଓଃ... ମୋ’ ପରି ସ୍ତ୍ରୀ ପାଇଥିବାରୁ ତାଙ୍କର ସଂସାର ଚଳୁଛି; ନଇଲେ... ।” ନିର୍ମଳର କଥା ଶୁଣି ଦୁଇସଖୀ ଖୁବ୍ ବହେ ମନ ପୂରାଇ ହସିବାକୁ ଲାଗିଲେ । ତା’ପରେ ନିର୍ମଳ ଚଞ୍ଚଲ୍‍ର ପତ୍ର ନେଇ ଅନ୍ତଃପୁରରୁ ଫେରିଆସିଲା ଏବଂ ଯଥାସମୟରେ ମାଣିକଲାଲ୍‍ ସହିତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଉଦ୍ଦେଶ୍ୟରେ ଯୋଗାଡ଼ରେ ଲାଗିଗଲା ।

 

ଏ ଯାତ୍ରାର ଆୟୋଜନରେ ମାଣିକଲାଲ୍‍ ଖୁବ୍ ଲାଗିପଡ଼ିଲା । ସବୁ ଆୟୋଜନ ଶେଷ କରି ସେ ନିର୍ମଳକୁ ନେଇ ସବୁତକ ଦେଖାଇଦେଲା । ମାଣିକଲାଲ୍‍ର କଟା ଆଙ୍ଗୁଳି ସ୍ଥାନରେ ଭଲ ଆଙ୍ଗୁଳି ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା ନିର୍ମଳ–

 

“ଏ’ କ’ଣ ?”

 

“ନୂଆକରି ତିଆରି କରିଛି !”

 

“କେଉଁଥିରେ ତିଆରି କଲ ?”

 

“ହାତୀଦାନ୍ତରେ କେତେ ପ୍ରକାର କଳକବ୍‌ଜା ଲଗାଇ, ଛେଳି ଚମଡ଼ା ଗୁଡ଼ାଇ ତାକୁ ଦେହର ରଙ୍ଗ ସହିତ ମିଶାଇଦେଇଛି । ଇଚ୍ଛାନୁସାରେ ସେଇଟିକୁ ଲଗାଇ ହେବ, ଆଉ ବାହାର କରିହେବ ।”

 

“ଏହାର ଦରକାର କ’ଣ ?”

 

“ଦିଲ୍ଲୀରେ ଜାଣିପାରିବ । ସେଠାରେ ଛଦ୍ମବେଶ ଧାରଣ କରିବାକୁ ପଡ଼ିପାରେ । କଟା ଆଙ୍ଗୁଳିଟା ନଥିଲେ ସହଜରେ ଚାଲାକି ଧରାପଡ଼ିଯିବ; କିନ୍ତୁ ଦୁଇପ୍ରକାର ଆଙ୍ଗୁଳି ରହିଲେ ବେଶ୍ ଚାଲାକି ଖେଳିହେବ !”

 

ଏହା ଶୁଣି ନିର୍ମଳ ନ ହସି ରହିପାରିଲାନାହିଁ । ଅନ୍ୟାନ୍ୟ ଉପକରଣ ସହିତ ମାଣିକଲାଲ୍‍ ଗୋଟିଏ ପିଞ୍ଜରାରେ ପାରାଟିଏ ଅତି ଯତ୍ନର ସହିତ ନେଇଥିଲା । ପାରା ସେ କାଳରେ ଚିଠିପତ୍ର ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବେଶ୍ ଦକ୍ଷତାର ସହିତ ଯାଇପାରୁଥିଲା । ତେଣୁ ସେହି ବିଷୟରେ ମାଣିକଲାଲ୍‍ ନିର୍ମଳକୁ ଭଲଭାବରେ ବୁଝାଇଦେଲା ।

 

ଦିଲ୍ଲୀ ବାଦଶାହଙ୍କ ନିକଟକୁ ଦୂତ ପ୍ରେରଣ କଲେ, କିଛି ଉପଢ଼ୌକନ ପଠାଇବା ସେ ସମୟର ପ୍ରଥା ଥିଲା; ଏପରିକି ଇଂରେଜ, ପର୍ତ୍ତୁଗୀଜ୍‌ମାନେ ମଧ୍ୟ ମୋଗଲ ଦରବାରକୁ ଆସିଲେ ଅନେକ ମୂଲ୍ୟବାନ୍ ଉପଢ଼ୌକନ ସଙ୍ଗରେ ଧରି ଆସୁଥିଲେ । ତେଣୁ ରାଜସିଂହ ମାଣିକଲାଲ୍‍ ହାତରେ ବାଦଶାହଙ୍କ ନିକଟକୁ କେତେକ ଉପହାର ଦ୍ରବ୍ୟ ପ୍ରେରଣ କଲେ; କିନ୍ତୁ ବିଶେଷ ଆନ୍ତରିକତା ନଥିବାରୁ ରାଣା ମୂଲ୍ୟବାନ୍ କିମ୍ବା ଅଧିକ ସାମଗ୍ରୀ ପଠାଇଲେ ନାହିଁ ।

 

ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକ ମଧ୍ୟରେ ଶ୍ଵେତପ୍ରସ୍ତର ଉପରେ ମଣିମୁକ୍ତାଖଚିତ କେତୋଟି କାରୁକାର୍ଯ୍ୟମୟ ଦ୍ରବ୍ୟ ପଠାଇଲେ । ମାଣିକଲାଲ୍‍ ସେଗୁଡ଼ିକୁ ସ୍ଵତନ୍ତ୍ର ବାହନରେ ଦିଲ୍ଲୀ ନେବାର ଆୟୋଜନ କଲା ।

 

ନିର୍ଦ୍ଦିଷ୍ଟ ଦିବସରେ ମାଣିକଲାଲ୍‍ ରାଜସିଂହଙ୍କ ପତ୍ର, ଉପହାର ସହିତ ଅନେକ ଦାସଦାସୀ, ନୌକର ଚାକର, ଘୋଡ଼ା, ହାତୀ, ଓଟ, ଶଗଡ଼, ପାଲିଙ୍କି, ସବାରି ଏବଂ ନିଜର ପତ୍ନୀ ନିର୍ମଳକୁମାରୀକୁ ନେଇ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଯାତ୍ରା ଆରମ୍ଭକଲା । ମାର୍ଗର ଦୂରତା ବେଶି ହୋଇଥିବାରୁ ମାଣିକଲାଲ୍‍ ଅନେକ ଦିନ ପରେ ଦିଲ୍ଲୀ ନିକଟରେ ପହଞ୍ଚିଲା । ଦିଲ୍ଲୀଠାରୁ କିଛି ଦୂରରେ ନିଜର ଶିବିର ପକାଇ ମାଣିକଲାଲ୍‍ ସମସ୍ତଙ୍କୁ ସେଠାରେ ରଖାଇ କେବଳ ଜଣେମାତ୍ର ନିଜର ବିଶ୍ଵାସୀ ଲୋକ ତଥା ଉପହାର ସାମଗ୍ରୀ ନେଇ ଦିଲ୍ଲୀ ମଧ୍ୟରେ ନିର୍ମିତ ଆଙ୍ଗୁଳିଟିକୁ ଖୋଲି ନିର୍ମଳ ହାତରେ ଦେଇ କହିଲା–“ଯାଉଛି, କାଲି ଆସିବି !”

 

ନିର୍ମଳ ପଚାରିଲା–“କଥା କ’ଣ ?” ମାଣିକଲାଲ୍‍ ଖଣ୍ଡିଏ ପଥର ଉପରେ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନ ଦେଖାଇ କହିଲା–“ମୁଁ ସବୁତକ ପଥର ଜିନିଷରେ ଏହି ଚିହ୍ନ ଦେଇଛି !”

 

“କାହିଁକି, କାରଣ କ’ଣ ?”

 

“ଦିଲ୍ଲୀ ରହଣି ମଧ୍ୟରେ ଆମ ଦୁହିଁଙ୍କର ଛାଡ଼ବାଡ଼ ହୋଇପାରେ; ତା’ ଫଳରେ ଯଦି ଆମେ ପରସ୍ପରର ସନ୍ଧାନ ପାଇ ନ ପାରିବା, ତା’ ହେଲେ ତୁମେ ପଥର ଜିନିଷ କିଣିବାଲାଗି ବଜାରକୁ ପଠାଇବା । ଯେଉଁ ଦୋକାନରେ ଏହି ଚିହ୍ନଥିବା ଜିନିଷ ପାଇବ, ସେହି ଦୋକାନରେ ହିଁ ମୋର ସନ୍ଧାନ ପାରିପାରିବ ।”

 

ଏହିପରି ଭାବରେ ପରାମର୍ଶକରି ନିଜର ବିଶ୍ଵାସୀ ଲୋକଟି ସହିତ ପ୍ରସ୍ତରନିର୍ମିତ ଜିନିଷତକ ନେଇ ମାଣିକଲାଲ୍‍ ଦିଲ୍ଲୀ ମଧ୍ୟରେ ପ୍ରବେଶକଲା । ସେଠାରେ ଗୋଟିଏ ଘର ଭଡ଼ା ନେଇ, ସାଥିରେ ଥିବା ଲୋକଟିକୁ ଦୋକାନଦାର ଭାବରେ ରଖାଇ, ସେ ଶିବିରକୁ ଫେରିଆସିଲା ।

 

ତା’ ପରେ ସେଠାରୁ ଶିବିର ଉଠାଇ ନେଇ ନିର୍ମଳକୁମାରୀ ତଥା ଅନ୍ୟ ଲୋକମାନଙ୍କ ସହିତ ଦୁର୍ଗ ବାହାରେ ଯଥାରୀତି ଶିବିର ସ୍ଥାପନ କରି ବାଦଶାହଙ୍କ ନିକଟକୁ ସମ୍ବାଦ ପଠାଇଲା ।

Image

 

Unknown

ରଙ୍ଗମହଲରେ ନିର୍ମଳ

 

ଅପରାହ୍‌ଣରେ ବାଦଶାହ ଆଓରଙ୍ଗଜେବ୍ ‘ଦରବାର ଆମ୍’ରେ ସିଂହାସନରୂଢ଼ ହେଲେ ଏବଂ ସେଇ ସମୟରେ ମାଣିକଲାଲ୍‍ ଯାଇ ସେଠାରେ ଉପସ୍ଥିତ ହୋଇଗଲା । ମାଣିକଲାଲ୍‍ ପ୍ରଥମ ପାହାଚ ଉଠିବାମାତ୍ରେ ଯଥାରୀତି କୁର୍ଣ୍ଣିସ୍ କରି କରି ଧୀରମନ୍ଥର ଗତିରେ ଉପରକୁ ଯାଇ ‘ତଖତତାଉସ୍’ ନିକଟରେ ପହଞ୍ଚିଲା । ସେ ଦରବାରୀ କାଇଦାରେ ଅଭିବାଦନ ଜଣାଇ ରାଜସିଂହଙ୍କ ପ୍ରେରିତ ଉପହାରତକ ବାଦଶାହଙ୍କ ସମ୍ମୁଖରେ ଥୋଇଦେଲା । ସେହି ଦ୍ରବ୍ୟଗୁଡ଼ିକ ମଧ୍ୟରେ ଥିଲା–ଦୁଇଟି ତରବାରି; ଗୋଟିଏ ଖୋଳରେ ଥିଲା ଏବଂ ଅନ୍ୟଟି ଖାଲି ଥିଲା । ଜିନିଷଗୁଡ଼ିକ ସେପରି କିଛି ମୂଲ୍ୟବାନ୍ ନଥିବାରୁ ଆଓରଙ୍ଗଜେବ୍ ମନେ ମନେ ଅତ୍ୟନ୍ତ ରୁଷ୍ଟ ହୋଇଉଠିଲେ; କିନ୍ତୁ ମୁହଁରେ କିଛି ନ କହି କେବଳ ଖୋଳରେ ନଥିବା ତରବାରିଟିକୁ ଉଠାଇନେଲେ । ଅନ୍ୟ ଜିନିଷଗୁଡ଼ିକୁ ଆଦୌ ଛୁଇଁଲେ ନାହିଁ ।

 

ତା’ପରେ ମାଣିକଲାଲ୍‍ ରାଜସିଂହଙ୍କ ପତ୍ରଟି ବଢ଼ାଇଦେଲା । ବାଦଶାହ ପତ୍ରର ଅର୍ଥ ହୃଦୟଙ୍ଗମ କରି କ୍ରୋଧରେ ଅନ୍ଧ ହେଇଗଲେ; କିନ୍ତୁ ‘ଦରବାର୍ ଆମ୍’ରେ ଆଦୌ କ୍ରୋଧ ପ୍ରକାଶ କଲେନାହିଁ । ତା’ପରେ ସେ ଆଦରର ସହିତ ମାଣିକଲାଲ୍‍ ସହିତ କେତେକଥା ଆଲୋଚନା କଲେ-। ରାଜଦୂତଙ୍କୁ ବିଶେଷ ସମାଦରପୂର୍ବକ ରଖିବା ଲାଗି ବକ୍‌ସୀଙ୍କୁ ଆଦେଶ ଦେଲେ ଏବଂ ଆଗାମୀ କାଲି ମହାରଣାଙ୍କ ପତ୍ରର ଉତ୍ତର ଦେବାଲାଗି କହି ମାଣିକଲାଲ୍‍କୁ ବିଦାୟ ଦେଲେ ।

 

ତା’ ପରେ ପରେ ଦରବାର ଦରଖାସ୍ତ ହୋଇଗଲା । ଦରବାରରୁ ଆସିବାମାତ୍ରେ ମାଣିକଲାଲ୍‍କୁ ହତ୍ୟା କରିବା ଲାଗି ଆଓରଙ୍ଗଜେବ୍ ଆଦେଶ ଦେଇଦେଲେ । ହତ୍ୟାକରିବା ଲାଗି ରାଜାଦେଶ ଦିଆଗଲା ସତ୍ୟ; କିନ୍ତୁ ହତ୍ୟାକାରୀମାନେ ମାଣିକଲାଲ୍‍କୁ ଆଉ ଖୋଜି ଖୋଜି ପାଇଲେ ନାହିଁ । ମାଣିକଲାଲ୍‍କୁ ସମାଦର କରି ରଖାଇବା ଲାଗି ଯାହାଙ୍କୁ ଆଦେଶ ମିଳିଥିଲା; ସେ ମଧ୍ୟ ରାଜଦୂତଙ୍କୁ ଖୋଜି ଖୋଜି ପାଇଲେ ନାହିଁ । ଦିଲ୍ଲୀର ପ୍ରତ୍ୟେକ ଅନ୍ଦିକନ୍ଦି ଖୋଜାଚାଲିଲା; କିନ୍ତୁ କେଉଁଠି ହେଲେ ମାଣିକଲାଲ୍‍ର ସନ୍ଧାନ ମିଳିଲା ନାହିଁ । ତା’ର ହତ୍ୟା ଲାଗି ଆଦେଶ ପ୍ରଚାରିତ ହେବା ପୂର୍ବରୁ ସେ କେଉଁଆଡ଼େ ଖସି ପଳାଇଗଲା । ମାଣିକଲାଲ୍‍କୁ ଏତେ ଖୋଜାଖୋଜି ଚାଲିଥିବାବେଳେ, ସେ ଛଦ୍ମବେଶରେ ସେହି ପଥର ଦୋକାନରେ ବସି ବିକାକିଣା କରୁଥିଲା । ଅନୁସନ୍ଧାନକାରୀମାନେ ମାଣିକଲାଲ୍‌କୁ କୌଣସି ସ୍ଥାନରେ ନ ପାଇ, ତା’ର ଶିବିରରେ ଯାହାକୁ ପାଇଲେ, ତାକୁ ଧରିନେଇ କଟୁଆଳ ଜିମା କରିଦେଲେ । ସେହିମାନଙ୍କ ମଧ୍ୟରେ ନିର୍ମଳକୁମାରୀ ଥିଲା ।

 

କଟୁଆଳ ବହୁ ପଚରାଉଚରା କରି ମଧ୍ୟ ଅନ୍ୟ ଲୋକମାନଙ୍କଠାରୁ କିଛି ଖବର ପାଇପାରିଲେ ନାହିଁ । ମାରପିଟ୍ ତଥା ନାନାପ୍ରକାର ଭୟ ପ୍ରଦର୍ଶନ ଫଳରେ କିଛି ଲାଭ ହେଲା ନାହିଁ । ସେମାନେ ପ୍ରକୃତରେ ମାଣିକଲାଲ୍‍ର କିଛିହେଲେ ଖବର ଜାଣି ନଥିଲେ; ତେଣୁ ସେମାନେ କ’ଣ ବା କହିଥା’ନ୍ତେ ?

 

କଟୁଆଳ ପରିଶେଷରେ ନିର୍ମଳକୁମାରୀକୁ ଜେରା ଆରମ୍ଭ କରିଦେଲେ । ସେ ପରଦାସୀନ ହୋଇଥିବାରୁ କଟୁଆଳ ତାକୁ ଏ ପର୍ଯ୍ୟନ୍ତ ଅଲଗା ରଖିଥିଲେ । କଟୁଆଳ ତାକୁ ମାଣିକଲାଲ୍‍ ସମ୍ବନ୍ଧରେ ଏଣୁତେଣୁ ପ୍ରଶ୍ନ ପଚାରିବାରୁ ସେ ଉତ୍ତର ଦେଇ କହିଲା–“ରାଣାଙ୍କର ଦୂତଙ୍କୁ ମୁଁ ଆଦୌ ଚିହ୍ନିନାହିଁ !”

 

“ତା’ ନାମ ମାଣିକଲାଲ୍‍ ସିଂହ !” କହିଲା କଟୁଆଳ ।

 

“ମୁଁ ତ ମାଣିକ–ଫାଣିକ କାହାରିକୁ ଚିହ୍ନିନାହିଁ ।”

 

“ତୁମେ ରାଜଦୂତଙ୍କ ସହିତ ଉଦୟପୁରରୁ ଆସିନାହିଁ ?”

 

“ମୁଁ କେବେହେଲେ ଜୀବନରେ ଉଦୟପୁର ଦେଖିନାହିଁ !”

 

“ତା’ହେଲେ ତୁମେ କିଏ ସେ ?” ନିରୁପାୟ ହୋଇ ପଚାରିଲେ କଟୁଆଳ ।

 

“ମୁଁ ହଜରତ୍ ଯୋଧପୁରୀ ବେଗମ୍‌ଙ୍କ ହିନ୍ଦୁ ସେବିକା !”

 

“ହଜରତ୍ ବେଗମ୍ ସାହିବାଙ୍କ ଦାସୀ ପରିବାରୀମାନେ କେବେହେଲେ ମହଲ ଛାଡ଼ି ବାହାରକୁ ଆସନ୍ତି ନାହିଁ !”

 

“ମୁଁ ମଧ୍ୟ କେବେହେଲେ ବାହାରକୁ ଆସିନାହିଁ; କିନ୍ତୁ ଏଥର ହିନ୍ଦୁ ରାଜଦୂତ ଆସିଥିବାର ଶୁଣି ବେଗମ୍ ସାହିବା ମୋତେ ପଠାଇଥିଲେ ।”

 

“ଆଶ୍ଚର୍ଯ୍ୟ ! ତୁମକୁ କାହିଁକି ପଠାଇଥିଲେ ଯେ....”

 

“ଶ୍ରୀକୃଷ୍ଣଙ୍କ ଚରଣାମୃତ ନେବାପାଇଁ । ଏହା ପ୍ରତ୍ୟେକ ରାଜପୁତ୍ ନିଜ ପାଖରେ ରଖିଥାଏ !”

 

“ତୁମେ ତ ଏକୁଟିଆ ଅଛ; ପୁଣି ତୁମେ ମହଲ ବାହାରକୁ ଆସିଲ କିପରି ?”

 

“ଏହାରି ବଳରେ ଆସିଲି ।” ଏହା କହି ନିର୍ମଳକୁମାରୀ ଯୋଧପୁରୀ ବେଗମ୍‌ଙ୍କ ପଞ୍ଝାଟି ଦେଖାଇଦେଲା । ତାକୁ ଦେଖିବାମାତ୍ରେ କଟୁଆଳ ତିନିବାର ସଲାମ୍ କରି କହିଲା–“ତୁମେ ଯାଅ, ଆଉ ତୁମକୁ କେହି କିଛି କହିବେ ନାହିଁ ।”

 

ତା’ପରେ ଟିକିଏ ଭାବିଚିନ୍ତି କହିଲା ନିର୍ମଳକୁମାରୀ–“କଟୁଆଳ ସାହେବ, ଆଉ ଟିକିଏ ଅନୁଗ୍ରହ କରିବାକୁ ପଡ଼ିବ । ମୁଁ କେବେହେଲେ ମହଲ ବାହାରକୁ ଆସିନାହିଁ । ବର୍ତ୍ତମାନ ଏଇ ଧରପଗଡ଼ ଦେଖି ମୋତେ ଖୁବ୍ ଭୟ ଲାଗୁଛି । ଆପଣ ଦୟାକରି ଜଣେ ପାଇକ କିମ୍ବା ଜଣେ ପ୍ରହରୀ ମୋ ସହିତ ପଠାନ୍ତୁ । ସେ ମୋତେ ମହଲରେ ଛାଡ଼ିଦେଇ ଆସିଲେ ଖୁବ୍ ଭଲ ହୁଅନ୍ତା !”

 

କଟୁଆଳ ସଙ୍ଗେ ସଙ୍ଗେ ଜଣେ ଅସ୍ତ୍ରଧାରୀ ସୈନିକକୁ ସବୁକଥା ବୁଝାଇ ନିର୍ମଳକୁମାରୀକୁ ବାଦଶାହଙ୍କ ଅନ୍ତଃପୁରରେ ଛାଡ଼ିଆସିବା ଲାଗି ପଠାଇଲେ । ବାଦଶାହଙ୍କ ବଡ଼ ବେଗମ୍‌ଙ୍କ ପଞ୍ଝା * ଦେଖି ଅନ୍ତଃପୁରରକ୍ଷକ ଖୋଜାମାନେ କେହି କିଛି ଆପତ୍ତି କଲେନାହିଁ । ନିର୍ମଳ ନିଜର ବାକ୍‌ଚାତୁରୀ ବଳରେ ପଚରାଉଚରା କରି, ଯୋଧପୁରୀ ବେଗମ୍‌ଙ୍କ ସନ୍ଧାନ ପାଇ ତାଙ୍କୁ ପ୍ରଣାମ ଜଣାଇ ସେଇ ପଞ୍ଝାଟି ଦେଖାଇଲା । ଅପରିଚିତା ସ୍ତ୍ରୀଟିକୁ ଦେଖି ବେଗମ୍ ତାକୁ ଖାସ୍ କମରାକୁ ନେଇଯାଇ ଏକାନ୍ତରେ ପଚାରିଲେ–“ଏ ପଞ୍ଝା ତୁମେ କେଉଁଠୁ ପାଇଲ ?”

 

ନିର୍ମଳକୁମାରୀ ଧୀରେ କହିଲା–“ଦେବି ! ମୁଁ ସବୁକଥା ଆପଣଙ୍କୁ ବୁଝାଇ କହୁଛି, ଶୁଣନ୍ତୁ !”

 

ନିର୍ମଳ ପ୍ରଥମେ ନିଜର ପରିଚୟ ଦେଲା, ତା’ପରେ ଦେବୀର ରୂପନଗର ଯିବା; ସେ ଯାହା ଯାହା କହିଥିଲା, ସେ କଥା; ପଞ୍ଝା ଦେଇ ଆସିବା ଏବଂ ପରିଶେଷରେ ଚଞ୍ଚଲ୍‍କୁମାରୀ ଓ ନିଜର ଯାହା ଯାହା ଘଟିଥିଲା, ସମସ୍ତ ବୃତ୍ତାନ୍ତ ଗୋଟି ଗୋଟି କହିଗଲା । ତଦ୍‌ବ୍ୟତୀତ ସେ ମାଣିକଲାଲ୍‍ର ପରିଚୟ ଦେଇ, ଦିଲ୍ଲୀରେ ତା’ର ଅସୁବିଧା ବିଷୟ ତନ୍ନତନ୍ନ କରି ବୁଝାଇଦେଲା । ସବୁ କହିସାରିବା ପରେ ଉଦୀପୁରୀଙ୍କ ଲାଗି ଆଣିଥିବା ପତ୍ରଟି ତାଙ୍କୁ ଦେଇ କହିଲା–“ଏ ପତ୍ର କିପରି ଉଦୀପୁରୀ ବେଗମ୍‌ଙ୍କଠାରେ ପହୁଞ୍ଚାଇବି, ସେହି ଉପଦେଶ ପାଇବା ଲାଗି ଆପଣଙ୍କ ନିକଟକୁ ଆସିଛି ।”

 

ରାଜମହିଷୀ ମନେ ମନେ ରାଜପୁତ୍ ତରୁଣୀର ସାହସ ଓ କୌଶଳକୁ ପ୍ରଶଂସା କରି କହିଲେ–“ସେ ଉପାୟ ମୁଁ କହିଦେବି । ସେଥିଲାଗି ଜେବ୍ଉନ୍ମିସାର ଅନୁମତି ସାପେକ୍ଷ । ତାହା ଏବେ ସମ୍ଭବ ନୁହେଁ ! ସେ ପାପିଷ୍ଠା ମଦ ଖାଇ ମାତାଲ ହୋଇଗଲେ, ସେ ଉପାୟ କରାଯିବ । ଏବେ ତୁମେ ଯାଇ ମୋ ହିନ୍ଦୁ ଦାସୀମାନଙ୍କ ପାଖରେ ଖିଆପିଆ କର !” ଏହା କହି ବେଗମ୍ ଅନୁରୂପ ଆଦେଶ ପ୍ରଚାର କରାଇଦେଲେ ।

 

* ଗୋଟିଏ ହାତ ପାପୁଲି ଆକୃତିର ତାମ୍ରଫଳକକୁ ପଞ୍ଝା କୁହାଯାଏ । ତାହା ଅନୁମତି ରୂପେ ବ୍ୟବହୃତ ହୁଏ ।

Image

 

ବେଗମ୍ ମହଲ

 

ରାତି ଟିକିଏ ଅଧିକ ହୋଇଯିବା ପରେ ଯୋଧପୁରୀ ବେଗମ୍ ନିର୍ମଳକୁ ଉପଯୁକ୍ତ ଉପଦେଶ ଦେଇ ଗୋଟିଏ ତାତାରୀ ପ୍ରତିହାରିଣୀ ସହିତ ଜେବ୍ଉନ୍ନିସା ମହଲକୁ ପଠାଇଦେଲେ । ନିର୍ମଳ ମୋଗଲସୁନ୍ଦରୀଙ୍କ କକ୍ଷ ମଧ୍ୟରେ ପ୍ରବେଶକରି ଅତର, ଗୋଲାପ, ଅନ୍ୟାନ୍ୟ ପୁଷ୍ପଗନ୍ଧ ତଥା ସୁବାସିତ ତମାଖୁର ସୁଗନ୍ଧରେ ମୁଗ୍‌ଧ ହୋଇଗଲା । ନାନାପ୍ରକାର ରତ୍ନମଣ୍ଡିତ ପ୍ରାସାଦର ଚନ୍ଦ୍ରାତପ, ଶଯ୍ୟା ତଥା କାନ୍ଥଗୁଡ଼ିକ ଦେଖି ନିର୍ମଳ ବିସ୍ମିତ ହୋଇଗଲା । ବିଭିନ୍ନ ମୂଲ୍ୟବାନ୍ ରତ୍ନ ତଥା ସୁଗନ୍ଧିତ ପୁଷ୍ପମିଶ୍ରିତ ଅଳଙ୍କାରଦୀପ୍ତିରେ ଚନ୍ଦ୍ର ସୂର୍ଯ୍ୟ ପରି ଦେଦୀପ୍ୟମାନ୍ ଜେବ୍ଉନ୍ନିସାର ସୌନ୍ଦର୍ଯ୍ୟ ଦେଖି ସେ ଚମତ୍କୃତ ହୋଇଗଲା । ଏପରି ଭୁବନମୋହିନୀ ସୌନ୍ଦର୍ଯ୍ୟଶାଳିନୀ ଜେବ୍ଉନ୍ନିସାକୁ ଦେଖି ସେ ଦେବଲୋକବାସିନୀ ଅପ୍‌ସରା ବୋଲି ମନେକଲା ।

 

କିନ୍ତୁ ସ୍ଵର୍ଗ–ସୁନ୍ଦରୀଙ୍କର ଆଖି ସେତେବେଳେ ଟଳମଳ, ମୁଖମଣ୍ଡଳ ଲାଲ, ଚିତ୍ତ ବିଭ୍ରାନ୍ତ-। ଦ୍ରାକ୍ଷା–ସୁଧା ସେତେବେଳେ ସୁନ୍ଦରୀଙ୍କୁ ପୂର୍ଣ୍ଣଗ୍ରାସ କରିଛି । ନିର୍ମଳକୁମାରୀ ଯାଇ ତାହାଙ୍କ ନିକଟରେ ଛିଡ଼ାହୋଇଯାଆନ୍ତେ, ସେ ମାତଲାମି ସ୍ଵରରେ ପଚାରିଲା–“ତୁ... କିଏ... ସେ-?”

 

ନିର୍ମଳ ଆଦୌ ଭୟ ନକରି ଉତ୍ତର ଦେଲା–“ମୁଁ ଉଦୟପୁରର ରାଜମହିଷୀଙ୍କ ଦୂତୀ !”

 

“ତୁ... କ’ଣ... ମୋଗଲ ବାଦଶାହଙ୍କ... ତଖତ୍ ତାଉସ୍... ନେବାକୁ... ଆସିଛୁ ?”

 

“ନା; ଖଣ୍ଡିଏ ପତ୍ର ନେଇ ଆସିଛି !”

 

“ଚିଠି... କ’ଣ... ହେବ... ? ପୋଡ଼ି... ଚନ୍ଦ୍ରଉଦିଆ... ଜାଳିବୁ... ?”

 

“ନା, ଉଦୀପୁରୀ ବେଗମ୍‌ସାହିବାଙ୍କୁ ଦେବି !”

 

“ସେ... ବଞ୍ଚିଛି... ନା,... ମରିଛି ?”

 

“ବଞ୍ଚିଛନ୍ତି ବୋଧହୁଏ !”

 

“ନାଃ...ସେ...ଏ...ଏ...ମ...ମ...ରି...ଇ...ଯାଇଛି... । ଏଃ...ଏଇ...ଦା...ଦା...ସୀଟାକୁ କେହି...ତା’...ପାଖକୁ...ନେଇ...ଯାଅ... !”

 

“ଜେବ୍ଉନ୍ନିସାର ଉଦ୍ଦେଶ୍ୟ ହେଉଛି–ଏଇ ଦାସୀଟାକୁ ଯମପୁରକୁ ପଠାଇ ଦିଅ; କିନ୍ତୁ ତାତାରୀ ରମଣୀ ସେ କଥା ବୁଝିବ କୁଆଡ଼ୁ ? ସେ ସାଦାସିଧା ଭାଷାରେ ଯାହା ବୁଝିଲା, ସେହି ଅନୁସାରେ ସେ ନିର୍ମଳକୁ ଉଦୀପୁରୀ ବେଗମ୍ ସାହିବାଙ୍କ ନିକଟକୁ ନେଇଗଲା ।

 

ନିର୍ମଳ ସେଠାରେ ଯାଇ ଦେଖିଲା–ଉଦୀପୁରୀ ବେଗମ୍‌ଙ୍କର ଚକ୍ଷୁ ରକ୍ତବର୍ଣ୍ଣ, ମେଜାଜ୍ ଖୁସ୍ ଓ ସେ ଉଚ୍ଚହାସ୍ୟରୋଳରେ କକ୍ଷ କମ୍ପାଇ ଦେଉଥିଲା । ନିର୍ମଳ ବେଶ୍ ନମ୍ରତାର ସହିତ ଗୋଟିଏ ସଲାମ୍ କରି ଛିଡ଼ା ହୋଇ ରହିଲା । ଉଦୀପୁରୀ ତା’ ଆଡ଼କୁ ଚାହିଁ କହିଲା–“ଆପଣ କିଏ ସେ ?”

 

“ମୁଁ ଉଦୟପୁର ମହାରାଣୀଙ୍କର ଦୂତୀ !” ଖଣ୍ଡିଏ ଚିଠି ନେଇ ଆପଣଙ୍କ ନିକଟକୁ ଆସିଛି !”

“ନା...ନାଃ, ତୁମେ ପାରସ୍ୟ ଦେଶର ବାଦଶାହ ! ମୋଗଲ ବାଦଶାହଙ୍କ ହାତରୁ ମୋତେ ଛଡ଼ାଇ ନେଇଯିବାକୁ ଆସିଛ ।”

ନିର୍ମଳ ହସ ସମ୍ଭାଳି ନେଇ ଚଞ୍ଚଲ୍‍କୁମାରୀର ପତ୍ର ଖଣ୍ଡିକ ଉଦୀପୁରୀ ବେଗମ୍‌ଙ୍କ ହାତକୁ ବଢ଼ାଇଦେଲା । ଉଦୀପୁରୀ ପତ୍ରଟିକୁ ପଢ଼ିବାର ଛଳନା କରି କହିଲେ–“କ’ଣ ଲେଖିଛି ? ଲେଖିଛ–ହେ ମୋର ପ୍ରିୟସଖି, ତୁମର ସୌନ୍ଦର୍ଯ୍ୟ ଓ ଧନ–ସମ୍ପତ୍ତିର ଖବର ପାଇ ମୁଁ ଏକାଥରକେ ବେହୋସ୍ ଓ ପାଗଳି ହୋଇଯାଇଛି । ତୁମେ ଶୀଘ୍ର ଆସି ମୋ କଲିଜା ଥଣ୍ଡା କରିବ । ଠିକ୍ ଅଛି, ଯିବା... । ହଜୁର୍‌ଙ୍କ ସଙ୍ଗରେ ନିଶ୍ଚୟ ଯିବି; ଅଲବତ୍ ଯିବି ! ଆପଣ ଟିକିଏ ଅପେକ୍ଷା କରନ୍ତୁ, ମୁଁ ଟୋପାଏ ମଦ ପିଇଦିଏ ! ଆପଣ ଟୋପାଏ ପିଇବା ଲାଗି ତଶରିଫ୍ ରଖନ୍ତୁ ! ଖୁବ୍ ବଢ଼ିଆ ଶରାବ୍, ଫିରିଙ୍ଗଙ୍କ ରାଜଦୂତ ଏହା ଉପହାର ଦେଇଛି । ଏଭଳି ସରାବ୍ ଆପଣଙ୍କ ମୁଲକରେ ତିଆରି ହୁଏ ନାହିଁ !” ଏହା କହି ଉଦୀପୁରୀ ପିଆଲା ମୁହଁରେ ଲଗାଇବାକ୍ଷଣି, ସେଇ ଅବସରରେ ନିର୍ମଳ ସେଠାରୁ ଚମ୍ପଟ୍ କରି ଆସି ଯୋଧପୁରୀ ବେଗମ୍‌ଙ୍କ ନିକଟରେ ହାଜର୍ ହୋଇଗଲା ଏବଂ ତାଙ୍କ ପାଖରେ ଗୋଟି ଗୋଟି କରି ସମସ୍ତ ଘଟଣା ବଖାଣିଗଲା । ଯୋଧପୁରୀ ବେଗମ୍ ନିର୍ମଳର କଥା ଶୁଣି ନ ହସି ରହିପାରିଲେ ନାହିଁ । ସେ ହସି ହସି କହିଲେ–“କାଲି ତା’ର ଅବସ୍ଥା ଦୋରସ୍ତ ହେଲେ, ସେ ପତ୍ରଟିକୁ ପାଠ କରିବ । ତୁମେ ଏଇ ସମୟରେ ପଳାଇଯାଅ; ନୋହିଲେ କାଲି ନିଶ୍ଚୟ ଗୋଟେ କିଛି ହଟ୍ଟଗୋଳ ଲାଗିଯିବ । ମୁଁ ଜଣେ ଖୋଜାଙ୍କୁ ତୁମ ସଙ୍ଗରେ ପଠାଉଛି, ସେ ନେଇ ତୁମ ସ୍ଵାମୀଙ୍କ ଛାଉଣିରେ ଛାଡ଼ି ଦେଇ ଆସିବ । ସେଠାରେ ତୁମେ ତୁମର ଆତ୍ମୀୟସ୍ଵଜନଙ୍କ ସହିତ ଆଜି ରାତାରାତି ଦିଲ୍ଲୀ ବାହାରକୁ ପଳାଇଯାଅ । ଯଦି ତୁମ ଶିବିରରେ କାହାରିକୁ ନ ପାଇବ, ତେବେ ଏହି ଖୋଜା ସହିତ ଦିଲ୍ଲୀ ବାହାରକୁ ପଳାଇବ । ତୁମ ସ୍ଵାମୀ ବୋଧହୁଏ ଦିଲ୍ଲୀ ବାହାରେ କେଉଁଠି ତୁମକୁ ଅପେକ୍ଷା କରିଥିବେ । ବାଟରେ ଯଦି ତୁମ ସ୍ଵାମୀଙ୍କ ସହିତ ଦେଖା ନ ହୁଏ, ଏ’ ଖୋଜା ତୁମ ସହିତ ଉଦୟପୁର ପର୍ଯ୍ୟନ୍ତ ଯାଇ ଛାଡ଼ିଆସିବ ! ତୁମ ପାଖରେ ବାଟ ଖରଚ ଲାଗି ଯଦି ପଇସା ନ ଥାଏ, ତା’ହେଲେ ମୁଁ ଦେଉଛି, ନେଇଯାଅ; କିନ୍ତୁ ଦେଖ, ଖୁବ୍ ସାବଧାନତାର ସହିତ ରହିବ, ମୁଁ ଯେପରି ଧରା ନ ପଡ଼େ !”

ନିର୍ମଳ ଯୋଧପୁରୀ ବେଗମ୍‌ଙ୍କ ବ୍ୟବହାରରେ ଖୁବ୍ ଖୁସିହୋଇ କହିଲା–“ହଜରତ୍, ସେ ବିଷୟରେ ନିଶ୍ଚିନ୍ତ ରୁହନ୍ତି ! ମୁଁ ରାଜପୁତ୍ କନ୍ୟା !”

ତା’ପରେ ଯୋଧପୁରୀ ବେଗମ୍ ବନାସୀ ନାମକ ଖୋଜାକୁ ଡକାଇ ସବୁ କଥା ବୁଝାଇ ଦେଇ ପଚାରିଲେ–“ଏବେ ଯାଇପାରିବୁ ତ ?”

“ହଁ, ପାରିବି ନାହିଁ କାହିଁକି ? ବେଗମ୍ ସାହିବାଙ୍କ ଦସ୍ତଖତ୍ ଥିବା ପରୱାନା ଖଣ୍ଡିଏ ନ ପାଇଲେ ଏଡ଼େ ବଡ଼ ଦୁଃସାହସ କରିବାକୁ ଧୈର୍ଯ୍ୟ ରହୁନାହିଁ ।”

“ଭଲକଥା; ଯେପରି ପରୱାନା ହେଲେ ଚଳିବ, ତୁ ଖଣ୍ଡିଏ ସେହିପରି ଲେଖା ଲେଖି ଆଣି; ମୁଁ ଦସ୍ତଖତ୍ କରାଇ ଆଣୁଛି !”

“ବେଗମ୍‍ଙ୍କ କଥା ଅନୁସାରେ ଖୋଜା ଖଣ୍ଡିଏ ପରୱାନା ଲେଖି ଆଣିଲା । ବେଗମ୍ ପରୱାନାଟିକୁ ତାତାରୀ ପ୍ରତିହାରିଣୀକୁ ଦେଇ କହିଲେ–“ଏଥିରେ ବେଗମ୍ ସାହିବାଙ୍କ ଦସ୍ତଖତ କରାଇ ଆଣ ।”

“ଯଦି ପଚାରିବେ କି ପରୱାନା ?” ପଚାରିଲା ପ୍ରତିହାରିଣୀ ।

 

“କହିବୁ, ମୋ ହତ୍ୟା ଲାଗି ପରୱାନା । ହଁ, କାଳି କଲମ୍ ନେଇଯିବୁ, ଆଉ ସେଥିରେ ପଞ୍ଝାର ମୋହର ଲଗାଇବାକୁ ଭୁଲିବୁନାହିଁ !” କହିଲେ ଯୋଧପୁରୀ ବେଗମ୍ ।

 

ପ୍ରହରିଣୀ କାଳି କଲମ୍ ଓ ପରୱାନା ନେଇ ଜେବ୍ଉନ୍ନିସାଙ୍କ କକ୍ଷରେ ପହଞ୍ଚିଲା । ବେଗମ୍ ନିଶାରେ ଟଳମଳ ।

 

“କି ପରୱାନା ଆଣିଛୁ ?”

 

“ହଜରତ୍, ମୋରି ହତ୍ୟା ଲାଗି ପରୱାନା... ।’’

 

‘‘କ’ଣ ଚୋରୀ କରିଥିଲୁ ?’’

 

‘‘ହଜରତ୍‍, ଉଦୀପୁରୀ ବେଗମ୍‌ଙ୍କର ଅଳଙ୍କାର... !”

 

“ବେଶ୍ କରିଛୁ ! କତଲ୍‍ ହୋଇସାରିବା ପରେ ପିନ୍ଧିବୁ... ।”

 

ଏହା କହି ଜେବ୍ଉନ୍ନିସା ପରୱାନାରେ ଦସ୍ତଖତ କରିଦେଲା । ପ୍ରହରିଣୀ ସେଥିରେ ସିଲ୍ ମୋହର ଲଗାଇ ଆଣି ଯୋଧପୁରୀ ବେଗମ୍‌ଙ୍କୁ ଧରାଇଦେଲା । ବନାସୀ ପରୱାନାଟି ଧରି ନିର୍ମଳକୁ ନେଇ ଯୋଧପୁରୀ ବେଗମ୍ ମହଲରୁ ଯାତ୍ରାକଲା ଏବଂ ନିର୍ମଳ ମଧ୍ୟ ଅତି ଆନନ୍ଦ ମନରେ ବେଗମ୍‌ଙ୍କୁ ପ୍ରଣାମ ଜଣାଇ ଖୋଜାର ପଛେ ପଛେ ଅନୁସରଣ କଲା ।

 

କିଛିଦୂର ଯିବାପରେ ହଠାତ୍ ରଙ୍ଗମହଲ–ଫାଟକର କିଛି ଦୂରରୁ ଖୋଜା ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇଗଲା ଏବଂ ସଙ୍ଗେ ସଙ୍ଗେ ତା’ ମୁହଁରୁ ଚିତ୍କାର ବାହାରିପଡ଼ିଲା–“ବିପଦ, ସାଙ୍ଘାତିକ ବିପଦ, ପଳାଅ, ପଳାଅ !” ଏହା କହି ଖୋଜା ଏକାନିଃଶ୍ଵାସକେ ପ୍ରାଣ ଘେନି ପଳାଇଗଲା ।

Image

 

ଯମ ହାବୁଡ଼େ

 

କାହିଁକି ପଳାଇବାକୁ ପଡ଼ିବ, ତା’ର କାରଣ କିଛି ବୁଝିପାରିଲା ନାହିଁ ନିର୍ମଳ । ସେ ଏଣେତେଣେ ଚାରିଆଡ଼େ ନିରୀକ୍ଷଣ କଲା; ମାତ୍ର ପଳାଇବାର କୌଣସି କାରଣ ଦେଖିବାକୁ ପାଇଲା ନାହିଁ । କେବଳ ଦେଖିଲା–ଫାଟକ ନିକଟରେ ପରିଣତ ବୟସ୍କ ଶୁଭ୍ର ବେଶଧାରୀ ଜଣେ ବ୍ୟକ୍ତି ଛିଡ଼ାହୋଇଛନ୍ତି । ନିର୍ମଳ ମନେ ମନେ ଭାବିଲା–ଏ କ’ଣ ଭୂତ ନା ପ୍ରେତ ଯେ, ଏଇ ଲୋକଟାକୁ ଦେଖି ଖୋଜା ପଳାଇଗଲା ! ସେ ଜୀବନରେ କେବେହେଲେ ଭୂତପ୍ରେତଙ୍କ ନାଁ’ରେ ଭୟ କରୁ ନ ଥିଲା । ତେଣୁ ସେଠାରୁ ନିର୍ମଳ ପଳାଇ ନ ଯାଇ ଛିଡ଼ାହୋଇ ଇତସ୍ତତଃ ହେବାକୁ ଲାଗିଲା । ଏହି ସମୟରେ ଶୁଭ୍ର ବେଶଧାରୀ ପୁରୁଷ ଆସି ସେଠାରେ ପହଞ୍ଚିଗଲେ । ନିର୍ମଳକୁ ଦେଖି ପଚାରିଲେ–“ତୁମେ କିଏ ?”

 

“ମୁଁ ଯେ’ ହୁଏ, ତୁମର ଯାଏ–ଆସେ କେତେ ?” ଉତ୍ତରଦେଲା ନିର୍ମଳ ।

 

“ତୁମେ କୁଆଡ଼େ ଯାଉଥିଲ ?”

 

“ବାହାରକୁ... !”

 

“କାହିଁକି ?”

 

“ମୋର ଦରକାର ଅଛି !” ଯେଷାକୁ ତେଷା ଉତ୍ତରଦେଲା ନିର୍ମଳ ।

 

“ମୁଁ ଜାଣେ, ଦରକାର ନ ଥିଲେ କେହି କିଛି କରେନାହିଁ । ଦରକାରଟା କ’ଣ ?”

 

“ମୁଁ କହିବି ନାହିଁ ।”

 

“ତୁମେ ହିନ୍ଦୁ ଘରର ଝିଅପରି ଜଣାପଡ଼ୁଛ; କେଉଁ ଜାତିର ?”

 

“ରାଜପୁତ୍ !”

 

“ତୁମେ କ’ଣ ଯୋଧପୁରୀ ବେଗମ୍‌ଙ୍କ ପାଖରେ ରହୁଛ କି ?”

 

ନିର୍ମଳ ମନେ ମନେ ଯୋଧପୁରୀ ବେଗମ୍‌ଙ୍କ ନାମ ସୁଦ୍ଧା କାହାରି ଆଗରେ ପ୍ରକାଶ ନ କରିବାକୁ ପ୍ରତିଜ୍ଞା କରିଥିଲା; କାଳେ ଉପକାରିଣୀ ବେଗମ୍‌ଙ୍କର କିଛି ଅନିଷ୍ଟ ହେବ । ତେଣୁ ସେ ଉତ୍ତର ଦେଲା–“ମୁଁ ଏଠାରେ ରହେନାହିଁ; ଆଜି ଆସିଛି !”

 

“କେଉଁଠାରୁ ଆସିଛ ?”

 

“ପ୍ରୌଢ଼ ବ୍ୟକ୍ତିଙ୍କ ପ୍ରଶ୍ନ ଶୁଣି ନିର୍ମଳ ମନେ ମନେ ଭାବିଲା–ଏ ଲୋକଟା ମୋର କ’ଣ କରିପାରିବ ? କାହାରି ଭୟରେ ରାଜପୁତ୍ କନ୍ୟା ହୋଇ ମିଥ୍ୟା କହିବି କାହିଁକି ? ତେଣୁ ଉତ୍ତର ଦେଲା–“ମୁଁ ଉଦୟପୁରରୁ ଆସିଛି !”

 

ତାହା ଶୁଣି ଶୁଭ୍ରବେଶଧାରୀ ଟିକିଏ ଗମ୍ଭୀର ସ୍ଵରରେ ପଚାରିଲେ–“କାହିଁକି ଆସିଛ ?”

 

ନିର୍ମଳ ମନେ ମନେ ଭାବିଲା–ଏ ଲୋକଟିର ଏତେ କଥାରେ ଯାଏ–ଆସେ କେତେ ? ଏହାକୁ ମୁଁ ମୋର ପରିଚୟ ବା କାହିଁକି ଦେବି ? ତେଣୁ ପ୍ରକାଶ୍ୟରେ କହିଲା–“ଆପଣଙ୍କୁ ଏତେ ପରିଚୟ ଦେଇ ମୋର ଲାଭ କ’ଣ ? ଆପଣ ଏତେ ପ୍ରକାର ଖୋଳିତାଡ଼ି ପଚାରୁଛନ୍ତି ବା କାହିଁକି-? ବରଂ ଦୟାକରି ମୋତେ ଫାଟକ ପାରକରିଦେଲେ ମୁଁ ବିଶେଷ ଧନ୍ୟବାଦ ଜଣାଇବି ।”

 

“ତୁମକୁ କେତେକ ପ୍ରଶ୍ନ କରି ଉତ୍ତରରେ ଯଦି ମୁଁ ସନ୍ତୁଷ୍ଟ ହେବି, ତା’ହେଲେ ନିଶ୍ଚୟ ତୁମକୁ ଫାଟକ ପାରକରିଦେବି ।”

 

“ଆପଣ କିଏ ସେ, ଏ ପରିଚୟ ନ ଜାଣିଲେ ମୁଁ ସବୁକଥା ଆପଣଙ୍କୁ ଖୋଲାଖୋଲି ଭାବରେ କହିବି କାହିଁକି ?”

 

ପ୍ରୌଢ଼ ବ୍ୟକ୍ତି ଆହୁରି ଟିକିଏ ଗମ୍ଭୀର ହୋଇ କହିଲେ–“ମୁଁ ବାଦଶାହ ଆଲମ୍‌ଗିର୍ ।”

 

ସଙ୍ଗେ ସଙ୍ଗେ ନିର୍ମଳର ଆଖି ଆଗରେ ଭାସିଉଠିଲା ଆଲମ୍‌ଗିର୍‌ଙ୍କ ପ୍ରତିଛବି; ଦିନେ ରୂପନଗରରେ ଚଞ୍ଚଲ୍‍କୁମାରୀ ଯେଉଁ ଚିତ୍ରଟିକୁ ପଦାଘାତ କରି ଭାଙ୍ଗିଦେଇଥିଲା ! ନିର୍ମଳ ଜିଭ କାମୁଡ଼ିପକାଇ ମନେ ମନେ କହିଲା–‘ଆରେ...ସତେ ତ !’ ତା’ପରେ ସେ ରୀତିମତ ଆଦବ୍ କାଇଦାରେ କୁର୍ଣ୍ଣିଶ୍ କରି ହାତଯୋଡ଼ି କହିଲା–“ବାଦଶାହ ସଲାମତ୍, ହୁକୁମ୍ ଫରମାଇଶ୍ କରନ୍ତୁ ।”

 

“ଏଠାକୁ କାହା ନିକଟକୁ ଆସିଥିଲ ?”

 

“ହଜରତ୍ ବାଦଶାହ, ବେଗମ୍ ସାହିବା ଉଦୀପୁରୀଙ୍କ ନିକଟକୁ ।”

 

“କ’ଣ କହିଲ... ? ଉଦୟପୁରରୁ ଆସିଛ, ଉଦୀପୁରୀ ନିକଟକୁ ??...କାହିଁକି ?”

 

“ଖଣ୍ଡିଏ ପତ୍ର ଥିଲା !”

 

“କାହାର ପତ୍ର ?”

 

“ମହାରାଣାଙ୍କ ରାଜମହିଷୀଙ୍କର... !”

 

“କାହିଁ ସେ ପତ୍ର ?”

 

“ହଜରତ୍, ବେଗମ୍ ସାହିବଙ୍କୁ ତାହା ଦେଇସାରିଛି !”

 

ବାଦ୍‌ଶାହ ଆଓରଙ୍ଗଜେବ୍ ମନେ ମନେ ଅତ୍ୟନ୍ତ ବିସ୍ମିତ ହୋଇ କହିଲେ–“ହେଉ...ମୋ’ ସହିତ ଆସ !”

 

ନିର୍ମଳକୁ ସଙ୍ଗରେ ନେଇ ବାଦ୍‌ଶାହ ଉଦୀପୁରୀର କକ୍ଷରେ ପ୍ରବେଶ ହେଲେ । ଦୁଆରେ ନିର୍ମଳକୁ ଛିଡ଼ା କରାଇ ଗୋଟିଏ ତାତାରୀ ପ୍ରହରିଣୀକୁ କହିଲେ–“ଏହାକୁ ଛାଡ଼ିବ ନାହିଁ !” ନିଜେ ଉଦୀପୁରୀର ଶୟନକକ୍ଷକୁ ପ୍ରବେଶ କରି ଦେଖିଲେ–ବେଗମ୍ ଘୋର ନିଦ୍ରାରେ ଶୋଇଛନ୍ତି । ତାଙ୍କ ବିଛଣାର ଗୋଟିଏ ପାଖରେ ପତ୍ରଖଣ୍ଡିକ ପଡ଼ିଛି ! ବାଦଶାହ ପତ୍ରଟିକୁ ଉଠାଇନେଇ ପାଠ କରିଦେଲେ; କାରଣ ପତ୍ରଟି ଫାର୍ଶୀଭାଷାରେ ଲେଖାଯାଇଥିଲା ।

 

ପତ୍ରପାଠ କରିବାପରେ ପ୍ରଚଣ୍ଡ ଗ୍ରୀଷ୍ମକାଳୀନ ସନ୍ଧ୍ୟାରେ ମେଘମାଳା ପରି ଗୁରୁଗମ୍ଭୀର ଛଟା ମୁଖମଣ୍ଡଳରେ ଖେଳାଇ ବାଦଶାହ କକ୍ଷରୁ ବାହାରିଆସି ନିର୍ମଳକୁ ଲକ୍ଷ୍ୟକରି ପଚାରିଲେ–“ତୁମେ ଏ ମହଲ ଭିତରକୁ ଆସିଲ କିପରି ?”

 

ନିର୍ମଳ ହାତଯୋଡ଼ି ନମ୍ରଭାବରେ କହିଲା–“ଜାହାଁପନା, କସୁର୍ ମାଫ୍ ହେଉ ! ମୁଁ ସେ ରହସ୍ୟ ହଜୁରଙ୍କ ଆଗରେ ବୟାନ୍ କରିବି ନାହିଁ !”

 

ଆଓରଙ୍ଗଜେବ୍ ଆହୁରି ବିସ୍ମିତ ହୋଇ କହିଲେ–“ଏତେ ସାହସ ? ମୁଁ ଦୀନ୍‌ଦୁନିଆର ମାଲିକ୍; ଅଥଚ ମୁଁ ପଚାରୁଛି, ତୁ ଉତ୍ତର ଦେବୁନାହିଁ !”

 

ନିର୍ମଳ ଆଓରଙ୍ଗଜେବ୍‌ଙ୍କ କୁଟୀଳ ଭ୍ରୁକୁଟୀ ଆଡ଼କୁ ତିଳେହେଲେ ଲକ୍ଷ୍ୟ ନକରି କହିଲା–“ବାଦଶାହ ସଲାମତ୍, ଦୁନିଆ ହଜୁରଙ୍କର; କିନ୍ତୁ ଜିହ୍ଵା ମୋର ନିଜର ! ମୁଁ ଯାହା କହିବାକୁ ନ ଚାହିଁବି, ବାଦଶାହ ତ ତାହା କୌଣସିମତେ କୁହାଇପାରିବେ ନାହିଁ !”

 

“ହୁଏତ ତାହା ସମ୍ଭବ ନ ହୋଇପାରେ; କିନ୍ତୁ ଯେଉଁ ଜିହ୍ଵାର ଗର୍ବ ତୁମ ମନରେ ଉଙ୍କିମାରୁଛି, ଏକ୍ଷଣି ଏଇ ତାତାରୀ ପ୍ରହରିଣୀଦ୍ଵାରା ତାକୁ କାଟି କୁକୁର ଆଗରେ ଫିଙ୍ଗିଦିଆଯିବ, ଜାଣିଛ ?”

 

“ଦିଲ୍ଲୀଶ୍ଵରଙ୍କ ମର୍ଜି ! କିନ୍ତୁ ତା’ହେଲେ ହଜୁର୍ ଯେଉଁ ସମ୍ବାଦ ଜାଣିବାକୁ ଚାହୁଁଛନ୍ତି, ତାହାର ପ୍ରକାଶ ପାଇବାର ସମ୍ଭାବନା ଚିରକାଳ ପାଇଁ ଲୋପ ପାଇଯିବ !”

 

“ଠିକ୍... ହେଉ, ତୁମର ଜିହ୍ଵା କାଟିବା ବନ୍ଦ କଲି ! ତୁମ ପ୍ରତି ଆଉ ଗୋଟିଏ କଠୋର ହୁକୁମ ଦେଉଛି । ତୁମ ଦେହସାରା ଲୁଗା ଗୁଡ଼ାଇ ଦେଇ ନିଆଁ ଲଗାଇ ଦିଆଯିବ । ତୁମେ ତିଳ ତିଳ ହୋଇ ଜଳି ଜଳି ମରିବ ! ମୋ’ କଥାର ଉତ୍ତର ଏବେ ଭଲରେ ଦେଉନାହଁ; କିନ୍ତୁ ଅଗ୍ନିଜ୍ୱାଳାରେ ବାଧ୍ୟ ହୋଇ ତାହା ପ୍ରକାଶ କରିବ !”

 

ବାଦଶାହଙ୍କ କଥାରେ ନିର୍ମଳ ଟିକିଏ ହସିଦେଇ କହିଲା–“ହିନ୍ଦୁ ରମଣୀ କେବେହେଲେ ନିଆଁରେ ପୋଡ଼ି ମରିବାକୁ ଭୟ କରେନାହିଁ । ବାଦ୍‌ଶାହ ଶୁଣିନାହାନ୍ତି ଯେ, ହିନ୍ଦୁସ୍ତାନର ରମଣୀମାନେ ପତିର ମୃତ୍ୟୁ ପରେ ହସି ହସି ତାଙ୍କର ଚିତାରେ ବସି ଜଳି ପୋଡ଼ି ଭସ୍ମ ହୋଇଯାଆନ୍ତି ! ଆପଣ ଯେଉଁ ମୃତ୍ୟୁର ଭୟ ଦେଖାଉଚନ୍ତି, ମୋର ମାତା, ମାତାମହୀ ପ୍ରଭୃତି ପୁରୁଷାନୁକ୍ରମେ ଏହି ମାର୍ଗ ଅନୁସରଣ କରିଛନ୍ତି । ମୁଁ ମଧ୍ୟ ପ୍ରାର୍ଥନା କରେ, ଈଶ୍ଵର ମୋତେ ମୋ’ ସ୍ଵାମୀଙ୍କ ସହିତ ଚିତାଗ୍ନିରେ ପୋଡ଼ି ମରିବାଲାଗି ସଦ୍‌ବୁଦ୍ଧି ଓ ସୁଯୋଗ ଦିଅନ୍ତୁ ।”

 

ଆଓରଙ୍ଗ୍‌ଜେବ୍ ପ୍ରକାଶ୍ୟରେ କିଛି ନ କହିଲେ ମଧ୍ୟ ମନେ ମନେ ‘ବାଃ ବାଃ’ କରିବାକୁ ଲାଗିଲେ । ଟିକିଏ ପରେ କହିଲେ–“ସେ କଥାର ମୀମାଂସା ପରେ କରିବି । ଆପାତତଃ ତୁମକୁ ଗୋଟିଏ କକ୍ଷ ମଧ୍ୟରେ ଚାବି ବନ୍ଦକରି ରଖାଯିବ । ଭୋକ–ଶୋଷରେ ବ୍ୟାକୁଳ ହେଲେ ମଧ୍ୟ ତୁମକୁ ଖାଦ୍ୟପେୟ ଦିଆଯିବ ନାହିଁ । ଯେତେବେଳେ ତୁମ ପକ୍ଷରେ ଅବସ୍ଥା ଅସମ୍ଭାଳ ହେବ, ତୁମେ କବାଟରେ ଆଘାତ କରିବ । ପ୍ରହରୀ ତୁମକୁ ମୋ ନିକଟକୁ ନେଇଯିବେ । ମୋ ଆଗରେ ସବୁକଥା ଖୋଲାଖୋଲି ଭାବରେ ପ୍ରକାଶ କଲେ ତୁମକୁ ଖାଦ୍ୟ ଓ ପାନୀୟ ଦିଆଯିବ !”

 

ନିର୍ମଳ ପୂର୍ବପରି ନିର୍ଭୀକ ଭାବରେ ହସି ହସି କହିଲା–“ଶାହାନ୍‌ଶାହ, ଆପଣ କ’ଣ କେବେହେଲେ ଶୁଣିନାହାନ୍ତି ଯେ, ହିନ୍ଦୁ ନାରୀମାନେ ବ୍ରତ ଉପବାସ କରନ୍ତି ? ସେହି ବ୍ରତଗୁଡ଼ିକ ନିୟମ ଅନୁସାରେ ପାଳନ କରିବାଲାଗି ସେମାନେ ଦିନେ, ଦୁଇଦିନ, ତିନିଦିନ ଧରି ଜଳଗ୍ରହଣ ନକରି ଉପାସ ରହନ୍ତି । ଆଉରି ମଧ୍ୟ ଜାଣିଥିବେ, ବେଳେବେଳେ ଅଭୀଷ୍ଟ ପୂରଣ ଲାଗି ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେବଦେବୀଙ୍କଠାରେ ଧାରଣା ଦେଇ ଉପବାସ କରିଥା’ନ୍ତି । ଏହା ମଧ୍ୟ ଶୁଣିଥିବେ ଯେ, ଥରେ ଥରେ ସେମାନେ ଉପବାସ ରହି ସ୍ଵେଚ୍ଛାପୂର୍ବକ ପ୍ରାଣତ୍ୟାଗ କରନ୍ତି । ଜାହାଁପନା, ଏ ଦାସୀ ମଧ୍ୟ ହସି ହସି ତାହା କରିପାରେ । ଯଦି ଚାହାନ୍ତି, ଥରେ ପରୀକ୍ଷାକରି ଦେଖନ୍ତୁ !”

ଆଓରଙ୍ଗ୍‌ଜେବ୍ ବେଶ୍ ଅନୁଭବ କଲେ ଯେ, ଏ ନାରୀକୁ ଭୟ ଦେଖାଇ କିଛି ଲାଭ ନାହିଁ; ମାରିଦେଲେ ମଧ୍ୟ କିଛି ଫଳ ମିଳିବ ନାହିଁ । କଷ୍ଟ ଦେଲେ କ’ଣ ଅବା ହୋଇପାରେ, କୁହାଯାଇପାରିବ ନାହିଁ । ତେଣୁ ପ୍ରଲୋଭନ ଦେଖାଇ ଦେଖାଯାଉ । ସେ ପ୍ରକାଶ୍ୟରେ କହିଲେ–“ଆଚ୍ଛା ହେଉ, ମୁଁ ତୁମକୁ କୌଣସି ପ୍ରକାର କଷ୍ଟ ବା ଦଣ୍ଡ ଦେବି ନାହିଁ । ତୁମକୁ ଯଥେଷ୍ଟ ଧନ–ଦୌଲତ ଦେଇ ବିଦାୟ କରିବି । ତୁମେ ମୋ ଆଗରେ ପ୍ରକୃତ କଥା ସତ ସତ ପ୍ରକାଶ କରିଦିଅ !”

“ବାଦଶାହ ସଲାମତ୍ ! ରାଜପୁତ୍ କନ୍ୟା ମୃତ୍ୟୁକୁ ଯେପରି ଭୟ କରେନାହିଁ; ଠିକ୍ ସେହିପରି ଧନକୁ ମଧ୍ୟ ଘୃଣା କରେ । ପ୍ରବଳ ପରାକ୍ରମଶାଳୀ ଦୀନଦୁନିଆର ମାଲିକ ! ଜାହାଁପନାଙ୍କ ଆଗରେ ମୁଁ ଗୋଟିଏ ସାମାନ୍ୟ ସ୍ତ୍ରୀ; ଆପଣ ନିଜ ଗୁଣରେ ମୋତେ ବିଦାୟ ଦିଅନ୍ତୁ-!” ବୁଦ୍ଧିମତ୍ତାର ସହିତ କହିଲା ନିର୍ମଳ ।

ବାଦଶାହ ଆଓରଙ୍ଗଜେବ୍ ନିର୍ମଳକୁ ପ୍ରଲୁବ୍‌ଧ କରାଇଲେ–“ଦେଖ, ଦିଲ୍ଲୀର ବାଦ୍‌ଶାହଙ୍କ ପକ୍ଷରେ ଅଦେୟ କିଛି ନାହିଁ । ନିର୍ବୋଧ ନାରୀ, ତା’ରି ପାଖରେ ତୁମର ମାଗିବାର କିଛିହେଲେ ନାହିଁ ?”

“କେବଳ ଏକମାତ୍ର ପ୍ରାର୍ଥନା, ନିର୍ବିଘ୍ନରେ ବିଦାୟ ଦିଅନ୍ତୁ !”

“ତୁମର ଏହି ପ୍ରାର୍ଥନା ବର୍ତ୍ତମାନ ଲାଗି ମଞ୍ଜୁର କରାଯାଇପାରିବ ନାହିଁ ! ତଦ୍‌ବ୍ୟତୀତ ଆଉ କ’ଣ ତୁମର ମାଗିବାର କିମ୍ବା ଭୟ କରିବାର କିଛି ନାହିଁ ?”

“ପ୍ରାର୍ଥନା ନାହିଁ କାହିଁକି ? କିନ୍ତୁ ଦିଲ୍ଲୀ ବାଦଶାହଙ୍କ ରତ୍ନାଗାରରେ ସେ ରତ୍ନ ନାହିଁ !”

“ଆଶ୍ଚର୍ଯ୍ୟର କଥା; ଏଭଳି ସେ କି ସାମଗ୍ରୀ ?”

“ଆମ୍ଭେମାନେ ହିନ୍ଦୁ, କେବଳ ଆମ୍ଭେମାନେ ଧର୍ମକୁ ହିଁ ଭୟ କରିଥାଉଁ ! ତେଣୁ ସବୁବେଳେ ଧର୍ମ ହିଁ ଆମର ଏକମାତ୍ର କାମ୍ୟ ! ଦିଲ୍ଲୀ ବାଦ୍‌ଶାହ ମ୍ଳେଚ୍ଛ ଏବଂ ତା ସହିତ ଐଶ୍ଵର୍ଯ୍ୟଶାଳୀ ମଧ୍ୟ ! ବାଦଶାହଙ୍କ ପକ୍ଷରେ କି ସାଧ୍ୟ ଯେ, ମୋର କାମ୍ୟ ବସ୍ତୁ ମୋତେ ଦେଇପାରିବେ କିମ୍ବା ନେଇପାରିବେ ?”

ଆଓରଙ୍ଗଜେବ୍ ନିର୍ମଳର ସାହାସ ଓ ବୁଦ୍ଧି ଲକ୍ଷ୍ୟକରି କ୍ରୋଧ ତ୍ୟାଗକରି ବିସ୍ମିତ ହୋଇଗଲେ; କିନ୍ତୁ ନିର୍ମଳର କଟୁକ୍ତିରେ ବିରକ୍ତ ହୋଇ କହିଲେ–“ଠିକ୍, ଠିକ୍ ! ଏକଥା ମୁଁ ଭୁଲିଯାଇଥିଲି ।” ସେ ଗୋଟିଏ ତାତାରୀ ପ୍ରହରିଣୀକୁ ଡାକି କହିଲେ–“ଯାଃ, ବବର୍ଚ୍ଚିଖାନାରୁ କିଛି ଗୋ–ମାଂସ ଆଣି ଦୁଇଜଣ ମାଡ଼ିବସି ଏହା ମୁହଁରେ ଭର୍ତ୍ତି କରିଦିଅ ।”

ନିର୍ମଳ ସେଥିରେ ମଧ୍ୟ ଆଦୌ ବିଚଳିତ ନ ହୋଇ କହିଲା–“ମୁଁ ଜାଣିଛି ବାଦଶାହ ସଲାମତ୍, ଆପଣ ସେ ଅମୋଘ ଅସ୍ତ୍ର ପ୍ରୟୋଗ କରିବେ । ସେହି କୌଶଳ ବଳରେ ଆପଣମାନେ ଏ ସୁନାର ଭାରତକୁ ହସ୍ତମୁଦି–ମାହାଲ କରିପାରିଛନ୍ତି । ଏହା ମଧ୍ୟ ଶୁଣିଛି–ଗାଈପଲ ଆଗରେ ରଖି ମୁସଲମାନ୍ ଯୋଦ୍ଧାମାନେ ହିନ୍ଦୁମାନଙ୍କୁ ପରାସ୍ତ କରିଛନ୍ତି । ନୋହିଲେ, ହିନ୍ଦୁମାନଙ୍କ ପରାକ୍ରମ ଆଗରେ ମୁସଲମାନ୍‌ମାନଙ୍କର ପରାକ୍ରମ ନିତାନ୍ତ ନଗଣ୍ୟ; ଅର୍ଥାତ୍ ସମୁଦ୍ର ତୁଳନାରେ ଗୋଷ୍ପଦ ସଦୃଶ । କିନ୍ତୁ ଆଉ ଗୋଟିଏ କଥା ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ । ଆପଣ ଜାଣିଥିବେ, ରାଜପୁତ୍ ରମଣୀ ସର୍ବଦା ନିଜ ପାଖରେ ବିଷ ରଖିଥାଏ; ଏପରିକି, ପାଖରେ ବିଷ ନ ରଖି ସେ ଗୋଟିଏ ପାଦ ଅଗ୍ରସର ହୋଇପାରେ ନାହିଁ । ମୋ ନିକଟରେ ଏପରି ତୀବ୍ର ବିଷ ଅଛି ଯେ, ଆପଣଙ୍କ ଭୃତ୍ୟମାନେ ଗୋ–ମାଂସ ଧରି ଏ ଘରେ ପାଦ ଦେବା ପରେ ମଧ୍ୟ ମୁଁ ଯଦି ତାକୁ ପାଟିରେ ପକାଇଦେବି; ତା’ହେଲେ ଜୀବିତ ଅବସ୍ଥାରେ ମୋ ମୁହଁରେ କେହି ଗୋ–ମାଂସ ଦେଇପାରିବ ନାହିଁ । ଜାହାଁପନା, ଆପଣ ନିଜ ବଡ଼ଭାଇ ଦାରାଶିକୋଙ୍କୁ ହତ୍ୟାକରି ତାହାଙ୍କ ଦୁଇଟି ସ୍ତ୍ରୀଙ୍କୁ ହସ୍ତଗତ କରିବାକୁ ଚେଷ୍ଟା କରିଥିଲେ; ପାରିଲେ କି ? ଅଧମା ଖ୍ରୀଷ୍ଟିୟାନିଟା ଆପଣଙ୍କ ପାଲରେ ପଡ଼ିଲା; କିନ୍ତୁ ରାଜପୁତ୍ କନ୍ୟା ଦିଲ୍ଲୀ ବାଦଶାହଙ୍କ ମୁହଁରେ ସାତଗୋଇଠା ମାରି ସ୍ଵର୍ଗକୁ ବାଟ କାଟିଲା । ମୁଁ ମଧ୍ୟ ଠିକ୍ ସେହିପରି ଆପଣଙ୍କ ମୁହଁରେ ସାତଗୋଇଠା ମାରି ମୋ ବାଟ ଧରିବି ।”

 

ନିର୍ମଳକୁମାରୀର ବାକ୍‌ଚାତୁରୀରେ ବାଦଶାହ ବାକ୍‌ଶୂନ୍ୟ ହୋଇ ରହିଗଲେ । ଯେଉଁ ଆଓରଙ୍ଗଜେବ୍ ପୃଥିବୀଶ୍ଵର ରୂପେ ଖ୍ୟାତ, ବିଶ୍ଵରେ ଯାହାଙ୍କର ଗୌରବ ଉଦ୍‌ଘୋଷିତ, ଯେ ସମଗ୍ର ଭାରତବର୍ଷରେ ଆତଙ୍କ ସୃଷ୍ଟି କରିଛନ୍ତି, ସେ ଆଜି ଗୋଟିଏ ଅନାଥିନୀ, ଅସହାୟା ବାଳିକା ନିକଟରେ ଅପମାନିତ–ପରାସ୍ତ ! ସେ ମନେ ମନେ ପରାଜୟ ସ୍ଵୀକାର କରି କହିଲେ–ଏ ଅମୂଲ୍ୟ ରତ୍ନଟିକୁ ହାତଛଡ଼ା କରାଯାଇ ନପାରେ । ପ୍ରକାଶ୍ୟରେ କହିଲେ–“ତୁମେ ନାମ କ’ଣ ପ୍ରିୟେ ?”

 

“ଏ କି ସମ୍ବୋଧନ ଜାହାଁପନା ! ଆହୁରି କ’ଣ ରାଜପୁତ୍ ମହିଷୀ ଲାଗି ଆପଣଙ୍କ ମନରେ ଅଭିଳାଷ ଅଛି ନା କ’ଣ ? ସେ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହେବନାହିଁ । ମୁଁ ବିବାହିତା, ମୋର ହିନ୍ଦୁ ସ୍ଵାମୀ ଜୀବିତ !” ହସି ହସି କହିଲା ନିର୍ମଳକୁମାରୀ ।

 

“ଛାଡ଼, ସେ କଥା ଏବେ ଥାଉ । ତୁମେ ବର୍ତ୍ତମାନ ମୋର ଏ ରଙ୍ଗମହଲରେ କିଛିଦିନ ରୁହ । ବୋଧହୁଏ ତୁମେ ମୋର ଏ ଆଦେଶ ଅମାନ୍ୟ କରିବ ନାହିଁ !”

 

“କାହିଁକି, ଆପଣ ମୋତେ ବନ୍ଦିନୀ କରିବାକୁ ଚାହୁଁଛନ୍ତି କି ?”

 

“ତୁମେ ଏବେ ସ୍ଵଦେଶକୁ ଫେରିଗଲେ ମୋର ଅନେକ ନିନ୍ଦା ଗାଇବୁଲିବ । ତେଣୁ ବର୍ତ୍ତମାନ ମୁଁ ତୁମ ସହିତ ଭଲ ବ୍ୟବହାର କରି ତୁମର ସେ ଧାରଣା ବଦଳାଇଦେବି; ଯାହା ଫଳରେ ତୁମେ ମୋତେ ପ୍ରଶଂସା କରିବ ! ତା’ପରେ ତୁମକୁ ଛାଡ଼ିଦେବି !”

 

“ଆପଣ ଯଦି ମୋତେ ନ ଛାଡ଼ିବେ, ମୋର ଯିବାର ସାଧ୍ୟ ନାହିଁ; କିନ୍ତୁ ଆପଣ ମୋର କେତୋଟି ସର୍ତ୍ତ ବିଷୟରେ ଯଦି ମୋତେ ପ୍ରତିଶ୍ରୁତି ଦେବେ, ତା’ହେଲେ ମୁଁ କେତେଦିନ ଏଠାରେ ରହିପାରେ !”

 

“କ’ଣ ତୁମର ସର୍ତ୍ତ ?”

 

“ହିନ୍ଦୁ ବ୍ୟତୀତ ମୁଁ ଅନ୍ୟ କାହାରି ହାତରୁ ଅନ୍ନଜଳ ଗ୍ରହଣ କରିବି ନାହିଁ !”

 

“ତାହା ସ୍ଵୀକାର କରୁଛି !”

 

“କୌଣସି ମୁସଲମାନ୍ ମୋତେ ସ୍ପର୍ଶ କରିବେ ନାହିଁ ।”

 

“ତାହା ମଧ୍ୟ ସ୍ଵୀକାର କଲି !”

 

“ମୁଁ କୌଣସି ରାଜପୁତ୍ ବେଗମ୍‌ଙ୍କ ନିକଟରେ ରହିବି !”

 

“ହେଉ, ମୁଁ ତୁମକୁ ଯୋଧପୁରୀ ବେଗମ୍‌ଙ୍କ ପାଖରେ ରଖାଇବି !”

 

ବାଦଶାହ ଆଓରଙ୍ଗଜେବ୍ ନିଜର ପ୍ରତିଶ୍ରୁତି ଅନୁସାରେ ନିର୍ମଳକୁମାରୀ ଲାଗି ସମସ୍ତ ବ୍ୟବସ୍ଥା କରାଇଦେଲେ ।

 

X X X

 

ପରଦିନ ଆଓରଙ୍ଗଜେବ୍ ଜେବ୍ଉନ୍ନିସା ଓ ନିର୍ମଳକୁମାରୀକୁ ସଙ୍ଗରେ ନେଇ ରଙ୍ଗମହଲ ମଧ୍ୟରେ ଅନେକ ତଦାରଖ ଆରମ୍ଭ କରିଦେଲେ । ସେ କେବଳ ଜାଣିବାକୁ ଚାହୁଁଥିଲେ–ନିର୍ମଳ ମହଲ ଭିତରକୁ ଆସିଲା କିପରି ? ମହଲ ମଧ୍ୟରେ ରହୁଥିବା ସମସ୍ତ ଖୋଜା, ତାତାରୀ ପ୍ରହରିଣୀ ଓ ଦାସୀମାନଙ୍କୁ ଜେରା କରିବାକୁ ଲାଗିଲେ । ଯେଉଁମାନେ ତାକୁ ଆସିବାର ସୁବିଧା ଦେଇଥିଲେ, ସେମାନେ ସମସ୍ତେ ନିର୍ମଳକୁ ଚିହ୍ନିଲେ; କିନ୍ତୁ ସେ କାର୍ଯ୍ୟର ଭୀଷଣ ପରିଣାମ ବିଷୟ ଚିନ୍ତାକରି, କେହି ନିଜର ଅପରାଧ ସ୍ଵୀକାର କଲେନାହିଁ । ତେଣୁ ଆଓରଙ୍ଗଜେବ୍ ଓ ଜେବ୍ଉନ୍ନିସା କିଛିହେଲେ ସୁରାକ ପାଇପାରିଲେ ନାହିଁ ।

 

ତା’ପରେ ବାଦଶାହ ଆଓରଙ୍ଗଜେବ୍ ଓ ଜେବ୍ଉନ୍ନିସା ଅନ୍ୟାନ୍ୟ ରଙ୍ଗମହଲର ପରିଚାରିକାମାନଙ୍କୁ ଗୋଟିଏ ଆଦେଶନାମା ଶୁଣାଇଦେଲେ–“ଏହି ରାଜପୁତ୍ ରମଣୀକୁ ମହଲ ଭିତରକୁ ଆସିବାର ସୁବିଧା ଦେବା ଫଳରେ ବିଶେଷ କିଛି କ୍ଷତି ହୋଇନାହିଁ; କିନ୍ତୁ ବିନା ହୁକୁମ୍‌ରେ କେହି ଯେପରି ଯିବାର ସୁବିଧା ନଦିଏ ! ଆଉ ମଧ୍ୟ ଏହାକୁ କୌଣସି ପ୍ରକାର ହଇରାଣ ହରକତ୍ କରିବେ ନାହିଁ କିମ୍ବା ଅପମାନିତ କରିବେ ନାହିଁ । ଠିକ୍ ବେଗମ୍‌ମାନଙ୍କ ପରି ଏହାକୁ ସମ୍ମାନ ପ୍ରଦର୍ଶନ କରିବେ । ଏ ଯୋଧପୁରୀ ବେଗମ୍‌ଙ୍କ ହିନ୍ଦୁ ଦାସୀମାନଙ୍କ ହାତରୁ ଅନ୍ନଜଳ ଗ୍ରହଣ କରିବେ । କୌଣସି ମୁସଲମାନ୍ ତାକୁ ସ୍ପର୍ଶ କରିବେ ନାହିଁ ।”

 

ଏହି ଆଦେଶ ପ୍ରଚାର ହୋଇଯିବା ମାତ୍ରେ, ସମସ୍ତେ ନିର୍ମଳକୁ ଆଦବ୍ କାଇଦାର ସହ ସଲାମ କଲେ । ତା’ପରେ ଜେବ୍ଉନ୍ନିସା ତାକୁ ଆଦର ସହକାରେ ନିଜ କକ୍ଷକୁ ଡାକିନେଇ ନାନାପ୍ରକାର ଆଳାପ–ଆଲୋଚନା କଲା; କିନ୍ତୁ କୌଣସିମତେ ନିର୍ମଳ ପେଟରୁ ପଦେ ହେଲେ ଗୁପ୍ତକଥା ବାହାର କରିପାରିଲା ନାହିଁ ।

 

ସେଦିନ ଉପରଓଳି ଗୋଟିଏ ତାତାରୀ ପ୍ରହରିଣୀ ଆସି ଖବର ଦେଲା–ଜଣେ ପଥର-ବାସନ ବିକାଳି ଦୁର୍ଗ ମଧ୍ୟକୁ ଆସିଛି । ସୌଦାଗର ନାନାପ୍ରକାର ପଥର ଜିନିଷ ବିକ୍ରୟ କରିବାକୁ ଚାହେଁ । ସେଇ ଜିନିଷଗୁଡ଼ିକ ସେ ରଙ୍ଗମହଲକୁ ପଠାଇଦେଇଛି । ଜିନିଷଗୁଡ଼ିକ ସେତେ ଭଲ ନୁହେଁ; ତେଣୁ ଅନ୍ୟ ବେଗମ୍‌ମାନେ କିଛି ହେଲେ ପସନ୍ଦ କଲେନାହିଁ । ଯଦି ସେ ଚାହାନ୍ତି କିଛି ଜିନିଷ ଦେଖିପାରନ୍ତି ।

 

ବେଗମ୍‌ମାନେ ପଥର ଜିନିଷଗୁଡ଼ିକ ଯେପରି ପସନ୍ଦ କରି ନ ରଖନ୍ତୁ, ସେହି ଉଦ୍ଦେଶ୍ୟରେ ମାଣିକଲାଲ୍‍ ଖରାପ ଜିନିଷଗୁଡ଼ାକ ରଙ୍ଗମହଲକୁ ପଠାଇଥିଲା । ପ୍ରହରିଣୀ ଯୋଧପୁରୀ ବେଗମ୍‌ଙ୍କୁ ଏ ଖବର ଦେବାବେଳେ ନିର୍ମଳ ସେଠାରେ ଥିଲା; ତେଣୁ ଆଖିର ଇସାରାରେ କିଛି ଜିନିଷ କିଣିବାଲାଗି ଜଣାଇଲା ।

 

ପୂର୍ବଦିନ ବାଦଶାହଙ୍କ ସହିତ ଯାହା ଯାହା କଥାବାର୍ତ୍ତା ହୋଇଥିଲା, ନିର୍ମଳ ସବୁତକ ବିବରଣୀ ଯୋଧପୁରୀ ବେଗମ୍‌ଙ୍କୁ ଶୁଣାଇଦେଇଥିଲା । ତାହା ଶୁଣି ଯୋଧପୁରୀ ବେଗମ୍ ନିର୍ମଳର ଚାତୁରୀକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତାକୁ ଆଶୀର୍ବାଦ ଦେଇଥିଲେ । ସେ ମଧ୍ୟ ନିର୍ମଳକୁ ଅନେକ ଆଦରଯତ୍ନ କରି ରଖାଇଥିଲେ । ବର୍ତ୍ତମାନ ନିର୍ମଳର ଅଭିପ୍ରାୟ ବୁଝିପାରି, ପଥର ଜିନିଷତକ ଆଣିବାପାଇଁ ହୁକୁମ ଦେଇଥିଲେ ।

 

ପ୍ରହରିଣୀ ବାହାରକୁ ଯିବା କ୍ଷଣି ନିର୍ମଳ ବେଗମଙ୍କୁ ମାଣିକଲାଲ୍‍ର ସଙ୍କେତ ବିଷୟରେ ସଂକ୍ଷେପରେ ବୁଝାଇଦେଲା । ତହୁଁ ଯୋଧପୁରୀ ବେଗମ୍ ନିର୍ମଳକୁ କହିଲେ–“ତୁମେ ୟା’ ମଧ୍ୟରେ ତୁମ ସ୍ଵାମୀଙ୍କ ଲାଗି ଖଣ୍ଡିଏ ଚିଠି ଲେଖିଦିଅ । ସେଥିରୁ ସେ ତୁମ ସମ୍ବନ୍ଧରେ ସମ୍ବାଦ ପାଇପାରିବେ-।” ଠିକ୍ ସମୟରେ ସେହି ପଥର ଜିନିଷତକ ଆସି ପହଞ୍ଚିଗଲା ।

 

ନିର୍ମଳ ଲକ୍ଷ୍ୟ କଲା–ସବୁ ଜିନିଷରେ ମାଣିକଲାଲ୍‍ର ସଙ୍କେତ ରହିଛି । ନିର୍ମଳର ପତ୍ର ଲେଖା ସରିବା ପର୍ଯ୍ୟନ୍ତ ବେଗମ୍ ପଥର ଜିନିଷତକ ନିରୀକ୍ଷଣ କରିବାରେ ଲାଗିଲେ । ସେହି ଜିନିଷଗୁଡ଼ିକ ମଧ୍ୟରେ ପଥରରେ ରତ୍ନର କାରୁକାର୍ଯ୍ୟପୂର୍ଣ୍ଣ ଗୋଟିଏ ଛୋଟ ବାକ୍‌ସ ଥିଲା । ସେଥିରେ ମଧ୍ୟ ଗୋଟିଏ ସୁନାର ଚାବି ରହିଥିଲା । ନିର୍ମଳର ପତ୍ର ଲେଖାସରିବାମାତ୍ରେ ବେଗମ୍ କୌଶଳକ୍ରମେ ସମସ୍ତଙ୍କ ଅଲକ୍ଷ୍ୟରେ ସେହି ବାକ୍‌ସ ମଧ୍ୟରେ ପତ୍ରଖଣ୍ଡିକ ଥୋଇଦେଇ ଚାବିପକାଇ ଦେଲେ । ଯୋଧପୁରୀ ବେଗମ୍ ସବୁତକ ଜିନିଷ ପସନ୍ଦକରି ରଖିଲେ ଏବଂ କେବଳ ସେହି ପଥର ବାକ୍‌ସଟି ଫେରାଇଦେଲେ । ସେ ଜାଣିଶୁଣି ବାକ୍‌ସର କଞ୍ଚିଟିକୁ ଫେରାଇଲେ ନାହିଁ ।

 

ଛଦ୍ମବେଶୀ ମାଣିକଲାଲ୍‍ ଦେଖିଲା–କେବଳ ପଥର ବାକ୍‌ସଟି ଫେରିଆସିଲା; କିନ୍ତୁ ତାହାର ଚାବିକାଠି ଫେରି ନଥିଲା । ତାହା ଲକ୍ଷ୍ୟକରି ସେ ନିର୍ମଳର ଖବର ପାଇବାରେ ଆଶାୟୀ ହୋଇଉଠିଲା । ସେ ଟଙ୍କା ପଇସା ସବୁ ବୁଝିନେଇ ବାକ୍‌ସଟି ଫେରାଇ ନେଇ ଦୋକାନକୁ ଫେରି ଆସିଲେ ଏବଂ ସେଠାରେ ଏକାନ୍ତରେ ବାକ୍‌ସ ଖୋଲି ନିର୍ମଳର ପତ୍ର ପାଇଗଲା ।

 

ପତ୍ର ପାଇବା ପରେ ସେ ନିର୍ମଳ ସମ୍ବନ୍ଧରେ ନିଶ୍ଚିନ୍ତ ହୋଇଗଲା । ତହୁଁ ସେ ଆନନ୍ଦ ମନରେ ସ୍ଵଦେଶକୁ ଫେରିଯିବାର ଆୟୋଜନ କଲା । ସେହିଦିନ ହଠାତ୍ ଦୋକାନ ବନ୍ଦ କରିଦେଲେ କାଳେ କେହି ସନ୍ଦେହ କରିବେ; ତେଣୁ ସେ ଜାଣିଶୁଣି ଯିବାରେ କେତେଦିନ ବିଳମ୍ବ କଲା ।

Image

 

ଆହତ ସର୍ପିଣୀ

 

ରୂପନଗରରୁ ଯେଉଁମାନେ ପରାଭୂତ ହୋଇ ଫେରିଆସିଥିଲେ, ସେମାନଙ୍କ ମଧ୍ୟରୁ କେବଳ ମୋବାରକ୍ ବ୍ୟତୀତ ଆଉ ସମସ୍ତେ ବିଭିନ୍ନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଆଓରଙ୍ଗ୍‌ଜେବ୍ ସମସ୍ତଙ୍କ ମୁହଁରୁ ମୋବାରକ୍‌ର ବୀରତ୍ଵପୂର୍ଣ୍ଣ କାର୍ଯ୍ୟ ଶୁଣିପାରି ତାକୁ ଛାଡ଼ିଦେଇଥିଲେ ।

 

ଜେବ୍ଉନ୍ନିସା ମଧ୍ୟ ମୋବାରକ୍‌ର ଖ୍ୟାତି ଶୁଣିଥିଲା । ସେ ଭାବିଥିଲା, ମୋବାରକ୍ ଆପେ ଆପେ ଆସି ସବୁକଥା କହି ତା’ର ପ୍ରଣୟପ୍ରାର୍ଥୀ ହେବ । ଦିନ ପରେ ଦିନ ଗଡ଼ିଚାଲିଲା; କିନ୍ତୁ ମୋବାରକ୍ ଜେବ୍ଉନ୍ନିସା କକ୍ଷରେ ହାଜିର୍ ହେଲାନାହିଁ ।

 

ମୋବାରକ୍ ଦରିୟାକୁ ନିଜ ଘରକୁ ଘେନିଆସିଲା ଏବଂ ତାକୁ ଯଥାଶକ୍ତି ବେଶପୋଷାକ ଓ ଅଳଙ୍କାରରେ ସଜ୍ଜିତା କରି ତା’ ଲାଗି ଖୋଜା, ଦାସୀ ନିଯୁକ୍ତ କରିଦେଲା । ସେ ତା’ର ବିବାହିତା ପ୍ରେମପାଗିଳିନୀ ପତ୍ନୀକୁ ପାଇ ଆନନ୍ଦରେ ଘରକରଣାରେ ଲାଗିଗଲା ।

 

ମୋବାରକ୍‌କୁ ନିଜ ଇଚ୍ଛାରେ ନ ଆସିବାର ଦେଖି, ଜେବ୍ଉନ୍ନିସା ନିଜର ବିଶ୍ଵାସୀ ଖୋଜା ଅସୀରୁଦ୍ଦୀନ ଦ୍ଵାରା ତାକୁ ଡକାଇପଠାଇଲା । ତଥାପି ମୋବାରକ୍ ଆସିଲା ନାହିଁ । ଜେବ୍ଉନ୍ନିସା ମନେ ମନେ ଖୁବ୍ ରାଗିଗଲା–ବଡ଼ ହେମତ୍ ତ ଲୋକଟାର; ବାଦଶାହଙ୍କ ଶାହଜାଦୀର ଫରମାଇଶ ଶୁଣିଲାନାହିଁ । ଏ ଧୃଷ୍ଟତା ଅସହ୍ୟ !

 

କେତେଦିନ ଧରି ଜେବ୍ଉନ୍ନିସା ମନରେ ରାଗ ରହିଲା । ତା’ପରେ ସେ ମନେ ମନେ ଭାବିଲା–ମୋ ପକ୍ଷରେ ସମସ୍ତେ ସମାନ ! ସେ ପରମେଶ୍ଵରଙ୍କ ବିଧାନ ପ୍ରତି ଆଦୌ ନଜର ଦେଲାନାହିଁ । ପ୍ରଣୟକ୍ଷେତ୍ରରେ ଈଶ୍ଵର ଚାଷୀଘରର କନ୍ୟା ଓ ବାଦଶାହଙ୍କୁ ଗୋଟିଏ ଛାଞ୍ଚରେ ଗଢ଼ିଛନ୍ତି । ଧନରତ୍ନ, ତକ୍‌ତ ତାଉସ ସବୁକିଛି କର୍ମର ଏକମାତ୍ର ଭୋଗ ! ତଦ୍‌ବ୍ୟତୀତ ଆଉ କିଛି ପାର୍ଥକ୍ୟ ନାହିଁ ।

 

ନା... ନାଃ, ସମସ୍ତେ ସମାନ ନୁହନ୍ତି । ସାଧାରଣ ନାରୀ ଓ ଜେବ୍ଉନ୍ନିସା କେବେହେଲେ ସମାନ ନୁହେଁ ! କିଛିଦିନ ଜେବ୍ଉନ୍ନିସା ମନେ ମନେ ରାଗିଥିଲେ ସୁଦ୍ଧା ମୋବାରକ୍‍ ଲାଗି ବ୍ୟଥିତା ହେଲା । ଶାହଜାଦୀର ଅଭିମାନ ଓ ପ୍ରଣୟିନୀର ପ୍ରଣୟକୋପ ସବୁ କିଛି ତା’ର ଧୂଳିସାତ୍ ହୋଇଗଲା । ତଥାପି ସେ ମୋବାରକ୍‌କୁ ପୁଣିଥରେ ଡକାଇପଠାଇଲା; କିନ୍ତୁ ଏଥର ମୋବାରକ୍ ସ୍ପଷ୍ଟଭାଷାରେ କହିପଠାଇଲା–“ମୁଁ ଅତ୍ୟନ୍ତ ଦୁଃଖିତ, ଶାହଜାଦୀଙ୍କ ଅପେକ୍ଷା ମୋର ଦୁର୍ଭାଗ୍ୟ ଆଉ କିଛି ହେଲେ ନାହିଁ । ବର୍ତ୍ତମାନ ମୁଁ କେବଳ ଜାଣେ ଏକମାତ୍ର ଦୁନିଆଁର ମାଲିକ ଆଲ୍ଲାଦୀନଙ୍କୁ । ଆଉ ମୋ’ଦ୍ଵାରା ସେ ଅତୀତର ଭୁଲ ହେବନାହିଁ । ଆଉ କେବେହେଲେ ରଙ୍ଗମହଲ ଭିତରକୁ ମୁଁ ଯିବିନାହିଁ । ମୁଁ ବର୍ତ୍ତମାନ ଦରିୟା ସହିତ ବେଶ୍ ଆନନ୍ଦରେ ବାସ କରୁଛି ।”

 

ଏ ଭଳି ଉତ୍ତର ଶୁଣି ଜେବ୍ଉନ୍ନିସା ରାଗରେ ନିଜତ୍ଵ ହରାଇବସିଲା ଏବଂ ଦରିୟା ଓ ମୋବାରକ୍‍ ଉଭୟଙ୍କର ଧ୍ଵଂସସାଧନ ଲାଗି ମନେ ମନେ ସଂକଳ୍ପ କଲା । ଏହା ଥିଲା ଶାହଜାଦୀମାନଙ୍କ ସ୍ଵାଭାବିକ ପ୍ରତିହିଂସା ।

 

ରଙ୍ଗମହଲ ମଧ୍ୟରେ ନିର୍ମଳକୁମାରୀ ଥିବା ସମୟରେ ଜେବ୍ଉନ୍ନିସାକୁ ମୋବାରକ୍ ଉପରେ ଦାଉ ସାଧିବାଲାଗି କେତେକ ସୁବିଧା ଜୁଟିଗଲା । ଦିନକୁ ଦିନ ନିର୍ମଳ ଆଓରଙ୍ଗଜେବଙ୍କ ନିକଟରେ ଆଦରର ପାତ୍ରୀ ହୋଇଉଠିଲା । ଅବଶ୍ୟ ଏହା ମଧ୍ୟରେ କନ୍ଦର୍ପ ଦେବତାଙ୍କର କିଛି ହେଲେ କାରସାଦି ନଥିଲା; କେବଳ ମୋଗଲ ବାଦଶାହଙ୍କ ଚିରାଚରିତ ସଇତାନୀ କାମ କରୁଥିଲା-। ଆଓରଙ୍ଗଜେବ ଅବସର ସମୟରେ, ସୁବିଧାମତେ ରୂପନଗରୀର ସୁନ୍ଦରୀ ନିର୍ମଳକୁ ଡକାଇ ପଠାଉଥିଲେ ଏବଂ ତା’ ସହିତ ଖୁସ୍‍ ମିଜାଜ୍‌ର ସହିତ କେତେକ ଆଳାପ–ଆଲୋଚନା କରୁଥିଲେ-। ସେଇ ଆଲୋଚନା ମଧ୍ୟରେ ରାଜସିଂହଙ୍କର ରାଜକୀୟ ବ୍ୟବସ୍ଥା ତଥା ଶାସନଗତ ସୁବିଧା ଅସୁବିଧାର ଗୁମର କଥା ଜାଣିବାଲାଗି ଆଓରଙ୍ଗଜେବ ଜାଲ ବିଛାଉଥିଲେ । ସେ ଅତ୍ୟନ୍ତ ଚତୁରତାର ସହିତ ନିର୍ମଳ ପେଟରୁ କଥା ବାହାର କରିନେବା ଲାଗି ଏପରି କୌଶଳ ଅବଲମ୍ବନ କରୁଥିଲେ ଯେ, ହଠାତ୍ କେହି ସନ୍ଦେହ କରିପାରିବେ ନାହିଁ; କିନ୍ତୁ ଚାଲାକିରେ ନିର୍ମଳର ସୀମା ନଥିଲା । ସେ ମଧ୍ୟ ଯୋଷାକୁ ତେଷା ନୀତିରେ, ଆଓରଙ୍ଗଜେବଙ୍କ ଉଦ୍ଦେଶ୍ୟ ବୁଝିପାରି, ପ୍ରୟୋଜନୀୟ ସ୍ଥଳେ ମିଥ୍ୟାର ଆଶ୍ରୟ ନେଉଥିଲା ।

 

ଧୂର୍ତ୍ତି ବାଦଶାହ ଆଓରଙ୍ଗଜେବ ନିର୍ମଳର ଉତ୍ତରରେ ଆଦୌ ସନ୍ତୁଷ୍ଟ ହେଉ ନଥିଲେ । ସେ ଆତ୍ମ–ଅହଙ୍କାରରେ ବୁଡ଼ିଯାଇ ମନେ ମନେ ଭାବୁଥିଲେ–ସେଥିପାଇଁ ଚିନ୍ତା କ’ଣ ? ମୁଁ ମେବାର ପରି ଗୋଟିଏ ଛୋଟ ରାଜ୍ୟକୁ ସୈନ୍ୟସାଗରରେ ଅକ୍ଳେଶରେ ବୁଡ଼ାଇଦେଇ ରାଜସିଂହର ରାଜପଦ ଛିନ୍ନ କରିବି; କିନ୍ତୁ ତା’ ଫଳରେ ମୋର ମାନମହତ ରକ୍ଷା ହେବ କିପରି ? କେବଳ ରାଜାକୁ ପରାସ୍ତ କରିଦେଲେ କିମ୍ବା ହତ୍ୟା କରିଦେଲେ ରାଜମହୀଷିକୁ ପାଇପାରିବି, ଏ ଭରସା ନାହିଁ । କାରଣ ସେହି ରାଜପୁତ୍ ନାରୀଗୁଡ଼ାକ କଥାକଥାକେ ଚିତା ଜାଳି ଜଳିପୋଡ଼ିଯାଆନ୍ତି କିମ୍ବା ବିଷ ଖାଇ ଆତ୍ମହତ୍ୟା କରିଦିଅନ୍ତି । ମୋ ହାତରେ ପଡ଼ିବା ପୂର୍ବରୁ ସେ ସଇତାନ ସ୍ତ୍ରୀଟା ‘ଜୌହର’ରେ ପ୍ରାଣତ୍ୟାଗ କରିଦେବ । କିନ୍ତୁ ମୁଁ ଯଦି ଏଇ ଦାସୀଟାକୁ ହାତ କରିପାରେ, ତା’ହେଲେ ତା’ରି ଦ୍ଵାରା ସହଜରେ ଚଞ୍ଚଲ୍‍କୁମାରୀକୁ ଭୁଲାଇ ଆଣିପାରିବି ! ଏ ଦାସୀଟା କ’ଣ ମୋର ବଶୀଭୂତ ହେବନାହିଁ ? ମୁଁ ଦିଲ୍ଲୀର ବାଦଶାହ; ଅଥଚ ଗୋଟିଏ ସାମାନ୍ୟ ଦାସୀକୁ ବଶୀଭୂତ କରିପାରିବି ନାହିଁ ? ଯଦି ଏତିକି କରି ନପାରେ, ତା’ହେଲେ ମୋର ଏ ବାଦଶାହୀଗିରିରେ ଲାଭ କ’ଣ ?

 

ଏହାପରେ ବାଦଶାହଙ୍କ ଇଙ୍ଗିତରେ ଜେବ୍ଉନ୍ନିସା ନିର୍ମଳକୁ ନାନାରକମର ରତ୍ନ ଅଳଙ୍କାରରେ ଭୂଷିତ କରିଦେଲା । ତା’ର ବେଶପୋଷାକ ଠିକ୍ ବେଗମ୍‍ମାନଙ୍କ ସହିତ ସମାନ ହୋଇଗଲା । ନିର୍ମଳ ଯାହା ଯେତେବେଳେ କହିଲା, ତାହା ସଙ୍ଗେ ସଙ୍ଗେ ପୂରଣ କରାଗଲା; ଯାହା ଇଚ୍ଛାକଲା କ୍ଷଣକମଧ୍ୟରେ ପାଇଗଲା । କେବଳ ରଙ୍ଗମହଲରୁ ବାହାରି ପାରିଲା ନାହିଁ ।

 

ଏସବୁ ବିଷୟରେ ଯୋଧପୁରୀ ବେଗମ୍‍ ସହିତ ନିର୍ମଳର ବେଶ୍ ଆଲୋଚନା ଚାଲେ । ଥରେ ହସିହସି ନିର୍ମଳକୁମାରୀ ଯୋଧପୁରୀ ବେଗମଙ୍କୁ କହିଲା–

 

“ସୁନା ଚଢ଼େଇକୁ ସୁନାର ପିଞ୍ଜରା

ସୁନାର ଶିକୁଳୀ ଗୋଡ଼ରେ ।

ଦାନାପାଣି ଯାକ ସୁନାରେ ତିଆରି

ସେଥିରେ କି ମନ ଚହଲେ ?”

 

ଏହା ଶୁଣି କହିଲେ ବେଗମ୍‍–“ତୁ ଏସବୁ ନେଉଛୁ କାହିଁକି ?”

 

ଉତ୍ତରରେ ହସି ହସି କହିଲା ନିର୍ମଳ–“ଉଦୟପୁର ଗଲେ ଦେଖାଇବି ସମସ୍ତଙ୍କୁ; ଦେଖ, କିପରି ମୋଗଲ ବାଦଶାହଙ୍କୁ ଠକେଇ ଆଣିଛି !”

 

ଜେବ୍ଉନ୍ନିସା ଆଓରଙ୍ଗଜେବ୍‌ଙ୍କର ଡାହାଣ ହାତ । ତାଙ୍କ ଇଙ୍ଗିତ ପାଇବାମାତ୍ରେ ଶାହଜାଦୀ ନିର୍ମଳ ପଛରେ ଲାଗିଗଲା । ଅସଲ କଥା ନିର୍ମଳ ପେଟରୁ ବାହାର କରିବାର ଦାୟିତ୍ଵ ଜେବ୍ଉନ୍ନିସା ହାତରେ ରହିଲା; କେବଳ ମଧୁର ଆଳାପ କରିବାର ଭାର ବାଦଶାହ ନିଜ ଦାୟିତ୍ଵରେ ରଖିଲେ । ବାଦଶାହ ବେଳକାଳ ଦେଖି ନିର୍ମଳ ସହିତ ବାଦଶାହୀ କାଇଦାରେ ସୁଯୋଗ ପାଏ ନାହିଁ । ତେଣୁ ସେ ମଧ୍ୟ ନାରୀସୁଲଭ ମଧୁରଭାଷାରେ ଉତ୍ତର ଦେଉଥିଲା । ଅବଶ୍ୟ ବେଳେବେଳେ ରୂପନଗରର ଟାଙ୍ଗର ପାହାଡ଼ପରି ତା’ ଭାଷାରେ କର୍କଶତା ନଥିଲା, ତା’ ନୁହେଁ !

 

ଯେଉଁ କଥା ପ୍ରକାଶ କଲେ କିଛି କ୍ଷତି ହେବ ନାହିଁ, ଏପରି ଅନେକ କଥା ନିର୍ମଳ ଜେବ୍ଉନ୍ନିସା ଆଗରେ ବେଶ୍ ଆଗ୍ରହର ସହିତ ପ୍ରକାଶ କରିଥିଲା । ଆଲୋଚନା ପ୍ରସଙ୍ଗରେ ଅନେକ କଥା ପଡ଼େ । ଦିନେ ପ୍ରସଙ୍ଗକ୍ରମେ ରୂପନଗରର ଯୁଦ୍ଧ କଥା ଉଠିଲା । ନିର୍ମଳ ସେଠାକାର ଯୁଦ୍ଧ ଆଦୌ ଦେଖି ନଥିଲା; କିନ୍ତୁ ଚଞ୍ଚଲ୍‍କୁମାରୀ ମୁହଁରୁ ଯେପରି ଭାବରେ ଶୁଣିଥିଲା, ଠିକ୍ ଅବିକଳ ଭାବରେ ଶାହଜାଦୀଙ୍କୁ ଶୁଣାଇଦେଲା । ମୋବାରକ୍ ଖାଁ କିପରି ମୋଗଲ ସୈନ୍ୟଙ୍କୁ ଡକାଇ ଆଣି ଚଞ୍ଚଲ୍‍କୁମାରୀ ନିକଟରୁ ପରାଭବ ସ୍ଵୀକାର କରିବା ସଙ୍ଗେ ସଙ୍ଗେ ବିଜୟର ଉଜ୍ଜ୍ଵଳତମ ଆଶାକୁ ପାଦରେ ଦଳିଦେଇ ଆସିଲା, ସ୍ଵେଚ୍ଛାକ୍ରମେ ରାଜପୁତ୍‌ମାନଙ୍କ ରକ୍ଷା ଲାଗି ଚଞ୍ଚଲ୍‍କୁମାରୀ କିପରି ମୋଗଲ୍ ରଙ୍ଗମହଲକୁ ଆସିବାକୁ ଚାହୁଁଥିଲା, ରାଜକୁମାରୀ ବିଷ ଖାଇବାର ଧମକ ଦେଖାଇ କିପରି ମୋବାରକ୍‌କୁ ଠକାଇଦେଲା ଏବଂ ସର୍ବଶେଷରେ ମୋବାରକ୍ କିପରି ତାକୁ ନ ଆଣି ଛାଡ଼ି ଆସିଲା; ସବୁ ଘଟଣା ଗୋଟି ଗୋଟି କରି ନିର୍ମଳକୁମାରୀ ଜେବ୍ଉନ୍ନିସାକୁ ଶୁଣାଇଦେଲା ।

 

ନିର୍ମଳକୁମାରୀଠାରୁ ମୋବାରକ୍‌ର ବଦତ୍‌ମିଜୀ ସମ୍ବନ୍ଧରେ ସବୁ କଥା ଶୁଣି ଜେବ୍ଉନ୍ନିସା ମନେ ମନେ ଭାବିଲା–“ମୋବାରକ୍, ଯିବୁ କୁଆଡ଼େ ? ଏଥର ଗଣ୍ଡିରୁ ତୋ’ ମୁଣ୍ଡଟା ଯଦି ମୁଁ ନ ଛିଡ଼ାଇଛି, ଦେଖିବୁ ! କିଏ ତୋତେ ରକ୍ଷା କରିବ, ଦେଖିବି !’ ଉପଯୁକ୍ତ ଅବସର ପାଇ ଜେବ୍ଉନ୍ନିସା ଆଓରଙ୍ଗଜେବଙ୍କୁ ରୂପନଗରର ଯୁଦ୍ଧସମାଚାର ଏବଂ ମୋବାରକ୍‌ର କୃତଘ୍ନତା ସମ୍ବନ୍ଧରେ ସବୁ ଶୁଣାଇଦେଲା ।

 

ଆଓରଙ୍ଗଜେବ ସବୁ ଶୁଣିସାରି କହିଲେ–“ଯଦି ସେ ବିଶ୍ଵାସଘାତକ ଏପରି କର୍ମ କରିବାକୁ ସାହସ କରିଛି, ତା’ହେଲେ ଆଜିଠାରୁ ତୋ’ପାଇଁ ନର୍କର ଦ୍ଵାର ଉନ୍ମୁକ୍ତ ହେଲା ।” ବାଦଶାହ ସଲାମତ୍ ଜେବ୍ଉନ୍ନିସାର ଚକ୍ରାନ୍ତ ବୁଝିପାରିଲେ ନାହିଁ, ତା’ ନୁହେଁ ! ସେ ଜେବ୍ଉନ୍ନିସାର ଦୁଶ୍ଚରିତ୍ରତା ସମ୍ବନ୍ଧରେ ବରାବର ଶୁଣୁଥିଲେ । ମୋଗଲ ବାଦଶାହମାନଙ୍କର ନୀତି ଥିଲା–“ହାଣ୍ଡିଖିଆ କୁକୁରକୁ ମାରିଦେଲେ ରିଷ୍ଟ ଗଲା; ହାଣ୍ଡି ଭାଙ୍ଗି ଦେଇ ଲାଭ କ’ଣ ?’ ସେମାନେ ନିଜ କନ୍ୟା ବା ଭଉଣୀର ବ୍ୟଭିଚାର ସମ୍ବନ୍ଧରେ ଖବର ପାଇଲେ, ଭଉଣୀ ବା ଝିଅଙ୍କୁ କିଛି ନକହି, ସେମାନଙ୍କ ପ୍ରଣୟୀକୁ କୌଣସି ଗୋଟିଏ ଆଳରେ ହତ୍ୟାକରି ମାର୍ଗ ପରିଷ୍କାର କରିଦିଅନ୍ତି !’ ଆଓରଙ୍ଗଜେବ ମୋବାରକ ଓ ଜେବ୍ଉନ୍ନିସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାର ଅନେକ ଦିନରୁ ସନ୍ଦେହ କରୁଥିଲେ; ମାତ୍ର ସେ ବିଷୟରେ ବିଶେଷ ପ୍ରମାଣ ଅଭାବରୁ କିଛି ପ୍ରତିଶୋଧମୂଳକ ବ୍ୟବସ୍ଥା ଗ୍ରହଣ କରୁନଥିଲେ । ଏଥର ଜେବ୍ଉନ୍ନିସାର ଅଭିଯୋଗରୁ ଘଟଣା ସମ୍ପର୍କରେ ବେଶ୍ ବୁଝିପାରିଲେ । ସେ ମନେ ମନେ ଭାବିଲେ–ଜଣାଯାଉଛି, ଶାହଜାଦୀ ସହିତ ମୋବାରକ୍‍ର ପ୍ରଣୟ–କଳହ ଘଟିଛି; ତେଣୁ ଅଲିଅଳ ମୋଗଲକୁମାରୀ ପ୍ରଣୟୀ ମୋବାରକ୍ ଖାଁକୁ ପିମ୍ପୁଡ଼ି ପରି ଦଳିଦେବାକୁ ଆହତ ସର୍ପିଣୀ ପରି ଫଁ–ଫଁ ହେଉଛି । ଆଓରଙ୍ଗଜେବ ମନେ ମନେ ବେଶ୍ ଖୁସିହୋଇ ଘଟଣା ସମ୍ବନ୍ଧରେ ଥରେ ନିର୍ମଳ ମୁହଁରୁ ଶୁଣିବାଲାଗି ଇଚ୍ଛାକରି ତାକୁ ଡକାଇଆଣିଲେ-। ନିର୍ମଳ ବିଚାରୀ ଅସଲ କଥା କିଛି ଜାଣିନଥିଲା କିମ୍ବା ବୁଝି ନଥିଲା; ତେଣୁ ସେ ବାଦଶାହଙ୍କ ଆଗ୍ରହମତେ ସବୁକଥା ଠିକ୍ ଠିକ୍ କହିଗଲା ।

 

ଉପଯୁକ୍ତ ସମୟ ଦେଖି ବାଦଶାହ ବକ୍‌ଶୀକୁ ଡକାଇ ମୋବାରକ ସମ୍ବନ୍ଧରେ ଆଜ୍ଞା ଶୁଣାଇଦେଲେ । ବକ୍‌ଶୀଙ୍କ ଆଦେଶରେ ଆଠଜଣ ପିଆଦା ଯାଇ ମୋବାରକ୍‍କୁ ଧରି ଆଣି ହାଜର କରାଇଦେଲେ । ମୋବାରକ୍ ହସିହସି ଆସି ବକ୍‌ଶୀଙ୍କ ନିକଟରେ ପହଞ୍ଚି ଦେଖିଲା–ଦୁଇଟି ଲୁହା ପିଞ୍ଜରାରେ ଯୋଡ଼ିଏ ଭୟଙ୍କର ବିଷଧର ସର୍ପ ଗର୍ଜନ କରୁଛନ୍ତି ।

 

ସଭ୍ୟଜଗତର ରାଜକୀୟ ବଧର ଉପାୟଠାରୁ ମୋଗଲ୍‌ ଶାସନର କୌଶଳ ଭିନ୍ନ ଥିଲା-। ସେମାନଙ୍କ ଅମଳରେ ମୁଣ୍ଡକାଟ, ଶୂଳି, ହାତୀର ପାଦତଳେ ଦଳିବା, ବିଷଧର ସର୍ପ ଦଂଶନ ଆଦି ଅନେକ ପ୍ରକାର ବଧର ଉପାୟ ଖଞ୍ଜାଯାଇଥିଲା ଏବଂ ଗୋପନରେ ହତ୍ୟା କରିବାକୁ ହେଲେ ବିଷ ପ୍ରୟୋଗ ଏକମାତ୍ର ଉପାୟରୂପେ ବଛାଯାଉଥିଲା ।

 

ମୋବାରକ୍ ହସି ହସି ବକ୍‌ଶୀଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ–“କ’ଣ ? ମୋ ପାଳି ଆସିଗଲା କି ?”

 

ବିଷଣ୍ଣଭାବରେ କହିଲେ ବକ୍‌ଶୀ–“ବାଦଶାହଙ୍କ ହୁକୁମ !”

 

“କାହିଁକି ଏ ପରୱାନା ଜାରିହେଲା, ଆପଣ କିଛି ଜାଣନ୍ତି କି ?”

 

“ନାଃ... ! ଆପଣ କିଛି ଜାଣିନାହାନ୍ତି ?”

 

“ହଁ... ଏକପ୍ରକାର ଅନ୍ଦାଜ୍ କରୁଛି ! ଆଉ ବିଳମ୍ବ କରି ଲାଭ କ’ଣ ?”

 

“ନାଃ... !” ଦୁଃଖିତ ମନରେ କହିଲେ ବକ୍‌ଶୀ ।

 

ମୋବାରକ୍‍ ସେଇ ମୁହୂର୍ତ୍ତରେ ଜୋତା ଖୋଲିଦେଇ ପିଞ୍ଜରା ଉପରେ ପାଦ ରଖିଦେଲେ । କାଳସର୍ପ ଭୀଷଣ ଗର୍ଜନ କରି ପିଞ୍ଜରାର ରନ୍ଧ୍ରଦେଇ ମୋବାରକ ପାଦରେ ତୀବ୍ର ଦଂଶନ କଲା । ବିଷଜ୍ୱାଳାରେ ମୋବାରକ୍‍ର ମୁଖମଣ୍ଡଳ ବିକୃତ ହୋଇଗଲା । ସେ ପୂର୍ବପରି ହସି ହସି କହିଲେ, “ବକ୍‌ଶୀ ଜୀ, ଯଦି କେହି ମୋର ମୃତ୍ୟୁର କାରଣ ପଚାରେ; ତେବେ ଅନୁଗ୍ରହ କରି କହିବେ–ଶାହଜାଦୀ ସାହିବା ଜେବ୍ଉନ୍ନିସାଙ୍କ ଇଚ୍ଛାକ୍ରମେ ମୋର ମୃତ୍ୟୁ ହେଲା ।”

 

ବକ୍‌ଶୀ ଅତ୍ୟନ୍ତ ଭୀତତ୍ରସ୍ତ ତଥା କାତର ଭାବରେ କହିଲେ–“ଚୁପ୍, ଚୁପ୍ ! ଆଉ ସେକଥା... ।”

 

କାଳେ ଗୋଟିଏ ସାପର ବିଷ ଯଥେଷ୍ଟ ହେବନାହିଁ, ସେଥିଲାଗି ଦୁଇଟି ସାପ ରଖାଯାଇଥିଲା । ମୋବାରକ୍‍ ତାହା ବେଶ୍ ଜାଣିଥିଲେ । ତେଣୁ ସେ ଦ୍ଵିତୀୟ ସର୍ପ ପିଞ୍ଜରାରେ ଗୋଡ଼ ରଖିଲେ । ଦ୍ଵିତୀୟ ବିଷଧର ସର୍ପଟି ମଧ୍ୟ ଭୀଷଣ ଗର୍ଜନ କରି ମୋବାରକ୍‍ ଗୋଡ଼ରେ ଦଂଶନ କରି ବିଷ ଉଦ୍‌ଗାର କରିଦେଲା । ମୋବାରକ୍‍ ଅସହ୍ୟ ବିଷଜ୍ୱାଳାରେ ଜର୍ଜ୍ଜରିତ ହୋଇ ନୀଳବର୍ଣ୍ଣ ହୋଇଗଲେ । ସେ ଆଣ୍ଠୁମାଡ଼ି ଭୂମିରେ ବସିପଡ଼ି ହାତଯୋଡ଼ି ପ୍ରାର୍ଥନା କଲେ–“ଆଲ୍ଲା ହୋ, ଆକ୍‌ବର ! ଯଦି ମୁଁ କେବେ ଆପଣଙ୍କ ଦୟା ପାଇବାଭଳି କିଛି କାର୍ଯ୍ୟ କରିଥାଏ, ତେବେ ପ୍ରଭୁ ଏହି ସମୟରେ ମୋ ପ୍ରତି ଦୟା ପ୍ରଦର୍ଶନ କରନ୍ତୁ ।”

 

ଏହିପରି ଭାବରେ ଭକ୍ତବତ୍ସଳ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଥିବା ସମୟରେ ବୀର ମୋବାରକ୍ ବିଷଜ୍ୱାଳାରେ ଜର୍ଜ୍ଜରିତ ହୋଇ ପ୍ରାଣତ୍ୟାଗ କଲେ ।

Image

 

ପ୍ରଣୟିନୀ

 

ରଙ୍ଗମହଲ ଭିତରକୁ ବାହାରର ସବୁ ଖବର ଆସେ । ସେଇ ଖବରଗୁଡ଼ିକ ପ୍ରଥମେ ଜେବ୍ଉନ୍ନିସା ପାଇପାରେ; କାରଣ, ସେ ନାଏବ ବାଦଶାହ । ମୋବାରକ୍‌ର ମୃତ୍ୟୁ–ସମ୍ବାଦ ମଧ୍ୟ ଯଥାସମୟରେ ଆସି ରଙ୍ଗମହଲରେ ପହଞ୍ଚିଲା । ଜେବ୍ଉନ୍ନିସା ମନେମନେ ଭାବିଥିଲା–ଏହି ମୃତ୍ୟୁ–ସମ୍ବାଦ ଶୁଣି ସେ ଖୁବ୍ ଖୁସି ହେବ; ମାତ୍ର ସହସା ଠିକ୍ ବିପରୀତ ରୀତି ଦେଖାଗଲା । ଏ ଦୁଃସହ ସମ୍ବାଦ ଶୁଣିବାମାତ୍ରେ ତା’ର ଦୁଇଟିଯାକ ଚକ୍ଷୁ ଅଶ୍ରୁରେ ପରିପୂର୍ଣ୍ଣ ହୋଇଗଲା । ଆଶ୍ଚର୍ଯ୍ୟ ! ନିଦାରୁଣ ହୃଦୟରେ କରୁଣାର ସଞ୍ଚାର ! କେବଳ ସେତିକି ନୁହେଁ, ତା’ର ଦୁଇ ଗଣ୍ଡଦେଶରେ ଧାର ଧାର ହୋଇ ଲୁହଧାର ଝରଝର ଝରିବାକୁ ଲାଗିଲା । ଶେଷରେ ସେ ଅନୁଭବ କଲା–ସେ ଚିତ୍କାର କରି କାନ୍ଦି ପକାଇବ ! ତେଣୁ ଜେବ୍ଉନ୍ନିସା କକ୍ଷ ଭିତରୁ କିଳଣି ଦେଇ ରତ୍ନଖଚିତ ଗଜଦନ୍ତ ପଲଙ୍କରେ ମୁହଁମାଡ଼ି ଶୋଇ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ହାୟ...ଶାହଜାଦୀ, ହସ୍ତୀଦନ୍ତନିର୍ମିତ ପଲଙ୍କ ଉପରେ ସୁଦ୍ଧା ତା’ର ଆଖିର ଲୁହ ଥମିଲା ନାହିଁ । ଦିଲ୍ଲୀ ସହର ତଳ ଅଞ୍ଚଳର ଗ୍ରାମ୍ୟ କୁଟୀର ମଧ୍ୟରେ ଛିଣ୍ଡା କନ୍ଥାରେ ଶୋଇ ମଧ୍ୟ ଦୀନ କାଙ୍ଗାଳ ମୁହଁରେ ହସ ଉକୁଟି ଉଠୁଛି ! ଆଜି ଦିଲ୍ଲୀଶ୍ଵରଙ୍କର ଅଲିଅଳ ଶାହଜାଦୀ ଯେପରି ଅଧୀରା ହୋଇ କାନ୍ଦବୋବାଳି ଛାଡ଼ିବାରେ ଲାଗିଛି; ସେପରି କେହିହେଲେ କାନ୍ଦୁନାହାନ୍ତି ।

 

ଜେବ୍ଉନ୍ନିସା ବେଶ୍ ବୁଝିପାରିଲା–ସେ ନିଜ ଖାଇବା ଥାଳିରେ ଜାଣିଶୁଣି ନିଜେ ପାଉଁଶ ପକାଇଛି । ସେ ଧୀରେ ଧୀରେ ଭଲଭାବରେ ବୁଝିପାରିଲା, ନାରୀମାତ୍ରେ ହିଁ ସମାନ । ଜାଣିକରି ହେଉ କିମ୍ବା ଅଜଣାରେ ହେଉ, ନାରୀଦେହ ଧାରଣ କଲେ ହୃଦୟରେ ପ୍ରଣୟକୀଟକୁ ଆଶ୍ରୟ ଦେବାକୁ ହିଁ ପଡ଼ିବ । ଜେବ୍ଉନ୍ନିସା ନିଜକୁ ନିଜେ ପଚାରିଲା–ମୁଁ ତାକୁ ଏତେ ଭଲପାଉଥିଲି ? କାହିଁ, ଏ କଥା ତ ଆଗରୁ ଦିନେହେଲେ ଜାଣିପାରି ନଥିଲି ? ଅବଶ୍ୟ କେହି ତାକୁ ପ୍ରାଣଭୟରେ ସ୍ପଷ୍ଟ କଥା କହିନାହାନ୍ତି; ନୋହିଲେ କେହିହେଲେ କହିଥା’ନ୍ତା–“ଶାହଜାଦୀ, ତୁମେ ଐଶ୍ୱର୍ଯ୍ୟମଦରେ ଚୂର୍‍, ସୌନ୍ଦର୍ଯ୍ୟ–ଗର୍ବରେ ଗର୍ବିଣୀ, ଇନ୍ଦ୍ରିୟଲାଳସାରେ ତୁମେ ଅନ୍ଧ ହୋଇ ପ୍ରେମ, ଭଲପାଇବା କ’ଣ ଦିନେ ହେଲେ ଜାଣିପାରିଲ ନାହିଁ । ତୁମକୁ ଉପଯୁକ୍ତ ଦଣ୍ଡ ମିଳିଛି । ତୁମକୁ କେହି ଦୟା କରିବା ଉଚିତ ନୁହେଁ !!”

 

ତାକୁ କେହି କହୁ ବା ନକହୁ, ତା’ର ହୃଦୟରେ ଏହି ପ୍ରତିଧ୍ଵନି ହେବାକୁ ଲାଗିଲା । ସଙ୍ଗେସଙ୍ଗେ ସେ ଧର୍ମାଧର୍ମ ବିଷୟରେ ବେଶ୍ ବୁଝିପାରିଲା ଏବଂ ସେ ଏକ ଗର୍ହିତ ଅଧର୍ମ କାର୍ଯ୍ୟ କରିଥିବାର ସ୍ପଷ୍ଟ ଅନୁଭବ କଲା । ଶେଷକୁ ତା’ର ମନର ଭୂତ ତାକୁ ଭୀଷଣ ଭୟ ଦେଖାଇଲା–ଅଧର୍ମର ପ୍ରତିକାର ଦଣ୍ଡ । ସେ ଶାହଜାଦୀ ହୋଇଥିଲେ ସୁଦ୍ଧା ସେ ଦଣ୍ଡଭୋଗରୁ ତ୍ରାହି ପାଇପାରିବ ନାହିଁ । ଏ ଦୋଷରୁ ପରିତ୍ରାଣ ପାଇବାର କୌଣସି ଉପାୟ ନାହିଁ । ଜେବ୍ଉନ୍ନିସା ମନେମନେ ଖୁବ୍ ଭୟ ଅନୁଭବ କଲା ।

 

ଦୁଃଖ, ଶୋକ ଓ ଭୟରେ ମ୍ରିୟମାଣ ହୋଇ ଜେବ୍ଉନ୍ନିସା କକ୍ଷର ଦ୍ଵାର ଖୋଲି, ତା’ର ବିଶ୍ଵାସୀ ଖୋଜା ଅସୀରୁଦ୍ଦିନ୍‌କୁ ଡକାଇ ଆଣି ପଚାରିଲା–“ସାପବିଷରେ ମଣିଷ ମରିଗଲେ ତା’ର କ’ଣ କିଛି ଚିକିତ୍ସା କରାଯାଇପାରେ ?”

 

“ମରିଯିବା ପରେ ଆଉ ଚିକିତ୍ସା କ’ଣ... ?”

 

“କେବେହେଲେ କିଛି ଶୁଣିନାହୁଁ ?”

 

“ହାତେମ୍‌ମାଲ ଏଭଳି ଗୋଟିଏ ଚିକିତ୍ସା କରିଥିଲେ । ମୁଁ କେବଳ ଶୁଣିଛି, ମାତ୍ର ଦେଖିନାହିଁ !”

 

ଜେବ୍ଉନ୍ନିସା ଗୋଟିଏ ପ୍ରଖର ଦୀର୍ଘ ନିଃଶ୍ଵାସ ତ୍ୟାଗକରି କହିଲା–“ହାତେମ୍‌ମାଲ୍‌ଙ୍କୁ ଚିହ୍ନିଛୁ ?”

 

“ହଁ...ଚିହ୍ନିଛି ।”

 

“ସେ କେଉଁଠି ରହନ୍ତି ?”

 

“ଏଇ ଦିଲ୍ଲୀ ଭିତରେ ଅଛନ୍ତି ।”

 

“ଘର ଦେଖିଛୁ ?”

 

“ଦେଖିଛି !”

 

“ବର୍ତ୍ତମାନ ଏଇ ମୁହୂର୍ତ୍ତରେ ସେଠାକୁ ଯାଇପାରିବୁ ?”

 

“ହୁକୁମ୍ ହେଲେ ଯାଇ ପାରିବି ।”

 

“ଆଜି ମୋବାରକ୍ ଅଲି...” ଜେବ୍ଉନ୍ନିସାର ଗଳା ରୁନ୍ଧି ହୋଇଗଲା; ସେ ବହୁ ପ୍ରୟାସ କରି କହିଲା, “...ସର୍ପାଘାତ ଫଳରେ ମୃତ୍ୟୁମୁଖରେ ପଡ଼ିଛି; ଜାଣୁ ?”

 

“ଜାଣିଛି... ।”

 

“ତାକୁ କେଉଁଠି କବର ଦିଆଯାଇଛି, ଜାଣିଛୁ ?”

 

“ଦେଖିନାହିଁ...କିନ୍ତୁ ତାକୁ ଯେଉଁ କବରଖାନାରେ କବର ଦିଆଯାଇଛି, ମୁଁ ଜାଣେ । ନୂଆ କବର, ସହଜରେ ଜାଣିହେବ ।”

 

“ମୁଁ ତୋତେ ଦୁଇଶହ ଅସରପି ଦେଉଛି, ନେଇଯା । ସେଥିରୁ ଶହେ ହାତେମ୍‍ମାଲଙ୍କୁ ଦେବୁ; ଆଉ ଶହେ ତୁ ନିଜେ ନେବୁ । ମୋବାରକ୍ ଅଲିର କବରର ସନ୍ଧାନ କରି, କବର ମଧ୍ୟରୁ ମୁର୍ଦ୍ଦାର ବାହାର କରି ତାକୁ କୌଣସିମତେ ବଞ୍ଚାଇବାକୁ ଚେଷ୍ଟା କରିବୁ । ଯଦି ବଞ୍ଚିଯାଏ, ତା’ହେଲେ ମୋ’ ପାଖକୁ ତାକୁ ନେଇ ଆସିବୁ । ଯାଆ...ଏଇ ମୁହୂର୍ତ୍ତରେ ଚାଲିଯା... ।”

 

ଜେବ୍ଉନ୍ନିସାଠାରୁ ଦୁଇଶହ ଅସରପି ନେଇ, ଅସୀରୁଦ୍ଦିନ୍ ସଙ୍ଗେସଙ୍ଗେ ବିଦାୟ ନେଇଗଲା ।

 

X X

 

ପୂର୍ବଥର ପରି, ଆଉ ଥରେ ରଙ୍ଗମହଲରେ ପଥର ଜିନିଷ ବିକ୍ରୟ କରି ମାଣିକଲାଲ୍‍ ନିର୍ମଳର ଭଲମନ୍ଦ ଖବର ବୁଝିଲା । ଏଥର ସେ ସେହି ପଥରର ବାକ୍‌ସରେ ଚାବି ବନ୍ଦ କରି ଆଣିଥିଲା । ଚାବି ଖୋଲି ନିର୍ମଳ ତା’ ମଧ୍ୟରୁ ଦୂତକାର୍ଯ୍ୟରେ ତାଲିମପ୍ରାପ୍ତ ଗୋଟିଏ ଲୋଟଣି ପାରା ପାଇଗଲା । ସେ ପାରାଟିକୁ ନିଜ ପାଖରେ ରଖି, ଆଉ ଖଣ୍ଡିଏ ପତ୍ର ଲେଖି ଜଣାଇଲା–“ତୁମେ ଏବେ ଚାଲିଯାଅ, ମୁଁ ବାଦଶାହଙ୍କ ସହିତ ଉଦୟପୁର ଯିବି ।”

 

ତା’ପରେ ମାଣିକଲାଲ୍‍ ନିଜର ଦୋକାନପତ୍ର ଉଠାଇ ଉଦୟପୁର ଯାତ୍ରା କଲା । ରାତ୍ରିର ଶେଷ ପ୍ରହର ପ୍ରାୟ; ଦିଲ୍ଲୀରୁ ବାହାରକୁ ଯିବାଲାଗି ଅନେକ ଦ୍ଵାର, କେହି ଯେପରି ସନ୍ଦେହ ନ କରନ୍ତୁ, ସେଥିଲାଗି ମାଣିକଲାଲ୍‍ ଆଜମୀର୍ ଦ୍ଵାର ଦେଇ ନ ଯାଇ, ଅନ୍ୟ ଗୋଟିଏ ଦ୍ଵାରବାଟେ ବାହାରକୁ ଚାଲିଲା । ରାଜପଥର ଗୋଟିଏ ପାର୍ଶ୍ଵରେ ଗୋଟିଏ ସାଧାରଣ ଧରଣର କବରଖାନା ରହିଛି । ଗୋଟିଏ କବର ନିକଟରେ ଦୁଇଟି ଲୋକ ଛିଡ଼ା ହୋଇଛନ୍ତି । ମାଣିକଲାଲ୍‍ ଓ ତା’ର ସାଥୀଙ୍କୁ ଦେଖି ସେହି ଲୋକଦୁଇଟି ଦୌଡ଼ି ଦୌଡ଼ି କୁଆଡ଼େ ଅଦୃଶ୍ୟ ହୋଇଗଲେ । ମାଣିକଲାଲ୍‍ ଘୋଡ଼ାରୁ ଓହ୍ଲାଇପଡ଼ି, ସେହି କବର ପାଖକୁ ଯାଇ ଦେଖିଲା–ପଳାଇଥିବା ଲୋକ ଦୁଇଜଣ ଗୋଟିଏ କବର ଖୋଳି ମୁର୍ଦ୍ଦାରଟିକୁ ବାହାର କରିଛନ୍ତି । ମାଣିକଲାଲ୍‍ କିଛି ସମୟ ପର୍ଯ୍ୟନ୍ତ ସେହି ମୁର୍ଦ୍ଦାରଟିକୁ ନିରୀକ୍ଷଣ କରି ଦେଖିଲା । ତା’ପରେ ସେ କ’ଣ ବୁଝିଲା କେଜାଣି, ମୁର୍ଦ୍ଦାରଟିକୁ ଯତ୍ନର ସହିତ ଲୁଗାରେ ଗୁଡ଼ାଇ ଘୋଡ଼ା ଉପରେ ରଖି, ନିଜେ ଚାଲି ଚାଲି ଅଗ୍ରସର ହେଲା ।

 

ମାଣିକଲାଲ୍‍ ଦିଲ୍ଲୀର ସୀମା ପାର ହୋଇଯିବା ପରେ, ଗୋଟିଏ ଜଙ୍ଗଲିଆ ସ୍ଥାନରେ ମୁର୍ଦ୍ଦାରଟିକୁ ଘୋଡ଼ାରୁ ଓହ୍ଲାଇ ତଳେ ଥୋଇଦେଲା ଏବଂ ପେଡ଼ି–ପେଟରା ମଧ୍ୟରୁ କେତୋଟି ଜଡ଼ିବୁଟି ବାହାରକରି ତାକୁ ଘୂରାଘୂରି କରି ରଖିଲା । ତା’ପରେ ମୃତଦେହରେ ଛୁରୀଦ୍ଵାରା କେତୋଟି କ୍ଷତ କରି, ସେହି ଔଷଧତକ କ୍ଷତସ୍ଥାନରେ ଲଗାଇଦେଲା ଏବଂ ସେହି ଔଷଧ ଜିଭ ଓ ଆଖିରେ ମଧ୍ୟ ଘଷିଦେଲା । ଦୁଇଖଣ୍ଡ ଯିବା ପରେ ଶୁଣି ଥରେ ସେହି ଔଷଧ ଲଗାଇଦେଲା । ଏହିପରି ଭାବରେ ତିନିଥର ଔଷଧ ସେବନ କରାଇବା ପରେ ମୃତଦେହରେ ଜୀବନ ସଞ୍ଚାର ହୋଇ ଆସିଲା ଏବଂ ଶ୍ଵାସପ୍ରକ୍ରିୟା କାର୍ଯ୍ୟକାରୀ ହେଲା । ଧୀରେ ଧୀରେ ସେହି ବ୍ୟକ୍ତି ଆଖି ଖୋଲିଲା ଏବଂ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଚାହିଁବାରେ ଲାଗିଲା । କେତେ ସମୟ ପରେ ତା’ର ସମ୍ପୂର୍ଣ୍ଣ ଚେତା–ଚୈତନ୍ୟ ଫେରିଆସିଲା ।

 

ମାଣିକଲାଲ୍‍ କିଛି ଦୁଧ ସଂଗ୍ରହ କରି ରଖିଥିଲା । ସେଥିରୁ ଟିକିଏ ଦୁଧ ମୋବାରକ୍‌କୁ ପିଆଇଦେଲା । ଗରମଦୁଧ ଟିକିଏ ପେଟରେ ପଡ଼ିବାରୁ ମୋବାରକ୍ ସତେଜ ହୋଇଉଠିଲା ଏବଂ ପୂର୍ବଦିନର ସବୁଘଟଣା ତା’ର ମନେପଡ଼ିଗଲା । ସେ ମାଣିକଲାଲ୍‍ର ମୁହଁକୁ ବଲବଲ କରି ଚାହିଁ ପଚାରିଲେ–“ମୋତେ ବଞ୍ଚାଇଲା କିଏ ସେ ? ଆପଣ ?”

 

“ହଁ... !” ଗୋଟିଏ ଛୋଟ ଉତ୍ତର ଦେଲା ମାଣିକଲାଲ୍‍ ।

 

ମୋବାରକ୍ କିଛି ସମୟ ସ୍ମରଣ କରିବା ଚାହାଣିରେ ମାଣିକଲାଲ୍‍କୁ ନିରୀକ୍ଷଣ କରି କହିଲେ–“ମୋତେ ବଞ୍ଚାଇଲେ କାହିଁକି ? ମୁଁ ଆପଣଙ୍କୁ ବେଶ୍ ଚିହ୍ନିପାରୁଛି ! ମୁଁ ଆପଣଙ୍କ ସହିତ ରୂପନଗରର ସେହି ପାହାଡ଼ିଆ ରାସ୍ତାରେ ଯୁଦ୍ଧ କରି ପରାଭବ ପାଇଛି !”

 

“ମୁଁ ମଧ୍ୟ ଆପଣଙ୍କୁ ଚିହ୍ନିପାରିଛି !” ଉତ୍ତର ଦେଲା ମାଣିକଲାଲ୍‍–“କିନ୍ତୁ, ଆପଣଙ୍କର ଏ ଅବସ୍ଥା ହେଲା କିପରି ?”

 

“ଏବେ ମୁଁ ସେ ବିବରଣୀ ଆପଣଙ୍କୁ ଦେଇ ପାରିବିନାହିଁ; ଆଉ କେବେ ସେ ଘଟଣା ଶୁଣାଇବି । ତେବେ, ଆପଣ କ’ଣ ଏବେ ଉଦୟପୁର ଯାଉଛନ୍ତି ?”

 

“ହଁ !”

 

“ମୋତେ ସଙ୍ଗରେ ନେଇଯିବେ ? ଦିଲ୍ଲୀ ଫେରିଯିବାର ମୋର ଉପାୟ ନାହିଁ । ଆପଣ ବୋଧହୁଏ ଅନୁମାନ କରିପାରୁଥିବେ; ମୁଁ ରାଜଦଣ୍ଡରେ ଦଣ୍ଡିତ ।”

 

“ହଁ, ନେବାରେ ମୋର କିଛି ଆପତ୍ତି ନାହିଁ; କିନ୍ତୁ ଆପଣ ଖୁବ୍ ଦୁର୍ବଳ ଯେ... ?”

 

“ସନ୍ଧ୍ୟା ସୁଦ୍ଧା ମୁଁ ପୂର୍ଣ୍ଣ ସୁସ୍ଥ ହୋଇଯିବି; କିନ୍ତୁ ଆପଣ କ’ଣ ମୋ ପାଇଁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବେ ?”

 

“ହଁ, ଏତିକି କରିପାରିବି ନାହିଁ ?”

 

ମାଣିକଲାଲ୍‍ ମୋବାରକ୍‌କୁ ଆଉ କେତେ ଥର ଦୁଧ ପିଆଇଲା ଏବଂ ଖାଦ୍ୟ ଖୁଆଇଲା-। ଏହି ସମୟ ମଧ୍ୟରେ ମାଣିକଲାଲ୍‍ ଗ୍ରାମ ଭିତରକୁ ଯାଇ ଗୋଟିଏ ଟଟୁ ଘୋଡ଼ା କିଣିଆଣି ମୋବାରକ୍‌କୁ ସେଥିରେ ବସାଇ ଧୀରେ ଧୀରେ ଯାତ୍ରା ଆରମ୍ଭ କଲା ।

 

ଦୀର୍ଘପଥ ଅତିକ୍ରମ କରିବା ଅବସରରେ ମୋବାରକ୍ ମାଣିକଲାଲ୍‍ର ଘୋଡ଼ା ପାଖକୁ ନିଜ ଘୋଡ଼ା ନେଇଯାଇ, ଜେବ୍ଉନ୍ନିସାର ସମସ୍ତଙ୍କ ଘଟଣା ବିସ୍ତୃତ ଭାବରେ କହିଦେଲା । ମାଣିକଲାଲ୍‍ ମଧ୍ୟ ବେଶ୍ ବୁଝିପାରିଲା ଯେ, ଜେବ୍ଉନ୍ନିସାର କୋପାନଳରେ ବିଚରା ମୋବାରକ୍ ଅଲି ଭସ୍ମୀଭୂତ ହେବାକୁ ଯାଉଥିଲା ।

 

X X X

 

ଖୋଜା ଅସୀରୁଦ୍ଦିନ୍ ଫେରିଆସି, ମୋବାରକ୍‌କୁ କୌଣସିମତେ ବଞ୍ଚାଇ ହେଲାନାହିଁ ବୋଲି ଜେବ୍ଉନ୍ନିସାକୁ ଜଣାଇଦେଲା । ଜେବ୍ଉନ୍ନିସା ନିଜର ଅତରବୋଳା ରୁମାଲଟି ଆଖିରେ ଦେଇ ବସିଥିଲା; ଏହି ଦାରୁଣ ସମ୍ବାଦ ଶୁଣିବାକ୍ଷଣି ସେ ସାଧାରଣ ଘରର ସ୍ତ୍ରୀପରି ତଳେ ପଥର ଉପରେ ମୁଣ୍ଡ ପିଟି କାନ୍ଦିବାକୁ ଲାଗିଲା । ତା’ ମନ ମଧ୍ୟରେ ଯେଉଁ ଦାରୁଣ ଦୁଃଖ ଜାତ ହୋଇଥିଲା, ସେ କାହାରି ଆଗରେ ପ୍ରକାଶ କରିପାରିଲା ନାହିଁ କିମ୍ବା ଦୁଃଖ ସହନ କରିବାର ଶକ୍ତି ତା’ର ନଥିଲା-। ସେ ମନେ ମନେ ଭାବିଲା–ହାୟ, ମୁଁ କାହିଁକି ଗୋଟିଏ କୃଷକର କନ୍ୟା ନ ହେଲି-?

 

ଏହି ସମୟରେ ତା’ର କକ୍ଷଦ୍ଵାରରେ ଭୀଷଣ କୋଳାହଳ ଶୁଣାଗଲା । ବାହାରେ ଦରିୟା ବିବି ଛିଡ଼ାହୋଇ ଭିତରକୁ ଆସିବା ଲାଗି ଜିଦ୍‌ଧରି ପାଟିତୁଣ୍ଡ କରୁଛି ଏବଂ ପ୍ରତିହାରିଣୀମାନେ ତାକୁ ବାଧା ଦେଉଛନ୍ତି । ଶେଷକୁ ତାକୁ କେହି ପ୍ରତିରୋଧ କରିପାରିଲେ ନାହିଁ । ସେ ଭିତରକୁ ପଶିଆସି ହାତରେ ଧରିଥିବା ଗୋଟିଏ ଛୁରିକା ଦ୍ଵାରା ଜେବ୍ଉନ୍ନିସାକୁ ଆଘାତ କରିବାକୁ ଉଦ୍ୟତ ହେଲା; ମାତ୍ର ହଠାତ୍ ଛୁରୀଟି ଫିଙ୍ଗିଦେଇ ମୋଗଲ ସୁନ୍ଦରୀ ଆଗରେ ଉନ୍ମତ୍ତ ଭାବରେ ନୃତ୍ୟ ଆରମ୍ଭ କରିଦେଲା । ସେ ଜେବ୍ଉନ୍ନିସାର ଆଖିରେ ଅଶ୍ରୁ ଦେଖି ଠୋ’ ଠୋ’ ହୋଇ ହସି କହିଲା–“ବାଃ, ସାବାସ୍ ! ପିଶାଚୀନିର ଆଖିରେ ଲୁହ !” ଜେବ୍ଉନ୍ନିସାର ଆଦେଶରେ ପ୍ରତିହାରିଣୀମାନେ ତାକୁ ବନ୍ଦୀ କରିବାକୁ ଚେଷ୍ଟା କଲେ; ମାତ୍ର ସେ ଧରା ନ ଦେଇ ଦୌଡ଼ି ବାହାରକୁ ପଳାଇଗଲା । ପଛେ ପଛେ ଧାଇଁ ଧାଇଁ ପ୍ରତିହାରିଣୀମାନେ ତାହାର ଲୁଗାଟିକୁ ଧରିପକାଇଲେ; ମାତ୍ର ଦରିୟା ଲୁଗା ଖୋଳିଦେଇ ଉଲଗ୍ନ ଅବସ୍ଥାରେ ଉନ୍ମାଦଗ୍ରସ୍ତ ହୋଇ କେଉଁଆଡ଼େ ପଳାଇଗଲା ।

Image

 

ଯୁଦ୍ଧ ଓ ପ୍ରେମ

 

ରାଜସିଂହଙ୍କ ଗର୍ବ ଚୂର୍ଣ୍ଣ କରିବା ଅଭିଳାଷରେ ଆଓରଙ୍ଗଜେବ୍‌ଙ୍କ ଅଭିଯାନ ଅତି ଭୟଙ୍କର ଆକାର ଧାରଣକଲା । ମହାଭାରତ ଯୁଦ୍ଧର ଉଦ୍ୟୋକ୍ତା ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନଙ୍କ ପରି ମୋଗଲ ବାଦଶାହ ବ୍ରହ୍ମପୁତ୍ରର ଅପରପାର୍ଶ୍ଵରୁ ଆରମ୍ଭକରି ବାହ୍ଲିକ, କାଶ୍ମୀରଠାରୁ କେରଳ ଓ ପାଣ୍ଡ୍ୟ ପର୍ଯ୍ୟନ୍ତ, ଯେଉଁଠାରେ ଯେତେ ସୈନ୍ୟ ଥିଲେ, ସଂଗ୍ରହ କରିଥିଲେ । ଦକ୍ଷିଣାପଥର ମହାଯୁଦ୍ଧ, ଗୋଲକୁଣ୍ଡା, ବିଜାପୁର ତଥା ମହାରାଷ୍ଟ୍ର ଯୁଦ୍ଧରେ ଅବିଶ୍ରାନ୍ତ ବଜ୍ରାଘାତ ଫଳରେ ଯେଉଁ ମୋଗଲସେନାମାନେ ଅସୁରରାଜ ବୃକ୍ରାସୁର ପରି ମହାଶକ୍ତିଶାଳୀ ହୋଇଉଠିଥିଲେ; ସେହି ସୈନ୍ୟମାନଙ୍କ ଗହଣରେ ବାଦଶାହଙ୍କ ଜ୍ୟେଷ୍ଠପୁତ୍ର ଶାହାଆଲାମ୍ ସୁଦୂର ଦକ୍ଷିଣଭାରତରୁ ଆସି, ଉଦୟପୁରକୁ ରଣତରଙ୍ଗରେ ଭସାଇଦେବାକୁ ଉଦ୍ୟମ କଲେ । ବଙ୍ଗଦେଶର ରାଜପ୍ରତିନିଧି ଆଓରଙ୍ଗଜେବ୍‌ଙ୍କ ଅନ୍ୟତମ ପୁତ୍ର ଆଜମ୍ ଶାହ ପୂର୍ବ–ଭାରତର ବିଶାଳ ସେନାବାହିନୀ ଧରି ମେବାର୍ ପର୍ବତମାଳାର ଦ୍ଵାରଦେଶରେ ଉପସ୍ଥିତ ହେଲେ । ପଶ୍ଚିମ–ଭାରତର ସୁଲତାନ୍‌ଠାରୁ ଆରମ୍ଭ କରି ପଞ୍ଜାବ, କାବୁଲ ତଥା କାଶ୍ମୀରର ଅଜେୟ ଯୋଦ୍ଧାମାନଙ୍କୁ ନେଇ ଅନ୍ୟତମ ପୁତ୍ର ଆକ୍‌ବର ଶାହ ବିଶାଳ ସୈନ୍ୟସାଗରରେ ନିଜ ସୈନ୍ୟବାହିନୀରୂପକ ମହାନଦୀ ମିଶାଇ ଦେଲେ । ନିଜେ ଶାହାନ୍‍ଶାହ ବାଦଶାହ ଦିଲ୍ଲୀଠାରୁ ଅପରାଜେୟ ବାଦଶାହୀ ସେନା ଘେନି ପୃଥିବୀପୃଷ୍ଠରୁ ଉଦୟପୁରର ନାମ ଚିରକାଳ ଲାଗି ଲୋପ କରିଦେବାର ଅଭିପ୍ରାୟରେ ମେବାର ଉପକଣ୍ଠରେ ହାଜର ହୋଇଗଲେ । ସାଗର ମଧ୍ୟବର୍ତ୍ତୀ ଉନ୍ନତ ପର୍ବତଶିଖର ସଦୃଶ, ବିଶାଳ ସୈନ୍ୟସାଗର ମଧ୍ୟରେ ଉଦୟପୁର ଶୋଭା ପାଇଲା ।

 

ବହୁ ସଂଖ୍ୟକ ସର୍ପ–ପରିବେଷ୍ଟିତ ହୋଇ ଗରୁଡ଼ ଯେପରି ଆଦୌ ଭୟଭୀତ ହୁଏ ନାହିଁ; ରାଜସିଂହ ବିଶାଳ ମୋଗଲବାହିନୀକୁ ଲକ୍ଷ୍ୟକରି ତିଳେହେଲେ ଭୀତ ହେଲେ ନାହିଁ । ମହାଭାରତର କୁରୁକ୍ଷେତ୍ର ଯୁଦ୍ଧ ପରେ ଏଭଳି ସୈନ୍ୟସମାଗମ ଭାରତବର୍ଷରେ କେବେ ହୋଇଥିଲା କି ନାହିଁ, କୁହାଯାଇପାରିବ ନାହିଁ । ଯେତିକି ସୈନ୍ୟ ଚୀନ, ପାରସ୍ୟ କିମ୍ବା ରୁଷ ଦେଶ ଜୟକରିବା ଲାଗି ଆବଶ୍ୟକ ହୁଅନ୍ତା ନାହିଁ ସେତିକି ସଂଖ୍ୟକ ସୈନ୍ୟ ବାଦଶାହ ଆଓରଙ୍ଗଜେବ୍ ଆଣି ରାଜପୁତାନାରେ ଠୁଳ କରାଇଲା । ପୃଥିବୀ ଇତିହାସରେ ଥରେ ମାତ୍ର ଏଭଳି ସୈନ୍ୟ–ସମାବେଶ ସମ୍ଭବ ହୋଇଥିଲା । ବିଶ୍ଵରେ ମହାନ୍ ଶକ୍ତିଶାଳୀ ପାରସ୍ୟ ଅଧିପତି ଶେର୍ ପଚାଶ ଲକ୍ଷ ସେନା ନେଇ ଗ୍ରୀସ୍ ପରି ଏକ କ୍ଷୁଦ୍ର ଭୂଖଣ୍ଡକୁ ଜୟ କରିବା ଅଭିପ୍ରାୟରେ ପ୍ରସ୍ଥାନ କରିଥିଲେ; କିନ୍ତୁ ପରିଣାମରେ ତାଙ୍କର ଅଭିମାନ ଚୂର୍ଣ୍ଣ–ବିଚୂର୍ଣ୍ଣ ହୋଇଥିଲା । ସେ ଶ୍ଵାନ–ମାର୍ଜାର ପରି ପ୍ରାଣବିକଳରେ ଯୁଦ୍ଧଭୂମି ତ୍ୟାଗକରି ପଳାଇ ଆସିଥିଲେ । ସେହିପରି ବହୁଲକ୍ଷ ସୈନ୍ୟସାମନ୍ତ ଗହଣରେ ଭାରତର ପ୍ରତାପୀ ବାଦଶାହ ଆଓରଙ୍ଗଜେବ୍ ଅଦମ୍ୟ ସାହାସୀ, ଦୁର୍ଦ୍ଦମନୀୟ ପ୍ରତାପଶାଳୀ ରାଜସିଂହଙ୍କ ରାଜ୍ୟ ଉଦୟପୁର ଜୟଲାଗି ଅଭିଯାନ ଚଳାଇଲେ ।

 

ଯୁଦ୍ଧବିଦ୍ୟା ୟୁରୋପୀୟ କୌଶଳ । ଏସିଆଖଣ୍ଡ, ବିଶେଷତଃ ଭାରତବର୍ଷରେ ଏଭଳି ଅମାନୁଷିକ ଯୁଦ୍ଧର ପ୍ରଚଳନ ନଥିଲା । ପୁରାଣ ଓ ଇତିହାସରେ ବର୍ଣ୍ଣିତ ଆର୍ଯ୍ୟାବର୍ତ୍ତର ବୀରଗଣ ଅପୂର୍ବ ତଥା ଅଲୌକିକ ଶରସନ୍ଧାନ କୌଶଳର ସୁଖ୍ୟାତ ଥିଲେ । ଇତିହାସ ଲେଖକ ପଣ୍ଡିତମାନେ ଅମାନୁଷିକ ଯୁଦ୍ଧ କ’ଣ, ତାହା ବୋଧହୁଏ ଜାଣି ନ ଥିଲେ । ସେହି କାରଣରୁ ହେଉ, କିମ୍ବା ଭାରତୀୟ ବୀରମାନଙ୍କ ଅଜ୍ଞତାବଶତଃ ହେଉ; ରାମଚନ୍ଦ୍ର, ଅର୍ଜ୍ଜୁନ, ଅଶୋକ, ଚନ୍ଦ୍ରଗୁପ୍ତ, ବିକ୍ରମାଦିତ୍ୟ, ଏପରିକି ଶାକଦିତ୍ୟ ଓ ଶିଳାଦିତ୍ୟ ଓ ଶିଳାଦିତ୍ୟ ପ୍ରଭୃତିଙ୍କ ଅଭିଯାନରେ ସେନାପତିତ୍ଵ ଉପରେ ସେପରି ଉଲ୍ଲେଖନୀୟ ବିବରଣୀ ମିଳେନାହିଁ । ଭାରତବର୍ଷର ବିଜୟୀ ବୈଦେଶିକ ଯୋଦ୍ଧା ମହମ୍ମଦ୍ ଗଜନୀ, ଶାହାବୁଦ୍ଦିନ୍, ଆଲ୍ଲାଉଦ୍ଦିନ, ବାବର, ତୈମୁରଲଙ୍ଗ୍ ପ୍ରଭୃତି କାହାରି ସେନାପତିତ୍ଵରେ ସେପରି ଉଲ୍ଲେଖନୀୟ ରଣକୌଶଳର ବର୍ଣ୍ଣନା ମିଳେନାହିଁ । ବାଦଶାହ ଆକ୍‌ବରଙ୍କ ସମୟରୁ ଯୁଦ୍ଧରେ ସେନାପତିତ୍ଵର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରାଗଲା । ଭାରତବର୍ଷରେ ଯେତେ ବଡ଼ ବଡ଼ ରଣପଣ୍ଡିତମାନଙ୍କର ଗୌରବଗାଥା ଶୁଣିବାକୁ ମିଳେ, ରାଜସିଂହ ସେମାନଙ୍କ ତୁଳନାରେ କୌଣସି ଗୁଣରେ ନ୍ୟୂନ ନ ଥିଲେ । ଅତି ଅଳ୍ପସଂଖ୍ୟକ ସୈନ୍ୟ ନେଇ ବିଶାଳ ବାହିନୀର ସମ୍ମୁଖୀନ ହେବା ଘଟଣା ବିଶ୍ୱରେ ମାତ୍ର ଗୋଟିଏ ଦୁଇଟି ଉଦାହରଣ ରହିଛି ।

 

ଆଓରଙ୍ଗଜେବ୍ ନିଜର ବିଶାଳ ସେନାଙ୍କୁ ଚାରିଭାଗରେ ବିଭକ୍ତ କରି ଚତୁର୍ଦ୍ଦିଗରୁ ଆକ୍ରମଣ କରିବାଲାଗି ଯୋଜନା କରୁଥିବାର ଲକ୍ଷ୍ୟ କରି, ଜଣେ ଚତୁର ଗଣପଣ୍ଡିତ ପକ୍ଷରେ ଯାହା କରିବାର କଥା, ରାଜସିଂହ ତାହା ହିଁ କରିଥିଲେ । ପର୍ବତମାଳାର ବାହାରେ ଯେଉଁ ସମତଳ ଅଂଶ ଥିଲା, ତାକୁ ଛାଡ଼ିଦେଇ, ସେ ପର୍ବତ ଶିଖର ଉପରକୁ ସୈନ୍ୟମାନଙ୍କୁ ନେଇ ଠୁଳ କଲେ । ନିଜ ସୈନ୍ୟମାନଙ୍କୁ ତିନିଭାଗ କରିଦେଲେ । ଗୋଟିଏ ଭାଗ ସୈନ୍ୟ ତାଙ୍କର ବଡ଼ପୁଅ ଜୟସିଂହଙ୍କ ଅଧୀନରେ ପର୍ବତ ଉପରେ ଜଗିରହିଲେ । ଦ୍ୱିତୀୟ ଭାଗ ସୈନ୍ୟ ତାଙ୍କ ସାନପୁଅ ଭୀମସିଂହଙ୍କ ଅଧୀନରେ ପଶ୍ଚିମ ପଟରେ ଦୃଢ଼ତାର ସହିତ ପ୍ରସ୍ତୁତ ହୋଇ ରହିଲେ । ଉଦ୍ଦେଶ୍ୟ ଥିଲା, ସେ ଆଡ଼ର ମାର୍ଗ ଖୋଲା ରଖିବା; କାରଣ ଅନ୍ୟାନ୍ୟ ରାଜପୁତ୍‌ମାନେ ସେହି ମାର୍ଗରେ ସାହାଯ୍ୟ କରିପାରିବେ । ନିଜେ ରାଜସିଂହ ତୃତୀୟ ଭାଗ ସୈନ୍ୟଙ୍କୁ ନେଇ ପୂର୍ବଦିଗରେ ‘ନୟନ’ ନାମକ ଗିରସଙ୍କଟ ମଧ୍ୟରେ ଆତ୍ମଗୋପନ କରି ରହିଲେ ।

 

ଆଜମ୍ ଶାହ ନିଜର ସୈନ୍ୟବାହିନୀ ନେଇ ପର୍ବତମାଳାର ପାଦଦେଶରେ ନିରାଶ ହୋଇ ପଡ଼ିରହିଲେ । ପର୍ବତ ଆରୋହଣ କରି ଅତିକ୍ରମ କରିବା ସମ୍ଭବ ନୁହେଁ; କାରଣ ଉପରୁ ଗୋଳା–ଗୁଳି ଓ ପଥର ବୃଷ୍ଟି ଅବିଶ୍ରାନ୍ତ ଗତିରେ ଚାଲିଥାଏ । କାମକାର୍ଯ୍ୟ ଘରେ ଖିଆପିଆ ସାରିବା ପରେ କବାଟ ବନ୍ଦ ହୋଇଯାଆନ୍ତେ, କୁକୁର ଯେପରି ଦୁଆର ପାଖରେ ରହି ଠେଲାଠେଲି କରିବାକୁ ଚେଷ୍ଟା କରେ, ଆଜମ୍‍ଶାହ ଠିକ୍ ସେହିପରି ନାନା ପ୍ରକାର ଉଦ୍ୟମ କଲେ; ମାତ୍ର ଭିତରକୁ ପ୍ରବେଶ କରିପାରିଲେ ନାହିଁ ।

 

ଆଜମୀରରେ ଆସି ଆଓରଙ୍ଗଜେବ୍‌ଙ୍କ ସୈନ୍ୟମାନଙ୍କ ସହିତ ଆକ୍‌ବରଙ୍କ ସୈନ୍ୟ ମିଳିତ ହେଲେ । ପିତାପୁତ୍ର ଦୁହେଁ ମିଶି ପର୍ବତମାଳାର ଯେଉଁଠି ତିନୋଟି ପଥ ଉନ୍ମୁକ୍ତ, ସେହି ଆଡ଼କୁ ଆସିଗଲେ । ଏହି ତିନୋଟି ମାର୍ଗ ଗିରିସଙ୍କଟ ! ଗୋଟିଏ ସ୍ଥାନର ନାମ ‘ଦୋବାରି’, ଅନ୍ୟଟି ‘ଦୟେଲ୍‌ବାର’ ଏବଂ ତୃତୀୟଟିର ନାମ ‘ନୟନ’ । ଦୋବାରିରେ ପହଞ୍ଚିବା ପରେ, ପଚାଶ ହଜାର ସୈନ୍ୟଙ୍କୁ ନେଇ ଅଗ୍ରସର ହେବାଲାଗି ଆକ୍‌ବରକୁ ଆଦେଶ ଦେଇ, ଆଓରଙ୍ଗଜେବ୍ ଉଦୟସାଗର ନାମକ ପ୍ରସିଦ୍ଧ ପୁଷ୍କରିଣୀ କୂଳରେ କିଛିଦିନ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଶିବିର ସ୍ଥାପନ କଲେ ।

 

ଶାହଜାଦା ଆକ୍‌ବର ପାର୍ବତ୍ୟ ପଥଦେଇ ଉଦୟପୁର ଭିତରକୁ ପ୍ରବେଶ କରିବାଲାଗି ଆଗେଇ ଚାଲିଲେ । ପଥ ମଧ୍ୟରେ କୌଣସି ଜନପ୍ରାଣୀ ତାଙ୍କର ପ୍ରତିରୋଧ କଲେ ନାହିଁ । ବିସ୍ତୃତ ପ୍ରାସାଦମାଳା, ଉପବନଶ୍ରେଣୀ, ସରୋବର ଓ ମଧ୍ୟେ ମଧ୍ୟେ ଉପଦ୍ଵୀପସମୂହ ସେ ଦେଖିବାକୁ ପାଇଲେ; କିନ୍ତୁ ଗୋଟିଏ ହେଲେ ମନୁଷ୍ୟ ଦେଖିବାକୁ ପାଇଲେନାହିଁ । ଚାରିଆଡ଼େ ନୀରବ ଓ ନିସ୍ତବ୍‌ଧ ! ତହୁଁ ଆକ୍‌ବର ନିର୍ଭୟରେ ଶିବିର ସ୍ଥାପନ କରି ଭାବିଲେ–ବୋଧହୁଏ ମୋଗଲ ସୈନ୍ୟ ଆସୁଥିବାର ଜାଣି ଭୟରେ ଲୋକମାନେ ସେ ସ୍ଥାନ ତ୍ୟାଗକରି ପଳାଇଯାଇଛନ୍ତି । ମୋଗଲ ଶିବିରରେ ନାନାପ୍ରକାର ଆମୋଦ–ପ୍ରମୋଦ ଚାଲିଲା । ଠିକ୍ ଏହି ସମୟରେ ସୁପ୍ତ ପଥିକ ଉପରକୁ ବ୍ୟାଘ୍ର ଯେପରି ଲମ୍ପ ପ୍ରଦାନ କରେ, ସେହିପରି କୁମାର ଜୟସିଂହ, ଶାହଜାଦା ଆକବର୍‌ଙ୍କ ସୈନ୍ୟବାହିନୀ ଉପରେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଲେ ।

 

ଜୟସିଂହଙ୍କର ଏହି ପ୍ରଚଣ୍ଡ ଆକ୍ରମଣରୁ ପ୍ରାୟ କେହି ଉଦ୍ଧାର ପାଇଲେ ନାହିଁ । ପଚାଶ ହଜାର ସୈନ୍ୟଙ୍କ ମଧ୍ୟରୁ ଖୁବ୍ ଅଳ୍ପସଂଖ୍ୟକ ସୈନ୍ୟଙ୍କୁ ନେଇ ପ୍ରାଣବିକଳରେ ଶାହଜାଦା ଆକ୍‌ବର୍ ଗୁଜୁରାତ ଆଡ଼କୁ ପଳାଇଗଲେ ।

 

ଶାହଆଲମ୍ ଦାକ୍ଷିଣାତ୍ୟରୁ ବହୁସୈନ୍ୟ ସଂଗ୍ରହକରି ଅହମଦାବାଦ ବାଟଦେଇ ପର୍ବତମାଳାର ପଶ୍ଚିମପଟେ ଆସି ଉପସ୍ଥିତ ହେଲେ । ସେ ମାର୍ଗଟିର ନାମ ଗଣରାଓ ଗିରିସଙ୍କଟ । ସେ ଗିରିମାର୍ଗ ଅତିକ୍ରମ କରି ‘କଙ୍କରଲି’ ନିକଟବର୍ତ୍ତୀ ସରୋବର ଓ ରାଜ ପ୍ରସାଦମାଳା ନିକଟରେ ପହଞ୍ଚି ଦେଖିଲେ, ଆଗକୁ ଅଗ୍ରସର ହେବାର ମାର୍ଗ ରୁଦ୍ଧ ହୋଇଛି । କୌଣସିମତେ ମାର୍ଗ ପ୍ରସ୍ତୁତ କରି ଅଗ୍ରସର ହେଲେ, ରାଜପୁତ୍‌ମାନେ ପଶ୍ଚାତ୍‌ଭାଗରୁ ମାର୍ଗ ଅବରୋଧ କରିଦେବେ ଏବଂ ତାହା ଫଳରେ ବାହାରୁ ରସଦ୍ ଆସିବା ବନ୍ଦ ହୋଇଯାଇ ସୈନ୍ୟବାହିନୀ ପେଟବିକଳରେ ଛଟପଟ ହୋଇ ମରିବେ । ରଣପଣ୍ଡିତ ସେନାପତିମାନେ ଭଲ ଭାବରେ ଜାଣନ୍ତି–ଯୁଦ୍ଧକରି ସୈନ୍ୟକ୍ଷୟ କରିବା ଅପେକ୍ଷା ଶତ୍ରୁ ସୈନ୍ୟଙ୍କୁ ଭୋକରେ ମାରି ଯୁଦ୍ଧ ଜୟକରିବା ବୁଦ୍ଧିମତ୍ତାର କାର୍ଯ୍ୟ ! ପୂର୍ବରୁ ବହୁ ଅଭିଜ୍ଞତାରୁ ସତର୍କ ହୋଇଯାଇ ଶାହଆଲମ୍ ଆଉ ଅଧିକ ଦୂର ଅଗ୍ରସର ହେଲେ ନାହିଁ ।

 

ରାଜସିଂହ ସୁଦୃଢ଼ ବ୍ୟୂହରଚନା ଫଳରେ ପୂର୍ବଭାରତୀୟ ସୈନ୍ୟ ତଥା ଦାକ୍ଷିଣାତ୍ୟ ସେନାବାହିନୀ ବର୍ଷାକାଳର ମର୍କଟଦଳ ପରି କଲବଲ ହୋଇ ଚାହିଁରହିଲେ; କିନ୍ତୁ କିଛି କରିବାର ଉପାୟ ନଥିଲା । ମୁଲତାନ୍‌ର ସୈନ୍ୟଦଳ ଛିନ୍ନ ଭିନ୍ନ ହୋଇ ଭୀଷଣ ଝଡ଼ରେ ଧୂଳି ଉଡ଼ିବା ପରି କେଉଁଆଡ଼େ ଉଭେଇଗଲେ । ଶେଷକୁ ରହିଲେ କେବଳ ଦୀନ୍‌ଦୁନିଆର ମାଲିକ ବାଦଶାହ ଆଲମ୍‌ଗିର !

 

X X X

 

ଶାହଜାଦା ଆକବର୍‌ଙ୍କୁ ପ୍ରଥମେ ପଠାଇଦେଇ ବାଦଶାହ ଉଦୟସାଗର ତୀରରେ ଶିବିର ସ୍ଥାପନ କରି ବିଶ୍ରାମ କଲେ । ପାଶ୍ଚାତ୍ୟ ପରିବ୍ରାଜକମାନେ ଦିଲ୍ଲୀ ନଗରୀକୁ ଗୋଟିଏ ଶିବିର ସହିତ ତୁଳନା କରିଥାଆନ୍ତି । ଅନ୍ୟଭାବରେ କହିବାକୁ ଗଲେ, ମୋଗଲ–ବାଦଶାହଙ୍କ ଶିବିର ହିଁ ହେଉଛି–ଗୋଟିଏ ଦିଲ୍ଲୀ ନଗରୀ । ନଗରର ଯେପରି ରାସ୍ତାଘାଟ ଠିକ୍ ସେହିପରି ସଜାଇ ତମ୍ଭୁଗୁଡ଼ିକ ଟଣାଯାଇଥିଲା । ଅସଂଖ୍ୟ ପ୍ରାଙ୍ଗଣରେ ପରିଶୋଭିତ ଗୋଟିଏ ବସ୍ତ୍ର ନିର୍ମିତ ମହାନଗରୀ ସଙ୍ଗେ ସଙ୍ଗେ ନିର୍ମିତ ହୋଇଗଲା । ସବୁ ତମ୍ଭୁ ମଝିରେ ବାଦଶାହଙ୍କର ଶିବିର ନିର୍ମିତ ହୋଇଥିଲା । ଦିଲ୍ଲୀପରି ଏଠାରେ ମଧ୍ୟ ମହାର୍ଘ ସାଜସଜ୍ଜା ଓ ଆଡ଼ମ୍ବର ସହକାରେ ବାଦଶାହଙ୍କ ବାସସ୍ଥାନ ଦରବାର, ଆମ ଓ ଖାସ୍, ଭୋଜନଶାଳା ତଥା ରଙ୍ଗମହଲ ପ୍ରସ୍ତୁତ ହୋଇଥିଲା । ଏହି ବାଦଶାହୀ ତମ୍ଭୁଗୁଡ଼ିକ କେବଳ ବସ୍ତ୍ରରେ ନିର୍ମିତ ହୋଇନଥିଲା; ସେଥିରେ ଲୁହା ଓ ପିତ୍ତଳର ଖୁଣ୍ଟ ତଥା ଅନ୍ୟାନ୍ୟ ଛାଞ୍ଚମାନ ନିର୍ମିତ ହୋଇଥିଲା ଏବଂ ସେଥିରେ ଦୁଇମହଲା ଓ ତିନିମହଲା କକ୍ଷ ମଧ୍ୟ ପ୍ରସ୍ତୁତ ହୋଇପାରୁଥିଲା । ଶିବିରର ସମ୍ମୁଖ ଭାଗରେ ଦିଲ୍ଲୀର ବିଶାଳ ଫାଟକ ପରି ସଦୃଶ ବିଶାଳ ଫାଟକ ପ୍ରସ୍ତୁତ କରାଯାଇଥିଲା । ବାଦଶାହୀ ତମ୍ଭୁଗୁଡ଼ିକର ପ୍ରାଚୀର ବସ୍ତ୍ର ବେଶ୍ ଉନ୍ନତ ଓ ଚାରୁକଳାପୂର୍ଣ୍ଣ । ଦୁର୍ଗରେ ବୁରୁଜ ପ୍ରଭୃତି ପରି ଏହି ଶିବିରରେ ମଧ୍ୟ ଅନୁରୂପ ବୁରୁଜ ପ୍ରଭୃତି ନିର୍ମିତ ହୋଇଥିଲା । ପିତ୍ତଳରେ ନିର୍ମିତ ସ୍ତମ୍ଭଦ୍ଵାରା ଶିବିରର ପ୍ରାଚୀର ସୁରକ୍ଷିତ । କକ୍ଷଗୁଡ଼ିକର ବାହାରେ ଉତ୍ତମ ରକ୍ତବସ୍ତ୍ର ଶୋଭା ପାଉଥିଲା । ଭିତର ଦେୱାଲଗୁଡ଼ିକରେ କାଚର ବିଭିନ୍ନ ଚିତ୍ର ଝୁଲୁଥିଲା । ଦରବାର ତମ୍ଭୁର ଭିତରେ ବିଭିନ୍ନ ମଣିମୁକ୍ତାଖଚିତ ଚନ୍ଦ୍ରାତପ ଓ ମଧ୍ୟଭାଗରେ ଅନୁରୂପ ଶୋଭାମଣ୍ଡିତ ରତ୍ନସିଂହାସନ ପରିଶୋଭିତ ଏବଂ ଚତୁର୍ଦ୍ଦିଗରେ ଅସ୍ତ୍ର–ଶସ୍ତ୍ରଧାରିଣୀ ତାତାର ସୁନ୍ଦରୀ ପହରା ଦେଉଥିଲେ ।

 

ବାଦଶାହଙ୍କ ତମ୍ବୁ ବାହାରେ ଚତୁର୍ଦ୍ଦିଗରେ ଅନ୍ୟାନ୍ୟ ପଦସ୍ଥ ବ୍ୟକ୍ତିମାନଙ୍କର ଶିବିର । କେଉଁଟି ରକ୍ତବର୍ଣ୍ଣ, କେଉଁଟି ପିତବର୍ଣ୍ଣ ଓ ଅନ୍ୟ କେତୋଟି ନୀଳ, ଶୁଭ୍ର ତଥା ହରିତବର୍ଣ୍ଣ । କେତେ କ୍ରୋଶବ୍ୟାପୀ ଏହି ଶୋଭା ଆଖି ଝଲସାଇ ଦେଉଥିଲା । ଅଧିକାଂଶ ତମ୍ବୁ ଉପରେ ସୁବର୍ଣ୍ଣ କଳସ ଚନ୍ଦ୍ରସୂର୍ଯ୍ୟଙ୍କ କିରଣରେ ଦେଦୀପ୍ୟମାନ ହେଉଥିଲା । ଦିଲ୍ଲୀ ନଗରୀର ବଜାର ପରି ସ୍ଥାନେ ସ୍ଥାନେ ଏହି ଶିବିର ମଧ୍ୟରେ ବଜାର ପରେ ବଜାର ସଜାଯାଇଥିଲା । ବାଦଶାହଙ୍କ ଶୁଭାଗମନ ଫଳରେ ହଠାତ୍ ଉଦୟସାଗରର ତଟଦେଶ ଗୋଟିଏ ମହାନଗରୀର ଶୋଭା ଧାରଣ କରିଥିଲା ।

 

ବାଦଶାହ ଯୁଦ୍ଧକୁ ଆଗମନ କଲେ ତାଙ୍କ ସହିତ ବେଗମ୍‌ମାନେ ଆସୁଥିଲେ । ଏଥର ମଧ୍ୟ ଯୋଧପୁରୀ, ଉଦୀପୁରୀ, ଜେବ୍ଉନ୍ନିସା ପ୍ରଭୃତି ସମସ୍ତେ ଆସିଥିଲେ । ଯୋଧପୁରୀଙ୍କ ସହିତ ନିର୍ମଳକୁମାରୀ ମଧ୍ୟ ଆସିଥିଲା । ଦିଲ୍ଲୀର ରଙ୍ଗମହଲରେ ଯେପରି ପ୍ରତ୍ୟେକ ବେଗମ୍‌ଙ୍କ ଲାଗି ସ୍ଵତନ୍ତ୍ର କକ୍ଷ ଥିଲା, ଏଠାରେ ମଧ୍ୟ ତା’ର ବ୍ୟବସ୍ଥା କରାଯାଇଥିଲା ।

 

ଏହି ଆଡ଼ମ୍ବରପୂର୍ଣ୍ଣ ଶିବିର ମଧ୍ୟରେ ବାଦଶାହ ଆଓରଙ୍ଗଜେବ୍ ଯୋଧପୁରୀ ବେଗମ୍‌ଙ୍କ କକ୍ଷକୁ ଆସି ଆନନ୍ଦରେ କଥୋପକଥନ କରୁଥିଲେ ।

 

ନିର୍ମଳକୁ ବାଦଶାହ ‘ଇମ୍‍ଲୀ ବେଗମ୍’ ବୋଲି ଡାକୁଥିଲେ, ପ୍ରଥମେ ପ୍ରଥମେ ସେ ନିର୍ମଳକୁ ‘ନିମଲୀ ବେଗମ୍’ ବୋଲି ଡାକୁଥିଲେ; କିନ୍ତୁ ଉଚ୍ଚାରଣଗତ ଅସୁବିଧାରୁ ‘ନିମଳୀ’ ‘ଇମଲୀ’ରେ ପରିଣତ ହୋଇଥିଲା । ବାଦଶାହ ଟିକିଏ ପରିହାସ ମିଶା ସ୍ଵରରେ କହିଲେ–“ଇମ୍‌ଲୀ ବେଗମ୍, ତୁମେ ମୋର ନା ରାଜପୁତ୍‌ଙ୍କର ?”

 

ନିର୍ମଳ ବିନୀତ ଭାବରେ ହାତଯୋଡ଼ି କହିଲା–“ଶାହନ୍‍ଶାହ, ହଜରତ ଦୁନିଆର ମାଲିକ୍, ଦୁନିଆର ପ୍ରତ୍ୟେକ କଥା ବିଚାର କରୁଛନ୍ତି, ଏ କଥା ମଧ୍ୟ ନିଜେ ବିଚାର କରନ୍ତୁ !”

 

“ମୁଁ ଭାବୁଛି, ତୁମେ ରାଜପୁତ୍ କନ୍ୟା, ରାଜପୁତ୍‌ର ସ୍ତ୍ରୀ, ରାଜପୁତ୍ ମହିଷୀର ସଖୀ; ତେଣୁ ତୁମେ ରାଜପୁତ୍‌ଙ୍କର !”

 

“ଜାହାଁପନା, ଏ ବିଚାର କ’ଣ ଠିକ୍ ହେଲା ? ମୁଁ ରାଜପୁତ୍ କନ୍ୟା ହୋଇପାରେ; କିନ୍ତୁ ଯୋଧପୁରୀ ବେଗମ୍ କ’ଣ ରାଜପୁତ୍ କନ୍ୟା ନୁହନ୍ତି ? ଆପଣଙ୍କର ପିତାମହୀ, ପ୍ରପିତାମହୀ ସମସ୍ତେ ରାଜପୁତ୍ କନ୍ୟା ଥିଲେ । ସେମାନେ କ’ଣ ମୋଗଲ ସାମ୍ରାଜ୍ୟର ହିତାକାଙ୍‌କ୍ଷିଣୀ ନଥିଲେ କି ?”

 

“ସେମାନେ ସମସ୍ତେ ଥିଲେ ମୋଗଲ ବାଦଶାହଙ୍କର ମହିଷୀ; କିନ୍ତୁ ତୁମେ ରାଜପୁତ୍ କନ୍ୟା ।”

 

ନିର୍ମଳ ଟିକିଏ ହସିଦେଇ କହିଲା–“ମୁଁ ତ ହଜରତ୍ ଶାହନ୍‌ଶାହ ବାଦଶାହ ଆଲମ୍‌ଗିର୍‌ଙ୍କର ଇମିଲୀ ବେଗମ୍ ।”

 

“ତୁମେ ରୂପନଗରୀର ସଖୀ !”

 

“ଯୋଧପୁରୀ ବେଗମ୍ କ’ଣ ସେଇଆ ନୁହନ୍ତି କି ?”

 

“ତା’ହେଲେ, ତୁମେ ମୋର ?” ରୁକ୍ଷ ମୁଖମଣ୍ଡଳରେ ଟିକିଏ ହାସ୍ୟ ଫୁଟାଇ କହିଲେ ବାଦଶାହ ।

 

“ହଜରତ୍ ନିଜେ ହିଁ ବିଚାର କରନ୍ତୁ ।”

 

“ମୁଁ ତୁମକୁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ନିଯୁକ୍ତ କରିବାକୁ ଚାହୁଁଛି ! ସେଥିରେ ମୋର ଉପକାର ହେବ ଏବଂ ରାଜସିଂହଙ୍କର ଅନିଷ୍ଟ ହେବ । ତାହା ତୁମେ କରିପାରିବ ?”

 

“କାର୍ଯ୍ୟ କ’ଣ ତାହା ନ ଜାଣିଲେ କହିବି କିପରି ? କିନ୍ତୁ ମୁଁ କୌଣସି ଦେବବ୍ରାହ୍ମଣର ଅପକାର କରିପାରିବି ନାହିଁ ।”

 

“ନାଃ, ମୁଁ ତୁମକୁ ସେସବୁ କାର୍ଯ୍ୟ କରିବାକୁ କହିବି ନାହିଁ । ମୁଁ ଖୁବ୍ ଶୀଘ୍ର ଉଦୟପୁରରେ ପ୍ରବେଶ କରି ରାଜସିଂହଙ୍କ ରାଜପୁରୀ ଦଖଲ କରିବି; କିନ୍ତୁ ରାଜପୁରୀ ଦଖଲ ହୋଇଗଲେ ରୂପନଗରୀ ହସ୍ତଗତ ହେବ କି ନା ସନ୍ଦେହ । ତୁମେ ସେହି ବିଷୟରେ ସାହାଯ୍ୟ କରିବ !”

 

“ମୁଁ ଆପଣଙ୍କ ନିକଟରେ ଗଙ୍ଗା–ଯମୁନାର ଶପଥ ନେଇ କହୁଛି; ଆପଣ ଯଦି ରାଜପୁରୀ ଦଖଲ କରିନେବେ, ତେବେ ମୁଁ ଚଞ୍ଚଲ୍‍କୁମାରୀକୁ ଆଣି ଆପଣଙ୍କ ହସ୍ତରେ ସମର୍ପଣ କରିଦେବି ।”

 

“ସେ କଥା ବିଶ୍ଵାସ କରୁଛି । କାରଣ ତୁମେ ଭଲଭାବରେ ଜାଣିଲଣି, ଯେ ମୋ ସହିତ ପ୍ରବଞ୍ଚନା କରେ, ମୁଁ ତାକୁ ଟିକିଟିକି କରି କୁକୁର ଆଗରେ ଦେଇପାରେ ।”

 

“ସେ କଥା କରିପାରିବେ କି ନା ତା’ର ବିଚାର ସ୍ଵତନ୍ତ୍ର, କିନ୍ତୁ ଆପଣଙ୍କ ନିକଟରେ ଶପଥ କରି କହୁଛି–ମୁଁ ଆପଣଙ୍କୁ ଠକାଇବି ନାହିଁ । ତେବେ... ଆପଣ ରାଜପୁରୀ ଅଧିକାର କରିବା ପରେ ମୁଁ ତାହାକୁ ଜୀବିତ ଅବସ୍ଥାରେ ପାଇବି କି ନା ସନ୍ଦେହ । ଆପଣ ଜାଣନ୍ତି–ଶତ୍ରୁହାତରେ ପଡ଼ିବା ପୂର୍ବରୁ ରାଜପୁତ୍ ମହୀଷିଗଣ ଚିତାରେ ଆତ୍ମବିସର୍ଜନ କରିଥାଆନ୍ତି । ତାଙ୍କୁ କୌଣସିମତେ ପାଇବି ନାହିଁ ବୋଲି ମୁଁ ଏକଥା ସ୍ଵୀକାର କରୁଛି; ଅନ୍ୟଥା ମୋ’ ଦ୍ଵାରା ଚଞ୍ଚଲ୍‍କୁମାରୀର କୌଣସି ଅନିଷ୍ଟ ହୋଇପାରିବ ନାହିଁ ।”

 

“ଏଥିରେ ଅନିଷ୍ଟ କ’ଣ ? ସେ ତ ବାଦଶାହଙ୍କର ବେଗମ୍‍ ହୋଇ ରହିବ ।”

 

ନିର୍ମଳ ଏହାର ଉତ୍ତର ଦେବାକୁ ଯାଉଥିଲା; କିନ୍ତୁ ଏହି ସମୟରେ ଖୋଜା ଆସି ଜରୁରୀ ସମ୍ବାଦ ଥିବାର ଜଣାଇଲା । ତେଣୁ ଆଓରଙ୍ଗଜେବ୍ ବ୍ୟସ୍ତ ହୋଇ ଦରବାର ଗୃହକୁ ପ୍ରବେଶ କଲେ-। ସେ ସେଠାରେ ଶୁଣିବାକୁ ପାଇଲେ–ଶାହଜାଦା ଆକବର୍‌ଙ୍କର ପଚାଶ ହଜାର ସୈନ୍ୟ ଛିନ୍ନଭିନ୍ନ ହୋଇ ପ୍ରାୟ ସମସ୍ତେ ନଷ୍ଟଭ୍ରଷ୍ଟ ହୋଇଯାଇଛନ୍ତି; ଅବଶିଷ୍ଟ ସୈନ୍ୟ କେଉଁଆଡ଼େ ପଳାଇଯାଇଛନ୍ତି । ସେ ସମ୍ବନ୍ଧରେ କୌଣସି ଖବର ମିଳୁନାହିଁ ।

 

ଏହା ଶୁଣିବାମାତ୍ରେ ବାଦଶାହ ସେଠାରୁ ଶିବିର ଭଙ୍ଗ କରିବାକୁ ଆଦେଶ ଦେଲେ ।

 

ସଙ୍ଗେ ସଙ୍ଗେ ଏ ସମ୍ବାଦ ରଙ୍ଗମହଲରେ ଯାଇ ପହଞ୍ଚିଲା । ଏହା ଶୁଣିବାମାତ୍ରେ ନିର୍ମଳକୁମାରୀ ମନଖୁସିରେ ନୃତ୍ୟଗୀତରେ ମାତିଗଲା ।

 

ନିର୍ମଳକୁମାରୀ ବେଶପୋଷାକ ଓହ୍ଲାଇ ସାଦାସିଧା ପୋଷାକରେ ବସିଥିବାବେଳେ ବାଦଶାହ ତାକୁ ଡକାଇ ପଠାଇଲେ । ନିର୍ମଳ ହାଜିର୍ ହେବାକ୍ଷଣି ତାକୁ ପଚାରିଲେ–“ଆମେ ଏଠାରୁ ଶିବିର ଭାଙ୍ଗିଦେଇ ଯୁଦ୍ଧକ୍ଷେତ୍ରକୁ ଯାଉଛୁ; ତୁମେ କ’ଣ ଏବେ ଉଦୟପୁର ଯିବାକୁ ଚାହୁଁଛ-?”

 

“ନା...ମୁଁ ଏବେ ଫଉଜଙ୍କ ସହିତ ଯିବାକୁ ଚାହୁଁଛି । ଯାଉଁ ଯାଉଁ ଯେଉଁଠି ସୁବିଧା ବୋଲି ମନେକରିବି, ସେଇଠି ଚାଲିଯିବି ।”

 

ବୃଦ୍ଧ ବାଦଶାହଙ୍କ ରୁକ୍ଷ ମୁଖମଣ୍ଡଳ ଝାଉଁଳିପଡ଼ିବା । ସେ ମ୍ଳାନ ମୁଖରେ ପଚାରିଲେ–“କାହିଁକି ଯିବ ?”

 

“ଶାହନ୍‌ଶାହଙ୍କର ହୁକୁମ !” ଉତ୍ତର ଦେଲା ନିର୍ମଳ ।

 

“ବାଦଶାହ ପ୍ରଫୁଲ୍ଲ ବଦନରେ କହିଲେ–“ମୁଁ ଯଦି ଯିବାଲାଗି ଅନୁମତି ନ ଦିଏ; ତୁମେ କ’ଣ ଚିରଦିନ ମୋ ରଙ୍ଗମହଲରେ ରହିବାକୁ ସମ୍ମତ ହେବ ?”

 

ନିର୍ମଳ ଯୋଡ଼ହସ୍ତରେ ବିନୟପୂର୍ଣ୍ଣ ସ୍ଵରରେ କହିଲା–“ଶାହନ୍‌ଶାହ, ମୋର ସ୍ୱାମୀ ଅଛନ୍ତି-।”

 

ଆଓରଙ୍ଗଜେବ୍ ଟିକିଏ ଇତସ୍ତତଃ ହେଲାପରି ଭାବ ପ୍ରଦର୍ଶନ କରି କହିଲେ–“ତୁମେ ଯଦି ଇସ୍‌ଲାମ୍ ଧର୍ମ ଗ୍ରହଣ କରିବ ଓ ତୁମର ସ୍ଵାମୀଙ୍କୁ ତ୍ୟାଗ କରିବ; ତା’ହେଲେ ମୁଁ ତୁମକୁ ଉଦୀପୁରୀଙ୍କଠାରୁ ଅଧିକ ଯତ୍ନରେ ରଖିବି ।”

 

ନିର୍ମଳ ଟିକିଏ ହସିଦେଇ ସମ୍ଭ୍ରମତାର ସହିତ କହିଲା–“ତାହା ହୋଇ ପାରିବନାହିଁ ଜହାଁପନାହ !”

 

“କାହିଁକି ହୋଇପାରିବ ନାହିଁ ? କେତେ ରାଜପୁତ୍ କନ୍ୟା ମୋଗଲ ଅନ୍ତଃପୁରକୁ ଆସିଛନ୍ତି ତ ?”

 

“ସେମାନଙ୍କ ମଧ୍ୟରୁ କେହି ସ୍ଵାମୀଙ୍କୁ ପରିତ୍ୟାଗ କରି ଆସିନାହାନ୍ତି ।”

 

“ଯଦି ତୁମର ସ୍ୱାମୀ ନଥାନ୍ତା; ତା’ହେଲେ କ’ଣ ତୁମେ ସମ୍ମତ ହୁଅନ୍ତ ?”

 

“ଯାହା ହୋଇନାହିଁ, ସେ ବିଷୟରେ ପ୍ରଶ୍ନ କାହିଁକି ?”

 

“ଏ ପ୍ରଶ୍ନ କାହିଁକି ମୋତେ କହିବାକୁ ଲଜ୍ଜା ଲାଗୁଛି । ମୁଁ ସେଭଳି କଥା କେବେହେଲେ କାହାରିକୁ କହିନାହିଁ । ବୃଦ୍ଧ ହୋଇଗଲିଣି, ଜୀବନରେ କାହାରିକୁ ମୁଁ ଭଲପାଇନାହିଁ । ଏ ଜନ୍ମରେ କେବଳ ତୁମକୁ ହିଁ ଭଲପାଇବାକୁ ଆରମ୍ଭ କରିଛି । ତୁମେ ଥରେ ମାତ୍ର ତୁମ ମୁହଁରେ କୁହ ଯେ, ତୁମର ସ୍ୱାମୀ ନଥିଲେ ତୁମେ ମୋର ବେଗମ୍ ହେବାକୁ ରାଜି ହୁଅନ୍ତ; ତା’ହେଲେ, ଏଇ ସ୍ନେହଶୂନ୍ୟ ପୋଡ଼ା ହୃଦୟ କ୍ଷଣକଲାଗି ସ୍ନିଗ୍‌ଧ ହୋଇଉଠନ୍ତା ।”

 

ନିର୍ମଳ ଆଓରଙ୍ଗଜେବ୍ କଥାରେ ବିଶ୍ଵାସ କଲା; କାରଣ ସେ କଣ୍ଠସ୍ଵରରେ ଥିଲା କମ୍ପନ, ସେଥିରେ ପ୍ରେମିକର ସ୍ଵର ପ୍ରତିଧ୍ଵନିତ ହେଉଥିଲା ଏବଂ ପ୍ରେମିକର ପ୍ରଣୟ ନିବେଦନ ସେ ମୁଖମଣ୍ଡଳ ଓ ଚାହାଣିରୁ ଝଲସି ଉଠୁଥିଲା । ଆଓରଙ୍ଗଜେବ୍‌ଙ୍କ ତତ୍‌କାଳୀନ ଅବସ୍ଥାରେ ଟିକିଏ ତରଳିଯାଇ କହିଲା ନିର୍ମଳ–“ଜହାଁପନାହ, ଏ ଦାସୀ ହଜରତ୍‌ଙ୍କର ଏପରି କ’ଣ କାର୍ଯ୍ୟ କରିଛି ଯେ, ଆପଣଙ୍କ ପ୍ରେମର ଯୋଗ୍ୟା ହୋଇପାରିଛି ?”

 

“ମୁଁ ତାହା ଭାଷାରେ ପ୍ରକାଶ କରିପାରିବି ନାହିଁ । ତୁମେ ସୁନ୍ଦରୀ; କିନ୍ତୁ ସୌନ୍ଦର୍ଯ୍ୟର ଉପାସନା ଲାଗି ମୋର ବୟସ ନାହିଁ । ଆଉ ମଧ୍ୟ ତୁମେ ଉଦୀପୁରୀ ଅପେକ୍ଷା ଅଧିକ ସୌନ୍ଦର୍ଯ୍ୟଶାଳିନୀ ବୋଲି ମୋର ମନେହୁଏନାହିଁ । ମୋର ଠିକ୍ ମନେହୁଏ; ମୁଁ ତୁମ ବ୍ୟତୀତ ଆଉ କୌଣସିଠାରେ ଏପରି ସତ୍ୟନିଷ୍ଠା ଅନୁଭବ କରିନାହିଁ । ବୋଧହୁଏ ସେଇଥିପାଇଁ ମୁଁ ତୁମ ଉପରେ ମୁଗ୍‌ଧ । ତୁମର ବୁଦ୍ଧି, ଚାତୁରୀ ଓ ସର୍ବୋପରି ତୁମର ସାହସ ଦେଖି ମୁଁ ତୁମକୁ ମୋର ଉପଯୁକ୍ତ ବେଗମ୍ ବୋଲି ମନେ ମନେ ଭାବୁଛି । ସେ ଯା ହେଉ; ଆଲମ୍‌ଗିର ବାଦଶାହ ତୁମ ବ୍ୟତୀତ ଆଉ କାହାରିଠାରେ ବଶୀଭୂତ ହୋଇ ନଥିଲା; ଆଉ କାହାରି କଟାକ୍ଷରେ ମୋହିତ ହୋଇନଥିଲା ।”

 

ବାଦଶାହ ଆଲମ୍‌ଗିର୍‌ଙ୍କ ଉକ୍ତିରେ ବିଶ୍ଵାସ କରି ତାଙ୍କପ୍ରତି ଅଧିକ ସହନୁଭୂତିଶୀଳା ହୋଇ କହିଲା ନିର୍ମଳ–“ଶାହନ୍‌ଶାହ ! ଥରେ ମୋତେ ରୂପନଗରର ରାଜକନ୍ୟା କଥାପ୍ରସଙ୍ଗରେ ପଚାରିଥିଲେ–ତୁ କାହାକୁ ବିବାହ କରିବୁ ? ମୁଁ ସ୍ପଷ୍ଟଭାଷାରେ ଉତ୍ତର ଦେଇଥିଲି–ବାଦଶାହ ଆଲମ୍‌ଗିର୍‌ଙ୍କୁ । ସେ ଏହାର କାରଣ ପଚାରିଲାରୁ, ମୁଁ ଉତ୍ତର ଦେଇଥିଲି–ମୁଁ ପିଲାଦିନେ ଗୋଟିଏ ବାଘ ପୋଷିଥିଲି; ବାଘକୁ ଆୟତ୍ତ କରିବାରେ ମୋର ଆନନ୍ଦ । ବାଦଶାହଙ୍କୁ ବଶ କରିପାରିଲେ, ମୋର ସେହି ଆନନ୍ଦ ହେବ । ଭାଗ୍ୟବଶରୁ ଅବିବାହିତ ଅବସ୍ଥାରୁ ଆପଣଙ୍କ ସହିତ ସାକ୍ଷାତ୍ ହୋଇନାହିଁ । ଏବେ ମୁଁ ଯେଉଁ ଦୀନ–ଦରିଦ୍ରଙ୍କୁ ସ୍ଵାମୀରୂପେ ବରଣ କରିଛି, ସେଇଥିରେ ହିଁ ମୁଁ ସୁଖୀ । ଏବେ ମୋତେ ବିଦାୟ ଦିଅନ୍ତୁ ।”

 

ଆଓରଙ୍ଗଜେବ୍ ଅତ୍ୟନ୍ତ ଦୁଃଖିତ ହୋଇ କହିଲେ–“କେବଳ ଦୁନିଆର ବାଦଶାହ ହେଲେ କେହି ସୁଖୀ ହୁଏନାହିଁ; ହୁଏତ ଈଶ୍ଵରଙ୍କ ରାଜ୍ୟରେ କାହାରି ଅଭିଳାଷ ପୂରଣ ହୁଏନାହିଁ । ଏହି ପୃଥିବୀରେ ମୁଁ ତୁମକୁ ହିଁ କେବଳ ଭଲପାଇଥିଲି; କିନ୍ତୁ ତୁମକୁ ପାଇପାରିଲିନାହିଁ । ମୁଁ ତୁମକୁ ଅନ୍ତରର ସହିତ ଭଲପାଉଛି; ତେଣୁ ତୁମକୁ ଅଟକାଇବି ନାହିଁ, ନିଶ୍ଚୟ ଛାଡ଼ିଦେବି । ଯେଉଁଥିରେ ତୁମେ ଆନନ୍ଦ ପାଇବ, ମୁଁ ତାହା ହିଁ କରିବି । ଯାହା ତୁମ ପକ୍ଷରେ ଅମଙ୍ଗଳ ହେବ, ତାହା କେବହେଲେ କରିବି ନାହିଁ । ତୁମେ ଯା... ଅ...; କିନ୍ତୁ ମୋତେ ମନେ ରଖିବ । ଯଦି ମୋ ଦ୍ଵାରା ତୁମର କୌଣସି ଉପକାର ହେବାର ସମ୍ଭାବନା ଥାଏ, ତେବେ ସଙ୍କୋଚ ନ କରି ମୋତେ ଜଣାଇବ; ମୁଁ ନିଶ୍ଚୟ ତାହା ପାଳନ କରିବି ।”

 

ଆଓରଙ୍ଗଜେବ୍‌ଙ୍କର ମର୍ମଭେଦୀ ଉକ୍ତି ଶୁଣି ନିର୍ମଳ ଦରବାରୀ କାଇଦାରେ କୁର୍ଣ୍ଣିଶ୍ କରି କହିଲା–“ଆପଣଙ୍କଠାରେ ମୋର ଗୋଟିଏ ମାତ୍ର ମାଗୁଣି ରହିଲା; ଏହି ଯୁଦ୍ଧ ସମୟରେ ଉଭୟ ପକ୍ଷର ମଙ୍ଗଳ ନିମିତ୍ତ, ମୁଁ ଯେତେବେଳେ ଅନୁରୋଧ କରିବି; ଆପଣ ମୋ ଅନୁରୋଧ ପ୍ରତି ସଦୟ ହୋଇ ସନ୍ଧି କରିବାକୁ ପ୍ରସ୍ତୁତ ହେବେ ।”

 

“ହେଉ, ସେ କଥାର ବିଚାର ସେଇ ସମୟରେ କରାଯିବ ।” ଉତ୍ତର ଦେଲେ ବାଦଶାହ-

 

ତା’ପରେ ନିର୍ମଳ ନିଜ ପାଖରେ ରଖିଥିବା କପୋତଟିକୁ ଦେଖାଇ କହିଲା–“ଏଇ ସୁଶିକ୍ଷିତ ପାରାଟି ଆପଣ ରଖନ୍ତୁ; ଯେତେବେଳେ ଆପଣ ଏ ଦାସୀକୁ ସ୍ମରଣ କରିବେ, ଏଇ ପାରାଟିକୁ ଛାଡ଼ିଦେବେ । ଏହାରି ଦ୍ଵାରା ମୁଁ ମୋର ନିବେଦନ ଆପଣଙ୍କୁ ଜଣାଇପାରିବି । ମୁଁ ବର୍ତ୍ତମାନ ଆପଣଙ୍କ ସୈନ୍ୟମାନଙ୍କ ସହିତ ରହୁଛି; ଯେତେବେଳେ ଚାଲିଯିବା ମୋ’ ପକ୍ଷରେ ସୁବିଧାଜନକ ହେବ, ମୁଁ ସେତେବେଳେ ଚାଲିଯିବି । ଆପଣ ଏପରି ଆଦେଶ ବେଗମ୍ ସାହିବାଙ୍କୁ ଦେଇଦିଅନ୍ତୁ, ଯାହାଫଳରେ ସେ ମୋତେ ସେତେବେଳେ ଚାଲିଯିବାକୁ ଅନୁମତି ଦେବେ ।”

 

ସୈନ୍ୟପରିଚାଳନା ଲାଗି ଆଓରଙ୍ଗଜେବ୍ ବ୍ୟସ୍ତ; ତଥାପି ସେ ନିର୍ମଳ ଲାଗି ମନେମନେ ଅତ୍ୟନ୍ତ ଦୁଃଖିତ ହେଲେ । ନିର୍ମଳ ପରି କଥାବାର୍ତ୍ତା କରିବାରେ ସାହସ, ବାକ୍‌ଚାତୁରୀ ଓ ସ୍ପଷ୍ଟବାଦିତା ସେ ଆଉ କାହାରିଠାରେ ଲକ୍ଷ୍ୟ କରିନଥିଲେ । ଯଦି ମହାବୀର ଶିବାଜୀ, ରାଜସିଂହ ପ୍ରଭୃତି କୌଣସି ରାଜା, କୌଣସି ସେନାପତି, ଆଜିମ୍ କିମ୍ବା ଆକବର୍ ପ୍ରଭୃତି କେହି ଶାହଜାଦା ଏଭଳି ସ୍ପଷ୍ଟ ଉତ୍ତର ତାଙ୍କ ସମ୍ମୁଖରେ ଦେବାକୁ ସାହସ କରିଥାନ୍ତେ; ତା’ହେଲେ ସେ କୌଣସିମତେ ସହ୍ୟ କରିନଥାନ୍ତେ; କିନ୍ତୁ ସୁନ୍ଦରୀ ଅସହାୟା ଯୁବତୀ ନିର୍ମଳକୁମାରୀର ସୁମିଷ୍ଟ ସ୍ପଷ୍ଟ କଥା ତାଙ୍କୁ ଶୁଣିବାଲାଗି ଖୁବ୍ ଭଲ ଲାଗୁଥିଲା ।

 

ବୃଦ୍ଧ ଆଓରଙ୍ଗଜେବ୍‌ଙ୍କ ହୃଦୟରେ ସେତେବେଳେ ବାସନାର ତୀବ୍ର ଜ୍ୱାଳା ଉଦ୍ଦୀପ୍ତ ହୋଇଥିଲା; କିନ୍ତୁ ସେ ପ୍ରେମାନ୍ଧ ବ୍ୟକ୍ତି ପରି ବିଚ୍ଛେଦ–ଯନ୍ତ୍ରଣାରେ ଶୋକାକୁଳ ନ ହୋଇ, କେବଳ ଟିକିଏ ବିଷଣ୍ଣ ହୋଇଥିଲେ । ସେ ମାର୍କଆନ୍ଥୋନି କିମ୍ବା ଅଗ୍ନିବର୍ଣ୍ଣଙ୍କ ସଦୃଶ ନଥିଲେ; ତଥାପି ରକ୍ତମାଂସ–ଦେହଧାରୀ ମନୁଷ୍ୟ କେବେହେଲେ ପାଷାଣ ହୋଇ ନପାରେ ।

Image

 

ରଣ–କୌଶଳ

 

ବ୍ରାହ୍ମମୁହୂର୍ତ୍ତରୁ ବାଦଶାହୀ ସେନା ଅଭିଯାନ ଆରମ୍ଭ କରିଦେଲେ । ସର୍ବପ୍ରଥମ ମାର୍ଗଦର୍ଶକ ତଥା ମାର୍ଗର ସୁରକ୍ଷାକାରୀ ସେନା ମାରାତ୍ମକ ଅସ୍ତ୍ର–ଶସ୍ତ୍ରରେ ସଜ୍ଜିତ ହୋଇ ଅଗ୍ରସର ହେଲେ । ସେମାନେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣଦ୍ୱାରା ମାର୍ଗର ଗଛ–ବୃକ୍ଷ କାଟି ଖାଲଢ଼ିପ ସମତଳ କରି, ବାଦ୍‌ଶାହୀ ସେନାଙ୍କ ନିମିତ୍ତ ରାସ୍ତା ପରିଷ୍କାର ଓ ପ୍ରଶସ୍ତ କରି ଆଗେଇଚାଲିଲେ । ସେହି ପ୍ରଶସ୍ତ ପଥରେ ଶଗଡ଼ ଉପରେ କମାଣଗୁଡ଼ିକ ରଖାଯାଇଥିଲା, ଗାଡ଼ି ଚାଲୁଥିବାବେଳେ ଧଡ଼୍‌ଧଡ଼୍ ଶବ୍ଦରେ ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲେ । ସୈନ୍ୟ ଓ ଗାଡ଼ିଗୁଡ଼ିକର ଗତି ଦ୍ଵାରା ତୀବ୍ରବେଗରେ ଧୂଳି ଉଡ଼ି ଲୋକମାନଙ୍କୁ ଅନ୍ଧ କରିଦେଉଥିଲା । କାଳଯମ ସଦୃଶ ଭୟଙ୍କର କମାଣଗୁଡ଼ିକର ଆକାର ଦେଖି ହୃତ୍‌କମ୍ପ ଜାତ ହେଉଥିଲା । ଗୋଲନ୍ଦାଜ୍ ସୈନ୍ୟଙ୍କ ପଛରେ ରାଜକୋଷାଗାର ଯାନବାହାନ ଉପରେ ଚାଲିଥିଲା । ବାଦଶାହ ବାହାରକୁ ଗଲେ ରାଜକୋଷାଗାର ତାଙ୍କ ସହିତ ଯାଉଥିଲା; କାରଣ ଆଓରଙ୍ଗଜେବ୍ ଦିଲ୍ଲୀରେ କାହାରିକୁ ବିଶ୍ଵାସକରି ଧନଭଣ୍ଡାରର ଦାୟିତ୍ୱରେ ରଖି ଯାଉ ନ ଥିଲେ । ଆଓରଙ୍ଗଜେବ୍‌ଙ୍କ ଶାସନର ମୂଳମନ୍ତ୍ର ଥିଲା–ଅବିଶ୍ଵାସ । ଏଥର ଆଓରଙ୍ଗଜେବ୍ ଦିଲ୍ଲୀରୁ ରାଜସ୍ଥାନ ଅଭିଯାନରେ ବାହାରି ଆଉ ଜୀବଦ୍ଦଶା ମଧ୍ୟରେ ଦିଲ୍ଲୀ ଫେରିଯାଇନଥିଲେ । ସେ ଗୋଟିଏ ଶିବିରରୁ ଅନ୍ୟ ଶିବିର ପଚିଶବର୍ଷ କାଳ ବୁଲି ବୁଲି ପରିଶେଷରେ ଦକ୍ଷିଣାତ୍ୟରେ ପ୍ରାଣତ୍ୟାଗ କରିଥିଲେ ।

 

ଅନନ୍ତ ଧନରାଶିପୂର୍ଣ୍ଣ ଧନଭଣ୍ଡାର ପରେ ବାଦଶାହଙ୍କ ଦପ୍ତରଖାନା ଚାଲିଥିଲା । ହାତୀ, ଓଟ ତଥା ଗାଡ଼ି ଉପରେ ଅସଂଖ୍ୟ ଖାତା, ବହି ସଜାଯାଇଥିଲା; ସେହି ବହି ଖାତା ଗୁଡ଼ିକ ବହନ କରି ଧାଡ଼ି ଧାଡ଼ି ହୋଇ ବାହନଗୁଡ଼ିକ ଚାଲିଥିଲା । ତା’ପରେ ଚାଲିଥିଲେ ଗଙ୍ଗାଜଳବାହୀ ଅସଂଖ୍ୟ ଓଟ ଏବଂ ତା’ ପଛରେ ଅଟା, ଡାଲି, ଘିଅ, ମସଲା ପକ୍ୱ ଓ କଞ୍ଚା ମାଂସ, ପଶୁପକ୍ଷୀ ପରିପୂର୍ଣ୍ଣ ଖାଦ୍ୟସାମଗ୍ରୀ ବିଭିନ୍ନ ବାହନରେ ଚାଲିଥିଲା । ସେହି ବାହନ ପଛେ ପଛେ ହଜାର ହଜାର ବବୁର୍ଚ୍ଚି ଚାଲିଥିଲେ । ବବୁର୍ଚ୍ଚିମାନଙ୍କ ପଛରେ ବ୍ୟବହାର୍ଯ୍ୟ ପୋଷାକପରିଚ୍ଛଦ ବହନକରି କେତେ ଗାଡ଼ି ଘୋଡ଼ା ଚାଲିଥିଲେ ଏବଂ ସେମାନଙ୍କ ପଛରେ ଚାଲିଥିଲେ ମୋଗଲ ବାଦଶାହଙ୍କର ଘୋଡ଼ସବାର ସେନା ।

 

ଏହା ହିଁ ଥିଲା ବାଦ୍‌ଶାହୀସେନାର ପ୍ରଥମ ଭାଗ । ଦ୍ୱିତୀୟ ଭାଗରେ ଖୋଦ୍ ବାଦଶାହ-। ତାଙ୍କ ଆଗରେ ଅନେକଗୁଡ଼ିଏ ଓଟଙ୍କ ଉପରେ ଜଳନ୍ତା ନିଆଁ କୁଣ୍ଡ ରଖାଯାଇଥିଲା ଏବଂ ସେହି ନିଆଁରେ ଝୁଣା, ଗୁଗୁଳ, କସ୍ତୁରୀ, ଚନ୍ଦନ ପ୍ରଭୃତି ସୁଗନ୍ଧିତ ଦ୍ରବ୍ୟ ପଡ଼ିଥିଲା ଏବଂ ସେହି ସୁଗନ୍ଧରେ କେଇ କ୍ରୋଶ ଧରି ଦିଗ ଓ ଆକାଶ ଆମୋଦିତ ହୋଇଉଠୁଥିଲା । ତାଙ୍କ ପଛରେ ବାଦଶାହଙ୍କ ଅଙ୍ଗରକ୍ଷୀବାହିନୀ ରମଣୀୟ ଅଶ୍ଵଗୁଡ଼ିକରେ ଆରୋହଣ କରି ଦୁଇଧାଡ଼ି ହୋଇ ଚାଲିଥିଲା; ମଧ୍ୟରେ ସ୍ଵୟଂ ବାଦ୍‌ଶାହ ଉଚ୍ଚୈଶ୍ରବା ତୁଲ୍ୟ ବିଶାଳକାୟ ଘୋଟକ ଉପରେ ବିରାଜମାନ ହୋଇଥିଲେ । ତାଙ୍କ ମସ୍ତକ ଉପରେ ପ୍ରଖ୍ୟାତ ଶ୍ଵେତଛତ୍ର ସୁଶୋଭିତ ଏବଂ ବାଦଶାହଙ୍କ ଘୋଟକ ନାନା ମଣିରତ୍ନରେ ସୁସଜ୍ଜିତ ହୋଇଥିଲା । ତାଙ୍କ ପଛରେ ବିଭିନ୍ନ ସୈନ୍ୟଶ୍ରେଣୀ ଏବଂ ସୈନ୍ୟମାନଙ୍କ ପଛରେ ରଙ୍ଗମହଲର ଅଧିବାସିନୀ ସୁନ୍ଦରୀମାନେ ଭିନ୍ନ ଭିନ୍ନ ବାହନରେ ଶୋଭା ପାଉଥିଲେ । କେହି ଐରାବତତୁଲ୍ୟ ହସ୍ତୀପୃଷ୍ଠରେ ସୁବର୍ଣ୍ଣନିର୍ମିତ, ନାନା କାରୁକାର୍ଯ୍ୟପୂର୍ଣ୍ଣ, ମଖମଲୀ ଗାଲିଚାଦ୍ଵାରା ସୁସଜ୍ଜିତ ମୁକ୍ତା ଝାଲରଦିଆ ରେଶମୀ ବସ୍ତ୍ରରେ ଆବୃତ ହାଉଦା ଭିତରେ କ୍ଷୀଣ ମେଘାବୃତ ଉଜ୍ଜ୍ଵଳ ପୂର୍ଣ୍ଣଚନ୍ଦ୍ର ସଦୃଶ ଶୋଭାପାଉଥିଲେ; ତାଙ୍କ ପୃଷ୍ଠଦେଶରେ ରତ୍ନମାଳାଜଡ଼ିତ କାଳସର୍ପ ସଦୃଶ ବେଣୀ ଝୁଲୁଥିଲା । ସେହି ଆୟତନୟନା ସୁନ୍ଦରୀମାନଙ୍କ କଟାକ୍ଷରେ ସୈନ୍ୟମାନଙ୍କର ଧୈର୍ଯ୍ୟଭଙ୍ଗ ହେଉଥିଲା । ଉପରେ କୃଷ୍ଣବର୍ଣ୍ଣ ଭ୍ରୂଯୁଗଳ, ତଳେ ସୁରମାର ସ୍ନିଗ୍‌ଧ ରେଖା ମଧ୍ୟରେ ନୟନଯୁଗଳ ବିଦ୍ୟୁଲ୍ଲତାପରି ଝଟକୁଥିଲା । ତାମ୍ବୁଳରସରେ ଆରକ୍ତ ଓଷ୍ଠାଧର କମ୍ପାଇ ସେହି ସୁନ୍ଦରୀମାନେ ମଧୁର ହାସ୍ୟଛଟା ଖେଳାଇ ଚାଲିଥିଲେ । ଏଭଳି ସୁସଜ୍ଜିତ ହସ୍ତୀ ଗୋଟିଏ ନୁହେଁ, ଦୁଇଟି ନୁହେଁ, ହାତୀ ପଛରେ ହାତୀ, ତା’ପଛରେ ହାତୀ, ଏପରି ଅଗଣିତ ହାତୀ ମଦମତ୍ତ ଚାଲିରେ ବାତାବରଣକୁ ଲୀଳାୟିତକରି ଚାଲିଥିଲେ । ପ୍ରତ୍ୟେକ ହସ୍ତୀପୃଷ୍ଠରେ ସେହିପରି ହାଉଦା । ପ୍ରତ୍ୟେକ ହାଉଦା ମଧ୍ୟରେ ଅନୁରୂପ ସୁନ୍ଦରୀ ଏବଂ ସୁନ୍ଦରୀଙ୍କ ନୟନରେ ମେଘମାଳା ମଧ୍ୟବର୍ତ୍ତୀ ବିଜୁଳିର ଲାସ୍ୟମୟୀ ଛଟା ଝଲସିଉଠୁଥିଲା । ସେହି ଛଟାର ସ୍ନିଗ୍‌ଧ ପ୍ରକାଶରେ ତିମିରାଚ୍ଛନ୍ନ ରଜନୀ ଆଲୋକିତ ହୋଇଉଠୁଥିଲା । କେହି କେହି ହାନ୍ଦୋଳାରେ ବସି ଗମନ କରୁଥିଲେ । ହାନ୍ଦୋଳାର ଦଣ୍ଡ ରୌପ୍ୟରେ ନିର୍ମିତ ହୋଇଥିଲା ଏବଂ ମୁକ୍ତାର ଝାଲର, ସ୍ଵର୍ଣ୍ଣାଳଙ୍କାର ଭୂଷିତ ଆସନ ଉପରେ ରତ୍ନାଭରଣମଣ୍ଡିତା ଅପ୍‌ସରୀନନ୍ଦିତା ସୁନ୍ଦରୀ ଶୋଭାପାଉଥିଲେ । ଯୋଧପୁରୀ, ଉଦୀପୁରୀ, ଜେବ୍ଉନ୍ନିସା ଓ ନିର୍ମଳକୁମାରୀ ଗଜପୃଷ୍ଠରେ ଆରୋହଣ କରି ଚାଲିଥିଲେ । ଉଦୀପୁରୀ ହାସ୍ୟମୟୀ, ଯୋଧପୁରୀ ବିମନା, ନିର୍ମଳକୁମାରୀ ରହସ୍ୟମୟୀ; କିନ୍ତୁ ଜେବ୍ଉନ୍ନିସା ଆତପସଂତପ୍ତ ଉନ୍ମୁଳିତ ଛିନ୍ନବିଚ୍ଛିନ୍ନ, ଶୁଷ୍କ, ଶୀର୍ଣ୍ଣ ଲତାପରି ଶ୍ରୀ–ବିହୀନା ହୋଇ ବସିଥିଲା । ସେ ମନେ ମନେ ଭାବୁଥିଲେ–ଏହା ହସ୍ତୀ–ସମୁଦ୍ର ମଧ୍ୟରେ ଝାସଦେଇ ଚିରଦିନଲାଗି ନିଜକୁ ହଜାଇଦେବାର କ’ଣ ଉପାୟ ନାହିଁ ?

 

ଏହି ସୁମନମୋହିନୀ ସୁନ୍ଦରୀମାନଙ୍କ ପଛରେ ଅନ୍ତଃପୁର ପରିଚାରିକା ଦାସୀବୃନ୍ଦ ଚାଲିଥିଲେ । ସମସ୍ତେ ଅଶ୍ଵାରୂଢ଼ା, ଲମ୍ବିତ ବେଣୀଯୁକ୍ତା, ରକ୍ତାଧରା ତଥା ଉଭୟ ମେଘର ମଧ୍ୟବର୍ତ୍ତୀ ବିଦ୍ୟୁତ୍‌ଛଟାପରି ଆୟତ ନୟନରେ କଟାକ୍ଷ ଖେଳାଇ ଚାଲିଥିଲେ । ସେମାନଙ୍କ ଶରୀରଭୂଷଣର କିଣିକିଣି ନାଦରେ ବିମୁଗ୍‌ଧ ହୋଇ ଘୋଡ଼ାଗୁଡ଼ିକ ନାଚି ନାଚି ସୈନ୍ୟସମୂହକୁ ଆହ୍ଲାଦିତ କରି ମାର୍ଗ ଅତିକ୍ରମ କରୁଥିଲେ । ସେମାନଙ୍କ ପଛରେ ଆଉ ଗୋଟିଏ ଗୋଲନ୍ଦାଜ୍ ବାହିନୀ ଅଗ୍ରସର ହେଉଥିଲେ; କିନ୍ତୁ ସେମାନଙ୍କ ନିକଟରେ ଥିବା କମାଣଗୁଡ଼ିକ ଅପେକ୍ଷାକୃତ ଛୋଟ ଛୋଟ ଥିଲା । ବାଦଶାହ ବୋଧହୁଏ ଜାଣିଥିଲେ ଯେ, କାମିନୀମାନଙ୍କର କମନୀୟ କଟାକ୍ଷ ପରେ ଆଉ ବଡ଼ ବଡ଼ କମାଣର ଆବଶ୍ୟକତା ନାହିଁ ।

 

ତୃତୀୟ ଭାଗରେ ପଦାତିକ ସୈନ୍ୟ ଏବଂ ତାଙ୍କ ପଛରେ ସାଧାରଣ ଦାସଦାସୀ, ମୂଲିଆ ମଜୁରିଆ, ସାଧାରଣ ନର୍ତ୍ତକ–ନର୍ତ୍ତକୀ ଓ ତମ୍ବୁ ସମିଆନା ବହନକରି କେତେକ ଘୋଡ଼ା ଓଟ ଚାଲିଥିଲେ ।

 

ଯେପରି ଘନଘୋର ନାଦରେ ଗ୍ରାମ ଓ ଜନବସତିଗୁଡ଼ିକ ଭସାଇ ବହୁ ଜଳଜନ୍ତୁପୂର୍ଣ୍ଣ ଭୟଙ୍କର ବେଗବତୀ ନଦୀ ବାଲୁକାପୂର୍ଣ୍ଣ ତଟଦେଶକୁ ଚାହୁଁ ଚାହୁଁ ଜଳପ୍ଳାବିତ କରିଦିଏ; ଠିକ୍ ସେହିପରି ମହାକୋଳାହଳର ସହିତ ପ୍ରଚଣ୍ଡବେଗରେ ସଂଖ୍ୟାତୀତ ମୋଗଲସେନା ରାଜସିଂହଙ୍କ ରାଜ୍ୟକୁ ଧ୍ଵଂସ କରିଦେବାଲାଗି ଅଗ୍ରସର ହେଲେ ।

 

କିନ୍ତୁ ହଠାତ୍ ଗୋଟିଏ ପ୍ରତିବନ୍ଧକ ସୃଷ୍ଟି ହେଲା । ଯେଉଁ ମାର୍ଗଦେଇ ଆକ୍‌ବର ସୈନ୍ୟଚାଳନା କରି ଅଗ୍ରସର ହୋଇଥିଲେ; ଆଓରଙ୍ଗଜେବ୍ ମଧ୍ୟ ସେହି ପଥଦେଇ ଅଭିଯାନ ଚଳାଇବାକୁ ମନସ୍ଥ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା–ଆକ୍‌ବରଙ୍କ ସୈନ୍ୟ ସହିତ ମିଳିତ ହୋଇ କୁମାର ଜୟସିଂହଙ୍କ ସୈନ୍ୟଙ୍କୁ ଦଳିଚକଟି ଦେଇ, ଉଦୟପୁର ରାଜ୍ୟକୁ ଧୂଳିସାତ୍ କରିଦେବେ; କିନ୍ତୁ ପାର୍ବତ୍ୟ ପଥ ମଧ୍ୟରେ ପ୍ରବେଶ କରିବାପୂର୍ବରୁ ସେ ଲକ୍ଷ୍ୟକଲେ–ପର୍ବତଉପତ୍ୟକାରେ ଜୟସିଂହ ନିଜର ସୈନ୍ୟ ଧରି ଅପେକ୍ଷା କରି ରହିଛନ୍ତି । ରାଜସିଂହ ‘ନୟନ’ ନାମକ ଗିରିସଙ୍କଟରେ ପାର୍ବତ୍ୟ ପଥ ରୋଧକରି ରହିଥିଲେ; କିନ୍ତୁ ଆକ୍‌ବରଙ୍କ ପରାଭବର ସମ୍ବାଦ ଦ୍ରୁତଗାମୀ ଦୂତମୁଖରୁ ଶୁଣି, ରଣ–ପାଣ୍ଡିତ୍ୟର ପରିଚୟ ଦେଇ, ସେ ଅତିଶୀଘ୍ର ସେନା ଘେନି ବାଦଶାହଙ୍କ ପଥରୋଧ ନିମିତ୍ତ ଏହି ଗିରିମାର୍ଗର ଉର୍ଦ୍ଧ୍ଵଦେଶରେ ଉପସ୍ଥିତ ହୋଇଥିଲେ ।

 

ମୋଗଲମାନେ ଲକ୍ଷ୍ୟ କଲେ–ରାଜପୁତ୍‌ମାନଙ୍କର ଏହି ଅଦ୍ଭୁତ କୌଶଳ ତାଙ୍କ ସର୍ବନାଶ ଘଟାଇବ । କାରଣ ସେମାନେ ଯେଉଁ ମାର୍ଗଦେଇ ଅଗ୍ରସର ହେଉଥିଲେ, ଠିକ୍ ତାହାର ଏକ ପାର୍ଶ୍ଵରେ ରାଜପୁତ୍ ସେନା ରହିଥିଲେ । ଗୋଟିଏ ପାର୍ଶ୍ଵରୁ ଯେଉଁ ଦଳ ଆକ୍ରମଣ କରେ, ତାକୁ ପରାସ୍ତ କରିବା ଆଦୌ ସମ୍ଭବ ନୁହେଁ; ବରଂ ସେ ବିଜୟୀ ହୋଇ ବିପକ୍ଷ ଦଳକୁ ଛିନ୍ନଭିନ୍ନ କରିଦିଏ-। ଏଭଳି ଦୃଷ୍ଟାନ୍ତ ବହୁ ରଣକ୍ଷେତ୍ରରେ ଅନୁଭୂତ ହୋଇଛି; ଅଦ୍ଭୁତ ରଣକୌଶଳୀ ଆଓରଙ୍ଗଜେବ୍ ଏ ବିଷୟ ଭଲଭାବରେ ଜାଣିଥିଲେ । ଏପରି ପରିସ୍ଥିତିରେ ନିଜ ସୈନ୍ୟମାନଙ୍କୁ ଫେରାଇଆଣି ଶତ୍ରୁ ସୈନ୍ୟର ମୁହାଁମୁହିଁ ଯୁଦ୍ଧ ଆରମ୍ଭ କରାଯାଏ; ଏହି ଗିରିସଙ୍କଟର ପାର୍ବତ୍ୟମାର୍ଗ ଏତେ ସଂକୀର୍ଣ୍ଣ ଯେ, ବିରାଟ ମୋଗଲବାହିନୀକୁ ସେଠାରେ ପଛକୁ ଫେରାଇ ଶତ୍ରୁର ସମ୍ମୁଖୀନ କରାଇବା ସମ୍ଭବ ନୁହେଁ, ଏବଂ ସେଥିଲାଗି ଅନୁକୂଳ ସମୟ ମଧ୍ୟ ନଥିଲା । ସେପରି କରିଥିଲେ, ରାଜସିଂହ ପର୍ବତ ଉପରୁ ତଥା ନିମ୍ନଦେଶରୁ ଆକ୍ରମଣ କରି ମୋଗଲସେନାଙ୍କୁ ଦୁଇ ଭାଗ କରାଇଦେଇ ମନଇଚ୍ଛାରେ ସୈନ୍ୟସଂହାର କରିପାରିବେ । ଏପରି ଯୁଦ୍ଧ କରିବାଲାଗି ରଣପଣ୍ଡିତମାନେ କେବେହେଲେ ସାହସ କରନ୍ତି ନାହିଁ । ହୁଏତ ରାଜସିଂହ ପ୍ରଥମେ ଯୁଦ୍ଧ ଆରମ୍ଭ କରି ନ ପାରନ୍ତି । ତା’ ଫଳରେ ଆହୁରି ଘୋରତର ବିପଦର ସମ୍ଭାବନା ରହିଛି । କାରଣ ଆଓରଙ୍ଗଜେବ୍‌ଙ୍କ ସେନା ଅତିକ୍ରମ କରି ଭିତରକୁ ପଶିଯିବାମାତ୍ରେ ରାଜସିଂହ ପଶ୍ଚାଦଭାଗରୁ ଆକ୍ରମଣ କରି ଖାଦ୍ୟପଦାର୍ଥ ଲୁଟପାଟ କରିନେଇ ପାରନ୍ତି; ଅବଶ୍ୟ ତାହା ସେପରି ବଡ଼ ଧରଣର ବିପଦ ନଥିଲା । କିନ୍ତୁ ପଶ୍ଚାଦଭାଗରୁ ଆକ୍ରମଣ ହେବା ଫଳରେ ଖାଦ୍ୟପଦାର୍ଥ ଯୋଗାଣଲାଗି ମାର୍ଗ ବନ୍ଦ ହୋଇଯିବ । ସମ୍ମୁଖରେ କୁମାର ଜୟସିଂହଙ୍କ ସୈନ୍ୟ ଓ ପଛରୁ ରାଜସିଂହଙ୍କ ସୈନ୍ୟଙ୍କ ମଧ୍ୟଭାଗରେ ରହି ବାଦଶାହୀ ସେନା ଜାଲରେ ପଡ଼ିଥିବା ମୂଷିକ ପରି ଛଟପଟ ହୋଇ ପ୍ରାଣତ୍ୟାଗ କରିବେ ।

 

ଦିଲ୍ଲୀଶ୍ଵର ଜାଲରେ ପଡ଼ିଥିବା ରୋହିମାଛପରି ନିଜର ଅସହାୟ ଅବସ୍ଥା ଅନୁଭବ କଲେ । ସେ ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀ ଫେରିଯାଇପାରନ୍ତି; କିନ୍ତୁ ତାହା ହେଲେ ମଧ୍ୟ ରାଜସିଂହ ତାଙ୍କୁ ପଛଆଡ଼ୁ ଆକ୍ରମଣ କରି ବ୍ୟତିବ୍ୟସ୍ତ କରିଦେବେ । ବାଦଶାହ ଆଓରଙ୍ଗଜେବ୍ ଉଦୟପୁର ରାଜ୍ୟକୁ ସୈନ୍ୟବାହିନୀର ଅତଳସାଗରରେ ବୁଡ଼ାଇଦେବାକୁ ଆସିଥିଲେ, ବର୍ତ୍ତମାନ ରାଜପୁତ୍‌ମାନେ ତାଙ୍କ ପଛରେ କରତାଳି ଦେଇ ଉପହାସ କରିବେ, ପୃଥିବୀବାସୀ ବାଦଶାହୀ ଶକ୍ତିକୁ ଧିକ୍‌କାର କରିବେ; ଏହାଠାରୁ ଅଧିକ ଅପମାନର ବିଷୟ ଆଉ କ’ଣ ହୋଇପାରେ ? ଆଓରଙ୍ଗଜେବ୍ ମନେ ମନେ ଭାବିଲେ–ସିଂହ ହୋଇ ସତେ କ’ଣ ମୂଷିକ ଭୟରେ ପଳାୟନ କରିବି ? ନାଃ...ତାହା କୌଣସିମତେ ସମ୍ଭବ ହେବନାହିଁ ।

 

ଏପରି ଅବସ୍ଥାରେ ଆଉ କ’ଣ ହୋଇପାରେ ? ଏକମାତ୍ର ଉପାୟ–ଉଦୟପୁର ଯିବା ଲାଗି ଅନ୍ୟ ମାର୍ଗର ଅନୁସନ୍ଧାନ କରିବା । ଆଓରଙ୍ଗଜେବ୍‌ଙ୍କ ଆଦେଶ ପ୍ରଚାରିତ ହେବା ମାତ୍ରେ ଅଶ୍ଵାରୋହୀ, ପଦାତି ଚାରିଦିଗକୁ ଛୁଟିବାକୁ ଲାଗିଲେ । ଏହା ମଧ୍ୟରେ ଆଓରଙ୍ଗଜେବ ନିର୍ମଳକୁମାରୀକୁ ମାର୍ଗ ସମ୍ବନ୍ଧରେ ପଚାରିଲେ; ସେ ଚତୁରତାର ସହିତ ଉତ୍ତରଦେଲା–“ମୁଁ ପର୍ଦ୍ଦାସୀନା ମହିଳା, ମାର୍ଗ ସମ୍ବନ୍ଧରେ ମୋର ଧାରଣା ଆସିବ କୁଆଡ଼ୁ ?” କିନ୍ତୁ ଅଳ୍ପ ସମୟ ମଧ୍ୟରେ ଗୋଟିଏ ସୁରକ୍ଷିତ ମାର୍ଗ ସମ୍ବନ୍ଧରେ ଖବର ଆସି ପହଞ୍ଚିଲା । ଜଣେ ମୋଗଲ ସୌଦାଗର ମାର୍ଗ ଦେଖାଇଦେବାର ଭରସା ଦେଇଛନ୍ତି । ଜଣେ ମନସୁବେଦାର ସେହି ସଂକୀର୍ଣ୍ଣ ପାର୍ବତ୍ୟମାର୍ଗ ନିଜେ ନିରୀକ୍ଷଣ କରି ଆସିଛନ୍ତି । କିନ୍ତୁ ମାର୍ଗଟି ବିଶେଷ ଅସୁବିଧାଜନକ ନଥିଲା; କାରଣ ଏହି ପଥ ଦେଇ ଗଲେ ଶୀଘ୍ର ପାର୍ବତ୍ୟମାର୍ଗ ଅତିକ୍ରମ କରିହେବ ଏବଂ ସେହି ଅଞ୍ଚଳର ଜଣେହେଲେ ରାଜପୁତ୍‌ସେନା ଦେଖାଯାଉନାହାନ୍ତି । ଯେଉଁ ମୋଗଲ ବ୍ୟବସାୟୀ ଏ ସମ୍ବାଦ ଦେଇଥିଲା–ତା’ଠାରୁ ଜଣାଯାଏ ଯେ ସେ ଅଞ୍ଚଳର ଆଦୌ ରାଜପୁତ୍ ସେନା ନାହାନ୍ତି ।

 

ଆଓରଙ୍ଗଜେବ କିଛି ସମୟ ଚିନ୍ତାକରି କହିଲେ–“ନାଃ...ରାଜପୁତ୍‌ମାନେ ଲୁଚିଛପି ଥାଇପାରନ୍ତି ।”

 

ଗିରିମାର୍ଗ ଦେଖିଆସିଥିବା ବଖତ୍ ଖାଁ ଜଣାଇଲା–“ଯେଉଁ ମୋଗଲ ମୋତେ ପ୍ରଥମେ ସେ ମାର୍ଗ ଦେଖାଇଥିଲେ, ମୁଁ ତାକୁ ପର୍ବତ ଉପରକୁ ପଠାଇଦେଇଛି । ସେ ଯଦି ରାଜପୁତ୍ ସୈନ୍ୟଙ୍କର ସନ୍ଧାନ ପାଏ, ତେବେ ମୋତେ ନିର୍ଦ୍ଦିଷ୍ଟ ସଙ୍କେତରେ ଜଣାଇ ଦେବ ।”

 

ତଥାପି ଆଓରଙ୍ଗଜେବଙ୍କ ମନରେ ସନ୍ଦେହ ଉଙ୍କିମାରିଲା–“ସେ କ’ଣ ଆମର ସିପାହୀ-?”

 

ବଖତ୍ ଖାଁ ଉତ୍ତରଦେଲା–“ସେ ଜଣେ ମୋଗଲ ସୌଦାଗର, ସେ ଉଦୟପୁରକୁ ଶାଲ୍ ବିକ୍ରୟଲାଗି ଯାଇଥିଲା । ସେଠାରୁ ଫେରି ଆମ ଶିବିର ମଧ୍ୟରେ ଶାଲ୍ ବିକ୍ରି କରୁଥିଲା ।”

 

ଏଥର ଆଓରଙ୍ଗଜେବଙ୍କ ମନରେ ବିଶ୍ଵାସ ଜାତହେଲା । ସେ ସର୍ଦ୍ଦାରମାନଙ୍କୁ ଆଦେଶ ଦେଇ କହିଲା–“ବେଶ୍, ଠିକ୍ ଅଛି । ବର୍ତ୍ତମାନ ସେହି ଗିରିମାର୍ଗ ଦେଇ ଯିବାଲାଗି ସୈନ୍ୟମାନଙ୍କୁ ଅଗ୍ରସର କରାଅ ।”

 

ଆଦେଶ ପାଇବାମାତ୍ରେ ବାଦଶାହୀ ଫଉଜ ଫେରିବାକୁ ଲାଗିଲେ । ଫେରିବାର କାରଣ ହେଉଛି–କିଛିଦୂର ପଛକୁ ନ ଫେରିଲେ ସଂକୀର୍ଣ୍ଣ ଗିରିମାର୍ଗରେ ପ୍ରବେଶ କରିହେବ ନାହିଁ । ଏଥିରେ ମଧ୍ୟ ବିଶେଷ ବିପଦର ସମ୍ଭାବନା ରହିଥିଲା; କିନ୍ତୁ ଜାଲରେ ପଡ଼ିଥିବା ଅସହାୟା ହରିଣୀ ପକ୍ଷରେ ଆଉ ଉପାୟ କ’ଣ ? ଅଦ୍ୟାପି ମୋଗଲସେନା ଯୁଦ୍ଧ ଜୟ କରିବାର ଯେଉଁ ପରମ୍ପରା ରକ୍ଷା କରି ଆସିଥିଲେ, ଏବେ ସେ ଗୌରବ ରକ୍ଷା କରାଯାଇ ପାରିଲାନାହିଁ । ଯେଉଁ ସେନାମାନେ ଆଗରେ ଥିଲେ, ସେମାନେ ପଛକୁ ଆସିଲେ ଏବଂ ପଛଦଳ ଆଗକୁ ଆସିଲେ । ବାଦଶାହଙ୍କ ଆଦେଶ ଅନୁସାରେ ତମ୍ବୁ, ସମିଆନା, କୁଲୀ ଓ ମଜୁରିଆଦଳ ଉଦୟସାଗର ପଟେ ରହିଗଲେ । ଆଓରଙ୍ଗଜେବ ନିଜେ ସେନାର ତୃତୀୟ ଭାଗ–ପଦାତି ଓ ଛୋଟ ଛୋଟ କମାଣବାହୀ ଦଳଙ୍କୁ ଧରି ଗିରିଗହ୍ଵର ମାର୍ଗରେ ପ୍ରବେଶ କଲେ । ସମସ୍ତଙ୍କ ସମ୍ମୁଖରେ ଚାଲିଥାଆନ୍ତି ବଖତ୍ ଖାଁ ।

 

ଆକ୍ରମଣ କରିବାର ଉପଯୁକ୍ତ ସ୍ଥାନକୁ ମୋଗଲସେନା ଆସିଯିବାର ଲକ୍ଷ୍ୟକରି ରାଜସିଂହ ପର୍ବତ ଉପରୁ ଓହ୍ଲାଇଆସି ସିଂହ–ବିକ୍ରମରେ ସେନାବାହିନୀର ମଧ୍ୟଭାଗରେ ଆକ୍ରମଣ କରିଦେଲେ । ସଙ୍ଗେ ସଙ୍ଗେ ମୋଗଲସେନା ଦୁଇଭାଗ ହୋଇଗଲେ । ଛୁରିକା ଆଘାତ କରି ଯେପରି ଫୁଲମାଳକୁ ଦୁଇଖଣ୍ଡ କରିଦିଆଯାଏ, ଠିକ୍ ସେହିପରି ସାମାନ୍ୟ ଆଘାତରେ ମୋଗଲବାହିନୀ ଦୁଇଭାଗ ହୋଇଗଲେ । ଗୋଟିଏ ଭାଗ ବାଦଶାହଙ୍କ ସହିତ ରନ୍ଧ୍ର ମଧ୍ୟକୁ ପଶିଯାଇଥିଲେ, ଆଉ ଗୋଟିଏ ଭାଗ ପୂର୍ବପଟେ ରାଜସିଂହଙ୍କ ସମ୍ମୁଖରେ ରହିଗଲେ ।

 

ହାତୀ, ଘୋଡ଼ା ଓ ଦୋଳା ଉପରେ ବସି ମୋଗଲସୁନ୍ଦରୀମାନେ ଯେଉଁଠାରେ ଥିଲେ, ଠିକ୍ ସେହି ସ୍ଥାନରେ ରାଜସିଂହ ସହ ସୈନ୍ୟ ଓହ୍ଲାଇ ପଡ଼ିଲେ; ଏହା ହିଁ ଥିଲା–ମୋଗଲ ବାଦଶାହଙ୍କ ପକ୍ଷରେ ପ୍ରଧାନ ବିପଦର ବିଷୟ । ଚିଲ ଝାମ୍ପଦେଲେ ପକ୍ଷୀମାନେ ଯେପରି ଚେଁ ଚାଁ ଶବ୍ଦ କରିଉଠନ୍ତି, ଗରୁଡ଼ ପରି ରାଜସିଂହଙ୍କ ଅତର୍କିତ ଆକ୍ରମଣ ଫଳରେ ମୋଗଲସୁନ୍ଦରୀ ରୂପକ କାଳଭୁଜଙ୍ଗିନୀଦଳ ଆର୍ତ୍ତନାଦ କରିଉଠିଲେ । ଏଠାରେ ଯୁଦ୍ଧ କେବଳ ନାମକୁ ମାତ୍ର ହେଲା । ଅନାୟାସରେ ରାଜପୁତ୍‌ମାନେ ମୋଗଲ ସୁନ୍ଦରୀମାନଙ୍କ ଅନ୍ତଃପୁର ରକ୍ଷୀମାନଙ୍କୁ ବନ୍ଦିକରିନେଲେ । କାରଣ ସେମାନେ ଅସ୍ତ୍ରଶସ୍ତ୍ର ଧରିଥିଲେ ହେଁ ବେଗମ୍ ମାନଙ୍କ ଉପରେ ଆଘାତ ଲାଗିପାରେ, ଏହି ଭୟରେ ଯୁଦ୍ଧ କଲେନାହିଁ । ତେଣୁ ମୋଗଲସୁନ୍ଦରୀ ବେଗମ୍‌ମାନଙ୍କ ସହିତ ଦାସୀପରିବାରୀମାନେ ବନ୍ଦିନୀ ହୋଇଗଲେ ।

 

ମାଣିକଲାଲ୍‍ ନିଜର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ଫଳରେ ସବୁବେଳେ ରାଜସିଂହଙ୍କ ପାଖେ ପାଖେ ରହୁଥିଲା । ଏହି ସମୟରେ ସେ ଆସି ହାତଯୋଡ଼ି କହିଲା–“ମହାରାଜାଧିରାଜ ! ବର୍ତ୍ତମାନ ଏହି ମାର୍ଜାରୀଗୁଡ଼ାଙ୍କୁ କ’ଣ କରାଯିବ ? ଆଜ୍ଞା ହେଲେ ପେଟପୂରାଇ ଦହିଦୁଧ ଖାଇବାଲାଗି ଏମାନଙ୍କୁ ଉଦୟପୁର ପଠାଇଦେବି ।”

 

ରାଜସିଂହ ଟିକିଏ ହସିଦେଇ କହିଲେ–“ଏତେ ଦହି ଦୁଧ ଉଦୟପୁରରେ ମିଳିବ କେଉଁଠୁ ? କେବଳ ଉଦୀପୁରୀଙ୍କୁ ଚଞ୍ଚଲ୍‍କୁମାରୀଙ୍କ ନିକଟକୁ ପଠାଇଦିଅ; ସେ କେବଳ ଉଦୀପୁରୀ ପାଇଁ ମୋତେ ବିଶେଷ ଅନୁରୋଧ କରିଛନ୍ତି । ଅନ୍ୟ ସମସ୍ତଙ୍କୁ ବାଦଶାହଙ୍କ ଅମାନତରୂପେ ତାଙ୍କ ନିକଟକୁ ପଠାଇଦିଅ ।”

 

ମାଣିକଲାଲ୍‍ ପୁଣି ହାତଯୋଡ଼ି ନିବେଦନ କଲା–“ମହାରାଜ, ସୈନିକମାନେ ଲୁଟ୍ ମାଲ ମଧ୍ୟରୁ କିଛି କିଛି ଭାଗ ପାଇଥାନ୍ତି ।”

 

ରାଜସିଂହ ହସି ହସି କହିଲେ–“ତୁମର ଯଦି ଇଚ୍ଛା ଥାଏ, ଯେକୌଣସିକୁ ନେଇପାର; କିନ୍ତୁ ମୁସଲମାନ ସ୍ତ୍ରୀ ମାନେ ହିନ୍ଦୁ ପକ୍ଷରେ ଅସ୍ପୃଶ୍ୟା ।”

 

ମାଣିକଲାଲ୍‍ ପୁଣି କହିଲେ–“ସେମାନେ ନୃତ୍ୟଗୀତରେ ବିଶେଷ ନିପୁଣା ।”

 

“ନୃତ୍ୟଗୀତରେ ମାତିଗଲେ ତୁମେମାନେ କ’ଣ ଏପରି ବୀରତ୍ଵ ପ୍ରଦର୍ଶନ କରିବାରେ ସମର୍ଥ ହେବ ? ସମସ୍ତଙ୍କୁ ଛାଡ଼ିଦିଅ, କେବଳ ଉଦୀପୁରୀଙ୍କୁ ଉଦୟପୁରକୁ ପଠାଇଦିଅ ।”

 

“ଏହି ସୁନ୍ଦରୀ ସମୁଦ୍ରମଧ୍ୟରେ ସେ ରତ୍ନଟିକୁ କିପରି ଖୋଜି ବାହାରକରିବି ? ଯଦି ଆଜ୍ଞା ହେବ, ତା’ହେଲେ ହନୁମାନଙ୍କ ପରି ଏ ଗନ୍ଧମାର୍ଦନକୁ ନେଇ ରାଜମହିଷୀଙ୍କ ଆଗରେ ଥୋଇଦେବି; ସେ ନିଜେ ତାଙ୍କର ବାଛିନେବେ । ଯାହାକୁ ରଖିବାର କଥା ରଖିବେ ଅନ୍ୟକୁ ଛାଡ଼ିଦେବେ; ସେମାନେ ଉଦୟପୁର ବଜାରରେ ସୁର୍‌ମା ବିକ୍ରି କରି ପେଟପାଳିବେ ।”

 

ଏହି ସମୟରେ ହାତୀ ଉପରେ ଥାଇ ନିର୍ମଳକୁମାରୀ, ରାଜସିଂହ ଓ ମାଣିକଲାଲ୍‍ଙ୍କୁ ଦେଖି ହାତଯୋଡ଼ି ନମସ୍କାର କଲା । ଏହା ଦେଖି ରାଜସିଂହ ପଚାରିଲେ–“ଏ’ କେଉଁ ବେଗମ୍ ? ଏ’ ତ ହିନ୍ଦୁପରି ଜଣାପଡ଼ୁଛି; କାରଣ ସଲାମ ନକରି ପ୍ରଣାମ କରୁଛି ।”

 

ମାଣିକଲାଲ୍ ଜୋର୍‌ରେ ହସିଦେଇ କହିଲା–“ମହାରାଜ ! ଏ’ଟା ବେଗମ୍ ହେଲା କେଉଁଦିନ ? ଏ’ ଗୋଟିଏ ଦାସୀ, ମୁଁ ତାକୁ ଧରି ଆଣୁଛି ।” ଏହା କହି ମାଣିକଲାଲ୍ ନିର୍ମଳକୁ ହାତୀଉପରୁ ଓହ୍ଲାଇ ଘେନିଆସିଲା; କିନ୍ତୁ ନିର୍ମଳ କିଛି ନକହି, କେବଳ ହସିବାକୁ ଲାଗିଲା । ନିର୍ମଳର ବେଶ ପୋଷାକ ଦେଖି ପଚାରିଲା ମାଣିକଲାଲ୍‍–“ଏ’ କି ବେଶ ? ତୁମେ ପୁଣି ବେଗମ୍ କେବେ ହେଲ ଯେ ?”

 

ନିର୍ମଳ ମୁହଁମୋଡ଼ି ଆଖିନଚାଇ କହିଲା–“ଏଃ, ଖବରଦାର୍, ମୁଁ ଇମ୍‌ଲି ବେଗମ୍, ସଲାମ କର ।”

 

“ହେଉ ବାବା, ସଲାମ କରୁଛି; କିନ୍ତୁ ତୁମେ ବେଗମ୍ ତ କେବେହେଲେ ନୁହଁ କିମ୍ବା ତୁମ ସାତ ପୁରୁଷରେ କେହି କେବେ ବେଗମ୍ ହୋଇନାହାନ୍ତି । ଆଚ୍ଛା, କୁହ, ଏ’ ବେଶ କାହିଁକି ?”

 

“ପ୍ରଥମେ ମୋର ହୁକୁମ ଅନୁସାରେ କାମ କର, ଫାଲ୍‌ତୁ କଥା ବର୍ତ୍ତମାନ ରଖ ।”

 

“ଆରେ ବାବା ! ନକଲି ବେଗମର ଧମକ ଦେଖ ।”

 

“ମୋର ହୁକୁମ ହେଉଛି–ହଜରତ ଉଦୀପୁରୀ ବେଗମ୍ ସାହିବା ସାମ୍‌ନେ ପଞ୍ଚକଲସ୍‌ଦାର ହାଉଦା ଥିବା ହାତୀ ଉପରେ ତସ୍‌ରିଫ ରଖିଛନ୍ତି । ତାଙ୍କୁ ଆଣି ହମାରା ହଜୁରରେ ଦାଖିଲ କର ।”

 

ନିର୍ମଳ କହିବାମାତ୍ରେ ଆଉ ବିଳମ୍ବ ହେଲାନାହିଁ । ମାଣିକଲାଲ୍‍ ହାତୀଉପରୁ ଉଦୀପୁରୀ ବେଗମଙ୍କୁ ଓହ୍ଲାଇ ଆଣିଲା । ଉଦୀପୁରୀ ଓଢ଼ଣାପକାଇ କାନ୍ଦି କାନ୍ଦି ହାତୀ ଉପରୁ ଓହ୍ଲାଇ ଆସିଲା-। ମାଣିକଲାଲ୍ ଗୋଟିଏ ଦୋଳା ଖାଲି କରାଇ, ସେହି ଦୋଳାଟିକୁ ଉଦୀପୁରୀର ହାତୀ ପାଖକୁ ପଠାଇଦେଲା ଏବଂ ଉଦୀପୁରୀକୁ ସେହି ଦୋଳାରେ ବସାଇ ଘେନିଆସିଲା । ତା’ପରେ ସେ ନିର୍ମଳର କାନପାଖକୁ ମୁହଁନେଇ ଚୁପ୍ ଚୁପ୍ କହିଲା–“ଜୀ ଇମ୍‌ଲୀ ବେଗମ୍ ସାହିବା, ଆଉ ଗୋଟିଏ କଥା ଅଛି... ।”

 

“ଚୁପ୍‌କର ବଦ୍‌ତମିଜ୍ । ମୋ’ ନାଁ ହଜରତ୍ ଇମଲୀ ବେଗମ୍ ।”

 

“ହେଉ...ହେଉ ! ତୁମେ ଯେଉଁ ବେଗମ୍ ହୁଅ ନା କାହିଁକି, ଜେବ୍ଉନ୍ନିସା ବେଗମ୍‌କୁ ଚିହ୍ନିଛ ?”

 

“ମୁଁ ଜାଣିନି ? ସେ ପରା ମୋ’ ଝିଅ ହବ ! ଦେଖ, ଆଗରେ ତିନିକଳସ ଥିବା ହାଉଦା ଉପରେ ଜେବ୍ଉନ୍ନିସା ବସିଛି ।”

 

ମାଣିକଲାଲ୍ ତାକୁ ମଧ୍ୟ ହାତୀରୁ ଓହ୍ଲାଇ ଘେନିଆସିଲା । ସେହି ସମୟରେ ଆଉ ଜଣେ ବେଗମ୍ ହାଉଦା ଉପରୁ ମଖମଲୀ ଜରିର ପରଦା ଆଡ଼େଇଦେଇ, ମୁହଁ ବାହାରକରି ନିର୍ମଳକୁ ଇଶାରାରେ ଡାକିଲେ । ତାହା ଦେଖି ମାଣିକଲାଲ୍ ପଚାରିଲା–“ପୁଣି ତୁମକୁ କେହି ଜଣେ ଡାକିଲେଣି ନା କ’ଣ ?”

 

ନିର୍ମଳ ସେ ଆଡ଼କୁ ଚାହିଁଦେଇ କହିଲା–“ହଁ... ! ସେ ଯୋଧପୁରୀ ବେଗମ୍; କିନ୍ତୁ ତାଙ୍କୁ ଏବେ ଅଣାଯିବ ନାହିଁ । ମୋତେ ହାତୀରେ ବସାଇ ତାଙ୍କ ପାଖକୁ ନେଇଚାଲ, ମୁଁ ତାଙ୍କ କଥା ଶୁଣିଆସେ ।”

 

ନିର୍ମଳକୁମାରୀ ଯୋଧପୁରୀ ବେଗମ୍‌ଙ୍କ ହାତୀପାଖରେ ପହଞ୍ଚି ଇନ୍ଦ୍ରାସନ ତୁଲ୍ୟ ତାଙ୍କ ହାଉଦା ମଧ୍ୟରେ ପ୍ରବେଶ କଲେ । ଯୋଧପୁରୀ ବେଗମ୍ ତାକୁ ଦେଖି କହିଲେ–“ମୋତେ ତୁମ ସହିତ ନେଇଚାଲ ।”

 

“କାହିଁକି ମା’ ?” ପଚାରିଲା ନିର୍ମଳକୁମାରୀ ।

 

“ୟା’ର କାରଣ କେତେଥର କହିସାରିଛି । ଏ’ ମ୍ଳେଚ୍ଛପୁରୀ ଓ ଏହି ମହାପାପ ଭିତରେ ଆଉ ରହିବାକୁ ଚାହେଁନାହିଁ ।”

 

“ନା...ସେ କଥା ହୋଇପାରିବ ନାହିଁ । ମୋଗଲ ସାମ୍ରାଜ୍ୟର ଅସ୍ତିତ୍ଵ ରହିଲେ, ଆପଣଙ୍କ ପୁତ୍ର ଦିଲ୍ଲୀର ବାଦଶାହ ହେବେ । ଆମ୍ଭେମାନେ ମଧ୍ୟ ସେହି ଚେଷ୍ଟା ଚଳାଇବୁ; କାରଣ ତାଙ୍କ ଅମଳରେ ଆମେ ସୁଖରେ ରହିପାରିବୁ ।”

 

“ନା...ନାଃ; ସେ କଥା ମୁହଁରେ ଧରନା ମା’ । ବାଦଶାହ ଶୁଣିପାରିଲେ ମୋ’ ପୁଅ ଆଉ ଗୋଟିଏ ଦିନ ସୁଦ୍ଧା ପ୍ରାଣରେ ରହିପାରିବ ନାହିଁ । ସେ ବିଷପ୍ରୟୋଗ କରି ତା’ର ଜୀବନ ଶେଷ କରିଦେବେ ।”

 

“ଏବେ ମୁଁ ସେ କଥା କହୁନାହିଁ; କିନ୍ତୁ ଯାହା ଶାହଜାଦାଙ୍କର ହକ୍ ସେ ସମୟ କ୍ରମେ ତାହା ପାଇପାରିବେ । ମୋତେ ଆପଣ ଏପରି ଆଦେଶ ଦିଅନ୍ତୁନାହିଁ । ଆପଣ ଯଦି ବର୍ତ୍ତମାନ ମୋ’ ସହିତ ଯିବେ; ତେବେ ଆପଣଙ୍କ ପୁତ୍ରର ଅନିଷ୍ଟ ହେବାର ସମ୍ଭାବନା ରହିଛି ।” କହିଲା ନିର୍ମଳ କୁମାରୀ ।

 

ଯୋଧପୁରୀ ବେଗମ୍ କିଛି ସମୟ ଚିନ୍ତାକରି କହିଲେ–“ସେ କଥା ସତ୍ୟ । ହେଉ, ମୁଁ ତୁମକଥା ମାନିନେଉଛି । ମୁଁ ଆଉ ଯିବିନାହିଁ; ତୁମେ ଯାଅ ।”

 

ନିର୍ମଳକୁମାରୀ ଯୋଧପୁରୀ ବେଗମ୍‌ଙ୍କୁ ପ୍ରଣାମକରି ତାଙ୍କଠାରୁ ବିଦାୟନେଇ ଆସିଲା ।

 

ଉଦୀପୁରୀ ବେଗମ୍ ଓ ଜେବ୍ଉନ୍ନିସା ଉପଯୁକ୍ତ ସୈନ୍ୟ ପହରାରେ ପରିବେଷ୍ଟିତା ହୋଇ ନିର୍ମଳକୁମାରୀ ସହିତ ଚଞ୍ଚଲ୍‍କୁମାରୀ ଅନ୍ତଃପୁରକୁ ପ୍ରେରିତା ହେଲେ ।

Image

 

ପ୍ରେମର ପ୍ରତିଦାନ

 

ରାଜସିଂହ ମୋଗଲ ସୁନ୍ଦରୀମାନଙ୍କୁ ହାତୀ, ଘୋଡ଼ା, ଶିବିକାରେ ବସାଇ ଆଓରଙ୍ଗଜେବ୍ ଯେଉଁ ଗିରିଗହ୍ଵର ମଧ୍ୟରେ ପ୍ରବେଶ କରିଥିଲେ, ସେଠାକୁ ପଠାଇଦେଲେ । ସେମାନେ ମୋଗଲ ସୈନ୍ୟଙ୍କ ସହିତ ମିଶିଯାଆନ୍ତେ, ଯୁଦ୍ଧ ବନ୍ଦ ହୋଇଗଲା; କିନ୍ତୁ ଆଓରଙ୍ଗଜେବ୍‍ଙ୍କ ଅବଶିଷ୍ଟ ସେନା କୌଣସିମତେ ଅଗ୍ରସର ହୋଇପାରିଲେ ନାହିଁ । କାରଣ ରାଜସିଂହ ମାର୍ଗ ରୋଧ କରି ଜଗି ବସିଥିଲେ । ତଥାପି ଅଗାଧସାଗର ତୁଲ୍ୟ ବାଦଶାହଙ୍କ ସେନା ଯୁଦ୍ଧର ଆୟୋଜନ କରିବାକୁ ଲାଗିଲେ । ସେମାନେ ଘୋଡ଼ାର ଗତି ପରିବର୍ତ୍ତନ କରି ରାଜପୁତ୍‌ମାନଙ୍କ ସମ୍ମୁଖୀନ ହେଲେ । ସେତେବେଳେ ରାଜସିଂହ ମୋଗଲମାନଙ୍କ ସହିତ ଆଦୌ ଯୁଦ୍ଧ ନକରି ଟିକିଏ ପଛକୁ ହଟିଯାଇ ସେମାନଙ୍କୁ ମାର୍ଗ ଛାଡ଼ିଦେଲେ । ସେମାନେ ‘ଦିନ୍, ଦିନ୍’ ଶବ୍ଦରେ ବାୟୁମଣ୍ଡଳକୁ ମୁଖରିତ କରି ବାଦଶାହଙ୍କ ଆଜ୍ଞାନୁସାରେ ସେହି ସଂକୀର୍ଣ୍ଣ ଗିରିମାର୍ଗରେ ପ୍ରବେଶକଲେ । ତାହାପରେ ରାଜସିଂହ ଆଉ ଟିକିଏ ଅଗ୍ରସର ହେଲେ ।

 

ଏହି ସମୟରେ ବାଦଶାହଙ୍କ ଆସବାବପତ୍ର ଆସି ପହଞ୍ଚିଲା । ସେହି ଦଳରେ ଆଦୌ ରକ୍ଷକ ନଥିଲେ, ତେଣୁ ରାଜପୁତ୍‌ମାନେ ଅନାୟାସରେ ସେ ସମସ୍ତ ଦ୍ରବ୍ୟ ଲୁଟ୍ କରିନେଲେ । ତା’ପରେ ସେମାନେ ମୋଗଲମାନଙ୍କ ଖାଦ୍ୟପଦାର୍ଥ ଲୁଟ୍ କରି, ଯେଉଁଗୁଡ଼ିକ ହିନ୍ଦୁର ବ୍ୟବହାର୍ଯ୍ୟ ତାହା ନିଜ ଭଣ୍ଡାରରେ ମିଶାଇଦେଲେ ଏବଂ ଅନ୍ୟ ଖାଦ୍ୟ ପଦାର୍ଥ ହାଡ଼ି, ଡୋମମାନେ ନେଇଯାଇ ଆନନ୍ଦରେ ଭୋଜନ କଲେ; ଅବଶିଷ୍ଟ ଖାଦ୍ୟଦ୍ରବ୍ୟ ବନ୍ୟଜନ୍ତୁଙ୍କ ନିମିତ୍ତ ବଣଜଙ୍ଗଲରେ ଫିଙ୍ଗିଦେଲେ । ଏହାପରେ ରାଜପୁତ୍‌ମାନେ ମୋଗଲ ବାଦଶାହଙ୍କ ଦପ୍ତରଖାନା ହାତୀ ଉପରୁ ଓହ୍ଲାଇଆଣି କିଛି ପୋଡ଼ିଦେଲେ; ଆଉ କେତେକ ଛିନ୍‌ଛତ୍ର କରିଦେଲେ । ତା’ପରେ ରାଜପୁତ୍‌ମାନେ ମାଲଖାନା ଆଡ଼କୁ ଲୋଲୁପ ଦୃଷ୍ଟି ପକାଇଲେ; କିନ୍ତୁ ମାଲଖାନା ପଛରେ ମୋଗଲମାନଙ୍କ ଗୋଲନ୍ଦାଜବାହିନୀ ରହିଥିଲେ । ଏହା ଲକ୍ଷ୍ୟ କରି ରାଜସିଂହ ନିଜ ସୈନ୍ୟମାନଙ୍କୁ ସଂଯତ କରାଇ କହିଲେ–“ତୁମେମାନେ ବ୍ୟସ୍ତ ହୁଅନାହିଁ; ଏହା ସବୁ ତୁମର ହସ୍ତଗତ ହେବ । ଆଜି ଏ’ ଗୁଡ଼ିକୁ ଛାଡ଼ିଦିଅ; କାରଣ ବର୍ତ୍ତମାନ ଯୁଦ୍ଧ କରିବାର ସମୟ ନୁହେଁ । ରାଜସିଂହ କେବଳ ଅବସ୍ଥା ନିରୀକ୍ଷଣ କରିବାଲାଗି ନିଜ ସୈନ୍ୟବାହିନୀ ସହିତ ସ୍ଥିରହୋଇ ରହିଲେ ଏବଂ ବାଦ୍‌ଶାହଙ୍କ ସମସ୍ତ ସୈନ୍ୟ ସେହି ରନ୍ଧ୍ରମାର୍ଗରେ ପ୍ରବେଶ କରିଗଲେ ।

 

ତା’ପରେ ରାଜସିଂହ ମାଣିକଲାଲ୍‍କୁ ଏକାନ୍ତରେ ଡାକି କହିଲେ–“ସେହି ମୋଗଲ ଯୁବକର କାର୍ଯ୍ୟରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଛି । ମୋତେ ଏତେ ସୁବିଧା ମିଳିଯିବ ବୋଲି ମୋର ଧାରଣା ନଥିଲା । ମୁଁ ଭାବିଥିଲି–ଯୁଦ୍ଧ କରି ମୋଗଲମାନଙ୍କୁ ନିହତ କରିବି; କିନ୍ତୁ ଏବେ ଦେଖୁଛି, ବିନା ଯୁଦ୍ଧରେ ମୋଗଲମାନଙ୍କୁ ନିହିତ କରିହେବ । ତୁମେ ମୋବାରକ୍‌କୁ ଘେନିଆସ, ମୁଁ ତାଙ୍କୁ ଯଥୋଚିତ ଅଭ୍ୟର୍ଥନା କରିବି ।”

 

ମୋବାରକ୍ ଅଲି ମାଣିକଲାଲ୍‌ ଦ୍ଵାରା ନବଜୀବନ ଲାଭକରି, ତାହାରି ସହିତ ଉଦୟପୁର ଆସିଥିଲି । ରାଜସିଂହ ତାଙ୍କର ବୀରତ୍ଵ ସମ୍ବନ୍ଧରେ ପୂର୍ବରୁ ଜାଣିଥିଲେ । ତେଣୁ ମୋବାରକ୍ ଅଲିଙ୍କୁ ନିଜ ସେନାବାହିନୀ ମଧ୍ୟରେ ଉପଯୁକ୍ତ ପଦବୀରେ ନିଯୁକ୍ତି କରିଥିଲେ; କିନ୍ତୁ ସେ ମୋଗଲ ହୋଇଥିବାରୁ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ଵାସ କରୁନଥିଲେ । ସେଥିଲାଗି ମୋଗଲ ବୀର ମୋବାରକ୍ ମନେ ମନେ ଅତ୍ୟନ୍ତ ଦୁଃଖିତ ଥିଲେ । ସେହି ଦୁଃଖରେ ଦୁଃଖିତ ହୋଇ ସେ ଏକ ଗୁରୁତର କାର୍ଯ୍ୟଭାର ଗ୍ରହଣ କରିଥିଲେ । ତେଣୁ ସେ ଛଦ୍ମବେଶୀ ସୌଦାଗର ସାଜି ମୋଗଲମାନଙ୍କୁ ବିଭ୍ରାନ୍ତ କରିବା ସଙ୍ଗେ ସଙ୍ଗେ ରାଜସିଂହଙ୍କ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିଥିଲେ-

 

ମାଣିକଲାଲ୍ ସଙ୍ଗେ ସଙ୍ଗେ ମୋବାରକ୍‍ଙ୍କୁ ଘେନିଆସିଲେ । ତାଙ୍କୁ ଦେଖିବାମାତ୍ରେ ରାଜସିଂହ ଆଦରରେ ଅଭ୍ୟର୍ଥନା ଜଣାଇ କହିଲେ–“ତୁମେ ସାହସ ଓ ଚତୁରତାର ସହିତ ମୋଗଲବାହିନୀକୁ ଗିରିମାର୍ଗକୁ ଘେନି ଆସିନଥିଲେ, ଆଜି ବହୁ ରକ୍ତପାତ ଓ ନରହତ୍ୟା ହୋଇଥାଆନ୍ତା । ତୁମକୁ କେହି ଚିହ୍ନିପାରିଥିଲେ, ତୁମର ମଧ୍ୟ ବିପଦର ସୀମା ରହିନଥା’ନ୍ତା ।

 

ମୋବାରକ୍ ନମ୍ରତାର ସହିତ କହିଲେ–“ମହାରାଜ ! ଯେଉଁ ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ମରିଛି ଏବଂ ଯାହାକୁ କବର ଦିଆଯାଇଛି; ତାକୁ ଆଗରେ ଦେଖିଲେ ମଧ୍ୟ କେହି ଚିହ୍ନିପାରିବେ ନାହିଁ । ମନରେ ସନ୍ଦେହ ଜାତ ହେଲେ ମଧ୍ୟ ତାହା ଭ୍ରମ ବୋଲି ମନେକରିବେ । ମୁଁ ସେହି ସାହସରେ ଏହି ଗୁରୁତର କାର୍ଯ୍ୟର ଦାୟିତ୍ଵ ଗ୍ରହଣ କରିଥିଲି ।”

 

ରାଜସିଂହ ମୋବାରକ୍ ଅଲିଙ୍କ କଥାରେ ସନ୍ତୁଷ୍ଟ ହୋଇ କହିଲେ–“ତୁମେ ଉପଯୁକ୍ତ କାର୍ଯ୍ୟ କରିଛ; ବର୍ତ୍ତମାନ ଯଦି ମୋର ଉଦ୍ଦେଶ୍ୟ ସାଧିତ ନହୁଏ, ତା’ହେଲେ ମୋର ଦୋଷ । ତେଣୁ ତୁମେ ଯାହା ମୋତେ ପୁରସ୍କାର ମାଗିବ, ମୁଁ ନିଶ୍ଚୟ ଦେବି ।”

 

ମୋବାରକ୍ ବିଷଣ୍ଣ ବଦନରେ ମୁଣ୍ଡ ତଳକୁ କରି କହିଲେ–“ମହାରାଜ, ମୋର ଧୃଷ୍ଟତା ମାର୍ଜନା କରିବେ । ମୁଁ ଜାତିରେ ମୋଗଲ ହୋଇ, ମୋଗଲ ସାମ୍ରାଜ୍ୟ ଧ୍ଵଂସ କରିବାର ମାର୍ଗ ପ୍ରଶସ୍ତ କରାଇଛି; ମୁସଲମାନ ହୋଇ ହିନ୍ଦୁରାଜ୍ୟ ସ୍ଥାପନଲାଗି ଗୁରୁତର ସମ୍ପନ୍ନ କରିଛି; ସତ୍ୟବାଦୀ ହୋଇ ମିଥ୍ୟା ପ୍ରବଞ୍ଚନାର ଆଶ୍ରୟ ନେଇଛି, ଜୀବନରେ ବାଦଶାହଙ୍କ ନିମକ୍ ଖାଇ, ଏବେ ନିମକ୍‌ହାରାମ୍ ହୋଇଛି । ତେଣୁ ମୁଁ ବର୍ତ୍ତମାନ ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣା ଅନୁଭବ କରୁଛି । ମହାରାଜ, ମୋର କୌଣସି ପୁରସ୍କାରରେ ଅଭିଳାଷ ନାହିଁ । ଏବେ ମୁଁ ଗୋଟିଏ ମାତ୍ର ଅନୁରୋଧ କରୁଛି–ଆପଣ ମୋତେ ତୋପ ମୁହଁରେ ବାନ୍ଧି ଉଡ଼ାଇଦିଅନ୍ତୁ । ଏ ଜୀବନରେ ଆଉ ଅଧିକଦିନ ବଞ୍ଚିରହି ଲାଭନାହିଁ-।”

 

ରାଜସିଂହ ମୋବାରକ୍ ଅଲିଙ୍କ କଥାରେ ବିସ୍ମିତ ହୋଇ କହିଲେ–“ଯଦି ତୁମକୁ ଏ କାମରେ ଏତେ କଷ୍ଟ ବୋଧ ହେଉଛି, ତା’ହେଲେ ତୁମେ ଏପରି କରିବାକୁ ଇଚ୍ଛା କଲ କାହିଁକି ? କିମ୍ବା ମୋତେ ଜଣାଇଲନାହିଁ କାହିଁକି ? ମୁଁ କାହାରିକୁ ଏତେ ମନ କଷ୍ଟ କରିବାକୁ ସୁଯୋଗ ଦିଏ ନାହିଁ ।”

 

ମୋବାରକ୍ ମାଣିକଲାଲ୍‍ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲେ–“ଏ ମହାତ୍ମା ମୋତେ ଜୀବନଦାନ ଦେଇଛନ୍ତି । ମୁଁ ଏହି କାର୍ଯ୍ୟ ସାଧନ କରେ, ଏହାହିଁ ଥିଲା–ତାଙ୍କର ଏକାନ୍ତ ଇଚ୍ଛା । ଆଉ ମଧ୍ୟ, ମୋ’ ବ୍ୟତୀତ ଏ କାର୍ଯ୍ୟ ଆଉ କାହାରି ଦ୍ଵାରା ସିଦ୍ଧ ହୁଅନ୍ତାନାହିଁ । କାରଣ କୌଣସି ମୋଗଲ ବ୍ୟତୀତ ହିନ୍ଦୁମାନଙ୍କୁ ମୋଗଲମାନେ ବିଶ୍ଵାସ କରିନଥାନ୍ତେ । ମୁଁ ତାଙ୍କ ଅନୁରୋଧ ଏଡ଼ାଇ କୃତଘ୍ନ ହେବାକୁ ଇଚ୍ଛା କଲିନାହିଁ । ତେଣୁ ମୁଁ ଏ କାର୍ଯ୍ୟ ସାଧନ କରିଛି । ବର୍ତ୍ତମାନ ମୁଁ ସ୍ଥିର କରିଛି–ଆଉ ଏ ପାପଜୀବନ ରଖିବି ନାହିଁ । ମୋତେ ତୋପମୁହଁରେ ବାନ୍ଧି ଧ୍ଵଂସ କରିଦେବାଲାଗି ଆଦେଶ ଦିଅନ୍ତୁ; କିମ୍ବା ମୋତେ ବନ୍ଧନକରି ବାଦଶାହଙ୍କ ନିକଟକୁ ପଠାଇ ଦିଅନ୍ତୁ । ତା’ ନହେଲେ, ମୋତେ ଅନୁମତି ଦିଅନ୍ତୁ–ମୁଁ ଯେକୌଣସିମତେ ମୋଗଲବାହିନୀରେ ପ୍ରବେଶ କରି ଆପଣଙ୍କ ସହିତ ଯୁଦ୍ଧକରି ପ୍ରାଣ ତ୍ୟାଗ କରେ ।”

 

ମୋବାରକ୍ ଅଲିଙ୍କ ସ୍ପଷ୍ଟୋକ୍ତିରେ ମହାରାଜ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ–“ମୋଗଲ ସେନାବାହିନୀରେ ପ୍ରବେଶ କରିବାଲାଗି ମୁଁ ତୁମକୁ କାଲି ଅନୁମତି ଦେବି । ତୁମେ ମାତ୍ର ଗୋଟିଏ ଦିନ ଅପେକ୍ଷା କର । ହଁ, ଆଉ ଗୋଟିଏ କଥା ତୁମକୁ ପଚାରିବାର ଅଛି–“ତୁମକୁ ଆଓରଙ୍ଗଜେବ୍ ହତ୍ୟା କରିଥିଲେ କାହିଁକି ?”

 

“ତାହା ମହାରାଜଙ୍କ ସମ୍ମୁଖରେ ପ୍ରକାଶ କରିପାରିବି ନାହିଁ ।”

 

“ଆଚ୍ଛା, ତା’ହେଲେ ମାଣିକଲାଲ୍‍କୁ କହିପାରିବ ତ ?”

 

“କହିସାରିଛି... ।”

 

“ବେଶ୍...ଆଉ ଗୋଟିଏ ଦିନ ମାତ୍ର ଅପେକ୍ଷାକର ।” ଏହା କହି ରାଜସିଂହ ମୋବାରକ୍ ଅଲିଙ୍କୁ ବିଦାୟ ଦେଲେ ।

 

ତା’ପରେ ମାଣିକଲାଲ୍‍ ମୋବାରକ୍ ଅଲିଙ୍କୁ ଏକାନ୍ତ ସ୍ଥାନକୁ ନେଇ ପଚାରିଲେ–“ଅଲିସାହେବ ! ଆପଣଙ୍କର ଯଦି ମରିବାର ଏକାନ୍ତ ଇଚ୍ଛା, ତା’ ହେଲେ, ମୋତେ ଶାହଜାଦୀକୁ ଧରିଆଣିବାଲାଗି ଅନୁରୋଧ କଲେ କାହିଁକି ?”

 

ମୋବାରକ୍ ପୂର୍ବପରି ବିଷଣ୍ଣ ବଦନରେ କହିଲେ–“ସିଂହଜୀ, ତାହା ମୋର ଭ୍ରାନ୍ତ ଧାରଣା, ମୋର ଭୁଲ । ମୁଁ ଶାହଜାଦୀକୁ ନେଇ ଆଉ କରିବି କ’ଣ ? ମୁଁ ମନେ ମନେ ଭାବିଥିଲି–ଯେଉଁ ସୈତାନ ସ୍ତ୍ରୀଟା, ପ୍ରେମର ପ୍ରତିଦାନରେ ମୋତେ କାଳସର୍ପର ବିଷଦନ୍ତ ଘାତରେ ମରିବାପାଇଁ ସମର୍ପଣ କରିଥିଲା, ତାକୁ ତାହାର କୁକର୍ମର ପ୍ରତିଫଳ ଦେବି; କିନ୍ତୁ...ଆଜି ମଣିଷ ଯାହା ଇଚ୍ଛାକରେ, ହୁଏତ ଆସନ୍ତାକାଲି ତା’ର ସେ ଆକାଙ୍‌କ୍ଷା ଥାଇନପାରେ । ମୁଁ ଏବେ ମୃତ୍ୟୁବରଣ କରିବାଲାଗି ମନେ ମନେ ନିଶ୍ଚୟ କରିସାରିଛି । ଏବେ ଶାହଜାଦୀ ତା’ କୁକର୍ମର ପ୍ରତିଫଳ ପାଇଲା କେତେ, ନ ପାଇଲା କେତେ ? ସେଥିରେ ମୋର କିଛି ଯାଏ ଆସେ ନାହିଁ । ମୁଁ ଆଉ କୌଣସି ସାଂସାରିକ ଦୃଶ୍ୟ ଦେଖିବାଲାଗି ରହିବାକୁ ଚାହୁଁନାହିଁ ।”

 

“ଯଦି ଆପଣ ଜେବ୍ଉନ୍ନିସାକୁ ପାଇବାକୁ ଇଚ୍ଛା ନ କରୁଛନ୍ତି, ତେବେ ମୁଁ ବାଦଶାହଙ୍କଠାରୁ କିଛି ଉତ୍କୋଚ ଗ୍ରହଣକରି ତାକୁ ଛାଡ଼ିଦେବି ତ ?”

 

“ନାଃ...ସିଂହଜୀ ! ତାକୁ ଆଉଥରେ ଦେଖିବାକୁ ମୋର ଇଚ୍ଛା ହେଉଛି । ମୁଁ ଥରେ ମାତ୍ର ତାକୁ ପଚାରିବି–ଜଗତରେ ଧର୍ମ ଅଧର୍ମ ଉପରେ ତା’ର ବିଶ୍ଵାସ ଅଛି ନା ନାହିଁ ? ସେ ମୋତେ ନିଜ ସମ୍ମୁଖରେ ଦେଖିବାମାତ୍ରେ କ’ଣ କହିବ, ତାହା ହିଁ ଶୁଣିବାଲାଗି ମାର ଏକାନ୍ତ ଇଚ୍ଛା । ସେ ମୋତେ ଦେଖିବାମାତ୍ରେ ତା’ ମନରେ କି ପ୍ରକାର ପ୍ରତିକ୍ରିୟା ଜାତ ହେଉଛି–ତାହା ଲକ୍ଷ୍ୟ କରିବାକୁ ମୋର ବିଶେଷ ଆଗ୍ରହ ।”

 

ମାଣିକଲାଲ୍‍ ଟିକିଏ ପରିହାସ ମିଶା ସ୍ଵରରେ କହିଲେ–“ତା’ହେଲେ... ବର୍ତ୍ତମାନ ସୁଦ୍ଧା ଆପଣ ତା’ର ପ୍ରେମ ପ୍ରତି ଅନୁରକ୍ତ ?”

 

ନାଃ...କେବଳ ଥରେମାତ୍ର ତାକୁ ଦେଖିବି; ଏହା ହିଁ ଆପଣଙ୍କଠାରେ ମୋର ଏକମାତ୍ର ମାଗୁଣି ।”

Image

 

Unknown

ଅତିଦର୍ପେ

 

ଗିରିମାର୍ଗରେ ବାଦଶାହ ନିତାନ୍ତ ଅସୁବିଧାର ସମ୍ମୁଖୀନ ହେଲେ । ତାଙ୍କର ସମସ୍ତ ସୈନ୍ୟ ଗିରିଗହ୍ଵରମାର୍ଗରେ ପ୍ରବେଶ କରିବାର ଅଳ୍ପ ସମୟ ପରେ ସନ୍ଧ୍ୟା ହୋଇଗଲା; କିନ୍ତୁ ଗିରିମାର୍ଗର ଅପରପ୍ରାନ୍ତରରେ କେହି ପହଞ୍ଚିପାରିନଥିଲେ । ଅଗ୍ରଗାମୀ ସୈନ୍ୟମାନଙ୍କର କୌଣସି ସମ୍ବାଦ ମିଳିଲା ନାହିଁ । ସନ୍ଧ୍ୟା ହେବାମାତ୍ରେ ସେହି ଗିରିମାର୍ଗରେ ଘୋର ଅନ୍ଧକାର ଘୋଟିଗଲା । ସମୁଦାୟ ସୈନ୍ୟବାହିନୀ ମଧ୍ୟରେ ଆଲୋକର ବ୍ୟବସ୍ଥା କରିବା ସମ୍ଭବ ହେଲା ନାହିଁ; ଯାହା କିଛି ସରଞ୍ଜାମ ଥିଲା, ସେତିକିରେ ବାଦଶାହ ଓ ବେଗମ୍‌ଙ୍କ ପାଇଁ ଆଲୋକ ଯୋଗାଇ ଦିଆଗଲା ଏବଂ ଅନ୍ୟାନ୍ୟ ସମସ୍ତ ସେନା ଗାଢ଼ ଅନ୍ଧକାର ମଧ୍ୟରେ ବୁଡ଼ିରହିଲେ । ସେହି ବନ୍ଧୁର ପାର୍ବତ୍ୟମାର୍ଗ ନିତାନ୍ତ ଅସମତଳ ତଥା ଭଗ୍ନପ୍ରସ୍ତର ଖଣ୍ଡଦ୍ଵାରା ଭୟଙ୍କର ହୋଇଥିଲା । ଅନ୍ଧକାର ମଧ୍ୟରେ ଘୋଡ଼ାମାନେ ବାରମ୍ବାର ଆଘାତ ପାଇବାକୁ ଲାଗିଲେ । କେତେକ ଘୋଡ଼ା ଧକ୍‌କା ସହିନପାରି ଆରୋହୀ ସହିତ ତଳେ ପଡ଼ିଗଲେ ଏବଂ ପଛଆଡ଼ୁ ଆସୁଥିବା ଅଶ୍ଵଖୁରାରେ ଆରୋହୀ ଓ ଅଶ୍ଵ ଉଭୟ ଆହତ ହେଲେ । କେତେକ ହାତୀର ଗୋଡ଼ରେ ଧାରୁଆ ତୀକ୍ଷ୍‌ଣ ପଥର ଖଣ୍ଡମାନ ଫୁଟିଗଲା । ତେଣୁ ସେମାନେ ବିକଟ ଚିତ୍କାର କରି ଏଣେତେଣେ ବୁଲିବାକୁ ଲାଗିଲେ । ଅଶ୍ଵ ଉପରେ ବସିଥିବା ସୁନ୍ଦରୀମାନେ ତଳକୁ ଖସିପଡ଼ି, ହାତୀ ଓ ଘୋଡ଼ାଙ୍କ ପାଦରେ ତୀକ୍ଷଣ ପ୍ରସ୍ତରଖଣ୍ଡ ବାଜି କ୍ଷତିବିକ୍ଷତ ହୋଇଗଲା । ତେଣୁ ସେମାନଙ୍କ ପାଦରୁ ଅଜସ୍ର ରକ୍ତଧାର ବହିବାକୁ ଲାଗିଲା । ପଦାତିକ ସେନା ଆଉ କୌଣସିମତେ ଚାଲିବାକୁ ସମର୍ଥ ହେଲେନାହିଁ । ପ୍ରତିମୁହୂର୍ତ୍ତରେ ସେମାନଙ୍କ ଗୋଡ଼ ଖସିବାକୁ ଲାଗିଲା ଏବଂ ପଥରଖଣ୍ଡରେ ସେମାନଙ୍କ ଗୋଡ଼ ବାଜି ଆହତ ହେବାକୁ ଲାଗିଲେ । ଏ ସବୁ ଭୟାବହ ଅବସ୍ଥା ଲକ୍ଷ୍ୟକରି ବାଦ୍‌ଶାହ ଆଓରଙ୍ଗଜେବ୍ ସେନାବାହିନୀର ଗତିରୋଧ କରି ଶିବିର ସ୍ଥାପନ ଲାଗି ନିର୍ଦ୍ଦେଶ ଦେଲେ; କିନ୍ତୁ ସେହି ସଂକୀର୍ଣ୍ଣସ୍ଥାନରେ ଶିବିରସ୍ଥାପନ ଲାଗି ଆଦୌ ସୁବିଧା ନଥିଲା । ଅତିକଷ୍ଟରେ ବାଦ୍‌ଶାହ ଓ ବେଗମ୍‌ମାନଙ୍କ ଲାଗି ତମ୍ବୁ ଟଣାଯାଇ ପାରିଲା । ଅନ୍ୟମାନେ ଯେ ଯେଉଁଠାରେ ଥିଲେ ସେହିଠାରେ ଛିଡ଼ାହୋଇ ରହିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ବ୍ୟକ୍ତି ପର୍ବତର ସମତଳ ଭାଗ ଅନୁସନ୍ଧାନ କରି, କୌଣସିମତେ ଗୋଡ଼ ଲମ୍ବାଇ ବସିବାର ସୁବିଧା କରିପାରିଲେ । ପର୍ବତଟି ନିତାନ୍ତ ସିଧାସଳଖ ହୋଇଥିବାରୁ ତା’ ଉପରକୁ ଚଢ଼ିବାର ଆଦୌ ଉପାୟ ନଥିଲା; ତେଣୁ ଅଧିକାଂଶ ସୈନ୍ୟ ବିଶ୍ରାମ ଲାଗି ଆଦୌ ସୁବିଧା ପାଇଲେ ନାହିଁ ।

 

ବିପଦ ଉପରେ ବିପଦ ମାଡ଼ିଆସିବା ପରି ସେମାନଙ୍କ ନିକଟରେ ଖାଦ୍ୟର ନିତାନ୍ତ ଅଭାବ ପରିଲକ୍ଷିତ ହେଲା । ସେମାନଙ୍କ ନିକଟରେ ଯାହା କିଛି ଖାଦ୍ୟ ଥିଲା–ରାଜପୁତ୍‌ମାନେ ସବୁକିଛି ଲୁଟିକରି ନେଇଥିଲେ ଏବଂ ଯେଉଁ ସ୍ଥାନରେ ସୈନ୍ୟମାନେ ଉପସ୍ଥିତ ହୋଇଥିଲେ ସେଠାରେ ମନୁଷ୍ୟମାନଙ୍କ ଲାଗି ଖାଦ୍ୟ ମିଳିବା ତ ଦୂରର କଥା, ଘୋଡ଼ାମାନଙ୍କ ଲାଗି ଘାସ କେରାଏ ମଧ୍ୟ ମିଳିଲା ନାହିଁ । ସାରାଦିନ ପରିଶ୍ରମ କରି ସୁଦ୍ଧା କେହି କିଛିହେଲେ ଖାଇବାକୁ ପାଇଲେ ନାହିଁ । ବାଦଶାହ କିମ୍ବା ବେଗମ୍‌ମାନେ ସୁଦ୍ଧା କିଛି ଖାଇବାକୁ ପାଇପାରିଲେ ନାହିଁ । ଖାଦ୍ୟ ଓ ନିଦ୍ରା ବ୍ୟତିରେକେ ସମସ୍ତେ ମୃତପ୍ରାୟ ହୋଇ ପଡ଼ିରହିଲେ । ତେଣୁ ମୋଗଲ ସେନାବାହିନୀ ମଧ୍ୟରେ ବଡ଼ କୋଳାହଳ ବ୍ୟାପିଗଲା ।

 

ଏଣେ ବାଦଶାହ ଉଦୀପୁରୀ ଓ ଜେବ୍ଉନ୍ନିସାର ଖବର ପାଇବା ପରେ କ୍ରୋଧରେ ଅଗ୍ନିଶର୍ମା ହୋଇଗଲେ । ଏକାକୀ ସମସ୍ତ ସୈନ୍ୟଙ୍କୁ ମାରିବା ସମ୍ଭବ ନୁହେଁ; ନୋହିଲେ ସେପରି ଅବସ୍ଥାରେ ବାଦଶାହ ତାହା ମଧ୍ୟ କରିବାକୁ ପଶ୍ଚାତ୍‌ପଦ ହୋଇନଥାନ୍ତେ । କ୍ରୋଟର ମଧ୍ୟରେ ଥିବା ସିଂହ ସିଂହୀକୁ ପିଞ୍ଜରାବଦ୍ଧ ଅବସ୍ଥାରେ ଦେଖିଲେ ଯେପରି ଭୟଙ୍କର ଗର୍ଜନ କରେ, ଠିକ୍ ସେହି ଅବସ୍ଥା ଆଓରଙ୍ଗଜେବ୍‌ଙ୍କ ପକ୍ଷରେ ହୋଇଥିଲା ।

 

ରାତ୍ରିର ନିସ୍ତବ୍‌ଧତା ବ୍ୟାପିଯାଆନ୍ତେ ସୈନ୍ୟବାହିନୀର ଆର୍ତ୍ତଚିତ୍କାର ଆଉ ଶୁଣାଗଲା ନାହିଁ; କିନ୍ତୁ ସୁଦୂର ପାହାଡ଼ ଉପରେ ବଡ଼ ବଡ଼ ବୃକ୍ଷ କଟାଯିବା ପରି ଶବ୍ଦ ଶୁଣାଗଲା । ସେହି ଶବ୍ଦ କାହିଁକି ଶୁଣାଯାଉଛି, କେହି କିଛି ଚିନ୍ତାକରିବା ଅବସ୍ଥାରେ ନଥିଲେ କିମ୍ବା ତାହା ଭୌତିକ କାଣ୍ଡ ମନେକରି ସମସ୍ତେ ଭୟରେ ନୀରବ ରହିଲେ ।

 

ପ୍ରଭାତ ହେବାମାତ୍ରେ ଆଓରଙ୍ଗଜେବ୍ ସୈନ୍ୟ ଚାଳନାଲାଗି ଆଦେଶ ଦେଲେ । ତେଣୁ ଚତୁରଙ୍ଗ ମୋଗଲବାହିନୀ କମାଣ ଧରି ଗିରିମାର୍ଗର ପ୍ରବେଶଦ୍ୱାରା ଆଡ଼କୁ ଆଗେଇ ଚାଲିଲେ । ପୂର୍ବଦିନ କ୍ଷୁଧା ତୃଷାରେ ସମସ୍ତେ ବ୍ୟାକୁଳ ହୋଇଥିଲେ; ବାହାରକୁ ବାହାରି ଗଲେ କାଳେ କିଛି ଖାଇବା ପିଇବାକୁ ମିଳିପାରେ; ସେହି ଭରସାରେ ସମସ୍ତେ ନିଜନିଜର ସୁବିଧା ଅନୁସାରେ ଗିରିମାର୍ଗର ପ୍ରବେଶଦ୍ୱାର ଆଡ଼କୁ ପ୍ରାଣ ବିକଳରେ ଛୁଟି ଚାଲିଲେ । ନିଜେ ଆଓରଙ୍ଗଜେବ୍ ମଧ୍ୟ ଉଦୀପୁରୀ ଓ ଜେବ୍ଉନ୍ନିସାଙ୍କୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଉଦୟପୁରକୁ ଧୂଳିସାତ୍ କରିଦେବା ଉଦ୍ଦେଶ୍ୟରେ ଟିକିଏ ହେଲେ ଧୈର୍ଯ୍ୟ ଧାରଣ ନକରି ପ୍ରଚଣ୍ଡବେଗରେ ସେନାମାନଙ୍କ ସହିତ ତାଳଦେଇ ଆଗେଇ ଚାଲିଲେ । ବହୁ ବ୍ୟସ୍ତତା ମଧ୍ୟରେ ସୈନ୍ୟମାନେ ଧାଁ ଦଉଡ଼ କରି ଦେଖିଲେ–ଗିରିମାର୍ଗର ବହିଃଦ୍ଵାର ସମ୍ପୂର୍ଣ୍ଣ ରୁଦ୍ଧ ଏବଂ ମୋଗଲସେନାଙ୍କୁ ଧ୍ୱଂସମୁଖରେ ପକାଇବା ଲାଗି ରାଜପୁତ୍‍ମାନଙ୍କ ପକ୍ଷରୁ ବହୁ ଆୟୋଜନ କରାଯାଇଛି । ରାଜପୁତ୍‍ମାନେ ବିଶାଳ ବୃକ୍ଷମାନ କାଟି ଗିରିମାର୍ଗର ବହିଃଦ୍ୱାରଟିକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେଇଥିଲେ । ଗତ ରାତ୍ରିରେ ଯେଉଁ ଶବ୍ଦ ଶୁଣାଯାଉଥିଲା, ତା’ର ମର୍ମ୍ମ ବର୍ତ୍ତମାନ ମୋଗଲ ସୈନ୍ୟମାନେ ବେଶ୍ ବୁଝିପାରିଲେ । ସେମାନେ ଗିରିମାର୍ଗକୁ ଏପରି ଭାବରେ ବନ୍ଦ କରିଦେଇଥିଲେ ଯେ, ଘୋଡ଼ା, ହାତୀ ଓ ପଦାତି ଯିବା ତ ଦୂରର କଥା ଗୋଟିଏ ବିଲୁଆ କିମ୍ବା କୁକୁର ମଧ୍ୟ ସେହି ମାର୍ଗଦେଇ ବାହାରକୁ ଯାଇପାରିବ ନାହିଁ ।

 

ଏହା ଦେଖିବାମାତ୍ରେ ସୈନ୍ୟମାନଙ୍କ ମଧ୍ୟରେ ଆର୍ତ୍ତଚିତ୍କାର ବ୍ୟାପିଗଲା ଏବଂ ସ୍ତ୍ରୀମାନଙ୍କର କରୁଣ ରୋଦନ ଶୁଣି ବଜ୍ରଠାରୁ କଠିନ ଆଓରଙ୍ଗଜେବ୍‌ଙ୍କ ହୃଦୟ ମଧ୍ୟ ବିଦୀର୍ଣ୍ଣ ହେବାକୁ ଲାଗିଲା ।

 

ସୈନ୍ୟବାହିନୀ ଲାଗି ପଥ ପରିଷ୍କାରକାରୀଦଳ ସବୁବେଳେ ଆଗରେ ରହିଥା’ନ୍ତି; କିନ୍ତୁ ସୈନ୍ୟବାହିନୀକୁ ବିପରୀତ ଦିଗରେ ଚଳାଇବାଲାଗି ଉଦ୍ୟମ କରିବା ଫଳରେ ସେମାନେ ପଛରେ ରହିଥିଲେ । ଆଓରଙ୍ଗଜେବ୍ ସେମାନଙ୍କୁ ଆଗକୁ ଆଣିବାଲାଗି ପ୍ରଥମେ ଆଦେଶ ଦେଲେ; କିନ୍ତୁ ପରମୁହୂର୍ତ୍ତରେ ବୁଝିପାରିଲେ ଯେ, ଏଡ଼େ ବିଶାଳ ବାହିନୀକୁ ନିୟନ୍ତ୍ରିତ କରି ଅଗ୍ରଗାମୀ ଦଳକୁ ପଛରୁ ଆଣି ମାର୍ଗ ପରିଷ୍କାର କରିବାକୁ ହେଲେ, ଆଉ ଗୋଟିଏ ଦିନ ଭୋକଓପାସରେ ରହିବାକୁ ପଡ଼ିପାରେ । ତେଣୁ ପଦାତିକ ସୈନ୍ୟ ଓ ଅନ୍ୟ କେତେକ ଦକ୍ଷ ଲୋକଙ୍କୁ ଲଗାଇବା ସଙ୍ଗେ ସଙ୍ଗେ ହାତୀମାନଙ୍କ ସାହାଯ୍ୟରେ ଗଛଗୁଡ଼ିକୁ ବାହାରକରି ଫିଙ୍ଗିଦେବା ଲାଗି ଆୟୋଜନ କଲେ; କିନ୍ତୁ ସୈନ୍ୟବାହିନୀ ତଥା ବହୁସଂଖ୍ୟକ ହାତୀ ଏହି କାର୍ଯ୍ୟରେ ନିଯୁକ୍ତ ହେବାମାତ୍ରେ, ପର୍ବତର ଶିଖରଦେଶରୁ ଗୀଷ୍ମକାଳୀନ କୁଆପଥର ବୃଷ୍ଟି ହେଲାପରି, ବଡ଼ ବଡ଼ ପଥରଖଣ୍ଡମାନ ଅବିଶ୍ରାନ୍ତ ବୃଷ୍ଟିହେବାକୁ ଲାଗିଲା । ତାହା ଫଳରେ ପଦାତିକ ସୈନ୍ୟମାନଙ୍କୁ ମଧ୍ୟରୁ କାହାର ହାତ, ଗୋଡ଼ ଛିଣ୍ଡିଗଲା ଏବଂ ଶିଳାଘାତରେ କାହାର ବକ୍ଷ ଓ ମସ୍ତକ ଚୂର୍ଣ୍ଣୀଭୂତ ହୋଇଗଲା । ଅନ୍ୟ କେତେକ ପଥରମାଡ଼ରେ ସେହିଠାରେ ମାଟି ପିଣ୍ଡୁଳାପରି ତଳିପଡ଼ିଲେ । ଠିକ୍ ସେହିପରି ଅସଂଖ୍ୟ ହସ୍ତୀଙ୍କର ଶୁଣ୍ଢ, ଦନ୍ତ, ପାଦ, କୁମ୍ଭ, ମେରୁଦଣ୍ଡ ଭାଙ୍ଗି ଚୁରମାର ହୋଇଗଲା । ତେଣୁ ସେମାନେ ଭୀଷଣ ଗର୍ଜନ କରି ପଦାତିକ ସୈନ୍ୟଙ୍କୁ ଦଳିଚକଟି ପଳାଇବାକୁ ଲାଗିଲେ । ତାହା ଫଳରେ ଆଓରଙ୍ଗଜେବ୍‌ଙ୍କ ବିଶାଳ ସେନା ମଧ୍ୟରେ ଆତଙ୍କ ଖେଳିଗଲା ଏବଂ କ୍ଷଣକ ମଧ୍ୟରେ ସମସ୍ତ ସେନା ବିଶୃଙ୍ଖଳ ତଥା ଭୀତତ୍ରସ୍ତ ହୋଇଗଲେ । ଯେଉଁ ମୋଗଲସେନାମାନେ ଶିଳାବୃଷ୍ଟି ଫଳରେ କୌଣସିମତେ ବର୍ତ୍ତିଯାଇ ପ୍ରାଣରକ୍ଷା କରିବାକୁ ଚାହୁଁଥିଲେ, ପର୍ବତ ଉପରେ ଜଗି ରହିଥିବା ଅସଂଖ୍ୟ ରାଜପୁତ୍ ସୈନ୍ୟଙ୍କ ବନ୍ଧୁକ ଗୁଳିରେ ସେମାନେ ପ୍ରାଣ ହରାଇବାକୁ ଲାଗିଲେ । ତେଣୁ କଟାଗଛଦ୍ୱାରା ନିର୍ମିତ ସୁଦୃଢ଼ ପ୍ରାଚୀର ନିକଟରେ କୌଣସି ସୈନ୍ୟ କ୍ଷଣକାଳ ଲାଗି ତିଷ୍ଠିପାରିଲେ ନାହିଁ ।

 

ଏହା ଶୁଣିବାମାତ୍ରେ ଆଓରଙ୍ଗଜେବ୍ ସେନାପତିମାନଙ୍କୁ ଧିକ୍‌କାର କରି କୌଣସିମତେ ମାର୍ଗ ପରିଷ୍କାର କରିବାଲାଗି କଠୋର ଆଦେଶ ଶୁଣାଇଲେ । ତେଣୁ ଜୀବନକୁ ପାଣିଛଡ଼ାଇ ଦେଇ ବହୁ ସାହସୀ ସୈନ୍ୟ ହସ୍ତୀମାନଙ୍କ ସାହାଯ୍ୟରେ ପୁଣି ମାର୍ଗ ପରିଷ୍କାର ଲାଗି ‘ଦୀନ୍, ଦୀନ୍’ ଶବ୍ଦରେ ବାୟୁମଣ୍ଡଳକୁ ମୁଖରିତ କରାଇ ବୃକ୍ଷ ନିର୍ମିତ ପ୍ରାଚୀର ଭଗ୍ନ କରିବାକୁ ଲାଗିଲେ; କିନ୍ତୁ ପୂର୍ବପରି ରାଜପୁତ୍‌ମାନଙ୍କ ଶିଳା ଓ ଗୁଳି ବର୍ଷଣରେ ସେମାନଙ୍କ ସାହସ ଓ ଧୈର୍ଯ୍ୟ କ୍ଷଣକ ମଧ୍ୟରେ ଭାଙ୍ଗିପଡ଼ିଲା । ଅସଂଖ୍ୟ ସୈନ୍ୟ ତଥା ହସ୍ତୀମାନଙ୍କୁ ହରାଇ ଗିରିମାର୍ଗ ପରିଷ୍କାର କରିବା ମୋଗଲମାନଙ୍କ ପକ୍ଷରେ ସମ୍ଭବ ହେଲାନାହିଁ ।

 

ଶେଷରେ ଆଓରଙ୍ଗଜେବ୍ ନିରାଶ ହୋଇ ଅଗ୍ରସର ହେବାର ଆଶା ତ୍ୟାଗକଲେ ଏବଂ ଯେଉଁପଥ ଦେଇ ସେମାନେ ଗିରିଗହ୍ଵର ମଧ୍ୟକୁ ପ୍ରବେଶ କରିଥିଲେ, ସେହି ମାର୍ଗରେ ବାହାରକୁ ପଳାଇଯାଇ ଆତ୍ମରକ୍ଷା କରିବା ଲାଗି ତତ୍ପର ହୋଇଉଠିଲେ । ଏକେ ତ ସୈନ୍ୟମାନେ କ୍ଷୁଧା ତୃଷାରେ ବ୍ୟାକୁଳ; ନିଜେ ମଧ୍ୟ ବେଗମ୍‌ମାନଙ୍କ ସହିତ ସେହି ଦଶା ଭୋଗୁଛନ୍ତି, ତେଣୁ ଆଉ ଅଗ୍ରସର ହେବାର ଅନ୍ୟ ଉପାୟ ନ ଥିଲା, ପର୍ବତ ମଧ୍ୟ ଏପରି ସିଧାସଳଖ ଭାବରେ ମୁଣ୍ଡ ଟେକିଥିଲା ଯେ, ତା’ ଉପରକୁ ଚଢ଼ିବାର କୌଣସି ଉପାୟ ନ ଥିଲା । ତେଣୁ ସୈନ୍ୟବାହିନୀ ସହିତ ଆଓରଙ୍ଗଜେବ୍ ଫେରିଆସିବାକୁ ବାଧ୍ୟ ହେଲେ ।

 

କିନ୍ତୁ ହାୟ, ସାରଦିନ ଅତିବାହିତ ହେବାପରେ ସନ୍ଧ୍ୟାବେଳକୁ ସୈନ୍ୟମାନେ ଆସି ଗିରିମାର୍ଗର ପ୍ରବେଶଦ୍ୱାରରେ ଉପସ୍ଥିତ ହେଲେ ସତ୍ୟ; କିନ୍ତୁ ଜଣେ ହେଲେ ସୈନ୍ୟ ବାହାରକୁ ଯାଇପାରିଲେ ନାହିଁ; କାରଣ ଏହି ମାର୍ଗ ମଧ୍ୟ ବିଶାଳ ବୃକ୍ଷଗୁଡ଼ିକଦ୍ଵାରା ରୁଦ୍ଧ ହୋଇଛି ଏବଂ ପର୍ବତର ଶିଖରଦେଶରେ ବହୁ ସଂଖ୍ୟକ ରାଜପୁତ୍ ମୋଗଲ ସେନାଙ୍କୁ ନିପାତ କରିବାଲାଗି ତତ୍ପରତାର ସହିତ ଜଗିରହିଛନ୍ତି ।

 

କିନ୍ତୁ ଉପାୟ ନାହିଁ, ଏଠାରୁ ବାହାରି ନ ଗଲେ ମୃତ୍ୟୁ ନିଶ୍ଚିତ । ତେଣୁ ଆଓରଙ୍ଗଜେବ୍ ସେନାପତିମାନଙ୍କୁ ଡାକି କାକୁତି ମିନତି, ଉତ୍ସାହବାଣୀ ତଥା ଭୟ ପ୍ରଦର୍ଶନ କରାଇ ଅବରୋଧ ମାର୍ଗକୁ ଖୋଲିବା ଲାଗି ଆଦେଶ ଦେଲେ । ସେମାନେ ପ୍ରାଣ ବିନିମୟରେ ରୁଦ୍ଧ ମାର୍ଗକୁ କୌଣସିମତେ ଖୋଲିବା ପାଇଁ ଅଗ୍ରସର ହେଲେ । ଏଥର ଆଉ ଗୋଟିଏ ସୁବିଧା ଥିଲା–ମାର୍ଗ ପରିଷ୍କାରକ ସେନାମାନେ ଆଗରେ ଥିଲେ । ମୋଗଲମାନେ ଜୀବନକୁ ପାଣି ଛଡ଼ାଇ ରୁଦ୍ଧ ପ୍ରାଚୀରରୁ କଟା ଗଛଗୁଡ଼ିକ ବାହାର କରିବାକୁ ଲାଗିଲେ; କିନ୍ତୁ ସେମାନଙ୍କ ପ୍ରଚେଷ୍ଟା କ୍ଷଣକ ମଧ୍ୟରେ ଛିନ୍ନଛତ୍ର ହୋଇଗଲା । ପର୍ବତ ଶିଖରଦେଶରୁ ପ୍ରଚଣ୍ଡ ବେଗରେ ଶିଳାବୃଷ୍ଟି ହେବାକୁ ଲାଗିଲା । ଭାଦ୍ର ଆଶ୍ଵିନର ପ୍ରବଳ ବର୍ଷା ଧାରାରେ ଧାନଗଛ ଯେପରି ତଳେ ଶୋଇଯାଏ, ଠିକ୍ ସେହିପରି ଶିଳାଘାତରେ ଶହଶହ ମୋଗଲସେନା ତଳେ ପଡ଼ି ତ୍ରାହି ତ୍ରାହି ଡାକ ଛାଡ଼ିଲେ ।

 

ତା’ପରେ ରାଜପୁତ୍‌ମାନେ ମୋଗଲ ସେନାର ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟା ଲକ୍ଷ୍ୟ କରି ବଡ଼ ବଡ଼ ତୋପ ସଜାଇଦେଲେ । ରାଜସିଂହଙ୍କ କମାଣଗୁଡ଼ିକ ଭୟଙ୍କର ଗର୍ଜନ କରି ମୋଗଲସେନାଙ୍କ ଉପରେ ଅଗ୍ନିବୃଷ୍ଟି କରିଦେଲେ । ହାତୀ, ଘୋଡ଼ା, ସୈନ୍ୟ, ସେନାପତି ଯେ ଯେଉଁଠି ଥିଲେ, କ୍ଷଣକ ମଧ୍ୟରେ ଛିନ୍ନଭିନ୍ନ ହୋଇଗଲେ । କ୍ରୂର ସର୍ପ ଯେପରି ଅଗ୍ନିଭୟରେ କୁଣ୍ଡଳିମାରି ଗର୍ତ୍ତ ମଧ୍ୟରେ ଲୁଚିରହେ, ମୋଗଲମାନେ ଠିକ୍ ସେହିପରି ବୃକ୍ଷପ୍ରାଚୀରଠାରୁ ଦୂରକୁ ହଟିଯାଇ ପର୍ବତ ଆଢ଼ୁଆଳରେ ଆତ୍ମଗୋପନ କଲେ । ଶାହନଶାହ ବାଦଶାହ ଆଓରଙ୍ଗଜେବ୍ ହୀରକମଣ୍ଡିତ ନିଜର ଉଷ୍ଣୀଷ ମୁଣ୍ଡରୁ ବାହାର କରି ଦୂରକୁ ଫିଙ୍ଗିଦେଇ ଭୂମିରେ ଆଣ୍ଠୁମାଡ଼ି ତଳେ ବସିପଡ଼ିଲେ ଏବଂ ପଥର ଉପରେ ପଡ଼ିଥିବା କାକର ବିନ୍ଦୁରେ ହାତ ମାରି ମୁଣ୍ଡରେ ବୋଳିବାକୁ ଲାଗିଲେ । ଦିଲ୍ଲୀର ମହାପ୍ରତାପୀ ବାଦଶାହ ରାଜପୁତାନାର ଗୋଟିଏ ଜଙ୍ଗଲୀ ଭୂୟାଁଦ୍ୱାରା ପିଞ୍ଜରାବଦ୍ଧ ଷିମୂକ ପରି ଅସହାୟ ହୋଇ ପଡ଼ିଲେ । ସେ ଆଉ କୌଣସି ପ୍ରକାର ଉପାୟ ନ ଦେଖି, ତୁଚ୍ଛ ରାଜପୁତ ରମଣୀ ନିର୍ମଳ ଉଦ୍ଦେଶ୍ୟରେ ପାରାବତଟିକୁ ଉଡ଼ାଇଦେଲେ ।

Image

 

ପିଞ୍ଜରା ବଦ୍ଧ ସିଂହୀ

 

ଉଦୀପୁରୀ ଓ ଜେବ୍ଉନ୍ନିସାଙ୍କୁ ଯଥାସ୍ଥାନରେ ରଖାଇ ନିର୍ମଳକୁମାରୀ, ମହାରାଣୀ ଚଞ୍ଚଲ୍‍କୁମାରୀ ନିକଟରେ ପହଞ୍ଚି ପ୍ରଣାମ କଲା ଏବଂ ଆଜିପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା, ଗୋଟିଗୋଟି କରି ସବୁ ବଖାଣିଗଲା । ସବୁକଥା ଶୁଣିସାରି ଚଞ୍ଚଲ୍‍କୁମାରୀ ଉଦୀପୁରୀ ବେଗମ୍‌କୁ ଡକାଇଲେ । ସେ ଆସିବାମାତ୍ରେ ତାକୁ ସ୍ଵତନ୍ତ୍ର ଆସନରେ ବସାଇ, ସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ ନିଜେ ଛିଡ଼ା ହୋଇପଡ଼ିଲେ । ଉଦୀପୁରୀ ଅତ୍ୟନ୍ତ ବିଷଣ୍ଣ ମନରେ ତଥା ବିନୀତ ଭାବରେ ଆସି ଚଞ୍ଚଲ୍‍କୁମାରୀ ନିକଟରେ ପହଞ୍ଚିଲା; କିନ୍ତୁ ଚଞ୍ଚଲ୍‍ର ସୌଜନ୍ୟ ଲକ୍ଷ୍ୟ କରି ଭାବିଲା–ବୋଧହୁଏ କ୍ଷୁଦ୍ର ହିନ୍ଦୁ ରମଣୀ ମୋଗଲ ସମ୍ରାଟଙ୍କ ଭୟରେ ଏପରି ସମ୍ମାନ ପ୍ରଦର୍ଶନ କରୁଛି । ତେଣୁ ସେ ଗର୍ବିତକଣ୍ଠରେ କହିଲା–“ତୁମେ ମୋଗଲମାନଙ୍କଠାରୁ ମୃତ୍ୟୁ କାମନା କରୁଛ କାହିଁକି ?”

 

ବେଗମ୍‌ର ଦିମାକ୍ ଲକ୍ଷ୍ୟକରି ଚଞ୍ଚଲ୍‍ ଟିକିଏ ହସିଦେଇ କହିଲା–“ଆମେ ସେମାନଙ୍କ ନିକଟରେ ମୃତ୍ୟୁ କାମନା କରିନାହୁଁ, ସେମାନେ ଆମ ହାତରେ ଜୀବନଦାନ ଲାଗି ପ୍ରସ୍ତୁତ ହୋଇ ଆମ ପାଖକୁ ଆସିଛନ୍ତି ! କିନ୍ତୁ ସେମାନେ ଭୁଲି ଯାଇଛନ୍ତି ଯେ, ହିନ୍ଦୁମାନେ ମୁସଲମାନମାନଙ୍କଠାରୁ କୌଣସି ଦାନ ଗ୍ରହଣ କରନ୍ତି ନାହିଁ !”

 

ଉଦୀପୁରୀ ଘୃଣାରେ ନାସିକା କୁଞ୍ଚଲ କରି କହିଲା–“ଉଦୟପୁରର ଜଙ୍ଗଲୀ ଭୂୟାଁମାନେ ପୁରୁଷାନୁକ୍ରମେ ମୁସଲମାନମାନଙ୍କଠାରୁ ଦାନ ଗ୍ରହଣ କରିଆସୁଛନ୍ତି । ସୁଲତାନ ଆଲ୍ଲାଉଦ୍ଦୀନ୍‌ଙ୍କ ପ୍ରସଙ୍ଗ ବାଦ୍‌ଦେଲେ ମଧ୍ୟ, ବାଦ୍‌ଶାହ ଆକ୍‌ବର ଶାହ ଓ ତାଙ୍କ ପୁଅ ନାତିଙ୍କଠାରୁ ରାଜସିଂହଙ୍କ ପୂର୍ବପୁରୁଷମାନେ ବରାବର ଦାନ ଗ୍ରହଣ କରିଆସିଛନ୍ତି !”

 

“ବେଗମ୍ ସାହିବା, ଆପଣ ଭୁଲି ଯାଉଛନ୍ତି–ଆମେ ତାକୁ ଦାନରୂପେ ଗ୍ରହଣ କରିନାହୁଁ; ବରଂ ଋଣରୂପେ ସ୍ଵୀକାର କରିଛୁ ! ଆକ୍‌ବର୍‌ଙ୍କ ଚରଣ ନିଜେ ମହାରଣା ପ୍ରତାପ ସିଂହ ପରିଶୋଧ କରିଦେଇଯାଇଛନ୍ତି । ଆପଣଙ୍କ ଶ୍ଵଶୁରର ଋଣ ପରିଶୋଧ କରିବାଲାଗି ବର୍ତ୍ତମାନ ଆମେମାନେ ପ୍ରସ୍ତୁତ ହୋଇଛୁ । ସେହି ଋଣଭାରର ପ୍ରଥମ କିସ୍ତି ସୁଝିବା ଲାଗି ଆପଣଙ୍କୁ ଏଠାକୁ ଅଣାଯାଇଛି । ମୋ’ ତମାଖୁ ଚିଲମଟା ଲିଭିଯାଇଛି; ଦୟାକରି ସେହି ଚିଲମଟା ସଜାଇ ଆଣିଲେ ।” ଉଦୀପୁରୀର ଦିମାକ୍ ଥଣ୍ଡା କରି ଦେଇ କହିଲା ଚଞ୍ଚଲ୍‍କୁମାରୀ ।

 

ଚଞ୍ଚଲ୍‍କୁମାରୀ ଯେପରି ସୌଜନ୍ୟ ପ୍ରଥମେ ଦେଖାଇଥିଲେ, ଉଦୀପୁରୀ ଯଦି ତାହାର ସଦୁପଯୋଗ କରିଥା’ନ୍ତା, ତା’ହେଲେ ହୁଏତ ଏ ଅପମାନ ତାକୁ ଭୋଗକରିବାକୁ ପଡ଼ିନଥା’ନ୍ତା । ସେ ପ୍ରଥମରୁ କଟୁକ୍ତି ପ୍ରକାଶ କରି ଚଞ୍ଚଲ୍‍କୁମାରୀ ମନରେ ବିରକ୍ତି ଜାତ କରାଇ–ଦେଲା; ସେଇଥିଲାଗି ତାକୁ ଏ ସଜା ଭୋଗିବାକୁ ପଡ଼ିଲା । ତମାଖୁ ସଜାଇବା ଲାଗି ଚଞ୍ଚଲ୍‍ର ଆଦେଶ ଶୁଣି ଦିଲ୍ଲୀକୁ ପଠାଇଥିବା ନିମନ୍ତ୍ରଣପତ୍ରର ବିଷୟବସ୍ତୁ ବେଗମ୍‌ର ମନେ ପଡ଼ିଗଲା । ତେଣୁ କ୍ରୋଧ, ଅଭିଯାନ ତଥା ବିରକ୍ତିରେ ତାର ଶରୀର ଝାଳରେ ସୁଡ଼ୁବୁଡ଼ୁ ହୋଇଗଲା । ତଥାପି ନିଜର ଚିରାଚରିତ ଗର୍ବ ପ୍ରଦର୍ଶନ କରି ସେ କହିଲା–“ବାଦ୍‌ଶାହଙ୍କ ବେଗମ୍ କେବେହେଲେ ତମାଖୁ ପ୍ରସ୍ତୁତ କରେନାହିଁ ।”

 

“ଯେତେବେଳେ ବାଦ୍‌ଶାହଙ୍କ ବେଗମ୍ ଥିଲ, ସେତେବେଳେ ସିନା ତମାଖୁ ସଜାଉ ନଥିଲ; କିନ୍ତୁ ଏବେ ଏଠାରେ ତୁମେ ମୋର ଦାସୀ । ମୋର ହୁକୁମ୍, ତୁମେ ମୋ ପାଇଁ ତମାଖୁ ଚିଲମ ସଜାଇ ଆଣ ।”

 

ଉଦୀପୁରୀ ଚଞ୍ଚଲ୍‍କୁମାରୀର ଆଦେଶ ଶୁଣି, ଦୁଃଖରେ ନୁହେଁ, କ୍ରୋଧରେ କାନ୍ଦି ପକାଇଲା, ସେ ପୂର୍ବପରି ସ୍ପର୍ଦ୍ଧାର ସହିତ କହିଲା–“ତୁମର ଆସ୍ପର୍ଦ୍ଧା କମ୍ ନୁହେଁ ? ବାଦଶାହ ଆଲମ୍‌ଗିରଙ୍କ ବେଗମ୍‌କୁ ତୁମେ ତମାଖୁ ଚିଲମ ସଜାଇ ଦେବାକୁ କହୁଛ ?”

 

“ମୋର ବିଶ୍ଵାସ, କାଲି ନିଜେ ଆଲାମ୍‌ଗିର ବାଦ୍‌ଶାହ ଏଠାକୁ ଆସି ମହାରଣାଙ୍କ ଚିଲମ୍ ସଜିଲ କରିଦେବେ । ସେତେବେଳେ ତାଙ୍କୁ ତୁମେ ଶିଖାଇଦେବ । ତେଣୁ ଆଜି ଶିଖି ନିଅ ।” ଏହା କହି ଚଞ୍ଚଲ୍‍କୁମାରୀ ଦାସୀମାନଙ୍କୁ ଆଦେଶ ଦେଇ କହିଲେ–“ଏହାଙ୍କ ହାତରେ ମୋ’ଲାଗି ତମାଖୁ ଚିଲମ ସଜାଇ ଆଣ ।”

 

ଉଦୀପୁରୀ ଲଜ୍ଜା, ଅପମାନ ତଥା କ୍ଷୋଭରେ ସେଠାରୁ ଉଠିଲାନାହିଁ । ତା’ପରେ ଦାସୀମାନେ କହିଲେ–“ଚିଲମ ଉଠାଅ ।” ଉଦୀପୁରୀ ତଥାପି ଉଠିଲାନାହିଁ । ତେଣୁ ଦାସୀମାନେ ତା’ର ହାତ ଧରି ଉଠାଇବାକୁ ଆସିଲେ । ଶାହାନ୍‌ଶାହ୍‌ଙ୍କ ପ୍ରିୟତମା ବେଗମ୍ ଅପମାନରେ ଜର୍ଜ୍ଜିରିତା ହୋଇ ଚିଲମ୍ ଉଠାଇବା ଲାଗି ଛିଡ଼ା ହୋଇପଡ଼ିଲା; କିନ୍ତୁ ସେ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସେ ଥରି ଥରି ପଥର ଚଟାଣ ଉପରେ ଗଛ ହୋଇପଡ଼ିଲା; କିନ୍ତୁ ସେ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସେ ଥରି ଥରି ପଥର ଚଟାଣ ଉପରେ ଗଛ କାଟିଲାପରି ପଡ଼ିଗଲା । ହଠାତ୍ ଦାସୀମାନେ ଧରିନେବାରୁ ବିଶେଷ ଆଘାତ ଲାଗିଲାନାହିଁ । ଉଦୀପୁରୀ ସେଇଠି ପଡ଼ିଯାଇ ମୂର୍ଚ୍ଛତା ହୋଇଗଲା-। ତା’ ପରେ ଚଞ୍ଚଲ୍‍କୁମାରୀଙ୍କ ଆଦେଶରେ ଦାସୀମାନେ ତାକୁ ସ୍ଵତନ୍ତ୍ର ଶୟନକକ୍ଷକୁ ବୋହିନେଲେ-। ଉଦୀପୁରୀ ଲାଗି ଗୋଟିଏ ସ୍ଵତନ୍ତ୍ର ସାଜସଜ୍ଜାପୂର୍ଣ୍ଣ କୋଠରି ପ୍ରସ୍ତୁତ ହୋଇଥିଲା । ବେଗମ୍‌କୁ ସେଠାରେ ମହାର୍ଘ ଶଯ୍ୟା ଉପରେ ଶୁଆଇଦେଇ ଦାସୀ ପରିବାରୀମାନେ ତା’ର ସେବା ଶୁଶ୍ରୂଷାରେ ଲାଗିଗଲେ । ଅଳ୍ପ ସମୟ ମଧ୍ୟରେ ବେଗମ୍‌ର ଚେତା ଫେରିଆସିଲା ।

 

କୌଣସି ପ୍ରକାର ଅସମ୍ମାନ ପ୍ରଦର୍ଶନ ନକରି, ସମୁଚିତ ଆଦର ଅଭ୍ୟର୍ଥନା କରିବାଲାଗି ଚଞ୍ଚଲ୍‍କୁମାରୀ ଦାସୀମାନଙ୍କୁ ଆଦେଶ ଦେଲେ ।

 

“ଯେତେ ଆଦର ଅଭ୍ୟର୍ଥନା କଲେ କ’ଣ ହେବ, ସେ ସେଥିରେ ଆଦୌ ଖୁସି ହେବ ନାହିଁ !” ହସିଦେଇ କହିଲା ନିର୍ମଳ କୁମାରୀ ।

 

“ତା’ହେଲେ...ଆଉ ତା’ର କ’ଣ ଦରକାର ଯେ ?” ପଚାରିଲା ଚଞ୍ଚଲ୍‍ ।

 

“ସେ ଜିନିଷ ଉଦୟପୁରର ରାଜପୁରୀରେ ମିଳେନାହିଁ !”

 

“ମଦ... ? ସେ ଯେତେବେଳେ ମଦ ମାଗିବ, ତାକୁ ଗୋବରପାଣି ଗିଲାସେ ଧରାଇ ଦେବ ।”

 

ଉଦୀପୁରୀ ସେବା ଶୁଶ୍ରୂଷା ଓ ଆଦର ଅଭ୍ୟର୍ଥନାରେ ସନ୍ତୁଷ୍ଟ ହେଲା; କିନ୍ତୁ ଉପଯୁକ୍ତ ସମୟ ଆସି ଉପସ୍ଥିତ ହୁଅନ୍ତେ, ନିର୍ମଳକୁ ଡକାଇ ଅନେକ କାକୁତିମିନତି କରି କହିଲା–“ଇମଲୀ ବେଗମ୍, ଦୟାକରି ଟିକିଏ ଶରାବ ହୁକୁମ୍ କର !”

 

ନିର୍ମଳ ଯୋଗାଡ଼ କରିବାର ପ୍ରତିଶ୍ରୁତି ଦେଇ ରାଜବୈଦ୍ୟଙ୍କ ନିକଟକୁ ସମ୍ବାଦ ପଠାଇଲା ଏବଂ ତାଙ୍କଠାରୁ ଗୋଟିଏ ଔଷଧ ଅଣାଇ, ସେଥିରୁ ଗୋଟିଏ ବୁନ୍ଦା ମିଶାଇ ସରବତ୍ ଗିଲାସେ ଉଦୀପୁରୀକୁ ଧରାଇଦେଲା । ଉଦୀପୁରୀ ସେତକ ପିଇଦେଇ ଅତ୍ୟନ୍ତ ଆନନ୍ଦିତା ହୋଇ କହିଲା–“ଓଃ, କି ଚମତ୍କାର ମଦ !” ଅଳ୍ପ ସମୟ ମଧ୍ୟରେ ସେ ଗାଢ଼ ନିଦରେ ଶୋଇପଡ଼ିଲା ।

Image

 

ପ୍ରଣୟିନୀ ଜେବ୍ଉନ୍ନିସା

 

ଜେବ୍ଉନ୍ନିସା ଏକାକିନୀ ବସିଛି । ଜଣେ ଦୁଇଜଣ ପରିଚାରିକା ତା’ର ସେବାରେ ବରାବର ଲାଗିରହିଥାଆନ୍ତି । ମଝିରେ ମଝିରେ ନିର୍ମଳ ତା’ର ଖବର ନେଉଥିଲା । ଧୀରେ ଧୀରେ ଉଦୀପୁରୀର ବିଭ୍ରାନ୍ତକର କଥାବାର୍ତ୍ତା ଜେବ୍ଉନ୍ନିସାର କର୍ଣ୍ଣଗୋଚର ହେଲା । ସେ ନିଜ ଲାଗି ଅତ୍ୟନ୍ତ ଚିନ୍ତିତା ହୋଇଉଠିଲା ।

 

ଦିନେ ନିର୍ମଳକୁମାରୀ ତାକୁ ଚଞ୍ଚଲ୍‍କୁମାରୀ ନିକଟକୁ ଘେନିଗଲା । ସେ ସେଠାରେ ନିତାନ୍ତ କଠୋର କିମ୍ବା ଅତ୍ୟନ୍ତ ବିନୀତ ଭାବ ପ୍ରକାଶ ନକରି, ସାଧାରଣ ଭାବରେ ଉପସ୍ଥିତ ହେଲା; କିନ୍ତୁ ସେ ମନେ ମନେ ଭାବିଲା–ମୁଁ ଆଲାମ୍‌ଗିର୍‌ ବାଦଶାହଙ୍କ କନ୍ୟା–“ଏ’କଥା ଭୁଲିଯିବି କାହିଁକି-?

 

ଚଞ୍ଚଲ୍‍କୁମାରୀ ଜେବ୍ଉନ୍ନିସାକୁ ଖୁବ୍ ଆଦର–ଯତ୍ନ କରି, ସ୍ଵତନ୍ତ୍ରରୂପେ ସଜ୍ଜିତ ଆସନରେ ବସାଇ ନାନାପ୍ରକାର ଆମୋଦପ୍ରମୋଦ ଆଲୋଚନା ଆରମ୍ଭ କଲେ । ଜେବ୍ଉନ୍ନିସା ମଧ୍ୟ ସୌଜନ୍ୟର ସହିତ ସଂଯତ ଭାବରେ ପ୍ରତ୍ୟେକ କଥାର ଉତ୍ତର ଦେଲା । ପରସ୍ପର ମନରେ ବିଦ୍ଵେଷଭାବ ଜାତହେବା ଭଳି କେହି କିଛି ପ୍ରସଙ୍ଗ ଉତ୍‌ଥାପନ କଲେନାହିଁ । ଶେଷରେ ଚଞ୍ଚଲ୍‍ ଜେବ୍ଉନ୍ନିସାକୁ ଅତର ଓ ପାନ ଦେଇ, ତା’ର ସମୁଚିତ ପରିଚର୍ଯ୍ୟା ଲାଗି ଦାସୀମାନଙ୍କୁ ଆଦେଶ ଦେଲେ ।

 

କିନ୍ତୁ ଜେବ୍ଉନ୍ନିସା ଆସନରୁ ନ ଉଠି କହିଲା–“ମହାରାଣୀଜୀ ଦୟାକରି କହନ୍ତୁ, ମୋତେ ଏଠାକୁ କାହିଁକି ଅଣାଯାଇଛି ?”

 

“ହଁ, ପ୍ରକୃତରେ ଆପଣଙ୍କୁ ସେ କଥା କୁହାଯାଇ ନାହିଁ; ନ କହିଲେ ହିଁ ଚଳେ ! କୌଣସି ଜଣେ ଦୈବଜ୍ଞଙ୍କ ଆଦେଶ ଅନୁସାରେ ଆପଣଙ୍କୁ ଅଣାଯାଇଛି । ଆଜି ଆପଣ ଶୟନକକ୍ଷରେ ଏକାକିନୀ ଶୟନ କରିବେ ଏବଂ ଦ୍ଵାର ଝରକାଗୁଡ଼ିକ ବନ୍ଦ କରିବେ ନାହିଁ । ପ୍ରହରୀମାନେ ଅଲକ୍ଷ୍ୟରେ ରହି ଆପଣଙ୍କୁ ରକ୍ଷା କରିବେ; ତେଣୁ କୌଣସି ପ୍ରକାର ବିପଦର ସମ୍ଭାବନା ନାହିଁ । ଦୈବଜ୍ଞ କହିଛନ୍ତି–ଆଜି ରାତିରେ ଆପଣ ଗୋଟିଏ ଅଦ୍ଭୁତ ସ୍ଵପ୍ନ ଦେଖିବେ ଏବଂ ଆପଣ ଯେଉଁ ସ୍ଵପ୍ନ ଦେଖିବେ, ଦୟାକରି ମୋତେ କାଲି ତାହା ଖୋଲି କହିବେ ! ଏହା ହିଁ ମୋର ଆପଣଙ୍କଠାରେ ପ୍ରାର୍ଥନା !”

 

ଏହା ଶୁଣି ଅତି ଚିନ୍ତିତ ମନରେ ଜେବ୍ଉନ୍ନିସା ଚଞ୍ଚଲ୍‍କୁମାରୀଠାରୁ ବିଦାୟ ନେଇ ନିଜ କକ୍ଷକୁ ଫେରିଆସିଲା । ଦିଲ୍ଲୀରେ ସେପରି ସୁଖ–ସୁବିଧାରେ ଜେବ୍ଉନ୍ନିସାର ଶଯ୍ୟା ଓ ଆହାରାଦିର ବ୍ୟବସ୍ଥା ହେଉଥିଲା; ନିର୍ମଳ ଠିକ୍ ସେହିପରି ବ୍ୟବସ୍ଥା କରିଦେଲା । ଖାଇପିଇ ସାରି ଜେବ୍ଉନ୍ନିସା ଶୋଇବାକୁ ଗଲା; କିନ୍ତୁ ତା’ ଆଖିକୁ ନିଦ ଆସିଲାନାହିଁ । ଚଞ୍ଚଲ୍‍କୁମାରୀର ଆଦେଶ ଅନୁସାରେ ସେ ଦ୍ଵାର ଝରକା ଖୋଲା ରଖିଥିଲା; କାରଣ ମହାରାଣୀଙ୍କ ଆଦେଶ ଅମାନ୍ୟ କଲେ କାଳେ ତାକୁ ଉଦୀପୁରୀର ଦଶା ଭୋଗକରିବାକୁ ପଡ଼ିପାରେ; ଏ ଭୂତ ତା’ ମନରେ ଉଙ୍କିମାରୁଥିଲା-। ଗୋଟିଏ କକ୍ଷରେ ଏକୁଟିଆ ଦ୍ଵାର ଝରକା ଖୋଲି ରହିଥିବାରୁ, ତା’ ମନରେ ନାନାପ୍ରକାର ସନ୍ଦେହ ଜାତହେଲା । ଗୋପନରେ ତା’ ଉପରେ ଅତ୍ୟାଚାର ହୋଇପାରେ ବୋଲି ତା’ର ସନ୍ଦେହ ହେଲା । ତେଣୁ ନିଦରେ ନ ଶୋଇ ଖୁବ୍ ସତର୍କତାର ସହିତ ଚାହିଁରହିଲା । ଦିନରେ ସେ ଅନେକ ପରିଶ୍ରମ କରିଥିବାରୁ, ନ ଶୋଇବାର ଦୃଢ଼ତା ତା’ ମନରେ ବେଶି ସମୟ ରହିଲାନାହିଁ । ସମସ୍ତ ଚେଷ୍ଟା ସତ୍ତ୍ୱେ ମଝିରେ ମଝିରେ ତା’ ଆଖିରେ ତନ୍ଦ୍ରା ଘୋଟିଆସିଲା । କିଛି ସମୟ ତନ୍ଦ୍ରାରେ ପଡ଼ିରହିବା ପରେ ପୁଣି ଚମକିପଡ଼ି ଉଠି ବସିଲା । ନିଦ ଭାଜିଯିବା ମାତ୍ରେ ସେ ଭାବିବସେ–ଦିଲ୍ଲୀର ରଙ୍ଗମହଲର ଅଧୀଶ୍ଵରୀ ଆଜି ଉଦୟପୁରର ଅନ୍ତଃପୁରରେ ବନ୍ଦିନୀ ! କାବୁଲଠାରୁ ଗୋଲକୁଣ୍ଡା ପର୍ଯ୍ୟନ୍ତ ସମସ୍ତ ଭୂଭାଗ ଯାହାଙ୍କ ଇଙ୍ଗିତରେ ଶାସିତ, ସେହି ବାଦଶାହ ଆଲମ୍‌ଗିରିଙ୍କ ଦକ୍ଷିଣ ହସ୍ତ, ମୋଗଲକୁଳର ଉଜ୍ଜ୍ଵଳ ରତ୍ନ, ମୋଗଲ–ଆକାଶର ପୂର୍ଣ୍ଣଚନ୍ଦ୍ର ଜେବ୍ଉନ୍ନିସା, ଉଦୟପୁର ଭୂୟାଁ ରାଜାର ପିଞ୍ଜରାରେ ମୂଷିକପରି ଉପାୟଶୂନ୍ୟା ହିନ୍ଦୁପୁରରେ ଅସ୍ପୃଶ୍ୟା ଶୂକରୀ ! ହିନ୍ଦୁପରିଚାରିକାମାନଙ୍କର ପାଦର ମଳିପରି ଘୃଣ୍ୟା !! ଓଃ ୟା’ଠାରୁ ମରଣ ଶତେ ଗୁଣ ଭଲ ! ଏହି ଚିନ୍ତାରେ ତା’ର ହୃଦୟ କୋହରେ ପୂରିଉଠିଲା । ସେ ବିକଳ ହୋଇ ଚିନ୍ତାକଲା–ମୁଁ ଯେପରି ମୃତ୍ୟୁର ବିଧାନ ମୋର ପ୍ରାଣାଧିକ ମୋବାରକ୍ ପାଇଁ କରିଥିଲି, ସେହି ମୃତ୍ୟୁ କ’ଣ ଏଠାରେ ମୋ’ପାଇଁ ସୁଲଭ ହେବନାହିଁ ? ପ୍ରକୃତରେ ମୁଁ ସେହିପରି ନିଦାରୁଣ ମୃତ୍ୟୁପାଇଁ ଯୋଗ୍ୟ । ମୋବାରକ୍‍, ମୋର ପ୍ରାଣପ୍ରିୟ ମୋବାରକ୍, ତୁମର ସେହି ସୁଢ଼ଳ ଚେହେରା, ଉଦ୍ଦାମ ବୀରତ୍ଵ କ’ଣ କ୍ଷଣକ ମଧ୍ୟରେ ସର୍ପବିଷରେ ମଉଲିପଡ଼ିଲା । ଶୁଣିଥିଲି–ସେହି ଲୋଭାଣିଆ ଚେହେରା ସାପବିଷଜ୍ଵାଳାରେ କ୍ଷଣକାଳ ମଧ୍ୟରେ ନୀଳବର୍ଣ୍ଣ ହୋଇଯାଇଥିଲା । ସେପରି କାଳଭୂଜଙ୍ଗ କ’ଣ ଉଦୟପୁରରେ ମିଳନ୍ତି ନାହିଁ ? ମୋ’ପରି କାଳଭୁଜଙ୍ଗିନୀ ପାଇଁ କ’ଣ କୌଣସି ସର୍ପ ଏ ଜଗତରେ ସୃଷ୍ଟି ହୋଇନାହିଁ ? ହାୟ ମୋବାରକ୍ ! ମୋବାରକ୍ ! ! ମୋବାରକ୍ ! ! ! ତୁମେ ଥରେ ଆସି ସଶରୀରରେ ମୋତେ ଦେଖାଦିଅ ପ୍ରିୟ ! ଗୋଟିଏ କାଳଭୁଜଙ୍ଗିନୀଦ୍ୱାରା ମୋତେ ଦଂଶନ କରାଇ ଦେଖ, ମୁଁ ସେଇ ବିଷଜ୍ୱାଳାରେ ଦହଗଞ୍ଜ ହୋଇ ମରିପାରୁଛି କି ନାଁ ?

 

ଏହି କଥା ଚିନ୍ତା କରି ଜେବ୍ଉନ୍ନିସା ନିଜର ତନ୍ଦ୍ରାବିଜଡ଼ିତ ଆଖି ଖୋଲି ଚାହିଁ ଦେଖିଲା; ତା’ରି ସମ୍ମୁଖରେ ସଶରୀରରେ ମୋବାରକ୍ ଛିଡ଼ାହୋଇଛି ! ଭୟରେ ତା’ର ହୃଦୟ କମ୍ପି ଉଠିଲା ! ସେ ବିକଟ ଚିତ୍କାର କରି ସେଇଠାରେ ଚେତା ହରାଇ ପଡ଼ିଗଲା ।

 

X X X

 

ପରଦିନ ସକାଳୁ ଉଠିବାବେଳକୁ ଜେବ୍ଉନ୍ନିସାର ଚେହେରା ବିକୃତ ହୋଇଯାଇଥିଲା । ତା’ର ଶରୀର ଏକାବେଳକେ ବିବର୍ଣ୍ଣ ହୋଇଯାଇଥିଲା । ସତେ ଯେପରି, ସେ ଚିତାଗ୍ନିରୁ ବଞ୍ଚି ଫେରିଆସିଛି । ତାହା ବ୍ୟତୀତ ମୋଗଲସୁନ୍ଦରୀ ପ୍ରତି ମୁହୂର୍ତ୍ତ ଅନୁତାପାନଳରେ ଦଗ୍‌ଧ ହେଉଥିଲା-

 

ସେ କୌଣସିମତେ ବେଶଭୂଷା ପିନ୍ଧି ଅନିଚ୍ଛାର ସହିତ ଜଳପାନ ଶେଷକରି ପ୍ରଥମେ ଉଦୀପୁରୀ ସହିତ ସାକ୍ଷାତ କରିବାକୁ ଗଲା । ଦେଖିଲା, ଉଦୀପୁରୀ ଏକୁଟିଆ ବସିଛି; ସମ୍ମୁଖରେ ତା’ର କୃଶବିଦ୍ଧ ଯୀଶୁ ଓ ମାତା ମେରୀଙ୍କର ଦୁଇଟି ଛୋଟମୂର୍ତ୍ତି ଥୁଆହୋଇଛି । ମୋଗଲ ରଙ୍ଗମହଲରେ ପ୍ରବେଶ କରିବା ଦିନରୁ ସେ ଯୀଶୁ ଓ ତାଙ୍କ ମାଆଙ୍କୁ ଭୁଲିଯାଇଥିଲା, ଆଜି ଦୁର୍ଦ୍ଦିନରେ ସେ ତାଙ୍କୁ ମନେପକାଇପାରିଛି । ଖ୍ରୀଷ୍ଟିୟାନ୍‌ର ଚିହ୍ନ ସ୍ଵରୂପ ସେ ଦୁଇଟି ମୂର୍ତ୍ତିଙ୍କୁ ନିଜ ପାଖରେ ରଖିଥାଏ । ବର୍ଷା ସମୟରେ ଦରିଦ୍ରବ୍ୟକ୍ତିର ପୁରୁଣା ଛତାପରି, ସେ ଆଜି ମୂର୍ତ୍ତି ଦୁଇଟିକୁ ଆଗରେ ଥୋଇ ଆଖିରୁ ଝରଝର ଲୁହ ବୁହାଇ ଚାଲିଛି । ଜେବ୍ଉନ୍ନିସା ଉଦୀପୁରୀର ଏତେ ସୁନ୍ଦର ଚେହେରା କେବେହେଲେ ଦେଖିନଥିଲା । ଉଦୀପୁରୀ ଥିଲା ଅତ୍ୟନ୍ତ ସୁନ୍ଦରୀ; କିନ୍ତୁ ଭୋଗବିଳାସ, ଗର୍ବ ଓ ଈର୍ଷାର ଜ୍ୱାଳାରେ ତା’ର ଅତୁଳନୀୟ ରୂପରାଶି ବିକୃତ ହୋଇ ରହିଥାଏ । ଆଜି ଅବିଶ୍ରାନ୍ତ ଲୁହଧାରରେ ସେହି ବିକୃତଭାବ ସମ୍ପୂର୍ଣ୍ଣ ଧୋଇଯାଇ ତାର ରୂପସମ୍ଭାର ପୂର୍ଣ୍ଣବିବିକାଶ ହୋଇପାରିଛି-

 

ଉଦୀପୁରୀ ଜେବ୍ଉନ୍ନିସାକୁ ଦେଖି ଭାରାକ୍ରାନ୍ତ ହୃଦୟରେ କହିଲା–“ଦିନେ ମୁଁ କ୍ରୀତଦାସୀ ଥିଲି, ମୂଲ୍ୟ ବିନିମୟରେ ବଜାରରେ ବିକ୍ରି ହୋଇଥିଲି; ଆଜୀବନ ସେହି କ୍ରୀତଦାସୀ ହୋଇ ରହିଲିନି କାହିଁକି ? ମୋ’ ଭାଗ୍ୟରେ ଏ ଐଶ୍ଵର୍ଯ୍ୟ ଜୁଟିଲା କାହିଁକି ?” ଏତିକି କହି ଉଦୀପୁରୀ ଜେବ୍ଉନ୍ନିସା ମୁହଁକୁ ଚାହିଁ ଚମକିପଡ଼ିଲା ପରି କହିଲା–“ତୁମର ଚେହେରା ଏପରି ହୋଇଛି କାହିଁକି-? କାଲି ତୁମ ଉପରେ କାଫେର୍‌ମାନେ ଅତ୍ୟାଚାର କରିଛନ୍ତି ନା କ’ଣ ?”

 

ଜେବ୍ଉନ୍ନିସା ଦୀର୍ଘନିଃଶ୍ଵାସ ତ୍ୟାଗକରି କହିଲା–“କାଫେରଙ୍କର କ୍ଷମତା କେତେ ? ମୋ ଉପରେ ଆଲାଙ୍କ କୋପଦୃଷ୍ଟି ପଡ଼ିଛି !”

 

“ବିପଦବେଳେ ସମସ୍ତେ ଏମିତି କହନ୍ତି ! ତୁମର କ’ଣ ହୋଇଛି ମୁଁ ଶୁଣିପାରେ କି ?”

 

“ନା...ଏବେ ମୁଁ ସେ କଥା ମୁହଁରେ ଧରିବିନାହିଁ ! କେବଳ ଶେଷନିଃଶ୍ଵାସ ତ୍ୟାଗକରିବା ପୂର୍ବରୁ କହିପାରିବି !”

 

“ଯା’ ହେଉ...ଈଶ୍ୱର ଯୀଶୁ ଏଇ ରାଜପୁତ୍‌ଗୁଡ଼ାଙ୍କୁ ତାଙ୍କ ଦୁଃସାହସିକତା ଲାଗି ସମୁଚିତ ଦଣ୍ଡ ଦିଅନ୍ତୁ !”

 

“ମୋର ବିମର୍ଷତା ଲାଗି ରାଜପୁତ୍‌ମାନଙ୍କର କୌଣସି ଦୋଷ ନାହିଁ !” ଏହା କହି ଜେବ୍ଉନ୍ନିସା ନୀରବରେ ଛିଡ଼ାହୋଇରହିଲା । ଉଦୀପୁରୀ ମଧ୍ୟ କିଛି ନ କହି ଚୁପ୍‌ଚାପ୍ ବସିରହିଲା-। ପରିଶେଷରେ ଚଞ୍ଚଲ୍‍କୁମାରୀ ସହିତ ସାକ୍ଷାତ୍ କରିବା ଲାଗି ଜେବ୍ଉନ୍ନିସା ଉଦୀପୁରୀଠାରୁ ବିଦାୟ ମାଗିଲା । ଏହା ଶୁଣି ମୁହଁ ବିକୃତ କରି କହିଲା ଉଦୀପୁରୀ–“ସେ କ’ଣ ତୁମକୁ ଡାକିଛି କି-?”

 

“ନା... !” ଉତ୍ତର ଦେଲା ଜେବ୍ଉନ୍ନିସା ।

 

“ତା’ହେଲେ କ’ଣ ବେଳେବେଳେ ଯାଇ ସାକ୍ଷାତ କରିବ ? ନାଃ...ସେ କଥା ହୋଇପାରିବ ନାହିଁ; ମନେରଖ, ତୁମେ ମୋଗଲ ବାଦଶାହଙ୍କ ଅଲିଅଳୀ କନ୍ୟା !”

 

“ମୋର ବିଶେଷ ଦରକାର ଅଛି !”

 

“ହେଉ... ! ସାକ୍ଷାତ କଲାବେଳେ ପଚାରିବ ତ, କେତେ ଅସରପି ପାଇଲେ ଜଙ୍ଗଲୀଲୋକଗୁଡ଼ାକ ଆମକୁ ଛାଡ଼ିଦେଇ ପାରିବେ !”

 

“ହେଉ...ପଚାରିବି !” ସେଠାରୁ ବିଦାୟ ନେଇ ଜେବ୍ଉନ୍ନିସା ଚଞ୍ଚଲ୍‍କୁମାରୀ ଅନୁମତିକ୍ରମେ ତାଙ୍କୁ ସାକ୍ଷାତ କଲା । ମହାରାଣୀ ପୂର୍ବଦିନ ପରି ତାକୁ ସମ୍ମାନ ଦେଖାଇ ସ୍ୱାଗତ ସମ୍ବର୍ଦ୍ଧନାର ସହିତ ପଚାରିଲେ–“କ’ଣ...କାଲି ରାତିରେ ବେଶ୍ ନିଦ ହେଲା ତ !”

 

“ନା...ଆ...ଆ... । ଆପଣଙ୍କ ଆଦେଶ ପାଳନ କରିବାକୁ ଯାଇ, ଭୟରେ ଆଦୌ ଶୋଇପାରିଲି ନାହିଁ !”

 

“ତା’ ହେଲେ...କ’ଣ କିଛି ସ୍ଵପ୍ନ ଦେଖିନାହାନ୍ତି ?”

 

“ସ୍ଵପ୍ନ ଦେଖିନାହିଁ ସତ; କିନ୍ତୁ ପ୍ରତ୍ୟକ୍ଷ ଅନେକ କିଛି ଦେଖିଛି !”

 

“ଭଲ ନା ମନ୍ଦ ?”

 

“ଭଲ କି ଖରାପ, ସେ କଥା କହିପାରିବି ନାହିଁ; ତେବେ ଭଲ ତ ଆଦୌ ନୁହେଁ ! କିନ୍ତୁ ସେ ସମ୍ବନ୍ଧରେ ଆପଣଙ୍କଠାରେ ମୋର ଗୋଟିଏ ମାଗୁଣି ଅଛି ।”

 

“କହନ୍ତୁ... !” କୌତୂହଳୀ ହୋଇ କହିଲେ ମହାରାଣୀ ଚଞ୍ଚଲ୍‍କୁମାରୀ ।

 

“କାଲି ଯାହା ଦେଖିଲି, ଆଉ ଥରେ ତାହା ଦେଖିପାରିବି କି ?”

 

“ଜ୍ୟୋତିଷଙ୍କୁ ନ ପଚାରି କହିପାରିବି ନାହିଁ । ମୁଁ ପାଞ୍ଚ ସାତ ଦିନପରେ ତାଙ୍କ ପାଖକୁ ଲୋକ ପଠାଇବି !”

 

“ଆଜି କ’ଣ ଲୋକ ପଠାଯାଇପାରିବ ନାହିଁ ?”

 

“ଏତେ ବ୍ୟଗ୍ର କାହିଁକି ବାଦଶାହଜାଦୀ ?”

 

“ଏତେ ବ୍ୟଗ୍ରତା ବିଷୟରେ କିଛି ପଚାରନ୍ତୁ ନାହିଁ ମହାରାଣୀ ! ଆପଣ ଯଦି ଏଇ ମୁହୂର୍ତ୍ତରେ ମୋତେ ଦେଖାଇ ପାରିବେ; ତା’ ହେଲେ ଆଜୀବନ ମୁଁ ଆପଣଙ୍କ ଦାସୀ ହୋଇ ରହିବି-!”

 

“ଆଶ୍ଚର୍ଯ୍ୟକର କଥା ଶାହଜାଦୀ ! ଏପରି କି ଅଲଭ୍ୟ ବସ୍ତୁ କି ?”

 

ଜେବ୍ଉନ୍ନିସା କିଛି ଉତ୍ତର ଦେଇପାରିଲା ନାହିଁ । ତା’ର ଦୁଇ ଆଖିରୁ ଧାରଧାର ହୋଇ ଲୁହଧାର ଗଡ଼ିଆସିଲା । ଏହା ଦେଖି ମଧ୍ୟ ଚଞ୍ଚଲ୍‍କୁମାରୀ ମନରେ ତିଳେ ହେଲେ ଦୟା ଜାତ ହେଲାନାହିଁ । ସେ ପୂର୍ବ ପରି କହିଲେ–“ପାଞ୍ଚ ସାତ ଦିନ ଅପେକ୍ଷା କରନ୍ତୁ, ସେ ବିଷୟରେ ବିଚାର କରି ଦେଖିବା !”

 

ସେତେବେଳେ ଜେବ୍ଉନ୍ନିସାର ମନରେ ହିନ୍ଦୁ–ମୁସଲମାନର ଭେଦ ରହିଲାନାହିଁ । ସେ ଯେଉଁ ସ୍ତରକୁ ଯିବାର ଅବକାଶ ନ ଥିଲା, ସେହି ସ୍ତରକୁ ଓହ୍ଲାଇ ଆସିଲା । ଚଞ୍ଚଲ୍‍କୁମାରୀ ବସିଥିବା ଆସନ ଉପରକୁ ଉଠିଯାଇ, ଛିନ୍ନଲତା ପରି ଅଜାଡ଼ିପଡ଼ି, ଚଞ୍ଚଲ୍‍କୁମାରୀଙ୍କ ପାଦଉପରେ ମୁହଁ ରଖି ଅଶ୍ରୁଧାରରେ ସିକ୍ତକରି କହିଲା–“ମହାରାଣୀ ! ମୋର ପ୍ରାଣରକ୍ଷା କରନ୍ତୁ, ନୋହିଲେ ଆଜି ନିଶ୍ଚୟ ମୃତ୍ୟୁବରଣ କରିବି ।”

 

ଚଞ୍ଚଲ୍‍କୁମାରୀ ଶାହଜାଦୀକୁ ତଳୁ ଉଠାଇ ନିଜ ଆସନରେ ବସାଇଲେ । ତାଙ୍କ ମନରେ ମଧ୍ୟ ହିନ୍ଦୁ–ମୁସଲମାନର ଭେଦଭାବ ରହିଲାନାହିଁ । ସେ ଜେବ୍ଉନ୍ନିସାକୁ ଆଶ୍ଵାସନା ଦେଇ କହିଲେ, “ଆପଣ କାଲି ରାତିରେ ଯେପରି ଦ୍ଵାର ଝରକା ଖୋଲି ଶୋଇଥିଲେ, ଆଜି ମଧ୍ୟ ଠିକ୍ ସେହିପରି କରିବେ । ମୁଁ ଆଶା କରୁଛି–ଆପଣଙ୍କ ମନସ୍କାମନା ଆଜି ନିଶ୍ଚୟ ପୂରଣ ହେବ ।” ଏହାପରେ ମହାରାଣୀ ଶାହଜାଦୀକୁ ବିଦାୟ ଦେଲେ ।

 

ଉଦୀପୁରୀ ଜେବ୍ଉନ୍ନିସାର ଫେରିବାକୁ ଚାହିଁବସିଥିଲା; କିନ୍ତୁ ଫେରିବାବେଳେ ଜେବ୍ଉନ୍ନିସା ତା’ ସହିତ ସାକ୍ଷାତ କଲାନାହିଁ । ଶେଷକୁ ନିରାଶ ହୋଇ ଉଦୀପୁରୀ ଚଞ୍ଚଲ୍‍କୁମାରୀଙ୍କ ନିକଟକୁ ଯିବାଲାଗି ଅନୁମତି ପ୍ରାର୍ଥନା କଲା ।

 

ଚଞ୍ଚଲ୍‍କୁମାରୀଙ୍କ ସହିତ ସାକ୍ଷାତ ହେବାମାତ୍ରେ, ଉଦୀପୁରୀ ଜେବ୍ଉନ୍ନିସା ଦ୍ଵାରା ପଠାଇଥିବା ପ୍ରଶ୍ନ ଦୋହରାଇଦେଲା । ଏହା ଶୁଣିବାମାତ୍ରେ ଚଞ୍ଚଲ୍‍କୁମାରୀ ମନେ ମନେ ଖୁବ୍ ବିରକ୍ତ ହୋଇ କହିଲେ–“ଯଦି ବାଦଶାହ ଦିଲ୍ଲୀର ଜୁମା ମସ୍‌ଜିଦ୍ ସମେତ ଭାରତବର୍ଷର ସମୁଦାୟ ମସଜିଦ ଭାଙ୍ଗିଦେବେ, ମୟୂରାସନ ଆଣି ଏଠାରେ ଦେଇ ପାରିବେ ଏବଂ ପ୍ରତିବର୍ଷ ଆମକୁ ରାଜକର ଦେବାକୁ ପ୍ରସ୍ତୁତ ହେବେ, ତା’ହେଲେ ତୁମକୁ ଛାଡ଼ିଦିଆଯାଇପାରିବ ।”

 

ଏଭଳି ଅବାନ୍ତର ପ୍ରସ୍ତାବ ଶୁଣି ଉଦୀପୁରୀ କ୍ରୋଧରେ ଥରିଯାଇ କହିଲା–“ଗୋଟେ ବଣୁଆ ଭୂମିଜ ମୁହଁରୁ କମ୍ ଆସ୍ପର୍ଦ୍ଧାର କଥା ବାହାରୁନାହିଁ ତ ? ଆଶ୍ଚର୍ଯ୍ୟ !!!” ଏହା କହି ଉଦୀପୁରୀ ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲା । ତାହା ଦେଖି ଚଞ୍ଚଲ୍‍କୁମାରୀ ହସି ହସି କହିଲେ–“ବିନା ହୁକୁମ୍‌ରେ ଯାଉଛ କୁଆଡ଼େ ? ଜାଣିନାହଁ, ତୁମେ ସେହି ଭୂମିଜ ସ୍ତ୍ରୀର ଦାସୀ ! ଏତେ ଶୀଘ୍ର ଭୁଲିଗଲ ?” ସେ ଜଣେ ଦାସୀକୁ ଡାକି ଆଦେଶ ଦେଲେ, “ମୋର ଏ ନୂଆ ଦାସୀଟାକୁ ନେଇ ସବୁ ରାଣୀମାନଙ୍କ ମହଲରେ ବୁଲାଇ ଦେଖାଇଆଣ ! ପରିଚୟ ଦେଇ କହିବୁ–ଏ ଦାରାସିକୋଙ୍କ କ୍ରୀତଦାସୀ !”

 

ଉଦୀପୁରୀ କାନ୍ଦିକାନ୍ଦି ଦାସୀର ପଛେ ପଛେ ଚାଲିଲା । ଦାସୀ ଉଦୀପୁରୀକୁ ଅନ୍ୟାନ୍ୟ ରାଣୀମାନଙ୍କ ମହଲରେ ବୁଲାଇ ଆଣିଲା ।

 

ସେହି ସମୟରେ ନିର୍ମଳ ଆସି କହିଲା–“ମହାରାଣୀ ! ଅସଲ କଥାଟା ଭୁଲିଯାଉଛ ଯେ... ! ଉଦୀପୁରୀକୁ ଅଣାଯାଇଛି କାହିଁକି ? ଜ୍ୟୋତିଷଙ୍କ ଗଣନା କ’ଣ ମନେନାହିଁ ?”

 

ଚଞ୍ଚଲ୍‍କୁମାରୀ ଟିକିଏ ହସିଦେଇ କହିଲେ–“ମନେନାହିଁ କାହିଁକି । ସେଦିନ ବେଗମ୍‌ର ଅବସ୍ଥା ଦେଖି, ତାକୁ ଆଉ ଅଧିକ କଷ୍ଟ ଦେବାଲାଗି ଇଚ୍ଛା ହେଲାନାହିଁ; କିନ୍ତୁ ବେଗମ୍‌ର ମିଜାଜ୍ ଯାହା, ତା’ ପ୍ରତି ଦୟା ଦେଖାଇବା ନିରର୍ଥକ !”

Image

 

ପ୍ରେମିକ ମୋବାରକ୍

 

ରାତ୍ରିର ଦ୍ୱିତୀୟ ପ୍ରହର ଅତୀତ ପ୍ରାୟ; ସମସ୍ତେ ନିଦ୍ରାରେ ସୁପ୍ତ, ଚାରିଆଡ଼େ ନିସ୍ତବ୍‌ଧ । କିନ୍ତୁ ବାଦଶାହ ଆଲମ୍‌ଗିର୍‌ଙ୍କ ଅଲିଅଳୀ କନ୍ୟା ଜେବ୍ଉନ୍ନିସାର ଆଖିରେ ନିଦ ନାହିଁ–ତାର ଆଖିରୁ ଧାରଧାର ହୋଇ ଲୁହଧାର ବହିଚାଲିଛି; ବେଳେବେଳେ ନିଆଁଘେରା ବଣ ଭିତରେ ବାଘୁଣୀ ପରି ସେ ଗର୍ଜି ଉଠୁଛି; ଆଉ ବେଳେବେଳେ ଶରବିନ୍ଧା ହରିଣୀ ପରି ଅସହାୟ ହୋଇ କାତର ଦୃଷ୍ଟିରେ ଏଣେତେଣେ ଚାହିଁବାରେ ଲାଗିଛି । ଆଜି ରାତିଟା ଜେବ୍ଉନ୍ନିସା ପକ୍ଷରେ ଏକ କଠୋର ପରୀକ୍ଷାର ମୂହୁର୍ତ୍ତ ! ଆକାଶ ମେଘାଚ୍ଛନ୍ନ, ସାଏଁ ସାଏଁ ହୋଇ ଦୁଲୁକା ପବନ ଛାତି ଥରାଇ ଦେଉଛି-! ଚାରିଆଡ଼େ ଘନ ଅନ୍ଧକାର; ଝରକା ଦେଇ ଦିଶୁଥିବା ପର୍ବତଶିଖର ମଧ୍ୟ ନିବିଡ଼ ତମିସ୍ରାର ସାକ୍ଷାତ୍ ସ୍ଵରୂପ ପରି ଭୟାବହ ହୋଇଉଠିଛି । କେବଳ ପର୍ବତ ଉପରେ ଯେଉଁଠି ରାଜପୁତ୍ ଶିବିରଗୁଡ଼ିକ ରହିଛି–ସେଠାରେ ବସନ୍ତ କାନନର ପୁଷ୍ପରାଜି, ସମୁଦ୍ରର ଫେନ କିମ୍ବା କାମିନୀର କମନୀୟ ଅଙ୍ଗର ରତ୍ନାଭରଣ ତୁଲ୍ୟ ଅସଂଖ୍ୟ ଦୀପମାଳା ଜଳୁଛି ! ତା’ ବ୍ୟତୀତ ଅନ୍ୟ ସବୁଆଡ଼େ ନୀରବ, ନିଃଶବ୍ଦ ଓ ଗାଢ଼ ଅନ୍ଧକାରାଚ୍ଛନ୍ନ । ସେହି ନୀରବତା ଭଙ୍ଗକରି ବେଳେବେଳେ ସିପାହୀର ବନ୍ଧୁକର ଧ୍ୱନି, ମେଘର ମନ୍ଦ୍ର ନିନାଦ ବା କମାଣର ତୀବ୍ର ଗର୍ଜନ ବାତାବରଣକୁ ଭୟଙ୍କର କରିଦେଉଛି । କେତେବେଳେ ଭାସିଆସୁଛି ରାଜପୁରୀର ଅଶ୍ଵଶାଳାରୁ ଘୋଡ଼ାମାନଙ୍କର ହେଷାରବ, ଆଉ କେତେବେଳେ ଶୁଭିଯାଉଛି–ରାଜଉଦ୍ୟାନର ଭୀତାହରିଣୀର କାତର ଚିତ୍କାର । ସେହି ଭୀମକାନ୍ତ ରଜନୀରେ ଶାହଜାଦୀ ଜେବ୍ଉନ୍ନିସା, ଉଦୟପୁର ରାଣୀ ଉଆସର ଗୋଟିଏ ସୁସଜ୍ଜିତ ପ୍ରକୋଷ୍ଠର ଫେନିଳ ଶଯ୍ୟା ଉପରେ କାହାର ପ୍ରତୀକ୍ଷାରେ ଅତିଷ୍ଠ ହୋଇ ଭାବୁଛି–ଓଃ, କମାଣର କି ଭୀଷଣ ଗର୍ଜନ ! ଏ ନିଶ୍ଚୟ ମୋଗଲ କମାଣ ! ନୋହିଲେ ଏପରି ଭୟଙ୍କର ଶବ୍ଦ ଆଉ କେଉଁ କମାଣରୁ ଶୁଣାଯିବ ? ଅବ୍‌ବାଜାନ୍‌ଙ୍କ ତୋପ, ଏପରି ଶହ ଶହ ତୋପ ବାଦଶାହଙ୍କ ତୋପଖାନାରେ ଗଚ୍ଛିତ ରହିଛି; କିନ୍ତୁ ଗୋଟାଏ ହେଲେ ତୋପ କ’ଣ ମୋର ଏ ପୋଡ଼ା ହୃଦୟ ପାଇଁ ନାହିଁ ? କେଉଁ ଉପାୟ କଲେ ତୋପ ମୁହଁରେ ଛାତି ପାତିଦେଇ ଏ ପୋଡ଼ା ଜୀବନଟାକୁ ତିଳତିଳ କରି ଜାଳି ଦେଇପାରନ୍ତି ! କାଲି ହାତୀ ଉପରୁ ଲକ୍ଷ୍ୟ କରିଥିଲି–ହଜାର ହଜାର ସୈନ୍ୟଙ୍କ ସମାବେଶ ! ପ୍ରତ୍ୟେକ ସୈନ୍ୟର କମରରେ ଝୁଲୁଥିଲା ଶାଣିତ ଖଡ଼୍‌ଗ । ଅସ୍ତ୍ରର ଝଣଝଣ୍ ଶବ୍ଦରେ ମୁଖରିତ ହୋଇଉଠୁଥିଲା ନିର୍ଜନ ବନ ଗହନ; ଗିରିଗହ୍ଵରରୁ ଭାସିଆସୁଥିଲା ତୀବ୍ର ପ୍ରତିଧ୍ଵନି ! ସେଥିରୁ ଗୋଟିଏ ହେଲେ ମୋର ସମସ୍ତ ବେଦନା ଦୂର ହୋଇଯିବ ! କିନ୍ତୁ...କାହିଁ... ? ଥରେ ହେଲେ ତ ଚେଷ୍ଟା କରିନି... ? ହାତୀ ଉପରୁ ଡେଇଁପଡ଼ି ତା’ ପାଦଚାପରେ ସହଜରେ ନିଜକୁ ଶେଷ କରି ପାରିଥା’ନ୍ତି... କିନ୍ତୁ କାହିଁ...ଥରେ ହେଲେ ତ ସେ ପ୍ରଶ୍ନ ମନରେ ଉଙ୍କିମାରିଲାନି ? କାହିଁକି ? ମୁଁ ନିଶ୍ଚେଷ୍ଟ କାହିଁକି ? ମରିବାକୁ ଇଚ୍ଛା ଅଛି, ଅଥଚ ଉଦ୍ୟୋଗ ଲାଗି ଉପକ୍ରମ କରୁନି କାହିଁକି ? ଏବେ ବି ମୋ’ ଦେହରେ ହୀରାର ଅଳଙ୍କାର ଲଦି ହୋଇଛି; ସେଥିରୁ ଗୋଟିଏ ହୀରାକୁ ଚୁରି ପାଟିରେ ପୂରାଇଦେଲେ ଏ ଜୀବନଲୀଳା ସହଜରେ ଅବସାନ ହୋଇପାରନ୍ତା...କିନ୍ତୁ ମରିପାରୁନି କାହିଁକି ? ନାଃ...ନାଃ...ମୁଁ ଦୁର୍ବଳ...ନିତାନ୍ତ ଅଶକ୍ତ...ମରିବାର ଉଦ୍ୟୋଗ ଲାଗି ମଧ୍ୟ ମନରେ ମୋର ସାହସ କିମ୍ବା ଶକ୍ତି ନାହିଁ...ମୁଁ ଅସହାୟ...ମୁଁ ନିରୁପାୟ... ।’

 

ହଠାତ୍ ଦଲକାଏ ହେମାଳିଆ ପବନ ତୀବ୍ର ବେଗରେ ପଶି ଆସି କକ୍ଷରେ ଆଲୋକଗୁଡ଼ିକୁ ଲିଭାଇଦେଲା । ଅନ୍ଧକାରରେ ଭୀଷଣତା ମଧ୍ୟରେ ଜେବ୍ଉନ୍ନିସାର କାତର ହୃଦୟ କମ୍ପିଉଠିଲା । ଜେବ୍ଉନ୍ନିସା ପୁଣି ଭାବିଲା–ଆରେ... ଏ କ’ଣ ? ପୁଣି ଭୟ କରୁଛି କାହିଁକି ? ଏଇଲାଗେ ମରିବାକୁ ଏତେ ପ୍ରବଳ ଇଚ୍ଛା ହେଉଥିଲା, ପୁଣି ଭୟ ! ଯେ ମରିବାକୁ ପ୍ରସ୍ତୁତ, ତାର ପୁଣି ଭୟ କାହିଁକି ? ଭୟ... ! କାଲି ରାତିରେ ଗୋଟିଏ ମୃତ ମଣିଷର ସଜୀବ ସ୍ଵରୂପ ଦେଖିଛି, ଆଜି ପୁଣି ମୁଁ ବଞ୍ଚିଛି କିପରି ? ନିଶ୍ଚିତ ମୁଁ ମୃତମଣିଷଙ୍କ ଆବାସସ୍ଥଳୀ ଆଡ଼କୁ ଆଗେଇ ଚାଲିଛି; ତା’ ହେଲେ ଆଉ ଭୟ କାହିଁକି ? ତା’ହେଲେ...କ’ଣ ସ୍ଵର୍ଗର ସୁଖଦ ସ୍ଥାନ ମୋ’ ଭାଗ୍ୟରେ ନାହିଁ ? ମୋ’ ପାଇଁ କେବଳ ନର୍କର ଦ୍ଵାର ଉନ୍ମୁକ୍ତ ! ତେଣୁ ମୁଁ...ମୋ’ ମନ ମଧ୍ୟରେ ଭୟର ସଞ୍ଚାର ହେଉଛି, ଆଜିସୁଦ୍ଧା ମୋଗଲପୁରୀର ବିଳାସବ୍ୟସନ ମଧ୍ୟରେ ବୁଡ଼ିରହି, ମୁଁ ଥରେ ହେଲେ ସ୍ଵର୍ଗ-ନରକର ଚିନ୍ତା ମଧ୍ୟ କରିନି; ସ୍ଵର୍ଗରେ କିମ୍ବା ନର୍କରେ ମୋର ବିଶ୍ଵାସ ନାହିଁ, ଖୋଦାଙ୍କ ମେହେର୍‌ବାନୀ ଉପରେ ମୋର ଆସ୍ଥା ନାହିଁ; ଦୀନ ଦୁନିଆକୁ ମୁଁ ସମ୍ପୂର୍ଣ୍ଣ ପାସୋରି ଦେଇଛି ! ଜୀବନରେ କେବଳ ଭୋଗ–ବିଳାସକୁ ମୁଁ ସବୁ କିଛି ମନେ କରିଛି । ହେ ଆଲ୍ଲା, ହେ ରହିମ୍ ! ତୁମେ ମୋତେ ଏଇ ଐଶ୍ଵର୍ଯ୍ୟ ମଧ୍ୟରେ ବୁଡ଼ାଇରଖିଲ କାହିଁକି ? ଏଇ ଐଶ୍ଵର୍ଯ୍ୟ ମୋର ମନୁଷ୍ୟତାକୁ ତିଳ ତିଳ କରି ଜାଳିପୋଡ଼ି ଧ୍ଵଂସ କରିଦେଲା । ସେଇଥିପାଇଁ ମୁଁ ତୁମକୁ ଚିହ୍ନିପାରିଲି ନାହିଁ ! ଐଶ୍ଵର୍ଯ୍ୟ ବିପଦର କାରଣ, ଅଧୋଗମନର ମାର୍ଗ, ଏହା ସିନା ମୁଁ ଜାଣିପାରିଲିନି; କିନ୍ତୁ ତୁମେ ତ ଜାଣିଛ ପ୍ରଭୋ ! ତୁମେ ସବୁକିଛି ଜାଣିଶୁଣି ମୋତେ ଏ ଦୁଃଖ ମଧ୍ୟରେ ବୁଡ଼ାଇ ରଖିଲ କାହିଁକି ? ମୋ’ ବ୍ୟତୀତ ଏ ଦୁନିଆରେ ଆଉ ଅଧିକ ଐଶ୍ଵର୍ଯ୍ୟର ଅଧିକାରିଣୀ କିଏ ସେ ଏବଂ ଏତେ ଦୁଃଖ ମଧ୍ୟରେ ବି ବଞ୍ଚିବାର ଆଶାନେଇ ପୋଡ଼ିଜଳି ମରୁଛି ଆଉ କିଏ ?”

 

ସେହି ମହାର୍ଘ ଶଯ୍ୟା ମଧ୍ୟରୁ ଗୋଟିଏ ପିମ୍ପୁଡ଼ି କିମ୍ବା ଅନ୍ୟ କୌଣସି ଏକ ପୋକ ବାହାରି ଜେବ୍ଉନ୍ନିସାର କୋମଳ ଅଙ୍ଗରେ ଦଂଶନ କଲା । ଯେଉଁ କୋମଳ ଅଙ୍ଗରେ କାମଦେବ ଫୁଲଶର ମାରିବାବେଳେ ମଧ୍ୟ ସାବଧାନ ହୋଇ ପ୍ରୟୋଗ କରେ, ସେଇ ଅଙ୍ଗରେ ଅବଲୀଳାକ୍ରମେ କୀଟଦଂଶନ କରି ରକ୍ତ ବାହାର କରିଦେଲା ! ଦଂଶନଜ୍ଵାଳାରେ ଜେବ୍ଉନ୍ନିସା ବ୍ୟଥା ଅନୁଭବ କଲା । ତା’ପରେ ସେ ଟିକିଏ ହସିଦେଇ ଭାବିଲା–“ଏଇ ସାମାନ୍ୟ କୀଟର ଦଂଶନରେ ମୁଁ କାତର ହେଉଛି ! ଏଇ ଅନନ୍ତ ଦୁଃଖରାଶି ମଧ୍ୟରେ ପଡ଼ି ବ୍ୟାକୁଳ ହେଉଛି ? କିନ୍ତୁ ସେଦିନ ମୋର ପ୍ରିୟତମ ମୋବାରକ୍‌ର ଦଂଶନ ପାଇଁ ବିଷଧରି ସର୍ପର ଆୟୋଜନ ମୁଁ ହିଁ କରିଥିଲି ତ ! ସଂସାରରେ ଏପରି କେହି କ’ଣ ନାହାନ୍ତି, ଯେ କି ମୋ ପାଇଁ ସେଇମିତି ଗୋଟାଏ ବିଷଧରି ସର୍ପ ଯୋଗାଡ଼ କରିଦେଇ ପାରିବ ? ମୁଁ ବର୍ତ୍ତମାନ ଚାହେଁ, ବିଷଧର ସର୍ପର ଦଂଶନରେ ମୃତ୍ୟୁ କିମ୍ବା ମୋବାରକ୍...ମୋର ପ୍ରାଣାଧିକ ପ୍ରିୟ ମୋବାରକ୍‌ର ସୁଖଦ ଆଲିଙ୍ଗନ !”

 

ଅନେକ ସମୟ ଧରି କୌଣସି ବିଷୟରେ ଚିନ୍ତାକଲେ ଶେଷଆଡ଼କୁ କେଇପଦ କଥା ମୁହଁରୁ ବାହାରିପଡ଼େ । ଜେବ୍ଉନ୍ନିସାର ମୁହଁରୁ ଶେଷକଥା କେଇପଦ ବାହାରିଆସିଲା–‘ହୁଏତ ସର୍ପଦଂଶନରେ ମୃତ୍ୟୁ କିମ୍ବା ମୋବାରକ୍... !” ସେଇ ଅନ୍ଧକାର ଭିତରୁ ଆଉ କାହାରି ସ୍ଵର ଭାସି ଆସିଲା–“ମୋବାରକ୍‍କୁ ଆଖି ଆଗରେ ପାଇଲେ ତୁମେ କ’ଣ ତାକୁ ମାରିଦେବନି ?” “ଏ’ କ’ଣ...?” ଜେବ୍ଉନ୍ନିସା ବିଛଣା ଉପରେ; ବେଣୁସ୍ଵନ ଶୁଣି ହରିଣୀ ଆନନ୍ଦିତା ହୋଇ କାନ ଡେରି ଶୁଣିଲାପରି ସେହି ସ୍ଵର ଆଡ଼କୁ ନିବିଡ଼ ଅନ୍ଧକାର ମଧ୍ୟରେ ନିରୀକ୍ଷଣ କରି ଚାହିଁରହିଲା । କିଛିକ୍ଷଣ ସେଇପରି ଭାବରେ ବିସ୍ଫାରିତ ଚକ୍ଷୁରେ ଚାହିଁବା ପରେ ପୁଣି କହିଉଠିଲା–“ଏ...କଅଣ ଶୁଣିଲି...? କାହାର କଣ୍ଠସ୍ଵର... ?’’ ଅନ୍ଧକାର ମଧ୍ୟରୁ ପୁଣି ଶୁଣାଗଲା–“କା’ର ସ୍ଵର ? ଜାଣିପାରୁନ ?” “ହଁ... ! ଜାଣିପାରୁଛି... କି... ନ୍ତୁ... ସେ... ତ ସ୍ୱର୍ଗରେ... ! ତାର ପୁଣି କଣ୍ଠସ୍ଵର ଆସିଲା କେଉଁଠୁ ? ନାଃ...ସେ’ ତ କେବଳ ଛାୟା ନୁହେଁ.. ! ମୋବାରକ୍... ! ତୁମେ କିପରି ସେଇ ସ୍ଵର୍ଗରାଜ୍ୟରୁ ଯା’–ଆସ କରିପାରୁଛ ? ତୁମେ କାଲି ଦେଖାଦେଇଥିଲ, ଆଜି ତୁମର କଣ୍ଠସ୍ଵର ଶୁଣୁଛି... ! ମୁଁ ପ୍ରକୃତରେ କିଛି ବୁଝିପାରୁନି...ତୁମେ ମୃତ ନା ଜୀବିତ ? ଆସିରୁଦ୍ଦୀନ୍ କ’ଣ ମୋ ପାଖରେ ମିଛ କହିଥିଲା... ? ତୁମେ ଜୀବିତ ହୋଇଥାଅ କିମ୍ବା ମୃତ ହୋଇଥାଅ, ଥରେ ମୋ’ ପଲଙ୍କ ପାଖକୁ ଆସ; ତୁମେ କ’ଣ ଆସି ପାରିବନି ? ତୁମେ ଛାୟାରୂପରେ ଆସିଲେ ବି ମୋର ଭୟ ନାହିଁ...ଥରେ ମାତ୍ର ଚାହେଁ ତୁମକୁ...ତୁମର... ।”

 

“କାହିଁକି ?” ଘନ ଅନ୍ଧକାର ଭିତରୁ ଭାସିଆସିଲା ସ୍ଵର !

 

ଜେବ୍ଉନ୍ନିସା ମିନତିଭରା ଆକୁଳ କଣ୍ଠରେ କହିଲା–“ମୁଁ କିଛି କହିବାକୁ ଚାହେଁ... ! ଯାହା ଜୀବନରେ କେବେହେଲେ କହିପାରିନି, ତାହା ଆଜି କହିବାକୁ ଚାହୁଁଛି !”

 

ମୋବାରକ୍ ସେଇ ଘନ ଅନ୍ଧକାର ଭେଦକରି ଜେବ୍ଉନ୍ନିସାର ପଲଙ୍କ ଉପରେ ବସିପଡ଼ିଲା ! ଜେବ୍ଉନ୍ନିସାର ସୁକୋମଳ ଭୁଜବଲ୍ଲରୀରେ ମୋବାରକ୍‌ର ଭୁଜ ସ୍ପର୍ଶ କଲା ! ଏଇ ସୁଖଦ ସ୍ପର୍ଶରେ ମୋଗଲସୁନ୍ଦରୀର ସର୍ବାଙ୍ଗ କଣ୍ଟକିତ ଏବଂ ଆନନ୍ଦରେ ଉଲ୍ଲସିତ ହୋଇଉଠିଲା, ମୋବାରକ୍‌ର ସ୍ପର୍ଶ ଅନୁଭବ କରିବାମାତ୍ରେ ତା’ର ଆଖିରୁ ଅବାରିତ ଗତିରେ ଲୁହଧାର ଦୁଇ ଗଣ୍ଡଦେଇ ଝରିପଡ଼ିଲା । ସେ ମୋବାରକ୍‌ର ହାତକୁ ନିଜ ହାତରେ ଜାବୁଡ଼ି ଧରି କହିଲା–“ତୁମେ ଛାୟା ନୁହଁ ପ୍ରିୟ, ତୁମେ କେବେହେଲେ ଛାୟା ନୁହଁ ! ! ମୋତେ ଯେତେ ଭୁଲାଇଲେ ବି ମୁଁ ଆଉ ଭୁଲିବିନି ! ମୁଁ ତୁମର ! ତୁମର ପ୍ରିୟ !! ତୁମେ ମୋର !!! ମୁଁ ଆଉ ତୁମକୁ ଛାଡ଼ିବିନି... ।” ଜେବ୍ଉନ୍ନିସା ପଲଙ୍କ ଉପରୁ ଓହ୍ଲାଇ ଆସି ମୋବାରକ୍ ପାଦ ଉପରେ ମୁଣ୍ଡ ରଖି ଶୋକାବେଗରେ ଧକେଇ ହୋଇ କହିଲା–“ମୋତେ କ୍ଷମାକାର ପ୍ରିୟ ! ମୁଁ ଐଶ୍ଵର୍ଯ୍ୟର ମତ୍ତତାରେ ଉନ୍ମତ୍ତା ହୋଇଥିଲି; ଆଜି ମୁଁ ଖୋଦାଙ୍କ ନାମରେ ଶପଥକରି ସେଇ ଐଶ୍ଵର୍ଯ୍ୟକୁ ତ୍ୟାଗ କରୁଛି, ତୁମେ ମୋତେ କ୍ଷମାକର !! ତୁମେ ଯଦି ମୋତେ କ୍ଷମାକରିବ, ମୁଁ ଆଉ ଦିଲ୍ଲୀ ଫେରିଯିବିନି । କୁହ...କୁହ ତୁମେ ଜୀବିତ !”

 

ମୋବାରକ୍‌ର ଆଖି ଆଗରେ ନାଚିଉଠିଲା ସେଦିନର ସେଇ ପିଞ୍ଜରାବଦ୍ଧ ସର୍ପାଘାତର ଦୃଶ୍ୟ; ସେ ଦୀର୍ଘନିଃଶ୍ଵାସ ତ୍ୟାଗକରି କହିଲା–“ମୁଁ ପ୍ରକୃତରେ ଜୀବିତ । ଜଣେ ରାଜପୁତ୍ ମୋତେ କବର ଭିତରୁ ଆଣି ଚିକିତ୍ସାକରି ପ୍ରାଣଦାନ ଦେଇଛନ୍ତି ! ତାଙ୍କରି ସାହାଯ୍ୟରେ ମୁଁ ଏଠାକୁ ଆସିପାରିଛି ।”

 

ଜେବ୍ଉନ୍ନିସା ମୋବାରକ୍‌ର ପାଦକୁ ଆହୁରି ଜୋର୍‌ରେ ଜାବୁଡ଼ିଧରି ଅଶ୍ରୁଜଳରେ ପ୍ରିୟତମର ପାଦ ଦୁଇଟିକୁ ଧୋଇଦେଇ କହିଲା–“ମୋତେ କ୍ଷମାକର । ମୋ’ ପ୍ରତି ଦୟାକର ପ୍ରିୟ-!”

 

ମୋବାରକ୍ ତାକୁ ତଳୁ ଉଠାଇବାକୁ ଚେଷ୍ଟାକଲାମାତ୍ରେ ପୂର୍ବପରି ପାଦ ଦୁଇଟିକୁ ଧରି କ୍ଷମା ପାଇବା ଲାଗି ଆକୁଳ କଣ୍ଠରେ ଅନୁରୋଧ କଲା ।

 

“ମୁଁ ତୁମକୁ କ୍ଷମା କରିଛି ପ୍ରିୟେ ! ଯଦି ମୋ’ ମନରେ ସେହି ପୂର୍ବର ଘଟଣାମାନ ରହିଥାଆନ୍ତା ଏବଂ ମୁଁ ତୁମକୁ କ୍ଷମାକରି ନ ଥା’ନ୍ତି, ତେବେ ତୁମ ନିକଟକୁ ଆସିଥାଆନ୍ତି କାହିଁକି ?” ଉତ୍ତରଦେଲେ ମୋବାରକ୍ ।

 

“ଯଦି ପୂର୍ବରୁ ଘଟଣାକୁ ଭୁଲିଯାଇ ତୁମେ ଆସିଛ ଏବଂ ମୋତେ କ୍ଷମାକରିଛ, ତେବେ ମୋତେ ଗ୍ରହଣ କର ! ମୋତେ ଗ୍ରହଣ କରିବା ପରେ ତୁମେ ସର୍ପମୁଖରେ ଦେଇପାର, କିମ୍ବା ତୁମର ଯାହା ଇଚ୍ଛା କୁହ, ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି; କିନ୍ତୁ ମୋତେ ଆଉ ତ୍ୟାଗ କରନାହିଁ । ମୁଁ ତୁମ ନିକଟରେ ଶପଥ କରି କହୁଛି–ଆଉ ଦିଲ୍ଲୀ ଯିବିନାହିଁ । ଆଲମ୍‌ଗିର୍ ବାଦଶାହଙ୍କ ରଙ୍ଗମହଲର ରଙ୍ଗୀନ ଜୀବନଯାପନ କରିବି ନାହିଁ । ମୁଁ କୌଣସି ଶାହଜାଦାକୁ ବିବାହ କରିବାକୁ ଚାହେଁ ନାହିଁ; ଏକମାତ୍ର ଇଚ୍ଛା–ତୁମରି ସଙ୍ଗରେ ଯିବି !” –ଏକା ନିଃଶ୍ଵାସକେ କହିଗଲା ଜେବ୍ଉନ୍ନିସା-

 

ମୋବାରକ୍ ଜେବ୍ଉନ୍ନିସାକୁ ତଳୁ ଉଠାଇଆଣି ସବୁ କିଛି ଭୁଲିଗଲା; ଏପରିକି ସର୍ପ ଦଂଶନର ଦୁଃଖଦ ଘଟଣା ମଧ୍ୟ ପାସୋରିଦେଲା ! ସେ ମନରୁ ପାସୋରିଦେଲା ତାଙ୍କର ଜୀବନରକ୍ଷାକାରିଣୀ ଦରିୟା ବିବିକୁ ଏବଂ ତା’ ସହିତ ଭୁଲିଗଲା ଆତ୍ମହତ୍ୟାର ପ୍ରତିଜ୍ଞା । ତାଙ୍କର ଆଖି ଆଗରେ ଝଲସିଉଠିଲା–ମୋଗଲ୍‌ସୁନ୍ଦରୀ ଅତୁଳନୀୟ ରୂପରାଶି, ଏବଂ କର୍ଣ୍ଣର ପ୍ରତିଧ୍ଵନିତ ହେବାକୁ ଲାଗିଲା– ଜେବ୍ଉନ୍ନିସାର ପ୍ରେମପୂର୍ଣ୍ଣ ଆକୁଳ ନିବେଦନ । ଶାହଜାଦୀର ଗର୍ବ ଚୂର୍ଣ୍ଣ ହୋଇଥିବାର ଦେଖି ମୋବାରକ୍‌ଙ୍କୁ ହୃଦୟ ତରଳିଗଲା । ସେ ଜେବ୍ଉନ୍ନିସାର ସୁକୋମଳ ଅଙ୍ଗଲତାକୁ ନିଜର ବାହୁବନ୍ଧନରେ ରଖି କହିଲା–“ତୁମେ କ’ଣ ପ୍ରକୃତରେ ଏ’ ଫକୀରଟାକୁ ସ୍ଵାମୀରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ?”

 

ଜେବ୍ଉନ୍ନିସା ଦୁଇ ହାତ ଯୋଡ଼ି ବିନୀତ କଣ୍ଠରେ କହିଲା–“ସତେ କ’ଣ ମୋର ଏଡ଼େ ଭାଗ୍ୟ ହେବ ?”

 

ବାଦଶାହଜାଦୀ ଜେବ୍ଉନ୍ନିସା ଆଉ ନଥିଲା ମୋଗଲ ରଙ୍ଗମହଲର ସୁରାସୁନ୍ଦରୀ କିମ୍ବା ଶାହନ୍‌ଶାହମାନଙ୍କର ରୂପଗର୍ବିଣୀ କନ୍ୟା; ସେ ଓହ୍ଲାଇ ଆସିଥିଲା ମାନବତାର ପ୍ରେମ ରାଜ୍ୟକୁ, ସେ ସାଜିଥିଲା ପ୍ରେମିକ ମୋବାରକ୍‌ର ପ୍ରେୟସୀ । ତାର ଏଇ କଥା କେଇ ପଦ ଶୁଣି କହିଲା ମୋବାରକ୍–“ତା’ହେଲେ ତୁମେ ନିର୍ଭୟ ଓ ନିଃସଙ୍କୋଚରେ ମୋ’ ସହିତ ଆସ ।”

 

ସଙ୍ଗେ ସଙ୍ଗେ ମୋବାରକ୍ ଆଲୁଅ ଜଳାଇ ଫାନୁସ୍ ମଧ୍ୟରେ ରଖିଦେଇ ବାହାରକୁ ବାହାରି ଆସିଲେ । ଜେବ୍ଉନ୍ନିସା ମୋବାରକ୍‌ଙ୍କ କହିବା ଅନୁସାରେ ବେଶଭୂଷାରେ ସଜ୍ଜିତା ହୋଇଗଲା । ତା’ପରେ ମୋବାରକ୍ ଜେବ୍ଉନ୍ନିସାର ହାତ ଧରି ଆଗେଇ ଚାଲିଲେ । ବାହାରେ ଦୁଇଜଣ ପ୍ରହରୀ ପ୍ରସ୍ତୁତ ହୋଇ ରହିଥିଲେ; ସେ ଦୁହେଁ ମୋବାରକ୍‌ଙ୍କ ଇଙ୍ଗିତମତେ ପଛେ ପଛେ ଚାଲିଲେ । ବାଟରେ ମୋବାରକ୍ ବୁଝାଇ କହିଲେ–“ରାଜପୁତଙ୍କ ଅନ୍ତଃପୁରକୁ ମହାରାଣାଙ୍କ ବ୍ୟତୀତ ଅନ୍ୟ ପୁରୁଷର ପ୍ରବେଶ ନିଷିଦ୍ଧ, ପୁଣି ମୁସଲମାନର ପ୍ରବେଶ ତ ସ୍ୱପ୍ନରେ ମଧ୍ୟ କଳ୍ପନା କରିହୁଏନା ! ଏଇଥିପାଇଁ ମୁଁ ରାତ୍ରିରେ ଆସିବାକୁ ବାଧ୍ୟହୋଇଛି । ମୁଁ ମହାରାଣୀ ଚଞ୍ଚଲ୍‍କୁମାରୀଙ୍କର ବିଶେଷ ଅନୁଗ୍ରହ ଲାଭ କରିଛି; ତେଣୁ ପ୍ରହରୀମାନଙ୍କ ସାହାଯ୍ୟ ମିଳିଛି । ସିଂହଦ୍ଵାର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ହିଁ ପଡ଼ିବ । ସେଇଠାରେ ମୋର ଘୋଡ଼ା ଓ ତୁମପାଇଁ ପାଲିଙ୍କି ପ୍ରସ୍ତୁତ ଅଛି ।”

 

ପ୍ରହରୀ ଦୁହିଁଙ୍କ ସାହାଯ୍ୟରେ ସେ ଦୁହେଁ ସିଂହଦ୍ଵାର ପାରହୋଇ ନିଜ ନିଜର ଯାନବାହନରେ ବସିପଡ଼ିଲେ । ଉଦୟପୁରରେ ଦୁଇଚାରିଟି ମୁସଲମାନ ପରିବାର ବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ବାସକରୁଥିଲେ । ସେମାନେ ମହାରାଣାଙ୍କ ଅନୁମତିକ୍ରମେ ନଗରର ଉପକଣ୍ଠରେ ଗୋଟିଏ ଛୋଟ ମସ୍‌ଜିଦ୍ ନିର୍ମାଣ କରାଇଥିଲେ । ମୋବାରକ୍ ଜେବ୍ଉନ୍ନିସାକୁ ସଙ୍ଗରେ ନେଇ ସେଠାରେ ଉପସ୍ଥିତ ହେଲେ । ସେଠାରେ ମୂଲ୍ଲା, ଉକିଲ ଓ କାଜି ଉପସ୍ଥିତ ଥିଲେ । ସେମାନଙ୍କ ଉପସ୍ଥିତିରେ ମୋବାରକ୍ ଓ ଜେବ୍ଉନ୍ନିସାର ବିବାହ ଇସ୍‌ଲାମ୍ ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇଗଲା । ତା’ପରେ ମୋବାରକ୍ ନବପରିଣୀତା ପତ୍ନୀର ହାତ ଧରି କହିଲେ–“ଚାଲ, ମୁଁ ତୁମକୁ ଯେଉଁଠାରୁ ଆଣିଥିଲି, ସେଇଠି ଛାଡ଼ିଦେଇ ଆସିବି । କାରଣ ତୁମେ ବର୍ତ୍ତମାନ ସୁଦ୍ଧା ମହାରାଣାଙ୍କର ବନ୍ଦିନୀ ! କିନ୍ତୁ ଖୁବ୍ ଶୀଘ୍ର ତୁମେ ମୁକ୍ତି ପାଇବ ।” ଏହା କହି ମୋବାରକ୍ ଜେବ୍ଉନ୍ନିସାକୁ ନେଇ ତା’ର ଶୟନକକ୍ଷରେ ଛାଡ଼ିଆସିଲେ ।

Image

 

ସିଂହର ଆର୍ତ୍ତନାଦ

 

ପରଦିନ ସକାଳେ ସ୍ନାନ–ଭୋଜନାଦି ଶେଷ କରି ଜେବ୍ଉନ୍ନିସା ଚଞ୍ଚଲ୍‍କୁମାରୀଙ୍କ ନିକଟରେ ଆନନ୍ଦ ମନରେ ବସି କଥୋପକଥନ କରୁଥିଲା । ଦୁଇଦିନର ରାତ୍ରିଉଜାଗର ଓ ଦୁଶ୍ଚିନ୍ତାରେ ଜେବ୍ଉନ୍ନିସା ଶୀର୍ଣ୍ଣା ଦେଖାଯାଉଥିଲେ ମଧ୍ୟ ତା’ ମୁହଁରୁ ହସ ଉକୁଟି ଉଠୁଥିଲା । ଯେଉଁ ଜେବ୍ଉନ୍ନିସା ପୁଷ୍ପରାଶିରେ ନିଜର ଜୁଡ଼ା ମଣ୍ଡନ କରି ପ୍ରତି ଦର୍ପଣ ଆଗରେ ଛିଡ଼ାହୋଇ ହସି ହସି ବେଦମ୍ ହୋଇଯାଏ, ଆଜି ସେ ଜେବ୍ଉନ୍ନିସା ଆଉ ନାହିଁ । ସେ କେବଳ ଜାଣିଥିଲା–ଭୋଗବିଳାସ ଲାଗି ବାଦଶାହଜାଦୀର ଜନ୍ମ; କିନ୍ତୁ ସେ ଆଜି ବାଦଶାହଜାଦୀ ନ ଥିଲା ! ସେ ଆଜି କେବଳ ମାତ୍ର ଜଣେ ନାରୀ, ନାରୀର ନାରୀତ୍ଵ ନେଇ ତା’ର ଜନ୍ମ । ସେ ଶାହନ୍‌ଶାହଙ୍କ ଅଲିଅଳ କନ୍ୟା ହେଲେ ବି ନାରୀର କୋମଳ ହୃଦୟ ତା’ର ରହିଛି । ସେ ବେଶ୍ ଅନୁଭବ କରୁଥିଲା–ସ୍ନେହଶୂନ୍ୟ ନାରୀର ହୃଦୟ ଜଳଶୂନ୍ୟ ତଡ଼ାଗ ପରି ପଙ୍କଳ, ଜଳଶୂନ୍ୟ ନଦୀପରି ଶୁଷ୍କ, କର୍କଶ, ବାଲୁକାମୟ ।

 

ଜେବ୍ଉନ୍ନିସା ଚଞ୍ଚଲ୍‍କୁମାରୀଙ୍କ ଆଗରେ ନିଷ୍କପଟ ହୃଦୟରେ ଗତରାତ୍ରିର ଘଟଣା ବିସ୍ତୃତ ଭାବରେ ବର୍ଣ୍ଣନା କରିଦେଲା । ମହାରାଣୀ ସବୁକିଛି ଜାଣିଥିଲେ । ତାଙ୍କୁ ସବୁକଥା କହିସାରିବା ପରେ ହାତଯୋଡ଼ି କହିଲା–“ମହାରାଣୀଜୀ, ମୋତେ ଆଉ ଅଧିକ ଦିନ ବନ୍ଦୀ କରି ଆପଣଙ୍କର ଲାଭ କ’ଣ ? ମୁଁ ଆଉ ଆଲମ୍‌ଗିର୍ ବାଦଶାହଙ୍କ କନ୍ୟା ନୁହେଁ; ସେ ଧାରଣା ମୁଁ ଚିରଦିନ ଲାଗି ମୋ’ ମନରୁ ପୋଛିଦେଇଛି । ମୁଁ ଆଉ ମୋଗଲ୍ ବାଦଶାହଙ୍କ ନିକଟକୁ ଫେରିଯାଇ ପାରିବିନି; ଗଲେ ମଧ୍ୟ ମୋର ରକ୍ଷାନାହିଁ । ତେଣୁ ମୋତେ ଆପଣ ବନ୍ଦୀ ଜୀବନରୁ ମୁକୁଳାଇ ଦିଅନ୍ତୁ; ମୁଁ ମୋ ସ୍ୱାମୀଙ୍କ ସହିତ ତାଙ୍କର ଜନ୍ମଭୂମି ତୁର୍କୀ ସ୍ଥାନକୁ ଚାଲିଯିବି ।”

 

ଚଞ୍ଚଲ୍‍କୁମାରୀ ଶାହଜାଦୀଙ୍କର ହୃଦୟଖୋଲା କଥା ଶୁଣି କହିଲା–“ଏ ସବୁ ଗହନ କଥାର ଉତ୍ତରଦେବା ମୋର ସାଧ୍ୟର ବାହାରେ ! ନିଜେ ମହାରାଣା ଏ ବିଷୟରେ ନିଷ୍ପତ୍ତି ନେଇପାରିବେ । ସେ ମୋ’ ନିକଟକୁ ପଠାଇଥିଲେ, ତେଣୁ ମୁଁ ଆପଣଙ୍କୁ ମୋ’ ଉଆସରେ ରଖାଇଛି । ହଁ, ୟା ମଧ୍ୟରେ କାଲି ଯାହା ଘଟିଗଲା, ସେଥିଲାଗି ସେନାପତି ମାଣିକଲାଲ୍‍ ଦାୟୀ । ମୁଁ ସେନାପତିଙ୍କଠାରେ ବହୁ ଭାବରେ ଋଣୀ; ତେଣୁ ତାଙ୍କ ଅନୁରୋଧ ଅନୁସାରେ ଏହା କରିଛି; କିନ୍ତୁ ଆପଣଙ୍କ ଅନୁରୋଧ ଅନୁସାରେ ଉଆସରୁ ବିଦାୟ ଦେବା ବିଷୟରେ କିଛି ନିର୍ଦ୍ଦେଶ ପାଇନାହିଁ; ତେଣୁ ଆପଣଙ୍କୁ କୌଣସି ପ୍ରକାର ପ୍ରତିଶ୍ରୁତି ଦେଇ ପାରିବିନାହିଁ ।”

 

ଜେବ୍ଉନ୍ନିସା ବିଷଣ୍ଣ ବଦନରେ କହିଲା–“ଆପଣ ମୋ ଅନୁରୋଧ କ’ଣ ମହାରାଣୀଜୀଙ୍କୁ ଶୀଘ୍ର ଜଣାଇପାରିବେନି ? ତାଙ୍କ ଶିବିର ତ ଖୁବ୍ ବେଶି ଦୂର ନୁହେଁ । କାଲି ରାତିରେ ପାହାଡ଼ ଉପରେ ଥିବା ଶିବିରର ଆଲୋକ ଦେଖାଯାଉଥିଲା ।”

 

ଚଞ୍ଚଲ୍‍କୁମାରୀ ଟିକିଏ ହସିଦେଇ କହିଲେ–“ପାହାଡ଼ଗୁଡ଼ିକ ଯେତେ ନିକଟରେ ବୋଲି ଦେଖାଯାଉଛି, ସେତେ ନିକଟରେ ନୁହେଁ । ଆମେ ପାହାଡ଼ଘେରା ଅଞ୍ଚଳରେ ବାସକରୁଛୁ, ଆମେ ଜାଣୁ । ଆପଣ ମଧ୍ୟ କାଶ୍ମୀର ପ୍ରଭୃତି ପାର୍ବତ୍ୟ ଅଞ୍ଚଳରେ ଏହା ଅନୁଭବ କରିଥିବେ । ସେ ଯା’ ହେଉ, ଲୋକ ପଠାଇବା କଷ୍ଟସାଧ୍ୟ ବ୍ୟାପାର ନୁହେଁ ! କିନ୍ତୁ ମହାରାଣା ଆପଣଙ୍କ ପ୍ରସ୍ତାବରେ ରାଜି ହେବେ ବୋଲି ମୋର ଧାରଣା ହେଉନାହିଁ । ଆପଣ ଜାଣନ୍ତି, ଉଦୟପୁର ପରି କ୍ଷୁଦ୍ରରାଜ୍ୟକୁ ମୋଗଲସେନା ଧ୍ଵଂସ କରିବାର ଇଚ୍ଛା ନେଇ ଏଠାକୁ ଆସି, ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମୋଗଲମାନଙ୍କ ସହିତ ଗୋଟିଏ ସନ୍ଧି ଚୁକ୍ତି ପକ୍‌କା କରାଇନେବା ମହାରାଣାଙ୍କର ଇଚ୍ଛା । ସେ ସମ୍ଭାବନା ନ ଥିଲେ ହୁଏତ ମହାରାଣା ଆପଣଙ୍କ ପ୍ରସ୍ତାବରେ ରାଜି ହୋଇଯାଆନ୍ତେ; କିନ୍ତୁ ଦିନେ ନା ଦିନେ ସନ୍ଧି ହେବାର ସମ୍ଭାବନା ଥିବାରୁ ମହାରାଣା ଆପଣଙ୍କୁ ନିଶ୍ଚିତ ଭାବରେ ବାଦଶାହଙ୍କୁ ଫେରାଇ ଦେବେ ।”

 

“ତା’ହେଲେ ତ ମୋତେ ନିଶ୍ଚିତ ଭାବରେ ମୃତ୍ୟୁମୁଖକୁ ଠେଲିଦିଆଗଲା ବୋଲି ଜାଣିବି-। ମୋ ବିବାହ ସମ୍ବାଦ ପାଇଲେ, ବାଦଶାହ ମୋତେ ବିଷ ଦେଇ ମରାଇଦେବେ ଏବଂ ମୋ ସ୍ୱାମୀଙ୍କ କଥା ଛାଡ଼ନ୍ତୁ । ସେ ଜୀବନରେ ଆଉ ଦିଲ୍ଲୀ ଭୂଇଁରେ ପାଦ ଦେଇପାରିବେ ନାହିଁ । ସେ ହାବୁଡ଼ରେ ପଡ଼ିଲେ ତାଙ୍କର ମୃତ୍ୟୁ ସୁନିଶ୍ଚିତ । ତା’ହେଲେ ଏ ବିବାହରେ ମୂଲ୍ୟ କଅଣ ରହିବ-?” ଦୁଃଖିତ ସ୍ଵରରେ କହିଲା ଜେବ୍ଉନ୍ନିସା ।

 

“ଯାହା ଫଳରେ କୌଣସି ପ୍ରକାର ଅନିଷ୍ଟ ହେବାର ସମ୍ଭାବନା ରହିବ ନାହିଁ, ସେ ପ୍ରକାର ବ୍ୟବସ୍ଥା କରାଯିବା ଆଦୌ ଅସମ୍ଭବ ନୁହେଁ ।”

 

ଏହିପରି ଆଲୋଚନା ଚାଲିଥିବାବେଳେ ନିର୍ମଳ ଖୁବ୍ ବ୍ୟସ୍ତଭାବରେ ସେଠାରେ ଆସି ପହଞ୍ଚିଗଲା । ସେ ମହାରାଣୀଙ୍କୁ ପ୍ରଣାମ କରି ଜେବ୍ଉନ୍ନିସାକୁ ନମସ୍କାର କଲା । ନିର୍ମଳର ବ୍ୟସ୍ତତା ଲକ୍ଷ୍ୟ କରି ପଚାରିଲେ ଚଞ୍ଚଲ୍‍କୁମାରୀ–“ନିର୍ମଳ, ଏତେ ବ୍ୟସ୍ତ କାହିଁକି ?”

 

“ମହାରାଣୀ ! ଅତି ଗୁରୁତ୍ୱପୂର୍ଣ୍ଣ ସମ୍ବାଦ !” ଏହା ଶୁଣିବାମାତ୍ରେ ଜେବ୍ଉନ୍ନିସା ସେଠାରୁ ଅନ୍ୟତ୍ର ଚାଲିଗଲା । ତା’ପରେ ପଚାରିଲେ ମହାରାଣୀ–“କ’ଣ ଯୁଦ୍ଧ ସମ୍ବାଦ ନା’ କ’ଣ ?”

 

ହଁ...ଯେ... ।”

 

ସେ ସମ୍ବାଦ ତ ପ୍ରତି ମୁହୂର୍ତ୍ତରେ ଶୁଣିବାକୁ ମିଳୁଛି ! ମୂଷା ଗାତ ଭିତରେ ପଶିବାମାତ୍ରେ ମହାରାଣା ଗାତର ଦୁଇପାଖ ମୁହଁ ବନ୍ଦ କରାଇ ଦେଇଛନ୍ତି । ଶୁଣିଲି–“କାଳେ ଗାତ ଭିତରେ ମୂଷା ମରି ପଡ଼ିବାର ସମସ୍ତ ଆୟୋଜନ କରାଯାଇଛି !”

 

“କିନ୍ତୁ ଆଉ ଗୋଟିଏ କଥା ମହାରାଣୀ ! ଗାତ ମଧ୍ୟରେ ମୂଷିକ ବଡ଼ କ୍ଷୁଧାର୍ତ୍ତ । ମୋର ସେ ପାରାଟା ଆଜି ଫେରିଆସିଛି । ବାଦଶାହ ତାକୁ ଛାଡ଼ିଦେଇଛନ୍ତି; କିନ୍ତୁ ତା’ ଗୋଡ଼ରେ ଖଣ୍ଡିଏ ପତ୍ର ବନ୍ଧାଯାଇଥିଲା ।”

 

“ପତ୍ର ପଢ଼ିଛୁ ?”

 

“ହଁ, ପଢ଼ିଛି !”

 

“କାହା ପାଖକୁ ପତ୍ର ପଠାଯାଇଛି ?”

 

“ଇମ୍‌ଲୀ ବେଗମ୍ ପାଖକୁ !”

 

“କ’ଣ ଲେଖା ଅଛି ?”

 

ନିର୍ମଳ ପତ୍ରଖଣ୍ଡିକ ବାହାର କରି ପଢ଼ିବାକୁ ଲାଗିଲା–“ମୁଁ ତୁମକୁ ଯେପରି ସ୍ନେହ କରିଛି ଜୀବନରେ କୌଣସି ମନୁଷ୍ୟକୁ ସେପରି ସ୍ନେହ କରିନାହିଁ । ତୁମେ ମଧ୍ୟ ମୋ ପ୍ରତି ଅନୁରୂପ ଶ୍ରଦ୍ଧା ପ୍ରଦର୍ଶନ କରିଛ । ଆଜି ପୃଥିବୀଶ୍ଵର ସାଂଘାତିକ ଦୁର୍ଦ୍ଦଶାଗ୍ରସ୍ତ । ତୁମେ ଲୋକମୁଖରେ ଏ ସମ୍ବାଦ ପାଇଥିବ । ଅନାହାରରେ ପ୍ରାଣ ଯାଉଛି । ଦିଲ୍ଲୀର ଅଧୀଶ୍ଵର ଆଜି ଖଣ୍ଡିଏ ରୁଟି ଲାଗି ଭିକ୍ଷାଶୀ । ଏ ସମୟରେ କିଛି ଉପକାର କରିପାରିବ କି ? ତୁମର ସାଧ୍ୟ ଥିଲେ ନିଶ୍ଚୟ ଚେଷ୍ଟା କରିବ । ଏ ଉପକାର ଜୀବନରେ କେବେହେଲେ ଭୁଲିପାରିବି ନାହିଁ ।”

 

ଏହା ଶୁଣି ଚଞ୍ଚଲ୍‍କୁମାରୀ କୌତୂହଳର ସହିତ ପଚାରିଲେ–“ତୁମେ କି ଉପକାର କରିପାରିବ ?”

 

“ସେ କଥା କହିପାରିବିନି । ଆଉ କିଛି କରି ନ ପାରିଲେ ମଧ୍ୟ ବାଦଶାହ ଓ ଯୋଧପୁର ବେଗମ୍‌ଙ୍କ ଲାଗି କିଛି ଖାଦ୍ୟ ପଠାଇଦେବାର ଚେଷ୍ଟାକରିବି ।”

 

“କିପରି ? ସେଠାକୁ ମଣିଷ ଗତାଗତର ପଥ ରୁଦ୍ଧ... ?”

 

“ସେ କଥା ଏବେ କହିପାରିବି ନାହିଁ । ଦୟାକରି ମୋତେ ଶିବିରକୁ ଯିବାଲାଗି ଅନୁମତି ଦିଅନ୍ତୁ । କିଛି କରିହେବ କି ନା, ଦେଖିଆସେ ।”

 

ଚଞ୍ଚଲ୍‍କୁମାରୀଙ୍କ ଅନୁମତି ପାଇ ନିର୍ମଳକୁମାରୀ ହାତୀରେ ବସି ଶିବିରରେ ଥିବା ନିଜ ସ୍ୱାମୀ ଉଦ୍ଦେଶ୍ୟରେ ଚାଲିଲା । ସେଠାରେ ପହଞ୍ଚି ସେ ସଙ୍ଗେ ସଙ୍ଗେ ମାଣିକଲାଲ୍‍ ସହିତ ଦେଖାକଲା । ମାଣିକଲାଲ୍‍ ତାକୁ ଦେଖିପକାଇ କହିଲା–“କ’ଣ ଯୁଦ୍ଧ କରିବାକୁ ଆସିଛ ନା କ’ଣ ?”

 

“ଯୁଦ୍ଧ... ? କାହା ସହିତ ? ତୁମେ କ’ଣ ମୋ ସହିତ ଯୁଦ୍ଧ କରିବାକୁ ଯୋଗ୍ୟ ?”

 

“ତା’ ତ ନୁହେଁ... । କିନ୍ତୁ ତୁମେ ଆଲାମ୍‌ଗିର୍ ବାଦଶାହଙ୍କ ସହିତ ଯୁଦ୍ଧ କରିପାର ।”

 

“ମୁଁ ତାଙ୍କର ଇମ୍‌ଲୀ ବେଗମ୍, ତାଙ୍କ ସହିତ କ’ଣ ଯୁଦ୍ଧ କରାଯାଇପାରିବ ? ମୁଁ ତାଙ୍କର ଉଦ୍ଧାର ଲାଗି ଆସିଛି । ମୁଁ ଯାହା କହୁଛି, ମନୋଯୋଗ ଦେଇ ଶୁଣ ।”

 

ତା’ପରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଅନେକ ସମୟ ଧରି ଗୋପନ ଆଲୋଚନା ଚାଲିଲା । କଥାବାର୍ତ୍ତା ଶେଷହେବା ପରେ ମାଣିକଲାଲ୍‍ ନିର୍ମଳକୁ ଉଦୟପୁର ପଠାଇଦେଇ ରାଣା ରାଜସିଂହଙ୍କ ତମ୍ବୁରେ ଯାଇ ହାଜିର୍ ହେଲା ।

Image

 

ସନ୍ଧି

 

ମାଣିକ୍‌ଲାଲ ମହାରାଣାଙ୍କୁ ପ୍ରଣାମ କରି କହିଲା–“ମହାରାଜ୍ ! ଏ ଦାସ ଲାଗି ଅନ୍ୟ କୌଣସି ରଣକ୍ଷେତ୍ରର ବ୍ୟବସ୍ଥା କରନ୍ତୁ; ତା’ ହେଲେ ଅତ୍ୟନ୍ତ ଅନୁଗୃହୀତ ହେବି ।”

 

“କାହିଁକି ? ଏଠାରେ ଅସୁବିଧା କ’ଣ ?” ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମହାରାଜା ରାଜସିଂହ ।

 

“ଏଠାରେ ସେପରି ବିଶେଷ କିଛି କାମ ନାହିଁ । କାମ ମଧ୍ୟରେ କ୍ଷୁଧାର୍ତ୍ତ ମୋଗଲମାନଙ୍କ ଶୁଖିଲା ମୁହଁ ଦେଖିବା ଏବଂ ସେମାନଙ୍କ ଆର୍ତ୍ତଚିତ୍କାର ଶୁଣିବ ! ବେଳେବେଳେ ଅବଶ୍ୟ ଗଛପତ୍ର ଉହାଡ଼ରେ ରହି ସେମାନଙ୍କ ଗତିବିଧି ନିରୀକ୍ଷଣ କରି ଆସୁଛି । ଏ କାମ ଯେକୌଣସି ବ୍ୟକ୍ତି କରିପାରିବ । ଆଉ ମଧ୍ୟ ମୁଁ ଭାବୁଛି–ଏତେଗୁଡ଼ାଏ ହାତୀ, ଘୋଡ଼ା, ଓଟ, ମଣିଷ ଏଇ ଗିରିରନ୍ଧ୍ରରେ ମରି ପଚିଗଲେ; ତା’ର ଦୁର୍ଗନ୍ଧରେ ଉଦୟପୁରରେ କେହି ବଞ୍ଚିବେ ନାହିଁ; ବରଂ ବଡ଼ ଧରଣର ମହାମାରୀ ଉପସ୍ଥିତ ହୋଇଯିବ ।”

 

“ତା’ ହେଲେ, ତୁମେ କ’ଣ ଚାହୁଁଛ ଯେ, ମୋଗଲ ସୈନ୍ୟଙ୍କୁ ଅନାହାରରେ ମାରିବା କର୍ତ୍ତବ୍ୟ ନୁହେଁ ।”

 

“ପ୍ରାୟ ସେଇଆ । ଯୁଦ୍ଧକ୍ଷେତ୍ରରେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କୁ ମାରିଲେ ମନରେ ଦୁଃଖ ଜାତ ହୁଏନାହିଁ; କିନ୍ତୁ ଜଣକୁ ଅନାହାରରେ ବସାଇ ବସାଇ ମାରିଲେ ବିଶେଷ ଦୁଃଖ ଜାତ ହୁଏ ।”

 

“ତା’ ହେଲେ ସେମାନଙ୍କ ବିଷୟରେ କରାଯିବ କ’ଣ ?”

 

“ମହାରାଜ ! ଏ ବିଷୟରେ ପରାମର୍ଶ ଦେବାଲାଗି ମୋର ଏତେ ବୁଦ୍ଧି କାହିଁ ? ମୋର କ୍ଷୁଦ୍ର ବୁଦ୍ଧିରେ–ବର୍ତ୍ତମାନ ସନ୍ଧି କରାଯିବାର ପ୍ରକୃଷ୍ଟ ସମୟ ! ଭୋକରେ ପେଟ ଜଳୁଥିବା ବେଳେ ମୋଗଲମାନେ ଯେପରି ଆମ ବୋଲ ମାନିବାକୁ ବାଧ୍ୟହେବେ । ପେଟ ଥଣ୍ଡା ପଡ଼ିଗଲେ ସୁନାପିଲାଙ୍କ ପରି ବୋଲ ମାନିବେ ନାହିଁ । ମହାରାଜ ! ମନ୍ତ୍ରୀପରିଷଦ ଓ ସେନାପତିମାନଙ୍କ ସହିତ ଆଲୋଚନା କରି ଏ ବିଷୟରେ ନିଷ୍ପତ୍ତି ନିଅନ୍ତୁ ।”

 

ରାଜସିଂହ ଏ ପ୍ରସ୍ତାବରେ ଏକମତ ହେଲେ । କାରଣ ଏତେଗୁଡ଼ାଏ ଲୋକଙ୍କୁ ଭୋକଓପାସରେ ମାରିବାକୁ ସେ ମଧ୍ୟ ଚାହୁଁନଥିଲେ । କ୍ଷୁଧାର୍ତ୍ତକୁ ଅନ୍ନଦାନ କରିବା ପରମଧର୍ମ ବୋଲି ହିନ୍ଦୁମାନେ ଜାଣନ୍ତି; ତେଣୁ ସେମାନେ ଶତ୍ରୁକୁ ମଧ୍ୟ ଭୋକ–ଓପାସରେ ମରିବାକୁ ଦିଅନ୍ତି ନାହିଁ ।

 

ସନ୍ଧ୍ୟା ପରେ ପରେ ଶିବିରରେ ରାଜସଭା ଅନୁଷ୍ଠିତ ହେଲା । ସେଠାରେ ମନ୍ତ୍ରୀ ଓ ସେନାପତିମାନେ ଆସି ଉପସ୍ଥିତ ହେଲେ । ପ୍ରଧାନମନ୍ତ୍ରୀ ଦୟାଲଶାହା ଓ ମାଣିକଲାଲ୍‍ ମଧ୍ୟ ସେ ସଭାରେ ଯୋଗଦେଇଥିଲେ ।

 

ମହାରାଣା ରାଜସିଂହ ପ୍ରଥମେ ଆଲୋଚ୍ୟ ବିଷୟଟିକୁ ଭଲଭାବରେ ସମସ୍ତଙ୍କ ଅବଗତି ଲାଗି ବୁଝାଇଦେଲେ । ସମସ୍ତ କଥା ଶୁଣିସାରିବା ପରେ ଅଧିକାଂଶ ମତଦେଲେ–ଭୋକ–ଓପାସରେ ମୋଗଲମାନେ ଏଇଠି ପଡ଼ି ମରିଯାଆନ୍ତୁ, ଆମର ଯାଏ–ଆସେ କେତେ । ଆଓରଙ୍ଗଜେବ୍‍କୁ ଧରିଆଣି ମୋଗଲମାନଙ୍କୁ କବର ଦିଆଇବା; ନୋହିଲେ ମେହେନ୍ତର ଡକାଇ ସେମାନଙ୍କୁ ମାଟି ଚାପା ଦିଆଇଦେବା ! ମୋଗଲମାନଙ୍କ ପକ୍ଷରୁ ବାରମ୍ବାର ରାଜପୁତ୍‍ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେ କଥା ମନେପଡ଼ିଲେ କାହାର ଇଚ୍ଛା ହେବ, ମୋଗଲମାନଙ୍କୁ ହାତରେ ପାଇ ଛାଡ଼ିଦେବାକୁ ?”

 

ଏହାର ଉତ୍ତରରେ ରାଣା କହିଲେ–“ମୁଁ ସ୍ଵୀକାର କଲି ତୁମର ପ୍ରସ୍ତାବ; କିନ୍ତୁ ଆଓରଙ୍ଗଜେବ୍ ଓ ତାଙ୍କର ମୋଗଲସେନା ଏଇଠି ମରିଗଲେ ପୃଥିବୀରୁ ମୋଗଲ ଶେଷ ହୋଇଯିବେ ନାହିଁ । ଆଓରଙ୍ଗଜେବ୍‌ଙ୍କ ପରେ ତାଙ୍କ ପୁତ୍ର ଶାହ ଆଲାମ୍ ବାଦଶାହ ହେବେ । ଶାହ ଆଲମ୍‌ଙ୍କ ସହିତ ଦାକ୍ଷିଣାତ୍ୟର ବିଜୟୀ ସେନା ପର୍ବତର ଆରପଟେ ଅସ୍ତ୍ରଶସ୍ତ୍ର ସହିତ ପ୍ରସ୍ତୁତ ହୋଇଅଛନ୍ତି । ଆଉ ମଧ୍ୟ ଦୁଇଦଳ ମୋଗଲ ସୈନ୍ୟ ଦୁଇ ଦିଗରେ ସତର୍କ ହୋଇ ରହିଛନ୍ତି । ଆମେମାନେ କ’ଣ ଏଇ ସମସ୍ତ ମୋଗଲ ସୈନ୍ୟଙ୍କ ନିଃଶେଷ କରିପାରିବା ? ଯଦି ସେ କ୍ଷମତା ଆମର ନାହିଁ, ଦିନେ ନା ଦିନେ ଆମକୁ ସନ୍ଧି କରିବାକୁ ହିଁ ପଡ଼ିବ । ସନ୍ଧି କରିବା ଯେତେବେଳେ ଆମର ଶେଷ ଲକ୍ଷ୍ୟ, ଏପରି ସୁବିଧା ଆଉ କେବେ ବା ମିଳିବ ? ବର୍ତ୍ତମାନ ଆଓରଙ୍ଗଜେବ୍‍ଙ୍କ ପ୍ରାଣ କଣ୍ଠାଗ୍ରତ; ଏବେ ଆମେ ଯେଉଁ ପ୍ରସ୍ତାବ ଦେବା ସେ ତାହା ପ୍ରାଣବିକଳରେ ସ୍ଵୀକାର କରିଯିବ-! ସମୟ ଗଡ଼ିଗଲେ, ହୁଏତ ଆମେ ଆଉ ସେ ସୁବିଧା ପାଇବା ନାହିଁ !”

 

“ସେ ସୁବିଧା ନ ପାଇଲେ ମଧ୍ୟ ପୃଥିବୀର କଣ୍ଟକସ୍ଵରୂପ ଏଇ ଆଓରଙ୍ଗଜେବ୍‌ଟାକୁ ବଧ କରିପାରିଲେ, ଆମେ ପୃଥିବୀକୁ ବିପଦମୁକ୍ତ କରିପାରିବା ! ଏଭଳି ପୂଣ୍ୟକାର୍ଯ୍ୟ ବୋଧହୁଏ ଆଉ କିଛି ନାହିଁ । ମହାରାଜ ! ମୋ’ ସହିତ ଏ ବିଷୟରେ ଏକମତ ହେବେ ବୋଲି ମୋର ବିଶ୍ୱାସ ।” କହିଲେ ପ୍ରଧାନମନ୍ତ୍ରୀ ଦୟାଲଶାହା, “ପ୍ରତ୍ୟେକ ମୋଗଲ ବାଦଶାହ ଜଣେ ଜଣେ ପୃଥିବୀର କଣ୍ଟକ-। ଆଓରଙ୍ଗଜେବ୍‍ କ’ଣ ଶାହଜାହାଁଙ୍କ ଅପେକ୍ଷା ନରାଧମ ? ଖୁସ୍ରୁ ଦ୍ଵାରା ଆମର ଯେତେ ଅପକାର ହୋଇଛି, ଆଓରଙ୍ଗଜେବ୍ ଦ୍ଵାରା କ’ଣ ସେତେ ଅପକାର ହୋଇଛି କି ? ଶାହ ଆଲମ୍ ବାଦ୍‌ଶାହ୍ ହେଲେ, ପିତୃ–ପିତାମହଙ୍କ ପରି ସେ ଯେ ଅତ୍ୟାଚାରୀ ନ ହେବେ, ୟାର ସ୍ଥିରତା କ’ଣ ? ଯଦି ତୁମେମାନେ ସେ ପ୍ରକାର ଆଶା ପୋଷଣ କରିପାରୁଛ, ମୋର ସେଥିରେ ଅମତ ହେବାର କିଛି ନାହିଁ ! ଯଦି ତୁମେମାନେ ଭାବୁଛ–ଚାରିଟିଯାକ ମୋଗଲ ଦଳ ଆମେ ପରାସ୍ତ କରି ଦେଇପାରିବା, ତା’ହେଲେ ବହୁ ନରହତ୍ୟା ପରେ ତାହା ସମ୍ଭବ ହୋଇପାରିବ । ତା’ ଫଳରେ କେତେ ରାଜପୁତ୍ ଯୁଦ୍ଧଭୂମିରେ ସହୀଦ ହେବେ, ଥରେ ଚିନ୍ତାକରି ଦେଖ । ପରିଶେଷରେ ଆଉ କେତେଜଣ ରାଜପୁତ୍ କମର କଷି ରହିପାରିବେ ? ଏକେ ତ ଆମର ସଂଖ୍ୟା ଅତି ଅଳ୍ପ, ମୋଗଲମାନେ ଅସଂଖ୍ୟ ! ଆମମାନଙ୍କ ସଂଖ୍ୟା ହ୍ରାସ ପାଇଲେ ପୁଣି ଯଦି ମୋଗଲ ମାଡ଼ିଆସନ୍ତି, ତା’ହେଲେ ଆମେ ନିଜର ବାହୁବଳରେ ସେମାନଙ୍କୁ ତଡ଼ିଦେଇ ପାରିବା ତ ?”

 

ଦୟାଲ୍‌ଶାହା ପୁଣି ଯୁକ୍ତିକରି କହିଲେ–“ମହାରାଜ, ସମଗ୍ର ରାଜପୁତାନାର ବୀରମାନେ ଏକତ୍ରିତ ହୋଇ ପାରିଲେ, ମୋଗଲକୁ ସିନ୍ଧୁପାର କରାଇଦେବା କେତେ ସମୟ ଲାଗନ୍ତା ?”

 

ହଁ, ସେ କଥା ସତ; କିନ୍ତୁ ତାହା କେବେହେଲେ ହୋଇପାରିଛି କି ? ବର୍ତ୍ତମାନ ମଧ୍ୟ ମୁଁ ସେ ଚେଷ୍ଟା କରୁଛି; କିନ୍ତୁ ତାହା ହୋଇପାରୁଛି କି ? ସେ ପ୍ରକାର ଏକ ଅଳୀକ କଳ୍ପନା ମୁଁ କିପରି ମନ ମଧ୍ୟରେ ସ୍ଥାନ ଦେବି ?”

 

ଦୟାଲ ଶାହା ପୁଣି କହିଲେ–“ସନ୍ଧି ହେଲେ ମଧ୍ୟ ଆଓରଙ୍ଗଜେବ୍ ଯେ ସନ୍ଧିସର୍ତ୍ତ ରକ୍ଷାକରିବ, ୟାର ଭରସା କରାଯାଇ ପାରେନା ! ତା’ଭଳି ମିଥ୍ୟାବାଦୀ, ଭଣ୍ଡ ପୃଥିବୀରେ ଆଉ କେହି ଜନ୍ମଗ୍ରହଣ କରିନାହିଁ ! ସେ ମୁକ୍ତି ପାଇବାମାତ୍ରେ ସନ୍ଧିପତ୍ର ଛିଣ୍ଡାଇ ଫିଙ୍ଗିଦେବା ସଙ୍ଗେ ସଙ୍ଗେ ଯାହା କରିବାକୁ ଇଚ୍ଛା କରୁଥିଲା, ତାହା ହିଁ କରିବାକୁ ପୁଣି ବାହାରିପଡ଼ିବ ।” “ସେ କଥା ଭାବିଲେ କେବେହେଲେ ସନ୍ଧି କରାଯାଇ ପାରିବନାହିଁ ।

 

ଏହିପରି ଭାବରେ ଅନେକ ଆଲୋଚନା ଚାଲିବାପରେ ସମସ୍ତେ ମହାରାଣାଙ୍କ କଥାର ଯଥାର୍ଥତା ଅନୁଭବ କଲେ ଏବଂ ପରିଶେଷରେ ସନ୍ଧି ସ୍ଥାପନ ଲାଗି ସ୍ଥିରହେଲା ।

 

ତା’ପରେ କେହି ଆପତ୍ତି କରି କହିଲେ–“ଆଓରଙ୍ଗଜେବ୍‍ କୌଣସି ସନ୍ଧିସର୍ତ୍ତ ଦେଇ ଦୂତ ପଠାଇନାହାନ୍ତି; ଏହା ତା’ର ଗରଜ; ଆମର କ’ଣ ଗରଜ ପଡ଼ିଛି ଯେ, ଆମେ ଦୂତ ପଠାଇବା ?”

 

ସେଥିରେ ଉତ୍ତର ଦେଇ କହିଲେ ରାଜସିଂହ–“ମୋଗଲ ଦୂତ ଆସିବ କିପରି ? ଗିରିମାର୍ଗ ପାରହୋଇ ଗୋଟିଏ ପିମ୍ପୁଡ଼ି ମଧ୍ୟ ଆସିପାରିବ ନାହିଁ !”

 

ଦୟାଲ ଶାହା କହିଲେ–“ଆମ ଦୂତ ମଧ୍ୟ ଯିବ କିପରି ? ସେଥର ସେ ଆମର ରାଜଦୂତଙ୍କୁ ବଧକରିବା ଲାଗି ଆଦେଶ ଦେଇଥିଲେ; ଏଥର ଯେ ବଧ କରିବ ନାହିଁ, ଏହାର କ’ଣ ପ୍ରମାଣ ?”

 

ରାଜସିଂହ ଦୟାଲ ଶାହାଙ୍କୁ ଉତ୍ତର ଦେଇ କହିଲେ–“ସେ ଏଥର କେବେହେଲେ ରାଜଦୂତକୁ ବଧ କରିବନାହିଁ, ଏହା ନିଶ୍ଚିତ ! କାରଣ, କପଟ ସନ୍ଧି କରିବା ତା’ ପକ୍ଷରେ ଏକାନ୍ତ ମଙ୍ଗଳଦାୟକ ! ହଁ, ସେଠାକୁ ଦୂତ ଯିବ କିପରି, ଏହା ଅବଶ୍ୟ ଚିନ୍ତାର ବିଷୟ !”

 

ମାଣିକଲାଲ୍‍ ଛିଡ଼ା ହୋଇ ଯୋଡ଼ହସ୍ତରେ କହିଲା–“ସେ ଭାର ମୋ’ ଉପରେ ନ୍ୟସ୍ତ କରାଯାଉ । ମୁଁ ମହାରାଣାଙ୍କ ପତ୍ର ସେଠାରେ ପହଞ୍ଚାଇ, ଉତ୍ତର ଆଣିଦେବି !”

 

ସମସ୍ତେ ମାଣିକଲାଲ୍‍ର କଥା ଉପରେ ବିଶ୍ୱାସ କଲେ; କାରଣ କୌଶଳ ଓ ସାହସର ମାଣିକଲାଲ୍‍ ଯେ ଅଦ୍ଵିତୀୟ, ଏ ବିଷୟ କାହାରିକୁ ଅଜଣା ନଥିଲା । ତେଣୁ ସନ୍ଧିପତ୍ର ଲେଖାଯିବା ଲାଗି ମହାରାଣା ହୁକୁମ ଦେଲେ ଏବଂ ଦୟାଲ ଶାହା ଗୋଟିଏ ଚିଠା ପ୍ରସ୍ତୁତ କରିଦେଲେ । ସେ ଚିଠାର ସାରମର୍ମ ହେଉଛି–ବାଦଶାହ ମେବାରରୁ ସମସ୍ତ ସୈନ୍ୟ ଉଠାଇନେବେ । ଗୋହତ୍ୟା ଓ ମନ୍ଦିର ଭଙ୍ଗ କରିବାର ଆଦେଶ ପ୍ରତ୍ୟାହାର କରିନେବେ । ଜିଜିୟା କର ଲାଗି ଜିଦ୍ ଧରିବେ ନାହିଁ । ତା’ହେଲେ ରାଜସିଂହ ପଥମୁକ୍ତ କରିଦେବ ଏବଂ ବାଦଶାହ ନିରୁଦ୍‌ବେଗ ଭାବରେ ଦିଲ୍ଲୀ ଯାଇପାରିବେ ।

 

ପତ୍ର ପଢ଼ାଯାଇ ସଭାସଦ୍‌ମାନଙ୍କୁ ଶୁଣାଇ ଦିଆଗଲା । ତାହା ଶୁଣିବା ପରେ ମାଣିକଲାଲ୍‍ ଆପତ୍ତି ଉଠାଇ କହିଲା–“ବାଦଶାହଙ୍କ ବେଗମ୍ ଓ କନ୍ୟା ଆମ ନିକଟରେ ବନ୍ଦିନୀ ଅଛନ୍ତି; ସେ ଦୁହିଁଙ୍କ ବିଷୟରେ କ’ଣ କରାଯିବ ? ସେମାନେ କ’ଣ ଆମ ପାଖରେ ରହିବେ ?”

 

ଏହା ଶୁଣିବାମାତ୍ରେ ସଭାସ୍ଥଳରେ ଗୋଟାଏ ହାସ୍ୟର ମଧୁର ଗୁଞ୍ଜନ ଶୁଣାଗଲା ! ସମସ୍ତେ ସମସ୍ଵରରେ କହିଲେ–“ସେ ଦୁହିଁଙ୍କ କୌଣସି ମତେ ଛାଡ଼ି ଦିଆଯିବନାହିଁ !”

 

ଆଉ କେହି କେହି ହସିହସି କହିଲେ–“ରୁହନ୍ତୁ ସେମାନେ, ମହାରାଣାଙ୍କ ଅଗଣା ଝାଡ଼ୁ କରିବେ !” ଆଉ କେହି କେହି କହିଲେ–“ସେ ଦୁହିଁଙ୍କୁ ନଦିଆ ପଠାଇ ଦିଅ, ସେଠାରେ ସେ ଦୁହେଁ ବୈଷ୍ଣବୀ ସାଜି ହରିନାମ ଜପ କରିବେ !” କେହି କେହି କହିଲେ–“ସେ ଦୁହିଁଙ୍କ ପାଇଁ ବାଦଶାହ କୋଟିଏ ଲେଖାଏଁ ଟଙ୍କା ପଠାଇ ଦିଅନ୍ତୁ” ଇତ୍ୟାଦି ଇତ୍ୟାଦି । ପରିଶେଷରେ ମହାରାଣା ମତ ଦେଇ କହିଲେ–“ଦୁଇଟା ମୁସଲମାନ ମହିଳାଙ୍କ ଲାଗି ସନ୍ଧି ପ୍ରସ୍ତାବ ରଦ୍ଦ କରାଯାଇ ପାରିବ ନାହିଁ ! ଲେଖିଦିଅ–ସେ ଦୁହିଁଙ୍କ ଫେରାଇ ଦିଆଯିବ ।”

 

ସେହି ମର୍ମରେ ପତ୍ର ଲେଖାହୋଇ ସନ୍ଧିପତ୍ର ମାଣିକଲାଲ୍‍ ହସ୍ତରେ ଅର୍ପଣ କରାଯିବା ସଙ୍ଗେ ସଙ୍ଗେ ସଭାଭଙ୍ଗ କରାଗଲା ।

 

X X X

 

ସଭାଭଙ୍ଗ ହେବାପରେ ସମସ୍ତେ ନିଜନିଜର ଶିବିରକୁ ଚାଲିଗଲେ, କିନ୍ତୁ ମାଣିକଲାଲ୍‍ ରାଜସିଂହଙ୍କ ସହିତ ଗୁପ୍ତମନ୍ତ୍ରଣା ଚଳାଇ କହିଲା–“ମୋବାରକ୍ ଖାଁଙ୍କ ବକ୍‌ଶିସ୍ କଥାଟା ଏତିକିବେଳେ ମହାରାଜାଙ୍କୁ ସ୍ମରଣ କରାଇଦେବା ମୋର କର୍ତ୍ତବ୍ୟ !”

 

“ସେ କ’ଣ ଚାହୁଁଛି କି ?” ପଚାରିଲେ ରାଜସିଂହ ।

 

“ସେ ବନ୍ଦିନୀ ବାଦଶାହଙ୍କ କନ୍ୟାକୁ ଚାହେଁ !”

 

“କିନ୍ତୁ ସେ କନ୍ୟାକୁ ପଠାଇ ନଦେଲେ, ବୋଧହୁଏ ଏ ସନ୍ଧି ସ୍ଵୀକୃତ ହେବନାହିଁ । ଆଉ ମଧ୍ୟ ଗୋଟିଏ ଅବଳାର ମନ ଉପରେ ମୁଁ କିପରି ବା ଜୋର୍ କରିପାରିବି ?”

 

“ନାଁ...ସେପରି କିଛି ବଳପୂର୍ବକ କରିବାର ଆବଶ୍ୟକତା ନାହିଁ ! ଶାହଜାଦୀ ସହିତ ମୋବାରକ୍‍ର ବିବାହ ଗତ ରାତ୍ରିରେ ସମ୍ପନ୍ନ ହୋଇଯାଇଛି !”

 

“ଏକଥା ଶାହଜାଦୀ ନିଜେ ବାଦଶାହାଙ୍କୁ ଜଣାଇଦେଲେ, ସବୁ ଅସୁବିଧା ଦୂର ହୋଇଯିବ !”

 

“ହଁ...ସତ ! ଦୁଇଜଣଯାକର ମୁଣ୍ଡ ଏକ ସାଙ୍ଗରେ କଟା ହୋଇଯିବ !” ଥଙ୍ଗଥଙ୍ଗ ହୋଇ କହିଲା ମାଣିକଲାଲ୍‍ ।

 

“କାହିଁକି ?’’

 

“ଶାହାଜାଦୀମାନେ ଶାହାଜାଦା ବ୍ୟତୀତ ଅନ୍ୟ କାହାରିକୁ ବିବାହ କରିପାରିବେ ନାହିଁ । ଏଇ ଶାହାଜାଦୀ ଜଣେ ସାମାନ୍ୟ ସୈନିକକୁ ବିବାହ କରି ଦିଲ୍ଲୀ ବାଦଶାହଙ୍କ କୁଳରେ କଳଙ୍କ ବୋଳିଦେଇଛି । ବିଶେଷତଃ ବାଦଶାହଙ୍କୁ ନ ଜଣାଇ ସେ ବିବାହ କରିଛି; ଏଥିଲାଗି ତାକୁ ମୋଗଲ ରଙ୍ଗମହଲର ଚଳଣି ଅନୁସାରେ ବିଷପାନ କରିବାକୁ ପଡ଼ିବ ! ଆଉ ମଧ୍ୟ ମୋବାରକ୍‍ ସାପ ବିଷରେ ମରି ନ ଥିବାରୁ, ଏଥର ହାତୀର ପାଦତଳେ ପକାଇ କିମ୍ବା ଶୂଳିରେ ବସାଇ ମାରିଦିଆଯିବ-! ଯଦିଓ ସେ ଅପରାଧ ତା’ର ମାର୍ଜନା ହୁଏ, ତଥାପି ସେ ମହାରାଜାଙ୍କର ଯେଉଁ ଉପକାର କରିଛି, ସେଥିଲାଗି ତାକୁ ନିଶ୍ଚୟ ଶୂଳି ଦିଆଯିବ । ଆଉ ମଧ୍ୟ ସେ ସ୍ପର୍ଦ୍ଧାର ସହିତ ଶାହଜାଦୀ ବିବାହ କରିଥିବାରୁ ତା’ ପ୍ରତି ମୃତ୍ୟୁଦଣ୍ଡ ଅନିବାର୍ଯ୍ୟ ।” ବୁଝାଇ କହିଲା ମାଣିକଲାଲ୍‍ ।

 

“ମୁଁ ଏ ବିଷୟରେ କ’ଣ କରିପାରିବି ?”

 

“ଆଓରଙ୍ଗଜେବ୍‍ ତା’ ଝିଅଜୋଇଁଙ୍କୁ କ୍ଷମା ନ କଲେ, ଆପଣ ସନ୍ଧି ପ୍ରସ୍ତାବରେ ରାଜି ହେବେନାହିଁ, ଏହି ସର୍ତ୍ତ ସନ୍ଧିପତ୍ରରେ ରଖାଯାଇପାରେ ।”

 

“ହେଉ, ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି । ସେଥିଲାଗି ମୁଁ ଖଣ୍ଡିଏ ସ୍ଵତନ୍ତ୍ର ପତ୍ର ବାଦଶାହାଙ୍କୁ ଲେଖିଦେଉଛି । ତୁମେ ସନ୍ଧିପତ୍ର ସହିତ ଏହି ପତ୍ରଟି ନେଇଯାଅ । ଆଓରଙ୍ଗଜେବ୍‍ ନିଜ କନ୍ୟାର ଦୋଷ ମାର୍ଜନା କରିପାରନ୍ତି । ମୋବାରକ୍‍ର ଦୋଷ ମାର୍ଜନା କରିବା ଲାଗି ସେ ଆପାତତଃ ରାଜି ହେଲେ ମଧ୍ୟ, ତାଙ୍କୁ ଦଣ୍ଡ ନ ଦେଇ ଛାଡ଼ିବା ପରି ମୋତେ ଲାଗୁନାହିଁ । ଯା’ ହେଉ, ଏଥିରେ ଯଦି ମୋବାରକ୍‍ ସନ୍ତୁଷ୍ଟ ହୁଅନ୍ତି; ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି ।” ଏହା କହି ରାଜସିଂହ ଖଣ୍ଡିଏ ସ୍ଵତନ୍ତ୍ର ପତ୍ର ଲେଖି ମାଣିକଲାଲ୍‍ ହାତରେ ଧରାଇଦେଲେ । ମାଣିକଲାଲ୍‍ ପତ୍ର ଦୁଇଖଣ୍ଡ ଧରି ସେହି ରାତିରେ ଉଦୟପୁର ଚାଲିଗଲା ।

 

ନିର୍ମଳକୁମାରୀ ଏହା ଜାଣିବା ମାତ୍ରେ ସେ ମଧ୍ୟ ଖଣ୍ଡିଏ ପତ୍ର ଲେଖିଲା–

 

“ଶାହନ୍‌ଶାହ !

 

ଏ ଦାସୀର ଅସଂଖ୍ୟ କୁର୍ଣ୍ଣିଶ୍ ଗ୍ରହଣ କରିବେ । ହଜୁର୍ ଯାହା ଫର୍‌ମାସ୍ କରିଥିଲେ, ଦାସୀ ତାହା ଅଦ୍‌ଦା କରିବାରେ ଗଲ୍‌ତି କରିନାହିଁ । ବର୍ତ୍ତମାନ ହଜୁରଙ୍କର ହୁକୁମ ମିଳିବା ଦରକାର-। ଏ ଦାସୀର ଆଖିର୍ ବାତ୍ ସ୍ମରଣ କରିବେ । ହଜୁର ସନ୍ଧି କରିବାକୁ ଜରୁର୍ ରାଜିହେବେ-।”

 

ପତ୍ରଗୁଡ଼ିକ ନେଇ ମାଣିକଲାଲ୍‍ ମୋବାରକ୍ ନିକଟରେ ପହଞ୍ଚି, ତାଙ୍କୁ ସବୁକଥା ଶୁଣାଇଦେଲା ଏବଂ ନିର୍ମଳ ମଧ୍ୟ ଜେବ୍ଉନ୍ନିସାକୁ ସବୁ ବିଷୟ ଜଣାଇଦେଲା । ନିର୍ମଳର କଥା ଶୁଣି ଜେବ୍ଉନ୍ନିସା ସନ୍ତୁଷ୍ଟ ହେଲା; କିନ୍ତୁ ମାଣିକଲାଲ୍‍ର କଥା ଶୁଣି ମୋବାରକ୍ କିଛି ମନ୍ତବ୍ୟ ଦେଲେନାହିଁ । ତାଙ୍କର ଅନ୍ୟମନସ୍କତା ଲକ୍ଷ୍ୟକରି କହିଲା ମାଣିକଲାଲ୍‍–“ଜନାବ, ମୋର ଧାରଣା–ଆପଣ ଫେରିଗଲେ ଆଓରଙ୍ଗଜେବ୍‍ ଆପଣଙ୍କ ଅପରାଧ ମାର୍ଜନା କରିବେ ନାହିଁ ।”

 

ମୋବାରକ୍ ବିଶେଷ କିଛି ନ କହି ଅନ୍ୟ ଆଡ଼କୁ ଚାହିଁ ଉତ୍ତର ଦେଲେ–“କରନ୍ତୁ ବା ନ କରନ୍ତୁ– ।”

 

ପରଦିନ ସକାଳେ ମାଣିକଲାଲ୍‍ ପତ୍ରଗୁଡ଼ିକୁ କାଟି ଛୋଟ ଛୋଟ କରି ପାରାର ଗୋଡ଼ରେ ବାନ୍ଧିଦେଲା । ପାରାଟିକୁ ଛାଡ଼ିଦେବା ମାତ୍ରେ ସେ ସିଧା ଆକାଶ ମାର୍ଗରେ ବିଶେଷ ସାବଧାନତାର ସହିତ ଉଡ଼ିଉଡ଼ି ଯାଇ ଆଓରଙ୍ଗଜେବ୍‌ଙ୍କ ନିକଟରେ ପତ୍ର ପହଞ୍ଚାଇ ଦେଲା ।

Image

 

ଗଣନା ସତ୍ୟ ହେଲା

 

ପାରା ଯଥାଶୀଘ୍ର ସମ୍ଭବ ଆଓରଙ୍ଗଜେବ୍‌ଙ୍କଠାରୁ ଉତ୍ତର ଘେନି ଫେରିଆସିଲା । ରାଜସିଂହ ଯାହା ସର୍ତ୍ତ ରଖିଥିଲେ, ପ୍ରାୟ ସବୁତକ ଦାବି ବାଦଶାହ ମାନି ନେଇଥିଲେ । କେବଳ ଟିକିଏ ଜିଦଖୋର୍ ନୀତି ଦେଖାଇ ଲେଖିଥିଲେ–“ଆପଣ ଚଞ୍ଚଲ୍‍କୁମାରୀଙ୍କୁ ଛାଡ଼ିଦେବେ ।”

 

ପୁଣି ତାରି ଉତ୍ତରରେ ମହାରାଣା ଲେଖିଲେ–“ଯଦି ଆପଣ ଏ ଦାବି ପ୍ରତ୍ୟାହାର ନ କରନ୍ତି ପରିଣାମ ଯାହା ହେଉନା କାହିଁକି ସୈନ୍ୟସାମନ୍ତଙ୍କ ଗହଣରେ ଆପଣଙ୍କୁ ସେଇଠାରେ କବର ନେବାକୁ ପଡ଼ିବ ।”

 

ପରିଶେଷରେ ଆଓରଙ୍ଗଜେବ୍‍ ଆତ୍ମରକ୍ଷା ଶ୍ରେୟଃ ମନେକରି ନିଜର ଦାବି ପ୍ରତ୍ୟାହାର କରି, ରାଜସିଂହଙ୍କ ସମସ୍ତ ସର୍ତ୍ତ ମାନିନେଲେ ଏବଂ ସେହି ମର୍ମର ସନ୍ଧିପତ୍ର ପ୍ରସ୍ତୁତ କରି, ବାଦଶାହୀ ପଞ୍ଝା ଓ ସହୀ–ମୋହର ଲଗାଇ ପଠାଇଦେଲେ । ଜେବ୍ଉନ୍ନିସା ଓ ମୋବାରକ୍‍ ସମ୍ବନ୍ଧରେ ଖଣ୍ଡିଏ ପୃଥକ ପତ୍ର ମହାରାଣାଙ୍କ ନିକଟକୁ ଲେଖି ଜଣାଇଲେ ଯେ, ଏ ବିବାହ ସମ୍ବନ୍ଧରେ ସେ ଦୁହେଁ କାହାରି ଆଗରେ ପ୍ରକାଶ କରିବେ ନାହିଁ । ସେ ଦୁହିଁଙ୍କ ମିଳନରେ ଯେପରି କୌଣସି ଅସୁବିଧା ନ ଘଟେ, ତା’ର ବ୍ୟବସ୍ଥା ବାଦଶାହ କରିଦେବେ ।

 

ସନ୍ଧିପତ୍ର ପାଇବାମାତ୍ରେ ରାଜସିଂହ ମୋଗଲ ବାହିନୀର ପଥ ପରିଷ୍କାର ନିମିତ୍ତ ଆଦେଶ ପ୍ରଚାର କରିଦେଲେ । ତେଣୁ ରାଜପୁତ୍ ସୈନ୍ୟମାନେ ହାତୀ ଲଗାଇ ପ୍ରାଚୀରଟିକୁ ସଫା କରାଇଦେଲେ । ମୋଗଲମାନେ ହଠାତ୍ କେଉଁଠୁ ଖାଦ୍ୟ ସଂଗ୍ରହ କରିବେ ଏହା ବିଚାର କରି ମହାରାଣା ବହୁପ୍ରକାର ଖାଦ୍ୟ ସାମଗ୍ରୀ ହାତୀ ଉପରେ ଲଦି ଉପଢ଼ୌକନ ସ୍ଵରୂପ ପ୍ରେରଣ କଲେ । ପରିଶେଷରେ ଉଦୀପୁରୀ, ଜେବ୍ଉନ୍ନିସା ଓ ମୋବାରକ୍‍ଙ୍କୁ ପଠାଇ ଦେବାଲାଗି ଉଦୟପୁରକୁ ଆଦେଶ ଦେଲେ ।

 

ଏ ଆଦେଶ ଶୁଣି ନିର୍ମଳ ମହାରାଣୀ ଚଞ୍ଚଲ୍‍କୁମାରୀଙ୍କ ନିକଟକୁ ଯାଇ କହିଲା–“କାହିଁ; ବେଗମ୍ କେଉଁଠି ତୁମର ଦାସୀ କାମ କଲା ଯେ ?” ତା’ପରେ ସେ ଉଦୀପୁରୀ ପାଖକୁ ଯାଇ ତାକୁ ଛିଗୁଲେଇ କହିଲା–“ବେଗମ୍ ସାହିବା, ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେବାଲାଗି ଦିଲ୍ଲୀ ପର୍ଯ୍ୟନ୍ତ ଦୌଡ଼ିଯାଇଥିଲି; କାହିଁ ଆପଣ ନିମନ୍ତ୍ରଣ ରକ୍ଷା କଲେ ନାହିଁ ତ ?”

 

ଉଦୀପୁରୀ ରାଗରେ ଜଳିପୋଡ଼ି ଯାଇ କହିଲା–“ତୋ ଜିଭକୁ ମୁଁ ଯଦି ଟିକିଟିକି କରି ନ କାଟିଛି ମୋ ନାଁ ନୁହେ । ତୁମର କମ୍ ସାହସ ନୁହେଁ ତ ? ବାଦଶାହଙ୍କ ବେଗମ୍ ହାତରେ ହୁକ୍‌କା ସଜିଲ୍ କରିବ, କାହାର ଏଡ଼େ ସାଧ୍ୟ ଯେ ? ତୁମେଗୁଡ଼ାକ ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ବସ, ତୁମେ ପୁଣି ଆମକୁ ଅଟକାଇ ରଖିବ ? ଶେଷରେ ନାକ କାନ ମୋଡ଼ିହୋଇ ଆମକୁ ଛାଡ଼ିଲ ନା, ନାହିଁ ? ଆଉ ମନେ ରଖ, ତୁମେ ମୋତେ ଯେଉଁପରି ଭାବରେ ଅପମାନିତ କରିଛ, ତାର ପ୍ରତିଫଳ ତୁମକୁ ଭୋଗ କରିବାକୁ ପଡ଼ିବ ହିଁ ପଡ଼ିବ । ମୁଁ ଫେରିଯାଏ, ଦେଖିବ–ପୃଥିବୀରୁ ଉଦୟପୁରର ଚିହ୍ନବର୍ଣ୍ଣ ସୁଦ୍ଧା ରଖିବି ନାହିଁ ।”

 

ତାହା ଶୁଣି ଧୀରସ୍ଥିର ଭାବରେ କହିଲେ ମହାରାଣୀ ଚଞ୍ଚଲ୍‍କୁମାରୀ–“ହଁ ଶୁଣିଲି–ମହାରାଣିଜୀ ଦୟାପରବଶ ହୋଇ ତୁମକୁ ମୁକ୍ତି ଦେଇଛନ୍ତି । ଆପଣ ସେଥିଲାଗି ପଦେ ମିଠାକଥା କହିବା ଶିଖିନାହାନ୍ତି ? ଠିକ୍ ଅଛି, ଆପଣଙ୍କୁ ମୁକ୍ତି ଦିଆଯିବ ନାହିଁ । ଆପଣ ଶୀଘ୍ର ଦାସୀମାନଙ୍କ ମହଲକୁ ଯାଇ ମୋ ପାଇଁ ତମାଖୁ ପ୍ରସ୍ତୁତ କରି ଆଣନ୍ତୁ ।”

 

ଜେବ୍ଉନ୍ନିସା ଆଉ ସହ୍ୟ କରିପାରିଲା ନାହିଁ; ସେ କହିଉଠିଲା–“ଏ କ’ଣ କରୁଛନ୍ତି ମହାରାଣୀ ଜୀ ! ଆପଣ କ’ଣ ପ୍ରକୃତରେ ଏତେ ନିର୍ଦ୍ଦୟ ?”

 

“ଆପଣଙ୍କ ଚାଲିଯିବାରେ କିଛି ବାଧା ନାହିଁ ଶାହଜାଦୀ ସାହିବା ! କିନ୍ତୁ ଏ ମତ୍ତଗର୍ବିଣୀଙ୍କୁ ମୁଁ ବର୍ତ୍ତମାନ ମୁକ୍ତ କରିବି ନାହିଁ ।”

 

ଜେବ୍ଉନ୍ନିସା ଚଞ୍ଚଲ୍‍କୁମାରୀଙ୍କର ଦୃଢ଼ତା ଲକ୍ଷ୍ୟ କରି ବହୁ ଅନୁନୟ ବିନୟ ପ୍ରକାଶ କଲା ଏବଂ ଶେଷରେ ଉଦୀପୁରୀର ମିଜାଜ ଥଣ୍ଡା ହୋଇଗଲା । ସେ ଅନ୍ୟ ଉପାୟ ନ ଦେଖି ମହାରାଣୀଙ୍କ ନିକଟରେ ବିନୀତ ଭାବ ପ୍ରଦର୍ଶନ କଲା । ତଥାପି ମହାରାଣୀ ଚଞ୍ଚଲ୍‍କୁମାରୀ ନିଜର ଦୃଢ଼ତାର ତିଳେହେଲେ ଟଳିଲେ ନାହିଁ; ଶେଷକୁ ଦୟାକରି କହିଲେ–“ଠିକ୍ ଅଛି, ମୋ’ ପାଇଁ ଥରେ ମାତ୍ର ତମାଖୁ ସଜାଇ ଦିଅନ୍ତୁ, ମୁଁ ମୁକ୍ତ କରିଦେବି ।”

 

ଶେଷକୁ ଉଦୀପୁରୀ ବାଧ୍ୟହୋଇ କହିଲା–“ମୁଁ ତମାଖୁ ସଜିଲ କରିବା ଆଦୌ ଜାଣେ ନାହିଁ; ହୁକ୍‌କା ପ୍ରସ୍ତୁତ କରିବି କିପରି ?”

 

ଚଞ୍ଚଲ୍‍କୁମାରୀ ପୂର୍ବପରି ଅଟଳ ରହି କହିଲେ–“ବେଶ୍, ଦାସୀମାନେ ଶିଖାଇଦେବେ ।”

 

ଅଗତ୍ୟା ଉଦୀପୁରୀ ଦାସୀମାନଙ୍କ ସାହାଯ୍ୟରେ ତମାଖୁ ଦେଇ ହୁକ୍‌କା ସଜାଇ ଆଣି ଚଞ୍ଚଲ୍‍କୁମାରୀଙ୍କ ହାତକୁ ବଢ଼ାଇଦେଲା ଏବଂ ନିର୍ମଳ ଓ ଚଞ୍ଚଲ୍‍ ଜ୍ୟୋତିଷଙ୍କ ଗଣନା ଅକ୍ଷରେ ଅକ୍ଷରେ ସତ୍ୟ ହେବାର ଦେଖି ମନେ ମନେ ଆନନ୍ଦରେ ଅଧୀର ହୋଇଉଠିଲେ ।

 

ତା’ପରେ ଚଞ୍ଚଲ୍‍କୁମାରୀ ଉଭୟ ବେଗମ୍ ଓ ଶାହଜାଦୀଙ୍କୁ ଅଭିବାଦନ ଜଣାଇ ବିଦାୟ ଦେଲେ ଏବଂ ବାଦଶାହ ଆଲମ୍‍ଗିରଙ୍କ ନିକଟକୁ ବିଦାୟକାଳୀନ ବାର୍ତ୍ତା ପଠାଇ କହିଲେ–“ଏଠାରେ ଯାହା ଯାହା ଘଟିଛି ଦୟାକରି ବାଦ୍‌ଶାହ ସଲାମତ୍‌ଙ୍କୁ ସବୁକଥା ଜଣାଇଦେଇ କହିବେ–ମୁଁ ରୂପନଗରରେ ତାଙ୍କୁ ତସ୍‌ବୀରକୁ ଗୋଇଠା ମାରି ନାକ ଭାଙ୍ଗିଦେଇଥିଲି । କିନ୍ତୁ ସ୍ମରଣ କରାଇଦେବେ; ଏଣିକି ଯଦି ବାଦଶାହ କୌଣସି ହିନ୍ଦୁ ଅବଳାକୁ ଅପମାନିତ କରିବାପାଇଁ ଇଚ୍ଛା କରିବେ, ତେବେ ମୁଁ କେବଳ ତସ୍‌ବୀରରେ ପଦାଘାତ କରି ସନ୍ତୁଷ୍ଟ ହେବି ନାହିଁ... ।”

 

ଏହା ଶୁଣି ବନ୍ଧନରେ ପଡ଼ିଥିବା ନାଗୁଣୀ ପରି ମନେ ମନେ କ୍ରୋଧରେ ଜଳିଯାଇ ଉଦୀପୁରୀ ନିଦାଘକାଳୀନ ସଜଳକାନ୍ତି ମେଘପରି ସେଠାରୁ ବିଦାୟ ନେଇ ଚାଲିଗଲା ।

 

ଦିଲ୍ଲୀଶ୍ଵର ଜହାଁପନାହ ଆଲମ୍‍ଗିର ଆଓରଙ୍ଗଜେବ୍ ବେଗମ, କନ୍ୟା ଓ ଖାଦ୍ୟ ପାଇବା ପରେ ବେକ୍ରାଘାତରେ ଜର୍ଜରିତ କୁକୁର ପରି ଲାଙ୍ଗୁଳ ଜାକି ମହାପ୍ରତାପୀ ରାଜସିଂହଙ୍କ ସମ୍ମୁଖରୁ ପ୍ରାଣ ଘେନି ପଳାୟନ କଲେ ।

Image

 

ତୃଷିତା ଚାତକୀ

 

ବାଦଶାହଙ୍କ ପରାଜୟ ଓ ବେଗମ୍ ତଥା ଶାହଜାଦୀଙ୍କ ପ୍ରତ୍ୟାଗମନ ପରେ ଚଞ୍ଚଲ୍‍କୁମାରୀଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା । ଜ୍ୟୋତିଷଙ୍କ ଗଣନା ଓ ରାଣାଙ୍କ ଅଭିଳାଷ ପୂର୍ଣ୍ଣ ହେଲା; ମାତ୍ର କାହିଁ, ରାଣା ରାଜସିଂହଙ୍କ ଅନୁକୂଳ ମତିଗତିର କିଛି ସୂଚନା ତ ମିଳୁନାହିଁ ? ଏହି କଥା ଚିନ୍ତାକରି ଚଞ୍ଚଲ୍‍କୁମାରୀ କାନ୍ଦିଉଠିଲେ । ତାଙ୍କୁ ଅସହାୟ ଭାବରେ କାନ୍ଦୁଥିବାର ଦେଖି ନିର୍ମଳ ସବୁକଥା ବେଶ୍ ବୁଝିପାରି କହିଲା–“ତୁମେ ଏପରି ବିକଳ ହୋଇ କାନ୍ଦୁଛ କାହିଁକି ? ମହାରାଣାଙ୍କୁ ଟିକିଏ ସ୍ମରଣ କରାଇଦେଉନାହଁ ?”

ଚଞ୍ଚଲ୍‍ ଟିକିଏ ବିରକ୍ତିମିଶା ସ୍ଵରରେ କହିଲେ–“ତୁ କ’ଣ ପାଗିଳୀ ହୋଇଗଲୁଣି ନା କ’ଣ-? ସ୍ତ୍ରୀଲୋକମାନେ ଏଇ କଥା ବାରମ୍ବାର କହିବା ସୁନ୍ଦର କି ?”

“ତା ହେଲେ ରୂପନଗରରୁ ତୁମ ପିତାଙ୍କୁ ଆସିବା ଲାଗି ଲେଖୁନାହଁ କାହିଁକି ?”

“କି କଥା ତୁ କହୁ ଯେ ? ସେ ଯେପରି ରୁକ୍ଷ ଭାବରେ ପତ୍ର ଲେଖିଥିଲେ, ତାପରେ କ’ଣ କିଛି ଲେଖାଯାଇପାରେ ?”

“ବାପାଙ୍କ ଉପରେ ରାଗ ବା ଅଭିମାନ କ’ଣ ଶୋଭାପାଏ ?”

“ଅଭିମାନ ମୁଁ କରୁନାହିଁ; କିନ୍ତୁ ଥରେ ପତ୍ର ଲେଖି ଯେଉଁ ଅଭିଶାପ ପାଇଛି, ସେ ବିଷୟ ମନେପଡ଼ିଲେ ମୋର ବୁକୁ କମ୍ପିଉଠୁଛି । ତେଣୁ ଆଉ କିଛି ଲେଖିବାକୁ ସାହସ ହେଉ ନାହିଁ ।”

“ସେତେବେଳେ ହଠାତ୍ ରାଣାଙ୍କ ସହିତ ବିବାହ ଲାଗି ଲେଖିଥିଲ... ।”

“ଏଥର ଆଉ କେଉଁ ବିଷୟରେ ଲେଖିବ ଯେ... ?”

“ମହାରାଣା ଯଦି ତୁମ ବିଷୟରେ ଚିନ୍ତା କରୁନାହାନ୍ତି, ତେବେ ବାପଘର ଯାଇ ରହିବା ଭଲ ! ତାଙ୍କୁ ମଧ୍ୟ ଆଓରଙ୍ଗଜେବ୍‌ଙ୍କ ଦାଉରୁ ମୁକ୍ତି ମିଳିଯିବ । ମୁଁ ସେଇଥିପାଇଁ କହୁଥିଲି, ବାପାଙ୍କୁ ପତ୍ରଲେଖିବା ଲାଗି । ତା’ ବ୍ୟତୀତ ଆଉ ଉପାୟ କ’ଣ ଯେ... ?”

ଚଞ୍ଚଲ୍‍କୁମାରୀ ନିର୍ମଳକୁ ଉତ୍ତର ଦେବାକୁ ଯାଉଥିଲେ; ମାତ୍ର ପଦେହେଲେ କଥା ତାଙ୍କ ମୁହଁରୁ ବାହାରିଲା ନାହିଁ; କେବଳ ଦୁଇଆଖିରୁ ଧାର ଧାର ହୋଇ ଲୁହଧାର ବହିବାରେ ଲାଗିଲା । ନିର୍ମଳ ମଧ୍ୟ ନିଜର ବାଚାଳତା ଲାଗି ଅନୁତାପ କଲା ।

ଚଞ୍ଚଲ୍‍ ସଙ୍ଗେ ସଙ୍ଗେ ଆଖିର ଲୁହ ପୋଛିଦେଇ ଓଠ ଫାଙ୍କରେ ଚେନାଏ ହସି ତଳକୁ ମୁହଁ ପୋତିଦେଲେ ଏବଂ ନିର୍ମଳ ହସି ହସି କହିଲା–“ମୁଁ ଦିଲ୍ଲୀ ବାଦ୍‌ଶାହ ଆଗରେ ଥରେ ହେଲେ ଅପ୍ରତିଭ ହୋଇନାହିଁ, ଆଜି ତୁମରି ଆଗରେ ଅପ୍ରତିଭ ହୋଇଗଲି ଏହା ଅବଶ୍ୟ ଦିଲ୍ଲୀ ବାଦ୍‌ଶାହଙ୍କ ପକ୍ଷରେ ଲଜ୍ଜାର ବିଷୟ । ଏଥର ତୁମେ ଇମ୍‌ଲୀ ବେଗମ୍‌ର ମୁନ୍‌ସିଗିରି ଦେଖ । ଯାଅ, ଦୁଆତ କଲମ ନେଇଆସ । କ’ଣ ଲେଖାଯିବ ମୁଁ ଡାକୁଛି ।”

“କାହା ପାଖକୁ ଲେଖିବି; ବାପାଙ୍କୁ ନା ମାଆଙ୍କୁ ?”

“ବାପାଙ୍କୁ... !”

ନିର୍ମଳ ଚିଠିଟି ଆମୂଳଚୂଳ ଡାକିଗଲା ଏବଂ ଚଞ୍ଚଲ୍‍ ତାହାହିଁ ଅବିକଳ ପତ୍ରରେ ଲେଖି ଦେଲା । ଶେଷକୁ ନିର୍ମଳ କହିଲା–“ଲେଖ, ବର୍ତ୍ତମାନ ଆଓରଙ୍ଗ୍‌ଜେବ୍ ବାଦ୍‌ଶାହ ମହାରାଣାଙ୍କ ବାହୁ ବଳରେ... ।”

ଚଞ୍ଚଲ ‘...ବାଦ୍‌ଶାହ’ ପର୍ଯ୍ୟନ୍ତ ଲେଖି କହିଲା–“ମହାରାଣା’ ଲେଖିବି ନା ରାଜପୁତ୍ ଦେଖିବି ?”

ନିର୍ମଳ ଟିକିଏ ହସିଦେଇ କହିଲା–“ହେଉ, ସେଇଆ ଲେଖ । ...ପରାଭୂତ ହୋଇ ରାଜପୁତାନା ତ୍ୟାଗ କରି ପଳାଇଗଲାଣି । ଏପରି ଅବସ୍ଥାରେ ନିଜର ଅଲିଅଳ ସନ୍ତାନ ପ୍ରତି ଆପଣଙ୍କର ଆଦେଶ କ’ଣ ?”

ତା’ପରେ ଚିଠିର ଶେଷଆଡ଼କୁ ଲେଖିଲେ ଛଞ୍ଚଲ୍‍କୁମାରୀ–“ବର୍ତ୍ତମାନ ମୁଁ ଆପଣଙ୍କ ଅଧୀନା... !”

“ଆଚ୍ଛା, ତୁମେ କ’ଣ ଏବେ ମହାରାଣାଙ୍କର ଅଧୀନା ନୁହଁ ?”

“ଦୂର୍‌ହ ଅଲାଜୁକୀ, ତୋ’ ମୁହଁରେ କ’ଣ କିଛି ହେଲେ ବାଡ଼ବତା ନାହିଁ ?”

“ନୋହିଲେ ଲେଖ, ମୁଁ ବର୍ତ୍ତମାନ କାହାରି ଅଧୀନା ନୁହେ ।”

ଚଞ୍ଚଲ ବାଧ୍ୟ ହୋଇ ତାହାହିଁ ଲେଖିଦେଲେ, ପତ୍ର ଲେଖିସାରିବା ପରେ କହିଲା ନିର୍ମଳ–“ଏବେ ଚିଠିଟିକୁ ଶୀଘ୍ର ରୂପନଗର ପଠାଇଦିଅ ।”

ପତ୍ର ପଠାଗଲା ଏବଂ ରୂପନଗରର ରାଓ ଉତ୍ତରରେ ଲେଖିଲେ–“ମୁଁ ଦୁଇ ହଜାର ଫଉଜ ନେଇ ଉଦୟପୁର ଯାଉଛି, ମାର୍ଗ ଉନ୍ମୁକ୍ତ କରି ଦେବା ଲାଗି ରାଣାଙ୍କୁ କହିବୁ ।”

ଏ ଭଳି ଏକ ଆଶ୍ଚର୍ଯ୍ୟଜନକ ଉତ୍ତରରେ କ’ଣ ଅର୍ଥ ହୋଇପାରେ; ନିର୍ମଳ କିମ୍ବା ଚଞ୍ଚଲ୍‍ କେହି ବୁଝିପାରିଲେ ନାହିଁ । ପରିଶେଷରେ ରାଣାଙ୍କ ନିକଟକୁ ପତ୍ରଟି ପଠାଇ ଦେବାକୁ ଦୁହେଁ ସ୍ଥିର କରି ମାଣିକଲାଲ୍‍କୁ ସମ୍ବାଦ ଦେଲେ ।

ଚଞ୍ଚଲ୍‍କୁମାରୀ ସମ୍ବନ୍ଧରେ ରାଣା ରାଜସିଂହ ଅନେକ ଚିନ୍ତାକରି କିଛି ସ୍ଥିର କରି ପାରିଲେ ନାହିଁ । ଶେଷରେ ସେ ବିକ୍ରମ ସୋଲାଙ୍କିଙ୍କୁ ପତ୍ର ଲେଖି ପୂର୍ବର ଘଟଣା, ତାଙ୍କର ଅଭିଶାପ ଆଦି ସ୍ମରଣ କରାଇବା ସଙ୍ଗେ ସଙ୍ଗେ ତାଙ୍କ ପ୍ରତିଶ୍ରୁତି ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିଲେ ନାହିଁ-। ଶେଷରେ ତାଙ୍କର ଅଭିପ୍ରାୟ ଜଣାଇବାଲାଗି ମହାରାଣ୍ୟ ବିକ୍ରମ ସୋଲାଙ୍କିଙ୍କୁ ଅନୁରୋଧ କଲେ-। ସେ ପତ୍ରର ଉତ୍ତରରେ ସୋଲାଙ୍କି ମଧ୍ୟ ଲେଖିଲେ–“ମୁଁ ଦୁଇ ହଜାର ଅଶ୍ଵାରୋହୀ ସୈନ୍ୟ ନେଇ ଆପଣଙ୍କ ନିକଟକୁ ଯାଉଛି । ଦୟାକରି ଗିରିମାର୍ଗ ଉନ୍ମୁକ୍ତ ରଖିବେ ।”

ଚଞ୍ଚଲ୍‍ କୁମାରୀ ଓ ନିର୍ମଳ ପରି ରାଜସିଂହ ମଧ୍ୟ ବିକ୍ରମ ସୋଲାଙ୍କିଙ୍କ ପତ୍ରର ଅଭିପ୍ରାୟ କିଛି ବୁଝି ନପାରି ଶେଷରେ ଭାବିଲେ–‘ମାତ୍ର ଦୁଇହଜାର ସୈନ୍ୟ ଆଣି ସେ ମୋର କି ଅନିଷ୍ଟ କରିପାରିବେ ? ମୁଁ ତ ସତର୍କ ରହିଛି... ।’ ତେଣୁ ବିକ୍ରମଦେବଙ୍କ ଆଗମନ ଲାଗି ଗିରିମାର୍ଗର ଅବରୋଧ ଖୋଲିଦେଲେ ।

Image

 

ମୋଗଲ ନୀତି !

 

ଗିରିଗହ୍ୱର ନିଷ୍କୃତି ପାଇ ଆଓରଙ୍ଗଜେବ୍ ଆସି ଉଦୟସାଗର ତୀରରେ ଶିବିର ସ୍ଥାପନ କରି ରାତ୍ରିଯାପନ କଲେ । ସୈନ୍ୟ ଓ ଘୋଡ଼ା ହାତୀ ପ୍ରଭୃତି ରାଜପୁତ୍‌ମାନଙ୍କଠାରୁ ଆହାର ପାଇ କୌଣସିମତେ ବର୍ତ୍ତିଗଲେ । ତା’ପରେ ସୈନ୍ୟ–ଛାଉଣି ମଧ୍ୟରେ ନାଚଗାନର ଧୁମ୍ ଉଠିଲା । ଜଣେ ମୋଗଲ ସିପାହୀ ହସି ହସି କହିଲା–“ଆମେ ହିନ୍ଦୁରାଜ୍ୟକୁ ଆସି ଦିନେ ଦୁଇଦିନ ଏକାଦଶୀ ଉପବାସ କରିଗଲେ ।”

 

ଏହା ଶୁଣି ଜଣେ ମୋଗଲ ସୁନ୍ଦରୀ ପରିହାସ କରି କହିଲା–“ଭାଗ୍ୟକୁ ବର୍ତ୍ତିଗଲ କୁହ ! ଆମ୍ଭେମାନେ ତ ଭାବିଥିଲୁ–ଆମେ ସବୁ ଏକାଦଶୀ କରୁଛୁ ବୋଲି । ତୁମେମାନେ କାହିଁକି ଏକାଦଶୀ କରିବ ?”

 

ସେହି ସମୟରେ ଜଣେ ଗାୟିକା ଗୀତ ପରିବେଷଣ କରୁଥିଲା । ଗୀତ ମଝିରେ ତା’ର ତାଳ ବେତାଳ ହୋଇଗଲା । ସେତିକିବେଳେ ଜଣେ ଶ୍ରୋତା ଟିପ୍‌ପଣୀ ଦେଇ କହିଲା–“ବାଈଜୀ, ଏ କ’ଣ କରୁଛ ? ତାଳ କଟିଗଲା ଯେ ।”

 

ଗାୟିକା ମୋଗଲ ଯୁବକକୁ ମିଠା–କଡ଼ା ଉତ୍ତର ଦେଇ କହିଲା–“ଆପଣମାନଙ୍କର ବୀରତ୍ଵ ଦେଖି ହିନ୍ଦୁସ୍ତାନ ଛାଡ଼ି ଓଡ଼ିଶା ଯିବାଲାଗି ମନହେଉଛି । ତେଣୁ ହିନ୍ଦୁସ୍ତାନୀ ରାଗରେ ଗାଉ ଗାଉ ହଠାତ୍ ‘ଓଡିଶୀ’ ରାଗ ମିଶାଇଦେଲି । ସେଇଥିପାଇଁ ବୋଧହୁଏ ତାଳ କଟିଗଲା ।” କେହି କେହି ଉଦୀପୁରୀର ଅପହରଣ ବୃତ୍ତାନ୍ତରେ ଦୁଃଖିତ ହୋଇ ମତ ବ୍ୟକ୍ତ କଲା; କିନ୍ତୁ ଖୈର୍‌ ଖାଁ ନାମକ ଜଣେ ମୋଗଲ ସିପାହୀ କହିଲା–ଏ ତ ହିନ୍ଦୁ ରାବଣ ଦ୍ଵାରା ସୀତାହାରଣ ପରି ହେଲା ଭାଇ ।” ଆଉ କେହି ଜଣେ ଉତ୍ତରଦେଇ କହିଲା–“ବାଦ୍‌ଶାହ ଏତେ ବାନରସେନା ଆଣିଥିଲେ; ତେବେ ସୁଦ୍ଧା ସୀତା ଉଦ୍ଧାର ହୋଇପାରିଲା ନାହିଁ କାହିଁକି ?”

 

ଏହାର ଉତ୍ତର ଦେଇ କହିଲା ଆଉ ଜଣେ ସିପାହୀ–“ଆରେ ଭାଇ, ଆମେମାନେ ହେଲେ ସିପାହୀ, ଆମେ କ’ଣ କାଠୁରିଆ ହୋଇପାରିବା ? ଆମକୁ ଗଛହଣା ବିଦ୍ୟା ଜଣାନଥିଲା; ସେଥିପାଇଁ ଆମେମାନେ ହାରିଗଲେ ।”

 

ଆଉ ଜଣେ ଟିକିଏ ଟାହୁଲି କରି କହିଲା–“ତୁମମାନଙ୍କର ବିଦ୍ୟା ତ ଧାନକଟା ପର୍ଯ୍ୟନ୍ତ, ତୁମେ ଗଛ କାଟିବ କିପରି ?” ଏହିପରି କେତେ କ’ଣ ରଙ୍ଗ–ରହସ୍ୟ ଚାଲିଲା ।

 

ବାଦ୍‌ଶାହ ଶିବିରର ରଙ୍ଗମହଲରେ ପ୍ରବେଶ କରିବା ମାତ୍ରେ ଜେବ୍ଉନ୍ନିସା ହାତଯୋଡ଼ି ଛିଡ଼ା ହୋଇ ରହିଲା । ବାଦ୍‌ଶାହ ତା ଆଡ଼କୁ ଚାହିଁ ଗୁରୁଗମ୍ଭୀର ସ୍ଵରରେ କହିଲେ–“ମୁଁ ବେଶ୍ ବୁଝିପାରିଛି, ତୁ ଯାହା କରିଛୁ, ନିଜ ଇଚ୍ଛାରେ କରିନାହୁଁ । ଏଥିଲାଗି ମୁଁ ତୋର ଦୋଷ ମାଫ୍ କରୁଛି-। କିନ୍ତୁ ସାବଧାନ ! ଏ ବିବାହ ବିଷୟରେ କେହି ଯେପରି କିଛି ଟେର୍‌ ନ ପାଆନ୍ତି-।”

 

ତା’ପରେ ବାଦ୍‌ଶାହ ଉଦୀପୁରୀ ବେଗମ୍ ସହିତ ସାକ୍ଷାତ କଲେ । ତାକୁ ଯେପରି ଭାବରେ ଅପମାନିତ କରାଯାଇଥିଲା; ପ୍ରତ୍ୟେକ ଘଟଣାକୁ ଖୁବ୍ ଅତିରଞ୍ଜିତ କରି ଉଦୀପୁରୀ ବର୍ଣ୍ଣନା କରିଗଲା । ବାଦ୍‌ଶାହ ତାହା ଶୁଣି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବିମର୍ଷ ମନରେ ସେଠାରୁ ବିଦାୟ ନେଲେ ।

 

ପରଦିନ ଦରବାର ବସିବାର ସମୟ ହୋଇଗଲା । ‘ଦରବାର ଆମ୍’ ବସିବା ପୂର୍ବରୁ ସେ ମୋବାରକ୍‌କୁ ଡାକି ଗୋପନରେ କହିଲେ–“ବର୍ତ୍ତମାନ ମୁଁ ତୁମର ସବୁ ଦୋଷ ମାଫ୍ କରୁଛି । କାରଣ, ତୁମେ ଆଉ ସାଧାରଣ ବ୍ୟକ୍ତି ନୁହଁ, ଖୋଦ ବାଦଶାହଙ୍କ ଜାମାତା । ମୁଁ ମୋର ଜାମାତାକୁ ଗୋଟିଏ ନିମ୍ନପଦରେ ରଖିପାରିବି ନାହିଁ; ତେଣୁ ତୁମକୁ ଦୁଇହଜାର ଫଉଜ ଦେଇ ‘ମନସାବଦାର’ ପଦରେ ନିଯୁକ୍ତ କରୁଛି । ତୁମ ନାମରେ ଆଜି ଏ ପରୱାନା ବାହାର ହୋଇଯିବ; କିନ୍ତୁ ବର୍ତ୍ତମାନ ଅବସ୍ଥାରେ ତୁମର ଏଠାରେ ରହିବା ସମ୍ଭବ ହୋଇପାରୁନାହିଁ । କାରଣ, ଶାହଜାଦା ଆକ୍‌ବର ମୋରି ପରି ଗିରିଗହ୍ଵର ମାର୍ଗରେ ଅଟକି ରହିଛି । ତାକୁ ଉଦ୍ଧାର କରିବା ଲାଗି ଦିଲ୍ଲୀର୍ ଖାଁ ଫଉଜ ନେଇ ଅଗ୍ରସର ହୋଇଗଲେଣି । ସେଠାରେ ତୁମପରି ଯୋଦ୍ଧାର ଆବଶ୍ୟକତା ରହିଛି । ତୁମେ ଆଜି ସେଠାକୁ ଯାତ୍ରା କର ।”

 

ମୋବାରକ୍ ବାଦଶାହଙ୍କ କଥା ଶୁଣି ଆଦୌ ଆନନ୍ଦିତ ହେଲେ ନାହିଁ । କାରଣ ସେ ଭଲଭାବରେ ଜାଣନ୍ତି–ବାଦଶାହଙ୍କ ଆଦର ସତ୍କାର ଆଦୌ ମଙ୍ଗଳଜନକ ନୁହେ । ସେ ମନେ ମନେ ଯାହା ଭାବିଥିଲେ, ତାହା ହିଁ ଘଟୁଥିବାର ଦେଖି, ସେ ଆଦୌ ଦୁଃଖିତ ହେଲେ ନାହିଁ ।

 

ତେଣୁ ଅତି ବିନୀତ ଭାବରେ କୁର୍ଣ୍ଣୀଶ୍ କରି ଦିଲ୍ଲୀର୍ ଖାଁଙ୍କ ଶିବିରକୁ ଯିବାଲାଗି ଉଦ୍‌ଯୋଗ କଲେ ।

 

ଠିକ୍ ପରେ ପରେ ଆଓରଙ୍ଗଜେବ୍ ଜଣେ ବିଶ୍ଵସ୍ତ ଗୁପ୍ତଚର ଦ୍ଵାରା ଦିଲ୍ଲୀର୍ ଖାଁଙ୍କ ନିକଟକୁ ଖଣ୍ଡିଏ ପତ୍ର ପଠାଇଦେଲେ । ପତ୍ରର ସାରମର୍ମ ହେଉଛି–

 

‘ମୋବାରକ୍ ଖାଁକୁ ଦୁଇହଜାର ଫଉଜ୍‌ର ମନସବ୍‌ଦାର କରି ତୁମ ନିକଟକୁ ପଠାଇଲି । ଦେଖ, ସେ ଯେପରି ଗୋଟିଏ ଦିନ ସୁଦ୍ଧା ଜୀବିତ ନ ରହେ । ଯଦି ଯୁଦ୍ଧରେ ମରିଯାଏ, ତେବେ ଖୁବ୍ ଭଲ, ଅନ୍ୟଥା ଯେକୌଣସି ପ୍ରକାରେ ତା’ର ଶୀଘ୍ର ମୃତ୍ୟୁ ହେବା ଅତ୍ୟନ୍ତ ବାଞ୍ଛନୀୟ । ’

 

ଦିଲ୍ଲୀର୍ ଖାଁ ମୋବାରକ୍ ଖାଁକୁ ଆଦୌ ଚିହ୍ନି ନ ଥିଲା । ତଥାପି ଯେକୌଣସି ମତେ ବାଦ୍‌ଶାହଙ୍କ ଆଦେଶ ପାଳନୀୟ ବୋଲି ସେ ମନେ ମନେ ସ୍ଥିର କରିନେଲା ।

 

ତା’ପରେ ବାଦ୍‌ଶାହ ‘ଦରବାର ଆମ୍’ରେ ବସି ସଭାସଦ୍‌ମାନଙ୍କ ଆଗରେ ନିଜର ଅଭିମତ ବ୍ୟକ୍ତ କରି କହିଲେ–“ଆମ୍ଭେମାନେ ଗୋଟିଏ କାଠୁରିଆର ପାଲରେ ପଡ଼ି ସନ୍ଧି କରିଥାଉଁ-। ସେ ପ୍ରକାର ସନ୍ଧି କୌଣସିମତେ ଗ୍ରହଣୀୟ ନୁହେଁ । ଗୋଟେ ନିତାନ୍ତ ତୁଚ୍ଛ ଭୂମିଜ ରାଜା ସହିତ ଦିଲ୍ଲୀ ବାଦଶାହଙ୍କର ସନ୍ଧି କ’ଣ ହେବ ? ମୁଁ ସେ ସନ୍ଧିପତ୍ର ଛିଣ୍ଡାଇ ଫିଙ୍ଗିଦେଇଛି । ସେ ଆମର ଅସଲ ଦାବୀ ଗ୍ରହଣ କରିନାହିଁ । ରୂପନଗରୀର ପିତା ମୋତେ ନିଜ କନ୍ୟାକୁ ଅର୍ପଣ କରିଥିଲା, ତେଣୁ ତା’ଉପରେ ରାଜସିଂହର କୌଣସି ଅଧିକାର ନାହିଁ । ସେ କନ୍ୟାକୁ ଫେରାଇ ନ ଦେଲେ, ମୁଁ କୌଣସିମତେ ରାଜସିଂହକୁ କ୍ଷମା କରିନପାରେ । ଅତଏବ ପୂର୍ବପରି ଉଦୟପୁର ଅଭିଯାନ ଆମର ଅବ୍ୟାହତ ରହିଛି । ରାଣାର ରାଜ୍ୟରେ ଗୋବଧ ନିଶ୍ଚୟ ହେବ; ଦେବମନ୍ଦିର ଭାଙ୍ଗିବା କାର୍ଯ୍ୟ ପୂର୍ବପରି ଚାଲୁ ରହିବ ଏବଂ ସମସ୍ତଙ୍କଠାରୁ ‘ଜିଜିୟା’ କର ଆଦାୟ କରାଯିବ-।”

 

ସଙ୍ଗେ ସଙ୍ଗେ ବାଦଶାହଙ୍କ ପରୱାନା ପ୍ରଚାରିତ ହୋଇଗଲା ଏବଂ ଦିଲ୍ଲୀର ଖାଁ ‘ଦାଇସୂରୀ’ ବାଟ ଦେଇ ମାରୱାଡ଼ ରାସ୍ତାରେ ଉଦୟପୁରକୁ ଆକ୍ରମଣ କରିବା ଲାଗି ଆସୁଥିବାର ଶୁଣି ରାଜସିଂହ ଆଓରଙ୍ଗଜେବ୍‌ଙ୍କ ନିକଟକୁ ଲୋକ ପଠାଇ ଖବର ଦେଲେ–‘ସନ୍ଧିପତ୍ର ସ୍ଵାକ୍ଷରିତ ହୋଇଯିବା ପରେ ଶୁଣି ଯୁଦ୍ଧ କାହିଁକି ?’ ଆଓରଙ୍ଗ୍‌ଜେବ ଉତ୍ତର ଦେଲେ–‘ଗୋଟେ ତୁଚ୍ଛ ଭୂଇଁୟା ରଜା ସହିତ ବାଦ୍‌ଶାହଙ୍କର ସନ୍ଧି ହୋଇନପାରେ; ବିଶେଷତଃ ରୂପନଗରୀ ବେଗମ୍‌ଙ୍କୁ ଫେରାଇନଦେଲେ ବାଦଶାହ ତୁମର କସୁର ମାଫ୍ କରିବେ ନାହିଁ । ’

 

ଆଓରଙ୍ଗଜେବ୍‌ଙ୍କୁ ଉତ୍ତର ଦେଇ ରାଜସିଂହ କେବଳ ମାତ୍ର ଲେଖିଲେ–“ବର୍ତ୍ତମାନ ସୁଦ୍ଧା ରାଜସିଂହ ଜୀବନରେ ବଞ୍ଚିଛି ।”

 

ଚଞ୍ଚଲ୍‍କୁମାରୀଙ୍କ ଅପହରଣ ଆଓରଙ୍ଗଜେବ୍‌ଙ୍କ ବକ୍ଷରେ ଶୂଳବିଦ୍ଧ ପରି ଆଘାତ ଦେଇଥିଲା । ରାଜସିଂହଙ୍କ ଦ୍ଵାରା ଅଭୀଷ୍ଟ ସିଦ୍ଧିର ଉପାୟ ନଦେଖି, ସେ ରୂପନଗରର ରାଓ ସାହେବଙ୍କୁ ଗୋଟିଏ ପରୱାନା ଲେଖି ପଠାଇଲେ–“ଏ ପର୍ଯ୍ୟନ୍ତ ତୁମର କନ୍ୟା ମୋ ନିକଟରେ ପହଞ୍ଚିନାହିଁ । ଯଥାଶୀଘ୍ର ତାକୁ ଆଣି ହାଜର କରାଅ, ଅନ୍ୟଥା ରୂପନଗର ଦୁର୍ଗର ଚିହ୍ନ ସୁଦ୍ଧା ପୃଥିବୀରେ ରହିବ ନାହିଁ ।” ଆଓରଙ୍ଗଜେବ୍ ଭାବିଲେ–ପିତା ଜିଦ୍ କଲେ ଚଞ୍ଚଲ୍‍କୁମାରୀ ମୋଗଲ ହାରେମ୍‌କୁ ଆସିବାଲାଗି ବାଧ୍ୟ ହୋଇପାରେ । ବାଦଶାହଙ୍କ ପରୱାନାର ଉତ୍ତରଦେଇ ବିକ୍ରମସିଂହ ଲେଖିଲେ–“ମୁଁ ଦୁଇହଜାର ସୈନ୍ୟ ନେଇ ଶୀଘ୍ର ବାଦଶାହଙ୍କ ହଜୁର୍‌ରେ ହାଜିର ହେଉଛି ।” ଏ’ ପତ୍ର ପାଇ ଆଓରଙ୍ଗଜେବ୍ ପ୍ରଥମେ କିଛି ସ୍ଥିର କରି ପାରିଲେ ନାହିଁ; ପରେ ଭାବିଲେ–ବୋଧହୁଏ ମୋତେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବିକ୍ରମସିଂହ ସୈନ୍ୟ ଘେନି ଆସୁଛି ।

Image

 

ଅଦିନ କୁଳିଶ

 

ହାୟ, ସୌନ୍ଦର୍ଯ୍ୟର କି ଅପୂର୍ବ ମହିମା ! ଜେବ୍ଉନ୍ନିସାର ଅପରୂପ ଲାବଣ୍ୟମୟୀ ମୂର୍ତ୍ତି ଦେଖି ମୋବାରକ୍ ଖାଁଙ୍କର ସମସ୍ତ ଦୁଃଖ ପାଶୋର ହୋଇଗଲା । ଅବଶ୍ୟ ମୋଗଲ ରଙ୍ଗମହଲର ସୌନ୍ଦର୍ଯ୍ୟ–ଗର୍ବିଣୀ, ସ୍ନେହାର୍ଦ୍ର–ଦର୍ପିଣୀ ପ୍ରଫୁଲ୍ଲବଦନା ଜେବ୍ଉନ୍ନିସାକୁ ଦେଖିଥିଲେ ମୋବାରକ୍ ଭୁଲିଯାଇଥାଆନ୍ତେ କି ନାହିଁ, ତା କୁହାଯାଇ ପାରିବ ନାହିଁ; କିନ୍ତୁ ବର୍ତ୍ତମାନର ଜେବ୍ଉନ୍ନିସା ସ୍ନେହମୟୀ, ଦର୍ପଶୂନ୍ୟା, ବିନୀତା ଓ ଅଶ୍ରୁମୟୀ । ତେଣୁ ମୋବାରକ୍‌ଙ୍କର ପୂର୍ବ ଅନୁରାଗ ସମ୍ପୂର୍ଣ୍ଣରୂପେ ଫେରିଆସିଲା । ସେହି ଅନୁରାଗର ପ୍ରେମମୟ ପ୍ରବାହରେ ଦରିୟା ବିବି କେଉଁଆଡ଼େ ଉଭେଇଗଲା । ନାରୀର ସୌନ୍ଦର୍ଯ୍ୟରେ ପୁରୁଷ ପ୍ରକୃତରେ ଅନ୍ଧ ତଥା ହିତାହିତଜ୍ଞାନଶୂନ୍ୟ ହୋଇଯାଏ । ଏଭଳି ପ୍ରେମାନ୍ଧ ମଣିଷ କ’ଣ ପାପିଷ୍ଠ ଓ ବିଶ୍ଵାସଘାତକ ପଦବାଚ୍ୟ ନୁହେଁ ?

 

ଶତସହସ୍ର ଆଲୋକମାଳାର ଉଦ୍‌ଭାସିତ ଉଦୟସାଗରର ଚାରିପଟେ ଘେରିରହିଥିବା ପର୍ବତମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବଲୋକନ କରୁ କରୁ, ପଟ୍ଟମଣ୍ଡପରେ ନିର୍ମିତ ସୁସଜ୍ଜିତ କକ୍ଷ ମଧ୍ୟରେ ମୋବାରକ୍ ଜେବ୍ଉନ୍ନିସାର ସୁକୋମଳ ହାତଟିକୁ ନିଜ ହାତମୁଠାରେ ରଖି ଅତ୍ୟନ୍ତ ଦୁଃଖର ସହିତ କହିଲେ–“ତୁମକୁ ଫେରିପାଇଲି ସତ, କିନ୍ତୁ ଦଶଟି ଦିନ ସୁଦ୍ଧା ମୁଁ ଏ ସୌଭାଗ୍ୟର ଅଧିକାରୀ ହୋଇପାରିଲି ନାହିଁ ।”

 

“କାହିଁକି, କ’ଣ ହେଲା ଯେ ? କିଏ ବାଧାଦେବ ? ବାଦଶାହ ?” ଆଗ୍ରହର ସହିତ ପଚାରିଲା ଜେବ୍ଉନ୍ନିସା ।

 

“ହଁ, ସେଇ ସନ୍ଦେହ ମୋ ମନରେ ଉଙ୍କିମାରୁଛି । ମୁଁ ବର୍ତ୍ତମାନ ବାଦଶାହଙ୍କ ବିଷୟରେ କିଛି ମତାମତ ଦେଉନାହିଁ । ମୁଁ କାଲି ଯୁଦ୍ଧକୁ ଯାଉଛି । ଯୁଦ୍ଧରେ ଜୀବନ ଓ ମୃତ୍ୟୁ ଉଭୟ ରହିଛି । କିନ୍ତୁ ମୋ ପକ୍ଷରେ ମରଣ ସୁନିଶ୍ଚିତ । ଏ ଯୁଦ୍ଧରେ ରାଜପୁତମାନଙ୍କ ପକ୍ଷରୁ ଯେଉଁ ପ୍ରକାର ସୁବନ୍ଦୋବସ୍ତ ହୋଇଛି, ତାହା ମୁଁ ପ୍ରତ୍ୟକ୍ଷ ଦେଖିଆସିଛି । ସେଥିରୁ ମୁଁ ଭଲଭାବରେ ଜାଣେ ଯେ, ପାର୍ବତ୍ୟ ଯୁଦ୍ଧରେ ଆମେ ସେମାନଙ୍କୁ ପରାଜିତ କରିପାରିବୁ ନାହିଁ । ମୁଁ ରାଜପୁତ୍‌ମାନଙ୍କ ଦ୍ଵାରା ଥରେ ପରାଜିତ ହୋଇଛି । ପୁଣି ଥରେ ପରାସ୍ତ ହୋଇ ନିର୍ଲଜ୍ଜ ମୁଖରେ ଫେରିଆସିପାରିବି ନାହିଁ । ତେଣୁ ମୋତେ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବାକୁ ପଡ଼ିବ ।”

 

ଏହା ଶୁଣିବାମାତ୍ରେ ଜେବ୍ଉନ୍ନିସାର ଆଖି ଲୁହରେ ଛଳ ଛଳ ହୋଇଗଲା । ସେ ଭାରାକ୍ରାନ୍ତ ହୃଦୟରେ ଦୀର୍ଘନିଃଶ୍ଵାସ ତ୍ୟାଗକରି କହିଲା–“ଆଲ୍ଲା ତୁମକୁ ନିଶ୍ଚୟ ଏ ଯୁଦ୍ଧରେ ଜୟୀ କରାଇ ମୋ’ରି କୋଳକୁ ଫେରାଇ ଆଣିବେ । ତୁମେ ମୋ ନିକଟକୁ ଫେରି ନ ଆସିଲେ ମୁଁ ନିଶ୍ଚିତଭାବରେ ମୃତ୍ୟୁବରଣ କରିନେବି ।” ଏହା କହିବା ମାତ୍ରେ ଉଭୟଙ୍କ ଚକ୍ଷୁରୁ ଲୋତକଧାର ଝରଝର ହୋଇ ଝରିପଡ଼ିଲା । ହଠାତ୍ ମୋବାରକ୍‌ଙ୍କ ମନରେ ଭାବନାର ଉଦ୍ରେକ ହେଲା–‘ମରିବି ନା ମରିବି ନାହିଁ ।’ ସେ ଅନ୍ୟମନସ୍କ ଭାବରେ ଅନେକ କ୍ଷଣ ଚିନ୍ତା କରି ବସିଲେ । ସମ୍ମୁଖରେ ନକ୍ଷତ୍ରଖଚିତ ଗଗନଭେଦି ପର୍ବତମାଳାରେ ପରିବେଷ୍ଟିତ ଉଦୟସାଗରର ଅଥଳ ଜଳରାଶି ସେଥିରେ ପ୍ରତିବିମ୍ବିତ ହେଉଛି । ଅସଂଖ୍ୟ ଦୀପମାଳାରେ ଉଦ୍‌ଭାସିତ ପଟନିର୍ମିତ ମହାନଗରୀର ମନୋମୁଗ୍‌କର ଅପୂର୍ବ ଛଟା; ଦୂରରେ ଉତ୍ତୁଙ୍ଗ ଗିରିଶିଖରର ଭୀମକାନ୍ତ ରୂପ; ପୁଣି ଚତୁର୍ଦ୍ଦିଗରେ ସୂଚୀଭେଦ୍ୟ ଘନ ଅନ୍ଧକାର । ଉଭୟଙ୍କ ଭାବନାର ଥଳକୂଳ ରହିଲା ନାହିଁ, ଦୁହିଁଙ୍କ ଆଖି ଆଗରେ ଭାସିଉଠିଲା ଅଦୂର ଭବିଷ୍ୟତର ନିବିଡ଼ ଅନ୍ଧକାର ।

 

ହଠାତ୍ ଚମକି ପଡ଼ିଲାପରି କହିଲା ଜେବ୍ଉନ୍ନିସା–“ଏଇ ଗଭୀର ଅନ୍ଧକାର ମଧ୍ୟରେ ଆମ ଶିବିରର ପଛପଟେ ତମ୍ବୁତଳେ କିଏ ଜଣେ ଲୁଚିଗଲା ? ଓଃ, ତୁମପାଇଁ ମୋ’ ମନ ପ୍ରତିକ୍ଷଣ ଆତଙ୍କିତ ହୋଇଉଠୁଛି ।”

 

“ଦେଖି ଆସୁଛି...” । କହି ମୋବାରକ୍ ଶିବିରର ପ୍ରାଚୀର ଆଡ଼କୁ ଦୌଡ଼ିଗଲେ, ଦେଖିଲେ, ପ୍ରକୃତରେ କେହି ଜଣେ ଚୁପ୍‌ଚାପ ତଳେ ଶୋଇରହିଛି । ମୋବାରକ୍ ତା’ର ହାତଧରି ଉଠାଇ ଆଣିଲେ । ଚୁପ୍‌ଚାପ ଶୋଇଥିବା ଲୋକଟା ଉଠିପଡ଼ିଲା । ଅନ୍ଧାର ମଧ୍ୟରେ ମୋବାରକ୍ କିଛି ଜାଣିନପାରି, ତାକୁ ଶିବିର ଭିତରେ ଜଳୁଥିବା ଆଲୋକ ପାଖକୁ ଘେନି ଆସି ଦେଖିଲେ ସେ ଜଣେ ନାରୀ । ସେ ମୁହଁରେ ଓଢ଼ଣା ଦେଇ ଛିଡ଼ା ହୋଇଗଲା ଆଲୋକ ସମ୍ମୁଖରେ । ଯେତେ କହିଲେ ସୁଦ୍ଧା ସେ ମୁହଁରେ ଓଢ଼ଣା ଖୋଲିଲା ନାହିଁ । ମୋବାରକ୍ ତାକୁ ଗୋଟିଏ ପ୍ରତିହାରିଣୀ ଦାୟିତ୍ୱରେ ଛାଡ଼ିଦେଇ ଜେବ୍ଉନ୍ନିସାକୁ ଖବର ଦେଲେ । ଜେବ୍ଉନ୍ନିସା କୌତୂହଳବଶତଃ ତାକୁ ନିଜ କକ୍ଷ ଭିତରକୁ ଅଣାଇ ପଚାରିଲା–“ତୁମେ କିଏ ସେ ? ଲୁଚିଥିଲ କାହିଁକି ? ମୁହଁରୁ ଓଢ଼ଣା ଖୋଲ ।”

 

ସ୍ତ୍ରୀଲୋକଟି ମୁହଁରୁ ଓଢ଼ଣା ଖୋଲିଦିଅନ୍ତେ, ଉଭୟ ମୋବାରକ୍ ଓ ଜେବ୍ଉନ୍ନିସା ବିସ୍ମିତ ହୋଇ ଚାହିଁ ରହିଲେ ତା’ରି ଆଡ଼କୁ । ସେ ସ୍ତ୍ରୀଟି ଅନ୍ୟ କେହି ନୁହେ, ଦରିୟା ବିବି ।

 

ଅତି ଆନନ୍ଦ ମୁହୂର୍ତ୍ତରେ, ବିନା ମେଘରେ ବଜ୍ରପାତ ହେଲା ପରି ଦୁହେଁ ମନେ ମନେ କମ୍ପିଉଠିଲେ । ତିନିଜଣଯାକ ପରସ୍ପରକୁ ଚାହିଁରହିଲେ, କାହାରି ମୁହଁରୁ ପଦେ ହେଲେ କଥା ବାହାରିଲା ନାହିଁ ।

 

କେତେ ସମୟ ପରେ ଦୀର୍ଘନିଃଶ୍ଵାସ ତ୍ୟାଗକରି କହିଲେ ମୋବାରକ୍–“ୟା ଆଲ୍ଲାହ୍, ମୋତେ ନିଶ୍ଚୟ ମୃତ୍ୟୁବରଣ କରିବାକୁ ପଡ଼ିବ ।”

 

ଜେବ୍ଉନ୍ନିସା ଅତି କାତର କଣ୍ଠରେ କହିଉଠିଲା–“ମୁଁ ମଧ୍ୟ ତୁମର ସହଯାତ୍ରିଣୀ ହେବି ପ୍ରିୟ !”

 

ଦରିୟା ବିବି ତାଚ୍ଛଲ୍ୟ ଭାବରେ ହସିଦେଇ କହିଲେ–“ତୁମେ କିଏ ସେ ?”

 

ମୋବାରକ୍ ଦାରିୟାର ହାବଭାବ ବୁଝିପାରି କହିଲେ–“ମୋ ସଙ୍ଗରେ ଆଃ... ।” ମୋଗଲବୀର ମୋବାରକ୍ ଖାଁ ଅତି ଦୀନ ଭାବରେ ଜେବ୍ଉନ୍ନିସାଠାରୁ ବିଦାୟ ନେଇ ଚାଲିଗଲେ ।

Image

 

ଅପୂର୍ବ ମିଳନ

 

ରାଜନୀତି ଓ ଯୁଦ୍ଧନୀତିରେ ଥିଲେ ରାଜସିଂହ ଧୂରୀଣ ଶାସକ । ମୋଗଲସେନା ରାଣାଙ୍କ ରାଜ୍ୟର ସୀମା ପାର ନ ହେବା ପର୍ଯ୍ୟନ୍ତ ସେ ନିଜର ଯୁଦ୍ଧ ଶିବିର ଭଙ୍ଗ କଲେ ନାହିଁ କିମ୍ବା ସୈନ୍ୟସାମନ୍ତମାନଙ୍କୁ ସ୍ଥାନଚ୍ୟୁତ କଲେ ନାହିଁ । ସେ ଶିବିର ମଧ୍ୟରେ ଥିବା ସମୟରେ ଦୁଇ ହଜାର ସୈନ୍ୟ ସହିତ ରୂପନଗରର ବିକ୍ରମ ସିଂହ ଆସୁଥିବାର ଖବର ପାଇଲେ । ସେ ତାଙ୍କର ଉଦ୍ଦେଶ୍ୟ ସମ୍ବନ୍ଧରେ ବିଶେଷ ଧାରଣା କରି ନ ପାରି, ନିଜେ ମଧ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇଗଲେ ।

 

ରୂପନଗରର ଗୋଟିଏ ଅଶ୍ଵାରୋହୀ ଆଗେ ଆଗେ ଆସି ରାଜସିଂହଙ୍କୁ ଦର୍ଶନ କରି ଜଣାଇଲା–“ରୂପନଗରର ରାଜା ବିକ୍ରମ ସିଂହ ଆପଣଙ୍କ ସହିତ ସାକ୍ଷାତ କରିବା ଲାଗି ଆସୁଛନ୍ତି ।”

 

ରାଜସିଂହ ବାର୍ତ୍ତାବହକୁ ଉତ୍ତର ଦେଇ କହିଲେ–“ତୁମେ ଯାଇ ରାଓଜୀଙ୍କୁ ଖବର ଦିଅ ସେ ଯଦି ଶିବିର ମଧ୍ୟରେ ମୋତେ ସାକ୍ଷାତ କରିବାକୁ ଚାହାନ୍ତି, ତେବେ ତାଙ୍କୁ ଏକାକୀ ଆସିବାକୁ ପଡ଼ିବ ଏବଂ ସୈନ୍ୟମାନଙ୍କ ଗହଣରେ ଯଦି ମୋର ଦର୍ଶନ ଅଭିଳାଷ କରୁଥାଆନ୍ତି, ତା’ ହେଲେ ସେ ବାହାରେ ଥାଆନ୍ତୁ; ମୁଁ ସୈନ୍ୟମାନଙ୍କ ସହିତ ଯାଇ ତାଙ୍କୁ ସାକ୍ଷାତ କରିବି ।”

 

ବିକ୍ରମ ସୋଲାଙ୍କି ଖବର ପାଇବାମାତ୍ରେ ଏକାକୀ ଯାଇ ଶିବିର ମଧ୍ୟରେ ରାଜସିଂହଙ୍କୁ ସାକ୍ଷାତ କଲେ । ତାଙ୍କୁ ଦେଖିବାକ୍ଷଣି ରାଣା ଆଦର ଅଭ୍ୟର୍ଥନାର ସହିତ ରାଓଜୀଙ୍କୁ ଆସନ ପ୍ରଦାନ କଲେ । ବିକ୍ରମ ସିଂହ ସଙ୍ଗରେ ଆଣିଥିବା କେତେକ ଉପହାର ଦ୍ରବ୍ୟ ରାଜସିଂହଙ୍କୁ ଅର୍ପଣ କରନ୍ତେ, ସେ ତାହା ଗ୍ରହଣ ନକରି କହିଲେ–“ଆପଣଙ୍କର ଏ ଉପହାର ମୋଗଲ ବାଦଶାହ ପାଇବାର ଯୋଗ୍ୟ ।”

 

ବିକ୍ରମ ସିଂହ ଗର୍ବୋନ୍ନତ ଶିରରେ କହିଲେ–“ମହାରାଣା ରାଜସିଂହ ଜୀବିତ ଥିବା ପର୍ଯ୍ୟନ୍ତ ଆଉ କୌଣସି ରାଜପୁତ୍ ମୋଗଲ ବାଦଶାହଙ୍କୁ ନଜରାନା ଦେବେ ନାହିଁ । ମହାରାଜ ! ମୋର ପୂର୍ବ ଅପରାଧ କ୍ଷମା କରନ୍ତୁ । ମୁଁ ଆପଣଙ୍କ ବୀରତ୍ୱର ପ୍ରକୃତ ପରିଚୟ ନ ପାଇ, ସେପରି ଅବଜ୍ଞାସୂଚକା ପତ୍ର ଲେଖିଥିଲି । କିନ୍ତୁ ମୁଁ ପ୍ରତ୍ୟକ୍ଷ ଅନୁଭବ କରୁଛି, ଆପଣ ଯେପରି ଭାବରେ ମୋଗଲ ବାଦଶାହଙ୍କୁ ସମୂଚିତ ଶିକ୍ଷା ଦେଲେ, ତାର ପଟାନ୍ତର ନାହିଁ । ସମୁଦାୟ ରାଜପୁତ୍ ଜାତି ଯଦି ଆପଣଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ସଂଗ୍ରାମ କରନ୍ତେ, ତା’ ହେଲେ ପବିତ୍ର ଭାରତଭୂମିରୁ ଅଚିରେ ମୋଗଲ ସାମ୍ରାଜ୍ୟର ଉଚ୍ଛେଦ ସାଧନ ହୋଇପାରନ୍ତା । ଆପଣ ମୋ ପତ୍ରର ଶେଷଭାଗ ସ୍ମରଣ କରନ୍ତୁ । ମୁଁ ଆପଣଙ୍କୁ କେବଳ ଏଇତକ ଉପଢ଼ୌକନ ଦେବାକୁ ଆସିନାହିଁ, ସେଥି ସହିତ ଆଉ ଦୁଇଟି ମୂଲ୍ୟବାନ୍ ସାମଗ୍ରୀ ଆପଣଙ୍କୁ ଅର୍ପଣ କରିବା ଲାଗି ଆସିଛି । ତନ୍ମଧ୍ୟରେ ଗୋଟିଏ ହେଉଛି–ମୋର ଏ ଦୁଇ ସହସ୍ର ଅଶ୍ଵାରୋହୀ ସେନା ଏବଂ ଦ୍ୱିତୀୟଟି ମୋର ଏହି ତରବାରି । ଆଜି ସୁଦ୍ଧା ମୋର ଏହି ଜରାଜୀର୍ଣ୍ଣ ବାହୁରେ କିଛି ନା କିଛି ଶକ୍ତି ରହିଛି । ଆପଣ ମୋତେ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିବେ, ମୁଁ ପ୍ରାଣ ବିନିମୟରେ ତାହା ସମ୍ପନ୍ନ କରିବି ।”

 

ରାଓଜୀଙ୍କ କଥା ଶୁଣି ରାଜସିଂହ ଅତ୍ୟନ୍ତ ଆହ୍ଲାଦିତ ହୋଇ ଆନ୍ତରିକ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ କହିଲେ–“ଆଜି ଆପଣ ସୋଲାଙ୍କି ବୀରପୁଙ୍ଗବ ପରି ମତବ୍ୟକ୍ତ କରିଛନ୍ତି-। ଦୁଷ୍ଟ ବାଦଶାହ ଆଓରଙ୍ଗଜେବ୍ ମୋ ହାତରେ ନିପାତ ହେବାକୁ ବସିଥିଲା; କିନ୍ତୁ ସନ୍ଧିଚୁକ୍ତି କରି ବର୍ତ୍ତିଗଲା । ଉଦ୍ଧାର ପାଇସାରିବା ପରେ କହୁଛି–ମୁଁ ସନ୍ଧି କରିନାହିଁ ଏବଂ ପୁଣି ଯୁଦ୍ଧ କରି ଚାଲିଛି । ସେନାପତି ଦିଲ୍ଲୀର ଖାଁ ଶାହଜାଦା ଆକବରକୁ ଉଦ୍ଧାର କରିବା ଲାଗି ବିଶାଳ ସୈନ୍ୟବାହିନୀ ଧରି ଆଗେଇଚାଲିଛି । ଆପଣ ଠିକ୍ ସମୟରେ ଆସି ପହଞ୍ଚିଛନ୍ତି । ଠିକ୍ ମଝିବାଟରେ ଦିଲ୍ଲୀର ଖାଁକୁ ଶେଷ କରିଦେବାକୁ ପଡ଼ିବ, ନୋହିଲେ ସେ ଯାଇ ଆକବର ସହିତ ମିଳିତ ହୋଇଗଲେ, କୁମାର ଜୟସିଂହ ମହାବିପଦର ସମ୍ମୁଖୀନ ହେବ । ସେଥିଲାଗି ମୁଁ ଗୋପୀନାଥ ରାଠୋରଙ୍କୁ ପଠାଉଥିଲି; କିନ୍ତୁ ତାଙ୍କର ସୈନ୍ୟସଂଖ୍ୟା ଖୁବ୍ ଅଳ୍ପ, ତେଣୁ ମୋ’ ସେନା ମଧ୍ୟରୁ କିଛି ସୈନ୍ୟ ଓ ମାଣିକଲାଲ୍‍ ନାମକ ଜଣେ ସୂଚତୁର ସେନାଧ୍ୟକ୍ଷଙ୍କୁ ମୁଁ ତାଙ୍କ ସାହାଯ୍ୟ ଲାଗି ପଠାଉଛି । ଆଓରଙ୍ଗଜେବ୍ ଅତି ନିକଟରେ ଶିବିର ସ୍ଥାପନ କରି ରହିଥିବାରୁ, ମୁଁ ଏ ସ୍ଥାନ ତ୍ୟାଗ କରି ଯାଇପାରୁନାହିଁ କିମ୍ବା ମାଣିକଲାଲ୍‍ ସହିତ ଅଧିକ ସୈନ୍ୟ ପଠାଇପାରୁନାହିଁ । ମୋର ଇଚ୍ଛା–ଆପଣ ନିଜ ଅଶ୍ଵାରୋହୀମାନଙ୍କୁ ନେଇ ଏହି ଯୁଦ୍ଧରେ ଯୋଗଦିଅନ୍ତୁ ଏବଂ ତିନିଜଣଯାକ ମିଳିତ ହୋଇ ମାର୍ଗ ମଧ୍ୟରେ ଦିଲ୍ଲୀର ଖାଁକୁ ତା’ର ସୈନ୍ୟବଳ ସହିତ ସଂହାର କରନ୍ତୁ ।”

 

ବିକ୍ରମ ସିଂହ ମନେ ମନେ ଆନନ୍ଦିତ ହୋଇ କହିଲେ–“ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ ।” ଏହା କହି ବିକ୍ରମ ସୋଲାଙ୍କି ଯୁଦ୍ଧକୁ ଯିବାଲାଗି ବିଦାୟ ନେଲେ; କିନ୍ତୁ ଚଞ୍ଚଲ୍‍କୁମାରୀର ବିବାହ ସମ୍ବନ୍ଧରେ ସେ ପଦେ ହେଲେ ରାଜସିଂହଙ୍କ ସହିତ ଆଲୋଚନା କଲେ ନାହିଁ ।

Image

 

ପ୍ରତିଶୋଧ

 

ଗୋପୀନାଥ ରାଠୋର; ମାଣିକଲାଲ୍‍ ଓ ବିକ୍ରମ ସିଂହ ଏକତ୍ରିତ ହୋଇ ଦିଲ୍ଲୀର ଖାଁର ବିନାଶ ଲାଗି ଅଗ୍ରସର ହେଲେ । ମୋଗଲ ସୈନ୍ୟବାହିନୀ ଯେଉଁ ମାର୍ଗ ଦେଇ ଆଗେଇ ଚାଲିଥିଲେ, ସେହି ମାର୍ଗରେ ତିନୋଟି ଗୋପନୀୟ ସ୍ଥାନରେ ନିଜ ନିଜର ସେନାମାନଙ୍କ ସହିତ ସେମାନେ ଲୁଚିରହିଲେ; କିନ୍ତୁ ପରସ୍ପରଠାରୁ ସେମାନେ ବେଶୀ ଦୂରରେ ନଥିଲେ । ବିକ୍ରମ ସିଂହଙ୍କ ନିକଟରେ ଅଶ୍ଵାରୋହୀ ସେନା ଥିବାରୁ, ସେ ପର୍ବତର ଉନ୍ନତ ଶିଖରରେ ରହିଲେ ନାହିଁ । ସେ ପାର୍ବତ୍ୟ ଅଞ୍ଚଳର ରାଜା ହୋଇଥିଲେ ମଧ୍ୟ ଅଶ୍ଵାରୋହୀ ସେନା ରଖିବାକୁ ବାଧ୍ୟ ହୋଇଥିଲେ; କାରଣ ତଦ୍‌ବ୍ୟତୀତ ସମତଳ ଭୂଭାଗରେ ଆତତାୟୀ ଓ ଦସ୍ୟୁମାନଙ୍କ ପଛରେ ଅନୁଧାବନ କରିବା ଆଦୌ ସହଜ ନୁହେ । ଅବଶ୍ୟ ରୂପନଗର ପରି କ୍ଷୁଦ୍ର ରାଜ୍ୟର ରାଜାମାନେ ଅଶ୍ଵାରୋହୀ ସୈନ୍ୟଙ୍କ ସାହାଯ୍ୟରେ ରାତ୍ରି ମଧ୍ୟରେ ପାଞ୍ଚ ଦଶଟି ଗ୍ରାମ ଲୁଣ୍ଠନ କରୁ ନ ଥିଲେ; ତା’ ନୁହେ । ଅନେକ ସମୟରେ ତାଙ୍କର ସୈନ୍ୟମାନେ ପର୍ବତ ଉପରେ ଘୋଡ଼ା ଛାଡ଼ିଦେଇ ପଦାତିମାନଙ୍କ ପରି ଯୁଦ୍ଧ କରୁଥିଲେ । ଏଠାରେ ମୋଗଲ୍ ସୈନ୍ୟବାହିନୀର ପଛରେ ଗୋଡ଼ାଇ ଯୁଦ୍ଧ କରିବାକୁ ପଡ଼ିବ ବୋଲି ଜାଣି, ସେ ଅଶ୍ଵବାହିନୀ ସହିତ ଆସିଥିଲେ । ତେଣୁ ସେ ପର୍ବତର ଶିଖରଦେଶରେ ଆତ୍ମଗୋପନ ନ କରି, ଅପେକ୍ଷାକୃତ ସମତଳ ଅଞ୍ଚଳରେ ରହିଲେ । ସୌଭାଗ୍ୟକୁ ସେ ଏପରି ଗୋଟିଏ ଅଞ୍ଚଳ ପାଇଗଲେ ଯେ, ଯେଉଁଠାରେ ଗୋଟିଏ ବିସ୍ତୀର୍ଣ୍ଣ ଅରଣ୍ୟାନୀ ଥିଲା । ତେଣୁ ସେ ଘନ ଅରଣ୍ୟ ମଧ୍ୟରେ ଅଶ୍ଵାରୋହୀମାନଙ୍କୁ ଧାଡ଼ିକରି ପ୍ରସ୍ତୁତ ରଖି ନିଜେ ଅଗ୍ରଭାଗରେ ରହିଲେ । ମାଣିକଲାଲ୍‍ ରାଜସିଂହଙ୍କ ସୈନ୍ୟମାନଙ୍କୁ ଧରି ଲୁଚିଛପି ରହିଲେ ଏବଂ ସର୍ବଶେଷରେ ଗୋପୀନାଥ ରାଠୋର ସତର୍କତାର ସହିତ ମୋଗଲ ବାହିନୀର ଆଗମନକୁ ଚାହିଁରହିଲେ ।

 

ଦିଲ୍ଲୀର୍ ଖାଁ ଶାହଜାଦା ଆକବରର ଦୁର୍ଦ୍ଦଶା ସ୍ମରଣକରି ଖୁବ୍ ସତର୍କତାର ସହିତ ଆସୁଥିଲେ । ସେ ଦଳେ ଅଶ୍ଵାରୋହୀ ସେନାଙ୍କୁ ଅଗ୍ରଭାଗରେ ପଠାଇ ରାଜପୁତ୍ ସେନାଙ୍କ ସମ୍ବନ୍ଧରେ ଖବର ନେଉଥିବାରୁ ବିକ୍ରମ ସିଂହଙ୍କ ଦଳର ସନ୍ଧାନ ସହଜରେ ପାଇଗଲେ; ତେଣୁ ସେ ଅଳ୍ପ କେତେକ ଅଶ୍ଵାରୋହୀ ପଠାଇ ରାଜପୁତ୍‌ମାନଙ୍କୁ ଘଉଡ଼ାଇ ଦେବାକୁ ଚେଷ୍ଟାକଲେ । ବିକ୍ରମ ସୋଲାଙ୍କି ଅନ୍ୟାନ୍ୟ ବିଷୟରେ ସ୍ଥୂଳବୁଦ୍ଧି ଥିଲେ ହେଁ, ଯୁଦ୍ଧ ସମୟରେ ଅତ୍ୟନ୍ତ ବିଚକ୍ଷଣ ଓ ରଣପଣ୍ଡିତ ରୂପେ ଗଣ୍ୟ ହେଉଥିଲେ । ତେଣୁ ସେ ମୋଗଲମାନଙ୍କ ସହିତ ବଡ଼ ଧରଣର ଯୁଦ୍ଧ ନ କରି ଦିଲ୍ଲୀର୍ ଖାଁଙ୍କୁ ନିପାତ କରିବା ଇଚ୍ଛାରେ ପଛକୁ ହଟିଗଲେ ।

 

ଦିଲ୍ଲୀର୍ ଖାଁ ମାଣିକଲାଲ୍‍କୁ ଅତିକ୍ରମ କରି ଆଗେଇଗଲା; କାରଣ ମାଣିକଲାଲ୍‍ ଦଳର ଅବସ୍ଥିତ ସମ୍ପର୍କରେ ସେ ଆଦୌ ଜାଣି ପାରିଲେ ନାହିଁ । ରାଜପୁତ୍‌ମାନେ ମଧ୍ୟ କିଛି ଗୋଳମାଳ ନକରି ନୀରବ ରହିଲେ । ସୋଲାଙ୍କିଙ୍କୁ ହଟାଇଦେଇ ଦିଲ୍ଲୀର୍ ଖାଁ ଭାବିଲା–ବୋଧହୁଏ ସବୁ ରାଜପୁତ୍ ସୈନ୍ୟ ଭୟରେ ପଳାଇଗଲେ; ତେଣୁ ସେ ବିଶେଷ ସାବଧାନ ନହୋଇ ଆଗେଇ ଚାଲିଲେ । ମାଣିକଲାଲ୍‍ ମଧ୍ୟ ଉପଯୁକ୍ତ ସମୟର ଅପେକ୍ଷାର ବସି ରହିଲା ।

 

ଦିଲ୍ଲୀର୍ ଖାଁଙ୍କ ଦଳ ଯାଇ ଗୋପୀନାଥ ରାଠୋରଙ୍କ ଦଳ ନିକଟରେ ପହଞ୍ଚିଗଲେ । ସେଠାରେ ପାର୍ବତ୍ୟମାର୍ଗ ଅତି ସଂକୀର୍ଣ୍ଣ ହୋଇଆସିଥିଲା । ମୋଗଲମାନେ ସେଠାରେ ପହଞ୍ଚିବାକ୍ଷଣି ରାଠୋରଙ୍କ ସୈନ୍ୟମାନେ, ବାଘ ବାଟ ଓଗାଳି ବସିଲାପରି, ଦିଲ୍ଲୀର୍ ଖାଁଙ୍କ ଦଳ ଉପରେ ଆକ୍ରମଣ କରିଦେଲେ । ଏହା ଦେଖି ଦିଲ୍ଲୀର ଖାଁ ମୋବାରକ୍ ଖାଁଙ୍କୁ ଆଦେଶ ଦେଇ କହିଲେ–“ତୁମେ ଅଗ୍ରସର ହୋଇ ରାଜପୁତ୍‌ମାନଙ୍କୁ ଘଉଡ଼ାଇ ଦିଅ ।” ଆଦେଶ ପାଇବାମାତ୍ରେ ମୋବାରକ୍ ଖାଁ ସୈନ୍ୟମାନଙ୍କୁ ନେଇ ଯୁଦ୍ଧ ଆରମ୍ଭ କରିଦେଲେ; କିନ୍ତୁ ସେହି ସଂକୀର୍ଣ୍ଣ ଗିରିମାର୍ଗରେ ମୋଗଲମାନେ ରାଜପୁତ୍ ସୈନ୍ୟଙ୍କ ସମ୍ମୁଖରେ ତିଷ୍ଠି ପାରିଲେ ନାହିଁ । ଛୋଟ ପିଲାମାନେ ଗାତରୁ ବାହାରୁଥିବା ପିମ୍ପୁଡ଼ିମାନଙ୍କୁ ଗୋଡ଼ରେ ଦଳି ମାରିଦେବା ପରି, ରାଜପୁତ୍‌ମାନେ ମୋଗଲମାନଙ୍କୁ ଗୋଟି ଗୋଟି କରି ନିପାତ କରିବାକୁ ଲାଗିଲେ । ଦିଲ୍ଲୀର ଖାଁ ଆଗକୁ ଅଗ୍ରସର ହେବାକୁ କୌଣସି ପ୍ରକାର ସୁବିଧା ନପାଇ, କିଂକର୍ତ୍ତବ୍ୟବିମୂଢ଼ ହୋଇ ମାର୍ଗ ମଧ୍ୟରେ ଛିଡ଼ା ହୋଇ ରହିଲେ ।

 

ମାଣିକଲାଲ୍‍ ଏପରି ଗୋଟିଏ ଉପଯୁକ୍ତ ସମୟର ଅପେକ୍ଷାରେ ରହିଥିଲା । ସେ ସୈନ୍ୟମାନଙ୍କ ଗହଣରେ ପର୍ବତ ଉପରୁ ଓହ୍ଲାଇ ଆସି ବଜ୍ରପରି ଦିଲ୍ଲୀର ଖାଁଙ୍କ ଦଳ ଉପରେ ଆକ୍ରମଣ କରିଦେଲା । ଦିଲ୍ଲୀର ଖାଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ରାଜପୁତ୍‌ମାନଙ୍କୁ ଆକ୍ରମଣ କଲେ; କିନ୍ତୁ ଠିକ୍ ସମୟରେ ବିକ୍ରମ ସୋଲାଙ୍କି ନିଜର ଦୁଇହଜାର ଅଶ୍ଵାରୋହୀଙ୍କ ସହିତ ଦିଲ୍ଲୀର ଖାଁଙ୍କ ପଛପଟରୁ ମାଡ଼ିଆସିଲେ । ତ୍ରିମୁଖୀ ଆକ୍ରମଣର ସମ୍ମୁଖୀନ ହୋଇ ମୋଗଲମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ରାଜପୁତ୍‌ମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତେ, ମୋଗଲମାନେ ମୁହୂର୍ତ୍ତକ ଲାଗି ସୁଦ୍ଧା ରଣକ୍ଷେତ୍ରରେ ଛିଡ଼ା ହୋଇପାରିଲେ ନାହିଁ । ଯେ ଯୁଆଡ଼େ ପାରିଲେ, ପ୍ରାଣ ଘେନି ପଳାଇଗଲେ । ଅଧିକାଂଶ ସୈନ୍ୟ ପଳାଇଯିବାର ଉପାୟ ନପାଇ, କୃଷକର ଦାଆରେ ଧାନକଟା ହେଲାପରି, ରାଜପୁତ୍‌ମାନଙ୍କ ଅସ୍ତ୍ରାଘାତରେ ପ୍ରାଣ ହରାଇଲେ ।

 

କେବଳ ଗୋପୀନାଥ ରାଠୋରଙ୍କ ସମ୍ମୁଖରେ ଅଳ୍ପ କେଇଜଣ ମୋଗଲବୀର ଜୀବନକୁ ପାଣି ଛଡ଼ାଇ ଦେଇ ଶେଷ ସଂଗ୍ରାମ ଚଳାଇଲେ । ସେହି ଦଳର ନେତୃତ୍ଵ ନେଇଥିଲେ ସୁଦକ୍ଷ ମୋଗଲବୀର ମୋବାରକ୍ ଖାଁ ସେହି ଦଳରୁ ପ୍ରତି ମୁହୂର୍ତ୍ତରେ ଜଣ ଜଣ ହୋଇ ପ୍ରାୟ ଅଧିକାଂଶ ରଣଭୂଇଁରେ ଢଳିପଡ଼ିଲେ । ଶେଷକୁ ବଞ୍ଚିରହିଲେ ମାତ୍ର ଚାରି–ପାଞ୍ଚ ଜଣ ମୋଗଲ ।

 

ଦୂରରୁ ଏହା ଲକ୍ଷ୍ୟ କରି ମାଣିକଲାଲ୍‍ ସେଠାରେ ପହଞ୍ଚିଯାଇ କହିଲେ–“ଏମାନଙ୍କୁ ମାରନାହିଁ । ଏମାନଙ୍କ ବୀରତ୍ଵରେ ଆମେ ମୁଗ୍‌ଧ, ଏହି କେତେ ଜଣଙ୍କୁ ଛାଡ଼ିଦିଅ ।” ଏହା ଶୁଣି ରାଜପୁତ୍‌ମାନେ ଯୁଦ୍ଧ ବନ୍ଦ କରିଦେଲେ । ତା’ପରେ ମୋଗଲ ବୀରମାନଙ୍କୁ ଲକ୍ଷ୍ୟ କରି କହିଲେ ମାଣିକଲାଲ୍‍–“ତୁମେମାନେ ଚାଲିଯାଅ । ତୁମମାନଙ୍କର କେହି କିଛି ଅନିଷ୍ଟ କରିବେ ନାହିଁ ।”

 

ତନ୍ମଧ୍ୟରେ ଜଣେ ମୋଗଲବୀର କହିଲେ–“ଆମେ କେବେହେଲେ ଯୁଦ୍ଧରେ ପଛଘୁଞ୍ଚା ଦେଇନାହୁଁ ଏବଂ ଆଜି ମଧ୍ୟ ରଣକ୍ଷେତ୍ର ଛାଡ଼ି ପଳାଇଯିବୁ ନାହିଁ ।” ଏହା କହି ସେମାନେ ଯୁଦ୍ଧ କରିବାକୁ ଲାଗିଲେ । ଏହା ଶୁଣି ମାଣିକଲାଲ୍‍ ମୋବାରକ୍ ଖାଁଙ୍କୁ ଡାକି କହିଲେ–“ଖାଁ ସାହେବ ! ଆଉ ଯୁଦ୍ଧ କରି ଲାଭ କ’ଣ ?”

 

ମୋବାରକ ପ୍ରତ୍ୟୁତ୍ତର ଦେଇ କହିଲେ–“ମୃତ୍ୟୁ ଆମର ଏକାନ୍ତ କାମ୍ୟ ।”

 

“ବୃଥାଟାରେ ମରିବେ କାହିଁକି ?”

 

“ଆପଣ କ’ଣ ଜାଣିନାହାନ୍ତି ଯେ, ମୃତ୍ୟୁ ବ୍ୟତୀତ ମୋର ଆଉ କିଛି ଉପାୟ ନାହିଁ ?”

 

“ତେବେ ବିବାହ କଲେ କାହିଁକି ?”

 

“କେବଳ ମୃତ୍ୟୁ ଲାଗି !’ –ମର୍ମାହତ ସ୍ଵରରେ ଉତ୍ତର ଦେଲେ ମୋବାରକ୍ ।

 

ଠିକ୍ ଏହି ସମୟରେ ବନ୍ଧୁକ ଶବ୍ଦରେ ପର୍ବତଶିଖର ମୁଖରିତ ହୋଇଉଠିଲା ଏବଂ ଶବ୍ଦ କେଉଁଠି ଶୁଭିଲା, ଏହା ଲକ୍ଷ୍ୟ କରିବା ପୂର୍ବରୁ ମୋବାରକ୍ ଖାଁଙ୍କର ମସ୍ତକରେ ଗୁଳି ବିଦ୍ଧ ହୋଇଗଲା । ମୋବାରକ ନିର୍ଜୀବ ହୋଇ ଭୂମିରେ ପଡ଼ିଯିବାର ଦେଖି ମାଣିକଲାଲ୍‍ ଲକ୍ଷ୍ୟକଲେ–ପର୍ବତ ଶିଖରଦେଶରେ ଗୋଟିଏ ସ୍ତ୍ରୀଲୋକ ହାତରେ ବନ୍ଧୁକ ଧରି ଛିଡ଼ା ହୋଇ ରହିଛି । ସେହି ଉନ୍ମାଦିନୀ ନାରୀ ହେଉଛି–ଦରିୟା ବିବି ।

 

ମାଣିକଲାଲ୍‍ ସେ ସ୍ତ୍ରୀଲୋକଟିକୁ ଧରିବା ଲାଗି ଆଦେଶ ଦେଲା; କିନ୍ତୁ କେହି ତା’ ନିକଟରେ ପହଞ୍ଚିବା ପୂର୍ବରୁ, ସେ ଅଟ୍ଟହାସ କରି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ସେହିଦିନଠାରୁ ଆଉ କେହି ଦରିୟା ବିବିର ସନ୍ଧାନ ପାଇଲେ ନାହିଁ ।

 

ଯୁଦ୍ଧରେ ମୋବାରକ୍‌ର ମୃତ୍ୟୁ ସମ୍ବାଦ ଶୁଣିବାମାତ୍ରେ ଜେବ୍ଉନ୍ନିସା ନିଜର ବେଶଭୂଷଣ ଦୂରକୁ ଫିଙ୍ଗି ଦେଇ ପାଗଳିନୀଙ୍କ ପରି ଉଦୟସାଗରତଟବର୍ତ୍ତୀ ଶୀଳା ସୋପାନରେ ମୁଣ୍ଡବାଡ଼େଇ ଉଚ୍ଚସ୍ଵରରେ କ୍ରନ୍ଦନ କରିବାକୁ ଲାଗିଲା ।

Image

 

ପୂର୍ଣ୍ଣାହୁତି

 

ଯୁଦ୍ଧ ଶେଷ ହେବାପରେ ବିଜୟଶ୍ରୀରେ ମଣ୍ଡିତ ହୋଇ ବିକ୍ରମ ସୋଲାଙ୍କି ରାଜସିଂହଙ୍କ ଶିବିରକୁ ଫେରିଆସିଲେ । ରାଜସିଂହ ତାଙ୍କୁ ସମୁଚିତ ସମାଦର କରି ରଖାଇଲା । ଦିନେ ମହାରାଣାଙ୍କୁ ଏକାନ୍ତ କହିଲେ ବିକ୍ରମ ସିଂହ–“ମୋର ସେ କନ୍ୟାଦାୟ ବିଷୟଟି ରହିଗଲା । ମୁଁ ତାକୁ ଆପଣଙ୍କ ହସ୍ତରେ ଅର୍ପଣ କରି ନିଶ୍ଚିନ୍ତ ହେବି ! ଗ୍ରହଣ କରି ମୋତେ ଅନୁଗୃହୀତ କରିବେ ତ-?”

“ତା’ ହେଲେ ଉଦୟପୁର ଚାଲନ୍ତୁ ।” ଉତ୍ତର ଦେଲେ ମହାରଣା ।

ଯଥା ସମୟରେ ଉଦୟପୁରଠାରେ ମହାରଣା ରାଜସିଂହଙ୍କ ସହିତ ଚଞ୍ଚଲ୍‍କୁମାରୀର ପାଣିଗ୍ରହଣ ଉତ୍ସବ ସମ୍ପନ୍ନ ହୋଇଗଲା । କିନ୍ତୁ ୟା’ ମଧ୍ୟରେ ଆଓରଙ୍ଗଜେବ୍ ପୂର୍ବ ଅପମାନର ପ୍ରତିଶୋଧ ନେବାଲାଗି ରାଜସିଂହଙ୍କ ବିରୋଧରେ ଅଭିଯାନ ଚଳାଇଲେ । ଏଥର ଆଓରଙ୍ଗଜେବ୍‌ଙ୍କ ସହିତ ଶାହଜାଦା ଆଜିମ୍ ନିଜର ଦଳବଳ ସହିତ ସମ୍ମିଳିତ ହୋଇଥିଲା । ରାଜସିଂହ ମଧ୍ୟ ମାରୱାଡ଼ର ବିଖ୍ୟାତ ବୀର ଦୁର୍ଗାଦାସଙ୍କ ସହିତ ସମ୍ମିଳିତ ହୋଇ ଆଓରଙ୍ଗଜେବ୍ ବିରୁଦ୍ଧରେ ପ୍ରତିଆକ୍ରମଣ ଚଳାଇଲେ । ଏହି ଯୁଦ୍ଧରେ ବାଦଶାହ ନିଜର ବହୁ ସଂଖ୍ୟକ ସୈନ୍ୟ ଓ ଯୁଦ୍ଧ ସାମଗ୍ରୀ ହରାଇ, ବେକ୍ରାଘାତରେ କୁକୁର ପରି ପଳାୟନ କଲେ ।

ଅନ୍ୟ ଉପାୟ ନ ଦେଖି ଶାହଜାଦା ଓ ବାଦଶାହ୍ ଆଓରଙ୍ଗଜେବ୍‍ ରାଣାମାନଙ୍କ ପରିତ୍ୟକ୍ତ ରାଜଧାନୀ ଚିତୋର ଯାଇ ଆତ୍ମରକ୍ଷା କଲେ । ସେଠାରେ ମଧ୍ୟ ସେମାନଙ୍କୁ ତ୍ରାହି ମିଳିଲା ନାହିଁ । ସୁବଳଦାସ ନାମକ ଜଣେ ପ୍ରସିଦ୍ଧ ରାଜପୁତ୍ ସେନାପତି ଚିତୋର ଓ ଆଜମୀରର ମଧ୍ୟବର୍ତ୍ତୀ ସ୍ଥାନରେ ସେନା ଏକତ୍ରିତ କରାଇଲା । ତେଣୁ ରସଦ ବନ୍ଦ ହୋଇଯିବା ଭୟରେ, ଖାଁ ରୋହିଲାକୁ ରାଜପୁତ୍‌ମାନଙ୍କ ବିରୁଦ୍ଧରେ ଆକ୍ରମଣ କରିବା ଲାଗି ଆଦେଶ ଦେଇ, ବାଦଶାହ ଆଜମୀର ପଳାଇଗଲେ । ଆଲମଗିର୍ ବାଦଶାହ ଆଓରଙ୍ଗଜେବ୍ ନିଜ ଜୀବଦ୍ଦଶା ମଧ୍ୟରେ ଆଉ ଥରେ ହେଲେ ଉଦୟପୁର ଆଡ଼କୁ ସୈନ୍ୟଚାଳନା କରିବାର ସୁଯୋଗ ପାଇଲେ ନାହିଁ ଉଦୟପୁର ଧ୍ଵଂସ କରିଦେବାର ବାସନା ଆଓରଙ୍ଗଜେବ୍‍ ମନରେ ଜାଗ୍ରତ ହୋଇ ଚିରଦିନ ଲାଗି ମଉଳିଗଲା ।

ସୁବଳ ଦାସଙ୍କର ସମ୍ମୁଖୀନ ହୋଇ ନ ପାରି ଖାଁ ରୋହିଲା ବହୁକ୍ଷତି ସହ୍ୟକରି ଶେଷରେ ଆନ୍ଦ୍ରମୀର ପଳାଇଗଲେ । ଅନ୍ୟ ଗୋଟିଏ ଦିଗରେ ରାଜସିଂହଙ୍କ ପୁତ୍ର ଭୀମସିଂହ ରାଜପୁତ୍ ଉପରେ ଆକ୍ରମଣ ଚଳାଇ ସେଠାକାର ସୁବାଦାରଙ୍କୁ ପରାଜିତ କରିବା ସଙ୍ଗେ ସଙ୍ଗେ, ବହୁ ଅଞ୍ଚଳ ଅଧିକାର କରିନେଲେ । କିନ୍ତୁ ଯୁଦ୍ଧ–ବିଭୀଷିକାରେ ପ୍ରପୀଡ଼ିତ ପ୍ରଜାବୃନ୍ଦଙ୍କ ଆକୁଳ ନିବେଦନ ଶୁଣି ଦୟାଶୀଳ ରାଜସିଂହ ସେ ଯୁଦ୍ଧ ବନ୍ଦ କରିବାକୁ ଆଦେଶ ଦେଲେ । କିନ୍ତୁ ରାଜସିଂହଙ୍କ ପ୍ରଧାନମନ୍ତ୍ରୀ ଦୟାଲଶାହା ରାଜସିଂହଙ୍କ ପରି ଉଦାରପତ୍ନୀ ନ ଥିଲେ; ତେଣୁ ସେ ମାଳବ ରାଜ୍ୟରେ ଥିବା ମୋଗଲମାନଙ୍କର ସର୍ବନାଶ ଘଟାଇବାରେ ତିଳେ ହେଲେ ପଶ୍ଚାତ୍‌ପଦ ହେଲେ ନାହିଁ । ବାଦଶାହ ଆଓରଙ୍ଗଜେବ୍‍ ହିନ୍ଦୁମାନଙ୍କ ଉପରେ ଯେପରି ଅକଥନୀୟ ଅତ୍ୟାଚାର କରିଥିଲେ, ଦୟାଲଶାହା ତା’ର ପ୍ରତିଶୋଧ ନେଇ କାଜି ଓ ମୌଲବୀମାନଙ୍କୁ ମୁଣ୍ଡନ କରାଇ ଶିବିର ମଧ୍ୟରେ ବନ୍ଦୀ କରି ରଖିଲେ ।

ଦୟାଲଶାହା କୁମାର ଜୟସିଂହଙ୍କ ସହିତ ସମ୍ମିଳିତ ହୋଇ, ଶାହଜାଦା ଆଜିମର ପଥରୋଧ କରି ଚିତୋର ନିକଟରେ ଆକ୍ରମଣ କଲେ । ଏହି ଯୁଦ୍ଧରେ ଆଜିମ୍ ଅଧିକାଂଶ ସୈନ୍ୟବଳ ହରାଇ ପ୍ରାଣଭୟରେ ପଳାୟନ କଲେ ।

ଦୀର୍ଘ ଚାରିବର୍ଷ ଧରି ରାଜସିଂହ ଓ ଆଓରଙ୍ଗଜେବ୍‍ଙ୍କ ମଧ୍ୟରେ ବହୁ କ୍ଷେତ୍ରରେ ଯୁଦ୍ଧ ଲାଗିଲା ଏବଂ ପ୍ରତ୍ୟେକ କ୍ଷେତ୍ରରେ ପଦେପଦେ ମୋଗଲମାନେ ପରାଜିତ ହେବାପରେ ପରିଶେଷରେ ଆଓରଙ୍ଗଜେବ୍‍ ପ୍ରକୃତରେ ସନ୍ଧି କରିବାକୁ ବାଧ୍ୟ ହେଲେ । ରାଣା ରାଜସିଂହ ଯାହା ଯାହା ଚାହିଁଲେ, ଆଓରଙ୍ଗଜେବ୍‍ ଅନନ୍ୟୋପାୟ ହୋଇ ସବୁତକ ସ୍ଵୀକାର କରିନେଲେ ଏବଂ କେତେକ କ୍ଷେତ୍ରରେ ଅଧିକ ଦାବି ମାନିନେଇଥିଲେ । ଏହି ଯୁଦ୍ଧରେ ମୋଗଲମାନେ ଯେଉଁ ଶିକ୍ଷା ଲାଭ କରିଥିଲେ, ଇତିହାସରେ ତା’ର ଦୃଷ୍ଟାନ୍ତ ବିରଳ । *

* ପାଠକମାନେ ମନେକରିବେ ନାହିଁ ଯେ, ମୁସଲମାନ ଶାସକମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖିବା ଏ ଲେଖାର ଉଦ୍ଦେଶ୍ୟ ! ହିନ୍ଦୁ ଓ ମୁସଲମାନ ଉଭୟ ଶାସକମାନଙ୍କ ମଧ୍ୟରେ ଭଲ ଓ ମନ୍ଦ ଗୁଣ ରହିଥିଲା; ବରଂ ମୁସଲମାନ ଶାସକମାନେ ହିନ୍ଦୁଶାସକଙ୍କ ତୁଳନାରେ ଅଧିକ ଦକ୍ଷ ଥିଲେ-। ବାସ୍ତବରେ ଦେଖିବାକୁ ଗଲେ ଯେଉଁ ଶାସକ ଧର୍ମମାର୍ଗରେ ପରିଚାଳିତ ହୁଏ, ସେ ହିଁ ଶ୍ରେଷ୍ଠ ଏବଂ ତାହାହିଁ ଏ ପୁସ୍ତକରେ ପ୍ରତିପାଦ୍ୟ ବିଷୟ ! ରାଜାନୁସାରୀ ଧର୍ମନ୍ୟାୟରେ ରାଜକର୍ମଚାରୀ ତଥା ପୌରାଜନମାନେ ରାଜାଙ୍କ ଗୁଣ ଗ୍ରହଣ କରିଥାଆନ୍ତି ଏବଂ ତା’ର ଦୃଷ୍ଟାନ୍ତ ପ୍ରସ୍ତୁତ ପୁସ୍ତକରେ ବର୍ଣ୍ଣିତ ଉଦୀପୁରୀ, ଚଞ୍ଚଲ୍‍କୁମାରୀ, ଜେବ୍ଉନ୍ନିସା, ନିର୍ମଳକୁମାରୀ, ମାଣିକଲାଲ୍‍ ଓ ମୋବାରକ ଖାଁଙ୍କ ଚରିତ୍ରରୁ ମିଳିଥାଏ ।

ଆଓରଙ୍ଗଜେବ୍‍ଙ୍କୁ ସ୍ପେନର ଫିଲିପ ଦ୍ଵିତୀୟଙ୍କ ସହ ତୁଳନା କରାଯାଇପାରେ । ଉଭୟ ନିଜ ନିଜର ରାଜନୀତି ଫଳରେ ସାମ୍ରାଜ୍ୟର ଧ୍ଵଂସସାଧନର ମଞ୍ଜି ବୁଣିଥିଲେ ଏବଂ ଉଭୟେ ନିତାନ୍ତ କ୍ଷୁଦ୍ରଶକ୍ତି ଦ୍ଵାରା ପରାସ୍ତ ଓ ଅପମାନିତ ହୋଇଥିଲେ । ଏଠାରେ ଆହୁରି ମଧ୍ୟ କୁହାଯାଇପାରେ ଯେ, ରାଜସିଂହ ପ୍ରସିଦ୍ଧ ଓଲନ୍ଦାଜ୍‌ବୀର ଉଇଲିୟମ୍‌ଙ୍କ ପରି ଧର୍ମାତ୍ମା, ଦୟାଶୀଳ, ଦେଶହିତୈଷୀ, ବୀର ପୁରୁଷ ଥିଲେ ଏବଂ ମରହଟ୍ଟାବୀର ଶିବାଜୀ ଇଂଲଣ୍ଡର ନେତ୍ରୀ ଏଲିଜାବେଥ୍‌ଙ୍କ ପରି ଅପୂର୍ବ ଦକ୍ଷତା ଦେଖାଇଥିଲେ । ସେ ଦେଶର ଇତିହାସରେ ସେମାନେ ଚିରସ୍ମରଣୀୟ; କିନ୍ତୁ ଭାରତବର୍ଷରେ ପ୍ରକୃତ ଇତିହାସ ଲେଖାଯାଇ ନଥିବାରୁ ଆମ ଦେଶର ଲୋକେ ରାଜସିଂହଙ୍କୁ ଚିହ୍ନନ୍ତି ନାହିଁ ।

Image